ଆମେରିକା-ଇରାନ ଯୁଦ୍ଧ ଏବଂ ଭାରତ ଉପରେ ଏହାର ପ୍ରଭାବ

ଆମେରିକା-ଇରାନ ଯୁଦ୍ଧ ଏବଂ ଭାରତ ଉପରେ ଏହାର ପ୍ରଭାବ

ପଶ୍ଚିମ ଏସିଆ (ମଧ୍ୟ ପ୍ରାଚ୍ୟ) ବର୍ତ୍ତମାନ ପୁଣି ଏକ ଯୁଦ୍ଧ ସ୍ଥିତିରେ ପହଞ୍ଚିଛି। ଆମେରିକା ଏବଂ ଇରାନ ମଧ୍ୟରେ ଲଗାତାର ଦ୍ୱିତୀୟ ଦିନ ପାଇଁ ଚାଲିଥିବା କ୍ଷେପଣାସ୍ତ୍ର ମାଡ଼ ବିଶ୍ୱକୁ ତୃତୀୟ ବିଶ୍ୱଯୁଦ୍ଧର ନିକଟତର କରିଦେଇଛି। ଏହି ସଂଘର୍ଷ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାଂଘାତିକ ବୟାନ ସାରା ବିଶ୍ୱକୁ ଚିନ୍ତାରେ ପକାଇଛି।

ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଇରାନକୁ ଏକ ବଡ଼ ଧମକ ଦେଇ କହିଛନ୍ତି ଯେ, ଇରାନ ଉପରେ ଏକ ବଡ଼ ଧରଣର ଆକ୍ରମଣ କରାଯିବ। ସେ ଚେତାବନୀ ଦେଇଛନ୍ତି ଯେ, ଆଗାମୀ ଦିନରେ ଆମେରିକା ଇରାନର ପ୍ରସିଦ୍ଧ ‘ଖାର୍ଗ ଦ୍ୱୀପ’ ସମେତ ସମସ୍ତ ପ୍ରମୁଖ ତୈଳ ଭିତ୍ତିଭୂମିକୁ ନିଜ କବଜାକୁ ନେବ ଏବଂ ସେମାନଙ୍କର ଗ୍ୟାସ ଓ ତେଲ ବଜାରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବ, ଯେପରି ପୂର୍ବରୁ ଆମେରିକା ଭେନେଜୁଏଲା ସହ କରିଥିଲା। ଏହା ସହ ଇରାନର ନୌସେନା, ବାୟୁସେନା ଏବଂ ରାଡାର ସିଷ୍ଟମକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ଆମେରିକା ଲକ୍ଷ୍ୟ ରଖିଛି।

ଅନ୍ୟପଟେ ଇରାନ ମଧ୍ୟ ଶକ୍ତ ଜବାବ ଦେଇଛି। ଜୋର୍ଡାନର ଅଲ ଅଜରାକ ଏୟାର ବେସ୍ ଉପରେ ଇରାନ ୧୨ଟି ବାଲାଷ୍ଟିକ ମିସାଇଲ ମାଡ଼ କରି ଅନେକ ଆମେରିକୀୟ ଯୁଦ୍ଧ ବିମାନ ଧ୍ୱଂସ କରିଥିବା ଦାବି କରିଛି। ଏହା ସହ କୁଏତ ଓ ବାହାରିନରେ ଥିବା ଆମେରିକୀୟ ବାୟୁସେନା ଘାଟିର ୧୮ଟି ସାମରିକ ଠିକଣାକୁ ମଧ୍ୟ ଇରାନ ଟାର୍ଗେଟ କରିଛି। ସବୁଠାରୁ ବଡ଼ କଥା ହେଉଛି, ଇରାନ ବର୍ତ୍ତମାନ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ଷ୍ଟ୍ରେଟ ଅଫ ହର୍ମୁଜ’ (Strait of Hormuz) କୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି।

ମଧ୍ୟ ପ୍ରାଚ୍ୟରେ ଲାଗିଥିବା ଏହି ନିଆଁ କେବଳ ସେହି ଦେଶଗୁଡ଼ିକ ମଧ୍ୟରେ ସୀମିତ ରହିବ ନାହିଁ। ଭାରତର ଭୌଗୋଳିକ ସ୍ଥିତି, ଅର୍ଥନୀତି ଏବଂ ସାମରିକ ସ୍ୱାର୍ଥ ଏହି ଅଞ୍ଚଳ ସହ ଗଭୀର ଭାବେ ଜଡ଼ିତ। ତେଣୁ ଏହି ଯୁଦ୍ଧ ଭାରତ ଉପରେ ବ୍ୟାପକ ପ୍ରଭାବ ପକାଇବାକୁ ଯାଉଛି:

