ରେଳ କ୍ଷେତ୍ରରେ ଭାରତର ମହାବିପ୍ଳବ: ଖୁବଶୀଘ୍ର ଚାଲିବ ଦେଶର ପ୍ରଥମ ସ୍ୱଦେଶୀ ‘ହାଇଡ୍ରୋଜେନ୍ ଟ୍ରେନ୍’,

ରେଳ କ୍ଷେତ୍ରରେ ଭାରତର ମହାବିପ୍ଳବ: ଖୁବଶୀଘ୍ର ଚାଲିବ ଦେଶର ପ୍ରଥମ ସ୍ୱଦେଶୀ ‘ହାଇଡ୍ରୋଜେନ୍ ଟ୍ରେନ୍’,

ସ୍ୱଚ୍ଛ ଓ ସ୍ଥାୟୀ ପରିବହନ ଦିଗରେ ଭାରତୀୟ ରେଳବାଇ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛି । ଦେଶର ପ୍ରଥମ ୧୦ ଡବା ବିଶିଷ୍ଟ ‘ହାଇଡ୍ରୋଜେନ୍ ଫୁଏଲ୍ ସେଲ୍’ ଚାଳିତ ରେଳଗାଡ଼ି ଚଳାଇବା ପାଇଁ ଭାରତୀୟ ରେଳ ଆନୁଷ୍ଠାନିକ ଅନୁମୋଦନ ପ୍ରଦାନ କରିଛି । ଉତ୍ତର ରେଳବାଇର ଜିନ୍ଦ-ସୋନିପତ୍‌ ସେକ୍ସନରେ ଖୁବଶୀଘ୍ର ଏହି ପ୍ରଦୂଷଣମୁକ୍ତ ଟ୍ରେନ୍ ଗଡ଼ିବାକୁ ଯାଉଛି, ଯାହା ଭାରତୀୟ ବୈଷୟିକ ଜ୍ଞାନକୌଶଳର ଶ୍ରେଷ୍ଠତା ପ୍ରମାଣିତ କରିବ。

ଏହି ସ୍ୱଦେଶୀ ହାଇଡ୍ରୋଜେନ୍ ଟ୍ରେନ୍‌ରେ 1200 କିଲୋୱାଟ୍‌ର ହାଇଡ୍ରୋଜେନ ଫୁଏଲ୍ ସେଲ୍ ପ୍ରୋପଲ୍‌ସନ ସିଷ୍ଟମ୍ ବ୍ୟବହାର କରାଯାଇଛି। ଏହି ଟ୍ରେନ୍ ଘଣ୍ଟାପ୍ରତି ସର୍ବାଧିକ ୭୫ କିଲୋମିଟର ବେଗରେ ଗତି କରିପାରିବ। ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଉଦ୍‌ଯାନ ଏବଂ ଅମ୍ଳଜାନର ରାସାୟନିକ ପ୍ରତିକ୍ରିୟା କରାଯାଇ ବିଦ୍ୟୁତ ଉତ୍ପାଦନ କରାଯାଏ । ସବୁଠାରୁ ବଡ଼ କଥା ହେଉଛି, ଏହି ପ୍ରକ୍ରିୟାରେ କୌଣସି ବିଷାକ୍ତ ଧୂଆଁ ବାହାରେ ନାହିଁ, କେବଳ ଜଳୀୟ ବାଷ୍ପ ନିର୍ଗତ ହୋଇଥାଏ । ତେଣୁ ଏହା ପାରମ୍ପରିକ ଡିଜେଲ୍ ଇଞ୍ଜିନ୍ ତୁଳନାରେ ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ପରିବେଶ ଅନୁକୂଳ ।

