” ମହାକାଳ ଫଳ, ଉପର ଦିଶଇ କେଡେ ସୁନ୍ଦର,ଭିତରଟା ତା’ର ପୋଡ଼ା ଅଙ୍ଗାର” ,ଏହି ବହୁ ପୁରାତନ ଓ ବହୁଳ ବ୍ୟବହୃତ ଢଗଟିକୁ ପିଲାଦିନେ ଆମେ ଅନେକ ପ୍ରସଙ୍ଗରେ ଅବତରଣ କରିଆସିଥିଲୁ ସେତିକିବେଳେ , ଯେତେବେଳେ କେତେକ ନିଜକୁ ଭିତରେ ଫମ୍ପା ଅର୍ଥାତ୍ ଅନ୍ତଃଶାରଶୂନ୍ୟ ଅନୁଭବ କରନ୍ତି , ଠିକ୍ “ମନ ଜାଣେ ପାପ,ମାଆ ଜଣେ ବାପ” ନ୍ୟାୟରେ ,ସେତେବେଳେ ସେହିମାନେ ହିଁ ବାହାରଟାକୁ ଚକଚକ୍ କରି ସଜାଇ ହୋଇ ଛଳନାର ଆଶ୍ରୟ ନେଉଥିବା ସମୟରେ । ଯେପରି ଷାଠିଏ/ ସତୁରୀ ଦଶକରେ ଦିଲ୍ଲୀପ କୁମାରଙ୍କ ଭଳି ଅଭିନେତା ମାନେ ଅଙ୍ଗର ଭାଷାରେ ଜୀବନ୍ତ ଅଭିନୟ କରି ପ୍ରସିଦ୍ଧି ଲାଭ କରିଥିଲେ । ଆଖିରେ ଆଖିରେ ଯେଉଁ ଭାବ ସୃଷ୍ଟି ହେଉଥିଲା , ଏବେ ଶରୀର ପ୍ରଦର୍ଶନରେ ସେହି ଭାବ ଆଉ ସୃଷ୍ଟି ହେଉନାହିଁ । ଯେଉଁମାନେ ନିଜର ଅନ୍ତଃସ୍ଥଶକ୍ତି ସମ୍ପର୍କରେ ସ୍ବାଭାବିକ ଭାବେ ସଚେତନ, ସେମାନେ ସେହି ଶକ୍ତିର ଅଭିବୃଦ୍ଧି ନିମନ୍ତେ ନିରନ୍ତର ପ୍ରୟାସରତ ଥାଆନ୍ତି ଏବଂ ସେଥିରେ ସେମାନେ ଶାଶ୍ବତ ଆନନ୍ଦ ମଧ୍ୟ ଉପଲବ୍ଧି କରନ୍ତି । ଏଭଳି ଉପସ୍ଥାପନଟି କାହିଁକି ବୋଲି ଆପଣଙ୍କ ଭିତରେ ପ୍ରଶ୍ନଟି ଉଙ୍କି ମାରୁଥିବ , ମାରିବା ମଧ୍ୟ ସ୍ବାଭାବିକ । ଆମେ ପ୍ରାୟ ଖୁବ ନିକଟସ୍ଥ ସ୍ଥାନକୁ ଯିବା ସମୟରେ ସାଇକେଲରେ ଯାଇଥାଉ , ଅନ୍ୟ ସ୍ଥାନକୁ ସ୍କୁଟିରେ ଯାଇଥାଉ ଏବଂ ଯେଉଁ ସମୟରେ ଇନ୍ଧନ ପାଇଁ ଅର୍ଥ ବାଧକ ସାଜେ,ସେତେବେଳେ ମଧ୍ୟ ସାଇକେଲରେ ଯାଇଥାଉ । ଆମେ ପଞ୍ଚମ ଶ୍ରେଣୀରେ ପଢ଼ିବା ସମୟରେ ସାଇକେଲ ଚଲାଇବା ଶିଖିଥିଲୁ , ଶଗଡଗୁଳାରେ ମାଙ୍କଡିଆ ( ମଙ୍କି) ଅଭ୍ୟାସ କରି , ଘରେ ଲୁଚିକରି । ନନା ( ପିତା) ୧୯୪୨ ମସିହାରେ ଗୋଟିଏ ବି. ଏସ. ଏ ( BSA, ଇଂରାଜୀ ମଡେଲ) ସାଇକେଲ ( ସେତେବେଳେ ଶୂନ ଗାଡି କୁହାଯାଉଥିଲା) କିଣିଥିଲେ । ଜେଜେ ମାଆ ରେବତୀ ଦେବୀଙ୍କ ଠାରୁ ଶୁଣିଥିଲୁ ଯେ ସେତେବେଳେ ଖଣ୍ଡମଣ୍ଡଳରୁ ଲୋକେ କୁଆଡେ ଏହି ଶୂନୁଗାଡି ଦେଖିବାକୁ ଆସିଥିଲେ । ସେ ଯାହାହେଉ ଉଦୁଉଦିଆ ଦ୍ୱିପ୍ରହରରେ ଲୁହା କଣ୍ଟାରେ ଚାବି ଖୋଲି