ଭାରତ ନିଜର ଆବଶ୍ୟକତାର ପ୍ରାୟ ୮୦-୮୫ ପ୍ରତିଶତ ଅଶୋଧିତ ତେଲ (Crude Oil) ବାହାର ଦେଶରୁ ଆମଦାନୀ କରିଥାଏ, ଯାହାର ଏକ ବଡ଼ ଭାଗ ମଧ୍ୟ ପ୍ରାଚ୍ୟରୁ ଆସେ। ଇରାନ ଦ୍ୱାରା ‘ଷ୍ଟ୍ରେଟ ଅଫ ହର୍ମୁଜ’ ବନ୍ଦ କରାଯିବା କାରଣରୁ ବିଶ୍ୱ ବଜାରକୁ ତେଲ ଯୋଗାଣ ବାଧାପ୍ରାପ୍ତ ହେବ। ଏହି ସଂଘର୍ଷ ଲମ୍ବା ଚାଲେ, ତେବେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବହୁ ପରିମାଣରେ ବଢ଼ିଯିବ। ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଇବ, ଯାହାଫଳରେ ପରିବହନ ଖର୍ଚ୍ଚ ବଢ଼ିବ ଏବଂ ଦେଶରେ ସାଧାରଣ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦାମ ମଧ୍ୟ ଆକାଶଛୁଆଁ ହେବ। ଯୁଦ୍ଧର ଆଶଙ୍କା ଜାତ ହେବା ମାତ୍ରେ ବିଶ୍ୱ ସାରା ନିବେଶକମାନେ ଆତଙ୍କିତ ହୋଇପଡ଼ନ୍ତି। ଭାରତୀୟ ଶେୟାର ବଜାର (Share Market) ରେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିପାରେ। ବିଦେଶୀ ନିବେଶକମାନେ ଭାରତୀୟ ବଜାରରୁ ଟଙ୍କା ପ୍ରତ୍ୟାହାର କରିନେବେ, ଯାହା ଦ୍ୱାରା ସେୟାର ବଜାର ହ୍ରାସ ପାଇବ। ଏହା ସହିତ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ଦୁର୍ବଳ ହେବ, ଯାହା ଦେଶର ଆମଦାନୀ ବିଲ୍‌କୁ ଆହୁରି ବଢ଼ାଇଦେବ।

ମଧ୍ୟ ପ୍ରାଚ୍ୟର ବିଭିନ୍ନ ଦେଶ ଯଥା- କୁଏତ, ବାହାରିନ, ସାଉଦି ଆରବ ଏବଂ ୟୁଏଇରେ ଲକ୍ଷ ଲକ୍ଷ ଭାରତୀୟ ଶ୍ରମିକ ଓ ବୃତ୍ତିଗତ ଲୋକ କାମ କରନ୍ତି। ଇରାନର ଆକ୍ରମଣ ଯୋଗୁଁ କୁଏତ ଏବଂ ବାହାରିନରେ ଯୁଦ୍ଧ ସାଇରନ୍ ବାଜିଲାଣି ଏବଂ କୁଏତ ନିଜର ଆକାଶପଥ ସିଲ୍ କରିଦେଇଛି। ସେଠାରେ ରହୁଥିବା ଭାରତୀୟମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବ। ଯଦି ସ୍ଥିତି ଅଧିକ ବିଗିଡ଼େ, ତେବେ ଭାରତ ସରକାରଙ୍କୁ ସେମାନଙ୍କୁ ସୁରକ୍ଷିତ ଭାବେ ସ୍ୱଦେଶ ଫେରାଇ ଆଣିବା ପାଇଁ ‘ଅପରେସନ ଗଙ୍ଗା’ ବା ‘କାବେରୀ’ ଭଳି ଏକ ବଡ଼ ସ୍ଥାନାନ୍ତରଣ ଅଭିଯାନ (Evacuation) ଚଲାଇବାକୁ ପଡ଼ିବ, ଯାହା ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ହେବ। ବାଣିଜ୍ୟ ଏବଂ ଚାବହାର ବନ୍ଦର ପ୍ରକଳ୍ପ ସଙ୍କଟରେ

ଭାରତ ପାଇଁ ଇରାନର ‘ଚାବହାର ବନ୍ଦର’ (Chabahar Port) କୌଶଳଗତ ଭାବେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ବନ୍ଦର ଜରିଆରେ ଭାରତ, ପାକିସ୍ତାନକୁ ବାଇପାସ୍ କରି ଆଫଗାନିସ୍ତାନ ଏବଂ ମଧ୍ୟ ଏସିଆ ସହ ବ୍ୟାପାର କରିଥାଏ। ଯଦି ଆମେରିକା ଇରାନ ଉପରେ ଚତୁର୍ଦ୍ଦିଗରୁ ଆକ୍ରମଣ କରେ, ତେବେ ଚାବହାର ବନ୍ଦରରେ ଭାରତର କୋଟି କୋଟି ଟଙ୍କାର ନିବେଶ ସଙ୍କଟରେ ପଡ଼ିଯିବ। ଏହାସହ ଭାରତର ରପ୍ତାନି ବାଣିଜ୍ୟ ମଧ୍ୟ ମାନ୍ଦା ପଡ଼ିଯିବ।

