

ଆଜି ପବିତ୍ର ଅକ୍ଷୟ ତୃତୀୟା ତଥା ଓଡ଼ିଆ ଜାତିର ଗର୍ବ ଗୈାରବ , ମେଧା ପତାକା ଉତ୍ତୋଳକ କବିରାଜ ଜୟଦେବଙ୍କ ପବିତ୍ର ଜୟନ୍ତୀ । ବିଶେଷ କରି ବ୍ୟକ୍ତିଗତ ଭାବେ ଆମ ପାଇଁ ମଧ୍ୟ ଏକ ସ୍ମରଣୀୟ ତିଥି । ଆଜି ର ତିଥି ରେ ଆମ ଜନ୍ମଦାତ୍ରୀ ଜନ୍ମ ଗ୍ରହଣ କରିଥିଲା । ବୋଉ ବଞ୍ଚିଥିଲେ ଆଜି ଆମେ ତା’ର ଜନ୍ମ ଶତବାର୍ଷିକୀ ପାଳନ କରିବାର ସୌଭାଗ୍ୟ ଲାଭ କରିଥାନ୍ତୁ । ପ୍ରଭୁ ଆମକୁ ସେ ସୁଯୋଗ ଦେଲେ ନାହିଁ । ଦଶ ମାସ ହେଲାଣି ବୋଉ ଯିବାର ସତ୍ୟ ମାତ୍ର, ଦଶ ଘଡ଼ି ମଧ୍ୟ ଆମେ ତା’ର ଅମୃତ ଅମ୍ଲାନ ସ୍ମୃତି ଠାରୁ ଦୂରେଇ ଯାଇ ନାହୁଁ । ପ୍ରତି ମୁହୂର୍ତ୍ତରେ ତା’ର ଅଭାବ ଅନୁଭୂତ ହୋଇଛି । ବୋଉ ! ତୋତେ ତୋ ଜନ୍ମଦିନର ଅଭିନନ୍ଦନ ଜଣାଉଛି, ଆଶୀର୍ବାଦ କାମନା କରୁଛି । ଅପରପକ୍ଷରେ ଏଠାରେ ଆଜିର ପବିତ୍ର ତିଥି ସମ୍ପର୍କରେ ଅର୍ଥାତ୍ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ସହିତ କୃତ୍ତିକା ବା ରୋହିଣୀ ନକ୍ଷତ୍ରଯୁକ୍ତ ହେଲେ ମହାଫଳ ପ୍ରାପ୍ତି ହୁଏ ବୋଲି ଛୋଟ ପିଲା ଦିନେ ଜେଜେ ମା ରେବତୀ ଦେବୀ ଙ୍କ ଠାରୁ ଜାଣିବାକୁ ପାଇଥିଲୁ । ଏହାକୁ ବ୍ରତ ରୂପେ ମଧ୍ୟ ପାଳନ କରାଯାଏ । ବ୍ରତୀମାନେ ଶୁଦ୍ଧକାଳରେ ଏହି ବ୍ରତକୁ ଆରମ୍ଭକରି ଆଠବର୍ଷରେ ଉଦ୍ଯାପନ କରନ୍ତି । ଏହିଦିନ ଜଳଦାନ କଲେ କି ପୁଣ୍ୟଫଳ ମିଳେ । ଏ ସଂପର୍କରେ ଚମତ୍କାର ଉପାଖ୍ୟାନଟି ନିମ୍ନ ରେ ଏହିପରି- “ପୁରାକାଳରେ ଜଣେ ପାପୀ ବ୍ରାହ୍ମଣ ଥିଲେ । ସେ ତାଙ୍କ ଜୀବନରେ କିଛି ଦାନ ଧର୍ମକାର୍ଯ୍ୟ କରି ନଥିଲେ । ଥରେ ତାଙ୍କ ଗୃହକୁ ଅନ୍ୟ ଜଣେ ତୃଷାର୍ତ୍ତ ବ୍ରାହ୍ମଣ ଆସି ଜଳଭିକ୍ଷା କଲେ । ପାପୀ ବ୍ରାହ୍ମଣ ତାଙ୍କୁ ଜଳ ନଦେଇ ନିଷ୍ଠୁର ଭାବେ ଗୃହରୁ ବିତାଡିତ କଲା ସମୟରେ ସୁଶିଳା ନାମ୍ନୀ ତାଙ୍କ ସ୍ତ୍ରୀ ଆସି ସ୍ୱାମୀକୁ ସେ କାର୍ଯ୍ୟରୁ ନିବୃତ୍ତ କଲେ ଓ ତୃଷାର୍ତ୍ତକୁ ଜଳଦାନ କଲେ । କିଛି ବର୍ଷ ପରେ ପାପୀ ବ୍ରାହ୍ମଣଙ୍କର ମୃତ୍ୟୁ ହେଲା । ଯମଦୂତମାନେ ଆସି ତାଙ୍କୁ ବାନ୍ଧି ନେଇଗଲେ । ଯମପୁରୀରେ ଥାଇ ଥରେ ସେ ତୃଷାର୍ତ୍ତ ହୋଇ ଯମଦୂତଙ୍କୁ ଜଳଭିକ୍ଷା କଲେ। ଯମଦୂତମାନେ ତାହାକୁ ତିରଷ୍କାର କରି କହିଲେ- ନିଜ ଜୀବନରେ କେବେ ଜଳଦାନ ନକରି ଜଳଭିକ୍ଷା କରୁଛୁ କିପରି, ପାପୀ ? ଏହି ସମୟରେ ସ୍ୱୟଂ ଯମରାଜ ସେଠାରେ ପହଞ୍ଚି ସ୍ୱହସ୍ତରେ ସେ ବ୍ରାହ୍ମଣକୁ ଜଳଦାନ କଲେ । ଦୂତମାନେ ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ପଚାରିବାରୁ ଯମରାଜ କହିଲେ – ଏହି ବ୍ରାହ୍ମଣ ସାରା ଜୀବନ ପାପକର୍ମ କରିଥିଲେ ସୁଦ୍ଧା ଅକ୍ଷୟତୃତୀୟା ଦିନ ଏହାର ସ୍ତ୍ରୀ ତୃଷାର୍ତ୍ତ ବ୍ରାହ୍ମଣକୁ ଜଳଦାନ କରିଥିଲା । ସ୍ତ୍ରୀର ସେହି ପୁଣ୍ୟବଳରୁ ଏହାର ପାପ ଖଣ୍ଡନ ହୋଇଛି । ତେଣୁ ଏହାର ଆଉ ନର୍କଭୋଗ ଯୋଗ ନାହିଁ । ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ନିଜେ ଭୂମିପୂଜା କରି ବୀଜବପନ କରୁଥିଲେ । ଭୂମିକର୍ଷଣ ସମୟରେ ସେ ସୀତାଙ୍କୁ ଲାଭ କରିଥିବାରୁ ଋକ୍ ବେଦରେ ସୀତା ଉତ୍କୃଷ୍ଟ ବୀଜଦାତ୍ରୀ ରୂପେ ବର୍ଣ୍ଣିତ ହୋଇଛନ୍ତି । ବୈଦିକ ଋଷିମାନେ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ସୀତାଙ୍କୁ ସ୍ତୁତି କରିଛନ୍ତି । ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ଗୋଟିଏ ପ୍ରଶସ୍ତ ଶୁଭଦିନ ରୂପେ ବର୍ଣ୍ଣନା କରାଯାଉଛି ।ଏହି ତିଥିରେ ଶ୍ରୀଜୀଉମାନଙ୍କର ରଥନିର୍ମାଣ ପାଇଁ ଅନୁକୂଳ କରାଯାଏ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ବନଯୋଗହୋମର ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଥାନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଉଦ୍ଦିଷ୍ଟ ଗୋଟିଏ ଧଉରା କାଠ ଗଣ୍ଡିରେ କୁରାଢି ସ୍ପର୍ଶ କରାଯାଇଥାଏ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥାଏ । ଏହାକୁ ତିନିଜଣ ପୂଜାପଣ୍ଡା ଆଣିଥାନ୍ତି । ଶ୍ରୀଜଗନ୍ନାଥ ମନ୍ଦିର ସମ୍ମୁଖସ୍ଥ ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣମାନେ ବନଯୋଗ ପୂଜା ସମ୍ପାଦନା କରିବାର ବିଧି ରହିଛି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୁଏ । ରଥ ସଂହିତା ଓ ଶିଳ୍ପଶାସ୍ତ୍ର ଅବଲମ୍ବନରେ ରଥ ନିର୍ମାଣ କରାଯାଏ । ଏଥିରେ ୧୧୩୯ ଖଣ୍ଡ କାଠଲାଗିଥାଏ । ସେହି କାଠଗୁଡିକ ହେଲା ଫାସି, ଅସନ, ଧଉରା, ଶିମିଳି, ପାଳଧୂଆ, ମହାନିମ୍ବ, ଗମ୍ଭାରୀ, ମଇ, କଦମ୍ବ, ଦେବଦାରୁ ଇତ୍ୟାଦି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ମଚାରୀ ରଥଖଳାରେ ଉପସ୍ଥିତ ରହି ଏହି କାର୍ଯ୍ୟ ସୁରୁଖୁରରେ ହେବାରେ ସାହାଯ୍ୟ କରିଥାନ୍ତି । ବାହାର ଚନ୍ଦନ ଯାତ୍ରାର ଶେଷଦିନ ରଥ ଅଖରେ ଚକ ଲାଗେ । ବୈଶାଖ, ଶୁକ୍ଳ ତୃତୀୟା କୁ ଅକ୍ଷୟ ତୃତୀୟା ଭାବେ ପରିଚିତ । ଏହି ଦିନକୁ ଔପଚାରିକ ଭାବେ ସରକାରୀ ସ୍ତରରେ କୃଷକ ଦିବସ ରୂପେ ପାଳନ କରାଯାଏ । କୃଷକମାନେ ଏହାକୁ ବଡ଼ ଶୁଦ୍ଧି ଓ ସିଦ୍ଧିର ଦିବସ ଭାବେ ପାଳନ କରିଥାନ୍ତି । କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି (ଅକ୍ଷୟମୁଠି) ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରିଥାଏ । ଆମର ମନେ ଅଛି ବାବା( ପୋଷ୍ୟପିତା) ଙ୍କ ସହ ଆମେ ଗାଧୋଇ, ନୂଆ ଗାମୁଛା ପିନ୍ଧି ପାଣି ଢାଳ ଧରି ମହାବିଦ୍ୟାଳୟ ର ଛାତ୍ର ହେବା ପର୍ଯ୍ୟନ୍ତ ଯାଉଥିଲୁ । ସେହିପରି ଏହାକୁ ଶୁଭଦିନ ଭାବେ ମନେକରି ଏହିଦିନ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୁଏ । ଚାଷୀ ନିଜ ସ୍ତ୍ରୀଠାରୁ ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନପୂର୍ଣ୍ଣ ନୂଆ ଗଉଣିକୁ ଶଙ୍ଖ ହୁଳହୁଳି ମଧ୍ୟରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳଲଙ୍ଗଳ ଧରି କ୍ଷେତକୁ ଯାଏ । ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗଦେଇ ଉକ୍ତ ନୈବେଦ୍ୟ କିଆରୀର ଈଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠାମୁଠା ବିହନ କିଆରୀରେ ବୁଣେ । ଏହାକୁ ଅକ୍ଷିମୁଠି କହନ୍ତି । ସଧବା ସ୍ତ୍ରୀମାନେ ଏ ଦିନ ‘ଷଠିଦେବୀ’ଙ୍କ ପୂଜା କରନ୍ତି ।

