ଏ ଦାୟିତ୍ୱ କାହାର ? (୧)
ଆମେ ବିଗତ ୪୫ ବର୍ଷ ଧରି ହଜାର ହଜାର ଥର କହି ଓ ଲେଖି ଆସିଛୁ ଯେ “ଓଡ଼ିଶାର ଇତିହାସ ଏ ଯାବତ୍ ଲେଖା ଯାଇନାହିଁ” । କେବଳ ଅଭିଯୋଗ କରିନାହୁଁ , ସକଳ ପ୍ରତିବନ୍ଧକ ସତ୍ତ୍ୱେ ଆମେ ଅନେକ ଅନାଲୋଚିତ ଇତିହାସକୁ ପ୍ରାମାଣିକ ତଥ୍ୟ ସହିତ ଜନାର୍ପିତ କରିଆସିଛୁ । ଦୀର୍ଘ ୪୫ ବର୍ଷ ଧରି ଶାସନ କଳର ଯୋଜନାବଦ୍ଧ ଆକ୍ରମଣ, ଅତ୍ୟାଚାର, ମାନସିକ ନିର୍ଯ୍ୟାତନା, ଶାସକୀୟ ଚକ୍ରାନ୍ତ ଆଧାରିତ ଅଭାବ ଅନଟନ ଭିତରେ ମଧ୍ୟ ନୂତନ ତଥ୍ୟାର୍ଜନ କରି ଅନେକ ଅଛପା ଇତିହାସକୁ ଛାପା ଇତିହାସରେ ସ୍ଥାନିତ କରିପାରିଛୁ । କାହିଁକି ଓଡ଼ିଶାର ଇତିହାସ ଲେଖା ଯାଇନାହିଁ , ତାହା ଦର୍ଶାଇ କହି ଆସିଛୁ ଯେ ” ବିଜେତା ଯେବେ ପରାଜିତର ଇତିହାସ ଲେଖେ , ସେତେବେଳେ ସିଏ ନିଜକୁ, ନିଜ ଜାତି,ଦେଶ, ପ୍ରଦେଶ କୁ ମହିମା ମଣ୍ଡିତ କରିବା ସହିତ ପରାଜିତକୁ ମସୀଲିପ୍ତ କରିଥାଏ, ଯାହା ହିଁ ପ୍ରତିଫଳିତ ହୋଇଛି ଓଡିଶାର ସାମଗ୍ରିକ ଇତିହାସ ଲେଖା କ୍ଷେତ୍ରରେ । ଓଡ଼ିଶା ଓ ଓଡ଼ିଆ ଙ୍କ ନାମକୁ ମଧ୍ୟ ବ୍ୟଙ୍ଗାତ୍ମକ ଭଙ୍ଗୀରେ ଉଚ୍ଚାରଣ ଓ ଲିଖନ କରାଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୦୫, ମାର୍ଚ୍ଚ,୩ ତାରିଖରେ ( ଆମ ଭାଷାରେ ଓଡ଼ିଶା ଦିବସ , କାରଣ ୧୯୩୬ ମସିହା, ମାର୍ଚ୍ଚ ୩ ତାରିଖରେ ପ୍ରାଚୀନ ଉତ୍କଳର ଏକ ଖଣ୍ଡିତ ଅଂଶ ଭୂଭାଗକୁ ମାନଚିତ୍ରରେ ରେଖାଙ୍କିତ କରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ରାଜପତ୍ର ବ୍ରିଟିଶ ଶାସନ ଦ୍ବାରା ପ୍ରକାଶ ପାଇଥିଲା , ଅପ୍ରେଲ ୧ , ଯାହା ସମଗ୍ର ବିଶ୍ଵରେ ବୋକା ଦିବସ ବା