ସ୍ବାଧୀନତା ସଂଗ୍ରାମୀ ବାଗ୍ମୀ ବିଶ୍ବନାଥ କର ଥିଲେ ମହାନ ସମାଜ ସଂସ୍କାରକ

ସ୍ବାଧୀନତା ସଂଗ୍ରାମୀ ବାଗ୍ମୀ ବିଶ୍ବନାଥ କର ଥିଲେ ମହାନ ସମାଜ ସଂସ୍କାରକ

ମହାନ୍ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଶିକ୍ଷକ, ସଂପାଦକ, ପ୍ରାବନ୍ଧିକ, ବାଗ୍ମୀ ,ଉତ୍କଳ ସାହିତ୍ୟ ପତ୍ରିକାର ପ୍ରତିଷ୍ଠାତା ସମ୍ପାଦକ , ଉତ୍କଳ ସମ୍ମିଳନୀର ଅନ୍ୟତମ ସଂଚାଳକ ତଥା ବିହାର-ଓଡ଼ିଶା ପ୍ରଦେଶର ପ୍ରଥମ ଓଡ଼ିଆ ବ୍ୟବସ୍ଥାପକ ବାଗ୍ମୀ ବିଶ୍ବନାଥ କରଙ୍କ ୯୧ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବିଧାନସଭା ନିକଟରେ ଥିବା ତାଙ୍କର ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମାନ୍ୟବର ଏକାମ୍ର ବିଧାୟକ ବାଵୁ ସିଂ ଏବଂ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ , ନରେନ୍ ସାହୁ ଓ ଉମାକାନ୍ତ ମିଶ୍ର ଙ୍କ ନେତୃତ୍ବରେ “ଆମ ଭୁବନେଶ୍ୱର” ସଙ୍ଗଠନର ସଦସ୍ୟ ବୃନ୍ଦ , ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପ୍ରତିନିଧି ମାନଙ୍କ ସମେତ ଅନେକ ପୂଜ୍ୟପୂଜା ପ୍ରାଣ ମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।

ବାଗ୍ମୀ ବିଶ୍ୱନାଥ କର (୧୮୬୪-୧୯୩୪) ଓଡ଼ିଆ ସାହିତ୍ୟ ଓ ସମାଜ ସୁଧାରର ଏକ ମହାନ୍ ବ୍ୟକ୍ତିତ୍ୱ। ୧୮୬୪ ଡିସେମ୍ବର ୨୪ ତାରିଖରେ କଟକ ଜିଲ୍ଲାର ମାହାଙ୍ଗା ନିକଟମୁହଁ ମୂଳବସନ୍ତ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିତା ନାରାୟଣ କର ଓ ମାତା ବୈଦେହୀ ଦେବୀ। ସେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷକ, ସଂପାଦକ, ପ୍ରାବନ୍ଧିକ ଓ ଅଦ୍ୱିତୀୟ ବାଗ୍ମୀ ଥିଲେ। ତାଙ୍କର ବକ୍ତୃତାର ମଜା ଅନୁଭବ କରିବା ଏକ ଆନନ୍ଦର ବ୍ୟବସ୍ଥା ଥିଲା।ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ବଙ୍ଗଭଙ୍ଗ ଆନ୍ଦୋଳନରେ ତୀବ୍ର ଭାବେ ଭାଗ ନେଇ ଓଡ଼ିଆ ଭାଷାର ସ୍ୱାଧୀନତା ପାଇଁ ଲଢ଼ିଥିଲେ।

ଉତ୍କଳ ସାହିତ୍ୟ ପତ୍ରିକାର ସଂପାଦକ ହୋଇ ନଅଙ୍କ ଦୁର୍ଭିକ୍ଷ ଓ ଓଡ଼ିଆ ନବଜାଗରଣ ବିଷୟରେ ଅନେକ ଲେଖ ପ୍ରକାଶ କରିଥିଲେ। ଉତ୍କଳ ସମ୍ମିଳନୀର ଅନ୍ୟତମ ପ୍ରତିଷ୍ଠାତା ଥିଲେ। ସମାଜ ସୁଧାରରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଲଢ଼ିଥିଲେ। ରାଜା ରାମମୋହନ ରାୟଙ୍କ ବ୍ରାହ୍ମସମାଜରେ ଯୋଗଦାନ ଦେଇ ବ୍ରାହ୍ମଧର୍ମର ନୀତି ପ୍ରଚାର କରିଥିଲେ।ତାଙ୍କର ପ୍ରସିଦ୍ଧ ଉକ୍ତି, “ଓଡ଼ିଆ ଏକ ସ୍ୱୀକୃତ ପ୍ରାଚୀନ ଭାଷା। ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ। ମୋର ଓଡ଼ିଆ ଜିଭକୁ କାଟିଦେବାର ଅଧିକାର ଏଠାରେ କାହାର ନାହିଁ” – ଓଡ଼ିଆ ଭାଷାର ସମ୍ମାନ ରକ୍ଷାର ପ୍ରତୀକ। ୧୯୩୪ ଅକ୍ଟୋବର ୧୯ ତାରିଖରେ ସ୍ୱର୍ଗବାସୀ ହୋଇଥିଲେ। ୨୦୨୪ରେ ଓଡ଼ିଶା ସରକାର ତାଙ୍କର ପ୍ରତିମା ଉନ୍ମୋଚନ କରି ସମ୍ମାନ ଦେଇଛନ୍ତି। ତାଙ୍କର କୃତି ଓ ଚିନ୍ତାଧାରା ଆଜି ମଧ୍ୟ ଓଡ଼ିଆ ସମାଜକୁ ପ୍ରେରଣା ଦେଉଛି।

ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ସେ ଭାରତୀୟ ଜାତୀୟ କଂଗ୍ରେସରେ ସେ ଯୋଗଦାନ କରିଥିଲେ । ବିହାର ଓ ଓଡ଼ିଶା ବ୍ୟବସ୍ଥାପକ ସଭାକୁ ସେ ପ୍ରତିନିଧି ଭାବରେ ଯାଇଥିଲେ । ଓଡ଼ିଶା-ବିହାର କାଉନ୍‍ସିଲର ସଭ୍ୟ ଥିବା ସମୟରେ ବ୍ୟବସ୍ଥାପକ ସଭାରେ ସେ ନିଜ ମାତୃଭାଷା ଓଡ଼ିଆରେ ଭାଷଣ ଦେଇଥିଲେ । ସେଠାରେ ଅନ୍ୟ ସଭ୍ୟମାନେ ତାଙ୍କୁ ଇଂରାଜୀରେ କହିବା ଲାଗି ବାଧ୍ୟ କଲାପରେ ମଧ୍ୟ ସେ ମାତୃଭାଷା ଓଡ଼ିଆରେ ହିଁ ନିଜର ବକ୍ତବ୍ୟ ରଖିଥିଲେ । ସେହି ସଭାରେ ସେ କହିଥିଲେ-ଓଡ଼ିଆ ଏକ ସ୍ୱୀକୃତ ପ୍ରାଚୀନ ଭାଷା, ମୁଁ ଓଡ଼ିଆ, ମୋ ଭାଷା ଓଡ଼ିଆ ।

କୁସଂସ୍କାର ଦୂର କରିବା ପାଇଁ ସେ ଲୋକମାନଙ୍କୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ମଣିଷର ବିକାଶରେ ପ୍ରତିବନ୍ଧକ ସାଜିବା କଥା ବୁଝାଉଥିଲେ । ରାଜା ରାମମୋହନ ରାୟଙ୍କ ପ୍ରତିଷ୍ଠିତ ବ୍ରାହ୍ମସମାଜରେ ଯୋଗଦେଇ ପରେ ସାମାଜିକ ପରିବର୍ତ୍ତନ ପାଇଁ ବ୍ରାହ୍ମଧର୍ମର ନୀତି ନିୟମ, ଆଦର୍ଶ ଭାବ ଦେଖି କରି ଏହି ଧର୍ମ ଗ୍ରହଣ କରିଥିଲେ । ସେତେବେଳେ ହେଉଥିବା କର୍ମକାଣ୍ଡ ଓ ପୂଜା ପଦ୍ଧତିକୁ ସେ ବିରୋଧ କରି ଓଡ଼ିଶାରେ ବ୍ରାହ୍ମଧର୍ମର ପ୍ରଚାର ପ୍ରସାରର ଭୂମିକା ସଂପାଦନ କରିଥିଲେ । ଜଣେ ସମାଜସେବୀ ଭାବରେ କର ନିଜ ଗ୍ରାମ ମୂଳବସନ୍ତଠାରେ ପ୍ରଥମେ ବାଳକ ଓ ବାଳିକାମାନଙ୍କ ପାଇଁ ଅଲଗା ଅଲଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଇଥିଲେ ।

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସ୍ନେହାଙ୍ଗିନୀ ଛୁରିଆ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ୭୧-ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଆଜି ନୂଆପଡା ଉପ-ଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ସମୟରେ ବହୁ ସଂଖ୍ୟାରେ ବିଜୁ ଜନତା ଦଳ କାର୍ଯ୍ୟକର୍ତ୍ତା, ସମର୍ଥକ ଓ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

ନାମାଙ୍କନ ପରେ ମିଡିଆ ସହିତ କଥାହେବା ସମୟରେ ସ୍ନେହାଙ୍ଗିନୀ ଛୁରିଆ ଶ୍ରଦ୍ଧାର ସହିତ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କୁ ତାଙ୍କୁ ପ୍ରାର୍ଥୀ ରୂପେ ମନୋନୟନ କରିଥିବାରୁ କୃତଜ୍ଞତା ଜଣାଇଥିଲେ । ନୂଆପଡାର ସମସ୍ତ ଜନସାଧାରଣ, ବୃଦ୍ଧ, ଯୁବ, ପୁରୁଷ, ମହିଳା, ସମସ୍ତ ଜାତି ଓ ସମୁଦାୟର ଲୋକ ଏବଂ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କୁ ମଧ୍ୟ ତାଙ୍କ ଅତୁଟ ବିଶ୍ୱାସ ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ ।

ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, ନୂଆପଡା ଅଞ୍ଚଳର ଉନ୍ନତି ପାଇଁ ତାଙ୍କ ଯାତ୍ରା ଏବେ ଅଧିକୃତ ଭାବେ ଆରମ୍ଭ ହୋଇଛି ଓ ସେ ନିରନ୍ତର ଭାବେ ଲୋକମାନଙ୍କ ପାଇଁ କାମ କରିବେ । ବିଜୁ ଜନତା ଦଳ ସେବା ଓ ଲୋକକଲ୍ୟାଣରେ ବିଶ୍ୱାସ କରିଥାଏ ବୋଲି ସେ ଉଲ୍ଲେଖ କରିଥିଲେ । ଓଡ଼ିଶାର ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ନୂଆପଡା ଜିଲ୍ଲା ଗଠିତ ହୋଇଥିଲା, ଯାହା ଆଜି ନୂଆପଡାବାସୀଙ୍କ ପାଇଁ ଗର୍ବର ବିଷୟ । ଶ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରେ ଥିବା ସମୟରେ ନୂଆପଡା ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଜଳସେଚନ ଓ ଗମନାଗମନ କ୍ଷେତ୍ରରେ ବିକାଶ ହୋଇଛି ବୋଲି ସେ ଉଲ୍ଲେଖ କରିଥିଲେ ।

ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ଆଦିବାସୀ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ପଛୁଆ ବର୍ଗ ସମେତ ସମସ୍ତ ଜନସାଧାରଣ ଶ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନା ଗୁଡ଼ିକର ଲାଭ ପାଉଛନ୍ତି । ଅପରପକ୍ଷରେ, ବିଜେପି କ୍ଷମତାକୁ ଆସିବାର ଏହି ୧୬ ମାସରେ ନୂଆପଡା ଓ ସମଗ୍ର ଓଡ଼ିଶାରେ ବିକାଶ ଠପ୍ ହୋଇଛି । “ଡବଲ ଇଞ୍ଜିନ୍ ସରକାର, ଡବଲ ବିକାଶ ପରିବର୍ତ୍ତେ ଡବଲ ବିନାଶ କରୁଛି’ ବୋଲି କହିଥିଲେ । ନୂଆପଡାବାସୀ ତାଙ୍କୁ ହୃଦୟପୂର୍ବକ ସ୍ୱାଗତ କରିଛନ୍ତି ଓ ସେ ସେହି ଭରସାକୁ ଅତୁଟ ରଖିବା ପାଇଁ ନିରନ୍ତର କାର୍ଯ୍ୟ କରିବେ ।

ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ନାମାଙ୍କନ ଦାଖଲ ସମୟରେ ବିଜୁ ଜନତା ଦଳର ବରିଷ୍ଠ ନେତାମାନେ ଯଥା, ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ଶ୍ରୀ ସଂଜୟ ଦାସବର୍ମା, ଶ୍ରୀମତୀ ପ୍ରମିଳା ମଲ୍ଲିକ, ଶ୍ରୀମତୀ ଟୁକୁନି ସାହୁ, ଶ୍ରୀ ଅଧିରାଜ ପାଣିଗ୍ରାହୀ, ଶ୍ରୀ ଅବନୀ ରଞ୍ଜନ ଯୋଶୀ, ଶ୍ରୀ ମନୋଜ ମିଶ୍ର, ଶ୍ରୀ ଭାନୁ ପ୍ରତାପ ସିଂହ ମାଝୀ, ଶ୍ରୀ ରାଜେଶ ନିଗମ୍, ଶ୍ରୀମତୀ ଦୀପିକା ଧୀର୍, ଶ୍ରୀମତୀ ଡଲି ମାଝୀ, ଆଦମ ଖାନ୍, ଶ୍ରୀମତୀ ରୀତା ସାହୁ, ଶ୍ରୀମତୀ ବର୍ଷା ସିଂହ ବରିହା, ଶ୍ରୀ ନିରଞ୍ଜନ ବିଶି, ଶ୍ରୀ ବିଜୟ ନାୟକ, ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର, ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଶ୍ରୀ ସ୍ୱରୂପ ଦାସ, ଶ୍ରୀ ତୁଷାରକାନ୍ତି ବେହେରା, ଶ୍ରୀ ସରୋଜ ମେହେର, ଶ୍ରୀ ସୁବାସ ପଣ୍ଡା, ରାଜୁ ଚୌହାନ, ମୁରଲୀ ଭୋଇ, ଉମା ଠାକୁର, ଚୁରଣ ମାଝୀ, କାର୍ତ୍ତିକ ଧୀର୍ ଇତ୍ୟାଦି ଉପସ୍ଥିତ ଥିଲେ ।

ଦୀପାବଳିର ମହତ୍ତ୍ୱ

ଦୀପାବଳିର ମହତ୍ତ୍ୱ

—————-

“ପିତୃ ଲୋକଂ ପରିତାଜ୍ୟଆଗତା ଯେ ମହାଳୟେ

ଉଜ୍ଜ୍ୱଳଂ ଜ୍ୟୋତିଷାଂ ମାର୍ଗେ ପ୍ରପଦ୍ୟନ୍ତୋ ବ୍ରଜନ୍ତୁତେ ।

ସହସ୍ର ସହସ୍ର ଭୂତାନାଂଯମ୍ ଭୁତୟେ ଭୁତ ଦର୍ଷୟେ ,

ଉଜ୍ଜ୍ୱଳଂ ଜ୍ୟୋତିଷାବଟ୍ଟ ସୁଖେ ଯାନ୍ତୁ ପିତାମହ ।”

ବଡ ବଡ଼ିଆ ହୋ , ବଡ଼ବଡ଼ିଆ ହୋ !

ଅନ୍ଧାରେ ଆସି ଆଲୁଏ ଯାଅ ,

ବାଇଶି ପାହାଚରେ ଶ୍ରୀ ମହାପ୍ରସାଦ ଖାଇ,

ଆମକୁ ଅମୃତ ଦୃଷ୍ଟି ରେ ଚାହିଁ ଥାଅ ।”

କେଉଁ ଅନାଦି ଅନନ୍ତ କାଳରୁ ଓଡ଼ିଆ ଜାତି ପବିତ୍ର ଦୀପାବଳି ଅବସରରେ ସ୍ବର୍ଗତ ପୂର୍ବଜ ମାନଙ୍କ ଆଗମନରେ ଯଥୋଚିତ ସମ୍ମାନ ପ୍ରଦର୍ଶନ ପୂର୍ବକ ଶ୍ରଦ୍ଧାବଚନାର୍ପଣ ସହିତ ଘିଅ ଦୀପ, କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ଉର୍ଦ୍ଧ୍ବ କୁ ଟେକି ଉଚ୍ଚାରଣ ପୂର୍ବକ ନିଜର ପୂର୍ବଜମାନଙ୍କୁ ପଥ ପ୍ରଦର୍ଶିତ କରି ଆସୁଛନ୍ତି । ଅଧୁନା ସ୍ଥିତି ଅତ୍ୟନ୍ତ ହୃଦ ବିଦାରକ । ପବିତ୍ର ଦୀପାବଳି ଟି ଆଜି ହାପି ଦିବାଲି,ହାପି ଦିଓ୍ବାଲି , ଚାଇନାଗତ ବାଣ ଫୁଟା, ପ୍ରଦୂଷିତ ପରିବେଶ , ତୈଳ ମର୍ଦ୍ଦନ ସ୍ବାର୍ଥାନ୍ଧ ମାନଙ୍କ ଉପହାର ନାମଧେୟ ଦ୍ରବ୍ୟ ଆଦାନ ପ୍ରଦାନ ର ଦିବସ ହୋଇଯାଇଛି । ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ

ନାନା ପୌରାଣିକ ମତବାଦ, ସଂଯୋଗ ଓ ଧର୍ମୀୟ ବିଶ୍ୱାସ ମଧ୍ୟରେ ବାନ୍ଧି ହୋଇ ରହିଥିବା ଏହି ପର୍ବକୁ ବୈଜ୍ଞାନିକ ଅନୁଶୀଳନ କଲେ ଜଣାପଡ଼େ ଏହା ଏକ କୃଷିଭିତ୍ତିକ ବିଧି । ଯାହା ପ୍ରାଚୀନ କଳିଙ୍ଗର ତାର କୃଷିକ୍ଷେତ୍ର ଓ ତତସହିତ ପୁରପଲ୍ଲୀରେ ପୋକ ନିୟନ୍ତ୍ରଣ ପାଇଁ ଆୟୋଜନ ହେଉଥିଲା । ଧାନର ଅନ୍ତୁଡ଼ିଶାଳ ଓଡ଼ିଶା ଚାଷବାସରେ ସମୃଦ୍ଧ ଥିଲା । ଏହାର ପାରମ୍ପରିକ ଚାଷ ପ୍ରଣାଳୀ ମଧ୍ୟ ବିଜ୍ଞାନ ସମ୍ମତ । ପୂର୍ବକାଳର ରୋଗପୋକ ନିୟନ୍ତ୍ରଣ ପଦ୍ଧତି ଅତି ଉତ୍କୃଷ୍ଟ ଥିଲା ବୋଲି ଆମେରିକାର ଗବେଷକ ଉପନୀତ ହୋଇଛନ୍ତି । ରୋଗପୋକ ଦମନ ପାଇଁ ଓଡ଼ିଆମାନେ ନିମ୍ବ ପତ୍ର ଓ ଆଲୋକ ଦିହୁରୀର ବହୁଳ ଉପଯୋଗ କରୁଥିବାର ଗବେଷକମାନେ ମତ ଦିଅନ୍ତି । ଏ ଦୁଇଟି ଉପାୟ ଏବେ ସୁଦ୍ଧା ବୈଜ୍ଞାନିକଙ୍କଦ୍ୱାରା ସର୍ବୋତ୍କୃଷ୍ଟ ବିବେଚିତ ହୋଇଛି ।”ଅନଳ ଦେଖିଣ ପତଙ୍ଗ ଧାବନ୍ତି ହୋଇ ଉଦବେଗ “।’ଅମଳ ଋତୁ ଉପନୀତ ହୁଅନ୍ତେ ଶସ୍ୟକ୍ଷେତ୍ର ସମେତ ଜନବସତିରେ କୀଟ ପତଙ୍ଗଙ୍କ ସଂଖ୍ୟା ବୃଦ୍ଧି ପାଏ । କାର୍ତ୍ତିକ ମାସର ଅମାବାସ୍ୟା ଆଡକୁ ଏମାନଙ୍କ ସଂଖ୍ୟା ଏତେ ବୃଦ୍ଧି ପାଏ ଯେ ବିଶେଷ କରି ରାତ୍ରୀ ସମୟରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼େ । ଅମାବାସ୍ୟା ପୂର୍ବ ପରକୁ ମିଶାଇ ପାଞ୍ଚ ଦିନ ମଶାଲ, ଦିହୁରୀ, ଦୀପ, ଲଣ୍ଠନ ଆଦି ଜଳାଇ ପୋକଙ୍କୁ ଆକୃଷ୍ଟ କରି ଦମନ କରାଯାଏ । ଅପରପକ୍ଷରେ ପୁରାଣ ଶାସ୍ତ୍ର କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଥିଲେ । ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇଥିଲେ । ସେହି ଦିନରୁ ଏହି ଉତ୍ସବ ପାଳନ କରାଯାଉଛି । ଉତ୍ତର ଭାରତରେ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଭକ୍ତମାନେ ଏହି ଦିନ ଟିକୁ ବହୁ ଯାକଜମକରେ ପାଳନ କରନ୍ତି । ଅନ୍ୟ ଏକ କିମ୍ବଦନ୍ତୀ କୁହେ ଅର୍ଥାତ୍

