ଜମ୍ମୁ- କାଶ୍ମୀର ସୀମାରେ ପୁଣି ଥରେ ପାକିସ୍ତାନର କଳା କାରନାମା ସାମ୍ନାକୁ ଆସିଛି। ଭାରତୀୟ ସୀମାକୁ ଏକ ପାକିସ୍ତାନୀ ଡ୍ରୋନ୍ ଅନୁପ୍ରବେଶ କରିବା ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସୀମାନ୍ତବର୍ତ୍ତୀ କଠୁଆ ଜିଲ୍ଲାରେ ଏହି ସନ୍ଦିଗ୍ଧ ଡ୍ରୋନକୁ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ଯାହା ପରେ ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷାବଳ ସତର୍କ ହୋଇପଡ଼ିଛନ୍ତି।
ରିପୋର୍ଟ ଅନୁଯାୟୀ, ଦିନ ୨ଟା ବେଳେ କଠୁଆ ଜିଲ୍ଲାର ହିରାନଗର ସେକ୍ଟର ଅନ୍ତର୍ଗତ ବୋବିୟାନ୍ ଅଞ୍ଚଳର ଶୁକମାଲ, ଦେବୀନ୍ଦ୍ରା ଏବଂ ତପନ ଭଳି ସୀମା ନିକଟବର୍ତ୍ତୀ ଗାଁ ଗଡ଼ିକ ଉପରେ ଏହି ପାକିସ୍ତାନୀ ଡ୍ରୋନ୍ ଘୂରି ବୁଲୁଥିଲା। ସୀମା ସୁରକ୍ଷା ବଳ (BSF)ର ଯବାନମାନେ ଏହାକୁ ଦେଖିବା ମାତ୍ରେ ତୁରନ୍ତ ଗୁଳି କରି ଖସାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଡ୍ରୋନଟି ଅଧିକ ଉଚ୍ଚତାରେ ଥିବାରୁ ଏହା ବର୍ତ୍ତିଯାଇଥିଲା ଏବଂ
ପୁଣି ଥରେ ପାକିସ୍ତାନ ସୀମାକୁ ଫେରିଯାଇଥିଲା। ଏହି ଘଟଣା ପରେ ସୀମାପାରରୁ କୌଣସି ଅସ୍ତ୍ରଶସ୍ତ୍ର କିମ୍ବା ବିସ୍ଫୋରକ ସାମଗ୍ରୀ ଡ୍ରୋନ୍ ଜରିଆରେ ଫିଙ୍ଗାଯାଇଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ଜମ୍ମୁ-କାଶ୍ମୀର ପୋଲିସ ଓ ବିଏସଏଫ୍ ପକ୍ଷରୁ ମିଳିତ ଭାବେ ଏକ ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି।ପୁଞ୍ଚରେ ଆତଙ୍କବାଦୀ ବିରୋଧୀ ଅଭିଯାନ ଜୋରଦାର
ଅନ୍ୟପଟେ, ପୁଞ୍ଚ ଜିଲ୍ଲାର ଅନେକ ଦୁର୍ଗମ ତଥା ଜଙ୍ଗଲିଆ ଗ୍ରାମରେ ଦୁଇଟି ଆତଙ୍କବାଦୀ ଗୋଷ୍ଠୀ ସକ୍ରିୟ ଥିବା ନେଇ ଗୁପ୍ତଚର ସୂଚନା ମିଳିଛି। ଏହାକୁ ଆଧାର କରି ସୁରକ୍ଷା ବାହିନୀ ପକ୍ଷରୁ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି। ଜମ୍ମୁ-କାଶ୍ମୀର ପୋଲିସର ସ୍ପେଶାଲ ଅପରେସନ ଗ୍ରୁପ୍ (SOG) ଏବଂ ରାଷ୍ଟ୍ରୀୟ ରାଇଫଲ୍ସର ଯବାନମାନେ ମିଳିତ ଭାବେ ସୁରନକୋଟ୍ ଏବଂ ମେନ୍ଧର ତହସିଲର ବିଭିନ୍ନ ଅଞ୍ଚଳରେ ଘେରାବନ୍ଦୀ କରି ତଲାସି ଅଭିଯାନ ଚଳାଇଛନ୍ତି।
ଉଦ୍ଧାର ହେଲା ଜୀବନ୍ତ ମୋର୍ଟାର ସେଲ୍
ଏହା ବ୍ୟତୀତ, କଠୁଆର ହରିନଗର ସେକ୍ଟରର କଟ୍ଟଲ-ବ୍ରାହ୍ମଣା ଗ୍ରାମରେ ଏକ ପୁରୁଣା କଳଙ୍କିତ ମୋର୍ଟାର ସେଲ୍ ଉଦ୍ଧାର କରାଯାଇଛି। ଏକ ଘର ଅଗଣାରେ ଖନନ କାର୍ଯ୍ୟ ଚାଲିଥିବା ବେଳେ ଶ୍ରମିକମାନେ ଏହାକୁ ଦେଖି ପୋଲିସକୁ ଖବର ଦେଇଥିଲେ। ପରେ ବୋମା ନିଷ୍କ୍ରିୟକାରୀ ଦଳ (BDS) ଘଟଣାସ୍ଥଳରେ ପହଞ୍ଚି ଏହାକୁ ସୁରକ୍ଷିତ ଭାବେ ଜବତ କରି ନିଷ୍କ୍ରିୟ କରିଛନ୍ତି।
ସୀମାରେ ବଢୁଛି ଉତ୍ତେଜନା
ନିକଟରେ ପାକିସ୍ତାନ ଭାରତ ସୀମାକୁ ଲାଗିଥିବା ଗୁଜରାନୱାଲା, ସିଆଲକୋଟ୍ ଏବଂ ଜଲାଲପୁର ଜଟ୍ଟାନ ସେକ୍ଟରରେ ପ୍ରାୟ ୨୫୦ଟି ଚୀନ୍ ନିର୍ମିତ ‘SH-15’ ଆର୍ଟିଲାରୀ ଗନ୍ (ତୋପ) ମୁତୟନ କରିଥିବା ଜଣାପଡ଼ିଛି। ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଛି। ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି ଯେ, “ଅପରେସନ ସିନ୍ଦୂର ସମୟରେ ପାକିସ୍ତାନକୁ କିଭଳି ମୁହଁତୋଡ଼ ଜବାବ ଦିଆଯାଇଥିଲା, ତାହା ସମସ୍ତେ ଦେଖିଛନ୍ତି। ଭାରତ ନିଜର ଜାତୀୟ ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା କରିବ ଏବଂ ଭାରତୀୟ ସେନା ସର୍ବଦା ସୀମାରେ ସତର୍କ ପ୍ରହରୀ ସଦୃଶ ମୁତୟନ ରହିଛି।”
ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେବ ଜମ୍ମୁ-କାଶ୍ମୀରର ରାଜୌରୀ ଏବଂ ପୁଞ୍ଚ ସେକ୍ଟରରେ ବାରମ୍ବାର ପାକିସ୍ତାନୀ ଡ୍ରୋନ୍ ଅନୁପ୍ରବେଶ ଚେଷ୍ଟା କରୁଥିବା ବେଳେ ସେନା ପକ୍ଷରୁ ଏହାର କଡ଼ା ମୁକାବିଲା କରାଯାଉଛି।
