ମହାରାଷ୍ଟ୍ରରେ ୨୫୮ ନକ୍ସଲଙ୍କ ଆତ୍ମସମର୍ପଣ 

ମହାରାଷ୍ଟ୍ରରେ ୨୫୮ ନକ୍ସଲଙ୍କ ଆତ୍ମସମର୍ପଣ 

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ, ଗତ ଦୁଇ ଦିନ ମଧ୍ୟରେ ଛତିଶଗଡ଼ ଏବଂ ମହାରାଷ୍ଟ୍ରରେ ୨୫୮ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି, ଯାହା ନକ୍ସଲବାଦ ବିରୋଧରେ ଆମର ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ସେ କହିଥିଲେ, ଆଜି ଛତିଶଗଡ଼ରେ ୧୭୦ ଜଣ ନକ୍ସଲ ଆତ୍ମସମର୍ପଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ ଗତକାଲି ୨୭ ଜଣ ଛତିଶଗଡ଼ରେ ଏବଂ ୬୧ ଜଣ ମହାରାଷ୍ଟ୍ରରେ ଅସ୍ତ୍ର ସମର୍ପଣ କରିଛନ୍ତି।

ଭାରତର ସମ୍ବିଧାନ ଉପରେ ସେମାନଙ୍କର ବିଶ୍ୱାସକୁ ଦୋହରାଇ ହିଂସା ପରିତ୍ୟାଗ କରିବା ଲାଗି ସେମାନଙ୍କ ନିଷ୍ପତ୍ତିକୁ ଗୃହମନ୍ତ୍ରୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଏହା ଏହି ସତ୍ୟର ପ୍ରମାଣ ଦେଉଛି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ଏହି ବିପଦର ଅବସାନ ପାଇଁ ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ନକ୍ସଲବାଦ ଶେଷ ନିଃଶ୍ୱାସ ପ୍ରଶ୍ୱାସ ନେଉଛି।

ଏକ୍ସରେ ଏକ ପୋଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, “ନକ୍ସଲବାଦ ବିରୋଧରେ ଆମର ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜି ଛତିଶଗଡ଼ରେ ୧୭୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ଗତକାଲି ଛତିଶଗଡେର ୨୭ ଜଣ ଅସ୍ତ୍ରଶସ୍ତ୍ର ସମର୍ପଣ କରିଥିଲେ। ମହାରାଷ୍ଟ୍ରରେ ଗତକାଲି ୬୧ ଜଣ ମୁଖ୍ୟଧାରାକୁ ଫେରିଥିଲେ। ଗତ ଦୁଇ ଦିନ ମଧ୍ୟରେ ମୋଟ ୨୫୮ ଜଣ ବାମପନ୍ଥୀ ଉଗ୍ରବାଦୀ ହିଂସା ଛାଡ଼ିଛନ୍ତି। ଭାରତର ସମ୍ବିଧାନ ଉପରେ ସେମାନଙ୍କର ବିଶ୍ୱାସକୁ ଦୋହରାଇ, ହିଂସାକୁ ପରିତ୍ୟାଗ କରିବାର ସେମାନଙ୍କର ନିଷ୍ପତ୍ତିକୁ ମୁଁ ପ୍ରଶଂସା କରୁଛି। ଏହା ଏହି ସତ୍ୟକୁ ପ୍ରମାଣିତ କରେ ଯେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଏହି ବିପଦର ଅବସାନ ପାଇଁ ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ନକ୍ସଲବାଦ ଶେଷ ନିଃଶ୍ୱାସ ପ୍ରଶ୍ୱାସ ନେଉଛି। ମୋଦୀ ସରକାରଙ୍କ ନୀତି ସ୍ପଷ୍ଟ: ଯେଉଁମାନେ ଆତ୍ମସମର୍ପଣ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସ୍ୱାଗତ, ଏବଂ ଯେଉଁମାନେ ବନ୍ଧୁକ ଚଳାଇବେ ସେମାନେ ଆମ ସେନାର ସମ୍ମୁଖୀନ ହେବେ। ଯେଉଁମାନେ ଏବେବି ନକ୍ସଲବାଦର ପଥରେ ଅଛନ୍ତି, ସେମାନଙ୍କୁ ମୁଁ ପୁଣିଥରେ ନିବେଦନ କରୁଛି ଯେ ସେମାନେ ନିଜର ଅସ୍ତ୍ରଶସ୍ତ୍ର ତ୍ୟାଗକରି ମୁଖ୍ୟଧାରାରେ ସାମିଲ ହୁଅନ୍ତୁ। ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ନକ୍ସଲବାଦକୁ ମୂଳପୋଛ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ।

ଏକ୍ସରେ ଅନ୍ୟ ଏକ ପୋଷ୍ଟରେ ଶ୍ରୀ ଅମିତ ଶାହ କହିଛନ୍ତି, “ଏହା ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଛତିଶଗଡ଼ର ଅବୁଝମାର ଏବଂ ଉତ୍ତର ବସ୍ତର, ଯାହା ଏକଦା ଆତଙ୍କବାଦୀ ବେସ୍ ଥିଲା, ଆଜି ନକ୍ସଲ ଆତଙ୍କବାଦରୁ ମୁକ୍ତ ବୋଲି ଘୋଷଣା କରାଯାଇଛି। ଜାନୁଆରୀ ୨୦୨୪ ଠାରୁ, ଛତିଶଗଡ଼ରେ ଆମ ସରକାର ଗଠନ ହେବା ପରେ, ୨,୧୦୦ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି, ୧,୭୫୮ ଜଣ ଗିରଫ ହୋଇଛନ୍ତି, ଏବଂ ୪୭୭ ଜଣ ନିହତ ହୋଇଛନ୍ତି। ଏହି ସଂଖ୍ୟା ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ନକ୍ସଲବାଦକୁ ଧ୍ୱଂସ କରିବା ପାଇଁ ଆମ ସରକାରଙ୍କ ସଂକଳ୍ପକୁ ପ୍ରତିଫଳିତ କରୁଛି।’’

ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ତାଲିକାରେ ସତୀଶ ଓରଫ ଟି ବାସୁଦେଓ ରାଓ (ସିସିଏମ), ରନିତା (ଏସଜେଡିସିଏମ, ମାଡ ଡିଭିସିର ସଚିବ), ଭାସ୍କର (ଡିଭିସିଏମ, ପିଏଲ ୩୨), ନୀଲା ଓରଫ ନାନ୍ଦେ (ଡିଭିସିଏମ, ଆଇସି ଏବଂ ନେଲନାର ଏସି ସଚିବ), ଦୀପକ ପାଲୋ (ଡିଭିସିଏମ, ଆଇସି ଏବଂ ଇନ୍ଦ୍ରାବତୀ ଏସି ସଚିବ) ଙ୍କ ସମେତ ୧୦ ଜଣ ବରିଷ୍ଠ କାର୍ଯ୍ୟକର୍ତ୍ତା ଅଛନ୍ତି। ଟି. ବାସୁଦେଓ ରାଓ (ସିସିଏମ) ଙ୍କ ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ଥିଲା। ଏସ୍. ଜେଡ୍. ସି. ଏମ୍. ପାହ୍ୟାର ପରିଚାଳକମାନଙ୍କ ଉପରେ ୨୫ ଲକ୍ଷ ଟଙ୍କା, ଡି. ଭି. ସି. ଏମ୍. ମାନଙ୍କ ଉପରେ ୧୦ ରୁ ୧୫ ଲକ୍ଷ ଟଙ୍କା ଏବଂ ଏ. ସି. ଏମ୍. ମାନଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା। ଏ. କେ.-୪୭, ଇନ୍‍ସାସ୍‍., ଏସ୍.ଏଲ୍.ଆର୍., ୩୦୩ ରାଇଫଲ୍ ଇତ୍ୟାଦି ସମେତ ବହୁ ସଂଖ୍ୟକ ସ୍ୱୟଂକ୍ରିୟ ଅସ୍ତ୍ରଶସ୍ତ୍ର ସେମାନଙ୍କ ଦ୍ୱାରା ସମର୍ପଣ କରାଯାଇଛି।

ସ୍ନେହାଙ୍ଗିନୀଙ୍କ ଉପରେ ଭରସା

ସ୍ନେହାଙ୍ଗିନୀଙ୍କ ଉପରେ ଭରସା

ନୂଆପଡ଼ା ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ସ୍ନେହାଙ୍ଗିନୀଙ୍କ ଉପରେ ଦଳ ଭରସା କରିଛି। ସ୍ନେହାଙ୍ଗିନୀ ଛୁରିଆ ଶିକ୍ଷକତାରୁ ରାଜନୀତିକୁ ଆସିଥିଲେ। ୨୦୧୪ରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ। ହସ୍ତତନ୍ତ, ବୟନଶିଳ୍ପ ବିଭାଗ ପାଇଥିଲେ। ସମ୍ବଲପୁର ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକ ହାସଲ କରିଛନ୍ତି। ଆଡଗାଁ ବାଳିକା ବିଦ୍ୟାଳୟରେ ୧୯୯୫ରେ ଶିକ୍ଷକତା ଆରମ୍ଭ କରିଥିଲେ। ୧୯୯୭ରେ ଚାକିରି ଛାଡ଼ି ରାଜନୀତିକୁ ଆସିଲେ। ପ୍ରଥମ ଥର ପଞ୍ଚାୟତ ନିର୍ବାଚନରେ କ୍ୟାରିୟର ଆରମ୍ଭ କଲେ। ତଲମେଣ୍ଡା ପଞ୍ଚାୟତରୁ ସମିତିସଭ୍ୟ ଭାବେ ଜିତିଲେ। ଜିତିବା ପରେ ଭେଡେନ୍‌ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ସ୍ନେହାଙ୍ଗିନୀ ଛୁରିଆ ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀରୁ ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ। ୨୦୨୪ ନିର୍ବାଚନରେ ୭୦,୫୭୭ ଭୋଟ୍‌ ପାଇଥିଲେ। ସେ ୨୮,୯୧୦ ଭୋଟ୍‌ରେ ପରାସ୍ତ ହୋଇଥିଲେ। କଂଗ୍ରେସ ପ୍ରାର୍ଥୀ ନିହାର ମହାନନ୍ଦଙ୍କ ଠାରୁ ହାରିଥିଲେ। ଏସବୁ କାରଣରୁ ବିଜେପି ଜଣେ ମହିଳାଙ୍କ ଉପରେ ଭରସା କରିଛି । ସ୍ନେହାଙ୍ଗିନୀ ବିଜେପିର ଜୟ ଢ଼ୋଲକିଆଙ୍କୁ ଟକ୍କର ଦେଇପାରିବେ ବୋଲି ବିଜେଡି ଆଶା ରଖିଛି ।

