ବିଶିଷ୍ଟ ସାହିତ୍ୟିକ ଡଃ ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କୁ ସମ୍ମାନଜନକ‘ଓଡ଼ିଶା ଗୌରବ ସମ୍ମାନ’ ପ୍ରଦାନ

ବିଶିଷ୍ଟ ସାହିତ୍ୟିକ ଡଃ ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କୁ ସମ୍ମାନଜନକ‘ଓଡ଼ିଶା ଗୌରବ ସମ୍ମାନ’ ପ୍ରଦାନ


ନିରାକାରପୁର: ଓଡ଼ିଆ ଭାଷା, ସାହିତ୍ୟ ତଥା ସଂସ୍କୃତିର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ଲେଖକ ତଥା ସାହିତ୍ୟିକ ଡଃ ପୂର୍ଣ୍ଣ ଚନ୍ଦ୍ର ଦାଶଙ୍କୁ ସମ୍ମାନଜନକ ‘ଓଡ଼ିଶା ଗୌରବ ସମ୍ମାନ’ ପ୍ରଦାନ କରାଯାଇଛି।
ବ୍ରହ୍ମପୁରଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ରାଜ୍ୟସ୍ତରୀୟ ସମାରୋହରେ ‘ୱାର୍ଲ୍ଡ ଚାରିଟି ୱେଲଫେୟାର ଫାଉଣ୍ଡେସନ’ ପକ୍ଷରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଉତ୍ସବରେ ଉପସ୍ଥିତ ଅତିଥିମାନେ ଡଃ ଦାଶଙ୍କୁ ଉତ୍ତରୀୟ, ମାନପତ୍ର ଓ ସ୍ମାରକୀ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଦିଗରେ ଡଃ ଦାଶଙ୍କର ଭୂମିକା ଅତୁଳନୀୟ। ସେ ପୂର୍ବରୁ ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ କାଠମାଣ୍ଡୁ ଗସ୍ତ କରି ‘ଧର୍ମ ଓ ବିଶ୍ୱ ଶାନ୍ତି’, ‘ଜଗନ୍ନାଥ ସଂସ୍କୃତି’ ତଥା ‘ଉପେନ୍ଦ୍ର ଭଞ୍ଜ ସାହିତ୍ୟ’ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ପାଣ୍ଡିତ୍ୟପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରି ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ବିଶେଷ ଭାବରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଅପୂର୍ବ ସାରସ୍ୱତ ପ୍ରତିଭାକୁ ବିଶ୍ୱ କାବ୍ୟ ଇତିହାସର ଏକ ଅନନ୍ୟ ଅଧ୍ୟାୟ ଭାବେ ସେ ଅନ୍ତର୍ଜାତୀୟ ମଞ୍ଚରେ ଉପସ୍ଥାପିତ କରିଛନ୍ତି। ନିଜ ରଚିତ ପୁସ୍ତକ, ଲେଖା ଏବଂ ଓଜସ୍ୱିନୀ ଭାଷଣ ମାଧ୍ୟମରେ ସେ ଭୌଗୋଳିକ ସୀମା ଅତିକ୍ରମ କରି ଓଡ଼ିଆ ପରମ୍ପରାର ପ୍ରଚାର କରିବା ସହ ପାଠକମାନଙ୍କୁ ନିରନ୍ତର ଅନୁପ୍ରାଣିତ କରିଆସୁଛନ୍ତି।
ଉତ୍ସବରେ ମଞ୍ଚାସୀନ ବୁଦ୍ଧିଜୀବୀମାନେ ତାଙ୍କର ଦୀର୍ଘ ବର୍ଷର ନିରବଚ୍ଛିନ୍ନ ସାଧନା, ନିସ୍ୱାର୍ଥପର ସେବା ଓ ଓଡ଼ିଆ ଜାତିର ସ୍ୱାଭିମାନ ବୃଦ୍ଧି ଦିଗରେ ନିଷ୍ଠାକୁ ଭୂୟସୀ ପ୍ରଶଂସା କରି ସେ ଯୁବପିଢ଼ିଙ୍କ ପାଇଁ ଏକ ଆଦର୍ଶ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନ ଗ୍ରହଣ କରିବା ଅବସରରେ ଡଃ ପୂର୍ଣ୍ଣ ଚନ୍ଦ୍ର ଦାଶ ସମସ୍ତ ଶୁଭେଚ୍ଛୁ ଓ ଆୟୋଜକଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ନିଜ ପ୍ରତିକ୍ରିୟାରେ ସେ କହିଛନ୍ତି, “ଏହି ସମ୍ମାନ କେବଳ ମୋର ବ୍ୟକ୍ତିଗତ ନୁହେଁ, ବରଂ ମୋ’ ସହିତ ଯୋଡ଼ି ହୋଇଥିବା ପ୍ରତ୍ୟେକଟି ମଣିଷ ଓ ପାଠକଙ୍କର। ଏହି ସ୍ୱୀକୃତି ମୋର ସାହିତ୍ୟିକ ତଥା ସାମାଜିକ ଦାୟିତ୍ୱବୋଧକୁ ଆହୁରି ବଢ଼ାଇଦେଇଛି ଏବଂ ଆଗାମୀ ଦିନରେ ନିରନ୍ତର ଲେଖିବା ପାଇଁ ନୂତନ ଶକ୍ତି ଯୋଗାଇବ।”

Posted in ରାଜ୍ୟ.