ଶଗଡଗୁଳାରେ ମାଙ୍କଡିଆ ସାଇକେଲ ଚଲେଇ କେତେ ଯେ ଖଣ୍ଡିଆ ଖାବରା ହୋଇଛୁ ଓ ଅମରି ମାଡ ଖାଇ ପିଠିରେ କଳାଦାଗ ପଡ଼ିଥିଲା , ତା’ର ହିସାବ ନାହିଁ । ମହାବିଦ୍ୟାଳୟରେ ପାଦଦେବା ପରେ ବିଧିବଦ୍ଧ ଭାବେ ଆମେ ସେହି ସାଇକେଲର ମାଲିକାନା ସତ୍ତ୍ବ ପାଇଯାଇଥିଲୁ । ସାଇକେଲରେ ଓଡ଼ିଶା ବୁଲିଛୁ , ଏପରିକି ଅନେକ ଦିନ ସାଇକେଲରେ ଗାଁ ରୁ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ପଢିବାକୁ ଯାଇ ଅପରାହ୍ନ ୪ ଟାରେ ସେଠାରୁ ବାହାରି ରାତି ସାଢ଼େ ଆଠଟାରେ ଘରେ ପହଞ୍ଚି ପଖାଳ ଖାଇ ,ଜେଜେ ମାଆର ଗରମ ରସୁଣଫୁଟା ସୋରିଷ ତେଲ ଘଷାରେ ନିଘୋଡ଼ ନିଦରେ ଶୋଇ ଯାଇଛୁ । ଅତଏବ ସାଇକେଲ ଆମର ଅତ୍ୟନ୍ତ ପ୍ରିୟ ,ସେଥିପାଇଁ ତ ଆମେ ଯେତେବେଳେ ୧୯୮୪ ମସିହାରେ ପୁରୀ ସଂସଦୀୟ କ୍ଷେତ୍ର ( ପାର୍ଲିଆମେଣ୍ଟ କନସ୍ଟିଚ୍ୟୁଏନସି)ରେ ସ୍ବର୍ଗତ ବ୍ରଜ ମୋହନ ମହାନ୍ତି ଓ ସ୍ବର୍ଗତ ବାରିଷ୍ଟର ରଣଜୀତ ମହାନ୍ତି ଙ୍କ ସହିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲୁ ସେତେବେଳେ ଆମେ ନାମାଙ୍କନ ପତ୍ରରେ ତିନୋଟି ଚିହ୍ନ ଯଥା ସାଇକେଲ, ବହି ଓ ଧାନ କଳେଇ ମୁଣ୍ଡେଇ ଥିବା ଚାଷୀ ମଧ୍ୟରୁ ଗୋଟିଏ ସଙ୍କେତ ଦେବାପାଇଁ ଅନୁରୋଧ କରିଥିଲୁ , ଆମକୁ ମିଳିଥିଲା ସାଇକେଲ ଚିହ୍ନ । ଆମର ପିତୃବ୍ୟ, ଚିର ବନ୍ଦନୀୟ କକେଇ କୁସୁମ କବି ସ୍ବର୍ଗତ ଫକୀର ମୋହନ ଶତପଥୀ ଯେତେବେଳେ ବିଵାହ କଲେ ସେତେବେଳେ ତାଙ୍କ ଶ୍ବଶୁର ସ୍ବର୍ଗତ ଦିବାକର ରଥ ଗୋଟିଏ ହମ୍ବର ସାଇକେଲ, ଗୋଟିଏ ଆଙ୍ଗ୍ଲୋସୁଇଜ୍ ଘଣ୍ଟା ଓ ଗୋଟିଏ ମର୍ଫି ରେଡ଼ିଓ ଉପହାର ଅବା ଅନ୍ୟ ଅର୍ଥରେ ଯୌତୁକ ଦେଇଥିଲେ । କକେଇ ସେହି ସାଇକେଲରେ କଣାସ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ସେବା ନିବୃତ ହେବା ପର୍ଯ୍ୟନ୍ତ ପ୍ରାୟ ପ୍ରତିଦିନ ,କିବା ଝଡି,କିବା ବର୍ଷାରେ ୨୪ କିଲୋମିଟର ଯିବା ଆସିବା କରୁଥିଲେ , ଏପରିକି ତାଙ୍କର ୮୨ ବର୍ଷରେ ମୃତ୍ୟୁ ପର୍ଯ୍ୟନ୍ତ ସେହି ୫୬ ବର୍ଷୀୟ ସାଇକେଲରେ ଯିବା ଆସିବା କରୁଥିଲେ । ଆମ ପୁଅ ସଂଘର୍ଷ ତ ଅନେକ ଥର ଭୁବନେଶ୍ୱରରୁ ପୁରୀ ସାଇକେଲରେ ଯାଇ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଅବଢା ଧରି ଆସିଛି, ଏପରିକି ଅନେକ ଥର ସାଇକେଲରେ ଆମ ଗାଁ କୁ ୬୦ କିମି ଯାଇଛି । ଏପରିକି ଭୁବନେଶ୍ବର ରୁ ବୁର୍ଲା ମଧ୍ୟ ଯାଇଥିଲା ।