ଉତ୍ସବ ତତ୍ତ୍ୱାଭିଧାନ’ ଅନୁଯାୟୀ ଏକଦା କାର୍ତ୍ତିକ(ତୁଳା)ମାସ- ଘନଅନ୍ଧକାର କୃଷ୍ଣପକ୍ଷରେ ଜଣେ ଭବିଷ୍ୟଦ୍ରଷ୍ଟା ଜ୍ୟୋତିଷ ପ୍ରଭୁ ଶ୍ରୀରାମଙ୍କୁ ବିପର୍ଯ୍ୟସ୍ଥ ଦୁର୍ଭାଗ୍ୟ କାଳସର୍ପ ରୂପେ ଅମାରାତିରେ ଦଂଶନ କରିବା ପାଇଁ ଲୁଚିଛପି ଆସିବାର ଭବିଷ୍ୟବାଣୀ କରିଥିଲେ । ସତର୍କତା ପୂର୍ବକ ଅଯୋଧ୍ୟା ରାଜନଗରୀର କୃଷ୍ଣପକ୍ଷ ସାରା ଉଜ୍ଜଳଆଲୋକ ପ୍ରଜ୍ଜଳନ କରାଯାଇଥିଲା ଏବଂ କାଳସର୍ପ ଦଂଶନର ଚକ୍ରାନ୍ତ ପଣ୍ଡହୋଇଥିଲା । ସେହିପରି ଅନ୍ୟ ଏକ ପୁରାଣ କିମ୍ବଦନ୍ତୀ ଅନୁସାରେ ଦୈତ୍ୟରାଜ ବଳି ମହାଦାନୀ ଥିଲେ । ସେ ଏପରି ଦାନ କଲେ ଯେ ସ୍ୱର୍ଗର ଦେବତାମାନଙ୍କ ମଧ୍ୟରେ ଭାଳେଣି ପଡ଼ିଗଲା , କାରଣ ତାଙ୍କର ପୂଣ୍ୟ ଫଳରେ ସେ ସ୍ୱର୍ଗପୁରର ଅଧିକାରୀ ହେଇପାରନ୍ତି । ଏଣୁ ଦେବତାମାନଙ୍କ କଥା ରକ୍ଷାକରି ବିଷ୍ଣୁ ବାମନ ଅବତାର ଗ୍ରହଣ କରି ବଳିରାଜଙ୍କ ପାଖରେ ପହଞ୍ଚି ତାଙ୍କୁ ତିନିପାଦ ଭୂମି ମାଗିଥିଲେ । ଗୋଟିଏ ପାଦରେ ପୃଥିବୀ, ଗୋଟିଏ ପାଦରେ ସ୍ୱର୍ଗ ଏବଂ ତୃତୀୟ ପାଦରେ ବଳିଙ୍କୁ ପାତାଳକୁ ଚାପିଦେଲେ । ତେଣୁ ସେ ପାତାଳ ପୁରକୁ ଚାଲିଗଲେ । ତା’ ପରେ ବଳିଙ୍କ ପ୍ରାର୍ଥନା ଶୁଣି ପାତାଳରେ ବଳିକୁ ରାଜା କରିଦେଲେ । ବର୍ଷକରେ ଥରେ ମର୍ତ୍ତ୍ୟପୁରକୁ ଆସି ପ୍ରଜାମାନଙ୍କୁ ଦେଖିବାକୁ ବଳି ବର ମାଗନ୍ତେ ବିଷ୍ଣୁ ଏଥିରେ ସମ୍ମତି ଜଣାଇ କାର୍ତ୍ତିକ ଶୁକ୍ଲ୍ଲ ପ୍ରତିପଦା ଦିନ ବଳି ମର୍ତ୍ତ୍ୟକୁ ଆସିବାକୁ ତଥାସ୍ତୁ କହିଲେ । ତେଣୁ ସେଦିନକୁ ମର୍ତ୍ତ୍ୟବାସୀ ଆନନ୍ଦର ଦୀପ ଜାଳି ଆଲୋକିତ କରନ୍ତି । ଏତଦ୍ ବ୍ୟତୀତ ଅନ୍ୟ ଏକ କିମ୍ବଦନ୍ତୀ କୁହେ ଯେ ଭଗବାନ ବିଷ୍ଣୁ ଭକ୍ତ ପ୍ରହ୍ଲାଦଙ୍କୁ ଇନ୍ଦ୍ରପଦ ଯାଚିବାରୁ ସେ ବିନୀତ ଭାବେ ପ୍ରତ୍ୟାଖାନ କରିବାରୁ, ତାଙ୍କର ନାତି ବଳୀରାଜାଙ୍କୁ ଏହି ଦିନ ‘ଇନ୍ଦ୍ରପଦ’ ପ୍ରଦାନ କରିଥିଲେ । ତେଣୁ ଦାନବଗଣ ଦୀପଜଳାଇ, ବାଣ, ଆତସବାଜି ଫୁଟାଇ ଉତ୍ସବ ପାଳିଥିଲେ । ଏତଦ୍ ଭିନ୍ନ ଅନ୍ୟ ଏକ କିମ୍ବଦନ୍ତୀ କୁହେ ଯେ ବିରୋଚନ ପୁତ୍ର ବଳି ଇନ୍ଦ୍ର ଓ ମରୁତଗଣଙ୍କୁ ପରାସ୍ତ କରି ତ୍ରିଭୁବନ ଜୟକରି ପ୍ରଜାପାଳନ କରୁଥିଲେ । ଦାନପାଇଁ ସେ ପ୍ରସିଦ୍ଧ ଥିଲେ ଏବଂ ଯେ ଯାହା ମାଗୁଥିଲେ, ତାହା ଦାନ କରୁଥିଲେ । ତାଙ୍କର ବିକ୍ରମ ଓ ଦାନର ପ୍ରଭାବରେ ସେ ଇନ୍ଦ୍ର ଓ ଦେବତାମାନଙ୍କୁ ନିଷ୍ପ୍ରଭ କରିବାକୁ ବସିଲେ । ଏଥିରେ ଇନ୍ଦ୍ର ଓ ଦେବଗଣ ଭୟଭୀତ ହେଲେ । ବଳି ଏକ ପ୍ରସିଦ୍ଧ ଯଜ୍ଞ କଲେ । ଏହି ଯଜ୍ଞ ଶେଷହେଲେ ଇନ୍ଦ୍ର ଓ ଦେବଗଣଙ୍କର ସମସ୍ତ ଶକ୍ତି ଓ ତେଜ ଚାଲିଯିବ । ଏହାର ଆଶୁ ନିରାକରଣ ପାଇଁ ଭଗବାନ ବିଷ୍ଣୁଙ୍କର ଶରଣାପନ୍ନ ହେଲେ । ବିଷ୍ଣୁ ବାମନ ରୂପରେ ବଳିଙ୍କଠାରୁ ତିନିଲୋକ ପ୍ରାପ୍ତହେଲେ । ଦାନପ୍ରଦାନ ଛଳରେ ମାୟାବୀବିଷ୍ଣୁ ଗର୍ବୀବଳିଙ୍କୁ ତୃତୀୟପାଦରେ ପାତାଳ ଚାପି ଦେଲେ । କଥା ଦେଲେ ଯେ ବଳି ବର୍ଷରେ ଥରେ କାର୍ତ୍ତିକ ଶୁକ୍ଲ୍ଲ ପ୍ରତିପଦା ଦିନ ପୃଥ୍ୱୀଲୋକକୁ ଆସିପାରିବ । ତାଙ୍କ ଆଗମନରେ ଭୂଲୋକବାସୀ ଆନନ୍ଦ ଉଲ୍ଲାସରେ ପ୍ରଦୀପ ଜାଳି ତାଙ୍କୁ ସମ୍ବର୍ଦ୍ଧିତ କରିବେ । ସେହି ଆଲୋକ ସମ୍ବର୍ଦ୍ଧନା କାଳକ୍ରମେ ଦୀପାବଳି ଉତ୍ସବରେ ରୂପାନ୍ତରିତ ହେଲା । କିମ୍ବଦନ୍ତୀ ରେ ସମୃଦ୍ଧ ଆମର ପୁରାଣ ଶାସ୍ତ୍ର ଅନୁସାରେ ଶ୍ରୀକୃଷ୍ଣ ଅତ୍ୟାଚାରୀ ନରକାସୁରକୁ କୃଷ୍ଣ ଚତୁର୍ଦଶୀ ଦିନ ବଧ କରିଥିଲେ ତେଣୁ ଖୁସିରେ ଆଲୋକର ଉତ୍ସବ ପାଳିତ ହେଇଥିଲା । ଏହି ଦିନକୁ ନରକ ଚତୁର୍ଦ୍ଦଶୀ କୁହଯାଏ । ଏ ଦିନ ସୂର୍ୟୋଦୟ କାଳରେ ସମସ୍ତ ଶରୀରରେ ସୁଗନ୍ଧ ତୈଳ ଲଗାଇ ଗାଧୋଇବାର ପ୍ରଥା ଅଛି । ଅନ୍ୟ ଏକ କିମ୍ବଦନ୍ତୀ କୁହେ ଯେ ଦ୍ୱାପରଯୁଗରେ ଶ୍ରୀକୃଷ୍ଣ ରାକ୍ଷସ ନରକାସୁରକୁ ମାରି ଚଉଷଠିସହସ୍ର ରାଜକନ୍ୟାଙ୍କୁ ଉଦ୍ଧାରକଲା ପରେ ଇନ୍ଦ୍ରମାତାଙ୍କୁ ନରକାଦ୍ୱାରା ଅପହୃତ ମଣିକୁଣ୍ଡଳକୁ ଫେରାଇବାକୁ ସତ୍ୟଭାମାଙ୍କୁ ନେଇ ସ୍ୱର୍ଗକୁ ଯାଇଥିଲେ । ସତ୍ୟଭାମାଙ୍କ ଅନୁରୋଧରେ ପାରିଜାତ ବୃକ୍ଷର ଚାରାଟିଏ ଆଣିବାକୁ ଗଲାବେଳେ ଇନ୍ଦ୍ରଙ୍କ ସହିତ ସମସ୍ତଦେବତା ବାଧାଦେବାରୁ ଏକାକି ସବୁଦେବତାଙ୍କୁ ପରାସ୍ତ କରି ପାରିଜାତ ବୃକ୍ଷ ସହ ଅନେକ ଧନରତ୍ନ ନେଇ ଏହିଦିବସରେ ଦ୍ୱାରକା ଫେରିଥିଲେ । ତେଣୁ ଦ୍ୱାରକାବାସୀ ପ୍ରଭୁଙ୍କୁ ସ୍ୱାଗତ ଜଣାଇ ସମଗ୍ରନଗରୀକୁ ଦୀପମାଳାରେ ସଜାଇ, ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ । ଋକ୍ ବେଦରୁ ସୂଚନା ମିଳେ ଯେ, ପୃଥିବୀ ଏକଦା ଘୋର ଅନ୍ଧକାର ଭିତରେ ବୁଡି ରହିଥିଲା । କାଳ କ୍ରମେ ସୂର୍ଯ୍ୟଙ୍କର କିରଣ ପାଇ ପୃଥିବୀ ଦିନେ ଆଲୋକିତ ହେଲା । ଏହାକୁ ମନେ ରଖିବା ପାଇଁ ଦୀପାବଳି ଉତ୍ସବ ପାଳନ କରାଯାଏ । ଇତିହାସ କିନ୍ତୁ ଦୀପାବଳୀ ଉତ୍ସବ ପାଳନର ଭିତ୍ତିଭୂମି ଉପରେ ଆଧାରିତ ଅନେକ ଆଲୋଚନା କରିଛି ।

ମୋଗଲ ଯୁଗର ପ୍ରସିଦ୍ଧଐତିହାସିକ ଆବୁଲ ଫଜୀଲ ତାଙ୍କର ଆଇନ ଆକବରୀରେ ମୋଗଲ ଶାସନକାଳୀନ ବଣିକ, ଆଲୋକ ଜ୍ଜଳନ୍ତ ଓ ଅକ୍ଷକ୍ରୀଡା ନାମକ ଦୀପାବଳି ଆଧାରିତ ମନୋଜ୍ଞ ଉପକଥାର ଉଲ୍ଲେଖ କରିଛନ୍ତି । ଆଲବରୁଣୀରେ ମୋଗଲ ସମ୍ରାଟଙ୍କ ଲମ୍ବା ବାଉଁଶ ପୋତି ତା’ର ଅଗରେ ଶିକାରେ ଆକାଶପ୍ରଦୀପ ଜାଳିବାକଥା ବରୋଦା ସଂଗ୍ରହାଳୟରେ ରଖାଯାଇଥିବା ପ୍ରାଚୀନ ଆକାଶପ୍ରଦୀପ ଅତୀତରେ ଦୀପାବଳି ପାଳନ କରାଯାଉଥିବାର ପ୍ରମାଣ ଦିଏ ।ସେହିପରି ଦର୍ଶାଯାଇଛି ଯେ ଚାଣକ୍ୟ ଓ ଚୋଳବଂଶକାଳୀନ ଉତ୍ସବ ପରମ୍ପରାରେ ଦୀପାବଳିପାଳନ ହେଉଥିବାର କନୌଜବଂଶୀୟ ରାଜା ହର୍ଷବର୍ଦ୍ଧନଙ୍କ କାଳଜୟୀ ଅମରକୃତି ନାଟକ ନାଗାନନ୍ଦରୁ ଜଣାପଡେ ।ଗୁପ୍ତବଂଶୀୟ ସମ୍ରାଟ ଦ୍ୱିତୀୟଚନ୍ଦ୍ରଗୁପ୍ତ ବିକ୍ରମାଦିତ୍ୟ, ପବିତ୍ର ଦୀପାବଳି ତିଥିରେ ସିଂହାସନ ଆରୋହଣ କରିଥିବାରୁ ତା’ର ସ୍ମାରକୀ ରୂପେ ଦୀପାବଳି ଦିନଠାରୁ ଗୁପ୍ତାଦ୍ଧର ପ୍ରଚଳନ ହୋଇଥିଲା ବୋଲି ଉଲ୍ଲେଖ ରହିଛି । ଏଠାରେ ଗର୍ବର ସହିତ ଉଲ୍ଲେଖ କରା ଯାଇପାରେ ଯେ ପୃଥିବୀର ପ୍ରଥମ ନୌବାଣିଜ୍ୟର ଜାତି ଓଡ଼ିଆ ମାନେ ଯେଉଁ ଯେଉଁ ଦେଶକୁ ଯାଇ ପ୍ରଭାବ ବିସ୍ତାର କରିଥିଲେ, ସେହି ସବୁ ଦେଶରେ ଯଥା ନେପାଳ, ଶ୍ରୀଲଙ୍କା, ମିଆଁମାର, ମରିସସ, ଗୁଏନା, ତ୍ରିନିଦାଦ ଓ ଟବାଗୋ, ସୁରିନେମ, ମାଲେସିଆ, ସିଙ୍ଗାପୁର ,ଫିଜି ଆଦି ଅନେକ ଦେଶରେ ଦୀପାବଳି କେବଳ ପାଳନ ହେଉନାହିଁ , ସେଠାରେ ଏହି ଦିବସରେ ସରକାରୀ ଛୁଟିଦିନ ଭାବରେ ଘୋଷିତ ହୋଇଛି । ଓଡ଼ିଶା କୁ ଯେଉଁ ବିଜାତୀୟ ମାନେ ଶାସନ କରିଛନ୍ତି , ଏପରିକି ଧର୍ମ ପ୍ରଚାର କରିବା ପାଇଁ ଆସିଛନ୍ତି , ସେମାନେ ମଧ୍ୟ ଦୀପାବଳି ପର୍ବକୁ ଆପଣେଇ ବିଭିନ୍ନ ପ୍ରସଙ୍ଗ ଅବତରଣ କରିଛନ୍ତି । ଯଥା

