ଖିଣ୍ଡାରେ ବୀର ସୁରେନ୍ଦ୍ର ସାଏଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର, ୨୩/୦୧ (୨୦୨୬): ସ୍ୱାଧୀନତା ସଂଗ୍ରାମର ଅନନ୍ୟ ଜନନାୟକ, ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ଆଜି ତାଙ୍କ ଜନ୍ମପୀଠ ସମ୍ବଲପୁରର ଖିଣ୍ଡା ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୀର ସୁରେନ୍ଦ୍ର ସାଏଙ୍କ ଏକ ନବ ନିର୍ମିତ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିକୁ ଆନୁଷ୍ଠାନିକ ଭାବେ ଅନାବରଣ କରିଛନ୍ତି।
ପ୍ରତିମୂର୍ତ୍ତି ଅନାବରଣ କରିବା ପରେ ଶ୍ରୀ ପ୍ରଧାନ ଶହିଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, “ବୀର ସୁରେନ୍ଦ୍ର ସାଏ କେବଳ ଓଡ଼ିଶା ନୁହେଁ, ବରଂ ସମଗ୍ର ଭାରତବର୍ଷର ସଶସ୍ତ୍ର ସଂଗ୍ରାମର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଯୋଦ୍ଧା। ଖିଣ୍ଡା ମାଟିର ଏହି ମହାନ ବୀରଙ୍କ ବଳିଦାନ ଆମକୁ ଦେଶପ୍ରେମ ଓ ସ୍ୱାଭିମାନର ଶିକ୍ଷା ଦିଏ। ତାଙ୍କର ଏହି ଭବ୍ୟ ପ୍ରତିମୂର୍ତ୍ତି ଆଗାମୀ ପିଢ଼ି ପାଇଁ ପ୍ରେରଣାର ଏକ ଚିରନ୍ତନ ଉତ୍ସ ହୋଇ ରହିବ।”
ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀ ବା ‘ପରାକ୍ରମ ଦିବସ’ ହୋଇଥିବାରୁ, ଶ୍ରୀ ପ୍ରଧାନ ଉଭୟ ମହାନାୟକଙ୍କୁ ମନେ ପକାଇଥିଲେ। ସେ କହିଥିଲେ ଯେ ଓଡ଼ିଶାର ଏହି ଦୁଇ ବୀର ପୁତ୍ରଙ୍କ ସଂଗ୍ରାମ ଓ ସାହସିକତା ଭାରତର ସ୍ୱାଧୀନତା ଇତିହାସକୁ ରୁଦ୍ଧିମନ୍ତ କରିଛି। କେନ୍ଦ୍ର ସରକାର ସହିଦଙ୍କ ଜନ୍ମସ୍ଥାନଗୁଡ଼ିକର ବିକାଶ ଓ ସଂରକ୍ଷଣ ପାଇଁ ସର୍ବଦା ପ୍ରତିବଦ୍ଧ ବୋଲି ସେ ଦୋହରାଇଥିଲେ।
ଏହି ପ୍ରତିମୂର୍ତ୍ତି ଅନାବରଣ ଉତ୍ସବରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ପାରମ୍ପରିକ ବାଦ୍ୟ ଓ ସଂକୀର୍ତ୍ତନରେ ପୁରା ପରିବେଶ ଦେଶଭକ୍ତିମୟ ହୋଇଉଠିଥିଲା। ଶ୍ରୀ ପ୍ରଧାନଙ୍କ ସହିତ ଅନ୍ୟାନ୍ୟ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ବୀର ସୁରେନ୍ଦ୍ର ସାଏଙ୍କ ବୀରତ୍ୱ ଗାଥାକୁ ସ୍ମରଣ କରିଥିଲେ।
