ମହାଭାରତର ପୁନଃ-ପରିକଳ୍ପନା କରିବା ପାଇଁ ପ୍ରସାର ଭାରତୀ ଓ କଲେକ୍ଟିଭ୍ ମିଡିଆ ନେଟୱାର୍କର ନୂଆ ପଦକ୍ଷେପ

ମହାଭାରତର ପୁନଃ-ପରିକଳ୍ପନା କରିବା ପାଇଁ ପ୍ରସାର ଭାରତୀ ଓ କଲେକ୍ଟିଭ୍ ମିଡିଆ ନେଟୱାର୍କର ନୂଆ ପଦକ୍ଷେପ

କଲେକ୍ଟିଭ୍ ମିଡିଆ ନେଟୱାର୍କ ଏଆଇ ମାଧ୍ୟମରେ ଭାରତର ସବୁଠାରୁ ପ୍ରସିଦ୍ଧ ମହାକାବ୍ୟ, ମହାଭାରତର ଏକ ଅଭୂତପୂର୍ବ ପୁନଃ-ପରିକଳ୍ପନା ଘୋଷଣା କରିଛି। ଏହି ସିରିଜ ୨୫ ଅକ୍ଟୋବର, ୨୦୨୫ରେ ଓ୍ବେଭ୍ସ ଓଟିଟିରେ ଏକ ସ୍ୱତନ୍ତ୍ର ଡିଜିଟାଲ ପ୍ରିମିୟର ହେବ, ଏବଂ ତା’ପରେ ୨ ନଭେମ୍ବର, ୨୦୨୫ ଠାରୁ ପ୍ରତି ରବିବାର ସକାଳ ୧୧.୦୦ରେ ଦୂରଦର୍ଶନରେ ପ୍ରସାରିତ ହେବ। ଏହି ସିରିଜ୍ ଭାରତ ଏବଂ ସାରା ବିଶ୍ୱରେ ଡିଜିଟାଲ ଦର୍ଶକଙ୍କ ପାଇଁ ଓ୍ବେଭ୍ସ ଓଟିଟିରେ ଏକକାଳୀନ ଉପଲବ୍ଧ ହେବ।

ଏହି ପ୍ରଥମ ପ୍ରକାରର ସହଯୋଗ ଭାରତର ରାଷ୍ଟ୍ରୀୟ ପ୍ରସାରଣକାରୀ ଦୂରଦର୍ଶନର ଐତିହ୍ୟ ଏବଂ ଦେଶବ୍ୟାପୀ ପହଞ୍ଚକୁ ପରବର୍ତ୍ତୀ ପିଢ଼ିର ମିଡିଆ ନେଟୱାର୍କର ସୃଜନଶୀଳ ନବସୃଜନ ସହିତ ମିଶ୍ରଣ କରିଥାଏ। ଅତ୍ୟାଧୁନିକ ଏଆଇ ଉପକରଣ ବ୍ୟବହାର କରି, ଏହି ଧାରାବାହିକ ମହାଭାରତ ମହାକାବ୍ୟର ବିଶାଳ ପରିସର, ଏହାର ଚରିତ୍ର, ଯୁଦ୍ଧକ୍ଷେତ୍ର, ଭାବନା ଏବଂ ନୈତିକ ଦ୍ୱନ୍ଦ୍ୱକୁ ସିନେମାଟିକ୍ ସ୍କେଲ୍ ଏବଂ ଆଶ୍ଚର୍ଯ୍ୟଜନକ ବାସ୍ତବବାଦ ସହିତ ପୁନଃନିର୍ମାଣ କରିଥାଏ। ଏହି ପ୍ରକଳ୍ପ ମେକ୍ ଇନ୍ ଇଣ୍ଡିଆ ଏବଂ ଡିଜିଟାଲ ଇଣ୍ଡିଆର ଆତ୍ମାକୁ ମୂର୍ତ୍ତିମନ୍ତ କରିଥାଏ, ଯାହା ପ୍ରଦର୍ଶନ କରିଥାଏ ଯେ ଐତିହ୍ୟ ଏବଂ ନବସୃଜନ କିପରି ଏକାଠି ବିକଶିତ ହୋଇପାରେ।

ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୌରବ ଦ୍ୱିବେଦୀ ଏହି ସହଯୋଗ ବିଷୟରେ କହି କହିଛନ୍ତି, “ପ୍ରସାର ଭାରତୀ ସର୍ବଦା ପ୍ରତ୍ୟେକ ଭାରତୀୟଙ୍କ ଘରେ ଜାତୀୟ ଏବଂ ସାଂସ୍କୃତିକ ମହତ୍ତ୍ୱର କାହାଣୀ ଆଣିବା ପାଇଁ ପ୍ରତିବଦ୍ଧ। ଲକଡାଉନ୍ ସମୟରେ ମୂଳ ମହାଭାରତର ପୁନଃପ୍ରସାରଣ ଆମକୁ ମନେ ପକାଇ ଦେଇଥିଲା ଯେ, ଏହି କାହାଣୀଗୁଡ଼ିକ ପରିବାର ଏବଂ ପିଢ଼ିକୁ କେତେ ଗଭୀର ଭାବରେ ସଂଯୋଗ କରେ। ଏହି ଏଆଇ-ଆଧାରିତ ପୁନଃକଳ୍ପନା ଦର୍ଶକମାନଙ୍କୁ ପରମ୍ପରାକୁ ସମ୍ମାନ ଦେଇ ଏବଂ ଅତ୍ୟାଧୁନିକ କାହାଣୀ କହିବା ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରି ଭାରତର ସର୍ବୋତ୍ତମ ମହାକାବ୍ୟ ମଧ୍ୟରୁ ଗୋଟିଏର ଏକ ନୂତନ ଅଭିଜ୍ଞତା ପ୍ରଦାନ କରେ। ଏହା ଆଧୁନିକ ପ୍ରସାରଣରେ ବିବର୍ତ୍ତନ ଏବଂ ଐତିହ୍ୟର ଏକତ୍ର ହେବାର ଏକ ପ୍ରକାଶନ।”

କଲେକ୍ଟିଭ୍ ଆର୍ଟିଷ୍ଟ୍ସ ନେଟୱାର୍କର ପ୍ରତିଷ୍ଠାତା ଏବଂ ଗ୍ରୁପ୍ ସିଇଓ ବିଜୟ ସୁବ୍ରମଣ୍ୟମ୍ ଏହି ସହଭାଗୀତା ବିଷୟରେ ନିଜର ମତାମତ ପ୍ରକାଶ କରି କହିଛନ୍ତି। ସେ କହିଛନ୍ତି ଯେ, ଲକ୍ଷ ଲକ୍ଷ ଭାରତୀୟଙ୍କ ପରି, ସେ ପ୍ରତି ରବିବାର ଟେଲିଭିଜନରେ କ୍ଲାସିକ୍ ମହାଭାରତ ଦେଖି ବଡ଼ ହୋଇଛନ୍ତି। ଏହା ଏକ ଅଭିଜ୍ଞତା ଥିଲା ଯାହା ଆମର କଳ୍ପନା ଏବଂ ସଂସ୍କୃତି ସହିତ ଆମର ସଂଯୋଗକୁ ଆକାର ଦେଇଥିଲା। ଏହି ନୂଆ ମହାଭାରତ ସହିତ, ଆମର ଆଶା ହେଉଛି ଆଜିର ପିଢ଼ିକୁ ଏକ ନିମଗ୍ନ ଏବଂ ସମନ୍ୱିତ ଅଭିଜ୍ଞତା ପ୍ରଦାନ କରିବା, ଯାହା ଆଜିର ପ୍ରଯୁକ୍ତିର ସମ୍ଭାବନା ସହିତ ଗଭୀର ଏବଂ ନିର୍ବିଘ୍ନରେ ପ୍ରତିଧ୍ୱନିତ ହୁଏ। ଏହା ଭକ୍ତି ଏବଂ ପ୍ରଗତିର ମିଶ୍ରଣ, ଏପରି କିଛି ସୃଷ୍ଟି କରେ ଯାହା କେବଳ ପରମ୍ପରାରେ ଗଭୀର ଭାବରେ ମୂଳ ନୁହେଁ ବରଂ ସାହସିକ ଭାବରେ ଦୂରଦର୍ଶୀ ମଧ୍ୟ।

