ମହିଳାଙ୍କ ସ୍ୱାଭିମାନ ଓ ସଶକ୍ତିକରଣ ଡବଲ ଇଞ୍ଜିନ ସରକାରର ପ୍ରାଥମିକତା – ଧର୍ମେନ୍ଦ୍ର ପ୍ରଧାନ

ମହିଳାଙ୍କ ସ୍ୱାଭିମାନ ଓ ସଶକ୍ତିକରଣ ଡବଲ ଇଞ୍ଜିନ ସରକାରର ପ୍ରାଥମିକତା – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ଧନୁପାଲି ସ୍ଥିତ ଆଦିତ୍ୟ କଲ୍ୟାଣ ମଣ୍ଡପ ଠାରେ ଆଜି ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଅନ୍ତର୍ଗତ ଏକ ମାନବିକ ତଥା ପବିତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ନବଦମ୍ପତିଙ୍କୁ ନିଜର ଶୁଭେଚ୍ଛା ଜଣାଇବା ସହ ଏହି ଯୋଜନାକୁ ସରକାରଙ୍କ ସମ୍ବେଦନଶୀଳତାର ପରିଚୟ ବୋଲି ଅଭିହିତ କରିଛନ୍ତି।

ସମ୍ବଲପୁର ଜିଲ୍ଲାର ବିଭିନ୍ନ ବ୍ଲକ ଓ ମ୍ୟୁନିସିପାଲିଟି ଅଞ୍ଚଳର ୨୨ ଜଣ ନବଦମ୍ପତି ଆଜି ବିବାହ ବନ୍ଧନରେ ବାନ୍ଧି ହୋଇ ଏକ ନୂତନ ଜୀବନ ଆରମ୍ଭ କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ବାର୍ତ୍ତାରେ କହିଛନ୍ତି ଯେ, ଏହା କେବଳ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏହା ଆତ୍ମୀୟତା, ଭାବନା ଓ ଦାୟିତ୍ୱବୋଧର ଏକ ଅନନ୍ୟ ନିଦର୍ଶନ । ଏହା ଏକ ସେବାକାରୀ ଶାସନ ବ୍ୟବସ୍ଥାର ପ୍ରମାଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ନାରୀ ସଶକ୍ତିକରଣ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଉଛି । ରାଜ୍ୟରେ ‘ସୁଭଦ୍ରା’ ଯୋଜନାରୁ ଆରମ୍ଭ କରି ‘କନ୍ୟା ବିବାହ ଯୋଜନା’ ପର୍ଯ୍ୟନ୍ତ ସମସ୍ତ ପଦକ୍ଷେପ ମହିଳାମାନଙ୍କୁ ସମାଜରେ ସ୍ୱାଭିମାନର ସହ ଆଗକୁ ବଢ଼ିବାରେ ସହାୟକ ହେବ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତ ପରିବାରବର୍ଗଙ୍କୁ ଅଭିନନ୍ଦନ ଜଣାଇବା ସହ କାର୍ଯ୍ୟକ୍ରମର ସଫଳତା କାମନା କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପଞ୍ଚାୟତିରାଜ, ପାନୀୟ ଜଳ ଏବଂ ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ରବି ନାରାୟଣ ନାୟକ ଏବଂ ସମ୍ବଲପୁର ବିଧାୟକ ଶ୍ରୀଯୁକ୍ତ ଜୟନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ରହି ନବଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ, ପରିବାର ସଦସ୍ୟ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Posted in ରାଜ୍ୟ and tagged .