ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେଲେ ଆଉ ୫ ଲକ୍ଷରୁ ଅଧିକ ହିତାଧିକାରୀ

ମଧୁବାବୁ ପେନସନ୍ ଯୋଜନାରେ ସାମିଲ ହେଲେ ଆଉ ୫ ଲକ୍ଷରୁ ଅଧିକ ହିତାଧିକାରୀ

ସାମାଜିକ ସୁରକ୍ଷାରେ ନୂଆ ଯୁଗ

ରାଜ୍ୟ ସରକାର ସାମାଜିକ ସୁରକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ଓ ଅସହାୟ ବିଧବାମାନଙ୍କ ସମ୍ମାନଜନକ ଜୀବନଧାରଣକୁ ପ୍ରାଥମିକତା ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ଏଣିକି ଭତ୍ତା ମଞ୍ଜୁର ହେବା ପାଇଁ ଆଉ ମାସ ମାସ କିମ୍ବା ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆବେଦନ ଯାଞ୍ଚ ହୋଇ ଅନୁମୋଦନ ମିଳିବାର ତୁରନ୍ତ ପରବର୍ତ୍ତୀ ମାସରୁ ହିଁ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପେନସନ୍ ଟଙ୍କା ପଠାଯିବ।

ଦୀର୍ଘଦିନ ଧରି ଭତ୍ତା ଅପେକ୍ଷାରେ ରହିଥିବା ଅସହାୟ ଲୋକଙ୍କ ଆଶାକୁ ସରକାର ସାକାର କରିଛନ୍ତି। ରାଜ୍ୟର ସବୁଠାରୁ ଲୋକପ୍ରିୟ ‘ମଧୁବାବୁ ପେନସନ୍ ଯୋଜନା’ ଅଧୀନରେ ଆଉ ୫ ଲକ୍ଷ ୫ ହଜାର ୮୧୭ ଜଣ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ଏକକାଳୀନ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଏହି ଦୂରଦୃଷ୍ଟିସମ୍ପନ୍ନ ନିଷ୍ପତ୍ତି ଫଳରେ ରାଜ୍ୟରେ ମୋଟ ପେନସନ୍ ହିତାଧିକାରୀଙ୍କ ସଂଖ୍ୟା ଏବେ ବୃଦ୍ଧି ପାଇ 41 ଲକ୍ଷ 80 ହଜାରରେ ପହଞ୍ଚିଛି। ନୂଆ ହିତାଧିକାରୀମାନଙ୍କୁ ଅକ୍ଟୋବର ୨୦୨୬ ମାସରୁ ହିଁ ଏହି ଭତ୍ତା ରାଶି ପ୍ରଦାନ ଆରମ୍ଭ କରାଯାଇଛି। ସରକାରଙ୍କ ଏହି ପଦକ୍ଷେପ ପ୍ରମାଣ କରୁଛି ଯେ ରାଜ୍ୟର ଅନ୍ତିମ ପାହାଚରେ ଠିଆ ହୋଇଥିବା ଶେଷ ବ୍ୟକ୍ତିଙ୍କ ପାଖରେ ସୁବିଧା ପହଞ୍ଚାଇବା ପାଇଁ ବର୍ତ୍ତମାନର ଶାସନ ପ୍ରତିଶ୍ରୁତିବଦ୍ଧ।

ପ୍ରଶାସନିକ ବ୍ୟବସ୍ଥାକୁ ଲାଲ୍‌ଫିତା ମୁକ୍ତ କରିବା ତଥା ହିତାଧିକାରୀଙ୍କୁ ହଇରାଣ ହରକତରୁ ରକ୍ଷା କରିବା ପାଇଁ ସରକାର ‘ଏକୀକୃତ ପେନସନ୍ ପରିଚାଳନା ପୋର୍ଟାଲ୍’ ବା ‘upmp’ (Unified Pension Management Portal) ର ଶୁଭାରମ୍ଭ କରିଛନ୍ତି। ଏହି ଅତ୍ୟାଧୁନିକ ପୋର୍ଟାଲ୍ ମାଧ୍ୟମରେ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଓ ଦ୍ରୁତତା ଆସିପାରିବ। ଯୋଗ୍ୟ ବ୍ୟକ୍ତିମାନେ କୌଣସି ଦଲାଲଙ୍କ ଉପରେ ନିର୍ଭର ନକରି ଘରେ ବସି ନିଜ ମୋବାଇଲ୍ ବା କମ୍ପ୍ୟୁଟର ଯୋଗେ ଅନଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଅନଲାଇନ୍ ମାଧ୍ୟମରେ ସକ୍ଷମ ନୁହନ୍ତି, ସେମାନଙ୍କ ପାଇଁ ସ୍ଥାନୀୟ ବିଡିଓ (BDO) କାର୍ଯ୍ୟାଳୟରେ ସହଜ ଆବେଦନର ସୁବିଧା ଉପଲବ୍ଧ କରାଯାଇଛି। ଆବେଦନପତ୍ର ଦାଖଲଠାରୁ ଆରମ୍ଭ କରି କାଗଜପତ୍ର ଯାଞ୍ଚ, ମଞ୍ଜୁରି ଏବଂ ପେନସନ୍ ବଣ୍ଟନ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଡିଜିଟାଲ୍ ଢାଞ୍ଚାରେ ସମାପ୍ତ ହେବ।