ସର୍ବନିମ୍ନ ସହାୟକ ମୂଲ୍ୟ: ସୁରକ୍ଷା କବଚରୁ ଆତ୍ମନିର୍ଭରଶୀଳତା ପର୍ଯ୍ୟନ୍ତ

ସର୍ବନିମ୍ନ ସହାୟକ ମୂଲ୍ୟ: ସୁରକ୍ଷା କବଚରୁ ଆତ୍ମନିର୍ଭରଶୀଳତା ପର୍ଯ୍ୟନ୍ତ

 ପ୍ରତ୍ୟେକ ଫସଲ ଋତୁରେ ଭାରତୀୟ ଚାଷୀମାନେ କଠିନ ପରିଶ୍ରମ କରୁଥିଲେ ସୁଦ୍ଧା ଅସ୍ଥିର ପାଣିପାଗ ଏବଂ ବଜାର କାରଣରୁ ସେମାନେ ଲାଭରୁ ବଞ୍ଚିତ ହୋଇଥା’ନ୍ତି। ଏଭଳି ସ୍ଥିତିରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ସେମାନଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥାଏ। ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଯାହା ମାଧ୍ୟମରେ ସରକାର ପୂର୍ବ-ନିର୍ଦ୍ଧାରିତ ମୂଲ୍ୟରେ କୃଷକମାନଙ୍କର ଫସଲ କ୍ରୟ କରି ସେମାନଙ୍କୁ ସମର୍ଥନ କରନ୍ତି। ପ୍ରତିବର୍ଷ, ସରକାର ସମ୍ପୃକ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗର ମତାମତ ବିଚାର କରିବା ପରେ କୃଷି ଖର୍ଚ୍ଚ ଏବଂ ମୂଲ୍ୟ ଆୟୋଗ (ସିଏସିପି)ର ସୁପାରିସ ଆଧାରରେ 22ଟି ବାଧ୍ୟତାମୂଳକ କୃଷି ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଘୋଷଣା କରନ୍ତି।

ଏମଏସପି ସୁପାରିସ କରିବା ସମୟରେ ସିଏସିପି ଉତ୍ପାଦନ ଖର୍ଚ୍ଚ, ଚାହିଦା-ଯୋଗାଣ, ଘରୋଇ ଓ ଅନ୍ତର୍ଜାତୀୟ ଦର, ଆନ୍ତଃଫସଲ ମୂଲ୍ୟ, କୃଷି ଓ ଅଣକୃଷି ବାଣିଜ୍ୟ, ଅର୍ଥବ୍ୟବସ୍ଥା ଉପରେ ଦର ନୀତି ଏବଂ ଉତ୍ପାଦନର ଅତିକମରେ 50ପ୍ରତିଶତ ଲାଭ ପ୍ରଦାନ ଆଦି ଦିଗ ଉପରେ ବିଚାର କରିଥାଏ। ଆହୁରି ଉତ୍ପାଦନ ଖର୍ଚ୍ଚରେ ଶ୍ରମିକଙ୍କ ମଜୁରୀ, ବଳଦ ଓ ମେସିନ ଖର୍ଚ୍ଚ, ଜମି ଭାଗ ପାଉଣା, ବିହନ, ସାର,ଖତ ଜଳସେଚନ, ଆଦି ବାବଦରେ ହେଉଥିବା ଖର୍ଚ୍ଚ, ଅନ୍ୟାନ୍ୟ ବ୍ୟୟ ଏବଂ ପାରିବାରିକ ଶ୍ରମକୁ ସାମିଲ କରାଯାଇଥାଏ।

କେନ୍ଦ୍ର ବଜେଟ୍ 2018-19 ରେ ଉତ୍ପାଦନ ଖର୍ଚ୍ଚର ଅତି କମରେ 1.5 ଗୁଣ ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବା ପାଇଁ ଘୋଷଣା କରାଯାଇଥିଲା। ସେହି ବର୍ଷଠାରୁ, ସରକାର ସମସ୍ତ ବାଧ୍ୟତାମୂଳକ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଆସୁଛନ୍ତି । ଏହା ସମସ୍ତ ଫସଲ ପାଇଁ ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ଖର୍ଚ୍ଚ ଉପରେ ସର୍ବନିମ୍ନ 50% ଲାଭ ସୁନିଶ୍ଚିତ କରେ।