ନୂଆପଡ଼ା ଉପନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ କିଏ ଜିତିବ ତାକୁ ନେଇ ତତ୍ପରତା ଦେଖାଯାଇଛି। ଆସନ୍ତା ନଭେମ୍ବର ୧୧ ତାରିଖରେ ଏଠାରେ ମତଦାନ ଗ୍ରହଣ କରାଯିବାକୁ ଥିବା ବେଳେ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି। ଏହାରି ମଧ୍ୟରେ ଆଜି କଂଗ୍ରେସର ପ୍ରାର୍ଥୀ ଘାସିରାମ ମାଝୀ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଆସନ୍ତାକାଲି ବିଜେପିର ପ୍ରାର୍ଥୀ ଜୟ ଢୋଲକିଆ ପ୍ରାର୍ଥିପତ୍ର ଦାଖଲ କରିବେ। ଏହାରି ମଧ୍ୟରେ ବିଜୁ ଜନତା ଦଳର ପ୍ରାର୍ଥି କିଏ ‌ହେବେ ସେନେଇ ଘୋଷଣା ଜୋରଦାର ଚର୍ଚ୍ଚା ଚାଲିଥିଲା।

ସୂଚନାଯୋଗ୍ୟ, ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ‌ଘୋଷଣା ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ନବୀନ ନିବାସ ନିବାସରେ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି। ଏଥି ପାଇଁ ଦଳର ବରିଷ୍ଠ ନେତାଙ୍କୁ ଡାକିଥିଲେ। ନବୀନଙ୍କ ଡାକରା କ୍ରମେ ମନୋଜ ମିଶ୍ର ଆସିଥିଲେ, ଯିଏକି ନୂଆପଡ଼ା ନିର୍ବାଚନ ପାଇଁ ବିଜେଡି ଲୋକାଲ ଆକ୍ସନ କମିଟି ସଦସ୍ୟ ଥିଲେ।

ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନକୁ ଅନୁମୋଦନ

ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନକୁ ଅନୁମୋଦନ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଅହମ୍ମଦାବାଦରେ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଆୟୋଜନ ପାଇଁ ଭାରତର ପ୍ରୟାସକୁ ରାଜ୍ୟଗୋଷ୍ଠୀ ସଂଘର ମଞ୍ଜୁରୀ ମିଳିବା ନେଇ ଖୁସି ବ୍ୟକ୍ତ କରିଛନ୍ତି। 

ଏକ୍ସ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଶ୍ରୀ ଶାହ କହିଛନ୍ତି, “ଭାରତ ପାଇଁ ଏହା ଏକ ଅପାର ଆନନ୍ଦ ଏବଂ ଗର୍ବର ଦିନ। ଅହମ୍ମଦାବାଦରେ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୩୦ ଆୟୋଜନ ପାଇଁ ଭାରତର ପ୍ରୟାସକୁ ରାଜ୍ୟଗୋଷ୍ଠୀ କ୍ରୀଡା ସଂଘ ଅନୁମୋଦନ କରିଥିବାରୁ ଭାରତର ପ୍ରତ୍ୟେକ ନାଗରିକଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଭାରତକୁ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ସ୍ଥାନିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିରନ୍ତର ପ୍ରୟାସର ଏହା ଏକ ବିଶାଳ ସମର୍ଥନ। ବିଶ୍ୱସ୍ତରୀୟ ଭିତ୍ତିଭୂମି ସୃଷ୍ଟି କରିବା ଏବଂ ଦେଶବ୍ୟାପୀ କ୍ରୀଡ଼ା ପ୍ରତିଭାର ଭଣ୍ଡାର ସୃଷ୍ଟି କରିବା, ମୋଦିଜୀ ଭାରତକୁ ଏକ ଚମତ୍କାର କ୍ରୀଡ଼ା ଗନ୍ତବ୍ୟସ୍ଥଳରେ ପରିଣତ କରିଛନ୍ତି ।’’

ଭୁବନେଶ୍ୱରରେ ଆଇସିଏଆର-ସିଆଇଡବ୍ଲୁଏ ଦ୍ୱାରା ରାଷ୍ଟ୍ରୀୟ ମହିଳା କିଷାନ ଦିବସ ପାଳିତ

ଭୁବନେଶ୍ୱରରେ ଆଇସିଏଆର-ସିଆଇଡବ୍ଲୁଏ ଦ୍ୱାରା ରାଷ୍ଟ୍ରୀୟ ମହିଳା କିଷାନ ଦିବସ ପାଳିତ

ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ଭୁବନେଶ୍ୱର ଦ୍ୱାରା, ଆଜି “ସମୃଦ୍ଧ ରାଷ୍ଟ୍ର ପାଇଁ ମହିଳା କୃଷକଙ୍କୁ ସଶକ୍ତ କରିବା” ବିଷୟବସ୍ତୁ ସହିତ ରାଷ୍ଟ୍ରୀୟ ମହିଳା କିଷାନ ଦିବସ ପାଳିତ ହୋଇଛି।

ଏହି ଅବସରରେ ମାନ୍ୟବର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଆଭାସୀ ମାଧ୍ୟମରେ ସମାବେଶକୁ ସମ୍ବୋଧିତ କରି, ଭାରତର ଖାଦ୍ୟ ଓ ପୁଷ୍ଟିକର ସୁରକ୍ଷା ସୁନିଶ୍ଚିତ କରିବାରେ ମହିଳା କୃଷକଙ୍କ ଭୂମିକାକୁ ଉଚ୍ଚ ସ୍ଥାନରେ ରଖିଥିଲେ। ସେ କହିଥିଲେ, “ମହିଳାମାନେ କେବଳ କୃଷକ ନୁହଁନ୍ତି, ସେମାନେ ଆମ ଦେଶର ଆତ୍ମନିର୍ଭର କୃଷିର ଆଦର୍ଶ।”

ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡକ୍ଟର ମୃଦୁଳା ଦେବୀ ସମାରୋହରେ ସମ୍ମାନିତ ଅତିଥି ଏବଂ ଅଂଶଗ୍ରହଣକାରୀଙ୍କୁ ସ୍ବାଗତ କରି, ଆଇସିଏଆର-ସିଆଇଡବ୍ଲୁଏର ଲିଙ୍ଗ ସମାବେଶୀ ପ୍ରଯୁକ୍ତିବିଦ୍ୟା, ଜୀବିକା ମଡେଲ ବିକାଶ ଏବଂ ମହିଳା କୃଷକମାନଙ୍କ କ୍ଷମତା ନିର୍ମାଣରେ ଅବଦାନ ଉପରେ ଆଲୋକପାତ କରିଥିଲେ।

ଡକ୍ଟର ରାଜବୀର ସିଂହ, ଉପ-ମହାନିର୍ଦ୍ଦେଶକ (କୃଷି ସମ୍ପ୍ରସାରଣ), ଆଇସିଏଆର, ତାଙ୍କ ଭାଷଣରେ ମହିଳାମାନଙ୍କ ଆର୍ଥିକ ଓ ସାମାଜିକ ସଶକ୍ତିକରଣ ପାଇଁ ବିଜ୍ଞାନ ଆଧାରିତ ପଦକ୍ଷେପର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ସେ କହିଥିଲେ ଯେ, କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ମହିଳାମାନଙ୍କ ସହଭାଗିତା ଦେଶର ଆର୍ଥିକ ସୁସ୍ଥିତିରେ ମୂଳଭୂମିକା ନିଭାଉଛି।

ଏହି କାର୍ଯ୍ୟକ୍ରମରେ ଆଇସିଏଆରର ପୂର୍ବତନ ଅତିରିକ୍ତ ମହାନିର୍ଦ୍ଦେଶକ ଡ଼. ବିମଲେଶ ମାନ ଏବଂ ଭାରତର ‘ମିଲେଟ୍ ରାଣୀ’ ଶ୍ରୀମତୀ ରାଇମତୀ ଘିଉରିଆ ମଧ୍ୟ ଉପସ୍ଥିତ ହୋଇ, ମହିଳା ଚାଷୀଙ୍କ ନବସୃଜନ ଓ ସଫଳତାର ଅନୁଭବ ବାଣ୍ଟିଥିଲେ ।

କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରଗୁଡ଼ିକରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ମହିଳା କୃଷକ କୃତିତ୍ୱ ହାସଲକାରୀଙ୍କୁ ସମ୍ମାନିତ କରାଯାଇଥିଲା। ବୈଜ୍ଞାନିକ ଭିତ୍ତିରେ ଫସଲ ଉତ୍ପାଦନ ଏବଂ ପଶୁପାଳନ ଅଭ୍ୟାସ, ପ୍ରାକୃତିକ କୃଷିର ନୀତି ଏବଂ ଅଭ୍ୟାସ, କୃଷକମାନଙ୍କୁ ଜିଏସଟି ହ୍ରାସ ଲାଭ ଏବଂ କୃଷକଙ୍କ କଲ୍ୟାଣ ପାଇଁ ଯୋଜନା ଭଳି ପ୍ରମୁଖ ବିଷୟଗୁଡ଼ିକ ଉପରେ ଏକ ବୈଜ୍ଞାନିକ-କୃଷକ ପାରସ୍ପରିକ ଆଲୋଚନା ହୋଇଥିଲା।

ସମାରୋହର ଆକର୍ଷଣ ଥିଲା, “କୃଷିରେ ମହିଳା ଶକ୍ତି” ବିଷୟରେ ଆୟୋଜିତ ଏକ ବିଶେଷ ପ୍ରଦର୍ଶନୀ, ଯେଉଁଠି ମହିଳା ନେତୃତ୍ୱାଧୀନ କୃଷି ଉଦ୍ୟୋଗ, ନବସୃଜନଶୀଳ ମହିଳା ଅନୁକୂଳ ଉପକରଣ ଏବଂ ଆଇସିଏଆର-ସିଆଇଡବ୍ଲୁଏ ଦ୍ୱାରା ବିକଶିତ ଲିଙ୍ଗ-ଅନୁକୂଳ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ ହୋଇଥିଲା।