ଜୈନଧର୍ମରେ ଦୀକ୍ଷିତ ବ୍ୟକ୍ତିମାନେ ୨୪ତୀର୍ଥଙ୍କର ମହାବୀରଙ୍କର ନିର୍ବାଣ ଦିବସ ରୂପେ ଏହିଦିବସକୁ ପାଳନ କରିଥା’ନ୍ତି । ଏ ସମ୍ପର୍କରେ ଗୋଟିଏ କାହାଣୀ ରହିଛି । ମହାବୀରଙ୍କର ଯେତେବେଳେ ମହାପ୍ରୟାଣ ଘଟିଲା, ସେତେବେଳେ ତାଙ୍କପାଖରେ ବହୁ ଜୈନ ଧର୍ମାବଲମ୍ବୀ ସନ୍ନ୍ୟାସୀ ଭକ୍ତ ଉପସ୍ଥିତ ହୋଇଥିଲେ । ମହାପ୍ରୟାଣ ପରେ ଏ ପୃଥିବୀ ପାଇଁ କିଏ ଆଉ ଜ୍ଞାନାଲୋକ ଦେବ, ଏହା ହିଁ ସେମାନେ ଚିନ୍ତାକଲେ । ସେମାନେ ସମସ୍ତେ ଏକତ୍ରିତ ହୋଇ ଦୀପାବଳି ଦିନ ମଶାଲ ଜଳାଇ ଦିବ୍ୟଜ୍ଞାନ ସନ୍ଧାନରେ ଯାଇଥିଲେ । ସେହିଦିନରୁ ଦୀପାବଳି ଦିନ ଆଲୋକ ଜଳେବାର ଚାଳି ଆସୁଛି ।ଖ୍ରୀଷ୍ଟପୂର୍ବ ୫୨୭ରେ ମହାବୀରଙ୍କୁ ଏହିଦିନରେ ନିର୍ବାଣ ପ୍ରାପ୍ତି ହୋଇଥିଲା । ସେହିଦିନକୁ ସ୍ମରଣକରିବା ପାଇଁ ଜୈନମାନେ ଦୀପାବଳି ପାଳନ କରନ୍ତି । ଏହି ଅବସରରେ ଦୀପ ଜଳାଯାଏ ଏବଂ ମିଷ୍ଟାନ୍ନ ବଣ୍ଟାଯାଏ । ଜୈନ ବ୍ୟବସାୟୀମାନେ ହିସାବଖାତା ଏବଂ ମୁଦ୍ରା ପୂଜାକରନ୍ତି । ସେହିବର୍ଷ ପାଇଁ ହିସାବଖାତା ବନ୍ଦ କରାଯାଏ । ପରବର୍ତ୍ତୀ ଆଠଦିନ କୌଣସି ବ୍ୟବସାୟ କରନ୍ତି ନାହିଁ । ସେମାନେ ଉପବାସ କରନ୍ତି; ଜପତପ କରନ୍ତି । ନବମଦିନରେ ଜୈନ ନବବର୍ଷ ପାଳିତ ହୁଏ । ସେହିପରି ଏକଦଶଦର୍ଶି ମୋଗଲ ସମ୍ରାଟ ଔରଙ୍ଗଜେବ ଙ୍କ ଦ୍ୱାରା ଶିଖ‌ଧର୍ମର ଷଷ୍ଠଗୁରୁ ହରଗୋବିନ୍ଦ ସିଂହ ବନ୍ଦୀହୋଇ କାରାକୋଠରୀରେ ଆବଦ୍ଧ ହୋଇଥିଲେ । ଅଗଣିତ ଶିଖ ଧର୍ମାବଲମ୍ବୀଙ୍କ ଦୃଢବିରୋଧ ଯୋଗୁଁ ପରିଶେଷରେ ତାଙ୍କୁ କାରାମୁକ୍ତ କରାଗଲା । ତାଙ୍କୁ ସ୍ୱାଗତକରିବା ପାଇଁ ସେତେବେଳେ ସ୍ୱର୍ଣ୍ଣମନ୍ଦିରକୁ ଦୀପରେ ସଜାଯାଇଥିଲା । ସେ ଏହି ଦୀପାବଳିଦିନ କାରାମୁକ୍ତ ହୋଇ ଥିବାରୁ, ଏହିଦିନଟିକୁ ଅନ୍ଧାରରୁ ଆଲୋକସନ୍ଧାନ ପ୍ରାପ୍ତିର ଦିବସ ରୂପେ ଶିଖ ସମ୍ପ୍ରଦାୟ ପାଳିଆସୁଛନ୍ତି । ପାରମ୍ପରିକ ଭାବେ ଏହିଦିନରେ ଶିଖ‌ମାନେ ଗୋଇନ୍ଦୱ।ଲ୍ ସାହିବ ଗୁରୁଦ୍ୱାରକୁ ତୀର୍ଥକରି ଯାଆନ୍ତି ।

ବିହାର ନିର୍ବାଚନ-୨୦୨୫: କାହାର ହେବ ବାଜିମାତ

ବିହାର ନିର୍ବାଚନ-୨୦୨୫: କାହାର ହେବ ବାଜିମାତ

ବିହାରରେ ୬ ଓ ୧୧ ନଭମ୍ବର ୨୦୨୫ରେ ଦୁଇ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ୨୪୩ ଆସନ ପାଇଁ ବିହାର ବିଧାନସଭା ନିର୍ବାଚନର ଫଳାଫଳ ୧୪ ନଭମ୍ବରରେ  ଘୋଷଣା ହେବ। ରାଷ୍ଟ୍ରୀୟ ଲୋକତନ୍ତ୍ରୀୟ ଗଠବନ୍ଧନ (ଏନ୍‌ଡିଏ) ଓ ମହାଗଠବନ୍ଧନ (ଇଣ୍ଡିଆ ବ୍ଲକ୍) ମଧ୍ୟରେ କଡ଼ା ସଂଘର୍ଷ ହେବାର ଅନୁମାନ କରାଯାଉଛି । ତେବେ ପ୍ରସ୍ତୁତି ପର୍ଯ୍ୟାୟରେ ଆସନ ବିତରଣ ଓ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିବାଦକୁ ନେଇ ଦୁଇ ମେଣ୍ଟ ଭିତରେ ସ୍ପଷ୍ଟତା ନାହିଁ । ପୂର୍ବରୁ ଯେତେ ସର୍ଭେ ହୋଇଛି ସବୁ  ସର୍ଭେ ଏନ୍‌ଡିଏକୁ ଆଗୁଆ ଦେଖାଉଛି। ଏନ୍‌ଡିଏର ମଜବୁତ ଥିବା କୁହାଯାଉଛି । ଚଳିତ ନିର୍ବାଚନରେ ଏନଡିଏରେ ବିଜେପି ଓ ଜେଡିୟୁ ପ୍ରତ୍ୟେକ ୧୦୧ ଆସନରେ ପ୍ରାର୍ଥୀ ନିର୍ବାଚନ ଲଢ଼ିବେ । , ଏଲ୍‌ଜେପି (ରାମବିଳାସ) ୨୯ଟି ଆସନ ପାଇଛି । , ହାମ ଦଳ  ୬ ଟି ଏବଂ , ଆର୍‌ଏଲ୍‌ଏମ୍ ୬ଟି ଆସନରେ ଲଢ଼ୁଛି । ଆଇଏଏନ୍‌ଏସ-ମ୍ୟାଟ୍ରିଜ୍ ସର୍ଭେରେ ଏନ୍‌ଡିଏ ୪୯% ଭୋଟ ସହ ୧୫୦-୧୬୦ ଆସନ ଜିତିବା ଆଶା କରାଯାଉଛି । । ବିଜେପି ୮୦-୧୦୦ ଆସନରେ ଜିତିବାର ସଂଭାବନା ରହିଛି । , ଜେଡିୟୁ ୪୦ରୁ ୫୫ ଆସନରେ ଜିତିବାର ସଂଭାବନା ରହିଛି।

ନୀତିଶ କୁମାରଙ୍କ ନେତୃତ୍ୱ କୁ ୪୨% ଲୋକ ସମର୍ଥନ ଦେବାର ରିପୋର୍ଟ କହୁଛି  । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଏଥର ନୀତିଶଙ୍କ ନେତୃତ୍ବରେ ଏନଡିଏ ଏନଡିଏ ନିର୍ବାଚନ ଲଢ଼ୁଛି । , ନୀତିଶ କହିଛନ୍ତି “ଏନ୍‌ଡିଏ ଏକଜୁଟ୍” ରହିଛି ।

ମହାଗଠବନ୍ଧନର ଆସନ ବୁଝାମଣା ହୋଇପାରିନାହିଁ । ଅନେକ ସ୍ଥାନରେ ଦୁଇ ଦୁଇଜଣ ପ୍ରାର୍ଥୀ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି ।  ଆର୍‌ଜେଡି ୧୩୦-୧୩୫ ଆସନରେ ପ୍ରାର୍ଥୀ ଦେଇଛି । , କଂଗ୍ରେସ ୬୦ ଆସନରେ ପ୍ରାର୍ଥୀ ଦେଇଛି । , ଭିଆଇପି ୧୫ଟି ଆସନ,, ସିପିଆଇ-ଏମ୍‌ଏଲ୍‌ଏଲ୍ ୨୯ଟି ଆସନ ଏବଂ , ଏଆଇଏମ୍‌ଆଇଏମ୍ ୨୫ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଆର୍‌ଜେଡି-କଂଗ୍ରେସ ବୁଝାମଣା ବିଫଳ ହୋଇଥିବା ଚର୍ଚା ହେଉଛି । ଜେଏମ୍‌ଏମ୍ ୬ ଆସନରେ ସ୍ୱାଧୀନ ଭାବେ ଲଢ଼ୁଛି ।  ସର୍ଭେରେ ୩୯.୭% ଭୋଟରେ ମହାଗଠବନ୍ଧନ ୮୧ରୁ ୧୦୩ଟି  ଆସନ ପାଇବ ବୋଲି କୁହାଯାଉଛି । ଆର୍‌ଜେଡି ୬୦-୮୦ ଆସନ ପାଇବ । , କଂଗ୍ରେସ ୨-୧୫ଟି ଆସନ ପାଇବା କୁହାଯାଉଛି । ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ବିହାରର ୩୫.୫% ସମର୍ଥନ ରହିଛି।

ତେବେ ଫ୍ରେଣ୍ଡଲି ଫାଇଟ୍ ଓ ଜେଏମ୍‌ଏମ୍‌ର ବିଦ୍ରୋହ ଭୋଟ ବିଭାଜନ ସୃଷ୍ଟି କରିବାର ସମ୍ଭାବନା ରହିଛି ।  ଜାତିଗତ ସମୀକରଣରେ ଏନଡିଏ ପ୍ରତି ଅଧିକ ଭୋଟ ପଡ଼ିବାର ସମ୍ଭାବନା ରହିଛି ।  ଜନ ସୁରାଜ୍ ପାର୍ଟି ୪-୬ ଟି ଆସନ ନେବାର ସମ୍ଭାବନା ରହିଛି। ପ୍ରଶାନ୍ତ କିଶୋରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ  ୨୩% ଲୋକଙ୍କ ସମର୍ଥନ ରହିଛି । ରାଜନୀତି ସମୀକ୍ଷକମାନେ ଏନ୍‌ଡିଏ ସରକର ଗଢ଼ିବ ବୋଲି ପୂର୍ବାନୁମାନ କରିଛନ୍ତି । ନୀତିଶ ସରକାର ପୁଣି ଗଠନ ହେବ ବୋଲି  ୫୦% ଲୋକ କହିଛନ୍ତି । ତେବେ ଭୋଟ ଫଳେ କିଏ ସରକାର ଗଠନ କରିବ ଆଉ କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଜଣାପଡିବ ।

INS ବିକ୍ରାନ୍ତରେ ପିଏମ୍ ମୋଦିଙ୍କ ଦୀପାବଳି ଉତ୍ସବ

INS ବିକ୍ରାନ୍ତରେ ପିଏମ୍ ମୋଦିଙ୍କ ଦୀପାବଳି ଉତ୍ସବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆ ଓ କରୱାର ଉପକୂଳରେ ଅବସ୍ଥିତ INS ବିକ୍ରାନ୍ତରେ ଦୀପାବଳି ପାଳନ କରି ଦେଶର ସମସ୍ତ ସେନାବୀରଙ୍କୁ ଓ ସେମାନଙ୍କ ପରିବାରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସୈନିକମାନଙ୍କୁ ସମ୍ବୋଧିତ କରି ପିଏମ୍ ମୋଦି ସେନାର ଆତ୍ମନିର୍ଭରଶୀଳତା ଉପରେ ଗୁରୁତ୍ୱ ଦେଇଛନ୍ତି। ଗତ ୧୧ ବର୍ଷରେ ପ୍ରତିରକ୍ଷା ବିଭାଗର ଉତ୍ପାଦନ ୩ ଗୁଣ ବୃଦ୍ଧି ପାଇଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ସେନାଙ୍କ ମନୋବଳ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ। INS ବିକ୍ରାନ୍ତରେ ଦୀପାବଳିର ଆଲୋକରେ ଘେରା ନୌସେନା କର୍ମଚାରୀମାନଙ୍କୁ ସମ୍ବୋଧନ କରି ସେ କହିଛନ୍ତି, “ସେନା ଶକ୍ତିଶାଳୀ ହେବା ପାଇଁ ଆତ୍ମନିର୍ଭରଶୀଳ ହେବା ଜରୁରୀ। ଗତ ୧୧ ବର୍ଷରେ ପ୍ରତିରକ୍ଷା ଉତ୍ପାଦନ ୩ ଗୁଣ ବଢ଼ିଛି। ଏବଂ ପ୍ରତି ୪୦ ଦିନରେ ଗୋଟିଏ ଯୁଦ୍ଧାସ୍ତ୍ର ନୌସେନାରେ ଯୋଗ ଦେଉଛି।”

ପିଏମ୍ ମୋଦି ଭାରତୀୟ ସେନା, ବାୟୁସେନା ଓ ନୌସେନାର ସମନ୍ୱିତ ଶକ୍ତିକୁ ଉଜାଗର କରିଛନ୍ତି। ଅପରେସନ ସିନ୍ଦୂରରେ ତିନୋଟି ବାହିନୀର ସମନ୍ୱୟ ପାକିସ୍ତାନକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା ବୋଲି ସେ କହିଛନ୍ତି। “ଯେଉଁମାନଙ୍କ ପାଖରେ ନିଜ ଦମରେ ଲଢ଼ିବାର ସାହସ ଅଛି, ସେମାନେ ସର୍ବଦା ଶ୍ରେଷ୍ଠ। ଆମ ସାହସୀ ସୈନିକମାନେ ଶତ୍ରୁକୁ ଆଣ୍ଠୁମାଡ଼ି ପକାଇଥିଲେ,” ।

