ମହାନ୍ ଜନନେତା, ଦୂରଦ୍ରଷ୍ଟା, ଭାରତୀୟ ରାଜନୀତିର ମୁକୁଟବିହୀନ ସମ୍ରାଟ, ଭାରତରତ୍ନ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ କେବଳ ଜଣେ ରାଜନୀତିଜ୍ଞ ନ ଥିଲେ, ସେ ଜଣେ ଯୋଗଜନ୍ମା ଓ ରାଷ୍ଟ୍ରନୀତିଜ୍ଞ ଥିଲେ। ଭାରତର ବିକାଶ ଅଗ୍ରଗତିକୁ ପ୍ରୋତ୍ସାହିତ କରି ବ୍ୟାପକ କ୍ଷେତ୍ରରେ ଦେଶକୁ ଏକବିଂଶ ଶତାବ୍ଦୀକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଅଟଳଜୀ ଭାରତବର୍ଷର ଐତିହାସିକ ପରିବର୍ତନ କରିଥିଲେ। ଦେଶରେ ପରମାଣୁ ପରୀକ୍ଷା କରି ସାରା ବିଶ୍ୱରେ ଭାରତବର୍ଷକୁ ଅଦ୍ୱିତୀୟ ଶକ୍ତିରେ ପରିଣତ କରିଥିଲେ ବୋଲି ତାଙ୍କ ୮ମ ତମ ବାର୍ଷିକ ପୂଣ୍ୟତିଥିରେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲ ପରିସରରେ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି।
ଶ୍ରୀ ସାମଲ କହଛନ୍ତି ଯେ, ଅଟଳଜୀ ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ। ତାଙ୍କ ଉଦ୍ୟମ ଯୋଗୁ ଓଡ଼ିଶାରେ ଏମ୍ସ ମେଡିକାଲ କଲେଜ ପ୍ରତିଷ୍ଠା ହୋଇପାରିଛି। ଦିଲ୍ଲୀ ପରେ ଭୁବନେଶ୍ୱରସ୍ଥିତ ଏମ୍ସ ମେଡିକାଲ କଲେଜ ଆଜି ସମସ୍ତଙ୍କ ବିଶ୍ୱାସଯୋଗ୍ୟ ହୋଇପାରିଛି। ଏଠାରେ ସାଧାରଣ ଲୋକେ ଉନ୍ନତମାନର ଚିକିତ୍ସା ସୁବିଧା ସେବା ପାଇପାରୁଛନ୍ତି। ଅଟଜୀଙ୍କ ଶାସନ କାଳରେ ଦେଶରେ ଗମନାଗମନ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତନ ହୋଇଥିଲା। ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା ହେଉ କି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଭାରତକୁ ସେ ନୂଆ ଦିଶା ଦେଇଥିଲେ । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଗ୍ରାମଚଂଳରେ ଭିତିଭୂମି ସୁଦୃଢ଼ କରିଥିଲେ। ଓଡିଶାକୁ ଜାତୀୟ ରାଜପଥରେ ୧୫୦୦ କିଲୋମିଟରରୁ ୩୪୦୦ କିଲୋମିଟରରେ ପହଁଚାଇଥିଲେ। ଗାଁ ଗାଁରେ ବିଦ୍ୟୁତ୍ ସଂଯୋଗ କରାଇବା, ଅନ୍ତୋଦୟ ଏବଂ ଅନ୍ନପୂର୍ଣ୍ଣା ଯୋଜନାରେ ଗରୀବଙ୍କ ପାଖରେ ଅନ୍ନ ପହଂଚାଇବା, ମହିଳା ସଶକ୍ତିକରଣ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି)ର ସୃଜନ ଓ ପ୍ରେତ୍ସାହନ ସହ ସ୍ୱଜଳ ଧାରାରେ ପାନୀୟ ଜଳ ବ୍ୟବସ୍ଥା କରାଇବାରେ ସ୍ୱର୍ଗତଃ ବାଜପେୟୀଙ୍କ ଯୋଗଦାନ ଅତୁଳନୀୟ। ଓଡିଶାରେ ଆଇଆଇଟି ଓ ତୈଳ ରିଫାଇନେରୀ ପ୍ରତିଷ୍ଠା କରିବା ସହ ୧୯୯୯ ମହାବାତ୍ୟା ସମୟରେ ଓଡ଼ିଶାବାସୀଙ୍କ ଦୁର୍ଦ୍ଦିନରେ ବାଜପେୟୀଜୀଙ୍କ ସାହାଯ୍ୟ ଓ ସମର୍ଥନ ଅବିସ୍ମରଣୀୟ ଥିଲା। ସୁଶାସନ, ଉନ୍ନତ ଭାରତ ନିର୍ମାଣ ଓ ସର୍ବଦଳୀୟ ସହମତିର ରାଜନୀତିରେ ଅଟଳଜୀଙ୍କ ଆଦର୍ଶ ଆଜି ମଧ୍ୟ ଆମ ପାର୍ଟି ଓ ଦେଶ ପାଇଁ ମାର୍ଗଦର୍ଶକ। ତାଙ୍କ ଦ୍ୱାରା ପ୍ରଦର୍ଶିତ ପଥରେ ଚାଲି ଏକ ସଶକ୍ତ, ସ୍ୱାବଲମ୍ବୀ ଓ ବିକଶିତ ଭାରତ ଗଠନ ପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ ବୋଲି ଶ୍ରୀ ସାମଲ କହିଛନ୍ତି।
ଏହି ଅବସରରେ ରାଜ୍ୟ ସମ୍ପାଦକ ସରୋଜ କୁମାର କର, ବରିଷ୍ଠ ନେତା ମହେଶ ମହାନ୍ତି, ଜୟନ୍ତୀ ପଢ଼ିହାରୀ, ଖୋର୍ଦ୍ଧା ଜିଲ୍ଲା ସଭାପତି ବିଶ୍ୱରଞ୍ଜନ ବଡଜେନା, ରାଜ୍ୟ ପ୍ରବକ୍ତା ସଞ୍ଜୟ ରଥ, ଏମ୍ସ ମଣ୍ଡଳ ସଭାପତି ବବିତା ଜେନା ଏବଂ ପାର୍ଟିର ସ୍ଥାନୀୟ ଜିଲ୍ଲା, ମଣ୍ଡଳ କାର୍ଯ୍ୟକର୍ତା ଉପସ୍ଥିତ ରହି ସ୍ୱର୍ଗତଃ ଅଟଳଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀଙ୍କ ୮ମ ତମ ବାର୍ଷିକ ପୂଣ୍ୟତିଥିରେ ରାଜ୍ୟ ବିଜେପିର ଶ୍ରଦ୍ଧାଞ୍ଜଳି
Posted in ଦେଶ ବିଦେଶ.