ମ୍ୟାଥ୍ସ ଜିନିୟସ୍ 2025ରେ ସଫଳତା ହାସଲ କଲେ  ଭାରତୀ ବିଦ୍ୟାମନ୍ଦିର ଛାତ୍ର ସାଇ ସମର୍ଥ ସାହୁ

ମ୍ୟାଥ୍ସ ଜିନିୟସ୍ 2025ରେ ସଫଳତା ହାସଲ କଲେ  ଭାରତୀ ବିଦ୍ୟାମନ୍ଦିର ଛାତ୍ର ସାଇ ସମର୍ଥ ସାହୁ

ରାଷ୍ଟ୍ରୀୟ ସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରି ପାଇଲେ 75 ହଜାର ଟଙ୍କା

 

ସପ୍ତମ ଶ୍ରେଣୀ ଛାତ୍ର ସାଇ ସମର୍ଥ ସାହୁ ପାଇଛନ୍ତି ବଡ଼ ସଫଳତା । ମ୍ୟାଥ୍ସ ଜିନିୟସ୍ 2025,  ରାଷ୍ଟ୍ରୀୟ ସ୍ତରରେ ହୋଇଥିବା ପ୍ରତିଯୋଗିତାରେ  ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି । ଏହି ସଫଳତା ହେତୁ,ସମର୍ଥ ଟ୍ରଷ୍ଟ ର 19ତମ ପ୍ରତିଷ୍ଠା ଦିବସରେ ତାଙ୍କୁ ସମ୍ମାନିତ କରାଯାଇଛି।  ମିସାଇଲ୍ ମ୍ୟାନ୍ ଡ. ଏ.ପି.ଜେ. ଅବଦୁଲ କଲାମଜୀଙ୍କ ଜନ୍ମଦିନ ପାଳନ ଅବସରରେ  ସମର୍ଥ ଟ୍ରଷ୍ଟ (Samarth Trust) ଏହାର 19ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଏହି ବିଶେଷ ଦିବସ ଅବସରରେ, ସମର୍ଥ ଟ୍ରଷ୍ଟ, ଭୁବନେଶ୍ୱରସ୍ଥିତ ଭାରତୀ ବିଦ୍ୟା ମନ୍ଦିରରେ ଏକ ଭବ୍ୟ ସମ୍ମାନ ସମାରୋହ ଆୟୋଜନ କରିଥିଲା । ସ୍କୁଲ୍-ସ୍ତରୀୟ ଗଣିତ ପ୍ରତିଯୋଗିତା, ମ୍ୟାଥ୍ସ ଜିନିୟସ୍ 2025 ରେ ଅସାଧାରଣ ପ୍ରଦର୍ଶନ କରିଥିବା 7ମ ଶ୍ରେଣୀର ଛାତ୍ର ସାଇ ସମର୍ଥ ସାହୁଙ୍କୁ ସମ୍ମାନିତ କରାଯାଇଥିଲା ।  ସାଇ ସମର୍ଥ ସାହୁ ସାରା ଦେଶରେ ନିଜ ଶ୍ରେଣୀସ୍ତରରେ ଦ୍ୱିତୀୟ ସ୍ଥାନ (Second National Rank) ହାସଲ କରି ଓଡ଼ିଶାର ଗୌରବ ବୃଦ୍ଧି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛନ୍ତି ।

ସାଇ ସମର୍ଥ ସାହୁ ମ୍ୟାଥ୍ସ ଜିନିୟସ୍ 2025ର ଫାଇନାଲ୍ ରାଉଣ୍ଡରେ ତାଙ୍କର ଅସାଧାରଣ ସଂଖ୍ୟାଗତ କୌଶଳ ପ୍ରଦର୍ଶନ କରିଥିଲେ । ଯାହା ସମସ୍ତଙ୍କୁ ଚକିତ କରିଦେଇଥିଲା । ସେ ମୋଟ୍  96.43%  ମାର୍କ ରଖି ଏହି କୃତୀତ୍ବ ହାସଲ କରିଥିଲେ ।  ଏହି ଉତ୍କୃଷ୍ଟ ସଫଳତା ପାଇଁ, ସାଇ ସମର୍ଥ ସାହୁଙ୍କୁ ସମର୍ଥ ଟ୍ରଷ୍ଟ ଦ୍ୱାରା ₹ 75,001/- ର ନଗଦ ପୁରସ୍କାର ପ୍ରଦାନ କରାଯାଇଥିଲା  ।

ପୁରସ୍କାର ବିତରଣ ସମାରୋହ ଭାରତୀ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ହୋଇଥିଲା । ସମର୍ଥ ଟ୍ରଷ୍ଟର ମହାମନ୍ତ୍ରୀ ମନୀଷ ମଞ୍ଜୁଳ ଏବଂ କୋଷାଧ୍ୟକ୍ଷ ପ୍ରିୟ ରଞ୍ଜନ ଚୌଧୁରୀ ଜୀ, ଗୋଲକ ପ୍ରସାଦ ମହାପାତ୍ର ଜୀ, ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ର ନିର୍ଦ୍ଦେଶକ ଦୀପକ ସୋମାନୀ ଜୀ, ଏକଲ ଅଭିଯାନର ଶଶି ସେଠିଆ ଜୀ, ଏବଂ ବିବେକାନନ୍ଦ କେନ୍ଦ୍ରର ସଚ୍ଚିଦାନନ୍ଦ ପଣ୍ଡା ଜୀଙ୍କ ସମେତ ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନର ପ୍ରତିନିଧିମାନଙ୍କ ଗହଣ ରେ  ଛାତ୍ରଙ୍କୁ ତାଙ୍କର ପିତାମାତାଙ୍କ ଉପସ୍ଥିତିରେ ଚେକ୍ ପ୍ରଦାନ କରାଯାଇଥିଲା ।

ଆଇ ଏମ୍ ସମର୍ଥ ଏଜୁକେସନ୍ ଆପ୍ ପ୍ରତିଷ୍ଠାତା ତଥା ସମର୍ଥ ଟ୍ରଷ୍ଟର ମହାମନ୍ତ୍ରୀ ମନୀଷ ମଞ୍ଜୁଳ ମାଥ୍ସ ଜିନିୟସ୍ ଆରମ୍ଭ କରିବା ପଛର ଦୃଷ୍ଟିକୋଣକୁ ସ୍ପଷ୍ଟ କରି କହିଥିଲେ: “ଶୂନ୍ୟର ଆବିଷ୍କାର ପାଇଁ ଆମ ଭାରତୀୟମାନଙ୍କୁ ଶ୍ରେୟ ଦିଆଯାଏ, ତଥାପି ଅଗ୍ରଣୀ ଗାଣିତିକ ଅନୁଷ୍ଠାନଗୁଡ଼ିକ ଆମ ଦେଶ ବାହାରେ ଅବସ୍ଥିତ। ଆମ ଦେଶକୁ ଗଣିତ କ୍ଷେତ୍ରରେ ଆଗକୁ ନେବା ପାଇଁ, ଦେଶର ପ୍ରତ୍ୟେକ ସ୍କୁଲରେ ଥିବା ପ୍ରତ୍ୟେକ ଛାତ୍ରଙ୍କ ପାଇଁ ଏକ ବିଶ୍ୱସ୍ତରୀୟ ଗାଣିତିକ ମୂଳଦୁଆ ସ୍ଥାପନ କରିବା ଅନିବାର୍ଯ୍ୟ ଅଟେ।”

ସେ ଘୋଷଣା କରିଥିଲେ ଯେ ଆଗାମୀ ନଭେମ୍ବର 2025 ରେ ହେବାକୁ ଥିବା ମାଥ୍ସ ଜିନିୟସ୍ ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ମୋଟ 9 କୋଟି ଟଙ୍କାରୁ ଅଧିକ ମୂଲ୍ୟର 22,000ରୁ ଅଧିକ ପୁରସ୍କାର ଜିତିବାର ସୁଯୋଗ ପାଇବେ । ଏଥିସହ, 2026 ରେ ଗଣିତରେ ଉତ୍କର୍ଷତା ପ୍ରଦର୍ଶନ କରୁଥିବା ଶ୍ରେଷ୍ଠ ସ୍କୁଲକୁ ₹ 79,00,001/- ର ସ୍ୱତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯିବ ।

ସମାରୋହରେ, ଶ୍ରୀ ଗୋଲକ ମହାପାତ୍ର  କହିଥିଲେ ଯେ, ଯଦି ପ୍ରତିଭା ଅଛି ତେବେ ବଡ଼ ଭିତ୍ତିଭୂମି ଆବଶ୍ୟକ ନୁହେଁ, କେବଳ ସାଧନା ଦ୍ୱାରା ମଧ୍ୟ ସଫଳତା ହାସଲ କରାଯାଇପାରିବ । ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ର ନିର୍ଦ୍ଦେଶକ ଦୀପକ ସୋମାନୀ ଜୀ ଛାତ୍ରଛାତ୍ରୀମାନଙ୍କର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟର ସାର୍ବଭୌମିକ ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଭାରତୀ ବିଦ୍ୟା ମନ୍ଦିରର ନିର୍ଦ୍ଦେଶିକା ଶ୍ରୀମତୀ ସଙ୍ଗୀତା ଦାସ  ,  ଭାଵବିହ୍ୱଳ ହୋଇ କହିଥିଲେ ଯେ, ତାଙ୍କ ବିଦ୍ୟାଳୟକୁ ମିଳିଥିବା ଏହି ସମ୍ମାନ କୌଣସି ରାଜକୀୟ ସମ୍ମାନଠାରୁ କମ୍ ନୁହେଁ ।  ପ୍ରିୟ ରଂଜନ ଚୌଧୁରୀ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସଞ୍ଚାଳନ କରିଥିଲେ । ବିଦ୍ୟାଳୟର ସଂପାଦକ ପ୍ରମୋଦ କୁମାର ଦାଶ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ପାଇଁ ମାର୍ଗଦର୍ଶନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ସୋନାଲି ଦାଶ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୁରୁଜୀ, ଗୁରୁମା, ସ୍ଥାନୀୟ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।

ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ଭାରତର ବହୁମୁଖୀ ସଂସ୍ଥାଗତ ଢାଞ୍ଚା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ଭାରତର ବହୁମୁଖୀ ସଂସ୍ଥାଗତ ଢାଞ୍ଚା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ବିପର୍ଯ୍ୟୟ ବିପଦ ହ୍ରାସ (ଡିଆରଆର) ଉପରେ ଜି20 ମନ୍ତ୍ରୀସ୍ତରୀୟ ବୈଠକର ପ୍ରଥମ ଦିନରେ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ. ମିଶ୍ର ଦୁଇଟି ଉଚ୍ଚସ୍ତରୀୟ କାର୍ଯ୍ୟକ୍ରମରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ଏହି ଦୁଇଟି କାର୍ଯ୍ୟକ୍ରମ ହେଲା – ‘‘ଏକତା ଏବଂ ଦୃଢ଼ତା: ଆଗୁଆ ଚେତାବନୀ ପ୍ରଣାଳୀ ପାଇଁ ଅନ୍ତର୍ଜାତୀୟ ସହଯୋଗ ଏବଂ ଏକଜୁଟତା ଜରିଆରେ ଡିଆରଆରକୁ ଆଗକୁ ବଢାଇବା’’ ଏବଂ ‘‘ଡିଆରଆର ନିବେଶକୁ ବୃଦ୍ଧି କରିବା ପାଇଁ ବୈଷୟିକ ନବସୃଜନ ଏବଂ ରାଜନୈତିକ ନେତୃତ୍ୱ ମଧ୍ୟରେ ସମ୍ପର୍କ ସ୍ଥାପନ କରିବା।’’

ଏକତା ଏବଂ ଦୃଢ଼ତା ଉପରେ ଆୟୋଜିତ ଅଧିବେଶନରେ ଡକ୍ଟର ମିଶ୍ର କହିଥିଲେ, ଆଗୁଆ ଚେତାବନୀ ବ୍ୟବସ୍ଥା କେବଳ ବୈଷୟିକ ବିଳାସ ନୁହେଁ ଏବଂ ବିପର୍ଯ୍ୟୟ ପ୍ରଶମନକୁ ଦୃଢ଼ କରିବା ପାଇଁ ଏକ ରଣନୀତିକ ନିବେଶ। ସେ ଭାରତର ବହୁମୁଖୀ ସଂସ୍ଥାଗତ ଢାଞ୍ଚା ବିଷୟରେ ଉଲ୍ଲେଖ କରିଥିଲେ। ଏହି ଢାଞ୍ଚା ପାଣିପାଗ, ଜଳବିଜ୍ଞାନ, ଭୂକମ୍ପ ଏବଂ ସମୁଦ୍ର ବିଜ୍ଞାନ ପ୍ରତିଷ୍ଠାନଗୁଡ଼ିକୁ ଏକୀକୃତ କରିଥାଏ। ବର୍ତ୍ତମାନ ସୁଦ୍ଧା ଏହି ବ୍ୟବସ୍ଥା 109 ବିଲିୟନରୁ ଅଧିକ ଚେତାବନୀ ଓ ସତର୍କ ସୂଚନା ଜାରି କରିସାରିଛି। ବିଶ୍ୱସ୍ତରୀୟ ପ୍ରାରମ୍ଭିକ ଚେତାବନୀ ଢାଞ୍ଚା ଅଧୀନରେ ଆନ୍ତଃପରିଚାଳିତ ଆଞ୍ଚଳିକ ପ୍ଲାଟଫର୍ମ, ସହଭାଗୀ ତଥ୍ୟ ପ୍ରୋଟୋକଲ ଏବଂ ମିଳିତ କ୍ଷମତା-ନିର୍ମାଣ ପଦକ୍ଷେପକୁ ସୁଦୃଢ଼ ​​କରିବା ଲାଗି ସେ ଜି20 ଦେଶଗୁଡ଼ିକୁ ଅନୁରୋଧ କରିଥିଲେ। ସେ କହିଥିଲେ, ଭାରତ ପ୍ରାରମ୍ଭିକ ଚେତାବନୀକୁ ଏକ ବିଶ୍ୱବ୍ୟାପୀ ସାର୍ବଜନୀନ ହିତ ଭାବରେ ଦେଖିଥାଏ, ଯାହା ସମାବେଶୀ, ବହୁଭାଷୀ ଏବଂ ପୂର୍ବାନୁମାନ ଉପରେ ଆଧାରିତ।

ଏଥର ପାର୍ଟ ପ୍ଲଟ୍ ପଞ୍ଜୀକରଣ ବେଳେ ଅନୁସରଣ କରିବାକୁ ହେବ ଏସଓପି

ଏଥର ପାର୍ଟ ପ୍ଲଟ୍ ପଞ୍ଜୀକରଣ ବେଳେ ଅନୁସରଣ କରିବାକୁ ହେବ ଏସଓପି

ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ ସିଂହ କହିଛନ୍ତି ଯେ, ଜମି କିଣାବିକା କରିବା ଲୋକଙ୍କ ମୌଳିକ ଅଧିକାର ପାର୍ଟ ପ୍ଲଟ୍ ପଞ୍ଜୀକରଣ । ହେଲେ ଜମି କିଣାବିକା ବେଳେ କିଛି ଜରୁରୀ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଏସେ ଆହୁରି କହିଛନ୍ତି ଯେ, ପାର୍ଟ ପ୍ଲଟ କିଣାବିକା ବେଳେ ଗ୍ରାମାଞ୍ଚଳ ପାଇଁ କୌଣସି କଟକଣା ନାହିଁ। କେବଳ ଜଳାଶୟ କିସମ ଜମିକୁ ଏକାଥରେ ବିକ୍ରି କରିହେବ। ସହରାଞ୍ଚଳରେ ଏବଂ ଡେଭେଳପମେଣ୍ଟ ଏରିଆରେ ଆସୁଥିବା ଅଞ୍ଚଳରେ ପାର୍ଟ ପ୍ଲଟ କିଣାବିକା ପାଇଁ ଦୁଇଟି ଘୋଷଣାନାମା ଦେବାକୁ ପଡିବ । ଚାଷ ଜମି କେବଳ ଚାଷ ପାଇଁ ବ୍ୟବହୃତ ହେବ ଏବଂ ଘରବାଡି କିସମ ଜମିରେ କୌଣସି ରିଏଲ ଇଷ୍ଟେଟ କାରବାର ନକରିବାକୁ ଘୋଷଣାନାମା ଦେବାକୁ ପଡିବ। ପ୍ରଥମ ଥର ପାଇଁ ୫୦୦ବର୍ଗ ମିଟର ପର୍ଯ୍ୟନ୍ତ ଜମି ବିକିଲେ କୌଣସି ଲେ’ ଆଉଟ ଦେବାକୁ ପଡିବ ନାହିଁ। ମୁଖ୍ୟତଃ ଅଧିକାରୀଙ୍କ ପାଇଁ ପାର୍ଟ ପ୍ଲଟ କିଣାବିକାରେ ଥିବା ଦ୍ଵନ୍ଦ ଏହି ଏସଓପି ଜରିଆରେ ଦୂର ହେବ ବୋଲି ରାଜସ୍ବ ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି।ହାକୁ ନଜରରେ ରଖି କିଛି ମାସ ଧରି ବନ୍ଦ ଥିବା ପାର୍ଟ ପ୍ଲଟ ପଞ୍ଜିକରଣ ପାଇଁ ବିଭାଗ ତରଫରୁ ଏସଓପି ଜାରି କରାଯାଇଛି। ପୂର୍ବରୁ ବିଭାଗ ତରଫରୁ ଜାରି ହୋଇଥିବା ବିଜ୍ଞପ୍ତିକୁ ନେଇ କିଛି ପଞ୍ଜିକରଣ ଅଧିକାରୀଙ୍କ ଦ୍ଵନ୍ଦ ଥିଲା। ଏହି ଏସଓପି ସବ ରେଜିଷ୍ଟ୍ରାରମାନଙ୍କ ମଧ୍ୟରେ ଥିବା ଦ୍ଵନ୍ଦ ଦୂର କରିବ ଏବଂ ପାର୍ଟ ପ୍ଲଟ କିଣାବିକା ସହଜ ହେବ ବୋଲି ଆଶା କରାଯାଉଛି।

ଆଲୋ ସଖି

ଆଲୋ ସଖି


-++
ବାକ୍ ସଂଯମତା, ବିଶେଷ କରି ଶାସନ, ପ୍ରଶାସନ ତଥା ସମାଜର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଦାୟିତ୍ଵ ନିର୍ବାହ କରୁଥିବା ବ୍ୟକ୍ତିମାନଙ୍କ ବ୍ୟବହାରରେ ର‌ହିଵା ଏକାନ୍ତ ଆବଶ୍ୟକ । ସେଥିପାଇଁ କୁଳବୃଦ୍ଧ ଭାରତ ଗୌରବ  ମଧୁସୂଦନ କହିଯାଇଛନ୍ତି ” ଆଲୋ ସଖି ! ଆପଣା ମହତ ଆପେ ରଖି ” ।  ବିଶେଷ କରି କ୍ଷମତା ରାଜନୀତିରେ ଦଳୀୟ ସ୍ବାର୍ଥ ଏବଂ ସ୍ଵକୀୟ ସ୍ବାର୍ଥ ପାଇଁ ତଥାକଥିତ ନେତାମାନଙ୍କ ଅନିୟନ୍ତ୍ରିତ ଜିଭରୁ ନିର୍ଗତ ଭୟଙ୍କର ବିଷ ର ପ୍ରଭାବରେ ସ୍ଵାଧୀନୋତ୍ତର ଭାରତର ଆଦ୍ୟ ଅବଧିର ସମ୍ପ୍ରଦାୟିକ ଦଙ୍ଗାର ଲୋମହର୍ଷଣକାରୀ ରକ୍ତାକ୍ତ ଇତିହାସ ଠାରୁ ବିଗତ ୭୮ ବର୍ଷଧରି ଭାରତ ଜନନୀ ଯେଭଳି ଜିଭ ପ୍ରତିଫଳିତ ବିଷଜ୍ୱାଳାରେ ଜର୍ଜରିତା, ତାହାର ଇତିହାସ ଏତେ ବ୍ୟାପକ, ଏତେ ଘୃଣିତ ଯେ ତାହା ପ୍ରକାଶ କରିବା ପାଇଁ ଭାଷା ଅକୁଳାଣ । 