ଏ ସବୁ ପ୍ରସଙ୍ଗ ଅବତାରଣାର କାରଣ କ’ଣ ବୋଲି ଆପଣମାନଙ୍କ ମନରେ ପ୍ରଶ୍ନ ଉଠିବଣି, ଉଠିବା ମଧ୍ୟ ସ୍ବାଭାବିକ । କଥା ହେଲା ଯେ ଆଜି ସକାଳେ ଆମ ଗାଁ ପାଖର ଜଣେ ଆମ ସହିତ ମାଧ୍ୟମିକ ବିଦ୍ୟାଳୟ ପଢୁଥିବା ସମୟର ସହପାଠୀ ସାଙ୍ଗର ପୁଅ ଚଞ୍ଛା ପଇଡ ୫ ଟି, କିଛି ବାଇଗଣ, ଜହ୍ନି ସହିତ ପରିବା ବ୍ୟାଗଟେ ଧରି ଘରେ ପହଞ୍ଚିଲା । ଆମେ ତାକୁ କହିଲୁ ଯେ ଏସବୁ କ’ଣ ପାଇଁ ଆଣିଲୁ ? ସେ କହିଲା ଆପଣଙ୍କ ପାଖକୁ ଆସିବାକୁ ବାପା କହିଲେ ତ ବୋଉ କହିଲା କ’ଣ ଖାଲି ହାତରେ ଯିବୁ,ଏତକ ତୋ ମଉସା ପାଇଁ ନେଇଯା। ବନ୍ଧୁଙ୍କ ହାତ ଲେଖା ଚିଠିଟି ସେ ଆମ ହାତକୁ ବଢାଇ ଦେଲା । ସେଥିରେ ଲେଖାଥିଲା ” ନେହେରୁ ଜାଣିବୁ , ପୁଅ ଯାଉଛି , ତା ହାତରେ ଟଙ୍କା ପାଞ୍ଚ ହଜାର ପଠାଇବୁ , ତିନି ମାସ ପରେ ତୋତେ ଫେରାଇ ଦେବି । ପିଲା ଦିନର ଘନିଷ୍ଠ ସାଙ୍ଗ , ତା ଝିଅ ବାହାଘରକୁ ଆମେ ତିନି ଜଣ ସାଙ୍ଗ ଦଶ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଥିଲୁ । ସେ ଯେ ଆଉ ଫେରାଇବ ନାହିଁ , ଏଥିରେ ଆମେ ଦୃଢ ନିଶ୍ଚିତ ଥିଲୁ । ଅପରପକ୍ଷରେ ଆମର ଏକ ଅଭ୍ୟାସଗତ ଦୋଷ ଅଛି , ଯେତେ ଚେଷ୍ଟା ଓ ବାରମ୍ବାର ଶପଥଗ୍ରହଣ କଲେ ମଧ୍ୟ ସେହି ଦୋଷରୁ ଆମେ ମୁକ୍ତ ହୋଇପାରିନାହୁଁ । ସେହି ଦୋଷଟି ହେଲା ଆମେ କାହାକୁ ନା କହିପାରିନାହୁଁ , ଯେଉଁଥିପାଇଁ ଆମେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛୁ, ପତ୍ନୀଙ୍କ ସମାଲୋଚନାର ଭାଷାରେ ଲଜ୍ଜିତ ବି ବହୁବାର ହୋଇଛୁ ସତ୍ୟ ମାତ୍ର , ଠିକ୍ ସମୟରେ ପୂର୍ବରୁ କରିଥିବା ଶପଥ ଭୁଲି ପୁନର୍ବାର ସେହି ଭୁଲ୍ କରିଆସିଛୁ । ପତ୍ନୀ ସାମାନ୍ୟ ଅସୁସ୍ଥ ଥିବାରୁ ସେ ଔଷଧ ଖାଇ ଶୋଇଥିବା ସମୟରେ ଆମେ ଧିରକିନା