ନୂଆପଡ଼ା ଓ ବଲାଙ୍ଗୀର ପାଇଁ ଖୁସି ଖବର । ଓଡ଼ିଶାରେ ନୂଆ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ମଞ୍ଜୁର ହେଲା ୪୪୭ କୋଟି ଟଙ୍କା । ଓଡ଼ିଶାରେ ସଡ଼କ ଯୋଗାଯୋଗକୁ ଅଧିକ ମଜବୁତ କରିବା ପାଇଁ ସରକାର କୁରୁମପୁରୀରୁ ରାଜଖରିଆର ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ୪୪୭.୧୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ ଅଧୀନରେ ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲା ଦେଇ ଯାଇଥିବା NH-353 ଏବଂ NH-59 ର ମୋଟ ୧୦୩.୫୨ କିଲୋମିଟର ରାସ୍ତାର କାମ କରାଯିବ ।
ଏହା ଦ୍ୱାରା ରାଜ୍ୟ ରାଜ୍ୟ ମଧ୍ୟରେ ଯୋଗାଯୋଗ ସୁବିଧା ହେବ । ଏହି ରାସ୍ତା ଛତିଶଗଡ଼ର ରାୟପୁର-ମହାସମୁନ୍ଦ ଅଞ୍ଚଳକୁ ଓଡ଼ିଶାର ବ୍ରହ୍ମପୁର ଏବଂ ଗୋପାଳପୁର ବନ୍ଦର ସହିତ ସିଧାସଳଖ ଯୋଡ଼ିବ । ଏହାଦ୍ୱାରା ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଏବଂ ଗଞ୍ଜାମ ଭଳି ୫ଟି ଜିଲ୍ଲାକୁ ଫାଇଦା ହେବା ସହ ଜିଲ୍ଲାରେ ଯାତ୍ରୀ ଏବଂ ମାଲ୍ ପରିବହନ ଅଧିକ ସହଜ ଓ ଦ୍ରୁତ ହେବ ।
ରାସ୍ତାରେ ଥିବା ବିପଜ୍ଜନକ ସ୍ଥାନ (Black spots) ଗୁଡ଼ିକର ସଂସ୍କାର କରାଯିବ ଏବଂ ପକ୍କା କଡ଼ (Paved shoulders) ନିର୍ମାଣ ହେବ । ଏହା ବିଶେଷ କରି ବାଇକ୍ ଆରୋହୀଙ୍କ ପାଇଁ ଯାତ୍ରାକୁ ଅଧିକ ସୁରକ୍ଷିତ କରିବ । ଏହି ରାସ୍ତା କାମ ଶେଷ ହେଲେ ଦାରିଙ୍ଗବାଡ଼ି ଏବଂ ସୁନାବେଡ଼ା ଅଭୟାରଣ୍ୟ ପରି ପ୍ରମୁଖ ପର୍ଯ୍ୟଟନ ସ୍ଥଳୀକୁ ଯିବା ଆସିବା ସହଜ ହେବ । ଏହା ସ୍ଥାନୀୟ ଅର୍ଥନୀତିକୁ ମଧ୍ୟ ସମୃଦ୍ଧ କରିବ ।