 ସର୍ବୋଚ୍ଚ ନ୍ୟାୟାଳୟ ବିଭିନ୍ନ ପ୍ରସଙ୍ଗ କୁ ନେଇ ଭ୍ରଷ୍ଟ ନେତା ଓ ଦଳୀୟ କର୍ମୀଙ୍କ ଜିଭ ନିଷ୍କୃତ ବିଷ ଜ୍ଜ୍ବାଳାରେ ଦେଶର ବାତାବରଣ କିଭଳି ଭୟଙ୍କର ଭାବରେ ପ୍ରଦୂଷିତ, ଶାସନ କଳର ଉଦାସୀନତା ସମ୍ପର୍କରେ କ୍ଷୋଭ ପ୍ରକାଶ କରି  ତତ୍ କାଳୀନ ମୁଖ୍ୟ ବିଚାରପତି ନ୍ୟାୟ ମୂର୍ତ୍ତି ୟୁୟୁ ଲଳିତ  ଯେଉଁ ଭାଷାରେ ନିନ୍ଦା କରିଥିଲେ , ତାହା  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗତ ତିନି ବର୍ଷ ତଳେ , ଆଜିର ତାରିଖରେ ସାମାଜିକ ଗଣମାଧ୍ୟମ ମୁଖ ପୁସ୍ତକରେ ଆମେ ଉଲ୍ଲେଖ କରିଥିଲୁ ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଟୁଡୁଙ୍କ ବ୍ୟବହାର ନିଶ୍ଚିତ ଭାବରେ ନିନ୍ଦନୀୟ । ଓଡ଼ିଶା ପ୍ରଶାସନିକ ସେବା ସଂଘ ( ଓ ଏ ଏସ୍)ର ପ୍ରତିବାଦ ମଧ୍ୟ ଯଥାର୍ଥ । 

 ବ୍ୟକ୍ତିଗତ ଭାବେ ଆମେ ଏହି ପ୍ରତିବାଦକୁ ସମର୍ଥନ କରିଥିଲୁ । ଅପରପକ୍ଷରେ ଓଡିଶା ପ୍ରଶାସନିକ ସେବା ସଂଘର ସଭାପତି ଙ୍କୁ ମଧ୍ୟ ପ୍ରଶ୍ନ କରିଥିଲୁ । ଯେତେବେଳେ ଓଡ଼ିଶାର ସୀମା ଦଖଲ କରି ଚାଲିଥିବା ପଡୋଶୀ ଆନ୍ଧ୍ର ପ୍ରଦେଶର ଜଣେ ମନ୍ତ୍ରୀ ,  ଅନଧିକାର ଭାବେ ଓଡ଼ିଶା ମାଟିରେ ଅନୁପ୍ରବେଶ କରି ଓଡ଼ିଶାର ମାଟି ଉପରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଅସଭ୍ୟ ଭାଷାରେ କେବଳ ଗାଳିଗୁଲଜ ନୁହେଁ, ବନ୍ଧୁକରେ ଉଡେଇ ଦେବାକୁ ଧମକ ଦେଲେ,  ସେତେବେଳ ଠାରୁ ଆଜି ପର୍ଯ୍ୟନ୍ତ  ଓଡ଼ିଶା ପ୍ରଶାସନିକ ସେବା ସଂଘ କ’ଣ ପଦକ୍ଷେପ ଗ୍ରହଣ କରିଛି ? ଆନ୍ଧ୍ର ମନ୍ତ୍ରୀ ଓଡ଼ିଶାର ପ୍ରଶାସନିକ ଅଧିକାରୀ, ଆରକ୍ଷୀ ବାହିନୀଙ୍କ ଉପସ୍ଥିତିରେ, ସେମାନଙ୍କୁ ମାଧ୍ୟମ କରି ସମଗ୍ର ଓଡ଼ିଶାବାସୀଙ୍କୁ ତାତ୍ସଲ୍ୟ କରିବା ସହିତ ଆହ୍ବାନ ଦେବାର ଦୁଃସାହାସିକ ଆଚରଣ ପ୍ରଦର୍ଶନ କରୁଥିଲେ , ସେତେବେଳେ ଏମାନେ ମଥାପାତି ସହ୍ୟ କରିଥିଲେ । 

 ଏଭଳି ଭୟଙ୍କର ଅପମାନ ସତ୍ତ୍ୱେ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀ କିମ୍ବା  ଓଡ଼ିଶା ସରକାର ଅବା ଓଡ଼ିଶା ପ୍ରଶାସନିକ ସେବା ସଂଘ   ତରଫରୁ ଆନ୍ଧ୍ର ମନ୍ତ୍ରୀ ବିରୋଧରେ ପ୍ରଥମ ଅଭିଯୋଗ ଫର୍ଦ୍ଦ ଦାଖଲ କରାନଯିବାରୁ ଓଡ଼ିଶା ନାଗରିକ ମହାମଞ୍ଚ ତରଫରୁ ଗଜପତି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ଫର୍ଦ୍ଦ ଦାଖଲ ହେବା ସତ୍ତ୍ୱେ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାର କାରଣ କ’ଣ ? ଓଡ଼ିଶାର କୌଣସି ମନ୍ତ୍ରୀ ଯଦି ପଡୋଶୀ ରାଜ୍ୟରେ ଏଭଳି ଅପରାଧ କରିଥାନ୍ତେ , ତେବେ ସେ ରାଜ୍ୟର ସରକାର ନିରବ ରହିଥାନ୍ତେ କି ? ସଂଘ ସଭାପତି ଶ୍ରୀଯୁକ୍ତ ସାମଲ ଏହି ପ୍ରଶ୍ନ ର ଉତ୍ତର ଦେବେ କି ? ବିଗତ ତିନି  ବର୍ଷ ମଧ୍ୟରେ ସଂଘ ସଭାପତି ଉତ୍ତର ଦେବାକୁ ବୋଧେ ଉଚିତ ମଣି ନାହାନ୍ତି ।

ସେହିପରି ଓଡ଼ିଶାର ନବୀନ ପଟ୍ଟନାୟକ ସରକାରର ରାଜସ୍ବ ମନ୍ତ୍ରୀଙ୍କ ସହିତ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ନିଜ ନିଜର ଜିଭ ଉପରେ ସଂଯମତା ରକ୍ଷା ନକରି , ପବିତ୍ର ବିଧାନସଭାରେ ଯେଭଳି ବିଷ ଉଦଗାରିଥିଲେ, ତା’ର  ପ୍ରଭାବରେ ପଡୋଶୀ ଭଗାରି ଓଡ଼ିଶାର ମାଟି ଓ ଅମୂଲ୍ୟ ଖଣିଜ ସଂପଦ ଲୁଟିବାକୁ ଉତ୍ସାହିତ ହୋଇ ଏଭଳି ଚକ୍ରାନ୍ତିଆ ଯୋଜନା କରିଚାଲିଛି ,ଯାହାକୁ ସମ୍ମୁଖୀନ ହେବାକୁ ଲହୁ ଲୁହାଣ ହେବାକୁ ପଡ଼ିଥିଲା, ୨୦୨୩ ଅକ୍ଟୋବର ୧୬ ତାରିଖ ଦିନ ” ଚାଲ ଦେଓମାଳି, ଚାଲ କୋଟିଆ”   ଅଭିଯାନର ସଫଳତା ଆମେ ପାଇଲେ ।କେବଳ କୋଟିଆ ନୁହେଁ, ଓଡ଼ିଶାର ସମସ୍ତ ସୀମାବର୍ତ୍ତୀ ଅଞ୍ଚଳ ଏବେ ପଡୋଶୀ ଭଗାରି ରାଜ୍ୟ ମାନଙ୍କ ଦ୍ବାରା ଅପହୃତ । ସେଥିପାଇଁ ବର୍ତ୍ତମାନର ଆହ୍ବାନ ହୋଇଛି , “ପୂର୍ଣ୍ଣାଙ୍ଗ ଓଡିଶା ଗଠନ” ପାଇଁ ବ୍ୟାପକ ଗଣ ଆନ୍ଦୋଳନ ଗଢ଼ି ତୋଳିବା । ବିଜୟ ବାହୁଡ଼ା ଠାରୁ ମେଦିନୀପୁର ସମେତ ଷଢେ଼ଇକଳା, ଖରସୁଆଁ, ସିଂହଭୂମ, ଚକ୍ରଧରପୁର,ଚାଇଁବସା , ଜଗଦଲପୁର, ବସ୍ତର ଆଦି ଓଡ଼ିଆ ମାନଙ୍କ ଅଞ୍ଚଳକୁ ନେଇ ପୂର୍ଣ୍ଣାଙ୍ଗ ଓଡିଶା ଗଠନ ହିଁ ସମୟର ଆହ୍ବାନ ।

ଦୀର୍ଘବର୍ଷ ହେଲା ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ଲାଗି ରହିଛି। ପଶ୍ଚିମବଙ୍ଗ ବାଲି ମାଫିଆମାନେ ଓଡ଼ିଶା ସୀମାରୁ କୋଟି କୋଟି ଟଙ୍କାର ବାଲି ଚୋରାଚାଲାଣ କରି ମାଲେମାଲ ହେଉଛନ୍ତି। ବେଆଇନ ବାଲି ଉତ୍ତୋଳନ ଯୋଗୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ନଦୀକୂଳ ଗ୍ରାମ ବିଳାସପୁର, ଗୋପାଳପୁର, କୁଆଁରପୁର, ମାକିଡ଼ିଆ, ତୋଟାପଡ଼ା, ବେହେରାସାହି, ପ୍ରହରାଜପୁର, ଦକ୍ଷିଣ ପ୍ରହରାଜପୁର ଓ ମକରମପୁର ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଏନ୍‌ଜିଟିରେ ମାମଲା ଚାଲୁ ରହିଥିଲା ବେଳେ ଉଭୟ ରାଜ୍ୟକୁ କୋର୍ଟ ତାଗିଦ୍‌ କରିବା ସହ ଏହାର ସୀମା ନିର୍ଦ୍ଧାରଣ ଲାଗି ପରାମର୍ଶ ଦେଇଥିଲେ। ବର୍ତ୍ତମାନର ସରକାର ପବିତ୍ର ବିଧାନସଭାରେ ସ୍ବୀକାର କରିଛନ୍ତି ଯେ ଭୟଙ୍କର ସୀମା ବିବାଦରେ ଛନ୍ଦି ହେଉଛି ଓଡ଼ିଶା ।