ଏହା ପିଏମ୍ ମୋଦିଙ୍କ ପାଇଁ ୧୧ମ ବର୍ଷ ମଧ୍ୟରେ ସେନାଙ୍କ ସହିତ ଦୀପାବଳି ପାଳନ। ପୂର୍ବରୁ ସେ ଜମ୍ମୁ-କାଶ୍ମୀର, ସିଆଚେନ୍ ଓ ରାଜସ୍ଥାନରେ ସୈନିକଙ୍କ ସହ ଉତ୍ସବ ମନାଇଛନ୍ତି। INS ବିକ୍ରାନ୍ତ ଭାରତର ସବୁଠାରୁ ବଡ଼ ଓ ଶକ୍ତିଶାଳୀ ନୌଯୁଦ୍ଧାସ୍ତ୍ର ହିସାବରେ ଜାଣାଯାଏ।

ପିଏମ୍ ମୋଦିଙ୍କ ସରକାର ପ୍ରତିରକ୍ଷା ଉତ୍ପାଦନରେ ବିପ୍ଳବ ଆଣିଛି। ୨୦୧୪ ପୂର୍ବରୁ ବର୍ଷେ ପ୍ରତିରକ୍ଷା ଉତ୍ପାଦନ ୭୫,୦୦୦ କୋଟିରୁ ବର୍ତ୍ତମାନ ୩ ଲକ୍ଷ କୋଟିରୁ ଅଧିକ ପହଞ୍ଚିଛି। ନୌସେନାରେ ପ୍ରତି ୪୦ ଦିନରେ ଏକ ନୂଆ ଯୁଦ୍ଧାସ୍ତ୍ର ଯୋଗ ଦିଆଯାଉଛି, ଯାହା ଆତ୍ମ ନିର୍ଭର ଭାରତର ପ୍ରମାଣ। ସୈନିକମାନଙ୍କ ସହ ଦୀପାବଳି ପାଳନ ପାଇଁ ପିଏମ୍ ମୋଦିଙ୍କୁ ସମର୍ପିତ କର୍ମଚାରୀମାନେ ସ୍ୱାଗତ କରିଥିଲେ।

ନକ୍ସଲଙ୍କ ଦିନ ସରି ସରି ଆସୁଛି

ନକ୍ସଲଙ୍କ ଦିନ ସରି ସରି ଆସୁଛି

ଗୋଟିଏ ଦିନରେ ଆତ୍ମସମର୍ପଣ କଲେ ୨୦୮ ନକ୍ସଲ । ଛତିଶଗଡ଼ରେ ଜଗଦଲପୁରରେ ଆତ୍ମସମର୍ପଣ କଲେ ୨୦୮ ନକ୍ସଲ । ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏଙ୍କ ଉପସ୍ଥିତିରେ ସମସ୍ତେ ଆତ୍ମସମର୍ପଣ କରିଛନ୍ତି । ୧୫୩ ଟି ବନ୍ଧୁକ ସହ ଆତ୍ମସମର୍ପଣ କରିବାକୁ ଆସିଥିଲେ ସମସ୍ତ ନକ୍ସଲ । ଅସ୍ତ୍ରଶସ୍ତ୍ର ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ହେଲେ ସାମିଲ । କେନ୍ଦ୍ର ସରକାର ନକ୍ସଲଙ୍କୁ ଚେତାବନୀ ଦେଇଛନ୍ତି । ଯେଉଁମାନେ ଆତ୍ମସମର୍ପଣ ନକରିବେ ସେମାନଙ୍କୁ ଛଡ଼ାଯିବ ନାହିଁ କହିଛନ୍ତି । ଏହି ଭୟ ପାଇଁ ଅଧିକ ନକ୍ସଲ ଏବେ ବନ୍ଧୁକ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ।
୯୮ ପୁରୁଷ ଏବଂ ୧୧୦ ମହିଳା ସମେତ ୨୦୮ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସମସ୍ତ ୨୦୮ ନକ୍ସଲ ୧୫୩ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ସେମାନେ ଏବେ ସରକାରଙ୍କ ପୁନର୍ବାସ ଯୋଜନାରୁ ଲାଭ ପାଇପାରିବେ। ଏହା ସହିତ, ଆବୁଝମାଡ ଅଞ୍ଚଳର ଅଧିକାଂଶ ଅଞ୍ଚଳ ଏବେ ନକ୍ସଲମୁକ୍ତ ହେବ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ । ବହୁ ସଂଖ୍ୟକ ନକ୍ସଲବାଦୀଙ୍କ ଆତ୍ମସମର୍ପଣ ପରେ, ଏହା ବିଶ୍ୱାସ କରାଯାଉଛି ଯେ ଉତ୍ତର ବସ୍ତରରୁ ଲାଲ ଆତଙ୍କ ମୁଖ୍ୟତଃ ମୂଳୋତ୍ପାଟନ ହୋଇଯିବ।

ନକ୍ସଲବାଦ ବର୍ତ୍ତମାନ ଦକ୍ଷିଣ ବସ୍ତରରେ କେନ୍ଦ୍ରିତ ରହିଛି। ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଇ ନକ୍ସଲବାଦୀଙ୍କ ଆତ୍ମସମର୍ପଣ ଉପରେ ଖୁସି ପ୍ରକାଶ କରି କହିଛନ୍ତି ଯେ ଆଜି କେବଳ ଛତିଶଗଡ଼ ପାଇଁ ନୁହେଁ ବରଂ ସମଗ୍ର ଦେଶ ପାଇଁ ଏକ ଐତିହାସିକ ଦିନ। ଆଜି, ଆମ ସମ୍ବିଧାନରେ ବିଶ୍ୱାସ କରୁଥିବା ବହୁ ସଂଖ୍ୟକ ନକ୍ସଲବାଦୀ ବିକାଶର ମୁଖ୍ୟସ୍ରୋତରେ ସାମିଲ ହେଉଛନ୍ତି। ସେମାନଙ୍କୁ ସ୍ୱାଗତ କରାଯାଉଛି।

ସୁରେନ୍ଦ୍ର ନାଥ ଦାଶ ଆଉ ଆମ ଗହଣରେ ନାହାନ୍ତି

ସୁରେନ୍ଦ୍ର ନାଥ ଦାଶ ଆଉ ଆମ ଗହଣରେ ନାହାନ୍ତି

ବିଶ୍ବାସ କରି ହେଉନାହିଁ ଯେ ଓଡିଆ ଭାଷା ସାହିତ୍ୟର ପ୍ରତିବଦ୍ଧତା ଧର୍ମୀ, ବଦ୍ଧାନୁସୟୀ ଗବେଷକ, ବିଶେଷ କରି ପ୍ରଭୁ ଜଗନ୍ନାଥ ସଂସ୍କୃତି ଗବେଷକ , ମହାନ୍ ସାରସ୍ବତ ସାଧକ ପ୍ରାଚାର୍ଯ୍ୟ କଳା ଭୂଷଣ ସୁରେନ୍ଦ୍ର ନାଥ ଦାଶ ଆଉ ଆମ ଗହଣରେ ନାହାନ୍ତି ବୋଲି । ୭୭ ବର୍ଷ ବୟସରେ ଦିଲ୍ଲୀରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାରପ୍ରସାର ଓ ଗବେଷଣାରେ ମନୋନିବେଶ କରି ସେ ବହୁ ବିରଳ ତଥା ପୁରାତନ ପୁସ୍ତକ ଓ ପୋଥିକୁ ସଂଗ୍ରହ କରିଥିଲେ। ତଥ୍ୟ ସମ୍ବଳିତ ଏକାଧିକ ଗବେଷଣାଧର୍ମୀ ଆଧ୍ୟାତ୍ମିକ ଓ ପୌରାଣିକ ପୁସ୍ତକ ରଚନା କରି ସେ ଆତ୍ମସନ୍ତୋଷ ଲାଭ କରନ୍ତି ବୋଲି ଆମକୁ ଅନେକ ବାର କହିଥିଲେ । ବରେଣ୍ୟ ଡଃ ଦାଶ ଏକ ଧାରାରେ ଜଣେ ଶିକ୍ଷାବିତ୍‌, ଭାଷ୍ୟକାର, ଲେଖକ ଓ ବାଗ୍ମୀ ଥିଲେ।

ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ କୁହୁଡ଼ି ଅଞ୍ଚଳର ରତନପୁର ବ୍ରାହ୍ମଣ ଶାସନରେ ତାଙ୍କର ଜନ୍ମ ଜାନୁଆରୀ ୧୧ ତାରିଖ,୧୯୪୯ ମସିହାରେ । ପିତା ଉଦ୍ୟନାଥ ଦାଶ, ମା’ ବାୟାଣୀ ଦେବୀଙ୍କ କୋଳରେ ଜନ୍ମିତ ଦାଶ କ୍ଷେତ୍ରବାସୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ,କୁହୁଡ଼ିରେ ପ୍ରାଥମିକ ପାଠପଢ଼ା ସାରିପରେ ଜନତା ଜନତା ଉଚ୍ଚବିଦ୍ୟାଳୟରୁ ୧୯୬୬ରେ ଏକାଦଶ ପାସ୍‌ କରି ଗୋଦାବରୀଶ ମହାବିଦ୍ୟାଳୟରେ ପିଉ ବା ପ୍ରି-ୟୁନିଭର୍ସିଟି, ରେଭେନ୍‌ସାରେ ସ୍ନାତକ ବା
ଗ୍ରାଜୁଏଶନ୍‌ ଓ ବାଣୀବିହାରରେ ଓଡ଼ିଆରେ ସ୍ନାତକୋତ୍ତର କରିଥିଲେ। ତା’ପରେ ୧୯୭୩ ମସିହାରେ କେନ୍ଦୁଝର ମହାବିଦ୍ୟାଳୟରେ ପ୍ରାୟ ଦୁଇ ବର୍ଷ ଅସ୍ଥାୟୀ ବା
ଆଡହକ୍‌ରେ ଓଡ଼ିଆ ଅଧ୍ୟାପକ ଭାବେ ଚାକିରି କରିଥିଲେ। ତତ୍ ପରେ ଓଡ଼ିଶା ସୂଚନା ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସରକାରୀ ଲୋକସମ୍ପର୍କ ଅଧିକାରୀ ଭାବେ ସୁନ୍ଦରଗଡ଼ରେ ସାତ ମାସ ଓ ସମ୍ବଲପୁରରେ ଆଠ ମାସ କାମ କରିଥିଲେ। ମାତ୍ର ଅଧ୍ୟାପନା ପ୍ରତି ମନରେ ଅଧିକ ଆଗ୍ରହ ହେବାରୁ ଓଡ଼ିଶା ଏଜୁକେଶନ ସର୍ଭିସ୍‌ ଏକ୍‌ଜାମ୍‌ ଦେଇ କୃତକାର୍ଯ୍ୟ ହୋଇଥିଲେ। ଆଉ ୧୯୭୮ରେ ପାରଳାଖେମୁ୍‌ଣ୍ଡିସ୍ଥିତ ଏସ୍‌.କେ.ସି.ଜି. କଲେଜରେ ଓଡ଼ିଆ ଅଧ୍ୟାପକ ଭାବେ ଯୋଗଦେଲେ।

ପ୍ରାୟ ସାତ ବର୍ଷ କାମ କରିବା ଭିତରେ ଦୁଇବର୍ଷ ଛୁଟିରେ ରହି ଉତ୍କଳ ବିଶ୍ୱବିଦ୍ୟାଳୟରେ ଗବେଷଣା ବା ପିଏଚ୍‌.ଡି. କରିଥିଲେ। ପ୍ରଫେସର୍‌ ଡ. ବଂଶୀଧର ମହାନ୍ତିଙ୍କ ତତ୍ତ୍ୱାବଧାନରେ ଓଡ଼ିଆ ଚଉତିଶା ଉପରେ ଗବେଷଣା ସନ୍ଦର୍ଭ ଲେଖି ୧୯୮୪ରେ ଡକ୍ଟରେଟ୍‌ ଡିଗ୍ରୀ ହାସଲ କରିଥିଲେ । ପ୍ରଫେସର୍‌ ଡ. ବଂଶୀଧରଙ୍କ ସଂସ୍ପର୍ଶରେ ଆସି ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଅଧିକ କିଛି ଜାଣିବାପାଇଁ ମନରେ ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା । ଦୁହେଁ ମିଶି ‘ଶ୍ରୀଜଗନ୍ନାଥ’ ନାମରେ ଏକ ପତ୍ରିକା ପ୍ରକାଶ କରିଥିଲେ । ଏହାପରେ ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ନାମରେ ଏକ ଅନୁଷ୍ଠାନ ମଧ୍ୟ ଗଠନ କରିଥିଲେ।
ଯାହାର ସଭାପତି ଥିଲେ ପ୍ରଫେସର୍‌ ଡ. ମହାନ୍ତି ଆଉ ସେ ଥିଲେ ସାଧାରଣ ସମ୍ପାଦକ। ବିଭିନ୍ନ ମହାବିଦ୍ୟାଳୟରେ ଶିକ୍ଷା ଦାନ କରି ୧୯୯୦ରେ ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ପ୍ରାଧ୍ୟାପକ ଭାବେ ଯୋଗଦେଇଥିଲେ ଏବଂ ୧୯୯୯ରେ ପ୍ରଫେସର୍‌ ଭାବେ ପଦୋନ୍ନତି ପାଇଥିଲେ ।

