‘ଶାସନ ବଦଳ’ର ଷଡ଼ଯନ୍ତ୍ର: ଭାରତଠାରୁ ୟୁରୋପ ଯାଏଁ ସମାନ ଟୁଲକିଟ୍‌?

‘ଶାସନ ବଦଳ’ର ଷଡ଼ଯନ୍ତ୍ର: ଭାରତଠାରୁ ୟୁରୋପ ଯାଏଁ ସମାନ ଟୁଲକିଟ୍‌?

ସାମ୍ପ୍ରତିକ ବିଶ୍ୱ ରାଜନୀତିରେ ଗଣତାନ୍ତ୍ରିକ ପ୍ରକ୍ରିୟା ମାଧ୍ୟମରେ ନିର୍ବାଚିତ ସରକାରଗୁଡ଼ିକୁ ଅସ୍ଥିର କରିବା ପାଇଁ ଏକ ନୂଆ ଧରଣର ରଣନୀତି ଦେଖିବାକୁ ମିଳୁଛି। ଏହାକୁ ଅନ୍ତର୍ଜାତୀୟ ବିଶ୍ଳେଷକମାନେ ପ୍ରାୟତଃ ‘ରେଜିମ ଚେଞ୍ଜ’  ବା ଶାସନ ବଦଳ ଗ୍ୟାଙ୍ଗର ଏଜେଣ୍ଡା ବୋଲି ଅଭିହିତ କରୁଛନ୍ତି। ପୂର୍ବରୁ ବିକାଶଶୀଳ ଦେଶଗୁଡ଼ିକ ଉପରେ ଏହି ଧରଣର ପ୍ରୟୋଗ ସୀମିତ ଥିବା ବେଳେ ଏବେ ଭାରତ ସମେତ ଫ୍ରାନ୍ସ, ସ୍ପେନ ଓ ଆଲବାନିଆ ଭଳି ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ସମାନ ‘ଟୁଲକିଟ୍’ କାର୍ଯ୍ୟ କରୁଥିବା ଅଭିଯୋଗ ଉଠୁଛି। ଏହି ପଦ୍ଧତି କୌଣସି ପ୍ରତ୍ୟକ୍ଷ ସାମରିକ ବିଦ୍ରୋହ ନୁହେଁ, ବରଂ ଲୋକଙ୍କ ଭାବନାକୁ ଉତ୍ତେଜିତ କରି ରାଜରାସ୍ତାକୁ ଓହ୍ଲାଇବାର ଏକ ସୁଚିନ୍ତିତ ମଡେଲ। ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା, ନକଲି ବିରୋଧ ଓ ଅସନ୍ତୋଷ ସୃଷ୍ଟି କରି ସରକାରଙ୍କ ଉପରେ ଚାପ ସୃଷ୍ଟି କରିବା ।  ସାମାଜିକ, ଆର୍ଥିକ କିମ୍ବା ଶ୍ରମ ସଂସ୍କାରକୁ ଆଳ କରି ବ୍ୟାପକ ବିକ୍ଷୋଭ ସୃଷ୍ଟି କରିବା। ସୋସିଆଲ ମିଡିଆ ଓ ନରେଟିଭ୍ ନିୟନ୍ତ୍ରଣ କରିବା । ଫେସବୁକ୍, ଇନଷ୍ଟାଗ୍ରାମ, ଟୁଇଟର, ୟୁ ଟ୍ୟୁବ ସହ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସ୍ୱତନ୍ତ୍ର ହ୍ୟାସଟ୍ୟାଗ୍, ପ୍ରଚାର ଏବଂ ବିଦେଶୀ ଗଣମାଧ୍ୟମ ସହାୟତାରେ ଏକ ନକଲି ଧାରଣା ତିଆରି କରିବା ଯେ ସରକାର ଅଗଣତାନ୍ତ୍ରିକ, ଏକଛତ୍ରବାଦୀ , ଯୁବବିରୋଧୀ ।  ବିଭିନ୍ନ ବିଦେଶୀ ସଂସ୍ଥା ଏବଂ ଅନ୍ତର୍ଜାତୀୟ ଫଣ୍ଡିଂ ମାଧ୍ୟମରେ ବିକ୍ଷୋଭକାରୀ ଓ ସ୍ଥାନୀୟ ସଂଗଠନଗୁଡ଼ିକୁ ସମର୍ଥନ ଯୋଗାଇବା ହେଉଛି ମୁଖ୍ୟ କାମ।  ଭାରତରୁ ୟୁରୋପ ପ୍ରାୟ ସମସ୍ତ ସ୍ଥାନରେ ଏହି  ଉଦାହରଣଗୁଡ଼ିକ ଏବେ ଦେଖିବାକୁ ମିଳୁଛି । ଭାରତରେ କୃଷି ଆଇନ ବିରୋଧୀ ଆନ୍ଦୋଳନ କିମ୍ବା ନାଗରିକତା ସଂଶୋଧନ ଆଇନ ସମୟରେ ‘ଟୁଲକିଟ୍‌’ର ବ୍ୟବହାର ସର୍ବସମ୍ମୁଖକୁ ଆସିଥିଲା। ସେହି ସମୟରେ ବିଦେଶୀ ସେଲିବ୍ରିଟି ଓ ଅନ୍ତର୍ଜାତୀୟ ମଞ୍ଚରୁ ହଠାତ୍ ସମନ୍ୱିତ ବୟାନବାଜି ଆରମ୍ଭ ହୋଇଥିଲା। ଯାହାକୁ ନେଇ ପ୍ରଥମେ ସନ୍ଦେହ କରାଯାଉଥିଲା । ଏବେ ସେହି ସନ୍ତେହ ପ୍ରାୟ ସତ ହେଉଥିବା ଦେଖାଯାଉଛି । ଠିକ୍ ସେହିପରି ଫ୍ରାନ୍ସରେ ପେନସନ ସଂସ୍କାର ଏବଂ ସାମାଜିକ ପ୍ରସଙ୍ଗକୁ ନେଇ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସରକାର ବିରୋଧରେ ହଠାତ୍ ହିଂସାତ୍ମକ ପ୍ରଦର୍ଶନ ଆରମ୍ଭ ହେଲା। ପ୍ୟାରିସର ରାସ୍ତାରେ ନିଆଁ ଲଗାଇ ସରକାରଙ୍କୁ ଅଚଳ କରିବା ପାଇଁ ଯେଉଁ ଧରଣର ସଙ୍ଗଠିତ ପ୍ରୟାସ ହେଲା, ତାହା ଭାରତରେ ଦେଖାଯାଇଥିବା ଆନ୍ଦୋଳନ ଶୈଳୀ ସହ ଅନେକ ମାତ୍ରାରେ ମେଳ ଖାଉଛି। ସ୍ପେନରେ ସ୍ୱାୟତ୍ତ ଶାସନ ଏବଂ ଆଞ୍ଚଳିକ ବିବାଦକୁ ଉସୁକାଇ ରାଜନୈତିକ ଅସ୍ଥିରତା ତିଆରି କରିବା ଏବଂ ଆଲବାନିଆରେ ଦୁର୍ନୀତି ବିରୋଧୀ ନାମରେ ସଙ୍ଗଠିତ ଭାବେ ସରକାରୀ ପ୍ରତିଷ୍ଠାନ ଘେରାଉ କରିବା ଭଳି ଘଟଣାଗୁଡ଼ିକ ମଧ୍ୟ ସମାନ ଢାଞ୍ଚାରେ ଚାଲୁଥିବା ଦେଖାଯାଉଛି। ଏହି ‘ରେଜିମ ଚେଞ୍ଜ ଗ୍ୟାଙ୍ଗ’ର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଯେଉଁ ସରକାରମାନେ ନିଜ ଦେଶର ହିତକୁ ପ୍ରାଥମିକତା ଦେଇ ଏକ ସ୍ୱାଧୀନ ବୈଦେଶିକ ନୀତି ଆପଣାଉଛନ୍ତି, ସେମାନଙ୍କୁ ଦୁର୍ବଳ କରିବା ହେଉଛି ଏମାନଙ୍କ ପ୍ଲାନ୍। ଭାରତ ହେଉ କିମ୍ବା ୟୁରୋପୀୟ ରାଷ୍ଟ୍ର, ଯେତେବେଳେ କୌଣସି ନେତୃତ୍ୱ ବାହ୍ୟ ଶକ୍ତିଙ୍କ ଇଚ୍ଛା ଅନୁସାରେ କାମ କରନ୍ତି ନାହିଁ, ସେତେବେଳେ ଗଣତନ୍ତ୍ର ରକ୍ଷା ନାମରେ ଏହିଭଳି ‘ଟୁଲକିଟ୍‌’ ପ୍ରୟୋଗ କରି ରାଜନୈତିକ ସଙ୍କଟ ଛିଡ଼ା କରାଯାଏ। ଗଣତନ୍ତ୍ରରେ ବିରୋଧ ଓ ଅସନ୍ତୋଷ ପ୍ରକାଶ କରିବା ନାଗରିକଙ୍କ ସାମ୍ବିଧାନିକ ଅଧିକାର। ମାତ୍ର ଯେତେବେଳେ ଏହି ଅଧିକାରକୁ ବାହ୍ୟ ଶକ୍ତିମାନେ ନିଜର ଭୌଗୋଳିକ-ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ଅସ୍ତ୍ର ଭାବରେ ବ୍ୟବହାର କରନ୍ତି, ତାହା ଦେଶର ସାର୍ବଭୌମତ୍ୱ ପ୍ରତି ବଡ଼ ବିପଦ ସୃଷ୍ଟି କରେ। ତେଣୁ ବିକାଶଶୀଳ ଦେଶ ହେଉ ବା ୟୁରୋପୀୟ ଶକ୍ତି, ନିର୍ବାଚିତ ସରକାର ଏବଂ ଜନସାଧାରଣ ଉଭୟଙ୍କୁ ଏହି ଟୁଲକିଟ୍ ଆକ୍ରମଣ ବିଷୟରେ ସଚେତନ ରହିବା ଅତ୍ୟନ୍ତ ଜରୁରୀ। ସରକାରକୁ ବିରୋଧ କରିବା ଠିକ୍ କଥା, କିନ୍ତୁ ସରକାରକୁ ବିରୋଧ କରିବାକୁ ଯାଇ ଦେଶବିରୋଧୀ ଶକ୍ତିଙ୍କ ସହ ହାତ ମିଳାଇ ସରକାର ବଦଳାଇବା ପାଇଁ ଆନ୍ଦୋଳନ କରିବା ଦେଶ ପାଇଁ ଶୁଭଙ୍କର ନୁହେଁ ।

Posted in ଦେଶ ବିଦେଶ, Featured.