 ପଡୋଶୀ ୪ ରାଜ୍ୟ ସହିତ ରାଜ୍ୟ ୧୪ଟି ଜିଲ୍ଲାର ଆନ୍ତଃ-ରାଜ୍ୟ ସୀମା ବିବାଦ ଲାଗି ରହିଛି । ଯାହାକୁ ନେଇ ଗୃହରେ ଉତ୍ତର ରଖିଥିଲେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ଯେ, ଆନ୍ଧ୍ର ପ୍ରଦେଶ, ଛତିଶଗଡ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟ ସହ ଓଡ଼ିଶାର ୧୪ଟି ଜିଲ୍ଲାର ଆନ୍ତଃ ରାଜ୍ୟ ସୀମା ସଂଲଗ୍ନ ଅଛି । ଯାହାକୁ ନେଇ ବିବାଦ ଲାଗି ରହିଛି । ତେବେ କୋଟିଆ ଗ୍ରାମପୁଞ୍ଜକୁ ଛାଡିଦେଲେ ଅନ୍ୟ କେଉଁ ସ୍ଥାନରେ ବିବାଦ ସେତେ ବଡ ଧରଣର ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟୋକ୍ତି ରଖିବା ଜଣାଇ ଦେଉଛି ଯେ ସରକାରଙ୍କ ନିକଟରେ
ବାସ୍ତବ ତଥ୍ୟ ନାହିଁ ଅବା ସୀମା ସମ୍ପର୍କରେ ସରକାର ସଚେତନ ନୁହନ୍ତି ।

ଗତ ଅଧିବେଶନରେ ବିଜେଡି ବିଧାୟକ ରମେଶ ବେହେରା ଏନେଇ ଗୃହରେ ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ, ଆନ୍ତଃ ରାଜ୍ୟ ସୀମା ବିବାଦର ସମାଧାନ ଓ ଅନୁପ୍ରବେଶ ରୋକିବାକୁ ସରକାର କି କି ପଦକ୍ଷେପ ନେଉଛନ୍ତି ? ଆଉ କେଉଁ କେଉଁ ସୀମାନ୍ତ ରାଜ୍ୟ ସହ କେତୋଟି ବିବାଦ ରହିଛି? ଏହାର ଉତ୍ତର ଦେଇ ମନ୍ତ୍ରୀ ଏହି ସମ୍ପର୍କରେ ସୂଚନା ଦେଇଥିଲେ । ମନ୍ତ୍ରୀଙ୍କ ସୂଚନା ମୁତାବକ, କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ରପ୍ରଦେଶ ସହିତ ୧୯୬୮ ମସିହାରୁ ସୀମା ବିବାଦ ରହିଛି । ଏନେଇ ଓଡ଼ିଶା ସରକାର ଆନ୍ଧ୍ର ସରାକରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି ।

ତେବେ ଏହି କେଶକୁ ଖାରଜ କରିବା ସହ ଆଲୋଚନା ମାଧ୍ୟମରେ ଏହାର ଫଇସଲା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ବୋଲି ଗୃହରେ ଉତ୍ତର ରଖିଥିଲେ ମନ୍ତ୍ରୀ ।ଅନ୍ୟପଟେ ବିବାଦୀୟ କୋଟିଆ ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ୧୦୮ କୋଟି ୫୩ ଲକ୍ଷ ୧୨ ହଜାର ୩୩୯ ଟଙ୍କା ଖର୍ଚ୍ଚ କରାଯାଇଛି । ପ୍ରତି ଗ୍ରାମକୁ ରାସ୍ତା, ବିଦ୍ୟାଳୟ ଗୃହ, ଆବାସିକ ଶ୍ରେଣୀ ଗୃହ, ଅଙ୍ଗନୱାଡି ଗୃହ, ମିଶନ ଶକ୍ତି ଗୃହ, ୧୦ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବଜାର ପିଣ୍ଡି, ପୋଲିସ ଥାନା ନିର୍ମାଣ କରିବା ସଙ୍ଗେ ସଙ୍ଗେ ବିଦ୍ୟୁତ ସଂଯୋଗ ଓ ମୋବାଇଲ ଟାୱାର ସ୍ଥାପନ ସହ ଲୋକମାନଙ୍କ ପାଇଁ ଜୀବିକାର ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ ।  ସୀମା ସୁରକ୍ଷା ଅଭିଯାନର ଧାରାବାହିକ ଆନ୍ଦୋଳନ ଫଳରେ ଅନ୍ତତଃ ଏତିକି ମାତ୍ର ପଦକ୍ଷେପ ସରକାର ନେଇଛନ୍ତି । ବିଗତ ଦୁଇ ଦଶନ୍ଧି ଧରି ସୁବାର୍ତ୍ତାରେ ବିଭିନ୍ନ ଆଲେଖ୍ୟ ଆଲୋଚନା ଏବଂ ଅଗ୍ରଲେଖରେ ପ୍ରକାଶ ପାଇ ଆସୁଛି ଯେ ଓଡ଼ିଶାର ସୀମା,ଜଳ, ଜମି ଓ ଜଙ୍ଗଲକୁ ଉପଜିବ୍ୟ କରି ପଡୋଶୀ ଆନ୍ଧ୍ର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ସହିତ ବିବାଦ ଲାଗି ରହିବା , ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥି ପ୍ରତି ଗୁରୁତ୍ବ ନଦେବା ଫଳରେ ଯେଉଁ ସ୍ଥିତି ସୃଷ୍ଟି ହୋଇ ଚାଲିଛି , ତାହା ଆଗାମୀ ଦିନରେ ଭୟଙ୍କର ନକରାତ୍ମକ ପ୍ରଭାବ ଏହି ପାଞ୍ଚ ରାଜ୍ୟ ଉପରେ ପଡିବା ଅବଧାରିତ ।

ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବାବେଳେ ୧୯୬୮ ମସିହାରେ ଆନ୍ଧ୍ର ସହିତ ଓଡ଼ିଶାର ସୀମା ବିବାଦ ଘେନି ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇଟି ମାମଲା ରୁଜୁ କରାଯାଇଥିଲା । ପଟ୍ଟାଙ୍ଗୀ ତହସିଲର କୋଟିଆ ସମେତ ୨୧ଟି ଗ୍ରାମପୁଞ୍ଜକୁ ନେଇ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟଟି ଥିଲା ବୋରାମୁଥା ସମେତ ୧୩ଟି ଗ୍ରାମ ପ୍ରସଙ୍ଗ ଆଧାରିତ। ଏହି ମାମଲା ଦୁଇଟିରୁ ବୋରାମୁଥା ମାମଲାରେ ୨୦୧୦ ମସିହାରେ ଓଡ଼ିଶା ସରକାର ହାରିଥିବା ବେଳେ ଅନ୍ୟ ମାମଲାଟିକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ବା ସୁପ୍ରିମକୋର୍ଟ ଖାରଜ କରିଦେଇ ଆପୋଷ ଆଲୋଚନା ମାଧ୍ୟମରେ ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାର ପ୍ରମୁଖ କାରଣ ଓଡ଼ିଶା ସରକାର ମକଦ୍ଦମା କରି ଚୁପ ବସିଗଲେ । ଯାହା ଫଳରେ ଆନ୍ଧ୍ର ଯାହା ଚାହୁଁ ଥିଲା , ତାହା ହେଲା ଏବଂ ସେ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ତାଙ୍କ ଆଦେଶରେ ଉଲ୍ଳେଖ କରିଥିଲେ ମଧ୍ୟ ବାରମ୍ବାର ଆନ୍ଧ୍ର ପକ୍ଷରୁ ତାହାର ଉଲ୍ଲଂଘନ କରାଯାଉଥିବାରୁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିବାର ଇତିମଧ୍ୟରେ ୪ବର୍ଷ ବର୍ଷ ବିତିଗଲାଣି । ଏହାଛଡ଼ା ୨୦୨୩ରେ ବି ଓଡ଼ିଶା ସରକାର ଅନ୍ୟ ଏକ ମୂଳ ମାମଲା ସୁପ୍ରିମକୋର୍ଟରେ ଦାଏର କରିଥିଲେ ,ଯାହା ଏଯାବତ୍‍ ବିଚାରାଧୀନ ରହିଛି ।

ସେହିପରି ଆନ୍ଧ୍ର ପ୍ରଦେଶ ସହିତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଅଞ୍ଚଳର ମାଣିକ ପାଟଣା, ଗଙ୍ଗା ବାଡ଼ ଆଦି ବିସ୍ତୃତ ଅଞ୍ଚଳ ଓ କାଶୀନଗର ତହସିଲ ଅନ୍ତର୍ଗତ କେତେକ ଗ୍ରାମକୁ ନେଇ ଆନ୍ଧ୍ର ପ୍ରାୟୋଜିତ ବିବାଦ ଦୀର୍ଘ ଦିନରୁ ଚାଲିଛି ।ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାର ଆଖିବୁଜା ବନ୍ଧ ନିର୍ମାଣ କରି ଓଡ଼ିଶାରେ ମହାନଦୀର ଜଳପ୍ରବାହକୁ ଏକ ପ୍ରକାର ସଂକୁଚିତ କରିଦେଇଥିବା ଘେନି ପ୍ରାୟ ୧୦ବର୍ଷ ହେବ ଟ୍ରିବ୍ୟୁନାଲ୍‍ରେ ମାମଲା ଗଡୁଛି । ଏହି ମାମଲା ପାଇଁ ଓଡ଼ିଶା ସରକାର ମଧ୍ୟ କୋଟିକୋଟି ଟଙ୍କା ଗରିବ ଲୋକଙ୍କ ରାଜକୋଷରୁ ଖର୍ଚ୍ଚ କଲେଣି ।

କିନ୍ତୁ ସମୟ ଗଡ଼ି ଚାଲୁଥିବା ସହିତ ମହାନଦୀର ତଳମୁଣ୍ଡ ଶୁଖିଲା ପଡୁଛି । ଏହି ସମସ୍ୟାର କେବେ ସମାଧାନ ହେବ ଏବଂ ପୁଣି ମହାନଦୀ ବକ୍ଷରେ ଜଳଧାରା ପ୍ରବାହିତ ହେବ ସେ ସଂକ୍ରାନ୍ତରେ କେହି ନିର୍ଦ୍ଦିଷ୍ଟ ଭାବେ କିଛି କହିପାରୁ ନାହାନ୍ତି । ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ତହସିଲ ଅନ୍ତର୍ଗତ ଝାରଗାଁ ଅଞ୍ଚଳରେ ଓଡ଼ିଶାର କେତେକ ଜମିକୁ ନେଇ ବି ଛତିଶଗଡ଼ ସହ ସୀମା ବିବାଦ ଲାଗି ରହିଛି । ସେହିପରି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଓ ସାରସକଣା ତହସିଲ ଅନ୍ତର୍ଗତ ୮ଟି ରାଜସ୍ୱ ଗ୍ରାମକୁ ନେଇ ପଶ୍ଚିମବଙ୍ଗ ସହିତ ସୀମା ବିବାଦ ଚାଲିଛି । ସେହିପରି ବାଲେଶ୍ୱର ଜିଲ୍ଲାର ଭୋଗରାଇ ତହସିଲ ଅନ୍ତର୍ଗତ ସାହବାଜପୁର ଗାଁ ଏବଂ ସୁବର୍ଣ୍ଣରେଖା ନଦୀ ଶଯ୍ୟା ପ୍ରସଂଗରେ ବି ପଶ୍ଚିମବଙ୍ଗ ସହ ଓଡ଼ିଶାର ସୀମା ବିବାଦ ଲାଗି ରହିଛି ।

