ଓଡ଼ିଶାରେ ପ୍ରଚୁର ଖଣିଜ ଶକ୍ତି, ସମୃଦ୍ଧ କୃଷି ଏବଂ ଅପାର ଯୁବ ପ୍ରତିଭା ରହିଛନ୍ତି : ମୋଦି

ଓଡ଼ିଶାରେ ପ୍ରଚୁର ଖଣିଜ ଶକ୍ତି, ସମୃଦ୍ଧ କୃଷି ଏବଂ ଅପାର ଯୁବ ପ୍ରତିଭା ରହିଛନ୍ତି : ମୋଦି

ଓଡ଼ିଶାରେ ବିଜେପି ସରକାରର ସଫଳ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉତ୍ସବ ଅବସରରେ ମୟୂରଭଞ୍ଜ ଜିଲ୍ଲା ଦାଣ୍ଡବୋଷଠାରେ ଏକ ଐତିହାସିକ ତଥା ବିଶାଳ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ମେଗା ମଞ୍ଚରେ ରାଷ୍ଟ୍ରପତି ମହାମହିମ ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକାଠି ଯୋଗଦେଇ ଓଡ଼ିଶାର ବିକାଶ ଧାରାକୁ ଆହୁରି ବେଗବାନ କରିଛନ୍ତି। ରାଜ୍ୟର ‘ଡବଲ୍ ଇଞ୍ଜିନ’ ସରକାରକୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆପଣଙ୍କର ଭଲ ପାଇବା ଓ ଆତ୍ମୀୟତା ମୋତେ ବାରମ୍ବାର ଓଡ଼ିଶାକୁ ଟାଣିଆଣୁଛି। ରାଷ୍ଟ୍ରପତିଙ୍କ ଗାଁକୁ ଯାଇ ଆଜି ମୋତେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାର ଏକ ଅପୂର୍ବ ସୁଯୋଗ ମିଳିଲା।”

ପ୍ରଧାନମନ୍ତ୍ରୀ ଏହି ସଭାରେ ଦୁଇଟି ବଡ଼ ଓ ଗୌରବପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କ ଜନ୍ମମାଟି ପାହାଡ଼ପୁର ଗ୍ରାମର ସମସ୍ତ ଲୋକଙ୍କୁ ସମ୍ପୂର୍ଣ୍ଣ ମାଗଣା ସୌର ବିଦ୍ୟୁତ୍ ପ୍ରଦାନ କରାଯିବ ଏବଂ ଏହି ଗାଁ ଆଗାମୀ ଦିନରେ ରାଜ୍ୟର ଅନ୍ୟତମ ପ୍ରମୁଖ ‘ସୂର୍ଯ୍ୟଗ୍ରାମ’ ଭାବେ ଗଢ଼ିଉଠିବ। ଏହା ସହିତ ଜନଜାତି ଗୌରବକୁ ଆହୁରି ବଢ଼ାଇ ଏବେ ସାନ୍ତାଳୀ ଭାଷାରେ ଦେଶର ପବିତ୍ର ସମ୍ବିଧାନ ଲେଖାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଶାସନିକ ଶୈଳୀକୁ ଭୂୟସୀ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ଓଡ଼ିଶା ଦେଶର ପ୍ରଗତିର ଏକ ପ୍ରମୁଖ ଦ୍ୱାର ପାଲଟିଛି। ଓଡ଼ିଶାରେ ପ୍ରଚୁର ଖଣିଜ ଶକ୍ତି, ସମୃଦ୍ଧ କୃଷି ଏବଂ ଅପାର ଯୁବ ପ୍ରତିଭା ରହିଛନ୍ତି। ବର୍ତ୍ତମାନ ଡବଲ୍ ଇଞ୍ଜିନ ସରକାରର ସବୁଠାରୁ ବଡ଼ ସଫଳତା ହେଉଛି— ସରକାର ଏଣିକି ସେକ୍ରେଟେରିଏଟ୍‌ରେ ସୀମିତ ନରହି ସିଧାସଳଖ ଲୋକଙ୍କ ପାଖକୁ ଯାଉଛି

