ପୁରୀରେ ‘ବ୍ରିକ୍ସ’ ବିପର୍ଯ୍ୟୟ ପରିଚାଳନା ସମ୍ମିଳନୀ

ପୁରୀରେ ‘ବ୍ରିକ୍ସ’ ବିପର୍ଯ୍ୟୟ ପରିଚାଳନା ସମ୍ମିଳନୀ

ଓଡ଼ିଶାର ପବିତ୍ର ବେଳାଭୂମି ସହର ପୁରୀରେ ଆୟୋଜିତ ଦୁଇ ଦିନିଆ ଆନ୍ତର୍ଜାତୀୟ ବ୍ରିକ୍ସ (BRICS) ସମ୍ମିଳନୀ ଆନୁଷ୍ଠାନିକ ଭାବେ ଉଦ୍‌ଯାପିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ଉଚ୍ଚସ୍ତରୀୟ ବୈଷୟିକ ଅଧିବେଶନର ଶେଷ ଦିନରେ ବିଶ୍ୱବ୍ୟାପୀ ବଢ଼ୁଥିବା ଜଳବାୟୁ ପରିବର୍ତ୍ତନ ଓ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ବଡ଼ ରଣନୀତି ପ୍ରସ୍ତୁତ ହୋଇଛି। ବିପର୍ଯ୍ୟୟର କୌଣସି ଭୌଗୋଳିକ ସୀମା ନଥିବାରୁ, ଏକାଠି ମିଳିତ ଭାବେ କାର୍ଯ୍ୟ କରିବାକୁ ସମ୍ମିଳନୀରେ ସାମିଲ ୧୧ଟି ଯାକ ରାଷ୍ଟ୍ର ସହମତି ପ୍ରକାଶ କରିଛନ୍ତି। ୧୧ଟି ରାଷ୍ଟ୍ର ମଧ୍ୟରେ ପାରସ୍ପରିକ ବୈଷୟିକ ସହଯୋଗ: ବିପର୍ଯ୍ୟୟ ବିପଦ ହ୍ରାସ କରିବା ଦିଗରେ ବ୍ରିକ୍ସ ସମୂହର ୧୧ଟି ଯାକ ଦେଶ ପରସ୍ପରକୁ ସମ୍ପୂର୍ଣ୍ଣ ସହଯୋଗ କରିବେ। ବିଶେଷ କରି ସୁନାମି, ବାତ୍ୟା ଓ ଭୂକମ୍ପ ଭଳି ସଙ୍କଟ ସମୟରେ ଆଧୁନିକ ବିଜ୍ଞାନ ଓ କାରିଗରୀ କୌଶଳର ଉପଯୋଗିତାକୁ ପରସ୍ପର ମଧ୍ୟରେ ଆଦାନପ୍ରଦାନ କରାଯିବ। ବିଶ୍ୱର ଭିନ୍ନ ଭିନ୍ନ ରାଷ୍ଟ୍ର ବିପର୍ଯ୍ୟୟ ରୋକିବା ପାଇଁ ଗ୍ରହଣ କରିଥିବା ସଫଳ ପ୍ରସ୍ତୁତି ଓ ଆଧୁନିକ କୌଶଳକୁ ସାଧାରଣ ମଡେଲ ଭାବେ ସମସ୍ତ ସଦସ୍ୟ ରାଷ୍ଟ୍ର ଆପଣାଇବେ। ଏହାଦ୍ୱାରା କମ୍ ସମୟରେ ବ୍ୟାପକ କ୍ଷୟକ୍ଷତିକୁ ରୋକାଯାଇପାରିବ। ମହାବିପତ୍ତି ସମୟରେ ଧନଜୀବନ ରୋକିବା ପାଇଁ ସଠିକ୍ ପୂର୍ବାନୁମାନ ବା ଆଗୁଆ ସତର୍କ ସୂଚନା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ଓଡ଼ିଶାର ବିଶ୍ୱସ୍ତରୀୟ ‘ଜିରୋ କାଜୁଆଲିଟି’ ମାର୍ଗଦର୍ଶିକା ନୀତିକୁ ଆଧାର କରି ପ୍ରଭାବିତ ଅଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟାକୁ ଅଧିକ ବ୍ୟବସ୍ଥିତ କରିବାକୁ ନିଷ୍ପତ୍ତି ହୋଇଛି। ଜଳବାୟୁ ପରିବର୍ତ୍ତନର ସାମ୍ନା କରିବା ପାଇଁ ଭିତ୍ତିଭୂମିକୁ ମଜବୁତ କରାଯିବ। ଏହି କ୍ରମରେ ଓଡ଼ିଶାର ୧୬୦ କିମି ଗ୍ରୀନଫିଲ୍ଡ ଉପକୂଳ ରାଜପଥ (Coastal Highway), ରାଜଧାନୀ କ୍ଷେତ୍ର ରିଙ୍ଗ ରୋଡ୍ (CRRR) ଏବଂ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କ୍ଷେତ୍ର (BCPPER) ପ୍ରକଳ୍ପକୁ ବିଶ୍ୱ ମଞ୍ଚରେ ଉଦାହରଣ ଭାବେ ଉପସ୍ଥାପିତ କରାଯାଇଛି, ଯାହା ଦୀର୍ଘକାଳୀନ ବିପର୍ଯ୍ୟୟ ସ୍ଥିରତାରେ ସହାୟକ ହେବ। ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ଅନୁଯାୟୀ, ଓଡ଼ିଶାର ୬୦୦ କିଲୋମିଟର କୋଷ୍ଟାଲ ଲାଇନକୁ ବାତ୍ୟାରୁ ସୁରକ୍ଷିତ ରଖିବା ପାଇଁ ଜମି ତଳେ ଇନଷ୍ଟଲେସନ (Underground Facilities) ପାଇଁ ୧୧,୦୦୦ କୋଟି ଟଙ୍କାର ଏକ ବୃହତ ପ୍ରସ୍ତାବ ସମ୍ମିଳନୀରେ ରଖାଯାଇଛି। ଏଥିସହ ରାଜ୍ୟରେ ଅଧିକ ‘ହିଟ୍ ୱେଭ ସେଣ୍ଟର’ ଏବଂ ଭୂସ୍ଖଳନ ମୁକାବିଲା କେନ୍ଦ୍ର ପ୍ରତିଷ୍ଠା ହେବ। ୧୯୯୯ ମହାବାତ୍ୟା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡ଼ିଶାର ସଂଘର୍ଷ ଏବଂ ମୁକାବିଲାର ସଫଳ କାହାଣୀକୁ ଭିଡ଼ିଓ ଏବଂ ସାହିତ୍ୟ ଆକାରରେ ଆନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ କରାଯାଇଛି, ଯାହା ଆଗାମୀ ପିଢ଼ିକୁ ବିପର୍ଯ୍ୟୟ ସହ ଲଢ଼ିବାକୁ ପ୍ରେରଣା ଦେବ। ବୈଠକର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସରିବା ପରେ, ଅପରାହ୍ନରେ ବ୍ରିକ୍ସ ରାଷ୍ଟ୍ର ସମୂହର ସମସ୍ତ ବିଶ୍ୱ ପ୍ରତିନିଧି ଓ ବୈଜ୍ଞାନିକମାନେ ଓଡ଼ିଶାର ପ୍ରସିଦ୍ଧ ବ୍ଲାକ୍ ପାଗୋଡ଼ା ‘କୋଣାର୍କ ସୂର୍ଯ୍ୟ ମନ୍ଦିର’ ପରିଭ୍ରମଣରେ ଯାଇଥିଲେ। ସେଠାରେ ସେମାନେ ଓଡ଼ିଆ ସ୍ଥାପତ୍ୟ କଳାର କୀର୍ତ୍ତିରାଜି ଦେଖି ଚକିତ ହେବା ସହ ଓଡ଼ିଶାର ସଂସ୍କୃତିର ଭୂୟସୀ ପ୍ରଶଂସା କରିଛନ୍ତି। ପୁରୀରେ ଆୟୋଜିତ ଏହି ବ୍ରିକ୍ସ ସମ୍ମିଳନୀ କେବଳ ଓଡ଼ିଶାର ସଫଳ ବିପର୍ଯ୍ୟୟ ମଡେଲ୍‌କୁ ବିଶ୍ୱ ଦରବାରରେ ସମ୍ମାନିତ କରିନାହିଁ, ବରଂ ଆଗାମୀ ଦିନରେ ବିଶ୍ୱର ୧୧ଟି ଶକ୍ତିଶାଳୀ ରାଷ୍ଟ୍ରଙ୍କ ସହଯୋଗରେ ମାନବ ସଭ୍ୟତାକୁ ପ୍ରାକୃତିକ ସଙ୍କଟରୁ ରକ୍ଷା କରିବା ପାଇଁ ଏକ ସୁଦୃଢ଼ ମୂଳଦୁଆ ପକାଇଛି।

Posted in ରାଜ୍ୟ and tagged .