କାଳଜୟୀ ସ୍ରଷ୍ଟା ଭକ୍ତଚରଣ

କାଳଜୟୀ ସ୍ରଷ୍ଟା ଭକ୍ତଚରଣ

ଯାହାଙ୍କର କବିତାର ସାରଲ୍ୟସୁଶୋଭିତ ସୁଷମାରେ ବିମଣ୍ଡିତ, ସେହି ମହାନ ସାରସ୍ବତ ସାଧକ ଭକ୍ତ ଚରଣ ଦାସ (୧୭୨୯-୧୮୧୩) , ଯିଏ ଅଷ୍ଟାଦଶ ଶତକର ଅନ୍ୟତମ ଶ୍ରେଷ୍ଠ କବି , ତାଙ୍କର ଆଜି ସ୍ମୃତି ଚାରଣ ଦିବସ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ । ଏହି କାଳଜୟୀ କବି ଙ୍କର ପ୍ରକୃତ ନାମ ବୈରାଗୀ ଚରଣ ପଟ୍ଟନାୟକ । ବୈଷ୍ଣବ ଧର୍ମରେ ଦୀକ୍ଷା ଗ୍ରହଣ କରି ସେ ନିଜକୁ ଭକ୍ତଚରଣ ଦାସ ନାମରେ ନାମିତ କରିଥିଲେ ।ଗୋପ ମଙ୍ଗଳ, ମଥୁରା ମଙ୍ଗଳ, କଳାକଳେବର ଚଉତିଶା ଓ ମନବୋଧ ଚଉତିଶା ତାଙ୍କର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ ।ସେ ଜଣେ ଭକ୍ତଭାବାପନ୍ନ କବି ଥିଲେ ଓ ସେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ରାଜସୁନାଖଳା ନିକଟବର୍ତ୍ତୀ ସାନପଦର ଗ୍ରାମରେ ଗୋଟିଏ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଭକ୍ତଚରଣ ଦାସ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ସାହିତ୍ୟର ଜଣେ ବିଶିଷ୍ଟ କାବ୍ୟକାର । ବାଲ୍ୟକାଳରୁ ଈଶ୍ୱରାନୁରକ୍ତ ଏହି କବି ଗାର୍ହ୍ୟସ୍ଥ ଜୀବନ ପରେ ସନ୍ନ୍ୟାସ ଗ୍ରହଣ କରି ପରିଚିତ ହେଲେ ଭକ୍ତ ଚରଣ ଦାସ ନାମରେ । ସେ ଥିଲେ ମାଧ୍ଵାଚାର୍ଯ୍ୟ ସମ୍ପ୍ରଦାୟପନ୍ଥୀ ବୈଷ୍ଣବ ଓ ତାଙ୍କର ଆରାଧ୍ୟ ଦେବତା ଥିଲେ ବୃନ୍ଦାବନ ଚନ୍ଦ୍ର । ଶ୍ରୀକୃଷ୍ଣଙ୍କ ପାଦତଳେ ନିଜକୁ ସମର୍ପିତ କରି ଗୋଟିଏ ପରେ ଗୋଟିଏ ଛାନ୍ଦ, ଚଉତିଶା ଏବଂ କାବ୍ୟ ରଚନା ଆରମ୍ଭ କରିଥିଲେ । ତାଙ୍କ ଲେଖନୀରୁ ନିଃସୃତ ହୋଇଥିବା ଅନେକ ଲୋକପ୍ରିୟ କାବ୍ୟକୃତି ମଧ୍ୟରେ ‘ମଥୁରା ମଙ୍ଗଳ’, ‘ଗୋପ ମଙ୍ଗଳ’, ‘ମନଶିକ୍ଷା’, ‘ବୈଦ୍ୟଶାସ୍ତ୍ର’, ‘କଳାକଳେବର ଚଉତିଶା’, ‘ମନବୋଧ ଚଉତିଶା’ ଇତ୍ୟାଦି ଅନ୍ୟତମ।
ମଥୁରା ମଙ୍ଗଳ କବିଙ୍କର ସର୍ବଶ୍ରେଷ୍ଠ ରଚନା । ମଥୁରା ବା ପକ୍ଷାନ୍ତରରେ ପୃଥିବୀର ମଙ୍ଗଳ କାମନା କବିଙ୍କର ଲକ୍ଷ୍ୟ ଥିବାରୁ, ଏହାର ନାମକରଣ ଏପରି ହୋଇଥିବା ମନେହୁଏ । ଦୀର୍ଘ ୩୦ଟି ଛାନ୍ଦ ସନ୍ନିବିଷ୍ଟ ଏହି କାବ୍ୟ ଭାବବିଦଗଧତା ଓ ଭକ୍ତିପ୍ରାଣତା ବହନ କରୁଥିବା ସ୍ପଷ୍ଟ ପ୍ରତୀୟମାନ ହୁଏ ।