ତାଙ୍କର ତତ୍ତ୍ୱାବଧାନରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଏମ୍‌ଫିଲ୍‌, ୨ ଜଣ ଡି.ଲିଟ୍‌ ଏବଂ ୪୦ରୁ ଊର୍ଦ୍ଧ୍ୱ ଗବେଷକ, ଗବେଷିକା ପିଏଚ୍‌.ଡି. ଡିଗ୍ରୀ ହାସଲ କରିସାରିଲେଣି। ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ସାଂସ୍କୃତିକ ସଂସ୍ଥା ସହିତ ସେ ଜଡ଼ିତ ଥିଲେ। ଏହା ସହ ଓଡ଼ିଆ ସମ୍ମିଳନୀ, ପରିଚୟ ଆଠଗଡ଼, ଡ. ହରେକୃଷ୍ଣ ମହତାବ ସିଲଭର ମେଡ଼ାଲ, ସତ୍ୟ ସନ୍ଧାନ ପୁରୀ, କଳିଙ୍ଗସାହିତ୍ୟ ସମାଜ ବ୍ରହ୍ମପୁର, ଅନ୍ୟାନ୍ୟ ଶ୍ରୀଜଗନ୍ନାଥ -୨୦୧୫, ଭୁବନେଶ୍ୱର ଭଞ୍ଜଭାରତୀ-୨୦୧୬ ଓ ଗାଁ ଲୋକକଳା ଉତ୍ସବ-୨୦୧୯ ରତନପୁର ଆଦି ବହୁ ଅନୁଷ୍ଠାନରୁ ଅନେକ ସମ୍ମାନ ଓ ପୁରସ୍କୃତ ହୋଇଥିଲେ ।

୨୦୦୯ରେ ଚାକିରିରୁ ଅବସର ପରେ ତାଙ୍କୁ ୟୁଜିସି ତରଫରୁ ତିନୋଟି ପ୍ରୋଜେକ୍ଟ ଉପରେ କାମ କରିବାର ଦାୟିତ୍ୱ ମିଳିଥିଲା। ଓଡ଼ିଶାରେ ଶ୍ରୀଜଗନ୍ନାଥ ମନ୍ଦିର, ଭାରତରେ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଶ୍ରୀମନ୍ଦିର ଭିତରେ ଯେଉଁ ପାରମ୍ପରିକ ଶବ୍ଦର ବ୍ୟବହାର କରାଯାଉଛି ତା’ ଉପରେ ଗବେଷଣା କରିବାକୁ ଯାଇ ସେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରାୟ ୧୬୩୧ଟି ଏବଂ ଭାରତର ବିଭିନ୍ନ ସ୍ଥାନରେ ଥିବା ପ୍ରାୟ ୩୭୨୧ଟି ଶ୍ରୀଜଗନ୍ନାଥ ମନ୍ଦିରର କ୍ଷେତ୍ରୀୟ ସର୍ବେକ୍ଷଣ କରି ତା’ର ଇତିହାସ ସଂଗ୍ରହ କରିଥିଲେ ।

ସିଙ୍ଗାପୁର, ମାଲେସିଆ, ଦୁବାଇ, ୟୁନାଇଟେଡ଼ କିଙ୍ଗଡ଼ମ, ନେପାଳ, ଥାଇଲାଣ୍ଡ ଆଦି ବିଦେଶରାଷ୍ଟ୍ରକୁ ବୁଲିଯାଇ ଗବେଷଣା ମଧ୍ୟ କରିଥିଲେ। ଇଂଲିଶ ଭାଷାରେ ‘ମହାପ୍ରଭୁ ଶ୍ରୀଜଗନ୍ନାଥ: ଦି ଲର୍ଡ ଅଫ୍‌ ଦି ୟୁନିଭର୍ସ’ ନାମରେ ଏକ ପୁସ୍ତକ ଦିଲ୍ଲୀ ପ୍ରତିଭା ପ୍ରକାଶନ ସଂସ୍ଥା ଦ୍ୱାରା ପ୍ରକାଶିତ ହୋଇଛି । ସେହିପରି ମନ୍ଦିରରେ ଯେଉଁ ପାରମ୍ପରିକ ଶବ୍ଦର ବ୍ୟବହାର କରାଯାଏ ତା’ ଉପରେ ଗବେଷଣା କରି ‘ଶ୍ରୀମନ୍ଦିର ଶବ୍ଦକୋଷ’ ନାମରେ ତାଙ୍କର ସୃଷ୍ଟି କାଳଜୟୀ ।
ପରବର୍ତ୍ତୀ କାଳରେ ଶ୍ରୀମନ୍ଦିର ସମ୍ପର୍କରେ ବିଭିନ୍ନ ରିପୋର୍ଟ, ବିଭିନ୍ନ କମିଶନଙ୍କ ସୁପାରିସ, ଭକ୍ତ ଓ ସେବାୟତଙ୍କ ଦ୍ୱାରା ଶ୍ରୀମନ୍ଦିରକୁ ଆଧାରିତ କରି ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶନାମାକୁ ନେଇ ଅନ୍ୟ ଏକ ପୁସ୍ତକ ‘ରିପୋଟର୍ସ ଆଣ୍ଡ ନୋଟିସ ଅନ୍‌ ଶ୍ରୀଜଗନ୍ନାଥ ଟେମ୍ପୁଲ ପୁରୀ’ ୨୦୧୮ରେ ପ୍ରକାଶିତ କରିଥିଲେ। ଏମିତିରେ ଟୀକା ଗୋବିନ୍ଦଚନ୍ଦ୍ର, ଶାକ୍ତଧର୍ମ ଓ ଶ୍ରୀଜଗନ୍ନାଥ, ଉଧବ ଚଉତିଶା, ଶିବସହସ୍ରନାମ, ଶ୍ରୀଜଗନ୍ନାଥ ସଂସ୍କୃତି, ଓଡ଼ିଆ ଭାଷାସାହିତ୍ୟ ସଂସ୍କୃତି, କାଞ୍ଚି କାବେରୀ, ପାରମ୍ପରିକ ଧର୍ମ, ପୂର୍ବଭାରତ ଓ ଶ୍ରୀଜଗନ୍ନାଥ ପୁରୁଷୋତ୍ତମ, ଭୁବନେଶ୍ୱରୀ, ଓଡ଼ିଆ ସାହିତ୍ୟ ଯୁଗେଯୁଗେ, ମହାପ୍ରଭୁ ଶ୍ରୀଜଗନ୍ନାଥ, ପୌରାଣିକ ଶବ୍ଦକୋଷ, ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଆଦି ଏକାଧିକ ପୁସ୍ତକ ରଚନା କରି ଯାଇଛନ୍ତି ।କେବଳ ଓଡ଼ିଶା କାହିଁକି ଭାରତ ବାହାରେ ମଧ୍ୟ ଶ୍ରୀଜଗନ୍ନାଥ ଚେତନାର ପ୍ରଚାର ଓ ପ୍ରସାର କାର୍ଯ୍ୟରେ ଯୋଗଦେଇ ସେ ଆନନ୍ଦ ପାଉଥିଲେ ।
ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।

SI ପରୀକ୍ଷା କେଳେଙ୍କାରୀରେ ବଡ଼ ଖୁଲାସା

SI ପରୀକ୍ଷା କେଳେଙ୍କାରୀରେ ବଡ଼ ଖୁଲାସା

ପୋଲିସ SI ପରୀକ୍ଷା ଦୁର୍ନୀତି ଚେର ଲମ୍ବିଛି । କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ବଡ଼ ଖୁଲାସା କରି କହିଛନ୍ତି, ଘଟଣାରେ ମୋଷ୍ଟ ୱାଣ୍ଟେଡ ଦଲାଲ ମୁନା ମହାନ୍ତି ଓ ଜଣେ ମହିଳା ସମେତ ୩ ଗିରଫ ହୋଇଛନ୍ତି। ସୁକାନ୍ତ ମହାରଣା, ସୌମ୍ୟା ପିୟଦର୍ଶିନୀ ଓ ଅଭିମନ୍ୟୁ ଦୋରାଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ଆଉ କିଛି ଲୋକ ସଂପୃକ୍ତ ଅଛନ୍ତି । ସେମାନଙ୍କୁ ଆମେ ଗିରଫ କରିବୁ । ଏହି ମାମଲାରେ ଗିରଫ ହୋଇଥିବା ସୌମ୍ୟା ପ୍ରିୟଦର୍ଶିନୀ ପରୀକ୍ଷାର୍ଥୀ ଯୋଗାଡ଼ କରୁଥିଲେ। ଦିଲ୍ଲୀରେ ରହି ସବୁ ପରିଚାଳନା କରୁଥିଲେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି। ପ୍ରଥମେ ମୁନା ମହାନ୍ତିଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରାଯିବ। କାହା ପାଖରେ କିଛି ସୂଚନା ଥିଲେ ଜଣାଇବାକୁ କ୍ରାଇମବ୍ରାଞ୍ଚ ଡିଜି ଅପିଲ କରିଛନ୍ତି। ଶଙ୍କର ପୃଷ୍ଟିକୁ ଶୀଘ୍ର ଗିରଫ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି।

ଏସଆଇ ପରୀକ୍ଷା ସ୍କାମକୁ ନେଇ ତନାଘନା ଚଲାଇଥିବା କ୍ରାଇମବ୍ରାଞ୍ଚ ମୋଷ୍ଟ ଓ୍ଵାଣ୍ଟେଡ ମୁନା ମହାନ୍ତିକୁ ଗିରଫ କରିବା ପରେ ଏବେ ଅନ୍ୟମାନେ ଗିରଫ ହେବେ ବୋଲି କ୍ରାଇମ ବ୍ରାଞ୍ଚ ସ୍ପଷ୍ଟ କରିଛି । ମୁନାଙ୍କୁ ଦଶପଲ୍ଲା କୁଜାମେଣ୍ଡିରୁ ଉଠାଇ ଆଣିଲା କ୍ରାଇମବ୍ରାଞ୍ଚ। ଫାର୍ମ  ହାଉସରେ ଲୁଚିଥିବା ବେଳେ ଧରା ପଡ଼ିଲା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି। ଫାର୍ମ ହାଉସ ମାଲିକଙ୍କୁ ମଧ୍ୟ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢଉ ଜାରି ରହିଛି।

ପୋଲିସର ସଚେତନତା ପାଇଁ ଏସଆଇ ପରୀକ୍ଷା ଆଗରୁ ଏତେ ବଡ଼ ଦୁର୍ନୀତି ଖୁଲାସା ହେଲା। ପୂର୍ବରୁ ପରୀକ୍ଷା ତ୍ରୁଟି ଶୂନ୍ୟ ଏବଂ ଦୁର୍ନୀତି ମୁକ୍ତ କରିବା ପାଇଁ ଆମେ ବ୍ୟବସ୍ଥା କରିଥିଲୁ। ଏଥିପାଇଁ ଜିଲ୍ଲା ଏସପି ଓ ପୋଲିସ ଅଧିକାରୀ ମାନଙ୍କୁ ସତର୍କ କରାଯାଇଥିଲା। ଫଳ ସ୍ବରୂପ ଆମେ ପରୀକ୍ଷାରେ ବିଭ୍ରାଟ ହେବା ପୂର୍ବରୁ ଠାବ କରିପାରିଲୁ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି।   

ପୋଲିସ ଏସ. ଆଇ ପରୀକ୍ଷା କେଳେଙ୍କାରୀରେ ସଂପୃକ୍ତ ଅଭିଯୋଗରେ ଗିରଫ  ୧୧୩ ପରୀକ୍ଷାର୍ଥୀ ଜାମିନ ଆବେଦନ କରିଛନ୍ତି। । ମାମଲାରେ ୧୧୪ ପରୀକ୍ଷାର୍ଥୀ ଓ ୫ ଦଲାଲଙ୍କୁ ମିଶାଇ ୧୧୯ ଜଣଙ୍କୁ  ଗିରଫ କରାଯାଇଛି। ଜେ ଏମ ଏଫ ସି ଗ୍ରାମାଞ୍ଚଳ କୋର୍ଟ ଏମାନଙ୍କର ଜାମିନ ନାମଞ୍ଜୁର କରିଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଜିଲ୍ଲା ଦୌରା ଜଜ କୋର୍ଟରେ ୧୧୩ ଜଣ ଆବେଦନ କରିଛନ୍ତି। ପରବର୍ତ୍ତୀ ଶୁଣାଣୀ ଆସନ୍ତା ୨୩ ତାରିଖକୁ ଧାର୍ଯ୍ୟ ହୋଇଛି।