ତାଙ୍କର ଆଲମିରା ଖୋଲି ୧୦ ଟି ପାଞ୍ଚଶହ ଟଙ୍କିଆ ନୋଟ୍ ଆଣି ତାକୁ ଧରେଇ ଦେଲୁ । ଟଙ୍କା ପକେଟରେ ରଖି ସାରି ସେ କହିଲା ” ମଉସା ଆପଣଙ୍କ ଗାଡ଼ି ଟିକେ ଦିଅନ୍ତୁ, ମୁଁ ବାପୁଜୀ ନଗରରୁ ଗୋଟିଏ ସାଇକେଲ ପାର୍ଟ କିଣି ଆସିବି, ଏଇଠୁ ବସରେ ବସି ଗାଁ କୁ ଫେରିଯିବି । ଆମେ ତାକୁ କହିଲୁ ଆରେ ବାପା ତୁ ସାଇକେଲ ଚାବି ନେଇ ଯାଆ, ଯେତେବେଳେ ଆସିଲେ ଚଳିବ , ମୋତେ ହଠାତ୍ କୁଆଡେ ଯିବାକୁ ପଡିଲେ ଯାଇ ପାରୁନଥିବି, ମାଉସୀ ଦେହ ଖରାପ , ତୁ ସାଇକେଲ ନେଇ ଯାଆ । ସେ କହିଲା ମଉସା , ମୁଁ ସାଙ୍ଗେ ସାଙ୍ଗେ ଯିବି,ସାଙ୍ଗେ ସାଙ୍ଗେ ଫେରି ଆସିବି , ଆପଣ ମଟର ସାଇକେଲ ଚାବି ଟିକେ ଦିଅନ୍ତୁ । ସେହି ରୋଗ ପୁଣି ଦେଖାଦେଲା, ତାକୁ ଆଉ ମନା କରିପାରିଲୁ ନାହିଁ , ଚାବି ଦେଇ ଦେଲୁ । ସେ ଯିବା ପରେ ଆମେ ଆମର କୁଅଭ୍ୟାସର ସାଥୀ ପାନ ଭାଙ୍ଗୁଥିବା ସମୟରେ ଅନେକ କଥା ମନକୁ ଆସିଲା ।ସାତ ଆଠ ବର୍ଷ ତଳେ ବୋଧେ ‘ ଟାଇମ୍ସ ଅଫ ଇଣ୍ଡିଆ ‘ଦୈନିକ ଖବରକାଗଜରେ ପ୍ରକାଶିତ ଏକ ସମ୍ବାଦର ସମୀକ୍ଷା କରି ସୁବାର୍ତ୍ତାରେ ଏକ ଆଲେଖ୍ୟ ପ୍ରକାଶ କରିଥିଲୁ । କିଭଳି କାଲିଫର୍ଣ୍ଣିଆସ୍ଥିତ ସିଲିକନ ଭ୍ୟାଲି ଅଞ୍ଚଳରେ , ଯେଉଁଠି ବହୁ ଖ୍ୟାତିସମ୍ପନ୍ନ କମ୍ପ୍ୟୁଟର ଓ ଇଲୋକର୍ଟ୍ରୋନିକସ୍ ଶିଳ୍ପ ପ୍ରତିଷ୍ଠାନ ରହିଛି , ଯେଉଁଥିରେ ଅନେକ ଉଚ୍ଚ ବୈଷୟିକ ଜ୍ଞାନ ବିଜ୍ଞାନ ବିଶେଷଜ୍ଞ ଉଚ୍ଚ ବେତନରେ କାର୍ଯ୍ୟରତ , ସମସ୍ତେ କାର୍ଯ୍ୟାଳୟକୁ ସାଇକେଲରେ ଯିବା ଆସିବା କରିଥାନ୍ତି । ଭାରତରେ ଜନ୍ମିତ ଓ ଆମେରିକାର ନାଗରିକତ୍ବ ଗ୍ରହଣ କରିଥିବା କେମ୍ବ୍ରିଜ ବିଶ୍ବବିଦ୍ୟାଳୟ ପ୍ରଫେସର ସି ଭେଙ୍କଟ ରମଣ ରାମକୃଷ୍ଣନ ୨୦୦୯ ମସିହାରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ବିଜେତା ହେବା ସମୟରେ ଗଣମାଧ୍ୟମରେ ବ୍ୟାପକ ଭାବେ ହୋଇଥିବା ଚର୍ଚ୍ଚା ଏବେବି ମନେ ପଡେ । ତାଙ୍କର ଖଣ୍ଡିଏ କାର ନଥିଲା , ପ୍ରତିଦିନ ସେ ବାସଭବନରୁ ବିଶ୍ବବିଦ୍ୟାଳୟର ଶ୍ରେଣୀ ପ୍ରକୋଷ୍ଠକୁ ଯିବା ଆସିବା ପାଇଁ ସାଇକେଲ ବ୍ୟବହାର କରୁଥିଲେ । ଅର୍ଥଶାସ୍ତ୍ର ବିଶାରଦ ତଥା ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍ ଙ୍କୁ ଶାନ୍ତି ନିକେତନରେ ସାଇକେଲରେ ଯିବା ଆସିବା କରୁଥିବା ସମସ୍ତେ ଲକ୍ଷ୍ୟ କରିଥିବେ । ଏବେବି ଅନେକ ରାଷ୍ଟ୍ର ନେତା, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ମାନେ ସାଇକେଲରେ କାର୍ଯ୍ୟାଳୟ କୁ ଯିବା ଆସିବା କରୁଥିବା ସ୍ଥିର ଚିତ୍ର (ଫଟୋଚିତ୍ର) ଆମେ ଗଣମାଧ୍ୟମ ସୌଜନ୍ୟରୁ ଦେଖି ଥାଏ । ଆମେ ପାଠପଢୁଥିବା ସମୟରେ ଆମକୁ ଗଣିତ ସମ୍ମାନ ( ଅନର୍ସ) ପଢ଼ାଉଥିବା ଗଣିତ ଶାସ୍ତ୍ର ବିଶେଷଜ୍ଞ ଡଃ ଶୁକଦେବ ରଥ, ବିଭାଗୀୟ ମୁଖ୍ୟ ଦେବକୀ ନନ୍ଦନ ମହାନ୍ତିଙ୍କ ସମେତ ରସାୟନ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡଃ ଫଣିଭୂଷଣ ଦାସ ପ୍ରଭୃତି ଅନେକ ପ୍ରାଧ୍ୟାପକ ମାନେ ସାଇକେଲରେ ଯିବା ଆସିବା କରୁଥିଲେ । ଏକଦା ତୈଳଦର ବୃଦ୍ଧି ପ୍ରତିବାଦରେ ବିଜୁ ଆଜ୍ଞା ମୁଖ୍ୟମନ୍ତ୍ରୀ ଥିବା ସମୟରେ ସାଇକେଲରେ ସେତେବେଳେ ର ସଚିବାଳୟ ,ଆଜିର ଲୋକ ସେବା ଭବନକୁ ଆସୁଥିବା ସ୍ଥିର ଚିତ୍ର (ଫଟୋଚିତ୍ର) ବହୁ ଚର୍ଚ୍ଚିତ ଥିଲା । ସେହି ବିଜୁ ଆଜ୍ଞା ଯେତେବେଳେ ମହାବିଦ୍ୟାଳୟ ଛାତ୍ର ଥିଲେ, ମାତ୍ର ୧୬ ବର୍ଷ ବୟସରେ ଦୁଇ ଜଣ ସହପାଠୀ ସାଙ୍ଗଙ୍କ ସାଙ୍ଗରେ ସାଇକେଲରେ କଟକରୁ ପେଶଓ୍ବାର ( ପାକିସ୍ତାନ) ପର୍ଯ୍ୟନ୍ତ ସୁଦୀର୍ଘ ବିପଦ ସଙ୍କୁଳ ପଥକୁ ସାହାସ୍ ର ସହିତ ଅତିକ୍ରମ କରିଥିଲେ । ସୁତରାଂ ସାଇକେଲ ଚଢିଲେ କୌଣସି ବ୍ୟକ୍ତି ନୀଚ୍ଚ ହୋଇଯାଏ ନାହିଁ କି ପ୍ରେଷ୍ଟିଜ ଲିକ୍ ହୋଇଯାଏ ନାହିଁ । ଠିକ୍ ସେହିପରି ମୂଲ୍ୟବାନ ଯାନ ଚଢିଲେ କୌଣସି ବ୍ୟକ୍ତି ଉଚ୍ଚ ହୋଇଯାଇନଥାଏ । ବ୍ୟକ୍ତିର ପ୍ରତିଭା ତା’ର ବ୍ୟକ୍ତିତ୍ବର ପରିମାପକ , ବଡ କୋଠା, ଦାମିକା ଗାଡ଼ି ବାହାର ଆକର୍ଷଣୀୟ ଯାନ୍ ନୁହେଁ କି ସାଇକେଲ ବ୍ୟକ୍ତିତ୍ବର ନ୍ୟୁନ ପ୍ରଦର୍ଶନର ପଣ୍ୟ ନୁହେଁ । ଆମେ ବିଗତ ସାତ ବର୍ଷ ଧରି ଜୁନ ମାସ ୩ ତାରିଖରେ ଜାତୀୟ ସାଇକେଲ ଦିବସ ପାଳନ ଅବସରରେ ସାଇକେଲର ଇତିହାସ ଉପରେ ଆଲୋକପାତ କରି ଆସୁଛୁ । ଅବିକଳ ଭାବେ ପୁନଃ ଉପସ୍ଥାପନ କରୁଛୁ ।
