ନୀତି ଆୟୋଗର ୧୧ତମ ଶାସନ ପରିଷଦ ବୈଠକରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ସାମଗ୍ରିକ ବିକାଶ, ମାନବ ସମ୍ପଦ ସଶକ୍ତିକରଣ ଓ ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟ ପୂରଣ ନେଇ ରାଜ୍ୟ ସରକାରଙ୍କ ରୋଡମ୍ୟାପ୍ ଉପସ୍ଥାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ’ ଦୃଷ୍ଟିକୋଣ ଫଳରେ ପୂର୍ବ ଭାରତ ଦେଶର ନୂତନ ବିକାଶ କେନ୍ଦ୍ରରେ ପରିଣତ ହେଉଥିବା ବେଳେ ଓଡ଼ିଶା ଏହାର ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଥିବା ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶା ୭.୯ ପ୍ରତିଶତ ଆର୍ଥିକ ଅଭିବୃଦ୍ଧି ହାସଲ କରିଥିବା ବେଳେ ଆର୍ଥିକ ଶୃଙ୍ଖଳା ରକ୍ଷା କରି ନୀତି ଆୟୋଗର ଫିସ୍କାଲ ହେଲ୍ଥ ଇଣ୍ଡେକ୍ସ-୨୦୨୬ରେ ପ୍ରଥମ ସ୍ଥାନ ଅଧିକାର କରିଛି। ରେଳ ବିକାଶ ପାଇଁ କେନ୍ଦ୍ର ସରକାର ୧୦,୯୨୮ କୋଟି ଟଙ୍କା ବଜେଟ୍ ବ୍ୟବସ୍ଥା କରିଥିବା ବେଳେ ରାଜ୍ୟରେ ୯୦ ହଜାର କୋଟି ଟଙ୍କାରୁ ଅଧିକ ରେଳ ପ୍ରକଳ୍ପ କାର୍ଯ୍ୟାନ୍ବୟନ ହେଉଛି। ସାଗରମାଳା ଓ ପିଏମ୍ ଗତିଶକ୍ତି ଯୋଜନା ଅଧୀନରେ ଓଡ଼ିଶା ଏକ ପ୍ରମୁଖ ସାମୁଦ୍ରିକ ଓ ଲଜିଷ୍ଟିକ୍ସ ହବ୍ ଭାବେ ଉଭା ହେଉଥିବା ଉଲ୍ଲେଖ କରିଛନ୍ତି।
ବାହୁଦା ଗଭୀର ସମୁଦ୍ର ବନ୍ଦର ଏବଂ ଜାତୀୟ ଜଳପଥ-୫ର ବିକାଶ ଦ୍ୱାରା ବାଣିଜ୍ୟ ଓ ଯୋଗାଯୋଗ କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି ହେବ ବୋଲି ସେ କହିଛନ୍ତି। ସେହିପରି ଭାରତ ସେମିକଣ୍ଡକ୍ଟର ମିଶନ ଅଧୀନରେ ଦୁଇଟି ସେମିକଣ୍ଡକ୍ଟର ପ୍ରକଳ୍ପ ଅନୁମୋଦନ ରାଜ୍ୟର ଶିଳ୍ପ ପରିବେଶକୁ ଆହୁରି ମଜବୁତ କରିଛି।
‘ଇନକ୍ଲୁସିଭ୍ ହ୍ୟୁମାନ ଡେଭେଲପମେଣ୍ଟ ଫର୍ ବିକଶିତ ଭାରତ-୨୦୪୭’ ବିଷୟବସ୍ତୁ ଉପରେ ମତ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, କେବଳ ଭିତ୍ତିଭୂମି ବିକାଶ ନୁହେଁ, ବରଂ ଦକ୍ଷ ଯୁବଶକ୍ତି, ସୁସ୍ଥ ପରିବାର, ଶିକ୍ଷିତ ଶିଶୁ ଓ ସମାନ ସୁଯୋଗ ହିଁ ବିକଶିତ ଭାରତର ଭିତ୍ତି।
ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ‘ଆମ କୁନି ପିଲା’, ‘ଆମେ ପଢ଼ିବା ଆମ ଭାଷାରେ’, ‘ମୋ ବିକାଶ ପତ୍ର’ ଭଳି କାର୍ଯ୍ୟକ୍ରମ ଶିଶୁ ବିକାଶକୁ ନୂଆ ଦିଗ ଦେଇଥିବା ବେଳେ କୃତ୍ରିମ ବୁଦ୍ଧିମତା (AI) ଆଧାରିତ ଶିକ୍ଷା ବ୍ୟବସ୍ଥା ଆରମ୍ଭ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି।
