ନୂଆ ଖାଇ ଜୁହାର

ନୂଆ ଖାଇ ଜୁହାର

ଓଡ଼ିଶାର ଗଣ ପର୍ବ ପବିତ୍ର ନୂଆଖାଇ ର ଶୁଭାବସରରେ ବିଶ୍ଵର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ଓଡିଆଙ୍କୁ ନୂଆଖାଇ ଜୁହାର । ମନେପଡେ ତୃଣମୂଳ ର କମଳ, ମହାନ୍ କବି ପଦ୍ମଶ୍ରୀ ହଳଧର ନାଗ ଙ୍କ ସେହି କ୍ଷୁଦ୍ର ପଂକ୍ତି -;
“ଜୀଇଁଛୁ ବେଲକେ ଆସି ଭାଏ ବନ୍ଧୁ
ହେମା ନୂଆଖାଇ ଭେଟ୍
ସଂସାର ଡୋର୍ ଥି ବନ୍ଧା ହୋଇଥିମା
ଗାଁ ଯାକର ହେଇ ମେଟ୍ ।”


ଭାଦ୍ରବ ଶୁକ୍ଳ ପଞ୍ଚମୀ ରେ ଏହି ମହାନ ପର୍ବ ମହାସମାରୋହରେ ଓଡ଼ିଆ ମାନେ ପାଳନ କରିଆସୁଛନ୍ତି, ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ଏହା ଏକ ନୈସର୍ଗିକ ଭାଵ ପ୍ରତିଫଳିତ ମହାପର୍ଵ ଭାବେ ପାଳନ କରାଯାଏ । ଆମ ଓଡ଼ିଶା ଯେହେତୁ ଏକ କୃଷି ପ୍ରଧାନ ରାଜ୍ୟ, ଯଦିଓ ଆଜି ଏହା ଭୟଙ୍କର ଭାବେ ରାଜନୈତିକ ଚକ୍ରାନ୍ତିଆ କୁଵୁଦ୍ଧିରେ ପ୍ରଭାବିତ, ତେବେ ଓଡ଼ିଶାର ସମସ୍ତ ପର୍ବ କୃଷି କୁ ଉପଜିଵ୍ୟ କରି । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି ।ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ଓଡ଼ିଆ , ବିଶେଷ କରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ଆଗରୁ “ଲଗନ” ବା “ତିଥି” ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ । ସାମାଜିକ ଏକତା, ଜାତୀୟ ସଂହତି, ପାରିବାରିକ ସଂସ୍କୃତି ଯଥା ଯୈ।ଥ ପାରିବାରିକ ସଂସ୍କୃତି ନୂଆଖାଇ ସେଇଥିପାଇଁ ଏକ ଗଣପର୍ବ । ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ଯଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କ ମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି । ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରି ଗ୍ରାମ ବା ପଡ଼ୋଶୀରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି । ଏହି ସମୟରେ ଗ୍ରାମ ବା ପଡ଼ାର ଲୋକ ମାନେ ନିଜଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି । ପରିବାରମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ । ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି , ଯାହା ନୂଆଖାଇ ପର୍ବର ଏକ ସର୍ବାନ୍ତକରଣ ରେ ସ୍ବତନ୍ତ୍ର ବିଶେଷ ତା । ପୁରାତନ କାଳରୁ ନବାନ୍ନ ସମୟରେ ପରିବାରର ସମସ୍ତେ ଏକାଠି ନବାନ୍ନ ଗ୍ରହଣର ପରମ୍ପରା ଥିଲା । ତେଣୁ ନବାନ୍ନ ଆଗରୁ ଯେଇ ଯୌଠି ରହୁଥିଲେ ମଧ୍ୟ ନବାନ୍ନ ସମୟ ଆଗରୁ ନିଜ ପୈତୃକ ଗୃହକୁ ଆସୁଥିଲେ । ଆଗ କାଳରେ ପୁଅ ଝିଅ ମାନେ ପ୍ରାୟତଃ ବେଶି ଦୂରରେ ରହୁନଥିବାରୁ ଏହା ସମ୍ଭବ ହେଇ ପାରୁଥିଲା । କିନ୍ତୁ ଏବେ ଯୁଗର ପରିବର୍ତନ ସହ ଅନେକ ଘରେ ପୁଅ, ବହୁ, ଝିଅ ମାନେ ବହୁ ଦୂର ଦୁରାନ୍ତରେ ନିଜର ଜୀବିକା ସ୍ଥଳୀରେ ରହିଥାନ୍ତି । ତେଣୁ ଅନେକ କ୍ଷେତ୍ରରେ ନବାନ୍ନ ସମୟରେ ସେମାନେ ପୈତୃକ ଗ୍ରାମ ବା ଗୃହକୁ ଆସିବା ସମ୍ଭବ ହେଇ ନ ଥାଏ । ତେଣୁ ଏକ ପରମ୍ପରା ଅନୁସାରେ ସେହି କ୍ଷେତ୍ରରେ ସେହି ପରିବାର ଦଶହରାର ଅଷ୍ଟମୀ ତିଥିରେ ନବାନ୍ନ ଯଥାରିତ ପାଳନ କରନ୍ତି । ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇବାର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ । ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ, ତେଣୁ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା । ୧୯୯୦ ମସିହାରେ ଏ ସମ୍ପର୍କରେ ଏକ ବିସ୍ତୃତ ପ୍ରାମାଣିକ ବିବରଣୀ ସଂଯୁକ୍ତ କରି ଏକ ଆକୁଳ ଆବେଦନ ପତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଙ୍କ ବାସଭବନ ରେ ଭେଟି ଗୋଟିଏ ଦିନ, ବିଶେଷ କରି ଭାଦ୍ରବ ଶୁକ୍ଳ ପଞ୍ଚମୀ, ଠିକ୍ ଗଣେଶ ପୂଜା ବାସି ଦିନ ପାଳନ ପାଇଁ ସରକାରୀ ଛୁଟି ଘୋଷଣା କରିବାର ନିଷ୍ପତି ନେବାକୁ ଦାବି ପତ୍ର ଦେବା ସମୟରେ ସେ ଚିରାଚରିତ ଢଙ୍ଗରେ କହିଲେ ” ୟୁ ବ୍ଲଡି, ଅଲଓ୍ବେଜ କ୍ରିଏଟିଙ୍ଗ ପ୍ରୋବ୍ଲେମ ” । ତାଙ୍କ ପାଖରେ ତତ୍କାଳୀନ ରାଜସ୍ୱ ବିଭାଗର ମନ୍ତ୍ରୀ ପରମ ସମ୍ମାନନୀୟ ସୁରେନ୍ଦ୍ର ନାଥ ନାୟକ ବସିଥିଲେ, ସେ କହିଲେ ସାର୍ , ସିଏ କେବେ ନିଜ ପାଇଁ କହିନଥାଏ । ବିଜୁ ବାବୁ ଆମର ସେହି ଆବେଦନ ପତ୍ର କୁ ସୁରେନ୍ଦ୍ର ନାଥ ନାୟକ ଙ୍କୁ ଧରାଇଦେଲେ । ସେ ତାହା ପଢି କହିଲେ ପ୍ରଦ୍ୟୁମ୍ନ ଠିକ୍ କଥା କହୁଛି । ବିଜୁ ବାବୁ କହିଲେ ଓକେ , ମୁଁ କ ଉଚି ଏଇଟା ହେବ । ଠିକ୍ ଏହି ସମୟରେ ପ୍ୟାରୀ ମୋହନ ମହାପାତ୍ର କହିଲେ ଓ୍ବେଷ୍ଟର୍ଣ ଓଡ଼ିଶା ରେ ପ୍ରତିବାଦ ହେବ । ବିଜୁ ବାବୁ କହିଲେ ହ୍ଵାଟ୍ ନନ୍ସେନ୍ସ, ହ୍ବାଟ ପ୍ରତିବାଦ, ଦେ ଅଲ ଉଇଲ ଓ୍ବେଲକମ । ମାସକ ପରେ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ଓଡ଼ିଶାରେ ଗୋଟିଏ ଦିନରେ ନୂଆଖାଇ ପର୍ବ ପାଳନ କରାଯିବା ପାଇଁ ଘୋଷଣା କରି ସାରା ଓଡ଼ିଶା ସରକାରୀ ଛୁଟି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ । ଏହି ପଦକ୍ଷେପକୁ ପଶ୍ଚିମ ଓଡ଼ିଶାର ସବୁମହଲରେ ଚିନ୍ତାକରାଯାଇ ସର୍ବସମ୍ମତ କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ ଋଷି ପଞ୍ଚମୀ ଦିନଟି ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନରେ ନୂଆଖାଇ ପର୍ବ ତିଥି ଅନୁସାରେ ପାଳିତ ହୋଇ ଆସୁଛି । ଏହି ଅବସରରେ ଯୁବ ସାରସ୍ଵତ ସାଧକ ସାତ୍ତ୍ୱିକ ବହିଦାର ଙ୍କ ଅତ୍ୟନ୍ତ ଉପାଦେୟ ଆଲେଖ୍ୟ ନିମନ୍ତେ ବହୁତ ବହୁତ ଅଭିନନ୍ଦନ ଜଣାଉଛି । ସମସ୍ତ ଙ୍କୁ ପୁନଃ ନୂଆ ଖାଇ ଜୁହାର ,ଅଭିନନ୍ଦନ,ଅଭିବାଦନାନ୍ତେ ବନ୍ଦେ ଉତ୍କଳ ଜନନୀ ।

Posted in ମନୋରଞ୍ଜନ.

Leave a Reply

Your email address will not be published. Required fields are marked *