ବିଶ୍ବର ସମସ୍ତ ୫୦ ଉତ୍ତପ୍ତ ସହର ତାଲିକାରେ ଭାରତ,୪୫ ଡିଗ୍ରି ତାପମାତ୍ରା ସହିତ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ପାଲଟିଛି

ବିଶ୍ବର ସମସ୍ତ ୫୦ ଉତ୍ତପ୍ତ ସହର ତାଲିକାରେ ଭାରତ,୪୫ ଡିଗ୍ରି ତାପମାତ୍ରା ସହିତ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ପାଲଟିଛି

ଭାରତ ଏବେ ଉତ୍ତପ୍ତ ପିଣ୍ଡୁଳା ପାଲଟିଛି। ଅତି ଭୀଷଣ ହିଟ୍‌ୱେଭ୍‌ ଯୋଗୁଁ ଭାରତର ଉତ୍ତର, କେନ୍ଦ୍ର ଓ ପୂର୍ବ ଭାଗରେ ତାପମାତ୍ରା ମଧ୍ୟାହ୍ନ ପୂର୍ବରୁ ୪୦ ଡିଗ୍ରି ପାର୍‌ କରି ଯାଉଛି। ବାୟୁ ଗୁଣବତ୍ତା ଓ ପାଣିପାଗ ଟ୍ରାକର ଏକ୍ୟୁଆଇ.ଇନ୍‌ ଅନୁଯାୟୀ, ଶୁକ୍ରବାର ସକାଳେ ବିଶ୍ବର ସମସ୍ତ ୫୦ ଉତ୍ତପ୍ତ ସହର ତାଲିକାରେ ଭାରତୀୟ ସହର ରହିଥିଲା। ୪୫ ଡିଗ୍ରି ତାପମାତ୍ରା ସହିତ ବଲାଙ୍ଗୀର ସବୁଠୁ ଉତ୍ତପ୍ତ ସହର ପାଲଟିଛି। ବିଶ୍ୱ ତାପମାତ୍ରା ଚାର୍ଟର ଶୀର୍ଷରେ ବଲାଙ୍ଗୀର ରହିବା ଆଶ୍ଚର୍ଯ୍ୟଜନକ କଥା ନୁହେଁ। ପଶ୍ଚିମ ଓଡ଼ିଶା, ବିଶେଷକରି ଟିଟଲାଗଡ଼-ବଲାଙ୍ଗୀର ବେଲ୍ଟ ଐତିହାସିକ ଭାବରେ ଭାରତର ସବୁଠାରୁ ଭୟଙ୍କର ଉତ୍ତପ୍ତ କ୍ଷେତ୍ର ମଧ୍ୟରୁ ଗୋଟିଏ ହୋଇ ରହିଆସିଛି।

ବଲାଙ୍ଗୀର ପଛକୁ ୪୪ ଡିଗ୍ରି ସହିତ ଚନ୍ଦ୍ରପୁର (ମହାରାଷ୍ଟ୍ର) ଓ ପ୍ରୟାଗରାଜ ରହିଛି। ଛତିଶଗଡ଼, ବିହାର, ତେଲଙ୍ଗାନା, ହରିୟାଣା ଓ ମଧ୍ୟପ୍ରଦେଶରେ ମଧ୍ୟ ଅନେକ ସମୟ ତାପମାତ୍ରା ରେକର୍ଡ଼ କାଟି ସାରିଲାଣି। ଏକ୍ୟୁଆଇ.ଇନ୍‌ ତାଲିକାରେ ରହିଥିବା ଅଧିକାଂଶ ସ୍ଥାନ ଉତ୍ତର ପ୍ରଦେଶରେ ରହିଛି। ବାରଣାସୀ, ବାନ୍ଦା, ବରେଲି ଓ ଅଯୋଧ୍ୟାରେ ତାପମାତ୍ରା ମଧ୍ୟାହ୍ନ ପୂର୍ବରୁ ୪୨ ଡିଗ୍ରିରୁ ୪୩ ଡିଗ୍ରି ପାର୍‌ କରିଯାଉଛି। ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ ସତର୍କ କରିସାରିଛି ଯେ, ସପ୍ତାହ ସାରା ଉତ୍ତର-ପଶ୍ଚିମ ଓ କେନ୍ଦ୍ରୀୟ ଭାରତରେ ତୀବ୍ର ଗ୍ରୀଷ୍ମ ପ୍ରବାହ ଜାରି ରହିବ, ଅନେକ ରାଜ୍ୟରେ ଏଥିପାଇଁ ରେଡ୍‌ ଓ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଦିଲ୍ଲୀ ଓ ଏନ୍‌ସିଆର୍‌ରେ ତାପମାତ୍ରା ୪୫ ଡିଗ୍ରି ପାର୍‌ କରିବ ବୋଲି ଆଇଏମ୍‌ଡି କହିଛି। ହିଟ୍‌ୱେଭ୍‌ ଓଡ଼ିଶା ଦେଇ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ବିହାର, ହରିୟାଣା ଓ ମହାରାଷ୍ଟ୍ର ପର୍ଯ୍ୟନ୍ତ ଲମ୍ବିଛି। ଉପମହାଦେଶ ଏକ ବିଶାଳ ଉତ୍ତପ୍ତ ଗମ୍ବୁଜରେ ପରିଣତ ହୋଇଛି। ବିଦର୍ଭରେ ଏହି ସପ୍ତାହରେ ତାପମାତ୍ରା ଅନେକ ସହର ୪୬ ଡିଗ୍ରି ସେଲସିୟସ ଅତିକ୍ରମ କରିସାରିଛି। ହସ୍ପିଟାଲରେ ଡିହାଇଡ୍ରେସନ୍‌, ସନ୍‌ଷ୍ଟ୍ରୋକ୍‌ ପରି ମାମଲା ବଢ଼ିବାରେ ଲାଗିଛି।

Posted in ଦେଶ ବିଦେଶ.