ଓଡ଼ିଶାରେ ତେଲ ଯୋଗାଣ ସ୍ୱାଭାବିକ, କୌଣସି କଟକଣା ନାହିଁ: ଗୁଜବରୁ ଦୂରେଇ ରହିବାକୁ ତୈଳ କମ୍ପାନୀଗୁଡ଼ିକର ଆହ୍ୱାନ

ଓଡ଼ିଶାରେ ତେଲ ଯୋଗାଣ ସ୍ୱାଭାବିକ, କୌଣସି କଟକଣା ନାହିଁ: ଗୁଜବରୁ ଦୂରେଇ ରହିବାକୁ ତୈଳ କମ୍ପାନୀଗୁଡ଼ିକର ଆହ୍ୱାନ

ବିଶ୍ୱ ବଜାରରେ ତୈଳ ଏବଂ ଗ୍ୟାସ୍ କ୍ଷେତ୍ରରେ ଦେଖାଦେଇଥିବା ଅନିଶ୍ଚିତତା ସତ୍ତ୍ୱେ ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଏବଂ ଏଲ୍‌ପିଜି (LPG) ଗ୍ୟାସ୍ ଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି। ରାଜ୍ୟରେ ତେଲ କିମ୍ବା ଗ୍ୟାସ୍‌ର କୌଣସି ଅଭାବ ନାହିଁ ଏବଂ ସମସ୍ତ ପେଟ୍ରୋଲ ପମ୍ପରେ ବିନା କୌଣସି କଟକଣାରେ ତେଲ ଯୋଗାଇ ଦିଆଯାଉଛି ବୋଲି ସରକାରୀ ସ୍ତରରେ ସ୍ପଷ୍ଟ କରାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ପ୍ରେସ୍ ଇନଫରମେସନ୍ ବ୍ୟୁରୋ ପକ୍ଷରୁ ଏକ ବିଧିବଦ୍ଧ ସୂଚନା ଜାରି କରାଯାଇଛି।

ଦେଶର ପ୍ରମୁଖ ସରକାରୀ ତୈଳ ବିପଣନ କମ୍ପାନୀ — ଇଣ୍ଡିଆନ ଅଏଲ୍ (IndianOil), ବିପିସିଏଲ୍ (BPCL) ଏବଂ ଏଚ୍‌ପିସିଏଲ୍ (HPCL) ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ସମସ୍ତ ଟର୍ମିନାଲ, ଡେପୋ, ବୋଟଲିଂ ପ୍ଲାଣ୍ଟ ଏବଂ ରିଟେଲ ଆଉଟଲେଟ୍ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ତୈଳ ଗଚ୍ଛିତ ଅଛି। ସୁରକ୍ଷା ଏବଂ କାର୍ଯ୍ୟକ୍ଷମ ନିୟମ ଅନୁଯାୟୀ ସମସ୍ତ ପେଟ୍ରୋଲ ପମ୍ପରେ ବିକ୍ରି ପ୍ରକ୍ରିୟା ସୁରୁଖୁରୁରେ ଚାଲିଛି। ଗ୍ରାହକମାନଙ୍କ ପ୍ରକୃତ ଚାହିଦା ପୂରଣ ପାଇଁ କାମ କରାଯାଉଛି।

ଗାଡ଼ି ତେଲ ସହିତ ଘରୋଇ ଗ୍ରାହକଙ୍କ ପାଇଁ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ଯୋଗାଣ ମଧ୍ୟ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି। ସାରା ରାଜ୍ୟରେ ଗ୍ୟାସ୍ ଡେଲିଭରି ପ୍ରକ୍ରିୟା କୌଣସି ବାଧାବିଘ୍ନ ବିନା ଆଗକୁ ବଢ଼ୁଛି। ସାଧାରଣ ନାଗରିକଙ୍କ ନିକଟରେ ଯେପରି ଶକ୍ତି ସଂସାଧନର ଅଭାବ ନହେବ, ସେଥିପାଇଁ ସରକାରୀ ତୈଳ କମ୍ପାନୀଗୁଡ଼ିକ ପରିବହନ, ଷ୍ଟକ୍ ସ୍ଥିତି ଏବଂ ବଣ୍ଟନ ପ୍ରକ୍ରିୟାର କ୍ରମାଗତ ଅନୁଧ୍ୟାନ ଓ ସମନ୍ୱୟ ରକ୍ଷା କରୁଛନ୍ତି।

ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ଓଡ଼ିଶାବାସୀଙ୍କୁ ଅନୁରୋଧ କରାଯାଇଛି ଯେ, ସେମାନେ ନିଜର ସ୍ୱାଭାବିକ କ୍ରୟ ଆଚରଣ ବଜାୟ ରଖନ୍ତୁ। କୌଣସି ପ୍ରକାରର ଅଯଥା ଭୟ କିମ୍ବା ଆତଙ୍କିତ ହୋଇ ଗାଡ଼ି ଟାଙ୍କି ଫୁଲ୍ କରିବା କିମ୍ବା ଡବାରେ ତେଲ ମହଜୁଦ କରିବା ଭଳି କାର୍ଯ୍ୟରୁ ଦୂରେଇ ରୁହନ୍ତୁ। ଏଥିସହ ସୋସିଆଲ ମିଡିଆରେ ବୁଲୁଥିବା ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ ।

Posted in ରାଜ୍ୟ.