ଆଜି ଆସୁଛନ୍ତି ରାଷ୍ଟ୍ରପତି

ଆଜି ଆସୁଛନ୍ତି ରାଷ୍ଟ୍ରପତି

୬ ଦିନିଆ ଓଡ଼ିଶା ଓ ଛତିଶଗଡ଼ ଗସ୍ତରେ ରାଷ୍ଟ୍ରପତି: ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଭୁବନେଶ୍ୱର: ମାଟିର ଝିଅ ତଥା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜିଠାରୁ ଓଡ଼ିଶା ଏବଂ ଛତିଶଗଡ଼ର ୬ ଦିନିଆ ଗସ୍ତ ଆରମ୍ଭ କରୁଛନ୍ତି। ଫେବୃଆରୀ ୨ ରୁ ୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଗସ୍ତ କାଳରେ ସେ ବାଲେଶ୍ୱର, ମୟୂରଭଞ୍ଜ ଏବଂ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆଜି ସନ୍ଧ୍ୟାରେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯିବା ନେଇ ପ୍ରସ୍ତୁତି ଶେଷ ହୋଇଛି।

ବାଲେଶ୍ୱର ଓ ରାଇରଙ୍ଗପୁରରେ ରହିଛି ବଡ଼ କାର୍ଯ୍ୟକ୍ରମ

  • ୩ ଫେବୃଆରୀ: ରାଷ୍ଟ୍ରପତି ବାଲେଶ୍ୱର ଗସ୍ତ କରି ଫକିର ମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହି ଅବସରରେ ସେ ବିଶ୍ୱବିଦ୍ୟାଳୟର ନବନିର୍ମିତ ଅଡିଟୋରିୟମକୁ ମଧ୍ୟ ଉଦଘାଟନ କରିବେ।
  • ୪ ଫେବୃଆରୀ: ନିଜ ଜନ୍ମମାଟି ରାଇରଙ୍ଗପୁରରେ ଦିନସାରା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ରାଷ୍ଟ୍ରପତି। ସେ ଭଞ୍ଜବୀର ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ମହୁଲଡିହା ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିବେ। ଏହାବ୍ୟତୀତ ଆୟୁର୍ବେଦ ମେଡିକାଲ କଲେଜ, ତୀରନ୍ଦାଜୀ କେନ୍ଦ୍ର ଏବଂ ସହରୀ ସୌନ୍ଦର୍ଯ୍ୟକରଣ ଭଳି ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦଘାଟନ କରିବାର କାର୍ଯ୍ୟସୂଚୀ ରହିଛି।

ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟ ଗସ୍ତ କରି ସେଠାରେ ଆଦିବାସୀ ସମ୍ପ୍ରଦାୟର ମହିଳା ଓ ଯୁବକମାନଙ୍କ ସହ ସିଧାସଳଖ ଭାବ ବିନିମୟ କରିବେ। ସେହିଦିନ ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ‘ବ୍ଲାକ୍ ସ୍ୱାନ୍ ସମ୍ମିଟ୍, ଇଣ୍ଡିଆ’ (Global Finance & Technology Network) ରେ ମଧ୍ୟ ସେ ଅଂଶଗ୍ରହଣ କରିବେ। ଗସ୍ତର ଶେଷ ପର୍ଯ୍ୟାୟରେ ରାଷ୍ଟ୍ରପତି ଛତିଶଗଡ଼ର ଜଗଦଲପୁର ଯିବେ। ସେଠାରେ ସେ ପ୍ରସିଦ୍ଧ ‘ବସ୍ତର ପାଣ୍ଡୁମ ୨୦୨୬’ ମହୋତ୍ସବକୁ ଉଦଘାଟନ କରିବେ।

Posted in ରାଜ୍ୟ.