ଅପ୍ରେଲ ଫୁଲ୍ ଭାବେ ପାଳିତ ,ସେହି ଦିନ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ରାଜ୍ୟପାଳ ଭାବେ ହବାକ୍ ଯୋଗ ଦେଇଥିଲେ ) । ଆମର ସରକାର ଙ୍କ ନିକଟରେ ପ୍ରଥମ ଦାବି ଥିଲା ନାମ ସଂଶୋଧନ । ଆମେ ଓରିଆ ନୋହୁଁ କି ଆମ ରାଜ୍ୟ ଓରିଷା ନୁହେଁ । ଇଂରାଜୀ ଓ ହିନ୍ଦୀରେ “ଓଡ଼ିଶା” ଓ “ଓଡ଼ିଆ”କୁ Orissa ଓ Oriya ତଥା उड़ीसा ଓ उड़ीआ ଭାବେ ସମ୍ବିଧାନରେ ତଥା ସାଧାରଣରେ ବ୍ୟବହାର କରାଯାଉଥିଲା । ଆମର ଧାରାବାହିକ ଆନ୍ଦୋଳନ ପରେ ୨୦୦୮ ମସିହା ଜୁନ ୯ ତାରିଖରେ ପ୍ରଥମେ ରାଜ୍ୟ ମନ୍ତ୍ରିମଣ୍ଡଳ ବା କ୍ୟାବିନେଟରେ ଓଡ଼ିଶା ଓ ଓଡ଼ିଆକୁ ଇଂରାଜୀରେ Orissa ଓ Oriya ବଦଳରେ Odisha ଓ Odia ତଥା ହିନ୍ଦୀରେ उड़ीसा ଓ उड़ीआ ବଦଳରେ ओड़िशा ଓ ओड़ीआ ଲେଖିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା ।
୨୦୦୮ ଅଗଷ୍ଟରେ ରାଜ୍ୟ ବିଧାନ ସଭାରେ ଏହି ପ୍ରସ୍ତାବ ଆସିଥିଲା ଓ ବହୁମତରେ ଏହାକୁ ଗ୍ରହଣ କରାଯାଇଥିଲା । ପରେ ୨୦୦୯ରେ ଡଃ ମନମୋହନ ସିଂହ ଙ୍କ ସରକାର ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ବା ନୂଆ ଲୋକ ସଭା ଗଠନ ପରେ ଏହାକୁ ବିଧାନ ସଭାରେ ଆଉ ଥରେ ଆଗତ କରାଯାଇଥିଲା । ଏହି ସଂଶୋଧିତ ପ୍ରସ୍ତାବକୁ ୨୦୧୦ ବଜେଟ ଅଧିବେଶନରେ ଲୋକ ସଭାରେ ଆଗତ କରାଯାଇଥିଲା । ୨୦୧୦ ଶୀତକାଳୀନ ଅଧିବେଶନରେ ପ୍ରଥମ ଦିନ (ଅକ୍ଟୋବର ୯, ୨୦୧୦)ରେ ତତ୍କାଳୀନ ସ୍ବରାଷ୍ଟ୍ର ମନ୍ତ୍ରୀ ପି. ଚିଦମ୍ବରମ ଏହାକୁ ଲୋକ ସଭାରେ ଆଗତ କରିଥିଲେ । ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ଯାହା ୨୦୧୧ମସିହା ୪ ନଭେମ୍ବରରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଓଡ଼ିଶା (ନାମ ପରିବର୍ତ୍ତନ) ଅଧିନିୟମ, ୨୦୧୧ ନାମରେ କାର୍ଯ୍ୟକାରୀ ହୋଇଥିଲା । ଗତ ୨୦୦୫, ମାର୍ଚ୍ଚ ମାସ ୩ ତାରିଖରେ ପ୍ରଥମେ ଓଡ଼ିଶା ଦିବସ ପାଳନ ଅବସରରେ ଆମର ଅଧ୍ୟକ୍ଷତାରେ ଗଠିତ ହୋଇଥିଲା ” ଓଡ଼ିଆ ଅସ୍ମିତା ଜାଗରଣ ଅଭିଯାନ” । ଏହି ଅବସରରେ ଓଡ଼ିଶାର ଗୌରବମୟ ଐତିହ୍ୟ ପରମ୍ପରା , ସାରସ୍ବତ କୀର୍ତ୍ତି, ମହାମାନବୀୟ ଦର୍ଶନ, ସମଗ୍ର ବିଶ୍ବ କୁ ବିଭିନ୍ନ କ୍ଷେତ୍ରରେ ଅବଦାନ ଏବଂ ସ୍ମରଣୀୟ ଅସ୍ମିତା କୁ ଉପଜିବ୍ୟ କରି ଆମେ ଏକ ପ୍ରଚାର ପତ୍ର ସମଗ୍ର ରାଜ୍ୟରେ ବଣ୍ଟନ କରାଇଥିଲୁ । ଏଥିରେ ଉଲ୍ଲେଖ ଥିଲା ଯେ ଧଉଳି ପାହାଡ଼ରେ ଥିବା ଅଶୋକଙ୍କ ସ୍ୱତନ୍ତ୍ର କଳିଙ୍ଗ ଶିଳାଲିପି ନିକଟରେ ପଥର କାନ୍ଥରେ ଖୋଦିତ ହାତୀର ସମ୍ମୁଖ ଭାଗ ଓଡ଼ିଶାର ସର୍ବପ୍ରାଚୀନ ପ୍ରସ୍ତର କଳାକୃତି ମଧ୍ୟରୁ ଅନ୍ୟତମ । ଏହା ମୌର୍ଯ୍ୟଯୁଗୀୟ ହୋଇଥିଲେ ହେଁ ଏଥିରେ କଳିଙ୍ଗ ପ୍ରସ୍ତର କଳା ରହିଛି । ଧଉଳିଠାରୁ ପାଞ୍ଚ କି.ମି. ଦୂର ଦକ୍ଷିଣରେ ଅଶୋକଙ୍କ ସମୟର ଏକ ଭଗ୍ନ ସ୍ତୁପ ଅରାଗଡ଼ଠାରେ ଆବିଷୃତ ହୋଇଛି । ଓଡ଼ିଶାର ଅନ୍ୟାନ୍ୟ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କୀର୍ତ୍ତି ମଧ୍ୟରେ ଉଦୟଗିରି ଓ ଖଣ୍ଡଗିରି ଅନ୍ୟତମ ।
ଉଦୟଗିରିର ହାତୀଗୁମ୍ଫାରେ ଖାରବେଳଙ୍କ ରାଜତ୍ୱର ବିଶିଷ୍ଟ ଘଟଣାବଳୀ କ୍ରମାନ୍ୱୟରେ ପ୍ରସ୍ତର ଗାତ୍ରରେ ଖୋଦିତ ହୋଇଛି । ଏହା ହାତୀଗୁମ୍ଫା ଅଭିଲେଖ ନାମରେ ଖ୍ୟାତ । ଏଠାରେ ଅନ୍ୟାନ୍ୟ ଗୁମ୍ଫାଗୁଡ଼ିକ ମଧରୁ ଦ୍ୱିତଳ ବିଶିଷ୍ଟ ରାଣୀଗୁମ୍ଫା ଓ ସୁବର୍ଣ୍ଣପୁରୀ-ମଞ୍ଜପୁରୀ କଳାତ୍ମକ ଦୃଷ୍ଟିରୁ ପ୍ରଧାନ । ଏହି ଉଭୟ ଗୁମ୍ଫା ଖାରବେଳଙ୍କ ସମୟରେ ଖୋଦିତ ହୋଇଥିବାର ପ୍ରମାଣ ମିଳେ । ଖଣ୍ଡଗିରିର ଗୁମ୍ଫାଗୁଡ଼ିକ ମଧ୍ୟରୁ ଅନନ୍ତଗୁମ୍ଫା, ନବମୁନି ଗୁମ୍ଫା, ବାରଭୁଜି ଗୁମ୍ଫା ଓ ଲଲାଟେନ୍ଦୁକେଶରୀ ଗୁମ୍ଫା ଦଶମ-ଏକାଦଶ ଶତାବ୍ଦୀରେ ଖୋଦିତ ହୋଇଥିବା ପ୍ରମାଣ ମିଳେ । ଏହି ଗୁମ୍ଫାଗୁଡ଼ିକ ଭିତରେ ଜୈନ ତୀର୍ଥଙ୍କରମାନଙ୍କ ମୂର୍ତ୍ତି ଦେଖିବାକୁ ମିଳେ । ଉଦୟଗିରି ଓ ଖଣ୍ଡଗିରି ପ୍ରାଚୀନ କାଳରେ କୁମାରୀ ଓ କୁମାର ପର୍ବତ ରୂପେ ଯଥାକ୍ରମେ ପରିଚିତ ଥିବା ହାତୀଗୁମ୍ଫା ଅଭିଲେଖରୁ ଜଣାଯାଏ । ଓଡ଼ିଶାରେ ବୌଦ୍ଧ ଧର୍ମର ଅଭ୍ୟୁତ୍ଥାନ ସମୟରେ ଅନେକ ବୌଦ୍ଧବିହାର ଓ ଉପାସନାଗୃହ ଗଢ଼ି ଉଠିଥିଲା ।
ଏଗୁଡ଼ିକ ପଞ୍ଚମ ଶତାବ୍ଦୀଠାରୁ ଅଷ୍ଟମ ଶତାବ୍ଦୀ ମଧ୍ୟରେ ନିର୍ମିତ ହୋଇଥିବା ପ୍ରମାଣ ମିଳେ । ତନ୍ମଧ୍ୟରୁ ବରଗଡ଼ ଜିଲ୍ଲାର ଗଣିଆପାଲି ଗାଁ ଠାରେ ଥିବା ମୁଚଳିନ୍ଦ ବୌଦ୍ଧବିହାର ସମ୍ଭବତଃ ସର୍ବପ୍ରାଚୀନ । ସେଥିପରି ଗଞ୍ଜାମ ଜିଲ୍ଲାର ବୁଦ୍ଧଖୋଲ ଅନ୍ୟତମ ପ୍ରାଚୀନ ବୌଦ୍ଧକୀର୍ତ୍ତି ରୂପେ ପରିଚିତ । ଏତଦ୍ବ୍ୟତୀତ ରତ୍ନଗିରି, ଲଳିତଗିରି, ଉଦୟଗିରି, ଲାଙ୍ଗୁଡ଼ି ପାହାଡ଼, କାଏମା, ବଜ୍ରଗିରି, ରମେଶ୍ୱର, ସୋଲପୁର, ଖଡ଼ିପଦାରୁ ଆବିଷୃତ ବିହାର, ସ୍ତୂପ, ଚୈତ୍ୟଗୃହ, ଉପାସନା ଗୃହ ଓ ଆବାସସ୍ଥଳୀ ତଥା ବୌଦ୍ଧମୂର୍ତ୍ତି ଆଦିରୁ ଏହି ଅଞ୍ଚଳରେ ବୌଦ୍ଧଧର୍ମର ପ୍ରାଧାନ୍ୟ ବିଷୟରେ ସୂଚନା ମିଳିଛି । ବୌଦ୍ଧରୁ ପ୍ରାପ୍ତ ଏକପୂର୍ଣ୍ଣାବୟବ ମୂର୍ତ୍ତି ମଧ୍ୟ ଏହି ଶ୍ରେଣୀଭୁକ୍ତ ।