ପ୍ରଥମେ ଯେତେବେଳେ ସାଇକେଲଟି ନିର୍ମିତ ହେଲା ତାହା ଦେଖିବାକୁ ଆମ ପିଲାଦିନରେ ବିଦ୍ୟାଳୟକୁ ନେଇ ଯାଉଥିବା କଳାପଟା ବା ଏକ ସ୍କେଟବୋର୍ଡ଼ ପରି ଦେଖାଯାଉଥିଲା । ୧୭୯୧ରେ ଫ୍ରାନ୍ସର ନାଗରିକ କୋମେଟ ମେଡେ ଡି ସିଭରାକ୍ ନିର୍ମାଣ କରିଥିଲେ ଏକ ଭିନ୍ନ ଧରଣର ସାଇକେଲ, ଏହାର ସିଟ୍ ବହୁତ ଉଚ୍ଚରେ ରହୁଥିଲା । ଏଥିରେ ପେଡ଼ାଲ ନଥିଲା; ଏହାକୁ ଲୋକମାନେ ନିଜଗୋଡରେ ଠେଲିଠେଲି ଚଳାଉଥିଲେ । ପ୍ରାୟ ୧୮୧୭ ମସିହା ବେଳକୁ ଜର୍ମାନୀର ବେରୋନ କାର୍ଲବାନ୍ ଡ୍ରେସ୍ ହ୍ୟାଣ୍ଡେଲ ରହିଥିବା ଏକ ସାଇକେଲ ନିର୍ମାଣ କରିଥିଲେ । ଏହାର ନାମ ଥିଲା “ଡ୍ରେସିନେ” । ଦୁଇଟି ସମାନ ଆକାରର କାଠ ଚକା, ବସିବା ପାଇଁ ଏକ ସିଟ ସହିତ ହ୍ୟାଣ୍ଡେଲ ରହିଥିଲା । ଗୋଡ଼ରେ ଠେଲି ଠେଲି ଚଳାଯାଉଥିବା ଏହି ସାଇକେଲଟି ସମ୍ପୁର୍ଣ୍ଣ ଭାବେ କାଠରେ ତିଆରି ହୋଇଥିବାରୁ ଲୋକମାନେ ‘କାଠଘୋଡା’ ବୋଲି କହୁଥିଲେ । ୧୮୧୮ରେ ପ୍ୟାରିସରେ ଆୟୋଜିତ ଏକ ପ୍ରଦର୍ଶନୀରେ ଲୋକମାନେ ଏହି ଅଦ୍ଭୁତ ସାଇକେଲକୁ ପ୍ରଥମ ଥର ଲାଗି ଦେଖିଥିଲେ, କିନ୍ତୁ ଏହା ଲୋକପ୍ରିୟତା ଅର୍ଜନ କରିପାରି ନଥିଲା । ୧୮୩୯ରେ ସାଇକେଲ ନିର୍ମାଣରେ ବହୁତ ପରିବର୍ତ୍ତନ ଆସିଥିଲା, କାରଣ ସ୍କଟଲାଣ୍ଡର ଜଣେ ଲୁହାର ସାଇକେଲର ଆଗ ଚକାରେ ଏକ ପେଡାଲ ଲଗାଇଥିଲେ । କ୍ରିକପ୍ୟାଟ୍ରିକ ମ୍ୟାକମିଲାନ ସାଇକେଲର ଆଗ ଚକାରେ ଏକ ପେଡାଲ ଲଗାଇ ପାହାଡ଼ ଚଢିପାରୁଥିଲେ । ଏହା ସେତେବେଳେ ପରିବହନ କ୍ଷେତ୍ରରେ ବ୍ୟବହୃତ କରାଯାଉଥିଲା । କିନ୍ତୁ ଏଥିରେ ବ୍ରେକ୍ ନଥିବାରୁ ଗଡାଣିଆ ସ୍ଥାନରେ ରୋକିବା ଅତ୍ୟନ୍ତ କଷ୍ଟକର ହେଉଥିଲା । ଏହି ସାଇକେଲକୁ ‘ଫାଷ୍ଟ ଫୁଟ’ ବୋଲି କୁହାଯାଉଥିଲା । ୧୮୪୫ରେ ଫ୍ରାନ୍ସର ନିକୋଲସ ସାଇକେଲର ବ୍ରେକ ଲଗାଇବା ସହ ଚକାଗୁଡିକୁ ଲୁହାରେ ନିର୍ମାଣ କରିଥିଲେ । ଏହି ସାଇକେଲ ଟି ଚାଲିବା ବେଳେ ମାତ୍ରାଧିକ ଶବ୍ଦ କରୁଥିଲା, ତେଣୁ ଲୋକ ମାନେ ଏହାକୁ ‘ବୋନ ସେକର’ ବୋଲି କହୁଥିଲେ । ଏହାପରେ ୧୮୬୫ରେ ପରବର୍ତ୍ତୀ ବିକଶିତ ସାଇକେଲ ନିର୍ମିତ ହୋଇଥିଲା । ଏଥିରେ ସାଇକେଲର ଆଗ ଚକରେ ସିଧାସଳଖ ଭାବେ ପେଡାଲ ଲଗାଯାଇଥିଲା । ୧୮୭୦ ମସିହାରେ ପ୍ରଥମ ମେଟାଲ ସାଇକେଲ ଆବିଷ୍କୃତ ହୋଇଥିଲା । ଏଥିରେ ମଧ୍ୟ ପେଡାଲ ଆଗ ଚକରେ ଲାଗିଥିଲା । କିନ୍ତୁ ଏଥିରେ ବଡ଼ ଧରଣର କେତେକ ପରିବର୍ତ୍ତନ କରାଯାଇଥିଲା । ସାଇକେଲର ଆଗ ଚକଟି ପଛ ଚକ ଅପେକ୍ଷା ଅଧିକ ବଡ଼ ଥିଲା, କିନ୍ତୁ ଏହା ମନକୁ ମନ ବୁଲି ପାରୁନଥିଲା । ନିର୍ମାତାମାନଙ୍କର ଚିନ୍ତାଧାରା ଏହା ଥିଲା ଯେ, ସାଇକେଲର ଆଗ ଚକ ବଡ଼ ରହିଲେ ଅଳ୍ପ ପରିଶ୍ରମରେ ଅଧିକ ଦୂର ଯାତ୍ରା କରିହେବ । ଚକାଗୁଡିକରେ ରବର ଓ ବୃତ୍ତାକାର ତାର ସଂଯୁକ୍ତ ଚକ ବା ସ୍ପୋକ ବ୍ୟବହାର କରାଯାଇଥିଲା , ଯାହା ଫଳରେ ଏହା ପୂର୍ବପରି ଅଧିକ ଶବ୍ଦ କରୁନଥିଲା । ବିଭିନ୍ନ ନିର୍ମାତାମାନେ ସାଇକେଲକୁ ବିକଶିତ କରିବାକୁ ଯାଇ ଏହାର ଆଗ ଚକାକୁ ପ୍ରାୟ ୧.୫ମିଟର ପର୍ଯ୍ୟନ୍ତ ଉଚ୍ଚ କରିଥିଲେ । ୧୮୬୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଏହାର ଭିନ୍ନ ଭିନ୍ନ ନାମ ରହିଥିଲା । ଏହାପରେ ଲୋକମାନେ ଏହି ଗାଡିକୁ ବାଇସାଇକେଲ(ଦୁଇ ଚକିଆ ଯାନ) କହିବା ଆରମ୍ଭ କଲେ । ୧୮୬୯ରେ ପେନ୍ନୀ-ଫାରଥିଙ୍ଗ ବା ଉଚ୍ଚ ଚକା ଯାନ ନିର୍ମିତ ହୋଇଥିଲା । ବଡ଼ ଚକା ଫଳରେ ଏହା ଅଳ୍ପ ପରିଶ୍ରମରେ ଅଧିକ ବାଟ ଯାଉଥିଲା, କିନ୍ତୁ ଏଥିରେ ଅତ୍ୟଧିକ ଦୁର୍ଘଟଣା ମଧ୍ୟ ଘଟୁଥିଲା । ଏହାର କାରଣ ଥିଲା ଚାଳକ ଜଣକ ଭୂମିଠାରୁ ଅଧିକ ଉଚ୍ଚରେ ବସୁଥିଲା । ଆଗ ଚକର ଉଚ୍ଚତା ୧.୫ମିଟର ହୋଇଥିବା କାରଣରୁ ଯଦି ଆଗଚକା ହଠାତ୍ ବନ୍ଦ ହୋଇଗଲା ତେବେ ଚାଳକଙ୍କ ଗୋଡ ତଳକୁ ନ ପାଇବା କାରଣରୁ ଅଧିକାଂଶ ସମୟରେ ସେ ଆଗକୁ ପଡ଼ିଯାଉଥିଲେ । ୧୮୮୦ ମସିହାର ମଧ୍ୟ ଭାଗରେ ବ୍ରିଟିଶ୍ ସାଇକେଲ ନିର୍ମାତା ଜେମ୍ସ ଷ୍ଟେରଲୀ ଏକ ସାଇକେଲ ବିକଶିତ କରିଥିଲେ, ଯାହାର ନାମ ସେ ଦେଇଥିଲେ ‘ସୁରକ୍ଷିତ ବାଇ ସାଇକେଲ’ । ଅତ୍ୟାଧୁନିକ ସାଇକେଲ ପରି ଏହାର ଆଗ ଓ ପଛ ଚକା ସମାନ ଆକାରର ହୋଇଥିବା ବେଳେ ଦୁଇଚକର ମଝିରେ ରହିଥିଲା ପେଡାଲ ଏବଂ ନୂତନ କରି ବାହାରିଥିବା ଚେନ ଓ ସ୍ପକେଟ ଏହାର ପଛଚକାକୁ ଟାଣୁଥିଲା । ଏହି ସାଇକେଲଟି ଅନ୍ୟ ସାଇକେଲ ତୁଳନାରେ ଖୁବ୍ ହାଲକା ଥିଲା ଏବଂ ଜଣେ ଲୋକ ଏହାକୁ ଆରାମରେ ଅଳ୍ପ ବଳ ବା ଶକ୍ତି ଖଟାଇ ଚଳାଇ ପାରୁଥିଲେ । ସେ ପର୍ଯ୍ୟନ୍ତ ସାଇକେଲର ଚକାରେ କେବଳ ରବର ଲଗାଯାଉଥିଲା । ଏହା ବ୍ୟତୀତ ସାଇକେଲଟି ଅଧିକ ଲମ୍ବା ନ ଥିବା ଓ ସ୍ପୋକ ବିହୀନ ହୋଇଥିବା କାରଣରୁ ଫାରଥିଙ୍ଗ ସାଇକେଲ ତୁଳନାରେ ଏହାକୁ ଚଳାଇବା ଅଧିକ କଷ୍ଟକର ଥିଲା । ଜଣେ ଇରିସ ନାଗରିକ ଡୁନଲୋପ ପ୍ରଥମେ ବାୟୁଚାଳିତ ଟାୟାର ଏହି ସାଇକେଲରେ ଲଗାଇଥିଲେ । ସେ ନିଜ ପୁତ୍ରକୁ ଏକ ଆରାମଦାୟକ ସାଇକେଲ ପ୍ରଦାନ କରିବାକୁ ଯାଇ ଏପରି କରିଥିଲେ । ଏହା ପରେ ପଛ ଚକାକୁ ଏପଟ ସେପଟ ବୁଲିବା ପରି ବିକଶିତ କରାଯିବା ପରେ ଚାଳକମାନେ ବିପଦମୁକ୍ତ ସାଇକେଲ ଚାଳନା କରିବାର ଅନୁଭବ ହାସଲ କରିଥିଲେ । ୧୮୯୦ମସିହାର ପରବର୍ତ୍ତୀ ସମୟରେ ବ୍ରେକ, ଗିୟର, ହାତରେ ନିୟନ୍ତ୍ରଣ କରିବା ଲାଗି ବ୍ରେକ କେବୁଲ ଆଦି ନିର୍ମିତ ହୋଇଥିଲା । ସାଇକେଲରେ ଏତେ ସବୁ ପରିବର୍ତ୍ତନ ହୋଇ ବି ଲୋକମାନଙ୍କ ନିକଟରେ ଏହା ବିଶେଷ ଆଦୃତ ହୋଇପାରିନଥିଲା । ସାଇକେଲ ସମାଜରେ ଦ୍ରୁତ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଥିଲା । ମହିଳାମାନେ ଆତ୍ମନିର୍ଭରଶୀଳ ଓ ଗତିଶୀଳ ହୋଇଥିବା ବେଳେ ଗରିବ ଲୋକମାନେ ଦୂରସ୍ଥାନକୁ କାର୍ଯ୍ୟ ଅନ୍ୱେଷଣରେ ଯାତ୍ରା କରୁଥିଲେ । ସମୟ ଗଡିବା ସହିତ ବିଭିନ୍ନ ସ୍ଥାନରେ ସାଇକେଲ କ୍ଳବ, ସାଇକେଲ ରେସିଂ ଓ ଟୁରିଂର ଆୟୋଜନ ହୋଇଥିଲା, ଯାହା ସାଇକେଲକୁ ଅଧିକ ଲୋକପ୍ରିୟ କରିଥିଲା । ସମୟ ସହ ତାଳ ଦେଇ ସାଇକେଲରେ ଅନେକ ପରିବର୍ତ୍ତନ ଆସିଛି । ରେସିଂ ସାଇକେଲର ସ୍ପିଡ୍ କୌଣସି ଇନ୍ଧନ ଚାଳିତ ଗାଡିଠାରୁ କମ୍ ନୁହେଁ । ଭାରତରେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ସାଇକେଲର ବ୍ୟବହାର ଅଧିକ ବୃଦ୍ଧି ପାଇଥିଲା । ପରିବହନ କ୍ଷେତ୍ରରେ ସାଇକେଲ ହିଁ ଥିଲା ଏକମାତ୍ର ବାହନ ।
ମୋତେ ଯେତେ ମାଠିଵୁ ମାଠ……