ଏହି ଦିନ ଠାରୁ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଆରମ୍ଭ ହୁଏ । ଏତଦବ୍ୟତୀତ ଓଡ଼ିଶାର ଅନ୍ୟ ସ୍ଥାନରେ ମଧ୍ୟ ଚନ୍ଦନ ଯାତ୍ରା ପାଳନ କରାଯାଏ । ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ (ସ୍ନାନପୂର୍ଣ୍ଣିମାର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହେଵା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ପାଇଁ ଉଦ୍ଧିଷ୍ଟ ରଥ ନିର୍ମାଣ ଆରମ୍ଭ ହୁଏ ।
ମହନୀୟ ମହାବିଷୁବ ପଣା ସଂକ୍ରାନ୍ତି ତଥା ନବବର୍ଷ ମହୋତ୍ସବ ପରେ କୃଷି ଭିତ୍ତିକ ରାଜ୍ୟ ଓଡ଼ିଶାର ପ୍ରଥମ ପର୍ବ,କୃଷି ପର୍ବ ଅକ୍ଷୟ ତୃତୀୟା । ପୁରାଣ ଶାସ୍ତ୍ର ଅନୁଯାୟୀ ଆଜି ର ତିଥି ରେ ଗଙ୍ଗାମାତାଙ୍କର ଧରାବତରଣ ହୋଇଥିଲା। ଆଜି ମଧ୍ୟ ମହର୍ଷି ପରଶୁରାମଙ୍କର ଜନ୍ମ ଦିବସ ଅଟେ। ମା’ ଅନ୍ନପୂର୍ଣ୍ଣା ମଧ୍ୟ ଏହିଦିନ ପ୍ରକଟ ହୋଇଥିଲେ। କୁରୁସଭା ସ୍ଥଳରେ ଦ୍ରୌପଦୀଙ୍କୁ କୋଟିବସ୍ତ୍ର ପ୍ରଦାନ କରି ଲଜ୍ଜା ନିବାରଣ କରିଥିଲେ ଶ୍ରୀକୃଷ୍ଣ ଆଜି ର ତିଥିରେ । ସେହିପରି ଆଜି ମଧ୍ୟ ଶ୍ରେଷ୍ଠ ବନ୍ଧୁତ୍ବର ପ୍ରତୀକ, କୃଷ୍ଣ ସୁଦାମାଙ୍କର ବହୁ ବର୍ଷ ପରେ ମିଳନ ହୋଇଥିଲା । ଦେବ କୃପା ଲଭି, କୁବେରଙ୍କୁ ମଧ୍ୟ ସମସ୍ତ ଧନ ଦୌଲତର ଚାବି ପ୍ରାପ୍ତ ହୋଇଥିଲା ଆଜିର ତିଥିରେ ।ସତ୍ୟ ଏବଂ ତ୍ରେତୟା ଯୁଗର ପ୍ରାରମ୍ଭ ହୋଇଥିଲା ଏହି ପବିତ୍ର ତିଥିରେ । ବ୍ରହ୍ମାଙ୍କର ପୁତ୍ର ଅକ୍ଷୟ କୁମାରଙ୍କ ଜନ୍ମ ଆଜି ର ତିଥିରେ ହୋଇଥିଲା। ପୂର୍ବରୁ ବନ୍ଦ ରହିଥିବା ପ୍ରସିଦ୍ଧ ବଦ୍ରିନାଥ ଧାମର ଦ୍ବାରଫିଟା ବା ଫାଟକ ଆଜି ହିଁ ଖୋଲିଥାଏ। ବୃନ୍ଦାବନ ଧାମର ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିର, ବର୍ଷର କେବଳ ଏହିଦିନ ଶ୍ରୀ ବିଗ୍ରହ ଚରଣର ଦର୍ଶନ ହୋଇଥାଏ, ଅନ୍ୟଥା ବର୍ଷସାରା ତାଙ୍କୁ ବସ୍ତୁ ରେ ଢ଼ାଙ୍କି ରଖାଯାଏ। ଆଜି ର ତିଥି ରେ ମହାଭାରତ ଯୁଦ୍ଧ ସମାପ୍ତ ହୋଇଥିଲା। ଠିକ୍ ସେହିପରି ଆଜି ର ତିଥିରେ ପିଢ଼ି ପରେ ପିଢ଼ି ଓଡ଼ିଆ ଙ୍କ ଚିର ବନ୍ଦନୀୟ ମହାତ୍ମା , କବିରାଜ ଜୟଦେବ ଙ୍କ ଜନ୍ମ ଦିନ । ଅତଏବ ଅକ୍ଷୟ ତୃତୀୟା ସ୍ବୟଂ ସିଦ୍ଧ ପୂଣ୍ୟ ତିଥି ଟିଏ,ଯେଉଁ ଦିନ ଯେକୌଣସି ମାଙ୍ଗଳିକ କାର୍ଯ୍ୟ କରାଯାଇ ପାରେ। ଠିକ ସେହିପରି ଇସଲାମୀୟ ଦିନ ପଞ୍ଜିକା