‘ଗୋପ ମଙ୍ଗଳ’ କାବ୍ୟ ଗୋପଲୀଳା, ଗୋପକେଳି ଓ ବୃନ୍ଦାବନ ଲୀଳା ବର୍ଣ୍ଣନାରେ ପୁଷ୍ଟ । ଶ୍ରୀକୃଷ୍ଣଙ୍କର ଗୋପପୁରରେ ହିତକର କାର୍ଯ୍ୟର ସମସ୍ତ ଟିପ୍ପଣୀ ଏହି କାବ୍ୟର ଶ୍ରୀବୃଦ୍ଧି ସାଧନ କରେ । ‘କଳାକଳେବର ଚଉତିଶା’ ଏକଦା ଆମ ଉତ୍କଳଖଣ୍ଡରେ ଅଧିକ ଲୋକପ୍ରିୟ ଥିବା ଅନୁମାନ କରାଯାଏ ।ମନଃଶିକ୍ଷା ଗ୍ରନ୍ଥରେ ଶ୍ରୀକୃଷ୍ଣ – ଚୈତନ୍ୟଙ୍କୁ ବୈଦ୍ୟରୂପେ ଚିତ୍ରଣ କରାଯାଇ ଉପମା ଛଳରେ ବହୁ ରୋଗ, ଚିକିତ୍ସା ପ୍ରଣାଳୀ, ଔଷଧ ବ୍ୟବସ୍ଥା ଇତ୍ୟାଦିର ବର୍ଣ୍ଣନା ଓଡ଼ିଆ କାବ୍ୟ ଜଗତରେ କ୍ଵଚିତ ଦେଖିବାକୁ ମିଳେ ।ଭକ୍ତ ଚରଣ ଦାସଙ୍କ କବିତ୍ଵ, ପଦ ସଂଯୋଜନା, କଳ୍ପନା ବିଳାସ ସହ ସ୍ଵାଭାବିକ ବର୍ଣ୍ଣନା ଚାତୁରୀ ବାସ୍ତବରେଅତୁଳନୀୟ, ସଂଗୀତ ଧର୍ମୀ ମଧ୍ୟ ଚଉତିଶା ଓ କାବ୍ୟ ସମୂହ। ଭକ୍ତିରସ ବା ସମର୍ପଣ ଭାବର ଏକ ମହାନ କାବ୍ୟକାର ସହିତ ଜଣେ ସାଧକ ଭାବେ ପରିଚିତ ଏହି ଜନପ୍ରିୟ କବିଙ୍କର ଦାର୍ଶନିକ ଦୃଷ୍ଟିଭଙ୍ଗୀ ଦିଗଟି ଅତି ଉଜ୍ଜ୍ୱଳ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏବେବି ରାଜସୁନାଖେଳା ଠାରେ ତାଙ୍କ ଦ୍ବାରା ପ୍ରତିଷ୍ଠିତ ମଠ ବିଦ୍ୟମାନ । ଏହି ମହାନ୍ କବିଙ୍କ ସୃଷ୍ଟି ମନବୋଧ ଚଉତିଶା ସଂସାର ପ୍ରତି ଅନାସକ୍ତ ବୈରାଗ୍ୟ ଭାବନାର ଏକ ମନୋହର ଦୃଷ୍ଟାନ୍ତ ।ମନ କୁ ସମ୍ବୋଧନ କରି ଏହି ଚଉତିଶାରେ ସାମାଜିକ ମଣିଷକୁ ବୈରାଗ୍ୟ ଭାବନା ପ୍ରତି କୋମଳ ,ସରସ ଓ ମଧୁର ପଦାବଳୀ ସାହାଯ୍ୟରେ ଆକୃଷ୍ଟ କରିବା ସଙ୍ଗେ ସଙ୍ଗେ ଜନସାଧାରଣଙ୍କ ମଧ୍ୟରେ ଭଗବତ୍ ବିଶ୍ୱାସ ସୃଷ୍ଟି କରିବାର ପ୍ରଯତ୍ନ କରି ଯାଇଛନ୍ତି ।ଜୀବନର ନଶ୍ବରତା ଓ ସଂସାରର ଅଳୀକତା ଏହି ଚଉତିଶାରେ ଏକାନ୍ତ ପ୍ରଭାବଶାଳୀ ଢଙ୍ଗରେ ବର୍ଣ୍ଣିତ ହୋଇଛି , ଯାହା ଆମେ ଶୈଶବରେ ପଢୁଥିବା ସମୟରେ ଚାଟଶାଳୀ ମାନଙ୍କରେ ଶିଶୁ ଶିକ୍ଷାର ଥିଲା ପ୍ରଧାନ ମାଧ୍ୟମ । ସମ୍ପ୍ରତି ଆମେ ଅଧିକାଂଶ ଓଡ଼ିଆ ଏହି କାଳଜୟୀ ସୃଷ୍ଟି କୁ ଭୁଲି ଯାଇଛେ । ଏଠାରେ ତାହା ଉପସ୍ଥାପନ କରି ବର୍ତ୍ତମାନର ଓଡ଼ିଆ ଅସ୍ମିତାବୋଧ, ଭାଷା ପ୍ରାଣ ମାନଙ୍କ ଅବଗତି ତଥା
ପରବର୍ତ୍ତୀ ପିଢ଼ିଙ୍କ ଜ୍ଞାତଵ୍ୟ ନିମନ୍ତେ ଅବିକଳ ଭାବେ ଉଲ୍ଲେଖଯୋଗ୍ୟ ।”କହଇ ମନ ଆରେ ମୋ ବୋଲ କର, କଳା ଶ୍ରୀମୁଖ ବାରେ ଦେଖିବା ଚାଲ। କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ, କି ଘେନି ଯିବୁ ତୋର ଛୁଟିଲେ ଘଟ। ଖଣ୍ଡି ଯେ ଖଣ୍ଡି ତୋର ପିଞ୍ଜରା କାଠି, ଖାଉଣ ଥିବେ ଶ୍ୱାନ ଶୃଗାଳ ବାଣ୍ଟି । ଖଟ ପଲଙ୍କେ ମନ ଶେଯାଇ ଶୋଉ, ଖଳ ଦୁର୍ଗନ୍ଧ ହେବ ଏ ତୋର ଦେହୁ ।ଗଲେଣି ତୋ ସଙ୍ଗରୁ ଯେତେକ ଜନ, ଗଣ୍ଠିରେ ବାନ୍ଧିନେଲେ କେ କେତେ ଧନ। ଗୁରୁ ଗୋବିନ୍ଦ ନାମ ତୁଣ୍ଡେ ନନେଲୁ, ଗାଢ଼େ ମଜ୍ଜିଣ ନିତ୍ୟ ଧନ ଅର୍ଜିଲୁ।ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ, ଘଟ ଛୁଟିଲେ ତୋତେ ବୋଲିବେ ଭୂତ। ଘର ଘରଣି ଦେହ କୀଳାଉଥିବେ, ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ। ଉଦ୍ଧାର ହେବୁ ଯେବେ ଭବ ସାଗରୁ, ଉପାୟ କରି ଭଜ ଏବେ ଶ୍ରୀଗୁରୁ। ଊଣା ହେଉଛି ଦିନୁ ଦିନ ଆୟୁଷ, ଆଉ ଏଣିକି ଅଛି କେତେ ବୟସ। ଚିତ୍ର ପ୍ରତିମା ପ୍ରାୟେ ଦିଶୁ ସୁନ୍ଦର, ଚିରି ଭିତରେ ଦେଖ କି ନାରଖାର। ଚର୍ମ ବେଢ଼ିଛି ସିନା ଚଉରାଶିକି, ଚିତ୍ତ ତୁ ଦିଅ ନୀଳଗିରିବାସୀଙ୍କି। ଛାର ଦେହକୁ ମନ କରୁଛୁ ସଜ, ଛନ୍ଦ କପଟ ତେଜି ଗୋବିନ୍ଦ ଭଜ। ଛୁଇଁବେ ନାହିଁ ତୋତେ ବୋଲିବେ ମଡ଼ା, ଛ’ଖଣ୍ଡି କାଠ ହେବ ତୋପାଇଁ ଲୋଡ଼ା। ଯମ ଯେ ନ ଜାଣଇ ବାଳୁତ ଯୁବା, ଜୀଇଁବୁ ବୋଲି ମନେ କରିଛୁ ଅବା। ଜଣେହିଁ ଏଥୁ କେହି ନାହିଁ ଅମର, ଜଗନ୍ନାଥଙ୍କୁ ଭଜ ହେବୁ ଉଦ୍ଧାର। ଝୋଲା ଗନ୍ଥା ପାଛୋଡ଼ା ପିନ୍ଧାକୁ ରସୁ, ଝଡ଼ ସଂସାରେ ମନ ନବୁଝି ପଶୁ। ଝୁଣ୍ଟି ପଡ଼ିଲେ ଉଠି ପାରିବୁ ନାହିଁ, ଝଡ଼ିଲା ପତ୍ର ବୃକ୍ଷେ ଲାଗିଛି କାହିଁ। ନିଶି ଦିବସ ଥୟ ନୋହୁଛି ମନ, ନିଦ୍ରାରେ ଦେଖୁଅଛୁ ଯଥା ସ୍ୱପନ। ନଯିବେ ସଙ୍ଗେ କେହି ଯିବୁ ତୁ ଏକା, ନାମ ମାତ୍ର ଅଟଇ ପଥକୁ ସଖା। ଟାଣ କରୁଛୁ ମନ ସବୁ ମୋହରି, ଟଳି ପଡ଼ିଲେ କେହି ନୁହେଁ କାହାରି। ଟେରା ଭିତରେ ଯେହ୍ନେ ଅପୂର୍ବ ନାରୀ, ଟୋପ ଚଉଁରା ଅଛି ତୋ ଦେହେ ପୁରି। ଠିକେ ମୁଁ କହୁଅଛି କର ମୋ କଥା, ଠିକ ଦେହରେ ଅଛି ଶୂନ୍ୟ ଦେବତା। ଠକି ଯିବୁଟି ମନ ମୁଣ୍ଡ ପଡ଼ିଲେ, ଠିକେ ଗୁରୁଙ୍କ ସେବା କର ତୁ ଭଲେ। ଡାକି କହୁଛି ମନ ଡାକ ଗୋବିନ୍ଦ, ଡର ଜଞ୍ଜାଳ ଯାଉ ମୋହର ହୃଦ। ଡେରିଥାନ୍ତି ଶ୍ରବଣ ଭକ୍ତ ଡାକକୁ, ଡଙ୍ଗା ଯେହ୍ନେ ଜଳରେ ଚାହେଁ ପଛକୁ। ଢୋଲ ଯେସନେ ଢାଉଁ ଢାଉଁ ବାଜଇ, ଢଳେ ତହିଁ ଭିତରେ କିଛି ହିଁ ନାହିଁ। ଢାଙ୍କି ରହିଛି ଦେହ ସବୁଟି ତୁଚ୍ଛ, ଢଳି ପଡ଼ିଲେ ସବୁ ହେବଟି ମିଛ। ଏଣେ ତୁ ଦେଇଥିଲେ ତେଣେ ପାଇବୁ, ଅଣଆୟତ୍ତ ବେଳେ କି ଘେନି ଯିବୁ। ଅଣବିଶ୍ୱାସୀ ହୋଇ ରହିବୁ ଦିନେ, ଅନେକ ଦୁଃଖଦେବେ ଯମ ଭୁବନେ।
ତୁ ଯେ ବୋଲୁଛୁ ମୋର ଅର୍ଜିଲା ଧନ, ତୋ ଦେହ ନୁହେଁ ତୋର ଦେଖ ଏ ମନ। ତିହରି ସଙ୍ଗୁ ମନ ଗଲେଣି କେତେ, ତୁ ମିଥ୍ୟା କଥାକୁ ତ ଯାଉ ପରତେ। ଥିଲେ ଏ ସଂସାରରେ ଯେତେ ନୃପତି, ଥୟ କରି କେ ଭୋଗ କଲା ଏ ପୃଥିବୀ। ଥୋଇଲା ଧନ ତୋର ଖୁଣ୍ଟି ଖାଇବେ, ଥାନେ ତୋହର ଘର କରି ରହିବେ। ଦେହେ ପୂରିଛି ତୋର ଅଶେଷ ରୋଗ, ଦିନ ଚାରିକ ସିନା ଏ ସୁଖ ଭୋଗ। ଦଣ୍ଡେ ହେ ବେଳ ତୋତେ ରଖିବେ ନାହିଁ, ଦଣ୍ଡୁ ଯେ ଥିବେ ଯମ ଡଗର ନେଇ। ଧର୍ମ ଅଧର୍ମ କଥା ନଜାଣୁ ତୁହି, ଧନ୍ଦି ହେଉଛୁ ଧନ ଅର୍ଜିବା