ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ଶିଷ୍ୟ ଦୀପକ ଲୋଧି ଓରଫ ରସିକ ଦୁଲାରୀ ଶରଣଙ୍କ ମୃତ୍ୟୁ ଘଟଣାକୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ। ସେପ୍ଟେମ୍ବର ୨୫ରେ ଗୁରୁ କୃପା କୁଞ୍ଜ ଆଶ୍ରମର ଛାତରୁ ଡେଇଁପଡ଼ି ଦୀପକ ଆତ୍ମହତ୍ୟା କରିଥିବା ଖବର ଆସିଥିଲା। ପରେ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ହୋଇଥିଲା। ଏହି ଘଟଣା ପରେ ନିଜ ନିଖୋଜ ପରିଜନଙ୍କ ସନ୍ଧାନରେ ଆସିଥିବା ତିନିଟି ପରିବାର ଆଶ୍ରମ ବାହାରେ ହଙ୍ଗାମା କରିଥିଲେ।ଏହାରି ମଧ୍ୟରେ ଶ୍ରୀକୃଷ୍ଣ ଜନ୍ମଭୂମି ସଂଘର୍ଷ ନ୍ୟାସର ଅଧ୍ୟକ୍ଷ ତଥା ହିନ୍ଦୁବାଦୀ ନେତା ଦିନେଶ ଶର୍ମା ଫଲାହାରୀ ଆଶ୍ରମକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ ଦାବି ଅନୁସାରେ, ବୃନ୍ଦାବନର କେଲି କୁଞ୍ଜ ଆଶ୍ରମ ଏବେ ଭୂମାଫିଆଙ୍କ କେନ୍ଦ୍ର ପାଲଟିଛି। ଆଶ୍ରମରେ ଦୁଇଟି ଗୋଷ୍ଠୀ ରହିଥିବା ସେ ଅଭିଯୋଗ କରିଛନ୍ତି—ଗୋଟିଏ ଅସଲି ସାଧୁଙ୍କର ଏବଂ ଅନ୍ୟଟି ନକଲି ସାଧୁଙ୍କର। ନକଲି ସାଧୁଙ୍କ ଗୋଷ୍ଠୀ ଜମି ଓ ସମ୍ପତ୍ତି କାରବାରରେ ସାମିଲ ଥିବା ସହ ପ୍ରାୟ ୧୫ଟି ଆଶ୍ରମ ଉପରେ କବ୍ଜା କରିଥିବା ସେ କହିଛନ୍ତି।
ଦିନେଶ ଶର୍ମାଙ୍କ ଅନୁସାରେ, ଏହି ଘଟଣାକ୍ରମରେ ପ୍ରେମାନନ୍ଦ ମହାରାଜ ମଧ୍ୟ ଦୁଃଖିତ ଅଛନ୍ତି ଏବଂ କେଲି କୁଞ୍ଜ ଛାଡ଼ି ପ୍ରାୟ ୨୦ କିଲୋମିଟର ଦୂର ବେଲବନ ଆଶ୍ରମକୁ ଚାଲିଯାଇଛନ୍ତି। ଆଶ୍ରମରେ ରହୁଥିବା ସାଧୁଙ୍କ ପୁଲିସ ଭେରିଫିକେସନ କରାଯିବା ସହ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ ହେବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି। ଏଥିସହ ପ୍ରେମାନନ୍ଦ ମହାରାଜଙ୍କ ସୁରକ୍ଷା ପାଇଁ ଜେଡ୍ ପ୍ଲସ୍ ସୁରକ୍ଷା ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖାଯାଇଥିବା ସେ କହିଛନ୍ତି।
ଅନ୍ୟପଟେ ମଥୁରାର ସାଧ୍ୱୀ ଇନ୍ଦୁଲେଖା ମଧ୍ୟ କିଛି ଅସାମାଜିକ ତତ୍ତ୍ୱ ପ୍ରେମାନନ୍ଦ ମହାରାଜଙ୍କ ନାଁକୁ ବ୍ୟବହାର କରି ଜମି ଉପରେ ଅବୈଧ କବ୍ଜା କରୁଥିବା ଅଭିଯୋଗ କରିଛନ୍ତି। ତାଙ୍କ କହିବା ଅନୁସାରେ, ଏହି କାରଣରୁ ଆଶ୍ରମର ପରିବେଶ ଖରାପ ହୋଇଛି ଏବଂ ମହାରାଜଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି।
ଏହି ବିବାଦ ମଧ୍ୟରେ ଦୀପକ ଲୋଧିଙ୍କ ମୃତ୍ୟୁର ୯ ଦିନ ପରେ ରାଧା କେଲି କୁଞ୍ଜ ଟ୍ରଷ୍ଟ ପକ୍ଷରୁ ଏକ ଆପିଲ୍ ଜାରି କରାଯାଇଛି। ଆଶ୍ରମ ପରିଚାଳନା ପକ୍ଷରୁ କୁହାଯାଇଛି ଯେ, ସାମ୍ପ୍ରତିକ ଘଟଣାରେ ପ୍ରେମାନନ୍ଦ ମହାରାଜ ଅତ୍ୟନ୍ତ ମର୍ମାହତ। ମୃତକଙ୍କ ପରିବାର ପ୍ରତି ଟ୍ରଷ୍ଟ ପକ୍ଷରୁ ସମବେଦନା ଜଣାଯାଇଛି। ଏଥିସହ ପୁଲିସ ପ୍ରଶାସନର ନିରପେକ୍ଷ ଓ ତଥ୍ୟଭିତ୍ତିକ ତଦନ୍ତରେ କେଲି କୁଞ୍ଜ ଟ୍ରଷ୍ଟ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି କୁହାଯାଇଛି।