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ତହସିଲ ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ଗ୍ରାମ ପୁରୁଷୋତ୍ତମପୁର ଓ ମୟୂରଭଞ୍ଜର ସାରସକଣା ତହସିଲ ଅନ୍ତର୍ଗତ ନୂଆଗାଁ ଓ ନେଡ଼ା ଗ୍ରାମକୁ ନେଇ ପଡ଼ୋଶୀ ଝାଡ଼ଖଣ୍ଡ ସହିତ ଓଡ଼ିଶାର ଆନ୍ତଃରାଜ୍ୟ ସୀମା ବିବାଦ ଗଡ଼ି ଆସୁଛି ।ତେବେ ସୀମାନ୍ତବର୍ତ୍ତୀ ଜିଲ୍ଲା ସୁନ୍ଦରଗଡ଼, ନବରଙ୍ଗପୁର, ଗଞ୍ଜାମ, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ମାଲକାନଗିରି ଓ ରାୟଗଡ଼ା ସହିତ ପଡ଼ୋଶୀ ରାଜ୍ୟମାନଙ୍କର ସୀମା ବିବାଦ ଥିବା ସତ୍ତ୍ବେ ସରକାରଙ୍କ ନିକଟରେ ଖବର ନାହିଁ । ଆମେ ସୀମା ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ଭାବରେ ବାରମ୍ବାର ଓଡ଼ିଶାର ସୀମାନ୍ତ ଅଞ୍ଚଳ ବୁଲି , ସେଠାକାର ବାସିନ୍ଦାଙ୍କ ସହିତ ଆଲୋଚନା କରି , ବାସ୍ତବ ତଥ୍ୟ ସଂଗ୍ରହ କରି ଗତ ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ଶହଶହ ପତ୍ର ମାଧ୍ୟମରେ ଜଣାଇଥିଲେ ମଧ୍ୟ ତାହା ଅଳିଆଗଦାର ପଣ୍ୟ ଅବା ଠୁଙ୍ଗା ଶିଳ୍ପର କଞ୍ଚା ମାଲ ଯେ ହୋଇଛି , ସେଥିରେ ଆମେ ଦୃଢ଼ ନିଶ୍ଚିତ ।

ହଁ , ଏହା ଅତ୍ୟନ୍ତ ଭାରି ହୃଦୟରେ ସ୍ବୀକାର କରୁଛୁ ଯେ ଯେଭଳି ବ୍ୟାପକ ଗଣ ଆନ୍ଦୋଳନ ସୃଷ୍ଟି କରିବା କଥା , ତାହା କରି ପାରିନାହୁଁ । ଏହାର ବହୁବିଧ କାରଣ ମଧ୍ୟରୁ ଆର୍ଥିକ ଅନଟନ ଏକ ପ୍ରମୁଖ କାରଣ । ଏହା ଆମର ଅନୁଭବର କଥା ଯେ ଏଭଳି ଜନସ୍ବାର୍ଥ, ଓଡ଼ିଶାର ସ୍ବାର୍ଥ ଆଧାରିତ ଆନ୍ଦୋଳନକୁ ସ୍ବତଃ କେହି କେବେ ଆର୍ଥିକ ସାହାଯ୍ୟ ସହଯୋଗ କରି ନଥାନ୍ତି । ନବୀନ ପଟ୍ଟନାୟକ ଏହି ସତ୍ୟ ଜାଣିଥିବାରୁ , ଆମେ କିଭଳି ସର୍ବଦା ଆର୍ଥିକ ଅନଟନରେ ରହିବୁ , ତା’ର ସମସ୍ତ ବ୍ୟବସ୍ଥା କରିଥିଲେ , ଯାହାର ଉଦାହରଣ ପ୍ରଚୁର । ସକଳ ପ୍ରତିକୂଳ ପରିସ୍ଥିତିରେ ଓ ସକଳପ୍ରକାର ପ୍ରତିବନ୍ଧକ ସତ୍ତ୍ୱେ ନିଃସଙ୍ଗ ପଦାତିକ ଭାବେ ଅଭିଯାନ ଅବ୍ୟାହତ ରହିଛି ।

ଜୟ ଢୋଲକିଆଙ୍କ ଯୋଗଦାନ ନୂଆପଡ଼ାରେ ବିଜେପି ସଂଗଠନକୁ ଅଧିକ ଶକ୍ତିଶାଳୀ କରିବ : ମନମୋହନ ସାମଲ

ଜୟ ଢୋଲକିଆଙ୍କ ଯୋଗଦାନ ନୂଆପଡ଼ାରେ ବିଜେପି ସଂଗଠନକୁ ଅଧିକ ଶକ୍ତିଶାଳୀ କରିବ : ମନମୋହନ ସାମଲ

ଭୁବନେଶ୍ୱର,ତା.୧୧/୧୦: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢ଼ିଚାଲିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ଗଠନ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ ପୂରଣ କରିବା ପାଇଁ ବିଜେପିରେ ନୂତନ କାର୍ଯ୍ୟକର୍ତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି । ଦିବଂଗତ ନେତା ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ତାଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ବିଧିବିଦ୍ଧ ଭାବେ ସାମଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଉପସ୍ଥିତ ରହି ଢ଼ୋଲକିଆଙ୍କୁ ଦଳୀୟ ଟୋପି ଉତରୀୟ ପିନ୍ଧାଇ ସ୍ୱାଗତ କରିଛନ୍ତି ।


ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଅକାଳ ବିୟୋଗ ପରେ ଉପନିର୍ବାଚନ ଆସନ୍ନ ହୋଇଛି । ଏହି ପରିପ୍ରେକ୍ଷୀରେ ତାଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ସାମିଲ ହେବା ପାଇଁ ନୀତିଗତ ନିଷ୍ପତି ନେଇଛନ୍ତି । ତାଙ୍କ ଯୋଗଦାନ ଦ୍ୱାରା ଭାରତୀୟ ଜନତା ପାର୍ଟି ନୂଆପଡ଼ାରେ ସମେତ ସମଗ୍ର ଓଡ଼ିଶାରେ ଆହୁରି ଅଧିକ ଶକ୍ତିଶାଳୀ ହେବ । ବିଜେପି ସରକାର ଓଡିଶାରେ ୧୬ ମାସ ଶାସନ କରିବା ଭିତରେ ଅନେକ ଲୋକାଭିମୁଖୀ କାର୍ଯ୍ୟ କରିଛି । ଏସବୁ କାର୍ଯ୍ୟ ଲୋକଙ୍କ ମନକୁ ଆନ୍ଦୋଳିତ କରିଛି । ଲୋକଙ୍କ ଏହି ବିଶ୍ୱାସ ଆଗାମୀ ଉପନିର୍ବାଚନରେ ପ୍ରତିଫଳନ ହେବ । ବିଜେପିର ପ୍ରାର୍ଥୀ ସେଠାରେ ଯଶସ୍ୱୀ ହେବେ । ଆଗାମୀ ଦିନରେ ନୂଆପଡ଼ାର ଅଧୁରା କାମକୁ ପୂରା କରିବାକୁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ।
ମିଶ୍ରଣ ପର୍ବରେ ଶ୍ରୀ ଜୟଙ୍କୁ ସ୍ୱାଗତ କରିବାକୁ ଯାଇ ମୁଖମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ କହିଛନ୍ତି ଯେ, ଏହି ଦଳ ହେଉଛି ବିଶ୍ୱର ସର୍ବବୃହତ୍ ଦଳ । ଓଡ଼ିଶାରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ବିକଶିତ ପଥେ ଆଗେଇ ଚାଲିଛି । ବିଜେପି ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରେ । ଗତ ୧୬ ମାସରେ ଏହି ସରକାର ତାହା କାର୍ଯ୍ୟରେ କରି ଦେଖାଇଛି । ଆମ ସରକାରଙ୍କ ପ୍ରତିବଦ୍ଧତା, ସୁଶାସନ ଓ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଜନମଙ୍ଗଳ କାର୍ଯ୍ୟକୁ ଆଧାର କରି ସ୍ୱର୍ଗତଃ ରାଜେନ୍ଦ୍ର ଢ଼ୋଲକିଆଙ୍କ ପୁଅ ଜୟ ଢ଼ୋଲକିଆ ଆଜି ବିଜେପିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଦେଶର ୧ ନମ୍ବର ରାଜ୍ୟ ଭାବେ ଓଡ଼ିଶାକୁ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧପରିକର । ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ନୂଆପଡ଼ା ଜିଲ୍ଲାବାସୀ ଜଣେ ଭଲ ନେତାଙ୍କୁ ହରାଇଛନ୍ତି । ସେ କେବଳ ଜଣେ ଦରଦୀ ନେତା ନ ଥିଲେ, ସମାଜସେବୀ ହିସାବରେ ମଧ୍ୟ ତାଙ୍କର ପରିଚୟ ଥିଲା । ତାଙ୍କ ଅବର୍ତମାନରେ ନୂଆପଡ଼ା ଜିଲ୍ଲାର ବିକାଶ ପ୍ରକ୍ରିୟା ଜାରି ରହିବ । ଜିଲ୍ଲାବାସୀଙ୍କ ଦାୟିତ୍ୱ ମୁଁ ନେଇଛି । ଯେତେବେଳେ ଜିଲ୍ଲାବାସୀ ଚାହିଁବେ ମତେ ଭେଟି ପାରିବେ । ଜୟ ଢୋଲକିଆଙ୍କ ଯୋଗଦାନ ବିଜେପିକୁ ଆହୁରି ସଶକ୍ତ କରିବ ।
ଶ୍ରୀ ଜୟ ଢୋଲକିଆ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି. ନଡ୍ଡା, ରାଜ୍ୟ ସଭାପତି ମନମୋହନ ସାମଲ, ଲୋକପ୍ରିୟ ମୁଖ୍ୟନ୍ତ୍ରୀମନ୍ତ୍ରୀ ମୋହନ ଚରଣ ମାଝୀ, ନୂଆପଡ଼ାର ପୂର୍ବତନ ସାଂସଦ ବସନ୍ତ ପଣ୍ଡାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଜେପିରେ ଯୋଗଦେଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ କରିବା ପାଇଁ ଅନ୍ତିମ ନିଶ୍ୱାସ ମଧ୍ୟ ଚେଷ୍ଠା କରିବି । ବିକାଶ ଧାରା ଏକ ନିରନ୍ତର ପ୍ରକ୍ରିୟା । ନୂଆପଡ଼ା ଏକ ଉପାନ୍ତ ଅଂଚଳ । ଏହି ଅଂଚଳର ବିକାଶ ପାଇଁ ବାପା ସ୍ୱର୍ଗତଃ ରାଜେନ୍ଦ୍ର ଢୋଲିକିଆ ଅନେକ ସ୍ୱପ୍ନ ଦେଖିଥିଲେ । ଏହି ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଆଜି ମୁଁ ବିଜେପିରେ ଯୋଗଦେଇଛି । ନୂଆପଡ଼ାକୁ ରାଜ୍ୟର ଏକ ନମ୍ବର ଜିଲ୍ଲା ଭାବେ ଗଢ଼ି ତୋଳିବାକୁ ମୁଁ ଶପଥ ନେଉଛି ବୋଲି ଶ୍ରୀ ଜୟ ଢୋଲିକଆ କହିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କେ.ଭି. ସିଂ ଦେଓ, ପୂବର୍ତନ ସାଂସଦ ତଥା ପୂବର୍ତନ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା, ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ, ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମନ୍ତ୍ରୀ ଶ୍ରୀ ସୁରଜ ସୂର୍ଯ୍ୟବଂଶୀ, ବରିଷ୍ଠ ବିଧାୟକ ଶ୍ରୀ ଜୟ ନାରାୟଣ ମିଶ୍ର, ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ୍ କୁମାର, ବିଧାୟକ ଶ୍ରୀ ବାବୁ ସିଂ, ଶ୍ରୀ ହିମାଂଶୁ ଶେଖର ସାହୁ ଓ ଶ୍ରୀ ପ୍ରକାଶ ସେଠୀ, ପୂବର୍ତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶେଶ୍ୱର ଟୁଡୁ, ରାଜ୍ୟ ଉପସଭାପତି ଶ୍ରୀ ଗୋଲକ ମହାପାତ୍ର ଓ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ, ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତୀନ ମହାନ୍ତି, ପୂର୍ବତନ ଉପବାଚସ୍ପତି ଶ୍ରୀ ରାମଚନ୍ଦ୍ର ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଜଗନ୍ନାଥ ପ୍ରଧାନ, ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକ, ରାଜ୍ୟ ମୁଖପାତ୍ର ଶ୍ରୀ ମନୋଜ ମହାପାତ୍ର ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ ଦାସ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା, ପ୍ରମୁଖ ଉପସ୍ଥିତ ଥିଲେ ।

