ସମାଜରେ ମାନବତା ପାଇଁ ଦାୟିତ୍ୱବୋଧର ବାତାବରଣ ସୃଷ୍ଟି କରିବା – ଧର୍ମେନ୍ଦ୍ର ପ୍ରଧାନ

ସମାଜରେ ମାନବତା ପାଇଁ ଦାୟିତ୍ୱବୋଧର ବାତାବରଣ ସୃଷ୍ଟି କରିବା – ଧର୍ମେନ୍ଦ୍ର ପ୍ରଧାନ

ମହାତ୍ମା ଗାନ୍ଧୀ ଯେପରି ସ୍ୱଚ୍ଛତା ବା ସଫେଇକୁ ଏକ ଜନ ଆନ୍ଦୋଳନରେ ପରିଣତ କରି ଦେଶକୁ ଏକଜୁଟ କରିଥିଲେ, ଆମକୁ ମଧ୍ୟ ସେହିପରି ମାନବତା ଓ ସାମାଜିକ ସଂସ୍କାର ପାଇଁ ଏକ ଦୃଢ଼ ଦାୟିତ୍ୱବୋଧର ବାତାବରଣ ସୃଷ୍ଟି କରିବାକୁ ହେବ ବୋଲି ଆଜି ସମ୍ବଲପୁରରେ ଦୈନିକ ‘ସମ୍ବାଦ’ ଏବଂ ‘କନକ ନ୍ୟୁଜ୍’ ପକ୍ଷରୁ ଆୟୋଜିତ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ନିଜ ଅଭିଭାଷଣରେ କହିଛନ୍ତି ଯେ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମେତ ବୀର ସୁରେନ୍ଦ୍ର ସାଏ ଏବଂ ତାଙ୍କ ଭ୍ରାତା ଉଦନ୍ତ ସାଏଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ତ୍ୟାଗ ଓ ବୀରତ୍ୱକୁ ଏକ କୃତଜ୍ଞ ଜାତି ଭାବେ ଆମେ ବାରମ୍ବାର ମନେ ପକାଇବା ଉଚିତ, ଯାହା ନୂଆ ପିଢ଼ି ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିବ । ସମ୍ବଲପୁରର ଏହି ଅପରାଜେୟ ଯୋଦ୍ଧାଙ୍କ ବଳିଦାନ ଯୋଗୁଁ ହିଁ ସମ୍ବଲପୁର ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିପାରିଥିଲା। ସୁରେନ୍ଦ୍ର ସାଏଙ୍କ ସହ ତାଙ୍କ ଭ୍ରାତା ଉଦନ୍ତ ସାଏ ମଧ୍ୟ ଦେଶ ପାଇଁ ୩୭ ବର୍ଷ କାରାଦଣ୍ଡ ଭୋଗି ଯେଉଁ ବଳିଦାନ ଦେଇଛନ୍ତି, ସେଥିରୁ ଆଜିର ପିଲାମାନଙ୍କୁ ଅନେକ ନୂଆ କଥା ଶିଖିବାକୁ ପଡ଼ିବ।

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପରିବେଶ ସୁରକ୍ଷା ପାଇଁ ଭାରତ ଆଜି ଯେଉଁ ସଂକଳ୍ପ ନେଇଛି, ସେହି ଦିଗରେ ‘ସମ୍ବାଦ’ ପକ୍ଷରୁ ଆରମ୍ଭ ହୋଇଥିବା “ପୁନଶ୍ଚ ପୃଥିବୀ” ଅଭିଯାନକୁ ଶ୍ରୀ ପ୍ରଧାନ ଏକ ସାଧୁ ଉଦ୍ୟମ ଭାବେ ଅଭିହିତ କରିଛନ୍ତି । ବୈକଳ୍ପିକ ଶକ୍ତିର ବ୍ୟବହାର ଦ୍ୱାରା ଅଙ୍ଗାରକାମ୍ଳ ହ୍ରାସ କରିବା ପାଇଁ ହେଉଥିବା ପ୍ରୟାସରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ପୂରଣ କରିବା ପାଇଁ ଆମକୁ ଏବେଠାରୁ ପ୍ରସ୍ତୁତ ହେବାକୁ ପଡ଼ିବ। ଏହି ବିକାଶ ସେତେବେଳେ ସାର୍ଥକ ହେବ ଯେତେବେଳେ ଆମ ସମାଜ ସୁସ୍ଥ ଓ ସୁସଂଗଠିତ ରହିବ । ମାଳତୀ ଦେବୀ ଓ ରମାଦେବୀଙ୍କ ଭଳି ଆଦର୍ଶ ଚରିତ୍ର ଆଜିର ସମାଜରେ ସୃଷ୍ଟି ହେବ । ପରିବେଶକୁ ଠିକ୍ ରଖିବା, ନୂଆ ପିଢ଼ିକୁ ସଠିକ୍ ଦିଗଦର୍ଶନ ଦେବା, ମାଆ ଓ ଶିଶୁର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ଏବଂ ମାତୃଭାଷାକୁ ଆଗେଇ ନେବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି। ଆମର ଏହି ସାମାଜିକ ଓ ସାଂସ୍କୃତିକ ଲକ୍ଷ୍ୟଗୁଡ଼ିକ ଯେତେବେଳେ ପୂରଣ ହେବ, ସେତେବେଳେ ହିଁ ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ମହାନ ସଂଗ୍ରାମୀଙ୍କ ବଳିଦାନ ପ୍ରକୃତ ଅର୍ଥରେ ସାର୍ଥକ ହେବ ବୋଲି ସେ କହିଛନ୍ତି । ଶେଷରେ ‘ଜୁଗାର୍’ ସଂସ୍କରଣକୁ ଦୁଇ ମହାନାୟକଙ୍କ ସ୍ମୃତିରେ ଉତ୍ସର୍ଗ କରିଥିବାରୁ ସେ ସମ୍ବାଦ ଅନୁଷ୍ଠାନକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Posted in ରାଜ୍ୟ.