ବାଲିଅନ୍ତା ଥାନା ସୌମ୍ୟ ରଞ୍ଜନ ହତ୍ୟା ଘଟଣା: ସ୍ୱାଧୀନତା ପରଠୁ ବଦଳିନି ପୋଲିସର ଚେହେରା, ଏବେ ଆସିଛି ପରିବର୍ତ୍ତନର ସମୟ!

ବାଲିଅନ୍ତା ଥାନା ସୌମ୍ୟ ରଞ୍ଜନ ହତ୍ୟା ଘଟଣା: ସ୍ୱାଧୀନତା ପରଠୁ ବଦଳିନି ପୋଲିସର ଚେହେରା, ଏବେ ଆସିଛି ପରିବର୍ତ୍ତନର ସମୟ!

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବାଲିଅନ୍ତା ଥାନା ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ଘଟଣାକୁ ନେଇ ଦିନକୁ ଦିନ ଚର୍ଚ୍ଚା ଓ ଆଲୋଚନା ଜୋର୍ ଧରୁଥିବା ବେଳେ, ଏହି ସମ୍ବେଦନଶୀଳ ମାମଲାରେ ଏକ ବଡ଼ ପ୍ରଗତି ଦେଖିବାକୁ ମିଳିଛି। ଘଟଣାର ସଠିକ୍ ଅନୁସନ୍ଧାନ ଏବଂ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ସ୍ୱତନ୍ତ୍ର ଭାବେ ଓଡ଼ିଶା ଆସି ପହଞ୍ଚିଛି ଜାତୀୟ ମାନବାଧିକାର କମିଶନ (NHRC) ଙ୍କ ଏକ ପ୍ରତିନିଧି ଦଳ। ଏନଏଚଆରସିର ଏହି ୪ ଜଣିଆ ଉଚ୍ଚସ୍ତରୀୟ ଟିମ୍ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହି ସମ୍ପୂର୍ଣ୍ଣ ଘଟଣାର ଗ୍ରାଉଣ୍ଡ୍ ତଦନ୍ତ କରିବେ।

ଓଡ଼ିଶାରେ ପହଞ୍ଚିବା ପରେ NHRC ଟିମ୍ ସନ୍ଧ୍ୟା ସମୟରେ ସିଧାସଳଖ ସୌମ୍ୟ ରଞ୍ଜନଙ୍କ ପରିବାର ସଦସ୍ୟଙ୍କ ନିକଟରେ ପହଞ୍ଚିଥିଲେ। କମିଶନଙ୍କ ସଦସ୍ୟମାନେ ପରିବାର ଲୋକଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିବା ସହ ଘଟଣା ସହ ଜଡ଼ିତ ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବୁଝିଛନ୍ତି। ଏହି ଅବସରରେ ଟିମ୍ ପକ୍ଷରୁ ସୌମ୍ୟଙ୍କ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଯାଇଛି ଏବଂ ମାମଲାର ନିରପେକ୍ଷ ଯାଞ୍ଚ କରାଯାଇ ପରିବାରକୁ ସମ୍ପୂର୍ଣ୍ଣ ନ୍ୟାୟ ପ୍ରଦାନ କରାଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦିଆଯାଇଛି। ସାମାଜିକ କର୍ମୀମାନେ ମଧ୍ୟ ଏହି ଘଟଣାରେ ହସ୍ତକ୍ଷେପ କରି ଏହାର ଦିଗକୁ ଆଗକୁ ବଢ଼ାଇବାରେ ପୋଲିସ ଓ ପ୍ରଶାସନକୁ ସହଯୋଗ କରୁଛନ୍ତି।

ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲା ପୁଣି ଥରେ ରାଜ୍ୟରେ ପୋଲିସର କାର୍ଯ୍ୟଶୈଳୀ ଏବଂ ସାଧାରଣ ଲୋକଙ୍କ ପ୍ରତି ଥିବା ଆଭିମୁଖ୍ୟ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସ୍ୱାଧୀନତା ମିଳିବାର ଦଶନ୍ଧି ଦଶନ୍ଧି ବିତିଯାଇଥିଲେ ମଧ୍ୟ ସାଧାରଣ ଜନତାଙ୍କ ପ୍ରତି ପୋଲିସ ପ୍ରଶାସନର କଦର୍ଯ୍ୟ ବ୍ୟବହାର, ମିଥ୍ୟା ଏଫଆଇଆର (FIR) ରୁଜୁ କରିବା ଏବଂ ନିରୀହ ଲୋକଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଭଳି ପୁରୁଣା ବ୍ରିଟିଶ ଅମଳର ମାନସିକତା ଆଜି ବି ସମ୍ପୂର୍ଣ୍ଣ ଭାବେ କମିନାହିଁ।

ଅନେକ ସମୟରେ ସରକାରୀ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ଦାବି ହେଉଥିଲେ ହେଁ, ଗ୍ରାଉଣ୍ଡ୍ ସ୍ତରରେ ଗରିବ ଏବଂ ଅସହାୟ ଲୋକମାନେ ଥାନାକୁ ଯିବାକୁ ଆଜି ବି ଭୟ କରୁଛନ୍ତି। ସୌମ୍ୟଙ୍କ ପରିବାର ଭଳି ଅନେକ ନିରୀହ ପରିବାର ପୋଲିସର ଶିଥିଳ ତଦନ୍ତ ଯୋଗୁଁ ବର୍ଷ ବର୍ଷ ଧରି କୋର୍ଟ କଚେରୀ ଦୁଆରେ ନ୍ୟାୟ ପାଇଁ ଲଢ଼େଇ କରୁଛନ୍ତି। ବର୍ତ୍ତମାନ ଏହି ପୁରୁଣା ପୋଲିସିଂ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇବାର ସମୟ ଆସିଯାଇଛି।

ରାଜ୍ୟରେ ଏଭଳି ସମ୍ବେଦନଶୀଳ ମାମଲାରେ ଜାତୀୟ ମାନବାଧିକାର କମିଶନଙ୍କ ସିଧାସଳଖ ପ୍ରବେଶ ପ୍ରଶାସନ ଉପରେ ନିଶ୍ଚିତ ଭାବେ ଚାପ ବଢ଼ାଇବ। ମୋହନ ସରକାରଙ୍କ ଲୋକଙ୍କ ଶାସନ’ର ପ୍ରତିଶ୍ରୁତି ଭିତରେ ଓଡ଼ିଶା ପୋଲିସ କେବେ ନିଜର ବ୍ୟବହାର ଓ କାର୍ଯ୍ୟଶୈଳୀରେ ବ୍ୟାପକ ସଂସ୍କାର ଆଣୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ।

Posted in ରାଜ୍ୟ.