ରାଜ୍ୟ ସରକାରଙ୍କ MBPYଅଧୀନରେ ଆଉ ୫,୩୨୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ଭାବେ ସାମିଲ

ରାଜ୍ୟ ସରକାରଙ୍କ MBPYଅଧୀନରେ ଆଉ ୫,୩୨୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ଭାବେ ସାମିଲ

ସମାଜର ଅସହାୟ, ଆର୍ଥିକ ଦୁର୍ବଳ ଓ ଅବହେଳିତ ବର୍ଗଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମଧୁବାବୁ ପେନସନ୍ ଯୋଜନା (MBPY) ଅଧୀନରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳର ଆଉ ୫,୩୨୪ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ଭାବେ ସାମିଲ କରାଯାଇଛି। ଏହାକୁ ମିଶାଇ ବିଏମ୍‌ସି ଅଞ୍ଚଳରେ ଏହି ଯୋଜନାର ମୋଟ ହିତାଧିକାରୀଙ୍କ ସଂଖ୍ୟା ୨୭,୧୧୨ରେ ପହଞ୍ଚିଛି।

ପୂର୍ବରୁ ବିଏମସି ଅଞ୍ଚଳର ୨୧,୭୮୮ ଜଣ ହିତାଧିକାରୀ ଏହି ଯୋଜନାରେ ପେନ୍ସନ୍ ପାଉଥିଲେ। ଦୀର୍ଘ ଦୁଇ ବର୍ଷ ଧରି ପେନ୍ସନ୍ ପାଇବାକୁ ଅପେକ୍ଷା କରିଥିବା ଯୋଗ୍ୟ ଆବେଦନକାରୀଙ୍କ ମଧ୍ୟରୁ ନୂତନ ବ୍ୟବସ୍ଥାରେ ୫,୩୨୪ ଜଣଙ୍କୁ ଚୟନ କରାଯାଇଛି। ଏହା ଦ୍ୱାରା ଅନେକ ଯୋଗ୍ୟ ବ୍ୟକ୍ତିଙ୍କୁ ଦୀର୍ଘଦିନର ଅପେକ୍ଷା ପରେ ନିୟମିତ ଆର୍ଥିକ ସହାୟତା ମିଳିବାର ପଥ ସୁଗମ ହୋଇଛି।

ନୂତନ ଭାବେ ମନୋନୀତ ୫,୩୨୪ ଜଣଙ୍କ ମଧ୍ୟରେ ୩,୨୨୯ ଜଣ ୬୦ ବର୍ଷ ଓ ତଦୁର୍ଦ୍ଧ୍ୱ ବରିଷ୍ଠ ନାଗରିକ, ୩୩ ଜଣ ୮୦ ବର୍ଷ ଓ ତଦୁର୍ଦ୍ଧ୍ୱ ବରିଷ୍ଠ ନାଗରିକ, ୧,୩୭୮ ଜଣ ବିଧବା ମହିଳା, ୯୧ ଜଣ ୮୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ୱ ଭିନ୍ନକ୍ଷମ, ୧୫୩ ଜଣ ୬୦ରୁ ୭୯ ପ୍ରତିଶତ ଭିନ୍ନକ୍ଷମ ଏବଂ ୨୩୫ ଜଣ ୪୦ରୁ ୫୯ ପ୍ରତିଶତ ଭିନ୍ନକ୍ଷମ ବ୍ୟକ୍ତି ରହିଛନ୍ତି। ସେହିପରି ୧୨୨ ଜଣ ଅବିବାହିତ ମହିଳା, ୮୧ ଜଣ ନିଃସହାୟ ଓ ଛାଡ଼ପତ୍ର ପ୍ରାପ୍ତ ମହିଳା ଏବଂ ୨ ଜଣ ତୃତୀୟ ଲିଙ୍ଗୀ ବ୍ୟକ୍ତି ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି।