ପାଇଁ। ଧୋକା ରଖିଲେ ଧନ୍ଦା ଫିଟିବ ନାହିଁ, ଧର୍ମ ରେ ଆତଯାତ ହେଉଛି ମହୀ। ନିନ୍ଦି ଅକର୍ମ କଲେ ନିନ୍ଦା ପାଇବୁ, ନରକେ ପଡ଼ି କେତେ ଦୁଃଖ ସହିବୁ। ନିମିଷେ ମାତ୍ର ତୁଣ୍ଡେ ନନେଲୁ ହରି, ନାଶ ହେତୁକୁ କିମ୍ପା ଅଛୁ ଆବୋରି। ପାହିଲା ନିଶି ଯେହ୍ନେ ରବି ଉଦୟ, ପଦ୍ମଲୋଚନ ସବୁ ଦେହେ ଉଦୟ। ପ୍ରଭୁଙ୍କୁ ଆଶ୍ରେ କର ତରିବୁ ଯେବେ, ତା ପାଦପଦ୍ମେ ଚିତ୍ତ ଦିଅତୁ ଏବେ। ଫୁଲ ଯେସନେ ଫୁଲେ ଫୁଲେ ବିହରେ, ଫୁଲ ସମୀରେ ଆଉ ନଦିଶେ ତାରେ। ଫୁଲ ସଂସାରେ ଲାଭ ହରି ଭଜନ, ଫାଶଗଳା କୁ କିମ୍ପା କରିଛୁ ମନ। ବେଳକୁ ବେଳ ତୋତେ କହୁଛି ମୁହିଁ, ବାନ୍ଧିଣ ନେବ ଯମ କି ଦୁଃଖ ଦେଇ। ବିକଳେ କାନ୍ଦୁଥିବୁ ଆକୁଳ ହୋଇ, ବେଳହୁଁ ଆଶ୍ରେକରି ଭଜ ଗୋସାଇଁ। ଭେଳା ବୁଡ଼ିବ ହେଳା କଲେ କହୁଛି, ଭଙ୍ଗା ନାବରେ କିଏ ସିନ୍ଧୁ ତରିଛି। ଭାବକୁ ନିକଟ ସେ ଅଭାବେ ଦୂର, ଭକତ ଦାସ କହେ ଜୀବନ ଛାର। ମିଥ୍ୟା ମାୟା ସଂସାର ନୋହେ କାହାରି, ମଲା ବୋଲିଣ ଦିନେ ପଡ଼ିବ ହୁରି। ମହୀ ଭିତରେ କେହି ଦେଖିବ ନାହିଁ, ମଲା ବୋଲି କାନ୍ଦୁଛୁ ମରିବୁ ତୁହି। ଜନମ ହେଲେ ପ୍ରାଣୀ ଅବଶ୍ୟ ମରି, ଯଶ ରଖିବୁ ଯେବେ ଭଜ ଶ୍ରୀହରି। ଯମ ବାନ୍ଧିନେବେଟି ହେବୁ ମେଲାଣି, ଜଗନ୍ନାଥ ମହିମା ଲଣିକି ଆଣି। ରଙ୍ଗ ପସରା ସିନା ଭବ ସାଗର, ରଙ୍ଗ ଭିତରେ ଅଛି କି ନାରଖାର। ରୂପ ପ୍ରତିମାକୁ ତୁ ପରତେ ନଯା, ରହିବେ ନାହିଁ କେହି ରଜା ପରଜା। ଲୋଚନେ ଦେଖି କର୍ଣ୍ଣେ ଶୁଣୁଛୁ ନିତି, ଲୋଭକରି ଅର୍ଜିଲୁ ଧନ ସମ୍ପତ୍ତି। ଲୋଭଟି ସବୁ ନାଶ କରଇ ମନ, ଲୋଡ଼ିଲେ ନପାଇବୁ ଆଉ ଜୀବନ। ବିଅର୍ଥ ରହିଅଛି ଦୁର୍ଲଭ ଦେହ, ବିଷୟା ବିଷେ ଆଉ ନବଳା ସ୍ନେହ। ବୁଡ଼ିଯିବଟି ମୂଳ ଲାଭ ସରିବ, ବେଳହୁଁ ଆଶ୍ରେକରି ଭଜ ମାଧବ। ଶ୍ରୀକୃଷ୍ଣ ପାଦପଦ୍ମେ ଦିଅତୁ ମନ, ସରମେ ନପାଇବୁ ଆଉ ଜୀବନ। ଶ୍ରୀକୃଷ୍ଣ ନାମାଗରଟି କର ଭଜନ, ଶ୍ରୀକୃଷ୍ଣ ପାଦପଦ୍ମେ କରତୁ ଧ୍ୟାନ। ସନ୍ତୋଷ ଚିତ୍ତେ ତୁହି ହରିଙ୍କି ଭଜ, ସଂସାରେ ପଡ଼ି ଆଉ ନପାଅ ଲାଜ। ସବୁଟି ମିଛ ହରି ନାମଟି ସତ, ଶ୍ରୀକୃଷ୍ଣ ପାଦପଦ୍ମେ ଦିଅତୁ ଚିତ୍ତ। ସତ୍ୟ ମଣୁଛୁ ତୁହି ଭବସାଗର, ସରି ଯାଉଛି ପରମାୟୁ ତୋହର। ସନ୍ତୋଷ ହୋଇ ଦୃଢ଼େ ଭଜ ଶ୍ରୀହରି, ଶୋକ ସାଗରୁ ଯେବେ ହୋଇବୁ ପାରି। ହୁଡ଼ିଲେ ଯେତେ ଜନ ହରି ନାମକୁ, ହୀନ ଗତିକୁ ଗଲେ ବୁଡ଼ି ତଳକୁ। ହାରିଲେ ଦେହ ଆଉ ପାଇବୁ କାହିଁ, ହାଟ ବସାଇଥିବେ ତିଦେହ ପାଇଁ। କ୍ଷୟେ ଦୁର୍ଲ୍ଲଭ ଦେହ ହୁଏ ଆୟୁଷ, କ୍ଷୟ ନଯିବ ନାମ ହୃଦରେ ଘୋଷ। ଛାର ଦେହକୁ ମନ ନଯା ବିଶ୍ୱାସ, ଛାର ଦୁର୍ବୁଦ୍ଧି କହେ ଭକତ ଦାସ। ” ସେହିପରି ଏହି ମହାନ୍ ସ୍ରଷ୍ଟାଙ୍କର ଅନ୍ୟତମ ସୃଷ୍ଟି “କଳା କଳେବର ଚଉତିଶା” ଏକଦା ସମଗ୍ର ଉତ୍କଳ ବାସୀଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା ।
