ଏଥର ପୁଣି ଜିତିବେ କି ଦିଲ୍ଲୀପ ?

ଏଥର ପୁଣି ଜିତିବେ କି ଦିଲ୍ଲୀପ ?

ଭୁବନେଶ୍ୱର:ଓଡ଼ିଶା ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଏବେ ସମସ୍ତଙ୍କ ନଜର ଚତୁର୍ଥ ଆସନ ଉପରେ ରହିଛି। ଭାଜପା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ ମଇଦାନକୁ ଓହ୍ଲାଇବା ପରେ ଏହି ଆସନ ପାଇଁ ଲଢ଼େଇ ବେଶ୍ ରୋଚକ ହୋଇଛି ।ଓଡ଼ିଶାରୁ ରାଜ୍ୟସଭାର ଚତୁର୍ଥ ଆସନ ପାଇଁ ମୁକାବିଲା ହେବ ଦିଲ୍ଲୀପ ବନାମ ଦତ୍ତେଶ୍ବର । କଂଗ୍ରେସ ସମର୍ଥନରେ ଦତ୍ତେଶ୍ବରଙ୍କୁ ରାଜ୍ୟସଭା ପଠାଇ ପାରିବେ ତ ନବୀନ ? ନା ୨୦୦୨ ପରି ଦିଲ୍ଲୀପ ଦେବେ ଚକମା । କାରଣ ୨୦୦୨ ରାଜ୍ୟସଭା ନିର୍ବାଚନ ଫଳ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପାଇଁ ଥିଲା ଏକ ବଡ଼ ଧକ୍କା । ୨୦୦୨ରେ ବି ଓଡ଼ିଶାରୁ ଚତୁର୍ଥ ଆସନ ପାଇଁ ହୋଇଥିଲା ଲଢେଇ । ଯେଉଁଥିରେ ଏହି ଦିଲ୍ଲୀପ ରାୟ କଂଗ୍ରେସ ପ୍ରାର୍ଥୀ ମୋରିସ୍ କୁଜୁରଙ୍କୁ ପରାସ୍ତ କରି ନବୀନଙ୍କ ସବୁ ଅଙ୍କ ଭୁଲ କରିଦେଇଥିଲେ । ଦିଲ୍ଲୀପଙ୍କୁ ହରାଇବା ପାଇଁ ନବୀନ ସବୁ ପ୍ରକାର ଗୋଟି ଚାଳନା କରିଥିଲେ । ଏପରିକି କୁହାଯାଏ ବିଜେଡିର ବଳକା ଭୋଟ୍ ମୋରିସ କୁଜୁରଙ୍କୁ ଦେବା ଲାଗି କଂଗ୍ରେସ ସହ ନବୀନ କରିଥିଲେ ଭିତିରିଆ ଡିଲ୍‌ । ବିଧାନସଭାରେ ବିଜେଡିର ୭୧ ବିଜେପିର ୩୮ ଏବଂ କଂଗ୍ରେସର ୨୬ ବିଧାୟକ ଥିଲେ । ନବୀନଙ୍କ ଶତ ଚେଷ୍ଟା ସତ୍ତ୍ବେ ବିଜେଡିର ୧୪ ବିଧାୟକ, ବିଜେପିର ୮ ବିଧାୟକ, କଂଗ୍ରେସର ୨, ଜେଏମ୍ଏମର ଜଣେ ଓ ଜଣେ ସ୍ବାଧୀନ ବିଧାୟକଙ୍କ ଭୋଟ୍ ପାଇ ବିଜୟୀ ହୋଇଥିଲେ ଦିଲ୍ଲୀପ ରାୟ ।

ଓଡ଼ିଶାରେ ୪ଟି ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନରେ ରାଜନୈତିକ ବାତାବରଣ ବେଶ୍ ଉଷ୍ମ ହୋଇଛି। ଶେଷ ଦିନରେ ମୋଟ୍ ୫ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ପ୍ରଥମ ତିନୋଟି ଆସନରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହେବା ନିଶ୍ଚିତ ଜଣାପଡୁଛି। ମାତ୍ର ଚତୁର୍ଥ ଆସନକୁ ନେଇ ଏବେ ଅଙ୍କକଷା ଆରମ୍ଭ ହୋଇଯାଇଛି। ପ୍ରଥମ ତିନୋଟି ଆସନରେ କୌଣସି ପ୍ରତିଦ୍ୱନ୍ଦ୍ୱିତା ନଥିବାରୁ ଭାଜପାରୁ ମନମୋହନ ସାମଲ ଓ ସୁଜିତ କୁମାର ଏବଂ ବିଜେଡିରୁ ସନ୍ତୃପ୍ତ ମିଶ୍ର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବାର ସମ୍ଭାବନା ଅଧିକ। ଚତୁର୍ଥ ଆସନ ପାଇଁ ଦୁଇଜଣ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

