ଏହା କେଉଁ ଗଣିତ ପାଠ ? ଅଙ୍କ ଗଣନାରେ ତ୍ରୁଟି

ଏହା କେଉଁ ଗଣିତ ପାଠ ? ଅଙ୍କ ଗଣନାରେ ତ୍ରୁଟି

ଭାରତର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଭିନ୍ନ ଗଣମାଧ୍ୟମ ଗତକାଲି ଲେଖିଲେ ଶାସ୍ତ୍ରୀଙ୍କ ୧୨୧ ତମ ଓ ମହାତ୍ମାଗାନ୍ଧୀଙ୍କ ୧୫୬ ତମ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି । ଏହା କେଉଁ ଗଣିତ ପାଠ ?

ଲାଲ ବାହାଦୂର ଶ୍ରୀବାସ୍ତବ (ଶାସ୍ତ୍ରୀ) ଙ୍କ ଜନ୍ମ ଅକ୍ଟୋବର ୨, ୧୯୦୪ । ସେହିପରି ମହାତ୍ମାଗାନ୍ଧୀଙ୍କ ଜନ୍ମ ମଧ୍ୟ ଅକ୍ଟୋବର ୨ ତାରିଖରେ ଏବଂ ମସିହା ହେଉଛି ୧୮୬୯ ।

୧୯୦୪ ମସିହାରେ ଜନ୍ମଲାଭ କରିଥିବା ଶାସ୍ତ୍ରୀ ବଞ୍ଚିଥିଲେ ତାଙ୍କୁ ୨୦୨୫, ଅକ୍ଟୋବର ୧ ତାରିଖ , ରାତି ୧୨ ଟା ପରେ ହୋଇଥାନ୍ତା କି ନାହିଁ ୧୨୬ ? ଅତଏବ ୧୨୬ ତମ ଜୟନ୍ତୀ । ହଁ, ହୋଇପାରିବ ୧୨୫ ତମ ପୂର୍ତ୍ତି ଜନ୍ମ ବାର୍ଷିକୀ । ଜନ୍ମ ରେ ଗୋଟିଏ ସଂଖ୍ୟା ମିଶାଣ, ମୃତ୍ୟୁରେ ଫେଡାଣ, ଏହାହିଁ ଗଣିତ । ଏହି ଆଧାରରେ ମହାତ୍ମାଗାନ୍ଧୀଙ୍କ ୧୫୭ ତମ ଜନ୍ମତିଥି ହେବା କଥା ।

ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ୨୦୧୭ ରେ ପାଳନ ସମୟରେ ଆମେ ପ୍ରଶ୍ନ କରିଥିଲୁ ଯେ ମାର୍ଚ୍ଚ ୫, ୧୯୧୬ ରେ ଜନ୍ମ ଗ୍ରହଣ କରିଥିବା ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଶତବାର୍ଷିକୀ ମାର୍ଚ୍ଚ ୫ ,୨୦୧୫ ରୁ ୨୦୧୬, ମାର୍ଚ୍ଚ ୪ ତାରିଖ ମଧ୍ୟରେ ପାଳନ କରାଯିବା କଥା । ସେତେବେଳେ କୁହାଗଲା , ଘୋଷଣା ତ ହୋଇସାରିଛି, ମଲା ଘୋଡ଼ା ର ଟାଙ୍କ ଗଣା କାହିଁକି ? ତର୍ଜମା ନ କରି ସିଧା ଫେଡି ଦେଇ ତଳିଆ କର୍ମଚାରୀ ଯାହା ନଥି ଦାଖଲ କରନ୍ତି, ତାହାକୁ ଗ୍ରହଣ କରି ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେବା ଅର୍ଥ ,ଭୁଲ ଉପରେ ଠିକ୍ ର ମୋହର ମାରିବା । ଶାସ୍ତ୍ର କୁହେ ସମାଜର ବଡ଼ବଡ଼ିଆ ମାନେ ଯାହା କରନ୍ତି, ତାହା ଲୋକେ କରିଥାନ୍ତି । ଠିକ୍ ଭାବେ ଶ୍ଲୋକ ଟି ମନେ ପଡୁନି , ବୋଧେ ଏୟା ଯେ ” ଯଦା ଯଦାଚରତି ଶ୍ରେଷ୍ଠଃ , ତଦାନୁଲୋକାନୁବର୍ତ୍ତତେ ” ।