ଏହି ଚଉତିଶାରେ କୃଷ୍ଣ ଓ ବଳରାମଙ୍କ ମଥୁରା ଗମନ କାଳୀନ ଦୃଶ୍ୟ ଏବଂ ଗୋପୀମାନଙ୍କର ବିରହ ବେଦନା ଅତ୍ୟନ୍ତ ଉଚ୍ଚକୋଟୀର ତଥା ହୃଦୟସ୍ପର୍ଶୀ ଭାବେ ବର୍ଣ୍ଣନା କରାଯାଇ ଅଛି | ଆମ ଭାଷାରେ ପୁରାତନ ରଚନା ମାନଙ୍କ ମଧ୍ୟରେ ଏହା ଖୁବ ଲୋକପ୍ରିୟ ଥିଲା ଏବେବି ଅନେକ କଣ୍ଠଶିଳ୍ପୀ ମାନଙ୍କ ଦ୍ଵାରା ପରିବେଷଣ କରାଯାଇ ଆସୁଛି । ଏଠାରେ ପାଠକ ମାନଙ୍କ ଅବଗତି ତଥା ପରବର୍ତ୍ତୀ ପିଢ଼ି ଙ୍କ ଉଦ୍ଦେଶ୍ୟରେ ଉପସ୍ଥାପନ କରୁଛୁ । “କଳା କଳେବର କହ୍ନାଇ ସଙ୍ଗେ ରୋହିଣୀ ସୁତ,କରନ୍ତି ମଥୁରା ବିଜୟେ ଦାଣ୍ଡେ ଦେଖ ସଙ୍ଗାତ |ଖସି ପଡୁଛି କି ଆକାଶୁ କି ଏ ଗଙ୍ଗା ଯମୁନା,କ୍ଷୀର ସଙ୍ଗେ ପ୍ରାଣ ଶୋଷିଲେ ନାଶ ଗଲା ପୂତନା । ଗହନ କାନନ ବନରେ ଘୋର ବରଷା କାଳ,ଗିରି ବାମ କରେ ଧଇଲେ ନନ୍ଦ ଯଶୋଦାବାଳ । ଘରେ ନ ରହନ୍ତି ଗଉଡେ ବଡ଼ ଅଧମ ଜାତି,ଘେନି ବତ୍ସାବୃନ୍ଦ ବାଳକେ ବନେ ବୁଲନ୍ତି ନିତି । ଉଇଁ ଆସୁଛିକି ପୂର୍ଣ୍ଣିମା ଶଶି ମଧୁ ସାଗରୁ,ଉଠ ମଧୁପୁର ଯୁବତୀ ଓଗାଳିବା ଆଗରୁ । ଚନ୍ଦନ ବେଶ ମୁଁ କରନ୍ତି ମୋର ହେଉଛି ମନ,ଚିତ୍ତ କେ ଧରିବ ଯୁବତୀ ଚାହିଁ ଚନ୍ଦ୍ର ବଦନ । ଛନକା ପଶିଲା ଛାତିରେ ଜାତି କୁଳ ଉପେକ୍ଷି,ଛାଡିବେ ଜୀବନ ଯଶୋଦା ଗୋପେ କୃଷ୍ଣ ନ ଦେଖି ।ଜହର ସଙ୍ଗତେ ମହୁରା ଆସି ହେଲା ନିୟତ,ଯୁବତୀ କୁଳକୁ ଦଇବ କଲା ଏ ହନ୍ତସନ୍ତ । ଝଡ଼ି ପଡୁଛି କି ଝୁଣ୍ଟିଆ ଝସକେତନ ଘାତେ,ଝାଳ ବିନ୍ଦୁ ବିନ୍ଦୁ ଶ୍ରୀମୁଖୁ ବହୁଅଛି ନିରତେ । ନୟନ ଉପରେ ଭ୍ରୂଲତା କିଏ କାମ କମାଣ,ନୁହଁନ୍ତି ଏ ପୋଏ କାହାରି ସବୁ ଗୋପୀଙ୍କ ପ୍ରାଣ । ଟୋପି ଟୋପି ଗୋପୀ ଚନ୍ଦନ ମଣ୍ଡିଛନ୍ତି କି ସଜେ,ଟେକିବାରେ ଚାହାଁ ମଥୁରା ଦାଣ୍ଡେ ଗୋବିନ୍ଦ ବିଜେ |ଠାବେ ଠାବେ ଗୋଳ ଚହଳ ଶିଙ୍ଘା ବେଣୁ ବଇଁଶୀ,ଠିଆ ହୋଇ ଭକ୍ତ ଦାସ ତା ଦାଣ୍ଡେ ଦେଖନ୍ତି ଆସି । ଡାକନ୍ତି ଏକକୁ ଆରେକ ଆସ ଜୀବ ଜୀବନ,ଡୋଳାରେ ଏ ରୂପ ଦେଖିବା ବିଜେ ମଧୁସୂଦନ । ଢଳି ଢଳି କୃଷ୍ଣ ନାଚନ୍ତି ଭଙ୍ଗୀ ଦେଖ ମିତଣୀ, ଢାଳନ୍ତି କିରୂପେ ଡୋଳାକୁ କେଉଁ ଛଟକେ ଆଣି ।ଅଳକାରେ ସରୁ କାଇଁଚ ମଣ୍ଡିଛନ୍ତି କିକରେ,ଅଣହେଳା ପାଉଥିବେ ଗୋ ନନ୍ଦ ଗଉଡ ଘରେ । ତିଳକ ଉପରେ କସ୍ତୁରୀ ଗୋରଚନା ରଞ୍ଜିଛି,ତେରଛାଇ ଚାହିଁ ଦେବାରୁ ତରଳାଇ ଦେଉଛି |ଥକା ହୋଇ ଥୋକେ ରହିଲେ ଥୋକେ ଗଲେ ଗୋଡାଇ,ଥିର ମଦନ ସଂଘାତରେ କାମ ଦେଲା ଭୁଲାଇ । ଦୁଃଖୀ ଲୋକଙ୍କର ସଂଖାଳି ସେ ତ ଦରିଦ୍ର ଧନ,ଦହି ଦୁଧ ସର ଖିଆ ଗୋ ତେଣୁ ବଡ଼ ଲାବଣ୍ୟ |ଧରଣୀ ମଣ୍ଡିଲା ପରାଏ ହୋଇଛନ୍ତି କି ଉଭା,ଧଳା କଳା ବେନି ଭାଇ ଗୋ ଦୁହେଁ ଦୁହିଁଙ୍କି ଶୋଭା ।