ଭୁବନେଶ୍ୱର: ରାଜ୍ୟବାସୀଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବାରେ ବଡ଼ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୋହନ ସରକାର ଜନସାଧାରଣଙ୍କ ଅଭିଯୋଗକୁ କେବଳ ଗ୍ରହଣ କରୁନାହାନ୍ତି, ବରଂ ତାହାର ସଫଳ ସମାଧାନ ମଧ୍ୟ କରୁଛନ୍ତି। ଆଜି ରାଜଧାନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପରେ ନିଜେ ମୁଖ୍ୟମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି। ସରକାରୀ ଆକଳନ ଅନୁଯାୟୀ, ଆସିଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ ପ୍ରାୟ ୯୬ ପ୍ରତିଶତ ସମସ୍ୟାର ସଫଳ ସମାଧାନ କରାଯାଇଛି।
ଆଜି ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କର ୧୮ ତମ ଅଭିଯୋଗ ଶուଣାଣି ଅନୁଷ୍ଠିତ ହୋଇଥିଲା। ଏହି ସ୍ପେଶାଲ୍ ଶୁଣାଣିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କ ଠାରୁ ୬୦୦ରୁ ଅଧିକ ଅଭିଯୋଗ ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନିଜେ ଜନସାଧାରଣଙ୍କ ଗହଣରେ ବସି ସେମାନଙ୍କ ଦୁଃଖ-ସୁଖ ବୁଝିବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ସୂଚନା ଅନୁଯାୟୀ, ପୂର୍ବରୁ ଅଭିଯୋଗ ପ୍ରକୋଷ୍ଠରେ ମୋଟ ୧୬ ହଜାର ୬୦୦ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ କେବଳ ଭୁବନେଶ୍ୱର ସ୍ତରରେ ୧୪ ହଜାର ୪୬ ଟି ଅଭିଯୋଗର ସଫଳ ସମାଧାନ କରାଯାଇ ସାରିଛି।
କେବଳ ରାଜଧାନୀ ନୁହେଁ, ବରଂ ସାରା ରାଜ୍ୟରେ ଜିଲ୍ଲା ସ୍ତରରେ ମଧ୍ୟ ଅଭିଯୋଗ ଶୁଣାଣି ପ୍ରକ୍ରିୟା ଅତ୍ୟନ୍ତ ଦ୍ରୁତ ଗତିରେ ଚାଲିଛି। ସରକାରୀ ରିପୋର୍ଟ ମୁତାବକ, ଗତ ଏପ୍ରିଲ ମାସ ସୁଦ୍ଧା ସାରା ଓଡ଼ିଶାରେ ଜିଲ୍ଲା ସ୍ତରରେ ମୋଟ ୨ ଲକ୍ଷ ୩୯ ହଜାର ୯୩୩ ଟି ଅଭିଯୋଗ ହୋଇଥିଲା। ଆଶ୍ଚର୍ଯ୍ୟଜନକ ଭାବେ ସେଥିମଧ୍ୟରୁ ୨ ଲକ୍ଷ ୩୧ ହଜାର ୨୪୦ ଟି ସମସ୍ୟାର ସମାଧାନ କରିବାରେ ପ୍ରଶାସନ ସଫଳ ହୋଇଛି।
୯୬ ପ୍ରତିଶତ ଅଭିଯୋଗର ଏହି ସଫଳ ସମାଧାନ ହାର ସ୍ପେଶାଲ ପ୍ରଶାସନିକ ଦକ୍ଷତାକୁ ଦର୍ଶାଉଛି।