ଜିଏସଟି ସଂସ୍କାର-୨୦୨୫: ଲାଭବାନ ହେବ ମଣିପୁରର ଅର୍ଥନୀତି

ଜିଏସଟି ସଂସ୍କାର-୨୦୨୫: ଲାଭବାନ ହେବ ମଣିପୁରର ଅର୍ଥନୀତି

ନୂତନ ଜିଏସଟି ସଂସ୍କାରଗୁଡ଼ିକ କ୍ଷୁଦ୍ର ବ୍ୟବସାୟୀ ଏବଂ ବ୍ୟବସାୟ ସମେତ ସମସ୍ତଙ୍କ ପାଇଁ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ ବ୍ୟବସାୟ କରିବାର ସହଜତାକୁ ଉନ୍ନତ କରିବା ଲକ୍ଷ୍ୟ ରଖିଛି। କ୍ଷୁଦ୍ର ଶିଳ୍ପ, ପାରମ୍ପରିକ ହସ୍ତଶିଳ୍ପ ତଥା କୃଷି-ଭିତ୍ତିକ ଜୀବୀକାକୁ ଭିତ୍ତି କରିଥିବା  ମଣିପୁରର ଅର୍ଥନୀତି ଏହି ସଂସ୍କାରରୁ ଯଥେଷ୍ଟ ଲାଭ ପାଉଛି। ଉଖରୁଲ ଏବଂ ସେନାପତିର ଉଚ୍ଚଭୂମିରେ କଫି ଚାଷ ଠାରୁ ଆରମ୍ଭ କରି ଚୁରାଚାନ୍ଦପୁର ଏବଂ ଇମ୍ଫାଲରେ ବାଉଁଶ ହସ୍ତଶିଳ୍ପ ଏବଂ ପଥର ଖୋଦେଇ ହସ୍ତଶିଳ୍ପ ପର୍ଯ୍ୟନ୍ତ, ରାଜ୍ୟର ବିବିଧ ଅର୍ଥନୈତିକ କାର୍ଯ୍ୟକଳାପ ମୁଖ୍ୟତଃ ଆଞ୍ଚଳିକ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ହୁଏ। ଇନପୁଟ୍ ଖର୍ଚ୍ଚ ହ୍ରାସ କରି ଏବଂ ଚାହିଦାକୁ ଉତ୍ସାହିତ କରି ଥିବା ଏହି ସଂସ୍କାରଗୁଡ଼ିକ ମଣିପୁରର ଅନନ୍ୟ ଉତ୍ପାଦଗୁଡ଼ିକୁ ଘରୋଇ ଏବଂ ବିଶ୍ୱ ବଜାରରେ ଅଧିକ ପ୍ରତିଯୋଗିତାମୂଳକ କରିବା ଲକ୍ଷ୍ୟ ରଖିଛି।

ଏହା ବ୍ୟତୀତ, ଏହି ସଂସ୍କାରଗୁଡ଼ିକ କାର୍ଯ୍ୟକାରୀ ହେବା  ଦ୍ୱାରା ମଣିପୁରର କାରିଗର ଓ ବ୍ୟବସାୟୀମାନେ ଭାରତର ବର୍ଦ୍ଧିତ ଅର୍ଥନୀତିରେ ଯୋଗଦାନ ଦେବା ସହିତ ପାରମ୍ପରିକ ଜୀବିକା ସଂରକ୍ଷଣ ପାଇଁ ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବେ ବୋଲି ଆଶା କରାଯାଉଛି।

ନୂତନ ବ୍ୟବସ୍ଥାରେ ପ୍ୟାକେଜ୍ କଫି ଉପରେ ଜିଏସ୍‍ଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏହାଦ୍ୱାରା ମଣିପୁରର କଫି ଶିଳ୍ପରେ ଯଥେଷ୍ଟ ଆଶ୍ୱସ୍ତି ଆସିଛି। ଉଖରୁଲ, ସେନାପତି ଏବଂ ଚାଣ୍ଡେଲ ଭଳି ଜିଲ୍ଲା କଫି ଚାଷ ପାଇଁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ପରିଚିତ, ବିଶେଷକରି ଉଚ୍ଚମାନର ଆରାବିକା କିସମ  କଫି ପାଇଁ ଏହି ଅଞ୍ଚଳର  ସ୍ୱତନ୍ତ୍ର ପରିଚୟ ରହିଛି। । ପ୍ରାୟ ୧୦ ହଜାର ଚାଷୀ କଫି ଚାଷରେ ନିୟୋଜିତ ଅଛନ୍ତି। ନୂତନ ବ୍ୟବସ୍ଥା ତାଙ୍କୁ ପ୍ରକ୍ରିୟାକରଣ, ପ୍ୟାକେଜିଂ ଏବଂ ବଣ୍ଟନ ନେଟୱାର୍କରେ ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ।

ସଂଶୋଧିତ ହାର ଗ୍ରାହକ ଏବଂ ଉତ୍ପାଦକ ଉଭୟଙ୍କ ପାଇଁ ଖର୍ଚ୍ଚ ହ୍ରାସ କରିବ, ସୁଲଭତାରେ ଉନ୍ନତି ଆଣିବ ଏବଂ ଚାହିଦାକୁ ଉତ୍ସାହିତ କରିବ। ଏହା ଘରୋଇ ଏବଂ ରପ୍ତାନି ବଜାରରେ ଲାଭ ବୃଦ୍ଧି ଏବଂ ପ୍ରତିଯୋଗିତାକୁ ସୁଦୃଢ଼ ​​କରିବ ବୋଲି ମଧ୍ୟ ଆଶା କରାଯାଉଛି। ଏହା ବ୍ୟତୀତ, ସଂସ୍କାରଗୁଡ଼ିକ ଜୈବିକ ଏବଂ ସ୍ଥାୟୀ କୃଷି ପଦ୍ଧତି ଗ୍ରହଣକୁ ଉତ୍ସାହିତ କରିବ।

ମଣିପୁରର ବାଉଁଶ ଏବଂ ବେତ କାରିଗରୀ ପାରମ୍ପାରିକ ଭାବରେ ଚୁରାଚାନ୍ଦପୁର, ଉଖରୁଲ ଏବଂ ତାମେଙ୍ଗଲଙ୍ଗର କୁଶଳୀ ସମ୍ପ୍ରଦାୟ ଦ୍ୱାରା ତିଆରି କରାଯାଏ। ପ୍ରାୟ ୧ଲକ୍ଷ ୨୦ ହଜାର କାରିଗରଙ୍କ ଦ୍ୱାରା , ଏହି କ୍ଷେତ୍ର ଗ୍ରାମୀଣ ପରିବାରକୁ ପରିପୂରକ ଆୟ ପ୍ରଦାନ କରିଥାଏ।

ଫର୍ନିଚର, ଟୋକେଇ, ମ୍ୟାଟ୍ ଏବଂ ଅନ୍ୟାନ୍ୟ କାଠ କାରିଗରୀ ଉପରେ ଜିଏସ୍‍ଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବା ଦ୍ୱାରା, ସିଧାସଳଖ ଉତ୍ପାଦ ମୂଲ୍ୟ ହ୍ରାସ ପାଇବ ଏବଂ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟ ବଜାରରେ ଚାହିଦାକୁ ଉତ୍ସାହିତ କରିବ। ଏହି ସଂସ୍କାରଗୁଡ଼ିକ କାରିଗରୀ କ୍ଷେତ୍ରରେ ଏସଏମଇ ଏବଂ ଏସଏଚଜି ଗୁଡ଼ିକୁ ମଧ୍ୟ ମଜବୁତ କରିବ।