ନାସାବିନ୍ଧା ଅପ୍ରତିଆଣୀ ସେ ଗୋ ଯଶୋଦାସୁତ, ନକଲା ଦଇବ ନରେନ୍ଦ୍ର ଘରେ ଏ ପୁଅ ଜାତ । ପୁଅ ହୋଇ ଏଡେ ସୁନ୍ଦର ନାହିଁ କାହାର ଘରେ,ପାହିଲା କି ଯୋଗେ ରଜନୀ ଆଜି ମଧୁନଗରେ । ଫୁଲରେ ଏହାଙ୍କ ଶରଧା ଫୁଲେ ଦିଶନ୍ତି ତୋରା,ସ୍ଫୁରୁଛି ତ ବାମ ନୟନ ମୋତେ ଚାହିଁବେ ପରା । ବୁଦ୍ଧି ବଣା ହେଲା ଶୁଣିଣ ଅମୃତ ଜିଣା ବାଣୀ,ବସି କେତେ କାଳ ଗଢ଼ୀଲା ତାକୁ କେଉଁ ବିନ୍ଧାଣି |ଭଜିବାକୁ ହେଲା ଭଜନ ମାଳା କଲା ଏ ରୂପ,ଭଜିବକି ଭକ୍ତ ଦାସ ତା କ୍ଷୟ କରିବ ପାପ । ମନ୍ଦ ବୁଦ୍ଧିକଲେ ନନ୍ଦ ଗୋ ସେ ତ ଆମ୍ଭ କରମ,ମିଛେ ନନ୍ଦ ପୁଅ ବୋଲନ୍ତି ମଥୁରାରେ ଜନମ । ଯଦୁକୁଳ ଚନ୍ଦ୍ର ବୋଲିଣ ସେଗୋ ଯଦୁବିହାରୀ,ଜାତି ଯଉବନ ଜୀବନ ସବୁ ନେଲା ଆମ୍ଭରି ।ରାମକୃଷ୍ଣ ବେନି ଭାଇ ଗୋ ଦୁହେଁ ଦୁହିଁଙ୍କି ତୋରା,ରଙ୍ଗେ ନାଚି ଆସୁଥାନ୍ତି ଗୋ ଯେହ୍ନେ ଗଗନ ତାରା । ଲାଜ ଭୟ ତେଜି କରିବା କୃଷ୍ଣ ସଙ୍ଗେ ପୀରତି,ଲାଭ ହେଉଥିବ ଆମ୍ଭର ହସୁଥିବା ଗୋ ନିତି |ବଳିଣ ଦିଶେ କି ମଳିନ ବାହୁ ଶ୍ରୀଭୁଜ ସ୍ଥଳ,ବିନ୍ଧୁଛି କି ଝସ କେତନ ମିଶି ହେଲା ତରଳ |ଶ୍ରୀମନ୍ତ ବଢ଼ାଇ ଏ ପୁଅ ଲକ୍ଷ୍ମୀ ଏହାଙ୍କ ଦାସୀ,ଶ୍ରୀମୁଖ ଏ ପରା ଦିଶୁଛି କିବା ପୂର୍ଣ୍ଣିମା ଶଶୀ ।ସରଲବଣୀ ଗୋଟିକା ଯେ ଖାଇ ନନ୍ଦର ବତ୍ସି,ସବୁ ଗୋପୀଙ୍କର ମନକୁ ବଂଶୀସ୍ୱନେ ମୋହିଛି ।ସଧୀରେ ପବନ ବହଇ ସରୁ କଟି ମେଖଳା,ଶିବ ଡମ୍ବରୁ କି କୈଳାସୁ ଶ୍ୟାମ ବଦନ କଳା ।ହେଲେ ହେବୁ ପଛେ କୁଳଟା ହାର କରିବୁ ଗଳେ,ହସୁଥିବୁ ତାଙ୍କ ସଙ୍ଗତେ ବସିଥିବୁ ଗୋ କୋଳେ । ଛାଡି ଲଜ୍ଜାଭୟ ତା ରୂପ ଦରପଣେ ମାଜିବା,ଛାର କହେ ଭକ୍ତ ଦାସ ତା ଧ୍ୟାୟୀ ରଜନୀ ଦିବା ।”
ଏଠାରେ ଜଣେ ଭାବ ପ୍ରବଣ ଓଡ଼ିଆ ଭାବେ ଗର୍ବର ସହିତ ଉଲ୍ଲେଖ କରୁଛୁ ଯେ ଏହି ମହାନ୍ କବିଙ୍କ ଅମୃତ ସୃଷ୍ଟି” ମଥୁରା ମଙ୍ଗଳ ” କାବ୍ୟରେ କବି ପ୍ରତିଭାର ସମ୍ପୂର୍ଣ୍ଣ ଦକ୍ଷତା ପ୍ରକଟିତ ହୋଇ ଏହାକୁ ଏକ ସୁଶ୍ରାବ୍ୟ, ମଧୁର ଓ ଏକଦା ଜନପ୍ରିୟ କାବ୍ୟର ଗୌରବ ପ୍ରଦାନ କରିଥିଲା । କରିଥିଲା ଉଲ୍ଲେଖ କରିବାର କାରଣ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ ମଧ୍ୟ ପୂର୍ବରୁ ବିଜାତୀୟ ଶାସନ ବ୍ୟବସ୍ଥାରେ ଆମ ଭାଷା ସାହିତ୍ୟ ଓ ସଂସ୍କୃତି ପ୍ରତି ଯେଭଳି ଆକ୍ରମଣ ହୋଇଥିଲା , ତାହା କମିବା ପରିବର୍ତ୍ତେ ଧଳା ପରିବର୍ତ୍ତିତ କଳା