ବର୍ତ୍ତମାନ ସମଗ୍ର ରାଜ୍ୟରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କାର ବଡ଼ ବଡ଼ ବିକାଶମୂଳକ କାର୍ଯ୍ୟ ଜାରି ରହିଛି। ଓଡ଼ିଶାରେ ରେଳପଥ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଦ୍ରୁତ ଗତିରେ ଚାଲିଛି ଏବଂ ରାଜ୍ୟକୁ ଏକ ବଡ଼ ଇଣ୍ଡଷ୍ଟ୍ରିଆଲ୍ ହବ୍ ବା ଶିଳ୍ପସମୃଦ୍ଧ କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି।

କେବଳ ପାୱାର୍ ବା ଶକ୍ତି କ୍ଷେତ୍ରରେ ୬ ହଜାର କୋଟି ଟଙ୍କାର କାମ ଚାଲିଛି। ଏହାସହ ରାଜ୍ୟ ସରକାରଙ୍କ ଲୋକପ୍ରିୟ ‘ସୁଭଦ୍ରା ଯୋଜନା’ ଏବଂ କେନ୍ଦ୍ରର ‘ଆୟୁଷ୍ମାନ୍ ଭାରତ ଯୋଜନା’ ମାଧ୍ୟମରେ ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ଓ ମଧ୍ୟବିତ୍ତ ପରିବାର ସିଧାସଳଖ ଉପକୃତ ହେଉଛନ୍ତି।

‘ଉତ୍କର୍ଷ ଅଭିଯାନ’ ଭଳି ଯୋଜନା ବଳରେ ଓଡ଼ିଶାର ବଡ଼ ଆଦିବାସୀ ସମାଜ ଆଜି ମୁଖ୍ୟ ବିକାଶର ଧାରାରେ ସାମିଲ ହୋଇପାରିଛି। ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରି କହିଛନ୍ତି ଯେ, ଓଡ଼ିଶାର ବିକାଶ ହେଲେ ହିଁ ସମଗ୍ର ଭାରତ ଆଗକୁ ବଢ଼ିବ।

ଦାଣ୍ଡବୋଷର ଏହି ଭବ୍ୟ ମଞ୍ଚରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ-ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କ୍ୟାବିନେଟ୍ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ, ରାଜ୍ୟସଭା ସାଂସଦ ତଥା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ମୟୂରଭଞ୍ଜ ଲୋକସଭା ସଦସ୍ୟ ନବ ଚରଣ ମାଝୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ଉପସ୍ଥିତ ଥିଲେ। ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତିର ଏହି ସମାରୋହ ଆଗାମୀ ଓଡ଼ିଶାର ବିକାଶ ପାଇଁ ଏକ ନୂଆ ବିଶ୍ୱାସର ମାଇଲଖୁଣ୍ଟ ସାଜିଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି- ପାହାଡ଼ପୁର ବିଦ୍ୟାଳୟ ପରିସରରେ ସ୍ୱର୍ଗତ ଶ୍ୟାମ ଚରଣ ମୁର୍ମୁ, ସ୍ୱର୍ଗତ ଲଖନ ମୁର୍ମୁ ଏବଂ ସ୍ୱର୍ଗତ ସିପୁନ୍‌ ମୁର୍ମୁଙ୍କର ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି । ବ୍ୟକ୍ତିଗତ ଦୁଃଖ ସତ୍ତ୍ୱେ ରାଷ୍ଟ୍ରପତି ଜୀଙ୍କ ଦ୍ୱାରା ପ୍ରଦର୍ଶିତ ସାହସ ଏବଂ ଦୃଢ଼ସଂକଳ୍ପ ପ୍ରେରଣାଦାୟକ । ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତା ଜନସେବା ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଆହୁରି ଗଭୀର କରିଛି ଏବଂ ଲୋକଙ୍କ ଜୀବନରେ ସୁଧାର ଆଣିଛି ।

Posted in ରାଜ୍ୟ.