କେରଳରେ ବାମ ଦଳର ସୂର୍ଯ୍ୟାସ୍ତ

କେରଳରେ ବାମ ଦଳର ସୂର୍ଯ୍ୟାସ୍ତ

କେରଳ ବିଧାନସଭା ନିର୍ବାଚନ ଫଳାଫଳ ଭାରତୀୟ ରାଜନୀତିରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଦୀର୍ଘ ୧୦ ବର୍ଷ ଧରି ଶାସନ ଗାଦିରେ ଥିବା ସିପିଆଇ (ଏମ୍) ନେତୃତ୍ୱାଧୀନ ଏଲ୍‌ଡିଏଫ୍ (LDF) କ୍ଷମତାଚ୍ୟୁତ ହୋଇଛି। ଏହି ପରାଜୟ ସହିତ ଗତ ୫୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତର କୌଣସି ବି ରାଜ୍ୟରେ ଏବେ ବାମ ଦଳର ସରକାର ରହିବ ନାହିଁ। କେରଳର ୧୪୦ଟି ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ (UDF) ୯୮ଟି ଆସନରେ ବିଜୟୀ ହୋଇଛି। ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍ ନମ୍ବର ୭୧ ଥିବା ବେଳେ ୟୁଡିଏଫ୍ ଏହାଠାରୁ ୨୭ଟି ଅଧିକ ଆସନ ହାସଲ କରିଛି। ମେଣ୍ଟ ମଧ୍ୟରେ ଦଳଗତ ସ୍ଥିତି କଂଗ୍ରେସ: ୬୩ ଆସନ । ଆଇୟୁଏମ୍‌ଏଲ୍ (IUML): ୨୨ ଆସନ । କେସି (KC): ୭ ଆସନ । ଆରଏସ୍‌ପି (RSP): ୩ ଆସନ । ଅନ୍ୟାନ୍ୟ (KC-J, IND, RMPOI): ୩ ଆସନ । ୨୦୧୧ରେ ପଶ୍ଚିମବଙ୍ଗ ଏବଂ ୨୦୧୮ରେ ତ୍ରିପୁରାରୁ କ୍ଷମତାଚ୍ୟୁତ ହେବା ପରେ କେରଳ ହିଁ ବାମପନ୍ଥୀଙ୍କ ଶେଷ ଆଶାବାଡ଼ି ଥିଲା। ୨୦୧୬ ଓ ୨୦୨୧ରେ ଲଗାତାର ବିଜୟ ପରେ ଏଲ୍‌ଡିଏଫ୍ ଏଥର ମାତ୍ର ୩୫ଟି ଆସନରେ ସୀମିତ ରହିଛି। ଏହାସହ ଭାରତର ରାଜନୈତିକ ମାନଚିତ୍ରରୁ ବାମ ସରକାର ସମ୍ପୂର୍ଣ୍ଣ ରୂପେ ହଟିଯାଇଛନ୍ତି।

ଏହି ନିର୍ବାଚନରେ ବିଜେପି ୩ଟି ଆସନ ଜିତିବାରେ ସଫଳ ହୋଇଥିବା ବେଳେ ଅନ୍ୟାନ୍ୟ ପ୍ରାର୍ଥୀମାନେ ୪ଟି ଆସନରେ ବିଜୟୀ ହୋଇଛନ୍ତି।

୨୦୨୧ ନିର୍ବାଚନରେ ଏଲ୍‌ଡିଏଫ୍ ୯୫ଟି ଆସନ ପାଇ ପି. ବିଜୟନଙ୍କ ନେତୃତ୍ୱରେ ସରକାର ଗଢ଼ିଥିଲା। ସେତେବେଳେ ସିପିଆଇ (ଏମ୍) ଏକାକୀ ୬୧ଟି ଆସନ ଜିତିଥିଲା। ମାତ୍ର ୫ ବର୍ଷ ପରେ ଭୋଟରଙ୍କ ମନ ବଦଳିଛି ଏବଂ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ୍ ନିଜର ଆସନ ସଂଖ୍ୟା ୪୨ (୨୦୨୧) ରୁ ବୃଦ୍ଧି କରି ୯୮ରେ ପହଞ୍ଚାଇଛି।

Posted in ଦେଶ ବିଦେଶ.