ଅବୟବଧାରୀ ଇଂରାଜୀ ଭାଷା ସାହିତ୍ୟ ଅନୁଗତ ମାନଙ୍କ ସାମାଜିକ ନିର୍ଣ୍ଣୟାତ୍ମକ ଆସନରେ ଉପବେସନ କାରଣରୁ ଏବଂ ସେମାନଙ୍କ ପ୍ରଣୟନ ଶିକ୍ଷା ନୀତି କାରଣରୁ ଏଭଳି ଏକ ସାମାଜିକ ଅବକ୍ଷୟୀ ଲୋକ ଚରିତ୍ରର ଧାରାବାହିକତା, ଏପରିକି ବରିଷ୍ଠତା ହିଁ ପ୍ରମୁଖ କାରଣ । ଇଂରାଜ ଗଲେ ସତ ମାତ୍ର ଇଂରାଜୀ ଭାଷା କଲା ରାଜୁତି ‌ । ମଥୁରା ମଙ୍ଗଳର ପରିବେଷଣଗତ ଚାତୁରୀ ଅତୁଳନୀୟ । ଗୋପପୁରର ଶ୍ରୀକୃଷ୍ଣଙ୍କୁ ମଥୁରାର ପ୍ରତାପୀ, ଅତ୍ୟାଚାରୀ ରାଜା କଂସ ନିଜର ପ୍ରାଣ ବିନାଶକାରୀ ବୋଲି ଦୈବ ବାଣୀ ଆଧାରରେ ଜାଣିଥିଲା । ଶୈଶବରୁ ଶ୍ରୀକୃଷ୍ଣ ଙ୍କୁ ହତ୍ୟା କରିବା ପାଇଁ ଭିନ୍ନ ଭିନ୍ନ ସମୟରେ ବହୁ ଅନୁଗତ ଅସୁରଙ୍କୁ ଗୋପପୁରକୁ ପଠାଇଥିଲା , କିନ୍ତୁ ସମସ୍ତ ଚକ୍ରାନ୍ତ ବ୍ୟର୍ଥ ଯାଇଥିଲା । ତେଣୁ ଧନୁ ଉତ୍ସବ ଆୟୋଜନ କରି ଏକ ଭୟଙ୍କର ଯୋଜନା ପ୍ରସ୍ତୁତ କରିଥିଲା । ମନ୍ତ୍ରୀ ଅକ୍ରୁରକୁ ପଠାଇ କୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଡକାଇ ଆଣି ହତ୍ୟା କରିବାକୁ ଯୋଜନା କରିଥିଲା । କୃଷ୍ଣ ଗୋପପୁର ଛାଡ଼ି ମଥୁରା କୁ ଗଲେ ଓ ଶେଷରେ କଂସ ବଧ କରି ମଥୁରାରେ ଶାନ୍ତି ପ୍ରତିଷ୍ଠା କରିଥିଲେ । ଶ୍ରୀକୃଷ୍ଣ ତା ପରେ ଗୋପପୁର କୁ ଫେରି ଆସିବେ ବୋଲି ଉଦ୍ଧବ ଦ୍ବାରା ଗୋପପୁରକୁ ସମ୍ବାଦ ପ୍ରେରଣ କରିଥିଲେ । ଏହି ଠାରେ କଥାବସ୍ତୁର ପରିସମାପ୍ତି ଘଟିଛି ସତ୍ୟ ମାତ୍ର, ମହାକବି ଙ୍କ ପ୍ରତିଭା ଏହି କଥାବସ୍ତୁ ରେ କାବ୍ୟ-ବୈଚିତ୍ର୍ୟ ସୃଷ୍ଟି କରିବାକୁ ଯାଇ ନାନା ସରସ ବିଷୟର ଅବତାରଣାରେ ମୁଖର ହୋଇ ଉଠିଛି । କଂସର ଚିଟାଉ ଲେଖା, ଯଶୋଦା ଙ୍କ ବିଳାପ, ମଥୁରା ଦାଣ୍ଡରେ ଶ୍ରୀକୃଷ୍ଣ ଙ୍କର ବିଜୟ, ମଥୁରାପୁର ନରନାରୀ ଙ୍କର କୃଷ୍ଣ ରୂପ ଶୋଭା ଦର୍ଶନରେ ବିଭ୍ରମ ବର୍ଣ୍ଣନା, ସୁଦମା ମାଳିନୀ ଵେଶ ବିରଚନା,କୁବୁଜାର ନବଯୌବନ ଲାଭ,ଚାଣୁର ସହିତ କୃଷ୍ଣଙ୍କର ଘୋରତର ସମର,ଓ କଂସ ହତ୍ୟା ଆଦି ର ବର୍ଣ୍ଣନା ଚାତୁରୀ ଅକଳ୍ପନୀୟ , ଅତୁଳନୀୟ , ଅବିସ୍ମରଣୀୟ । ବିଦ୍ୟାର୍ଥୀ ଜୀବନରେ ଏହା ପାଠ୍ୟପୁସ୍ତକରେ ସ୍ଥାନିତ ଥିବାରୁ ଏବେବି ଆମର ସ୍ମୃତି ଅମୂଲ୍ୟ ପଣ୍ୟ ଭାବେ ବିବେଚିତ । ଏହାର ମନୋହର ମାଦକତାରେ ଯେ କେହି ପାଠକ ଆକର୍ଷିତ ହେବା ସ୍ବାଭାବିକ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୩୦ ଗୋଟି ଛାନ୍ଦରେ ରଚିତ ଏହି କାବ୍ୟ ଶ୍ରୀକୃଷ୍ଣଙ୍କ ମଥୁରା ଗମନ ଏବଂ କଂସବଧ ଓ ଗୋପୀଙ୍କ ବିଳାପ ଉପରେ ଆଧାରିତ ଅଟେ । ଏଥିରେ ଚକ୍ରକେଳି, କାଳୀ, କାଫି, ପଞ୍ଚମ ବରାଡ଼ି, କଲ୍ୟାଣ ଆହାରୀ, ଆହାରୀ, କେଦାରଗୌଡ଼ା ଇତ୍ଯାଦି ବୃତ୍ତ ବ୍ୟବହୃତ ହୋଇଛି ।