ରାଜ୍ୟରେ ୪୪,୮୭୫ଟି ଶିଶୁ ବାଟିକା ଶ୍ରେଣୀକକ୍ଷ ସ୍ଥାପନ, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଅଧୀନରେ ନବମ ଓ ଦଶମ ଶ୍ରେଣୀର ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଣ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ‘ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା’ କାର୍ଯ୍ୟକାରୀ ହୋଇଥିବା ସେ ସୂଚନା ଦେଇଛନ୍ତି।
ଦକ୍ଷତା ବିକାଶ କ୍ଷେତ୍ରରେ ୧୦ଟି ସରକାରୀ ITIକୁ ‘ଉତ୍କର୍ଷ ITI’ରେ ପରିଣତ କରାଯାଉଥିବା ବେଳେ ୨୫ଟି ITIରେ ଉଦୀୟମାନ କ୍ଷେତ୍ର ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ ଏବଂ ୧୩ଟି ITIରେ AI ଲ୍ୟାବ୍ ସ୍ଥାପନ କରାଯାଉଛି। ବିଶ୍ୱ କୌଶଳ କେନ୍ଦ୍ରର ସମ୍ବଲପୁର ଓ ବ୍ରହ୍ମପୁର କ୍ୟାମ୍ପସ ଖୋଲିବା ଯୋଜନା ମଧ୍ୟ ରହିଛି।
କ୍ରୀଡ଼ା କ୍ଷେତ୍ରରେ ୩୧୪ଟି ବ୍ଲକ୍ ସ୍ତରୀୟ ଷ୍ଟାଡିୟମ୍ ନିର୍ମାଣ, ‘ଫିଟ୍ ଓଡ଼ିଶା ମିଶନ’ ଏବଂ ‘ମୁଖ୍ୟମନ୍ତ୍ରୀ ଟ୍ରଫି’ ମାଧ୍ୟମରେ ଗ୍ରାମାଞ୍ଚଳର ପ୍ରତିଭାଙ୍କୁ ପ୍ରୋତ୍ସାହନ ଦିଆଯାଉଛି। କୃଷି କ୍ଷେତ୍ରରେ ଏଗ୍ରିଷ୍ଟାକ୍ ପ୍ଲାଟଫର୍ମ ମାଧ୍ୟମରେ ୩ କୋଟିରୁ ଅଧିକ ଜମିଖଣ୍ଡର ଡିଜିଟାଲ୍ ସର୍ଭେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଓ ଟେଲି-କନସଲଟେସନ୍ ସେବା ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛି।
ଓଡ଼ିଶା AI ଓ ଡିଜିଟାଲ୍ ପ୍ରଯୁକ୍ତିର ବ୍ୟବହାର ମାଧ୍ୟମରେ ଶାସନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ, ଦ୍ରୁତ ଓ ଜନମୁଖୀ କରିବାକୁ ପଦକ୍ଷେପ ନେଉଥିବା ବେଳେ ‘ଆମ ସାଥୀ’ ଭଳି ପ୍ଲାଟଫର୍ମ ମାଧ୍ୟମରେ ନାଗରିକ ସେବାକୁ ସହଜ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଶେଷରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ‘ବିକଶିତ ଭାରତ’ ସ୍ୱପ୍ନ ସାକାର ହେବା ସହ ଓଡ଼ିଶା ଦେଶର ବିକାଶର ଏକ ଶକ୍ତିଶାଳୀ ସ୍ତମ୍ଭ ଭାବେ ଉଭା ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