ଅନୁସାରେ ନବମ ମାସ, ଯାହା ଆଦର୍ଶ ମାସ ଭାବେ ବିବେଚନା କରାଯାଏ, ନୂଆ ଚାନ୍ଦ ଦର୍ଶନ ସହିତ ଏହି ପବିତ୍ର ମାସ ପାଳନ କରାଯାଏ, ରାମଜାନ୍ ବା ଇଂରାଜୀ ରେ ରାମଦାନ୍ ର ଶେଷ ଦିବସ ବା ପବିତ୍ର ‘ଇଦ ଉଲ-ଫିତର’ ଦିନ । ଏହି ଅବସରରେ ଆମେ ପ୍ରତ୍ୟେକ ଙ୍କୁ ଶୁଭାଭିନନ୍ଦନ ସହ ଶୁଭକାମନା ଜଣାଉଛୁ ।

ମହର୍ଷି ଜନକ ଭାରତୀୟ କୃଷିଜୀବୀ କୁଳର ପ୍ରତିନିଧି ରୂପେ ନିଜେ ଭୂମିପୂଜା କରି ବୀଜବପନ କରୁଥିଲେ । ଭୂମିକର୍ଷଣ ସମୟରେ ସେ ସୀତାଙ୍କୁ ଲାଭ କରିଥିବାରୁ ଋକ୍ ବେଦରେ ସୀତା ଉତ୍କୃଷ୍ଟ ବୀଜଦାତ୍ରୀ ରୂପେ ବର୍ଣ୍ଣିତ ହୋଇଛନ୍ତି । ବୈଦିକ ଋଷିମାନେ ଅକ୍ଷୟ ଶସ୍ୟ ପ୍ରଦାନ କରିବା କାମନାରେ ସୀତାଙ୍କୁ ସ୍ତୁତି କରିଛନ୍ତି । ଆଗ୍ନେୟ ପୁରାଣ, ବିଷ୍ଣୁ ଧର୍ମୋତ୍ତର ପୁରାଣ ଓ ଭବିଷ୍ୟ ପୁରାଣାଦିରେ ଅକ୍ଷୟ ତୃତୀୟାକୁ ଗୋଟିଏ ପ୍ରଶସ୍ତ ଶୁଭଦିନ ରୂପେ ବର୍ଣ୍ଣନା କରାଯାଉଛି ।ଆଜି ଓଡ଼ିଆ ଜାତିର ଗର୍ବ ଓ ଗୌରବ କବିରାଜ ଜୟଦେବଙ୍କ ପବିତ୍ର ଜୟନ୍ତୀ । ଜୟଦେବ ଓଡ଼ିଶାର ଅବିଭକ୍ତ ପୁରୀ ଜିଲାର ପିପିଲି ପ୍ରଗଣାର ୨୪ ତହସିଲ ଅର୍ଥାତ୍ ଏବର ଖୋର୍ଦ୍ଧା ଜିଲ୍ଲାର ପ୍ରାଚୀ ନଦୀ କୂଳରେ ଥିବା କେନ୍ଦୁଲି ଶାସନରେ ୧୨୦୦ ଖ୍ରୀଷ୍ଟାବ୍ଦରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ଥିଲା “ଭୋଜଦେବ” ଓ ମାତାଙ୍କର ନାମ ଥିଲା “ବାମାଦେବୀ”, ମନ୍ଦିର ପୁରାଣରୁ ଜାଣିବାକୁ ମିଳିଥାଏ ଯେ ତାଙ୍କର ଶିକ୍ଷାଦୀକ୍ଷା କୋଣାର୍କ ନିକଟରେ ଥିବା “କୂର୍ମପଟକ”ଠାରେ ହୋଇଥିଲା ।ଜୟଦେବ ହରିଙ୍କର ଦଶାବତାର, ଦଶକୃତିକୃତେ ଆଦିର ବର୍ଣ୍ଣନା କରିଛନ୍ତି । ଆହୁରି ମଧ୍ୟ ଓଡ଼ିଶୀରେ ବ୍ୟବହାର କରାଯାଉଥିବା ତ୍ରିଭଙ୍ଗୀ ଠାଣିର ବର୍ଣ୍ଣନା ମଧ୍ୟ ତାଙ୍କ ଲେଖାରେ ଦେଖିବାକୁ ମିଳିଥାଏ ।ଜୟଦେବଙ୍କ ରଚିତ ପଦାବଳୀ ଶିଖ ଧର୍ମର ଧର୍ମଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହେବରେ ମଧ୍ୟ ବ୍ୟବହାର କରାଯାଇଅଛି । କୁହାଯାଏ ଗୁରୁ ନାନକଙ୍କ ଓଡ଼ିଶା ଆସିବା ସମୟରେ ଏହି ପଦାବଳୀ ସବୁ ତାହାଙ୍କ ଦ୍ବାରା “ଗୁରୁ ଗ୍ରନ୍ଥ ସାହେବ”ରେ ରଖାଯାଇଅଛି ।
କ୍ରମଶଃ
