ରାଜ୍ୟ ରାଜନୀତିରେ ବଡ଼ ଘଟଣାକ୍ରମ। ବହୁ ଚର୍ଚ୍ଚାର ହେଲା ଅବସାନ,ଶେଷରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ

ରାଜ୍ୟ ରାଜନୀତିରେ ବଡ଼ ଘଟଣାକ୍ରମ। ବହୁ ଚର୍ଚ୍ଚାର ହେଲା ଅବସାନ,ଶେଷରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ

ରାଜ୍ୟ ରାଜନୀତିରେ ବଡ଼ ଘଟଣାକ୍ରମ। ବହୁ ଚର୍ଚ୍ଚାର ହେଲା ଅବସାନ। ଦୀର୍ଘ ଦିନ ଧରି ଶଙ୍ଖ ଦଳର ପ୍ରମୁଖ ଚେହେରା ସାଜିଥିବା ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ଵାଳ ଶେଷରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଶହ ଶହ ସମର୍ଥକଙ୍କ ଗହଣରେ ଆସି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ ପ୍ରଭାତ ବିଶ୍ଵାଳ। ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହୋଇଛନ୍ତି। ଏହା ପୂର୍ବରୁ ଆଜି ସକାଳେ ତାଙ୍କ ବାସଭବନରେ ଥିବା ବ୍ୟାନରରେ ପ୍ରଭାତଙ୍କ ଫଟୋ ସହ ବିଜେପିର ପ୍ରମୁଖ ନେତାଙ୍କ ଚିତ୍ର ମଧ୍ୟ ସ୍ଥାନ ପାଇଥିବା ଦେଖିବାକୁ ମିଳିଥିଲା।

ଆଜି ସକାଳୁ ନିଜ ବାସଭବନରୁ ବାହାରିବା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ସେ ବିଜେପିରେ ମିଶୁଥିବା ଥିବା ନେଇ ସ୍ପଷ୍ଟ କରିଥିଲେ | ସକାଳୁ ନିଜ କଟକ ବାସଭବନରେ ଯଥାରୀତି ନୀତି ପୂଜା ଅର୍ଚ୍ଚନା କରିବା ପରେ ପ୍ରଭାତ ବିଶ୍ୱାଳ ଘରୁ ଗୋଡ଼ କାଢ଼ିଥିଲେ | ଏହି ସମୟରେ ତାଙ୍କ ସହ ତାଙ୍କ ଧର୍ମପତ୍ନୀ, ପୁଅ ତଥା ବିଧାୟକ ସୌଭିକ ବିଶ୍ୱାଳ ଏବଂ ଝିଅ ମଧ୍ୟ ଉପସ୍ଥିତ ଥିଲେ | ସମ୍ପୂର୍ଣ୍ଣ ପରିବାର ସମର୍ଥକମାନଙ୍କ ଗହଣରେ ବିରାଟ ପଟୁଆରରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ |

ପ୍ରଭାତ ବିଶ୍ୱାଳଙ୍କ ଏହି ମିଶ୍ରଣ ପର୍ବ ପାଇଁ କଟକରୁ ଏକ ବଡ଼ ପ୍ରସ୍ତୁତି କରାଯାଇଥିଲା| ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ସମର୍ଥକ ଓ ଦଳୀୟ କର୍ମୀଙ୍କୁ ସାଙ୍ଗରେ ନେଇ ସେ କଟକରୁ ବାହାରିଥିଲେ | ସମସ୍ତ ସମର୍ଥକଙ୍କ ସହିତ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ଏକାଠି ହୋଇଥିଲେ | ସେଠାରୁ ଏକ ବିରାଟ ଶୋଭାଯାତ୍ରା ଓ ର୍ୟାଲି ମାଧ୍ୟମରେ ସେମାନେ ଶକ୍ତି ପ୍ରଦର୍ଶନ କରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ | । ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହୋଇଛନ୍ତି।

ପ୍ରଭାତଙ୍କ ରାଜନୈତିକ ଘଟଣାକ୍ରମ

ସୂଚନାଯୋଗ୍ୟ, ପ୍ରଭାତ ବିଶ୍ଵାଳ ବିଜେଡିର ଜଣେ ଟାଣୁଆ ଏବଂ ବରିଷ୍ଠ ନେତା ଥିଲେ। ସେ ବିଜେଡି ଆରମ୍ଭ ହେବା ସମୟରୁ ଅର୍ଥାତ ୧୯୯୭ରୁ ଦଳରେ ଥିଲେ। ସେ ବିଜେଡିର ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ। ବିଜେଡି ଟିକେଟରେ ୨୦୦୪, ୨୦୦୯ ଏବଂ ଓ ୨୦୧୪ରେ କଟକ ଚୌଦ୍ଵାର ଆସନରୁ କ୍ରମାଗତ ଭାବେ ବିଜୟୀ ହୋଇ ବିଧାନସଭାରେ ହ୍ୟାଟ୍ରିକ ଅର୍ଜନ କରିଥିଲେ। ତାଙ୍କ ଲୋକପ୍ରିୟତା ଏବଂ ସାଂଗଠନିକ ଦକ୍ଷତା ଯୋଗୁଁ ତାଙ୍କୁ ବିଜେଡିର କଟକ ଜିଲ୍ଲା ସଭାପତି ଦାୟିତ୍ୱ ମଧ୍ୟ ମିଳିଥିଲା।

