ଓଡ଼ିଶା ଜନ ଆନ୍ଦୋଳନର ଜଣେ ମହାନ୍ କାଣ୍ଡାରୀଙ୍କ ଅବସାନ
ଭୁବନେଶ୍ୱର: ଓଡ଼ିଶା ରାଜନୀତି ଓ ଜନ ଆନ୍ଦୋଳନ ଇତିହାସର ଏକ ଗୌରବମୟ ଅଧ୍ୟାୟର ଅନ୍ତ ଘଟିଛି। ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରବୀଣ ସାରସ୍ୱତ ସାଧକ ତଥା ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବାମପନ୍ଥୀ ଆଦର୍ଶରେ ଅଟଳ ରହିଥିବା ବରେଣ୍ୟ ସୋମନାଥ ପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି।
ସୋମନାଥ ପାତ୍ର କେବଳ ଜଣେ ବ୍ୟକ୍ତି ନଥିଲେ, ସେ ଥିଲେ ଏକ ଅନୁଷ୍ଠାନ। ସ୍ୱାଧୀନତା ସଂଗ୍ରାମରୁ ଆରମ୍ଭ କରି କୃଷକ ଆନ୍ଦୋଳନ ଏବଂ ଓଡ଼ିଆ ଭାଷା ଆନ୍ଦୋଳନ ପର୍ଯ୍ୟନ୍ତ ପ୍ରତିଟି ଗଣସଂଗ୍ରାମରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜଣେ ନିର୍ଭୀକ ଆଲେଖ୍ୟ ଆଲୋଚକ ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଥିଲା। ବିଶେଷ କରି “ସୁବାର୍ତ୍ତା”ର ନିୟମିତ ଆଲେଖ୍ୟ ଆଲୋଚକ ଭାବେ ସେ ନିଜର ଶାଣିତ ଚିନ୍ତାଧାରା ମାଧ୍ୟମରେ ସମାଜକୁ ଦିଗଦର୍ଶନ ଦେଉଥିଲେ।
ଆଜୀବନ ବାମପନ୍ଥୀ ଦର୍ଶନରେ ଅନୁରକ୍ତ ଶ୍ରୀ ପାତ୍ର ଅନେକ ଯୁବ ସଂଗ୍ରାମୀଙ୍କ ପାଇଁ ପଥପ୍ରଦର୍ଶକ ଥିଲେ। ତାଙ୍କ ବିୟୋଗରେ ଓଡ଼ିଶା ଜଣେ ଅଭିଜ୍ଞ ଦିଗଦର୍ଶକଙ୍କୁ ହରାଇଲା। ଏହି ଶତାୟୁ ପୁରୁଷଙ୍କ ବିୟୋଗରେ ସୃଷ୍ଟ ଶୂନ୍ୟସ୍ଥାନ ଅପୂରଣୀୟ ବୋଲି ବିଭିନ୍ନ ମହଲରୁ ଶୋକବାର୍ତ୍ତା ପ୍ରକାଶ ପାଇଛି। ଜଣେ ସାଥୀ ଓ ଅଗ୍ରଜଙ୍କୁ ହରାଇ ସ୍ୱାଧୀନତା ସଂଗ୍ରାମୀ ପରିଷଦ ଏବଂ ବାମପନ୍ଥୀ ଶିବିରରେ ଗଭୀର ମ୍ରିୟମାଣ ପରିବେଶ ସୃଷ୍ଟି ହୋଇଛି।
ଏହି ମହାନ୍ ସଂଗ୍ରାମୀଙ୍କ ପାର୍ଥିବ ଶରୀର ନିକଟରେ ଶେଷ ଦର୍ଶନ ପାଇଁ ବହୁ ବିଶିଷ୍ଟ ବ୍ୟକ୍ତି ଓ ସଂଗ୍ରାମୀ ସାଥୀଙ୍କ ଭିଡ଼ ଜମିଛି। ଜଣେ ନିଭୀକ ଯୋଦ୍ଧା ଭାବେ ନିଜର ସଂଗ୍ରାମ ଶେଷ କରି ସେ ଅଫେରା ରାଇଜକୁ ଚାଲିଯାଇଛନ୍ତି।
“ବିଦାୟ ସାଥୀ! ଘେନା କର ଆମର ଅନ୍ତିମ ଲାଲ୍ ସଲାମ, ଲାଲ୍ ସଲାମ ।”
