ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ ବଡ଼ ଖବର: କମିଲା ପଞ୍ଜିକରଣ ଟିକସ, ଆପାର୍ଟମେଣ୍ଟ ମାଲିକାନା ନିୟମାବଳୀ-୨୦୨୩ରେ ସଂଶୋଧନ

ଆପାର୍ଟମେଣ୍ଟ ମାଲିକଙ୍କ ପାଇଁ ବଡ଼ ଖବର: କମିଲା ପଞ୍ଜିକରଣ ଟିକସ, ଆପାର୍ଟମେଣ୍ଟ ମାଲିକାନା ନିୟମାବଳୀ-୨୦୨୩ରେ ସଂଶୋଧନ

ରାଜ୍ୟ କ୍ୟାବିନେଟ ବୈଠକରେ ୮ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସଂପର୍କରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି।

ଭୁବନେଶ୍ୱର: ଓଡ଼ିଶା ସରକାର ଆପାର୍ଟମେଣ୍ଟ ମାଲିକାନା ଏବଂ ପରିଚାଳନା କ୍ଷେତ୍ରରେ ଏକ ବଡ଼ ସଂସ୍କାର ଆଣିଛନ୍ତି। ‘ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମାବଳୀ-୨୦୨୩’ରେ ପରିବର୍ତ୍ତନ କରାଯାଇ ଟିକସ ବ୍ୟବସ୍ଥାକୁ ସରଳୀକରଣ କରାଯାଇଛି। ବୁଧବାର ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିଛି।

ପୂର୍ବରୁ ଆପାର୍ଟମେଣ୍ଟ ମାଲିକ ସଂଘ ବା ଆସୋସିଏସନ୍ ଅଫ୍ ଆପାର୍ଟମେଣ୍ଟ ଓନର୍ସ (AoA)କୁ ଦଲିଲ ହସ୍ତାନ୍ତର ସମୟରେ ସ୍ଲାବ୍ ଅନୁଯାୟୀ ମୋଟା ଅଙ୍କର ଟିକସ ଦେବାକୁ ପଡ଼ୁଥିଲା। ଏହି ଜଟିଳ ଟିକସ ବ୍ୟବସ୍ଥାକୁ ସରକାର ଏବେ ସମ୍ପୂର୍ଣ୍ଣ ଉଚ୍ଛେଦ କରିଛନ୍ତି।

ନୂଆ ନିୟମ ଅନୁଯାୟୀ, AoAକୁ କମନ୍ ଏରିଆ ବା ସାଧାରଣ ସ୍ଥାନର ଦଲିଲ ହସ୍ତାନ୍ତର କରିବା ସମୟରେ ଏଣିକି କେବଳ ୫୦ ହଜାର ଟଙ୍କା ଦେବାକୁ ପଡ଼ିବ। ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟର ହଜାର ହଜାର ଆପାର୍ଟମେଣ୍ଟ ମାଲିକ ଉପକୃତ ହେବେ ଏବଂ ହସ୍ତାନ୍ତର ପ୍ରକ୍ରିୟା ଶୀଘ୍ର ସମ୍ପନ୍ନ ହୋଇପାରିବ।

କମନ୍ ଏରିଆ ହସ୍ତାନ୍ତର ପରେ, ପରବର୍ତ୍ତୀ ସମୟରେ ଯେତେବେଳେ ଜଣେ ବ୍ୟକ୍ତି ନିଜର ବ୍ୟକ୍ତିଗତ ଆପାର୍ଟମେଣ୍ଟ ଅଂଶ ବିକ୍ରି କରିବେ, ସେହି ସମୟରେ ୫% ଷ୍ଟାମ୍ପ ଡ୍ୟୁଟି ଲାଗୁ ହେବ। ଏହି ଟିକସ ଆପାର୍ଟମେଣ୍ଟ ୟୁନିଟ୍ ସହିତ କମନ୍ ଏରିଆ ଅଂଶ ପାଇଁ ମଧ୍ୟ ଲାଗୁ କରାଯିବ।

ପଞ୍ଜିକରଣରେ ସୁବିଧା: ଟିକସ ହ୍ରାସ ପାଇବା ଫଳରେ ମାଲିକାନା ହସ୍ତାନ୍ତର ପ୍ରକ୍ରିୟାରେ ଥିବା ବାଧା ଦୂର ହେବ।

  • ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ରାଜ୍ୟରେ ଆପାର୍ଟମେଣ୍ଟ କ୍ରୟ-ବିକ୍ରୟ ପ୍ରକ୍ରିୟା ଆହୁରି ସ୍ୱଚ୍ଛ ଓ ସରଳ ହେବ।
  • ସ୍ୱଳ୍ପ ମୂଲ୍ୟରେ କମନ୍ ଏରିଆ ହସ୍ତାନ୍ତର ହେବା ଫଳରେ ଆପାର୍ଟମେଣ୍ଟ ସଂଘଗୁଡ଼ିକ ଆଇନଗତ ଭାବେ ଅଧିକ ଶକ୍ତିଶାଳୀ ହେବେ।

 ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ, ବୈଠକରେ କଟକ ଭୁବନେଶ୍ବର ମଧ୍ୟରେ ଗମନାଗମନକୁ ସୁଗମ କରିବା ଲାଗି କାଠଯୋଡ଼ିରେ ଆଉ ଏକ ସେତୁକୁ ମଞ୍ଜୁରୀ ଦିଆଯାଇଛି। ତ୍ରିଶୁଳିଆ ଛକରେ ଥିବା ବର୍ତ୍ତମାନର ସେତୁ ସହ ସମାନ୍ତର ଭାବେ ନିର୍ମାଣ ହେବ ଏହି ସେତୁ । ଯେଉଁଥିପାଇଁ ୧୫୮ କୋଟି ୮୮ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି।

ସେହିପରି ବଲାଙ୍ଗିରରେ ଅମ୍ବିକା କଟସ୍ପିନର ସ୍ପିନିଂ ୟୁନିଟ୍ ସ୍ଥାପନକୁ ମଞ୍ଜୁରୀ କଟସ୍ପିନର ସ୍ପିନିଂ ୟୁନିଟ୍ ପାଇଁ ନିବେଶ ହେବ ୧୨୪ କୋଟି ଟଙ୍କା। ଓଡ଼ିଶା ସିଟି ଗ୍ୟାସ୍ ବିତରଣ ନୀତିକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ସହରାଞ୍ଚଳରେ PNG,CNG ଭିତ୍ତିଭୂମିର ସଂପ୍ରସାରଣକୁ ପ୍ରୋତ୍ସାହନ ଦେବା ଲାଗି ନିଷ୍ପତ୍ତି ହୋଇଛି। କ୍ୟାବିନେଟ ବୈଠକରେ ଓଡ଼ିଶା ରାଜ୍ୟ ତଥ୍ୟ ନୀତି-୨କୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି।​​​​​​​

Posted in ରାଜ୍ୟ and tagged .