ସମୁଦ୍ରରେ ଶତ୍ରୁର କାଳ ସାଜିବ ‘INS ମହେନ୍ଦ୍ରଗିରି

ସମୁଦ୍ରରେ ଶତ୍ରୁର କାଳ ସାଜିବ ‘INS ମହେନ୍ଦ୍ରଗିରି

ଭାରତୀୟ ନୌସେନାର ସାମୁଦ୍ରିକ ସୁରକ୍ଷା ରଣନୀତିରେ ଯୋଡ଼ି ହୋଇଛି ଏକ ଶକ୍ତିଶାଳୀ ମହାଅସ୍ତ୍ର। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତୀୟ ନୌସେନାର ‘ଆଇଏନ୍‌ଏସ୍‌ ମହେନ୍ଦ୍ରଗିରି’ ଏବେ ସମୁଦ୍ରରେ ଶତ୍ରୁ ପକ୍ଷକୁ ଟକ୍କର ଦେବା ପାଇଁ ପ୍ରସ୍ତୁତ ହେଉଛି। ଓଡ଼ିଶାର ଗଜପତି ଜିଲ୍ଲାରେ ଅବସ୍ଥିତ ପବିତ୍ର ଓ ଐତିହାସିକ ‘ମହେନ୍ଦ୍ରଗିରି’ ପର୍ବତମାଳା ନାମରେ ଏହି ଅତ୍ୟାଧୁନିକ ଯୁଦ୍ଧଜାହାଜର ନାମକରଣ କରାଯାଇଛି, ଯାହା ପ୍ରତିଟି ଓଡ଼ିଆଙ୍କ ପାଇଁ ଏକ ଗୌରବର ବିଷୟ। ମୁମ୍ବାଇର ମାଜଗାଓଁ ଡକ୍ ସିପ୍‌ବିଲ୍ଡର୍ସ ଲିମିଟେଡ୍ (MDL) ଦ୍ୱାରା ନିର୍ମିତ ଏହି ଯୁଦ୍ଧଜାହାଜ ନୌସେନାରେ ସାମିଲ ହେବା ପରେ ଭାରତ ମହାସାଗରରେ ଭାରତର ଆଧିପତ୍ୟ ଆହୁରି ବୃଦ୍ଧି ପାଇବ। ଏହି ଯୁଦ୍ଧଜାହାଜର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ଅତ୍ୟାଧୁନିକ ଷ୍ଟିଲ୍‌ଥ୍ ଡିଜାଇନ୍। ଏହା ଯୋଗୁଁ ଶତ୍ରୁ ପକ୍ଷର ରାଡାର (Radar) ସହଜରେ ଏହି ଜାହାଜକୁ ଚିହ୍ନଟ କରିପାରିବ ନାହିଁ। ସମୁଦ୍ରରେ ଅଦୃଶ୍ୟ ରହି ଶତ୍ରୁ ଉପରେ ଆକ୍ରମଣ କରିବାରେ ଏହା ସମ୍ପୂର୍ଣ୍ଣ ସକ୍ଷମ। ଏଥିରେ ବ୍ରହ୍ମୋସ (BrahMos) ଭଳି ସୁପରସୋନିକ କ୍ରୁଜ୍ ମିସାଇଲ୍, ବାରାକ୍-୮ ଭଳି ଆକାଶମାର୍ଗରୁ ଆକ୍ରମଣ ପ୍ରତିହତ କରୁଥିବା ମିସାଇଲ୍ ଏବଂ ଅତ୍ୟାଧୁନିକ ଆଣ୍ଟି-ସବମେରିନ୍ ରକେଟ୍ ଲଞ୍ଚର୍ ଖଞ୍ଜାଯାଇଛି। ଜାହାଜରେ ଅତ୍ୟାଧୁନିକ ମଲ୍ଟି-ଫଙ୍କସନାଲ୍ ରାଡାର ଏବଂ ସମୁଦ୍ର ଭିତରେ ଲୁଚିଥିବା ଶତ୍ରୁର ବୁଡ଼ାଜାହାଜ (Submarine) କୁ ଖୋଜି ବାହାର କରିବା ପାଇଁ ଶକ୍ତିଶାଳୀ ସୋନାର ସିଷ୍ଟମ୍ ଲଗାଯାଇଛି। ଭାରତ ମହାସାଗରରେ ଚୀନ୍‌ର ବଢ଼ୁଥିବା ବେଆଇନ ଅନୁପ୍ରବେଶ ଏବଂ ପାକିସ୍ତାନର ସାମୁଦ୍ରିକ ଗତିବିଧିକୁ କଡ଼ା ଜବାବ ଦେବା ପାଇଁ INS ମହେନ୍ଦ୍ରଗିରିକୁ ଏକ ମାଷ୍ଟରଷ୍ଟ୍ରୋକ କୁହାଯାଉଛି:

ଏହି ଯୁଦ୍ଧଜାହାଜ ଏକାସାଙ୍ଗରେ ଆକାଶମାର୍ଗ, ସମୁଦ୍ର ପୃଷ୍ଠ ଏବଂ ସମୁଦ୍ର ଭିତରୁ ଆସୁଥିବା ତ୍ରିମୁଖୀ ବିପଦର ମୁକାବିଲା କରିପାରିବ। ଶତ୍ରୁ ପକ୍ଷର ଯୁଦ୍ଧବିମାନ, ଜାହାଜ କିମ୍ବା ବୁଡ଼ାଜାହାଜ ଏହାର ନଜରକୁ ଆସିଲେ ଏହା ସ୍ୱୟଂଚାଳିତ ଭାବେ ତାହାକୁ ଧ୍ୱଂସ କରିଦେବ।

INS ମହେନ୍ଦ୍ରଗିରିରେ ଉନ୍ନତ ଡାଟା ଲିଙ୍କ୍ ରହିଛି, ଯାହା ଦ୍ୱାରା ଏହା ଭାରତୀୟ ସେନାର ଅନ୍ୟ ଯୁଦ୍ଧଜାହାଜ, ଜେଟ୍ ଏବଂ ସାଟେଲାଇଟ୍ ସହ ରିଅଲ-ଟାଇମ୍ ତଥ୍ୟ ଆଦାନପ୍ରଦାନ କରି ଯୁଦ୍ଧ ମଇଦାନରେ ଶତ୍ରୁକୁ ଚକମା ଦେଇପାରିବ।

ଜାହାଜର ଡେକ୍‌ରେ ଦୁଇଟି ସାମୁଦ୍ରିକ ମଲ୍ଟି-ରୋଲ୍ ହେଲିକପ୍ଟର (ଯେପରିକି MH-60R ରୋମିଓ) ନିୟୋଜିତ ହୋଇପାରିବେ, ଯାହା ସମୁଦ୍ରରେ ବହୁ ଦୂର ପର୍ଯ୍ୟନ୍ତ ନଜର ରଖିବା ସହ ଶତ୍ରୁ ସବମେରିନ୍‌କୁ ଟାର୍ଗେଟ୍ କରିପାରିବ।

‘ଆତ୍ମନିର୍ଭର ଭାରତ’ ଅଭିଯାନ ଅଧୀନରେ ୭୫ ପ୍ରତିଶତରୁ ଅଧିକ ଦେଶୀୟ ସାମଗ୍ରୀରେ ନିର୍ମିତ INS ମହେନ୍ଦ୍ରଗିରି ଭାରତୀୟ ନୌସେନାର ଏକ ପ୍ରଳୟଙ୍କରୀ ଯବାନ ଭାବେ ଉଭା ହୋଇଛି। ଓଡ଼ିଶାର ଶୌର୍ଯ୍ୟର ପ୍ରତୀକ ଏହି ମହେନ୍ଦ୍ରଗିରି ଆଗାମୀ ଦିନରେ ନୌସେନାର ଗୌରବ ବଢ଼ାଇବା ସହ ଶତ୍ରୁର ପ୍ରତିଟି ଦୁଃସାହସକୁ ସମୁଦ୍ରରେ ହିଁ ସମାଧି ଦେବ, ଏଥିରେ କୌଣସି ସନ୍ଦେହ ନାହିଁ।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ବିଶାଖାପାଟଣା ଡକୟାର୍ଡରେ ପ୍ରାୟ ୭୫ ପ୍ରତିଶତ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ମହେନ୍ଦ୍ରଗିରିକୁ ଲୋକାର୍ପିତ କରିଛନ୍ତି। ଏହାସହିତ ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ମହେନ୍ଦ୍ରଗିରି ଭାରତୀୟ ନୌବାହିନୀରେ ବିଧିବଦ୍ଧ ଭାବେ ସାମିଲ ହୋଇଛି। ମହେନ୍ଦ୍ରଗିରି ପର୍ବତମାଳାର ନାମ ଅନୁସାରେ ନାମିତ ଏହି ଯୁଦ୍ଧଜାହାଜ ସ୍ଥିରତା, ଶକ୍ତି ଏବଂ ଅଟଳ ସଂକଳ୍ପର ପ୍ରତୀକ ବୋଲି ରାଜନାଥ କହିଥିଲେ।

Posted in ଦେଶ ବିଦେଶ, ରାଜନୀତି.