ଓଡ଼ିଶାରେ ଥିବା ପ୍ରାଚୀନ ମନ୍ଦିରମାନଙ୍କ ନିମନ୍ତେ ଓଡ଼ିଶା ମନ୍ଦିର ମାଳିନୀ ରାଜ୍ୟ ରୂପେ ପ୍ରସିଦ୍ଧ । ପ୍ରମୁଖ ମନ୍ଦିରଗୁଡ଼ିକର ଗଠନ ଶୈଳୀ ସ୍ୱତନ୍ତ୍ର ଓ “କଳିଙ୍ଗ ଶୈଳୀ” ନାମରେ ଖ୍ୟାତ । କଳିଙ୍ଗ ଶୈଳୀରେ ନିର୍ମିତ ଏହି ମନ୍ଦିରଗୁଡ଼ିକ ସ୍ଥାପତ୍ୟ ଦୃଷ୍ଟିରୁ ତିନି ପ୍ରକାର । ସେଗୁଡ଼ିକ ହେଲା: ରେଖା ଦେଉଳ, ପିଢ଼ା ଦେଉଳ, ଖାଖରା ଦେଉଳ । ମନ୍ଦିରର ଶିଖର ଓ ଶୀର୍ଷ ଭାଗର ଗଠନ ଶୈଳୀକୁ ଭିତ୍ତି କରି ଏଭଳି ବିଭକ୍ତିକରଣ କରାଯାଇଛି । କଳିଙ୍ଗ ଶୈଳୀର ମନ୍ଦିରଗୁଡ଼ିକ ସପ୍ତମ ଶତାବ୍ଦୀଠାରୁ ପଞ୍ଚଦଶ-ଷୋଡ଼ଷ ଶତାବ୍ଦୀ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନିର୍ମିତ ହୋଇଥିଲା । ଏସବୁ ବିଶେଷକରି ଶୈଳୋଦ୍ଭବ, ଭୌମକର, ସୋମବଂଶୀ, ଗଙ୍ଗବଂଶୀ ଓ ସୂର୍ଯ୍ୟବଂଶୀ ରାଜାମାନଙ୍କ ପୃଷ୍ଠପୋଷକତାରେ ନିର୍ମିତ ହୋଇଥିଲା । ଏଗୁଡ଼ିକ ପ୍ରାଚୀନ ଏକାମ୍ରକ୍ଷେତ୍ର (ଆଧୁନିକ ଭୁବନେଶ୍ୱର ନଗର), ଶଙ୍ଖକ୍ଷେତ୍ର (ଆଧୁନିକ ପୁରୀ), ଅର୍କକ୍ଷେତ୍ର (ଆଧୁନିକ କୋଣାର୍କ), ବିରଜାକ୍ଷେତ୍ର (ଆଧୁନିକ ଯାଜପୁର), ଖିଂଚି, ବୌଦ୍ଧ, ଗନ୍ଧରାଡ଼ି, ରାଣୀପୁର ଝରିଆଲ, ନୃସିଂହନାଥ, କୂଆଳ, ବରଗାଁ, ଚଉରାଶି, ନିଆଳି ଏବଂ ପାପଡାହାଣ୍ଡିଠାରେ ଦେଖିବାକୁ ମିଳେ । ତନ୍ମଧ୍ୟରୁ ଭୁବନେଶ୍ୱରର ମୁକ୍ତେଶ୍ୱର, ରାଜାରାଣୀ ଓ ଲିଙ୍ଗରାଜ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର ଓ କୋଣାର୍କର ସୂର୍ଯ୍ୟମନ୍ଦିର ପ୍ରସିଦ୍ଧ । ଏତଦ୍ବ୍ୟତୀତ ଓଡ଼ିଶାର ପଶ୍ଚିମାଞ୍ଚଳରେ ପୋଡ଼ାଇଟାରେ ତିଆରି ଅନେକ ମନ୍ଦିର ଦେଖିବାକୁ ମିଳେ । ତନ୍ମଧ୍ୟରୁ ବୁଦ୍ଧିକୋମା, କୋମନା ଓ ଇନ୍ଦ୍ରଲାଧ (ରାଣିପୁର ଝରିଆଲ) ମନ୍ଦିର ଉଲ୍ଲେଖଯୋଗ୍ୟ ।