ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଜନଗଣନା-୨୦୨୭ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି । ପ୍ରଥମେ ଡିଜିଟାଲ ମାଧ୍ୟମରେ ସ୍ୱ-ଜନଗଣନା ଜାରି ରହିଛି। ନାଗରିକମାନେ ସେଲ୍ଫ ଏନୁମରେସନ ପୋର୍ଟାଲରେ ଅନଲାଇନରେ ନିଜର ତଥ୍ୟ ଦାଖଲ କରି ଜନଗଣନାରେ ସାମିଲ ହୋଇପାରୁଛନ୍ତି। ତେବେ ଏହି ପ୍ରକ୍ରିୟା ସମ୍ପର୍କରେ ଗଣମାଧ୍ୟମ ଜରିଆରେ ବ୍ୟାପକ ପ୍ରଚାର ପ୍ରସାର ଉପରେ ଗୁରୁତ୍ୱାରୋପ କରିଛନ୍ତି ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଶ୍ରୀ ଅଖିଳ କୁମାର ମିଶ୍ର। ରାଜ୍ୟ ଜନଗଣନା ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ ଆଜି ଏ ପ୍ରସଙ୍ଗରେ ଏଡିଜି ଶ୍ରୀ ମିଶ୍ରଙ୍କ ସହିତ ମତବିନିମୟ କରିଛନ୍ତି। ଏହି ବୈଠକରେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ସମାଚାର ବିଭାଗ ମୁଖ୍ୟ ଅଭିଷେକ ମିଶ୍ରା ମଧ୍ୟ ଉପସ୍ଥିତ ଥିଲେ। ମତବିନିମୟ ସମୟରେ ବର୍ତ୍ତମାନ ଜାରି ରହିଥିବା ଜନଗଣନାର ପ୍ରମୁଖ ଦିଗଗୁଡ଼ିକ ଉପରେ ଆଲୋକପାତ କରାଯାଇଥିଲା।ବୈଠକରେ ଜନ ଭାଗିଦାରୀ ବଢ଼ାଇବା, ଜନ ସଚେତନତାକୁ ସୁଦୃଢ଼ କରିବା ଏବଂ ଜନଗଣନା କାର୍ଯ୍ୟକ୍ରମରେ ପ୍ରଭାବୀ ସମନ୍ୱୟ ସୁନିଶ୍ଚିତ କରିବା ଉପରେ ଆଲୋଚନା କରାଯାଇଥିଲା। ସ୍ୱ-ଜନଗଣନା ସୁବିଧା ଯୋଗାଇ ଦେବା ଏବଂ ଏହାକୁ ନାଗରିକଙ୍କ ପାଇଁ ଅଧିକ ସୁଲଭ ଓ ଦକ୍ଷ କରିବାରେ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକର ଭୂମିକା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।
ଶ୍ରୀ କଲ୍ୟାଣ ଜୋର ଦେଇ କହିଥିଲେ, ଜନଗଣନା ତଥ୍ୟକୁ ସଠିକ୍ ଏବଂ ସମ୍ପୂର୍ଣ୍ଣ କରିବା ଲାଗି ସକ୍ରିୟ ଜନଭାଗିଦାରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସ୍ୱ-ଜନଗଣନା ପ୍ରୟାସର କାର୍ଯ୍ୟକାରିତାକୁ ସଫଳ କରିବାରେ ନାଗରିକଙ୍କ ସହଯୋଗ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ସେ ଉଲ୍ଲେଖ କରିଥିଲେ।
ଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ଲୋକଙ୍କ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ଲାଗି ରଣନୀତିକ ଯୋଗାଯୋଗ ଏବଂ ଗଣମାଧ୍ୟମ ଜରିଆରେ ବ୍ୟାପକ ପ୍ରଚାର ପ୍ରସାର ଉପରେ ପିଆଇବି ଏଡିଜି ଗୁରୁତ୍ୱ ଦେଇଥିଲେ। ତୃଣମୂଳ ସ୍ତରରେ ସୂଚନା ପହଞ୍ଚାଇବା ଏବଂ ସର୍ବାଧିକ ଜନଭାଗିଦାରୀ ସୁନିଶ୍ଚିତ କରିବାରେ ଦୂରଦର୍ଶନର ଭୂମିକା ଉପରେ ଶ୍ରୀ ଅଭିଷେକ ମିଶ୍ରା ଆଲୋକପାତ କରିଥିଲେ।
ଜନଗଣନା କାର୍ଯ୍ୟକ୍ରମକୁ ଅଧିକ ସୁଗମ କରିବା ଏବଂ ଦକ୍ଷତାପୂର୍ଣ୍ଣ ଭାବେ ପରିଚାଳନା କରିବା ଲାଗି ସରକାରୀ ସଂସ୍ଥା ଓ ଗଣମାଧ୍ୟମ ସଂସ୍ଥା ମଧ୍ୟରେ ସମନ୍ୱିତ ପ୍ରୟାସ କରିବା ନେଇ ଅନ୍ୟ ଅଧିକାରୀମାନେ ସହମତ ହୋଇଥିଲେ। ସଚେତନତା ଅଭିଯାନ ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବାର ପ୍ରତିଶ୍ରୁତିବଦ୍ଧତା ସହିତ ବୈଠକର ପରିସମାପ୍ତି ହୋଇଥିଲା।