ଯୋଜନାର ନିୟମ ଅନୁଯାୟୀ, ହିତାଧିକାରୀଙ୍କ ବର୍ଗ ଓ ଯୋଗ୍ୟତା ଆଧାରରେ ମାସିକ ୧,୦୦୦ ଟଙ୍କାରୁ ୩,୫୦୦ ଟଙ୍କା ପର୍ଯ୍ୟନ୍ତ ପେନ୍ସନ୍ ପ୍ରଦାନ କରାଯିବ। ୮୦ ବର୍ଷ ଓ ତଦୁର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ କିମ୍ବା ତଦୁର୍ଦ୍ଧ୍ୱ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମାସିକ ୩,୫୦୦ ଟଙ୍କା, ୬୦ରୁ ୭୯ ପ୍ରତିଶତ ଭିନ୍ନକ୍ଷମଙ୍କୁ ୧,୨୦୦ ଟଙ୍କା ଏବଂ ଅନ୍ୟ ନିର୍ଦ୍ଧାରିତ ବର୍ଗର ହିତାଧିକାରୀଙ୍କୁ ୧,୦୦୦ ଟଙ୍କା ଲେଖାଏଁ ପେନ୍ସନ୍ ମିଳିବ।

ପେନ୍ସନ୍ ପ୍ରଦାନ ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୟୁନିଫାଏଡ୍ ପେନ୍ସନ୍ ମ୍ୟାନେଜମେଣ୍ଟ ପୋର୍ଟାଲ୍ (UPMP) ପ୍ରଚଳନ କରିଛନ୍ତି। ଏହି ପୋର୍ଟାଲ୍ ମାଧ୍ୟମରେ ଆବେଦନ ଗ୍ରହଣ, ଯୋଗ୍ୟତା ଯାଞ୍ଚ, ହିତାଧିକାରୀ ଚୟନ ଓ ପେନ୍ସନ୍ ପ୍ରଦାନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରାଯାଇପାରିବ। ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରତି ମାସରେ ଆବେଦନ କରୁଥିବା ଯୋଗ୍ୟ ବ୍ୟକ୍ତିମାନେ ଆବେଦନ ଦାଖଲର ଏକ ମାସ ମଧ୍ୟରେ ପେନ୍ସନ୍ ସୁବିଧା ପାଇପାରିବେ। ଫଳରେ ଯୋଗ୍ୟ ଆବେଦନକାରୀଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

ଏହି ଅବସରରେ ଆୟୋଜିତ ପେନ୍ସନ୍ ବଣ୍ଟନ କାର୍ଯ୍ୟକ୍ରମରେ ମନ୍ତ୍ରୀ, ବିଧାୟକ ଏବଂ ଭୁବନେଶ୍ୱରର ମେୟର ଯୋଗଦେଇ ପ୍ରତ୍ୟେକ ୱାର୍ଡରୁ ଜଣେ ଲେଖାଏଁ ହିତାଧିକାରୀଙ୍କୁ ପେନ୍ସନ୍ ପ୍ରଦାନ କରିଥିଲେ। ଅତିଥିମାନେ ଏହି ଅବସରରେ UPMP ପୋର୍ଟାଲ୍ର ଉପଯୋଗିତା ଓ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ଯୋଗ୍ୟ ବ୍ୟକ୍ତିମାନେ କିପରି ସହଜରେ ଆବେଦନ କରି ଶୀଘ୍ର ପେନ୍ସନ୍ ସୁବିଧା ପାଇପାରିବେ, ସେ ସମ୍ପର୍କରେ ବୁଝାଇଥିଲେ।

ଏହି ପଦକ୍ଷେପ ଦ୍ୱାରା ବରିଷ୍ଠ ନାଗରିକ, ବିଧବା ଓ ଅନ୍ୟ ଅସହାୟ ମହିଳା, ଭିନ୍ନକ୍ଷମ ଏବଂ ତୃତୀୟ ଲିଙ୍ଗୀ ବ୍ୟକ୍ତିମାନେ ନିୟମିତ ଆର୍ଥିକ ସହାୟତା ପାଇ ନିଜର ଜୀବନଧାରଣକୁ ଅଧିକ ସୁରକ୍ଷିତ କରିପାରିବେ। ଏହା ସାମାଜିକ ନ୍ୟାୟ, ସମାନତା ଓ ଅନ୍ତର୍ଭୁକ୍ତିମୂଳକ ବିକାଶ ଦିଗରେ ରାଜ୍ୟ ସରକାରଙ୍କ ଏକ ଉଲ୍ଲେଖନୀୟ ପଦକ୍ଷେପ।

Posted in ରାଜ୍ୟ.