ଇ-୨୦ ପେଟ୍ରୋଲକୁ ବିରୋଧ କରୁଥିବା ସଂଗଠନ ‘ଟିମ୍ ଭାରତ’ର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

ଇ-୨୦ ପେଟ୍ରୋଲକୁ ବିରୋଧ କରୁଥିବା ସଂଗଠନ ‘ଟିମ୍ ଭାରତ’ର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

ଇ-୨୦ ପେଟ୍ରୋଲକୁ ବିରୋଧ କରୁଥିବା ସଂଗଠନ ‘ଟିମ୍ ଭାରତ’ର ସଦସ୍ୟଙ୍କୁ ଭେଟିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ। ସଂଗଠନ ଜୁଲାଇ ୩୧ରେ ପ୍ରତିବାଦ କରିବାକୁ ଯୋଜନା କରୁଥିଲା। ହେଲେ ତା’ ପୂର୍ବରୁ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ସଂଗଠନର ପ୍ରତିନିଧିମାନଙ୍କ ସହ ପ୍ରାୟ ୪ ଘଣ୍ଟା ଧରି ବୈଠକ କରିଛନ୍ତି। ଏହାକୁ ସରକାରଙ୍କର ଏକ ସକାରାତ୍ମକ ପଦକ୍ଷେପ ଆକାରରେ ଦେଖାଯାଉଛି।

ଜୁଲାଇ ୩୧ରେ ‘ଦ ଗାଡ଼ି ମାର୍ଚ୍ଚ’ର ଘୋଷଣା

ସାମାଜିକ କର୍ମୀ ତହସିନ ପୁନାୱାଲାଙ୍କ ନେତୃତ୍ୱରେ ଥିବା ‘ଟିମ୍ ଭାରତ’ ଇ-୨୦ ପେଟ୍ରୋଲକୁ ତ୍ୱରିତ ଲାଗୁ କରିବାକୁ ବିରୋଧ କରି ଜୁଲାଇ ୩୧ରେ ଦିଲ୍ଲୀର ପାର୍ଲାମେଣ୍ଟ ଷ୍ଟ୍ରିଟ୍ ନିକଟରେ ‘ଦ ଗାଡ଼ି ମାର୍ଚ୍ଚ’ କରିବାକୁ ଘୋଷଣା କରିଥିଲା। ଅନ୍ୟପଟେ ଆମ୍ ଆଦମୀ ପାର୍ଟି (AAP)ର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ମଧ୍ୟ E20 ନୀତିକୁ ବିରୋଧ କରି ଅଗଷ୍ଟ ୧ରେ ନୂଆଦିଲ୍ଲୀର କନଷ୍ଟିଚ୍ୟୁସନ୍ କ୍ଲବରେ ଏକ ପ୍ରତିବାଦ ସଭା କରିବାକୁ ଯୋଜନା କରିଛନ୍ତି। ତା’ ପୂର୍ବରୁ ସରକାର ବିରୋଧୀ ସଂଗଠନ ସହ ଆଲୋଚନା କରିସାରିଛନ୍ତି।

କାହିଁକି ବିରୋଧ ହେଉଛି E20 ପେଟ୍ରୋଲ?

କେନ୍ଦ୍ର ସରକାରଙ୍କ ଏଥାନଲ୍ ବ୍ଲେଣ୍ଡେଡ୍ ପେଟ୍ରୋଲ (EBP) କାର୍ଯ୍ୟକ୍ରମ ଅନୁସାରେ ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶାଯାଉଛି। ଯାହାକୁ ଇ-୨୦ ପେଟ୍ରୋଲ କୁହାଯାଏ। ବିଶେଷକରି ଏପ୍ରିଲ୍ ୨୦୨୩ ପୂର୍ବରୁ ନିର୍ମିତ ଗାଡ଼ିର ମାଲିକମାନେ ଅଭିଯୋଗ କରୁଛନ୍ତି ଯେ E20 ପେଟ୍ରୋଲ ବ୍ୟବହାର କରିବା ଫଳରେ ସେମାନଙ୍କ ଗାଡ଼ିର ଇଞ୍ଜିନ୍ କ୍ଷତିଗ୍ରସ୍ତ ହେଉଛି, ମାଇଲେଜ୍ କମୁଛି ଏବଂ ମରାମତି ଖର୍ଚ୍ଚ ବଢ଼ୁଛି। ତେବେ କେନ୍ଦ୍ର ସରକାର ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ E20 ପେଟ୍ରୋଲ ଯୋଗୁଁ ଗାଡ଼ି ନଷ୍ଟ ହେଉଥିବାର କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ନାହିଁ।