ଏହି ମହାଯୁଦ୍ଧ ଭାରତ ପାଇଁ ଏକ ବଡ଼ କୂଟନୈତିକ ପରୀକ୍ଷା ହେବ। ଗୋଟିଏ ପଟେ ଆମେରିକା ହେଉଛି ଭାରତର ସବୁଠାରୁ ବଡ଼ ରଣନୀତିକ ଏବଂ ବ୍ୟାପାରିକ ସହଯୋଗୀ। ଅନ୍ୟପଟେ ଇରାନ ସହ ଭାରତର ସମ୍ପର୍କ ସଦାସର୍ବଦା ବନ୍ଧୁତ୍ୱପୂର୍ଣ୍ଣ ରହିଆସିଛି। ଏଭଳି ସ୍ଥିତିରେ ଭାରତ କାହା ପକ୍ଷ ନେବ, ତାହା ବଡ଼ ପ୍ରଶ୍ନ। ଭାରତକୁ ଅତ୍ୟନ୍ତ ସତର୍କତାର ସହ କୌଣସି ପକ୍ଷ ନନେଇ ଶାନ୍ତି ପ୍ରତିଷ୍ଠା ପାଇଁ ଆହ୍ୱାନ ଦେବାକୁ ପଡ଼ିବ। ଟ୍ରମ୍ପଙ୍କ ଏହି ସାଂଘାତିକ ଧମକ ଏବଂ ଇରାନର ପ୍ରତିଆକ୍ରମଣ ବିଶ୍ୱକୁ ଏକ ବିପଜ୍ଜନକ ମୋଡ଼କୁ ନେଇଯାଇଛି। ଯଦି କୌଣସି ବଡ଼ ଧରଣର ଆକ୍ରମଣ ହୁଏ, ତେବେ ଏହାର ପରିଣାମ କେବଳ ମଧ୍ୟ ପ୍ରାଚ୍ୟ ନୁହେଁ, ବରଂ ଭାରତ ଭଳି ଏକ ବିକାଶଶୀଳ ଦେଶର ଅର୍ଥନୀତି ଏବଂ ସାଧାରଣ ଜନତାଙ୍କ ପକେଟ୍ ଉପରେ ସିଧାସଳଖ ମାଡ଼ ହେବ। ଭାରତ ବର୍ତ୍ତମାନ ଏହି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଆମେରିକା ଆକ୍ରମଣ ଯୋଗୁ ଇରାନର ସିରିକ ଓ ମିନାବରେ ବିସ୍ଫୋରଣ ଘଟିଛି। ଆକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସହରରେ ଇରାନୀୟ ଏୟାର ଡିଫେନ୍ସକୁ ଆକ୍ଟିଭେଟ କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ଆମେରିକା ଘନଘନ ଆକ୍ରମଣ କରିବାକୁ ଏହାର ଜବାବ ମଧ୍ୟ ଇରାନ ଦେବାକୁ ପଛାଇ ନାହିଁ। ସେହିପରି ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ ଆଶଙ୍କାରେ କୁଲଏ ତାର ଆକାଶପଥକୁ ଅସ୍ଥାୟୀ ଭାବେ ସିଲ କରି ଦେଇଛି। ସମସ୍ତ ବାଣିଜ୍ୟିକ ଜାହାଜ ଓ ତୈଳ ଟ୍ୟାଙ୍କର ଚଳାଚଳ ଉପରେ ଇରାନ ରୋକ ଲଗାଇ ଦେଇଛି। ଯଦି ଏହି ପ୍ରଣାଳୀକୁ କୌଣସି ଜାହାଜ ଅତିକ୍ରମ କରିବାକୁ ଚେଷ୍ଟା କରିବ, ତା’ହେଲେ ସେଗୁଡ଼ିକୁ ଟାର୍ଗେଟ କରାଯିବ ବୋଲି ଇରାନ ଚେତାବନୀ ଦେଇଛି। ଏହାରି ଭିତରେ ଭାରତରେ ତୈଳ ସଂକଟ ଦେଖାଗଲାଣି । ଆଗକୁ ଏହାର ପରିଣାମ ସାଧାରଣ ଲୋକ ଭୋଗିବେ । ଭାରତକୁ ତୈଳ ଆସିନପାରିଲେ ଦରଦାମ ବଢ଼ିବ । ତେଣୁ ଭାରତ ପାଇଁ ଅଗ୍ନିପରୀକ୍ଷାର ସମୟ ଆସୁଛି ।

Posted in ଦେଶ ବିଦେଶ, Featured.