ଓଡ଼ିଶାର ମଧ୍ୟଯୁଗୀୟ ପୁରାକୀର୍ତ୍ତିଗୁଡ଼ିକ ମଧ୍ୟରୁ କଟକର ଦେୱାନ ବଜାର ମସଜିଦ, ବାଲୁବଜାର ମସଜିଦ, କଦମ ରସୁଲ, କାଳିଆବୋଦା ଗୁରୁଦ୍ୱାରା ଏବଂ ପୁରୀର ବାଉଳି ମଠ ଅନ୍ୟତମ ।
ଏହା ଛଡ଼ା ଚୁହାଇଁ ରାଜାମାନଙ୍କଦ୍ୱାରା ନିର୍ମିତ ମନ୍ଦିରଗୁଡ଼ିକ ମଧ୍ୟ ଏହି ସମୟର ଓ ସ୍ୱତନ୍ତ୍ର । ଏସବୁ ପାଟଣାଗଡ଼, ସୋନପୁର ଓ ସମ୍ବଲପୁରଠାରେ ଦେଖିବାକୁ ମିଳେ ।ଓଡ଼ିଶାର ଚିତ୍ରକଳା ମଧ୍ୟରେ କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ସିତାବିଂଝୀର ରାବଣାଛାୟା ପ୍ରସିଦ୍ଧ ଓ ପ୍ରାଚୀନ । ମଧ୍ୟଯୁଗୀୟ ଚିତ୍ରକଳା ମଧ୍ୟରେ ପୁରୀର ଜଗନ୍ନାଥ ମନ୍ଦିର, ବିମଳା ମନ୍ଦିର ଓ ଲକ୍ଷ୍ମୀ ମନ୍ଦିର ତଥା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡାର ବିରଞ୍ଚି ନାରାୟଣ ମନ୍ଦିରର ଅଭ୍ୟନ୍ତରରେ ଅନ୍ୟତମ ।
ଭାରତରେ ପ୍ରଚଳିତ ଶାସ୍ତ୍ରୀୟ ନୃତ୍ୟମାନଙ୍କ ମଧ୍ୟରୁ ଓଡ଼ିଶୀ ନୃତ୍ୟ ଅନ୍ୟତମ ଓ ପ୍ରାଚୀନ । ଖାରବେଳଙ୍କ ସମୟରେ ଖୋଦିତ ରାଣୀଗୁମ୍ଫା, ସ୍ୱର୍ଗପୁରୀ ଓ ମଞ୍ଚପୁରୀ ଗୁମ୍ଫାର ଗାତ୍ରରେ ଦେଖିବାକୁ ମିଳୁଥିବା ନର୍ତ୍ତକୀମାନଙ୍କର ପ୍ରତିମା ତଥା ହାତୀଗୁମ୍ଫା ଅଭିଲେଖରେ ବର୍ଣ୍ଣିତ ନୃତ୍ୟ ଓଡ଼ିଶୀ ନୃତ୍ୟର ଆଧାର । ଭରତଙ୍କ ନାଟ୍ୟଶାସ୍ତ୍ରରେ କଳିଙ୍ଗ ନୃତ୍ୟ ଶୈଳୀ ଉଲ୍ଲିଖିତ । ଭୁବନେଶ୍ୱରର ପର୍ଶୁରାମେଶ୍ୱର ମନ୍ଦିର, ବୈତାଳ ମନ୍ଦିର, ଶିଶିରେଶ୍ୱର ମନ୍ଦିର, ମାର୍କଣ୍ଡେଶ୍ୱର ମନ୍ଦିର, ମୁକ୍ତେଶ୍ୱର ମନ୍ଦିର, ରାଜରାଣୀ ମନ୍ଦିର, ଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର ପ୍ରଭୃତି, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟମନ୍ଦିରର ବର୍ହିଭାଗରେ ଖୋଦିତ ନର୍ତ୍ତକୀ ଓ ନାୟିକାମାନଙ୍କର ଅଙ୍ଗଭଙ୍ଗୀ ଓ ମୁଦ୍ରାରୁ ଓଡ଼ିଶୀ ନୃତ୍ୟର ପରମ୍ପରା ସମୃଦ୍ଧ ହୋଇଥିବା ଜଣାଯାଏ । ପରବର୍ତ୍ତୀ କାଳରେ ଏହି ନୃତ୍ୟ ଦେବଦାସୀ ନୃତ୍ୟ (ମାହାରୀ) ଓ ଗୋଟିପୁଅମାନଙ୍କଦ୍ୱାରା ପରିବେଷିତ ହୋଇ ଆସୁଥିଲା ।
ଭାରତ ସ୍ୱାଧୀନ ହେବା ପରେ ଏହି ନୃତ୍ୟ ପରମ୍ପରାର ପୁନରୁଦ୍ଧାର କରାଯାଇ ଏହାକୁ ଓଡ଼ିଶୀ ନାମରେ ନାମିତ କରାଗଲା ଓ ପରେ ଏହା ଶାସ୍ତ୍ରୀୟ ନୃତ୍ୟର ମର୍ଯ୍ୟାଦା ଲାଭ କଲା । ଏଥିରେ କାଳୀଚରଣ ପଟ୍ଟନାୟକ, ପଙ୍କଜଚରଣ ଦାସ, ଦେବପ୍ରସାଦ ଦାସ, କେଳୁଚରଣ ମହାପାତ୍ର, ସଂଯୁକ୍ତା ପାଣିଗ୍ରାହୀ ଆଦି ନୃତ୍ୟଗୁରୁମାନଙ୍କ ଭୂମିକା ଅନ୍ୟତମ । ଓଡ଼ିଶୀ ନୃତ୍ୟର ଅଙ୍ଗଭଙ୍ଗୀ ଓ ଲାଳିତ୍ୟ ଏହାର ବୈଶିଷ୍ଟ୍ୟ । ଏହି ନୃତ୍ୟର ପାଞ୍ଚଗୋଟି ପର୍ଯ୍ୟାୟ ରହିଛି: ମଙ୍ଗଳାଚରଣ, ବଟୁ, ପଲ୍ଲବୀ, ଅଭିନୟ ଓ ମୋକ୍ଷ । ନୃତ୍ୟ ଆରମ୍ଭରେ ନର୍ତ୍ତକୀ ଜଗନ୍ନାଥଙ୍କୁ ପୁଷ୍ପାଞ୍ଜଳିଦ୍ୱାରା ପ୍ରଣାମ ନିବେଦନ କରନ୍ତି ଓ ଶେଷରେ ମୋକ୍ଷ ଲାଭ କାମନା କରି ପ୍ରଣତି ଜଣାନ୍ତି । ଏହି ନୃତ୍ୟରେ ପଖଉଜ, ବେହେଲା, ଗିନି, ଝାଞ୍ଜ, ବଂଶୀ ଇତ୍ୟାଦି ବାଦ୍ୟଯନ୍ତ୍ର ବ୍ୟବହାର କରାଯାଏ । ଓଡ଼ିଶୀ ନୃତ୍ୟ ଭଳି ଓଡ଼ିଶୀ ସଙ୍ଗୀତ ମଧ୍ୟ ଏକ ଶାସ୍ତ୍ରୀୟ ସଙ୍ଗୀତ । ଶ୍ରୀଜଗନ୍ନାଥ ଓ ରାଧା-କୃଷ୍ଣଙ୍କର ଉପରେ ଆଧାରିତ ପାରମ୍ପାରିକ ଭକ୍ତିସଙ୍ଗୀତ ଓଡ଼ିଶୀ ସଙ୍ଗୀତ ମାଧ୍ୟମରେ ଏକ ସ୍ୱତନ୍ତ୍ର ରାଗ, ତାଳ ଓ ଗାୟନଶୈଳୀ ମାଧ୍ୟମରେ ପରିବେଷିତ ହୁଏ । କ୍ରମଶଃ