ଚିଟଫଣ୍ଡ ମହାଘୋଟାଲା ଓ ଗିରଫଦାରୀ: କ୍ୟାରିୟରରେ ବଡ଼ ଝଟକା

ପ୍ରଭାତ ବିଶ୍ୱାଳଙ୍କ ଚମକୁଥିବା ରାଜନୈତିକ କ୍ୟାରିୟରରେ ସବୁଠାରୁ ବଡ଼ ଝଡ଼ ଆସିଥିଲା ୨୦୧୭ ମସିହାରେ, ଯେତେବେଳେ ଓଡ଼ିଶାର ବହୁଚର୍ଚ୍ଚିତ ସିସୋରଚିଟଫଣ୍ଡ ଦୁର୍ନୀତିରେ ତାଙ୍କ ନାଁ ସାମ୍ନାକୁ ଆସିଥିଲା। ସେପ୍ଟେମ୍ବର ୨୦୧୭ରେ ଚିଟଫଣ୍ଡ ସଂସ୍ଥା ସହ ଆର୍ଥିକ କାରବାର ଏବଂ ଜମି କିଣାବିକା ଅଭିଯୋଗରେ ସିବିଆଇ ତାଙ୍କୁ ଗିରଫ କରିଥିଲା।

ଏହି ଗିରଫଦାରୀ ଓଡ଼ିଶା ରାଜନୀତିକୁ ସେତେବେଳେ ହଲାଇ ଦେଇଥିଲା ଏବଂ ବିଜେଡିକୁ ବ୍ୟାକଫୁଟକୁ ନେଇଯାଇଥିଲା। ଗିରଫ ହେବା ପରେ ଅସୁସ୍ଥତା କାରଣରୁ ସେ କିଛି ଦିନ ହସ୍ପିଟାଲରେ ଏବଂ ପରେ ଜେଲରେ ରହିଥିଲେ। ଦୀର୍ଘ ମାସର ଜେଲ୍ ଜୀବନ ପରେ ୨୦୧୮ ଜୁନରେ ଓଡ଼ିଶା ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା।

ଟିକେଟ କଟିବା ଓ ପୁଅଙ୍କ ରାଜନୈତିକ ଏଣ୍ଟ୍ରି

ଚିଟଫଣ୍ଡ ମାମଲାରେ ଛନ୍ଦି ହେବା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କ୍ଲିନ ଇମେଜ୍କୁ ଗୁରୁତ୍ୱ ଦେଇ ପ୍ରଭାତଙ୍କୁ ଦଳୀୟ ରାଜନୀତିରୁ କିଛି ମାତ୍ରାରେ ଦୂରେଇ ରଖିଥିଲେ। ବିବାଦ କାରଣରୁ ୨୦୧୯ ବିଧାନସଭା ନିର୍ବାଚନରେ ପ୍ରଭାତ ବିଶ୍ୱାଳଙ୍କ ଟିକେଟ କାଟି ଦିଆଯାଇଥିଲା। ତେବେ ତାଙ୍କ ସାଂଗଠନିକ ପତିଆରାକୁ ଦେଖି ଦଳ ତାଙ୍କ ପୁଅ ସୌଭିକ ବିଶ୍ୱାଳଙ୍କୁ କଟକ-ଚୌଦ୍ୱାରରୁ ପ୍ରାର୍ଥୀ କରିଥିଲା ଏବଂ ସୌଭିକ ସେଠାରୁ ବିଜୟୀ ହୋଇଥିଲେ।

ହେଲେ ସମୟ କ୍ରମେ ବିଜେଡି ଏବଂ ପ୍ରଭାତଙ୍କ ସଂପର୍କରେ ଫାଟ ସୃଷ୍ଟି ହୋଇଥିଲା। ବିଜେଡି ହାଇକମାଣ୍ଡ ପ୍ରଭାତଙ୍କୁ ଗୁରୁତ୍ଵ ଦେଇ ନ ଥିଲେ। ତାଙ୍କୁ ଦଳରେ କୌଣସି ବଡ଼ ପଦ ମିଳି ନ ଥିଲା। ଅନ୍ୟପଟେ ବିଜେଡିର ଆଭ୍ୟନ୍ତରୀନ କାର୍ଯ୍ୟଶୈଳୀ ପ୍ରତି ଅସନ୍ତୋଷ ବ୍ୟକ୍ତ କରି ଆସିଥିଲେ ପ୍ରଭାତ ବିଶ୍ଵାଳ। ସେ ଖୋଲାଖୋଲି ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ରହିଥିବା ଭିକେ ପାଣ୍ଡିଆନ ଏବଂ ତାଙ୍କ ଗୋଷ୍ଠୀକୁ ସମାଲୋଚନା କରି ଆସିଥିଲେ। ଫଳରେ ବିଜେଡି ସହ ତାଙ୍କ ସଂପର୍କ ତିକ୍ତ ହେବାରେ ଲାଗିଥିଲା। ଏପରିକି କିଛି ମାସ ତଳେ ରାଜ୍ୟସଭା ନିର୍ବାଚନରେ ସ୍ଵାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ୍ ଦେବା ନେଇ ସୌଭିକ ବିଶ୍ଵାଳଙ୍କୁ ବିଜେଡି ନିଲମ୍ବିତ କରିଥିଲା।

Posted in ରାଜ୍ୟ, ରାଜନୀତି.