ତେବେ ପୂର୍ବରୁ ଅନେକ ପରୀକ୍ଷାରେ ଏଭଳି ସ୍କାମ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ସେଗୁଡିକର ତଦନ୍ତ କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି ।

‘ପଳାତକ ପ୍ରତ୍ୟର୍ପଣ’ ସମ୍ମିଳନୀରେ ଅମିତ ଶାହଙ୍କ ସମ୍ବୋଧନ

‘ପଳାତକ ପ୍ରତ୍ୟର୍ପଣ’ ସମ୍ମିଳନୀରେ ଅମିତ ଶାହଙ୍କ ସମ୍ବୋଧନ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସି. ବି. ଆଇ.) ଦ୍ୱାରା ଆୟୋଜିତ ‘‘ପଳାତକଙ୍କ ପ୍ରତ୍ୟର୍ପଣ: ଆହ୍ୱାନ ଏବଂ ରଣନୀତି” ଶୀର୍ଷକ ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହ ସଚିବ, ବୈଦେଶିକ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ନିର୍ଦ୍ଦେଶକଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ଦେଶ ବିଶ୍ୱସ୍ତରରେ ଆତ୍ମବିଶ୍ୱାସର ସହ ଆଗକୁ ବଢ଼ୁଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଜାତୀୟ ସୁରକ୍ଷାର ସମସ୍ତ ଦିଗ ସୁନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଇଛି। ସେ କହିଥିଲେ, ଦେଶ ଭିତରେ ଦୁର୍ନୀତି, ଅପରାଧ ଏବଂ ଆତଙ୍କବାଦ ବିରୋଧରେ ଶୂନ୍ୟ-ସହନଶୀଳତା ନୀତି ବଜାୟ ରଖିବା ସହିତ, ଭାରତର ସୀମା ବାହାରେ ଏଭଳି କାର୍ଯ୍ୟକଳାପ କରୁଥିବା ଲୋକଙ୍କ ପ୍ରତି ମଧ୍ୟ ଆମକୁ ଶୂନ୍ୟ-ସହନଶୀଳତା ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିବ। ଏଭଳି ସମସ୍ତ ଅପରାଧୀଙ୍କୁ ଭାରତୀୟ ଆଇନର ପରିସରଭୁକ୍ତ କରିବା ଏବଂ ଏଥିପାଇଁ ଏକ ସୁଦୃଢ଼ ବ୍ୟବସ୍ଥା ସୃଷ୍ଟି କରିବା ଆମର ଦାୟିତ୍ୱ। ଗୃହମନ୍ତ୍ରୀ କହିଛନ୍ତି ଯେ, ଇଣ୍ଟରପୋଲ ଏବଂ ତିନୋଟି ନୂତନ ଅପରାଧିକ ଆଇନ ଅଧୀନରେ ଉପଲବ୍ଧ ବ୍ୟବସ୍ଥା ସହିତ ଏହି ସମ୍ମିଳନୀ ଭାରତୀୟ ଅଦାଲତରେ ଜଣେ ପଳାତକ ଅପରାଧୀଙ୍କ ଉପସ୍ଥିତିକୁ ସକ୍ଷମ କରିବା ପାଇଁ ଏକ ମିଳିତ ପ୍ରୟାସ ଏବଂ ଏହାକୁ ହାସଲ କରିବା ପାଇଁ ଏକ ରୋଡମ୍ୟାପ୍ ମଧ୍ୟ ପ୍ରଦାନ କରିଥାଏ । କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, ପ୍ରାୟ ଦେଢ଼ ବର୍ଷ ପୂର୍ବେ ସେ ଦେଇଥିବା ପରାମର୍ଶ ଅନୁଯାୟୀ କାର୍ଯ୍ୟ କରି ସିବିଆଇ ପଳାତକ ପ୍ରତ୍ୟର୍ପଣର ଧାରଣାକୁ କାର୍ଯ୍ୟକାରୀ କରିଛି ଏବଂ ଏଥିପାଇଁ ସଂଗଠନ ପ୍ରଶଂସା ପାଇବାକୁ ଯୋଗ୍ୟ।

ଶ୍ରୀ ଅମିତ ଶାହ କହିଥିଲେ, ଏହା ଆମର ସାମୂହିକ ସଂକଳ୍ପ ହେବା ଉଚିତ ଯେ ଜଣେ ଅପରାଧୀ ଯେତେ ଚତୁର ହୁଅନ୍ତୁ ନା କାହିଁକି, ନ୍ୟାୟର ପ୍ରସାର ଆହୁରି ଦ୍ରୁତ ହେବା ଆବଶ୍ୟକ। ସେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଶକ୍ତିଶାଳୀ ଭାରତ କେବଳ ସୀମା ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ନୁହେଁ, ବରଂ ଆଇନର ଶାସନକୁ ସୁଦୃଢ଼ କରିବା ଦିଗରେ ମଧ୍ୟ ଆଗକୁ ବଢ଼ୁଛି। ଗୃହମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଦୁଇଦିନିଆ ସମ୍ମିଳନୀ ବିଶ୍ୱସ୍ତରୀୟ ପରିଚାଳନା, ଦୃଢ଼ ସମନ୍ୱୟ ଏବଂ ଚତୁର କୂଟନୀତି ମଧ୍ୟରେ ସମନ୍ୱୟ ସୁନିଶ୍ଚିତ କରିବ। ସେ ଏହା ମଧ୍ୟ କହିଥିଲେ ଯେ ଏହି ସମ୍ମିଳନୀର ବିଷୟବସ୍ତୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରାସଙ୍ଗିକ। ଏହି ସମ୍ମିଳନୀରେ ପ୍ରସ୍ତାବିତ ଆଲୋଚନା ଏବଂ ପଦକ୍ଷେପ ଜାତୀୟ ସୁରକ୍ଷା, ଦେଶର ଆର୍ଥିକ ସମୃଦ୍ଧି ଏବଂ ନୀତିଗତ ଜଟିଳତାକୁ ଦୂର କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ। ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ ଯେ ଏହି ସମ୍ମିଳନୀରେ ସାଇବର ଜ୍ଞାନକୌଶଳ, ଆର୍ଥିକ ଅପରାଧ, ପାଣ୍ଠିର ଉତ୍ସ ଏବଂ ପ୍ରବାହର ସନ୍ଧାନ, ଜଟିଳ ପ୍ରତ୍ୟର୍ପଣ ପ୍ରକ୍ରିୟାକୁ ସରଳ କରିବା, ପଳାତକମାନଙ୍କୁ ଫେରାଇ ଆଣିବା, ସେମାନଙ୍କ ଭୌଗୋଳିକ ଅବସ୍ଥାନର ଏକ ଡାଟାବେସ୍ ପ୍ରସ୍ତୁତ କରିବା ଏବଂ ଆନ୍ତର୍ଜାତୀୟ ପୋଲିସ ସହିତ ସହଯୋଗ ମାଧ୍ୟମରେ ଏହି ବ୍ୟବସ୍ଥାର ଉପଯୋଗ ସମେତ ବିଭିନ୍ନ ବିଷୟ ଉପରେ ସାତଟି ଅଧିବେଶନରେ ଅର୍ଥପୂର୍ଣ୍ଣ ଆଲୋଚନା ହେବ।

କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ଯେ, ପଳାତକ ଅପରାଧୀଙ୍କ ପ୍ରସଙ୍ଗ ଦେଶର ସାର୍ବଭୌମତ୍ୱ, ଆର୍ଥିକ ସ୍ଥିରତା, ଆଇନ ଶୃଙ୍ଖଳା ଏବଂ ଜାତୀୟ ସୁରକ୍ଷା ସହିତ ଜଡ଼ିତ। ଦୀର୍ଘ ସମୟ ପରେ ଏହି ପ୍ରସଙ୍ଗରେ ଏକ ସଂରଚିତ ଆଭିମୁଖ୍ୟ ବିକଶିତ କରାଯାଉଛି। ସେ କହିଥିଲେ ଏପରି ଏକ ବ୍ୟବସ୍ଥା ସୁନିଶ୍ଚିତ କରିବାର ସମୟ ଆସିଛି ଯାହା କଠୋର ଆଭିମୁଖ୍ୟ ଗ୍ରହଣ କରିବ ଏବଂ ପ୍ରତ୍ୟେକ ପଳାତକଙ୍କୁ ସମୟବଦ୍ଧ ଢଙ୍ଗରେ ଭାରତୀୟ ନ୍ୟାୟ ବ୍ୟବସ୍ଥା ଭିତରକୁ ଆଣିବ। ଶ୍ରୀ ଶାହ ଗୁରୁତ୍ୱାରୋପ କରିଥିଲେ ଯେ କୌଣସି ପଳାତକଙ୍କୁ ଧରିବା ପାଇଁ ଦୁଇଟି ଉପାଦାନ ଆଶ୍ୱାସନା ଏବଂ ଇକୋସିଷ୍ଟମ ଆବଶ୍ୟକ। ପଳାତକ ଅପରାଧୀମାନଙ୍କ ମନରେ ଥିବା ଏହି ଆଶ୍ୱସ୍ତିକୁ ଦୂର କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ଯେ ଆଇନ ସେମାନଙ୍କ ନିକଟରେ ପହଞ୍ଚିପାରିବ ନାହିଁ। ଅଧିକନ୍ତୁ, ଆଇନଗତ, ଆର୍ଥିକ ଏବଂ ରାଜନୈତିକ ସମର୍ଥନର ଇକୋସିଷ୍ଟମକୁ ମଧ୍ୟ ଧ୍ୱଂସ କରାଯିବା ଆବଶ୍ୟକ। ବିଦେଶରେ ପଳାତକମାନଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସଂସ୍ଥାଗତ ସମ୍ପର୍କକୁ ମଧ୍ୟ ମୂଳପୋଛ କରାଯିବା ଆବଶ୍ୟକ।

ଜାତୀୟ ଗ୍ରାହକ ହେଲ୍ପଲାଇନ୍‌ : “ଭାରତର ଗ୍ରାହକଙ୍କ ପାଇଁ ସୁରକ୍ଷା କବଚ”

ଜାତୀୟ ଗ୍ରାହକ ହେଲ୍ପଲାଇନ୍‌ : “ଭାରତର ଗ୍ରାହକଙ୍କ ପାଇଁ ସୁରକ୍ଷା କବଚ”

ଗ୍ରାହକମାନେ ବିଭିନ୍ନ ଚ୍ୟାନେଲ ମାଧ୍ୟମରେ ଜାତୀୟ ଗ୍ରାହକ ହେଲ୍ପଲାଇନ୍‌ରେ ସେମାନଙ୍କର ଅଭିଯୋଗ ପଞ୍ଜିକରଣ କରିପାରିବେ। ଗ୍ରାହକମାନେ ଏବେ ଅନେକ ସୁବିଧାଜନକ ଚ୍ୟାନେଲ ମାଧ୍ୟମରେ ସେମାନଙ୍କର ଅଭିଯୋଗ ପଞ୍ଜିକରଣ କରିପାରିବେ। ସେମାନେ ଟୋଲ୍-ଫ୍ରି ନମ୍ବର ୧୮୦୦ ୧୧ ୪୦୦୦ କିମ୍ବା ୧୯୧୫ କୁ କଲ୍ କରି ଏଜେଣ୍ଟଙ୍କ ସହିତ ସିଧାସଳଖ କଥା ହୋଇ ପାରିବେ। ପୋର୍ଟାଲ୍ consumerhelpline.gov.in ରେ ପଞ୍ଜିକରଣ କରି ମଧ୍ୟ ଅଭିଯୋଗ ଦାଖଲ କରାଯାଇପାରିବ। ଏହା ସହିତ, ଗ୍ରାହକମାନେ ୮୮୦୦୦୦୧୯୧୫ କୁ ଏସଏମଏସ୍ ପଠାଇପାରିବେ, ହ୍ବାଟସଆପ୍ ବ୍ୟବହାର କରିପାରିବେ, କିମ୍ବା ଜାତୀୟ ଗ୍ରାହକ ହେଲ୍ପଲାଇନ୍ (ଏନସିଏଚ୍) ମୋବାଇଲ୍ ଆପ୍ ମାଧ୍ୟମରେ ଅଭିଯୋଗ ଦାଖଲ କରିପାରିବେ। ଏହି ସେବା ଉମଙ୍ଗ ଆପ୍ ମାଧ୍ୟମରେ ମଧ୍ୟ ଉପଲବ୍ଧ, ଯାହା ଗ୍ରାହକଙ୍କ ଚିନ୍ତାକୁ ଦକ୍ଷତାର ସହିତ ସମାଧାନ କରିବା ନିଶ୍ଚିତ କରିବା ପାଇଁ ଅନେକ ବିକଳ୍ପ ପ୍ରଦାନ କରେ।