ଏହି ନ୍ୟାୟ ରେ ଅନେକ ଜୟନ୍ତୀ ସଭାରେ ପ୍ରଦର୍ଶିତ ସୂଚନା ଲେଖନ ବା ବ୍ୟାନର ରେ ଭୁଲ୍ ଲେଖା ପ୍ରକାଶ ପାଇ ଆସୁଛି । ଅଧୁନା ସାମାଜିକ ବ୍ୟବସ୍ଥାରେ ଚଟପଟିଆ ସଂସ୍କୃତି ଗଭୀର ଭାବେ ପ୍ରଭାବ ବିସ୍ତାର କରି ଚାଲିଛି, ଯାହା କୁ ଇଂରାଜୀରେ କୁହାଯାଏ ଫାଷ୍ଟ ଫୁଡ୍ କଲଚର । ଗାଇ ପାଳ,ଘାସ,କୁଣ୍ଡା କୋଳଥ ଦିଅ, ଗୁହାଳ ସଫା କର, ଖିର ଦୁଅଁ , ଏତେ କଷ୍ଟ କାହିଁକି, ଓମଫେଡ ଅଛି । ସେହିପରି ସଂସ୍କୃତି ର ଇଂରାଜୀ ଅର୍ଥ କଲଚର ନୁହେଁ କି ବାର୍ଷିକ ଆୟ ବ୍ୟୟ ସାମ୍ଭାବ୍ୟ ଅଟକଳ ଅର୍ଥ ବଜେଟ ନୁହେଁ , ଏହିପରି ଅନେକ କୁନ୍ଥାଣ ଅନୁବାଦ ସମ୍ପର୍କରେ ଅନେକ ଆଲେଖ୍ୟ ଆଲୋଚନା କରି ଆସୁଥିଲେ ମଧ୍ୟ ତାହାର ସାମାନ୍ୟତମ ପ୍ରଭାବ ପଡିନାହିଁ , ଏହା ସତ୍ୟ ମାତ୍ର, ଆଗାମୀ ଦିନରେ ନିଶ୍ଚିତ ପଡିବ ।

୧୯୮୦ ମସିହାରେ ଆମେ ” ବନ୍ଦେ ଉତ୍କଳ ଜନନୀ” ସମ୍ବୋଧନ କରିଆସୁଥିବା ସମୟରେ ବହୁ ଥଟ୍ଟା ମଜା ର ସମ୍ମୁଖିନ ହୋଇଚୁ,ହୋଇଛୁ ମଧ୍ୟ ଲଜ୍ଜିତ । ୩୮ ବର୍ଷ ପରେ ତାହା ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି । ସତ୍ୟ କୁ ଦିନେ ନା ଦିନେ ସମସ୍ତେ ଗ୍ରହଣ କରିବେ । ଭାରତ ଗୌରବ ମଧୁସୂଦନ ସ୍ବତନ୍ତ୍ର ଓଡିଶା ଦେଖି ନ ପାରିବା ଭଳି , ହୁଏତ ଆମ ଜୀବଦ୍ଦଶାରେ ହୋଇ ନପାରେ । ଶୁଭ ସକାଳରେ ମାର୍ମିକ ବେଦନା ବନ୍ଧୁ ମାନଙ୍କ ମଧ୍ୟରେ ବଣ୍ଟନ କରି ଆମେ ଟିକିଏ ହାଲୁକା ଅନୁଭବ କରୁଥିବା ବେଳେ ସକଳ ବନ୍ଧବର୍ଗଙ୍କ ସପରିବାର ବର୍ଗଙ୍କ ସକଳ ସୁମନାସ ପ୍ରାର୍ଥନାନ୍ତେ ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।

Posted in ରାଜ୍ୟ, Featured.