ମଥୁରା ମଙ୍ଗଳର ପ୍ରଥମ ଛାନ୍ଦ “ଜୟ ଗୋବିନ୍ଦ ଗୋକୁଳ ସୁନ୍ଦର” ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ ଆକାଶବାଣୀ କଟକରେ ଗାଇଥିଲେ । ଏହାଛଡ଼ା ବାଣୀକଣ୍ଠଙ୍କଦ୍ୱାରା ହିଁ ଏହାର ଅନ୍ୟ କେତୋଟି ଛାନ୍ଦ- “ଗୋପିକା ବଚନ ଶୁଣି” ଇତ୍ଯାଦିର ରେକଡ଼ିଂ ରହିଛି । ଏହି ତିରିଶି ଟି ଛାନ୍ଦ ହେଲା ଯଥାକ୍ରମେ “ଜୟ ଗୋବିନ୍ଦ ଗୋକୁଳ ସୁନ୍ଦର”,କୃଷ୍ଣ ଦର୍ଶନ ଆଶେ ଉଚ୍ଛନ୍ନ ହୋଇ ସଫଳାସୁତ , ଲେଖିଅଛି କଂସ ହୋଇ ମହାରୋଷ ,ଦାଣ୍ଡରେ ଶୁଭିଲା ରାମ କୃଷ୍ଣ ବେନି ଭାଇ, କହୁଛନ୍ତି ଗୋପୀ ଗୋବିନ୍ଦଙ୍କୁ ,ଆରେ ବାବୁ ଶ୍ୟାମଘନ ,କୃଷ୍ଣର ଗମନ ଦେଖି ଛନଛନ ,କୃଷ୍ଣ କହନ୍ତି, ଶୁଣ ବରଜବଧୂ ,ଗୋବିନ୍ଦ ବିଚ୍ଛେଦେ ବରଜନାରୀ ,ଏଥୁ ଅନନ୍ତରେ ଶୁଣ ବିଚିତ୍ର ଚରିତ ,ଅକ୍ରୂର ସ୍ତବ ଶୁଣି ମାଧବ ,ମନ୍ତ୍ରୀ ମେଳାଣି ଅନ୍ତେ କଂସାସୁର, ଏଥୁ ଅନନ୍ତରେ ବରଜ ବରଜ ସଙ୍ଗେ ,କି ମତ୍ତ-କରୀ ଗମନ କରି,ଶ୍ରୀକୃଷ୍ଣ ବିଜୟେ ଅବନୀ ଶୋଭା, କୃଷ୍ଣଙ୍କୁ ବେଶ କରି ସୁଦାମା ମାଳୀ ,ଏଥୁ ଅନନ୍ତରେ ଶୁଣ ସୁଜନ ,କୃଷ୍ଣ ଶୟନ ଅନ୍ତେ ନନ୍ଦ ଯଶୋଦା ,ଏଥୁ ଅନନ୍ତରେ ରଜନୀ ଶେଷରେ ,ଏଥୁ ଅନନ୍ତରେ ମୋହନ ରାୟେ ,କୃଷ୍ଣବଚନ ଶୁଣି ମୂଢ଼ ଯନ୍ତା ,କୃଷ୍ଣ ଚାଣୁର ସମର ଗୁରୁତର ,କଂସ ନିଧନ ଯହୁଁ ଦେଖିଲେ ,ଏଥୁ ଅନନ୍ତରେ କେତେ କାଳ ବହି ,ବୋଲନ୍ତି ନନ୍ଦନେ ଶୁଣ ,ଏଥୁ ଅନନ୍ତରେ ଗୋପୀ ଦେଖିଲେ ଉଦ୍ଧବ , ଗୋପିକା ବଚନ ଶୁଣି ,ଲେଖି ଅଛନ୍ତି ବ୍ରଜପୁର ମଣ୍ଡନ ,କେତେ ଦିନ ନନ୍ଦମନ୍ଦିରେ ଆନନ୍ଦେ , ଗୋପୀଙ୍କ ଉଦନ୍ତ ଘେନି ” । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ମହା କବି ଭକ୍ତଚରଣ ଥିଲେ ସୁଦ୍ଧ ପ୍ରେମ -ଭକ୍ତିର ଉପାସକ । ତେଣୁ ଶୁଷ୍କ ତତ୍ତ୍ବ ଜ୍ଞାନ ଅପେକ୍ଷା କୋମଳ ମଧୁର ଭକ୍ତି ଭାବର ତନ୍ମୟତାରେ ନିମଜ୍ଜିତ ରଖି ” ‘ମଥୁରା ମଙ୍ଗଳ ‘ କାବ୍ୟରେ ଓ ଅନ୍ୟ କ୍ଷୁଦ୍ର ରଚନାବଳୀ ମଧ୍ୟରେ ସ୍ଵକୀୟ କବିଯଶକୁ ସୁପ୍ରତିଷ୍ଠିତ କରାଇ ଯାଇଛନ୍ତି । ଦୁର୍ଭାଗ୍ୟଜନକ କଥା ଯେ ଆମେ ଓଡ଼ିଆମାନେ ତାଙ୍କର ଅମୃତ ଅମ୍ଲାନ ସୃଷ୍ଟି ସମୂହର ହୋଇ ପାରି ନାହିଁ ହିତାଧିକାରୀ ତ ଅଣ ଓଡ଼ିଆ ଵା ଅଣ ଭାରତୀୟ ମାନଙ୍କ ଠାରୁ କେମିତି ଆଶା କରିବା ? ଯଦି ଯଥୋଚିତ ଭାବେ ମହାନ୍ ସ୍ରଷ୍ଟା ଭକ୍ତ ଚରଣ ଙ୍କୁ ମୂଲ୍ୟାଙ୍କନ କରାଯିବ , ତେବେ ସେ ଯେ ବିଶ୍ବର ମହାନ୍ କବି ମାନଙ୍କ ଭିତରେ ସ୍ଥାନିତ ହେବେ , ଏଥିରେ ତିଳେ ମାତ୍ର ସନ୍ଦେହର ଅବକାଶ ନାହିଁ ।

Posted in ସାହିତ୍ୟ.