ପେଟ୍ରୋଲିୟ ମନ୍ତ୍ରୀଙ୍କ ବୈଠକ ନେଇ ପୁନାୱାଲା କହିଛନ୍ତି ବୈଠକ ସକାରାତ୍ମକ ପରିବେଶରେ ହୋଇଥିଲା ଏବଂ ଇ-୨୦ ନୀତିର ପ୍ରତ୍ୟେକ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏବଂ ଜୁଲାଇ ୩୧ ତାରିଖରେ ଆନ୍ଦୋଳ ନ କରିବାକୁ ମନ୍ତ୍ରୀ ପୁନାୱାଲାଙ୍କୁ କହିଥିବା ସେ ସୂଚନା ଦେଇଛନ୍ତି। ଆଲୋଚନା ଚାଲିଥିବାରୁ ଦୀଲ୍ଲି ପୁଲିସ ମଧ୍ୟ ଆନ୍ଦୋଳନ ନ କରିବାକୁ ପୁନାୱାଲାଙ୍କୁ ଅନୁରୋଧ କରିଥିବା ସେ କହିଛନ୍ତି। ତେବେ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାଧାନ ବାହାର କରିବାକୁ ପଡ଼ିବ ବୋଲି ତେବେ ପୁନାୱାଲା କହିଛନ୍ତି।

ସରକାରଙ୍କ ଆଗରେ ଟିମ୍ ଭାରତର ପ୍ରମୁଖ ଦାବିଗୁଡ଼ିକ ହେଲା-

୨୦୨୩ ପୂର୍ବରୁ ନିର୍ମିତ ଗାଡ଼ି ପାଇଁ E10 ପେଟ୍ରୋଲ ଉପଲବ୍ଧ କରାଯାଉ।
ଦେଶର ସମସ୍ତ ପେଟ୍ରୋଲ ପମ୍ପରେ ଶୁଦ୍ଧ ପେଟ୍ରୋଲ (E0) ଯୁକ୍ତିଯୁକ୍ତ ଦରରେ ବିକ୍ରି କରାଯାଉ।
ଇ-୨୦ ପେଟ୍ରୋଲକୁ ଶୁଦ୍ଧ ପେଟ୍ରୋଲ ତୁଳନାରେ ୨୦ ପ୍ରତିଶତ କମ୍ ଦାମରେ ବିକ୍ରି କରାଯାଉ।
ଇ-୨୦ ନୀତି ସମ୍ପର୍କିତ ସମସ୍ତ ବୈଜ୍ଞାନିକ ଅଧ୍ୟୟନ ଏବଂ ନୀତି ଦସ୍ତାବିଜ ସାର୍ବଜନୀନ କରାଯାଉ।
ଇ-୨୦ ବ୍ୟବହାର କରି କ୍ଷତିଗ୍ରସ୍ତ ହୋଇଥିବା ଦାବି କରୁଥିବା ଗାଡ଼ି ମାଲିକଙ୍କ ପାଇଁ ସମାଧାନ ବାହାର କରାଯାଉ।

ଟିମ୍ ଭାରତ ସ୍ପଷ୍ଟ କରିଛି ଯେ ସେମାନେ ଏଥାନଲ୍ ମିଶ୍ରଣ ନୀତିକୁ ସମ୍ପୂର୍ଣ୍ଣ ବିରୋଧ କରୁନାହାନ୍ତି। ସେମାନଙ୍କ ଅଭିଯୋଗ ହେଉଛି, ଏକ ଭଲ ନୀତିକୁ ତରବରିଆ ଏବଂ ତ୍ରୁଟିପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଇଛି।

ସଂଗଠନ କହିଛି ଯେ ସେମାନେ ସରକାରଙ୍କ ସହ ମିଶି ନୀତିର ସଠିକ୍ କାର୍ଯ୍ୟକାରୀକରଣ ପାଇଁ କାମ କରିବାକୁ ପ୍ରସ୍ତୁତ। ତେବେ ଜୁଲାଇ ୩୧ର ପ୍ରସ୍ତାବିତ ମାର୍ଚ୍ଚ ହେବ କି ନାହିଁ, ସେନେଇ ଟିମ୍ ଭାରତ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ଘୋଷଣା କରିନାହିଁ।

Posted in ଦେଶ ବିଦେଶ.