ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର, ଯେଉଁଠାରେ ବିଜ୍ଞାନ ଓ ଆଧ୍ୟାତ୍ମିକତାର ଅଦ୍ଭୁତ ସମନ୍ୱୟ ଦେଖିବାକୁ ମିଳେ ବୋଲି ଆଜି ବାବା ମହାକାଳଙ୍କ ପବିତ୍ର ନଗରୀ ଉଜ୍ଜୟିନୀ (ଅବନ୍ତୀକା)ରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସୁରେଶ ସୋନୀଙ୍କ ସହ ମିଳିତ ଭାବେ ‘ମହାକାଳ: ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ‘ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନ ୨୦୨୬-୨୭’ ର ୱେବସାଇଟ୍ ଏବଂ ପୁସ୍ତିକା ଉନ୍ମୋଚନ କରିଛନ୍ତି । ସେ କହିଛନ୍ତି ଯେ,ଉଜ୍ଜୟିନୀ କେବଳ ଏକ ସ୍ଥାନ ନୁହେଁ, ବରଂ ଏହା ସମୟ ଗଣନାର ଏକ ପ୍ରମୁଖ କେନ୍ଦ୍ର । ଉଜ୍ଜୟିନୀକୁ ପୁନର୍ବାର ‘ଗ୍ଲୋବାଲ୍ ମେରିଡିଆନ୍’ ବା ବିଶ୍ୱ ସମୟ ନିର୍ଦ୍ଧାରଣର ମାନକ ଭାବେ ପ୍ରତିଷ୍ଠା କରିବା ପାଇଁ ଚାଲିଥିବା ପ୍ରୟାସ ଆମର ପ୍ରାଚୀନ ବିଜ୍ଞାନକୁ ଆଧୁନିକ ଯୁଗ ସହ ଯୋଡ଼ିବ । ଅପରପକ୍ଷରେ ଜାତୀୟ ଶିକ୍ଷା ନୀତି -୨୦୨୦ ମାଧ୍ୟମରେ ଭାରତ ଆଜି ଟି.ବି ମାକାଉଲେଙ୍କ ପରାଧୀନ ଶିକ୍ଷା ମାନସିକତାରୁ ବାହାରି ନିଜର ମୂଳ ଜ୍ଞାନ ଓ ଭାଷା ସହିତ ଯୋଡ଼ି ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏକ ସ୍ୱାଭିମାନୀ ଓ ବିକଶିତ ରାଷ୍ଟ୍ର ଗଠନ ଦିଗରେ ଆଗେଇ ଚାଲିଛି ବୋଲି ସେ କହିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ଯୁବପିଢ଼ିଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବୃଦ୍ଧି କରିବା ଲକ୍ଷ୍ୟରେ ଏକ ‘ଉଜ୍ଜୟିନୀ ସାଇନ୍ସ ସେଣ୍ଟର’ ର ଲୋକାର୍ପଣ କରିଛନ୍ତି । ଏହି ବିଜ୍ଞାନ କେନ୍ଦ୍ର ଯୁବପିଢ଼ିଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା, ନୂତନ ଅନୁସନ୍ଧାନ ଏବଂ କିଛି ନୂଆ ଜାଣିବାର ଆଗ୍ରହ ବଢ଼ାଇବାରେ ଏକ ବଡ଼ ମାଧ୍ୟମ ହେବ । ଉଜ୍ଜୟିନୀର ଆଧ୍ୟାତ୍ମିକ ପରମ୍ପରା ସହ ଆଧୁନିକ ବିଜ୍ଞାନର ଏହି ମିଳନ ଯୁବପିଢ଼ିଙ୍କୁ ଜ୍ଞାନୀ ଏବଂ ସଂସ୍କାରୀ କରିବ ବୋଲି ସେ କହିଛନ୍ତି । ଗସ୍ତ କାଳରେ ଶ୍ରୀ ପ୍ରଧାନ ଶ୍ରୀ ଅଙ୍ଗାରେଶ୍ୱର ମହାଦେବ ମନ୍ଦିରରେ ଦର୍ଶନ କରିବା ସହ ଗୋ-ସେବା କରିଥିଲେ । ଗୋ-ସେବାକୁ ସେ ଭାରତୀୟ ସଂସ୍କୃତିର କରୁଣା ଓ ସଂବେଦନାର ଜୀବନ୍ତ ସ୍ୱରୂପ ବୋଲି ସେ ଅଭିହିତ କରିଛନ୍ତି ।