ଏହା ସହିତ, ଏକ ଉତ୍ସର୍ଗୀକୃତ ମତାମତ ବ୍ୟବସ୍ଥା ପ୍ରଚଳନ କରାଯାଇଛି, ଯାହା ଗ୍ରାହକମାନଙ୍କୁ https://consumerhelpline.gov.in/public/feedback ମାଧ୍ୟମରେ ପରାମର୍ଶ ବାଣ୍ଟିବାକୁ ଉତ୍ସାହିତ କରେ। ପ୍ରାପ୍ତ ମତାମତକୁ ବ୍ୟବସ୍ଥିତ ଭାବରେ ସମୀକ୍ଷା ଏବଂ ବିଶ୍ଳେଷଣ କରାଯାଏ, ଯାହା ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ନିରନ୍ତର ଉନ୍ନତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଇନପୁଟ୍ ଭାବରେ କାର୍ଯ୍ୟ କରେ।

ଜାତୀୟ ଗ୍ରାହକ ହେଲ୍ପଲାଇନ୍ ଗ୍ରାହକ ଅଧିକାରକୁ ସୁରକ୍ଷା ଦେବା ଏବଂ ନ୍ୟାୟପୂର୍ଣ୍ଣ ବ୍ୟବସାୟିକ ଅଭ୍ୟାସଗୁଡ଼ିକୁ ସୁନିଶ୍ଚିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ଭାବରେ ନିଜକୁ ପ୍ରତିଷ୍ଠିତ କରିଛି। ସମୟୋଚିତ ଅଭିଯୋଗ ସମାଧାନ ପ୍ରଦାନ କରି, ଗ୍ରାହକ, କମ୍ପାନୀ ଏବଂ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସହଯୋଗକୁ ସହଜ କରି ଏବଂ ଅଧିକ ଦକ୍ଷତା ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି, ଏନସିଏଚ୍ ବ୍ୟକ୍ତିମାନଙ୍କୁ ଲମ୍ବା ଆଇନଗତ ପ୍ରକ୍ରିୟା ବିନା ନ୍ୟାୟ ପାଇବା ପାଇଁ ସଶକ୍ତ କରିଥାଏ। ଏହାର ସକ୍ରିୟ ଆଭିମୁଖ୍ୟ ସ୍ୱଚ୍ଛତାକୁ ସୁଦୃଢ଼ କରେ, ବ୍ୟବସ୍ଥାରେ ବିଶ୍ୱାସ ସୃଷ୍ଟି କରେ ଏବଂ ଦାୟିତ୍ୱର ସଂସ୍କୃତିକୁ ପ୍ରୋତ୍ସାହିତ କରେ। ଏହାକୁ ଭାରତର ଗ୍ରାହକ ସୁରକ୍ଷା ଢାଞ୍ଚାରେ ଏକ ଅପରିହାର୍ଯ୍ୟ ଉପକରଣ କରିଥାଏ।

ଜାତୀୟ ଗ୍ରାହକ ହେଲ୍ପଲାଇନ୍ ସୁବିଧା ୨୦୨୫ ଜୁଲାଇରେ ୭,୨୫୬ଟି ଗ୍ରାହକ ଅଭିଯୋଗର ସମାଧାନ କରି ୨.୭୨ କୋଟି ଟଙ୍କା ଫେରସ୍ତ କରିଛି।

ଇ-କମର୍ସ ୧.୩୪ କୋଟି ଟଙ୍କାର ରିଫଣ୍ଡ ସମ୍ପର୍କିତ ଅଭିଯୋଗ ସମାଧାନରେ ଶୀର୍ଷରେ ଅଛି।

ଜାତୀୟ ଗ୍ରାହକ ହେଲ୍ପଲାଇନ୍ ୩,୯୮୧ଟି ଜିଏସଟି ସଂସ୍କାର ୨୦୨୫ ସମ୍ବନ୍ଧିତ କଲ୍ ଗ୍ରହଣ କରିଛି; ଏଥିରେ ୩୧ ପ୍ରତିଶତ ଓ ପ୍ରଶ୍ନ ଏବଂ ୬୯ ପ୍ରତିଶତ ଅଭିଯୋଗ ରହିଛି। 

କଲ୍ ପରିମାଣ ଦଶ ଗୁଣରୁ ଅଧିକ ବୃଦ୍ଧି ପାଇଛି, ୨୦୧୫ ଡିସେମ୍ବରରେ ୧୨,୫୫୩ରୁ ୨୦୨୫ ଡିସେମ୍ବରରେ ଏହା ୧,୫୫,୧୩୮କୁ ବୃଦ୍ଧି ପାଇଛି।

ମାସିକ ଅଭିଯୋଗ ପଞ୍ଜୀକରଣର ହାରାହାରି ସଂଖ୍ୟା ୨୦୧୭ରେ ୩୭,୦୬୨ରୁ ୨୦୨୫ରେ ୧,୭୦,୫୮୫କୁ ବୃଦ୍ଧି ପାଇଛି।

୧୬.୧୦.୨୦୨୫ : ଜାତୀୟ ଗ୍ରାହକ ହେଲ୍ପଲାଇନ୍‌ ହେଉଛି ଗ୍ରାହକ ବ୍ୟାପାର ବିଭାଗର ଏକ ପ୍ରମୁଖ ପଦକ୍ଷେପ ଯାହା ଗ୍ରାହକମାନଙ୍କୁ ମାର୍ଗଦର୍ଶନ କରିବା ସହିତ ଅଭିଯୋଗ ସମାଧାନ କରେ ଏବଂ ସେମାନଙ୍କ ଅଧିକାର ବିଷୟରେ ସଚେତନତା ସୃଷ୍ଟି କରିଥାଏ। ଏହା ପୋର୍ଟାଲ୍‌ consumerhelpline.gov.in ମାଧ୍ୟମରେ କାର୍ଯ୍ୟ କରେ। ଏହି ପ୍ଲାଟଫର୍ମ ଗ୍ରାହକ, ସରକାରୀ ସଂସ୍ଥା, ନିୟାମକ, ଲୋକପାଳ, କମ୍ପାନୀ ଏବଂ କଲ୍ ସେଣ୍ଟରଗୁଡ଼ିକୁ ଏକ ସିଷ୍ଟମରେ ଏକତ୍ରିତ କରେ।

ଏହି ବ୍ୟବସ୍ଥା ମାଧ୍ୟମରେ, ଗ୍ରାହକମାନେ ଅନଲାଇନରେ ଅଭିଯୋଗ ପଞ୍ଜୀକରଣ କରିପାରିବେ ଏବଂ ମାମଲା-ପୂର୍ବ ପର୍ଯ୍ୟାୟରେ ସମାଧାନ ଖୋଜିପାରିବେ। ଯଦି ସେମାନେ ଅସନ୍ତୁଷ୍ଟ ରୁହନ୍ତି, ତେବେ ସେମାନଙ୍କ ପାଖରେ ଗ୍ରାହକ କମିଶନଙ୍କ ପାଖକୁ ଯିବାର ବିକଳ୍ପ ରହିଛି। ଏହି ପୋର୍ଟାଲ୍‌ ନାଗରିକମାନଙ୍କୁ ସେମାନଙ୍କର ଅଧିକାର ସୁରକ୍ଷା ସହିତ ସେମାନଙ୍କର ଦାୟିତ୍ୱ ବିଷୟରେ ସୂଚନା ଦେବା ପାଇଁ ଏକ ଜ୍ଞାନ ପ୍ଲାଟଫର୍ମ ଭାବରେ ମଧ୍ୟ କାର୍ଯ୍ୟ କରେ।

ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ହେଲ୍ପଲାଇନ୍‌ର ପହଞ୍ଚ ଏବଂ ଦକ୍ଷତାକୁ ଯଥେଷ୍ଟ ବୃଦ୍ଧି କରାଯାଇଛି। କଲ୍ ପରିମାଣ ଦଶ ଗୁଣରୁ ଅଧିକ ବୃଦ୍ଧି ପାଇଛି। ୨୦୧୫ ଡିସେମ୍ବରରେ ୧୨,୫୫୩ରୁ ଏହା ୨୦୨୪ ଡିସେମ୍ବରରେ ୧,୫୫,୧୩୮ରେ ପହଞ୍ଚିଛି। ପ୍ଲାଟଫର୍ମ ବର୍ତ୍ତମାନ ପ୍ରତି ମାସରେ ଏକ ଲକ୍ଷରୁ ଅଧିକ ଅଭିଯୋଗ ପାଉଛି ଯାହା ବର୍ଦ୍ଧିତ ଗ୍ରାହକଙ୍କ ବିଶ୍ୱାସକୁ ପ୍ରତିଫଳିତ କରେ। ମାସିକ ଅଭିଯୋଗ ପଞ୍ଜିକରଣର ହାରାହାରି ସଂଖ୍ୟା ୨୦୧୭ରେ ୩୭,୦୬୨ରୁ ବୃଦ୍ଧି ପାଇ ୨୦୨୫ରେ ୧୭୦,୫୮୫ରେ ପହଞ୍ଚିଛି। ଡିଜିଟାଲ ମୋଡ୍ ପ୍ରଚଳନ ସହିତ, ହେଲ୍ପଲାଇନ୍ ରେ ପ୍ରାୟ ୬୫ ପ୍ରତିଶତ ଗ୍ରାହକ ଅଭିଯୋଗ ଅନଲାଇନ୍ ଏବଂ ଡିଜିଟାଲ ଚ୍ୟାନେଲ ମାଧ୍ୟମରେ ପଞ୍ଜୀକୃତ ହୋଇଛି। ହ୍ୱାଟ୍ସଆପ୍ ମାଧ୍ୟମରେ ଅଭିଯୋଗ ପଞ୍ଜୀକରଣ ୨୦୨୩ ମାର୍ଚ୍ଚରେ ୩ ପ୍ରତିଶତରୁ ୨୦୨୫ ମାର୍ଚ୍ଚରେ ୨୦ ପ୍ରତିଶତରେ ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖାଇଛି।

ଏହା ବ୍ୟତୀତ, ଜୁଲାଇ ୨୦୨୫ ରେ, ଜାତୀୟ ଗ୍ରାହକ ହେଲ୍ପଲାଇନ୍ ସଫଳତାର ସହ ୨୭ଟି ବିଭିନ୍ନ କ୍ଷେତ୍ରରେ ୭,୨୫୬ ଟି ଗ୍ରାହକ ଅଭିଯୋଗର ସମାଧାନ କରି ୨.୭୨ କୋଟି ଟଙ୍କା ରିଫଣ୍ଡ ପ୍ରଦାନ କରିଥିଲା, ଯେତେବେଳେକି ଏପ୍ରିଲ ୨୦୨୫ ରେ ୧,୦୭୯ ଟି ଗ୍ରାହକ ଅଭିଯୋଗର ସମାଧାନ ସହିତ ୬୨ ଲକ୍ଷ ଟଙ୍କା ରିଫଣ୍ଡ ହୋଇଥିଲା। ଜୁଲାଇ ୨୦୨୫ ରେ ଇ-କମର୍ସ କ୍ଷେତ୍ରରେ ସର୍ବାଧିକ ରିଫଣ୍ଡ ସମ୍ବନ୍ଧୀୟ ଅଭିଯୋଗ ଆସିଥିଲା, ୩,୫୯୪ ଟି ମାମଲା ସହିତ ୧.୩୪କୋଟି ଟଙ୍କା ରିଫଣ୍ଡ ହୋଇଥିଲା। ଏହା ପରେ ଯାତ୍ରା ଏବଂ ପର୍ଯ୍ୟଟନ କ୍ଷେତ୍ର ଆସିଥିଲା, ଏବଂ ୩୧ ଲକ୍ଷ ଟଙ୍କା ଫେରସ୍ତ କରାଯାଇଥିଲା।

କନଭର୍ଜେନ୍ସ ପଦକ୍ଷେପ ଅଧୀନରେ, କମ୍ପାନୀଗୁଡ଼ିକ ସ୍ୱେଚ୍ଛାକୃତ ଏବଂ ମାଗଣାରେ ଜାତୀୟ ଗ୍ରାହକ ହେଲ୍ପଲାଇନ୍ ସହିତ ସହଭାଗୀତା କରନ୍ତି ଯାହା ଦ୍ୱାରା ଗ୍ରାହକଙ୍କ ଅଭିଯୋଗର ଶୀଘ୍ର ଏବଂ ସୌହାର୍ଦ୍ଦପୂର୍ଣ୍ଣ ସମାଧାନ ନିଶ୍ଚିତ ହୁଏ। ଅଭିଯୋଗଗୁଡ଼ିକୁ ପ୍ରକୃତ ସମୟରେ ପଠାଯାଏ ଏବଂ କମ୍ପାନୀଗୁଡ଼ିକ ୩୦ ଦିନ ମଧ୍ୟରେ ଉତ୍ତର ଦେବାର ଆଶା କରାଯାଏ।