ବରିଷ୍ଠ ନାଗରିକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ଏକ ଅତ୍ୟନ୍ତ ସମ୍ବେଦନଶୀଳ ନିୟମ ଲାଗୁ କରିଛନ୍ତି। ସାଧାରଣତଃ ହିତାଧିକାରୀଙ୍କ ବୟସ ୮୦ ବର୍ଷ ପୂରଣ ହେଲେ ସେମାନଙ୍କୁ ବର୍ଦ୍ଧିତ ହାରରେ ଭତ୍ତା ପ୍ରଦାନ କରାଯାଏ। ପୂର୍ବରୁ ଏହି ବର୍ଦ୍ଧିତ ଭତ୍ତା ପାଇବା ପାଇଁ ବୃଦ୍ଧବୃଦ୍ଧାମାନଙ୍କୁ ପୁନର୍ବାର ସରକାରୀ ଦପ୍ତରକୁ ଦୌଡ଼ିବାକୁ ପଡ଼ୁଥିଲା ଓ ଦୀର୍ଘ ଦିନ ଅପେକ୍ଷା କରିବାକୁ ହେଉଥିଲା। ମାତ୍ର ନୂଆ ‘upmp’ ବ୍ୟବସ୍ଥାରେ ଜଣେ ହିତାଧିକାରୀ ୮୦ ବର୍ଷ ଛୁଇଁବା କ୍ଷଣି ତାଙ୍କୁ କୌଣସି ନୂଆ ଆବେଦନ କରିବାକୁ ପଡ଼ିବ ନାହିଁ; ଡିଜିଟାଲ୍ ଡାଟାବେସ୍ ଜରିଆରେ ତାହା ସ୍ୱୟଂଚାଳିତ ଭାବେ ଲାଗୁ ହୋଇଯିବ ଏବଂ ତାଙ୍କୁ ବର୍ଦ୍ଧିତ ଭତ୍ତା ମିଳିବା ଆରମ୍ଭ ହେବ।

ସରକାର ନିଜ ଚଳିତ ବଜେଟରେ ପ୍ରତିଶ୍ରୁତି ଦେଇଥିଲେ ଯେ ରାଜ୍ୟର କୌଣସି ଜଣେ ହେଲେ ବି ପ୍ରକୃତ ଯୋଗ୍ୟ ଗରିବ କିମ୍ବା ଅସହାୟ ବ୍ୟକ୍ତି ସାମାଜିକ ସୁରକ୍ଷାରୁ ବଞ୍ଚିତ ରହିବେ ନାହିଁ। ଆଜି ସେହି ସଂକଳ୍ପ ସଫଳତାର ସହ ବାସ୍ତବତାରେ ପରିଣତ ହୋଇଛି। ଅତୀତରେ ଭତ୍ତା ମଞ୍ଜୁର ହେବା ପାଇଁ ଲୋକଙ୍କୁ ବର୍ଷ ବର୍ଷ ଅପେକ୍ଷା କରିବାକୁ ପଡ଼ୁଥିବା ବେଳେ, ବର୍ତ୍ତମାନର ସରକାର କେବଳ ଭତ୍ତା ସଂଖ୍ୟା ବଢ଼ାଇ ନାହାନ୍ତି, ବରଂ ‘ଆବେଦନର ପରବର୍ତ୍ତୀ ମାସରୁ ହିଁ ଟଙ୍କା’ ଦେବାର ସୁନିଶ୍ଚିତତା ଦେଇଛନ୍ତି।

ଏ ସରକାର କେବଳ ଘୋଷଣାରେ ସୀମିତ ନୁହନ୍ତି, ବରଂ ତୃଣମୂଳ ସ୍ତରରେ ସେବା ପହଞ୍ଚାଇବା ପାଇଁ ସମ୍ପୂର୍ଣ୍ଣ ସମର୍ପିତ ଏହା ପ୍ରମାଣିତ କରିବାକୁ ପଡ଼ିବ । ପ୍ରଶାସନର ଏଭଳି ଜନହିତକର ପଦକ୍ଷେପ ରାଜ୍ୟର ଅସହାୟ ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କୁ ଆର୍ଥିକ ସମ୍ବଳ ଯୋଗାଇବା ସହ ସମାଜରେ ଆତ୍ମସମ୍ମାନର ସହ ବଞ୍ଚିବାର ନୂଆ ଭରସା କିଭଳି ଦେଇପାରିବ ସେଭଳି କଡ଼ା ପଦକ୍ଷେବ ମୁଖ୍ୟମନ୍ତ୍ରୀ ନେବା ଆବଶ୍ୟକ । ପଂଚାୟତସ୍ତରରେ ଦୁର୍ନୀତି ରୋକିବା ପ୍ରଥମ କାମ ହେବା ଉଚିତ ।

Posted in ରାଜ୍ୟ, Featured.