ବିଶ୍ୱ ତୈଳ ସଙ୍କଟ ମଧ୍ୟରେ ଫୁଜୈରାହ ଟର୍ମିନାଲ୍ ଉପରେ ଆକ୍ରମଣ; ସୁରକ୍ଷିତ ଭାବେ ଫେରିଲା ଭାରତୀୟ ଜାହାଜ ‘ଜଗ୍ ଲାଡକି’

ବିଶ୍ୱ ତୈଳ ସଙ୍କଟ ମଧ୍ୟରେ ଫୁଜୈରାହ ଟର୍ମିନାଲ୍ ଉପରେ ଆକ୍ରମଣ; ସୁରକ୍ଷିତ ଭାବେ ଫେରିଲା ଭାରତୀୟ ଜାହାଜ ‘ଜଗ୍ ଲାଡକି’

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ-ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାରକୁ ସଙ୍କଟାପନ୍ନ କରିଛି। ସମୁଦ୍ର ପଥରେ ତେଲ ବୋଝେଇ ଜାହାଜଗୁଡ଼ିକ ଉପରେ ବାରମ୍ବାର ଆକ୍ରମଣ ହେଉଥିବା ବେଳେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ୟୁଏଇ ର ଫୁଜୈରାହ ତୈଳ ଟର୍ମିନାଲ୍‌ରେ ଆକ୍ରମଣ ସତ୍ତ୍ୱେ ଭାରତୀୟ ପତାକାଧାରୀ ଜାହାଜ ‘ଜଗ୍ ଲାଡକି’ ସୁରକ୍ଷିତ ଭାବେ ସେଠାରୁ ପ୍ରସ୍ଥାନ କରିଛି।

ଭାରତୀୟ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୧୪ ମାର୍ଚ୍ଚ, ୨୦୨୬ରେ ‘ଜଗ୍ ଲାଡକି’ ଜାହାଜଟି ଫୁଜୈରାହ ସିଙ୍ଗଲ୍ ପଏଣ୍ଟ ମୁରିଂରେ ଅଶୋଧିତ ତେଲ (Crude Oil) ଲୋଡ୍ କରୁଥିଲା। ଠିକ୍ ସେହି ସମୟରେ ଫୁଜୈରାହ ତୈଳ ଟର୍ମିନାଲ୍ ଉପରେ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣ ପରେ ଜାହାଜ ଓ ଏହାର କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଯାଇଥିଲା।

ତେବେ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଆକ୍ରମଣ ପରେ ଜାହାଜଟି ସୁରକ୍ଷିତ ରହିଛି। ଗତ ରବିବାର ସକାଳ ୧୦:୩୦ ମିନିଟ୍‌ରେ ଏହା ଫୁଜୈରାହରୁ ସୁରକ୍ଷିତ ଭାବେ ବାହାରି ଆସିଛି। ଭାରତକୁ ତୈଳ ଯୋଗାଣ ବ୍ୟାହତ ନହେବା ପାଇଁ ସରକାର ସମସ୍ତ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି।

ବିବାଦ ଯୋଗୁଁ ଅନେକ ତେଲ ବୋଝେଇ ଜାହାଜ ଏବେ ସମୁଦ୍ର ମଝିରେ ଫସି ରହିଛି। ବାରମ୍ବାର ଆକ୍ରମଣ ଯୋଗୁଁ ଆଗାମୀ ଦିନରେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବଢ଼ିବା ସହ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେବାର ଆଶଙ୍କା କରାଯାଉଛି।

Posted in ଦେଶ ବିଦେଶ.