ଦତ୍ତେଶ୍ୱର ହୋତା: ବିଜେଡି, କଂଗ୍ରେସ ଏବଂ ସିପିଆଇ(ଏମ୍‌)ର ମିଳିତ ସମର୍ଥନରେ ସେ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ପାଖରେ ମୋଟ ୩୩ ଖଣ୍ଡ ଭୋଟ୍ ରହିଛି।

ଦିଲ୍ଲୀପ ରାୟ ନାମାଙ୍କନ ଦାଖଲ ପରେ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ୨୦୦୨ ରାଜ୍ୟସଭା ନିର୍ବାଚନ ଭଳି ଏଥର ମଧ୍ୟ ବିଜୟ ଲାଭ କରିବେ । ଉଲ୍ଲେଖଯୋଗ୍ୟ ଯେ, ୨୦୦୨ରେ ବିଜେଡିରୁ ନିଲମ୍ବିତ ହେବା ପରେ ଶ୍ରୀ ରାୟ ସ୍ୱାଧୀନ ଭାବେ ଲଢ଼ିଥିଲେ


। ସେତେବେଳେ ରାଜ୍ୟରେ ବିଜେଡି-ଭାଜପା ମେଣ୍ଟ ସରକାର ଥିଲେ ମଧ୍ୟ ସର୍ବାଧିକ କ୍ରସ୍ ଭୋଟିଂ ହୋଇଥିଲା ଏବଂ ଦିଲ୍ଲୀପ ମାତ୍ର ୨୨ଟି ପ୍ରଥମ ପସନ୍ଦ ଭୋଟ୍ ପାଇ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେହି ସମୟରେ ‘ଘୋଡ଼ା ବେପାର’ର ଚର୍ଚ୍ଚା ମଧ୍ୟ ହୋଇଥିଲା, ଯେଉଁଥିରେ ବିଜେଡି, ଭାଜପା ଏବଂ କଂଗ୍ରେସର କିଛି ବିଧାୟକ ବିକ୍ରି ହୋଇଥିବା କୁହାଯାଇଥିଲା

ଦିଲୀପ ରାୟ: ଭାଜପା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କ ପାଖରେ ପ୍ରଥମ ପସନ୍ଦ ଭୋଟ୍ ଭାବେ ୨୨ ଖଣ୍ଡ ରହିଛି।

ସଂଖ୍ୟା ଗଣିତ ଅନୁଯାୟୀ ବିରୋଧୀ ପ୍ରାର୍ଥୀଙ୍କ ପଲା ଭାରି ଥିଲେ ମଧ୍ୟ ଦିଲୀପ ରାୟଙ୍କ ବିଜୟ ଦମ୍ଭୋକ୍ତି ରାଜନୈତିକ ମହଲରେ ଚହଳ ପକାଇଛି।

୨୦୦୨ ଇତିହାସର ପୁନରାବୃତ୍ତି ହେବ କି?

ନାମାଙ୍କନ ଦାଖଲ ପରେ ଶ୍ରୀ ରାୟ ୨୦୦୨ ମସିହା ନିର୍ବାଚନର ଉଦାହରଣ ଦେଇ ନିଜର ବିଜୟ ନିଶ୍ଚିତ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୦୨ରେ ବିଜେଡି-ଭାଜପା ମେଣ୍ଟ ସରକାର ଥିବା ବେଳେ ବିଜେଡିରୁ ନିଲମ୍ବିତ ଦିଲୀପ ରାୟ ସ୍ୱାଧୀନ ଭାବେ ଲଢ଼ିଥିଲେ। ସେତେବେଳେ ବ୍ୟାପକ ‘ଘୋଡ଼ା ବେପାର’ ଓ ‘କ୍ରସ୍ ଭୋଟିଂ’ ଚର୍ଚ୍ଚା ମଧ୍ୟରେ ସେ ମାତ୍ର ୨୨ଟି ପ୍ରଥମ ପସନ୍ଦ ଭୋଟ୍ ପାଇ ବିଜୟୀ ହୋଇ ସମସ୍ତଙ୍କୁ ଚକିତ କରିଥିଲେ।

ସେହି ସମୟରେ ଦିଲୀପଙ୍କୁ ସମର୍ଥନ କରିଥିବା କାରଣରୁ କଂଗ୍ରେସ ନିଜର ୩ ବିଧାୟକ (ତାରା ପ୍ରସାଦ ବାହିନୀପତି, କାର୍ତ୍ତିକ ମହାପାତ୍ର ଓ ମମତା ମାଢ଼ୀ)ଙ୍କୁ ନିଲମ୍ବିତ କରିଥିଲା। ବର୍ତ୍ତମାନ ପୁଣି ଥରେ ଦିଲୀପ ସମାନ ସଂଖ୍ୟା (୨୨ ଭୋଟ୍) ସହ ମଇଦାନରେ ଥିବାରୁ ଇତିହାସ ନିଜକୁ ଦୋହରାଇବ କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

Posted in ରାଜ୍ୟ.