ଝାରସୁଗୁଡାରେ ବିଜେପି କନ୍ଦଳ ପ୍ରସଙ୍ଗରେ ଏବେ ଚର୍ଚା ଜୋର ଧରିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି । ବିଜେପିରେ ସମସ୍ତେ ଏକ ହୋଇ କାମ କରୁଥିବା କହିଛନ୍ତି । ମନମୋହନ କହିଛନ୍ତି ଏକ ହୋଇ ନଥିଲେ ଖଣ୍ଡେ ଭୋଟ୍ ମିଳିନଥାନ୍ତା । ଏକାଠି ଅଛୁ ବୋଲି ସରକାର କରିଛୁ ଓ ୨୦ ସାଂସଦ ଜିତିଛୁ ବୋଲି ମନମୋହନ କହିଛନ୍ତି । ମନମୋହନ କହିଛନ୍ତି, ଆମ ଦଳରେ ବିବାଦ ନାହିଁ କି ଝଗଡା ନାହିଁ । ଦଳରେ କୌଣସି କନ୍ଦଳ ନାହିଁ । ଭାଇରାଲ ଭିଡିଓକୁ ଆମେ ବିଶ୍ୱାସ କରୁନାହୁଁ । ସଭାପତି ଯାହା କହିଛନ୍ତି ସେଥିରେ ଆମର କିଛି କହିବାର ନାହିଁ । ଏପରି ସ୍ଥିତି ଥିଲେ ଭଲ । କିନ୍ତୁ ଆମେ ଯାହା ଅନୁଭବ କରୁଛୁ ସଭାପତି ଦଳୀୟ ଅନୁଶାସନ ରକ୍ଷା କରିବା ପାଇଁ ଏଭଳି ବୟାନ ଦେଇଥାଇ ପାରନ୍ତି, କିନ୍ତୁ ଗ୍ରାଉଣ୍ଡ ଜିରୋର ଚିତ୍ର କିଛି ଅଲଗା କାହାଣୀ କହୁଛି। ଝାରସୁଗୁଡ଼ା ଘଟଣା କୌଣସି ଏକମାତ୍ର ବ୍ୟତିକ୍ରମ ନୁହେଁ। ଓଡ଼ିଶାରେ କ୍ଷମତାକୁ ଆସିବା ପରେ ରାଜ୍ୟ ବିଜେପିର ବିଭିନ୍ନ ଅଞ୍ଚଳରେ ନେତାମାନଙ୍କ ମଧ୍ୟରେ ଛକ୍କାପଞ୍ଝା ବଢ଼ିବାରେ ଲାଗିଛି।
ରାଜ୍ୟ ବିଜେପିର ଅନେକ ବରିଷ୍ଠ ତଥା ନୂଆ ନେତା ନିଜ ନିଜର ବ୍ୟକ୍ତିଗତ ପ୍ରତିପତ୍ତି ଓ ‘ଅହଂ’ ପାଇଁ ପରସ୍ପରକୁ କ୍ଷେପଣାସ୍ତ୍ର ମାରିବାକୁ ପଛାଉନାହାନ୍ତି। ନିଜ ନିଜ ଗୋଷ୍ଠୀକୁ ମଜବୁତ କରିବା ଚକ୍କରରେ ନେତାମାନେ ସାଂଗଠନିକ ଏକତାକୁ ଜଳାଞ୍ଜଳି ଦେଉଛନ୍ତି, ଯାହା ଶେଷରେ ଦଳକୁ ହିଁ ବଡ଼ କ୍ଷତି ପହଞ୍ଚାଉଛି। ତୃଣମୂଳ ସ୍ତରର କର୍ମୀମାନେ ନେତାଙ୍କର ଏଭଳି ଆଭିମୁଖ୍ୟ ଦେଖି ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି।
ବିଜେପି ଏବେ ଓଡ଼ିଶାରେ ଶାସକ ଦଳ। ଲୋକେ ବଡ଼ ଆଶା ନେଇ ବିଜେପିକୁ ଭୋଟ୍ ଦେଇଛନ୍ତି। କିନ୍ତୁ ଯଦି ଦଳ ଏହି ପ୍ରାଥମିକ ସଫଳତା ପରେ ଆନ୍ତରୀଣ କନ୍ଦଳରୁ ବାହାରି ନପାରେ, ତେବେ ଏହାର ପରିଣାମ ଆଗାମୀ ନିର୍ବାଚନଗୁଡ଼ିକରେ ଭୋଗିବାକୁ ପଡ଼ିବ। ନେତାମାନେ ବ୍ୟକ୍ତିଗତ ସ୍ୱାର୍ଥ ଛାଡ଼ି ଏକାଠି କାମ ନକଲେ, ଦଳ ଆଗକୁ ଯାଇପାରିବ ନାହିଁ। ମନମୋହନ ସାମଲ ଭିଡିଓକୁ ଅସ୍ୱୀକାର କରିପାରନ୍ତି, ହେଲେ ଭିତରେ କୁହୁଳୁଥିବା ନିଆଁକୁ ପ୍ରଶମିତ କରିବା ହିଁ ଏବେ ଦଳ ପାଇଁ ସବୁଠୁ ବଡ଼ ଆହ୍ୱାନ।