ହାଇଡ୍ରୋଜେନ୍ ଭିତ୍ତିକ ରେଳ ଚାଳନା କ୍ଷେତ୍ରରେ ଏହି ସଫଳତା ସହ ଭାରତ ବିଶ୍ୱର ମୁଷ୍ଟିମେୟ ଶକ୍ତିଶାଳୀ ଦେଶଙ୍କ କ୍ଲବ୍‌ରେ ସାମିଲ ହୋଇଛି । ବର୍ତ୍ତମାନ ସୁଦ୍ଧା କେବଳ ଜର୍ମାନୀ, ଜାପାନ, ଚୀନ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ପରି କିଛି ସୀମିତ ଦେଶ ଏହି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାର ପରିଚାଳନା କିମ୍ବା ପରୀକ୍ଷଣ କରୁଛନ୍ତି । ଏହି ପ୍ରାରମ୍ଭିକ ପର୍ଯ୍ୟାୟରେ ଏଭଳି ସଫଳତା ପାଇ ଭାରତ ବିଶ୍ୱ ରେଳ ମାନଚିତ୍ରରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛି ।

ଏହି ପ୍ରକଳ୍ପ ପାଇଁ ହରିୟାଣାର ଜିନ୍ଦ-ସୋନିପତ ସେକ୍ସନକୁ ‘ପାଇଲଟ୍ ରୁଟ୍’ ଭାବେ ବଛାଯାଇଛି। ଏହାକୁ ସହଜ କରିବା ପାଇଁ ଜିନ୍ଦଠାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଇଡ୍ରୋଜେନ୍ ଭଣ୍ଡାର ଏବଂ ଇନ୍ଧନ ପୁନଃଭରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ପେଟ୍ରୋଲିୟମ୍ ଏବଂ ବିସ୍ଫୋରକ ସୁରକ୍ଷା ସଂଗଠନ ଏହି ସ୍ଥାନରେ କମ୍ପ୍ରେସ୍‌ଡ ହାଇଡ୍ରୋଜେନ୍ ଗ୍ୟାସର ସଂରକ୍ଷଣ ପାଇଁ ଆବଶ୍ୟକୀୟ ଲାଇସେନ୍ସ ପ୍ରଦାନ କରିସାରିଛି ।

ଉଦ୍‌ଯାନ ଲିକ୍ ଏବଂ ଅଗ୍ନିକାଣ୍ଡ ଚିହ୍ନଟ କରିବା ପାଇଁ ପ୍ଲାଣ୍ଟରେ ସ୍ୱତନ୍ତ୍ର ସୁରକ୍ଷା ସେନ୍ସର ଲଗାଯାଇଛି । ଏହି ହାଇଡ୍ରୋଜେନ ରିଫ୍ୟୁଏଲିଂ ପ୍ରଣାଳୀର ୨୪ ଘଣ୍ଟିଆ ତଦାରଖ କରାଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ, ଟ୍ରେନ୍‌ର ସୁଗମ ଚାଳନା ସୁନିଶ୍ଚିତ କରିବା ପାଇଁ ବିଶେଷ ଭାବେ ତାଲିମପ୍ରାପ୍ତ ବୈଷୟିକ କର୍ମଚାରୀମାନେ ଟ୍ରେନ୍ ଭିତରେ ସଦାସର୍ବଦା ଉପସ୍ଥିତ ରହିବେ । ଆର୍‌ଡିଏସଓ (RDSO) ଦ୍ୱାରା ଏହାର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ମାନୁଆଲ୍ ମଧ୍ୟ ଜାରି କରାଯାଇଛି ।

ଭାରତୀୟ ରେଳବାଇର ଏହି ଅଭିନବ ପ୍ରକଳ୍ପ ଦେଶର ଶକ୍ତି ଦକ୍ଷତା ଏବଂ ପରିବେଶ ଅନୁକୂଳ ପରିବହନ ପ୍ରତି ଥିବା ପ୍ରତିବଦ୍ଧତାକୁ ସ୍ପଷ୍ଟ କରୁଛି । ଭାରତ ସରକାରଙ୍କ ‘ଜାତୀୟ ସ୍ୱଚ୍ଛ ଶକ୍ତି’ ଏବଂ ‘ନେଟ୍-ଶୂନ୍ୟ କାର୍ବନ ନିର୍ଗମନ’ ଲକ୍ଷ୍ୟ ହାସଲ କରିବା ଦିଗରେ ଏହି ହାଇଡ୍ରୋଜେନ୍ ଟ୍ରେନ୍ ଆଗାମୀ ଦିନରେ ଏକ ପ୍ରମୁଖ ସାରଥି ସାଜିବ।

Posted in Uncategorized.