ଆଞ୍ଚଳିକ ଗଡ଼ ଭାଙ୍ଗିବା ହେବ ନୂଆ ସଭାପତିଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ
ଭାରତୀୟ ଜନତା ପାର୍ଟିର (ବିଜେପି) ସାଂଗଠନିକ ଇତିହାସରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି। ମଙ୍ଗଳବାର ଦିନ ନୂଆଦିଲ୍ଲୀସ୍ଥିତ ଦଳର କେନ୍ଦ୍ରୀୟ ମୁଖ୍ୟାଳୟରେ ଶ୍ରୀ ନିତିନ ନବୀନ ଆନୁଷ୍ଠାନିକ ଭାବେ ବିଜେପିର ୧୨ତମ ରାଷ୍ଟ୍ରୀୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଐତିହାସିକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତି ଏବଂ ନୂତନ ସଭାପତିଙ୍କୁ ସେ ଦେଇଥିବା “ବସ୍”ର ଆଖ୍ୟା ଦେଶର ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। କିଏ ବସ୍ ହେବ ? କାହାକୁ ବସ୍ କୁହାଯିବ ଏହାକୁ ନେଇ ଜାତୀୟ ରାଜନୀତିରେ ଏବେ ବିତର୍କ ଆରମ୍ଭ ହୋଇଛି ।
ନିତିନ ନବୀନଙ୍କ ନିର୍ବାଚନ ବିଜେପିର ଆଭ୍ୟନ୍ତରୀଣ ଗଣତନ୍ତ୍ର ଏବଂ କାର୍ଯ୍ୟକର୍ତ୍ତା କେନ୍ଦ୍ରିତ ବିଚାରଧାରାର ଏକ ଶ୍ରେଷ୍ଠ ଉଦାହରଣ। ଭାରତରେ ଏଭଳି କୈାଣସି ଦଳରେ କେବେ ଦେଖାଯାଏ ନାହିଁ । ମାତ୍ର ୪୫ ବର୍ଷ ବୟସରେ ବିଜେପି ଭଳି ସର୍ବବୃହତ ଦଳର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରି ସେ ବିଜେପି ଇତିହାସର ସବୁଠାରୁ କମ୍ ବୟସ୍କ ସଭାପତି ହେବାର ଗୌରବ ଅର୍ଜନ କରିଛନ୍ତି। ନିଜର ପ୍ରଥମ ଅଭିଭାଷଣରେ ଶ୍ରୀ ନିତିନ କହିଥିଲେ, “ମୋର ନିର୍ବାଚନ ହେଉଛି ଜଣେ ସାଧାରଣ କାର୍ଯ୍ୟକର୍ତ୍ତାର ଅସାଧାରଣ ଯାତ୍ରାକୁ ମିଳିଥିବା ସମ୍ମାନ।” ସେ ସ୍ପଷ୍ଟ କରିଥିଲେ ଯେ ବିଜେପି ପାଇଁ ରାଜନୀତି କେବଳ ସତ୍ତା ଦଖଲ ନୁହେଁ, ବରଂ ଏକ “ସାଧନା ଓ ତପସ୍ୟା”। ‘ରାଷ୍ଟ୍ର ପ୍ରଥମ, ଦଳ ପରେ ଏବଂ ନିଜେ ଶେଷରେ’— ଏହି ମନ୍ତ୍ରକୁ ସେ ପୁଣି ଥରେ ଦୋହରାଇଥିଲେ। ତେବେ ତାଙ୍କ ଭାଷଣରେ ଯାହା ସ୍ପଷ୍ଟ ହେଲା ତାହା ହେଉଛି ତାଙ୍କର ନେତୃତ୍ବ ନେବାର କଳା ରହିଛି । ଯାହା କି ଆଗାମୀ ଦିନରେ ତାଙ୍କୁ ଜଣେ ସର୍ବଗ୍ରହଣୀୟ ନେତାର ମାନ୍ୟତା ପ୍ରଦାନ କରିବ ।
ସଭାପତିଙ୍କୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ୫୫ ମିନିଟ୍ ଧରି ଅଭିଭାଷଣ ଦେଇଥିଲେ। ସେ ଅତି ନମ୍ରତାର ସହ କହିଥିଲେ, “ମୁଁ ଦଳର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ଏବଂ ସେହି ଅନୁଯାୟୀ ନୀତିନ ଜୀ ଏବେ ମୋର ବସ୍। ସେ ଏବେ ମୋ କାମର ତର୍ଜମା ଓ ଆକଳନ କରିବେ।” ପିଏମ ମୋଦୀଙ୍କ ଏହି ବକ୍ତବ୍ୟ ଦର୍ଶାଉଛି ଯେ ବିଜେପିରେ ପଦବୀ ଅପେକ୍ଷା ସାଂଗଠନିକ ବ୍ୟବସ୍ଥା ଅଧିକ ଶକ୍ତିଶାଳୀ। ଏଥିସହିତ ସେ କଂଗ୍ରେସର ପରିବାରବାଦକୁ ତୀବ୍ର ସମାଲୋଚନା କରି କହିଥିଲେ ଯେ, ଯେଉଁମାନେ କଂଗ୍ରେସର ବୁରାଭ୍ୟାସରୁ ବର୍ତ୍ତିବେ, ସେମାନେ ହିଁ ଦେଶର ବିକାଶରେ ସହାୟକ ହେବେ। ବିଜେପିରେ ଯାହା କୁହାଯାଏ ମୋଦି-ଶାହଙ୍କ ବିନା ପତ୍ର ହଲେ ନାହିଁ, ଏଥିରୁ କିନ୍ତୁ ଅନ୍ୟ ବାର୍ତ୍ତା ଯାଉଛି । ନିଜେ ମୋଦି ସ୍ପଷ୍ଟ କରିଛନ୍ତି ଯେ ସେ ବସ୍ ନୁହଁନ୍ତି । ଦଳର ସଭାପତି ହିଁ ବସ୍ ।
ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଅନୁପ୍ରବେଶ ସମସ୍ୟାକୁ ଦେଶ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ବର୍ଣ୍ଣନା କରିଥିଲେ। ଦେଶର ସମ୍ବଳ ଏବଂ ଗରିବଙ୍କ ହକ୍ ଲୁଟୁଥିବା ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରି ବାହାର କରିବା ଅତ୍ୟନ୍ତ ଜରୁରୀ ବୋଲି ସେ କହିଥିଲେ। ଏଥିସହିତ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ସେମାନଙ୍କୁ ସହାୟତା କରୁଥିବା ଦଳମାନଙ୍କୁ ଜନସାଧାରଣଙ୍କ ସମ୍ମୁଖରେ ମୁଖା ଖୋଲିବାକୁ ସେ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଇଥିଲେ। ଏହି କଥା ମୋଦି କହି ପଶ୍ଚିମବଂଗ ରାଜନୀତି କଥା ମନେପକାଇଦେଇଛନ୍ତି । ଆଗାମୀ ଦିନରେ ପଶ୍ଚିମବଂଗରେ ଭୋଟ ହେବାକୁ ଯାଉଛି । ଆଉ ମୋଦି ବିହାରର ଜଣଙ୍କୁ ସଭାପତି କରି ପଡ଼ୋଶୀ ପଶ୍ଚିମବଂଗରେ ଶାସନ ବିଜେପି କରିବା ପାଇଁ ରାସ୍ତା ଖୋଲିଦେଇଛନ୍ତି । ନୀତିନଙ୍କ ସମୟରେ ପଶ୍ଚିମବଂଗରେ ବିଜେପି ଶାସନ କୁ ଫେରିଲେ ତାଙ୍କର ଇମେଜ ସାରା ଦେଶରେ ଗ୍ରହଣୀୟ ହେବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।
ବିଦାୟୀ ସଭାପତି ଜେ.ପି. ନଡ୍ଡା ମଧ୍ୟ ନୂତନ ଅଧ୍ୟକ୍ଷଙ୍କ ଉପରେ ଗଭୀର ବିଶ୍ୱାସ ପ୍ରକଟ କରିଥିଲେ। ସେ କହିଥିଲେ ଯେ ନୀତିନଙ୍କ ନେତୃତ୍ୱରେ ପୂର୍ବ ଭାରତ ଏବଂ ଦକ୍ଷିଣ ଭାରତର ଯେଉଁ ରାଜ୍ୟଗୁଡ଼ିକରେ (ବଙ୍ଗଳା, ତାମିଲନାଡୁ, କେରଳ) ଦଳ ଏପର୍ଯ୍ୟନ୍ତ ଶୀର୍ଷରେ ପହଞ୍ଚି ପାରିନାହିଁ, ସେଠାରେ ପଦ୍ମ ଫୁଟିବା ନିଶ୍ଚିତ। ବିଗତ ଦେଢ଼ ବର୍ଷରେ ବିଭିନ୍ନ ରାଜ୍ୟର ବିଧାନସଭା ଏବଂ ପୌର ନିର୍ବାଚନରେ ବିଜେପିର ଉଚ୍ଚ ସଫଳତା ହାର (Strike Rate) ସୂଚାଉଛି ଯେ ଜନସାଧାରଣ ମୋଦୀ ସରକାରଙ୍କ ବିକାଶ ଓ ସୁଶାସନ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ବିଜେପିର ପୂର୍ବ ଭାରତକୁ ନେଇ ଦୃଷ୍ଟି ଭଙ୍ଗୀ ଆଗାମୀ ଦିନରେ ଦକ୍ଷିଣ ଭାରତରେ ଦଳର ଶକ୍ତି ମଜବୁତ୍ କରିବ, ଏହା ନିସନ୍ଦେହ ।
ବିଜେପି-ଆରଏସଏସର ନୀତି-ନୈତିକତାରୁ ଏହାହିଁ ପ୍ରତୀୟମାନ ହେଉଛି ନିତିନ ନବୀନଙ୍କ ନିର୍ବାଚନ କେବଳ ଏକ ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ବିଜେପିର ଆଦର୍ଶ ଏବଂ ରଣନୀତିର ଏକ ପ୍ରତିଫଳନ ମନେହୁଏ। “ରାଷ୍ଟ୍ର ପ୍ରଥମ” ନୀତିରେ ବିଶ୍ୱାସ ରଖୁଥିବା ଜଣେ ଯୁବ ନେତାଙ୍କୁ ଦଳର ମୁଖିଆ ଦାୟିତ୍ବ ଦେଇ ବିଜେପି ସ୍ପଷ୍ଟ କରିଛି ଯେ ଆଗାମୀ ଦିନରେ ଦଳ ଆହୁରି ଅଧିକ ଆଧୁନିକ, ରଣନୈତିକ ଏବଂ ଜନସମର୍ପିତ ହେବ। ତେବେ ନିତିନ ମୋଦି-ଶାହଙ୍କ ସଂଗଠନ ଶକ୍ତିକୁ ଆଉ କେତେ ମଜବୁତ କରୁଛନ୍ତି ତାହା ସମୟ ହିଁ କହିବ
