ଭୁବନେଶ୍ୱର ସ୍ଥିତ ବାସଭବନରେ ତ୍ରିରଙ୍ଗା ଉତ୍ତୋଳନ କଲେ ସାଂସଦ
ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର “ହର୍ ଘର୍ ତ୍ରିରଙ୍ଗା” ଅଭିଯାନରେ ଭୁବନେଶ୍ୱର ସ୍ଥିତ ନିଜ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ୮୦ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
ପତାକା ଉତ୍ତୋଳନ କରିବା ପରେ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ଯେ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ‘ହର୍ ଘର୍ ତିରଙ୍ଗା’ ଅଭିଯାନ ଆଜି ସମଗ୍ର ଦେଶରେ ଜାତୀୟତାବୋଧ, ଏକତା ଓ ଆତ୍ମସମ୍ମାନର ଏକ ଅନନ୍ୟ ଶିହରଣ ସୃଷ୍ଟି କରିଛି । ଏହି ଅଭିଯାନ ପ୍ରତ୍ୟେକ ଭାରତୀୟଙ୍କୁ ନିଜର ବୀର ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସଂଗ୍ରାମ ଓ ବଳିଦାନକୁ ମନେପକାଇବା ସହ ଦେଶସେବା ପାଇଁ ସଂକଳ୍ପବଦ୍ଧ ହେବାକୁ ପ୍ରେରଣା ଯୋଗାଉଛି।
ଏହି ଅବସରରେ ଶ୍ରୀ ପ୍ରଧାନ ସମସ୍ତ ଓଡ଼ିଶାବାସୀ ତଥା ଦେଶବାସୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ଆସନ୍ତୁ, ଆମେ ସମସ୍ତେ ଦେଶଭକ୍ତିର ଭାବନାରେ ଏହି ଅଭିଯାନରେ ସାମିଲ ହେବା ଓ ନିଜ ଘରେ ରାଷ୍ଟ୍ରୀୟ ଧ୍ୱଜା ଉତ୍ତୋଳନ କରିବା ସହ ଜାତୀୟ ଏକତା, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିବା ।