୨୪,୦୦୦ କୋଟି ଟଙ୍କା ବ୍ୟୟବରାଦରେ ‘ପ୍ରଧାନମନ୍ତ୍ରୀ ଧନ ଧନ୍ୟ କୃଷି ଯୋଜନା’ର ଶୁଭାରମ୍ଭ କରିବେ

୨୪,୦୦୦ କୋଟି ଟଙ୍କା ବ୍ୟୟବରାଦରେ ‘ପ୍ରଧାନମନ୍ତ୍ରୀ ଧନ ଧନ୍ୟ କୃଷି ଯୋଜନା’ର ଶୁଭାରମ୍ଭ କରିବେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୧ ଅକ୍ଟୋବର, ୨୦୨୫ ସକାଳ ୧୦:୩୦ ସମୟରେ ନୂଆଦିଲ୍ଲୀର ଭାରତୀୟ କୃଷି ଗବେଷଣା ସଂସ୍ଥାନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ କୃଷକମାନଙ୍କ ସହିତ ମତବିନିମୟ କରି, ପରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ, ଯେଉଁଠାରେ ସେ ସମାବେଶକୁ ସମ୍ବୋଧିତ କରିବେ।

ଏହି କାର୍ଯ୍ୟକ୍ରମ କୃଷକ କଲ୍ୟାଣ, କୃଷି ସ୍ୱାବଲମ୍ବନ ଏବଂ ଗ୍ରାମୀଣ ଭିତ୍ତିଭୂମିକୁ ସୁଦୃଢ଼ କରିବା ପ୍ରତି ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରତିବଦ୍ଧତାକୁ ଗୁରୁତ୍ୱ ଦିଏ। ଏହା ଆଧୁନିକ କୃଷି ପଦ୍ଧତିକୁ ପ୍ରୋତ୍ସାହିତ କରିବା, ଚାଷୀମାନଙ୍କୁ ସମର୍ଥନ କରିବା ଏବଂ କୃଷକ-କୈନ୍ଦ୍ରିକ ପଦକ୍ଷେପରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିବାରେ ସହାୟକ ହେବ ।

ପ୍ରଧାନମନ୍ତ୍ରୀ କୃଷି କ୍ଷେତ୍ରରେ ଦୁଇଟି ପ୍ରମୁଖ ଯୋଜନା ଆରମ୍ଭ କରିବେ, ଯାହାର ମୂଲ୍ୟ ୩୫,୪୪୦ କୋଟି ଟଙ୍କା। ସେ ୨୪,୦୦୦ କୋଟି ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀ ଧନ ଧନ୍ୟ କୃଷି ଯୋଜନା ଆରମ୍ଭ କରିବେ। ଏହାର ଲକ୍ଷ୍ୟ କୃଷି ଉତ୍ପାଦକତା ବୃଦ୍ଧି, ଫସଲ ବିବିଧତା ଏବଂ ସ୍ଥାୟୀ କୃଷି ପଦ୍ଧତି ଗ୍ରହଣ, ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ଅମଳ ପରବର୍ତ୍ତୀ ସଂରକ୍ଷଣକୁ ବୃଦ୍ଧି, ଜଳସେଚନ ସୁବିଧାରେ ଉନ୍ନତି ଏବଂ ୧୦୦ଟି ମନୋନୀତ ଜିଲ୍ଲାରେ ଦୀର୍ଘକାଳୀନ ଏବଂ ସ୍ୱଳ୍ପକାଳୀନ ଋଣ ଉପଲବ୍ଧତାକୁ ସହଜ କରିବା।

ପ୍ରଧାନମନ୍ତ୍ରୀ ଡାଲିରେ ଆତ୍ମନିର୍ଭରଶୀଳତା ମିଶନ ମଧ୍ୟ ଆରମ୍ଭ କରିବେ, ଯାହାର ମୂଲ୍ୟ ୧୧,୪୪୦ କୋଟି ଟଙ୍କା ହେବ। ଏହାର ଲକ୍ଷ୍ୟ ଡାଲିର ଉତ୍ପାଦକତା ସ୍ତରକୁ ଉନ୍ନତ, ଡାଲି ଚାଷ ଅଧୀନରେ ଥିବା କ୍ଷେତ୍ରକୁ ବୃଦ୍ଧି, ମୂଲ୍ୟ ଶୃଙ୍ଖଳ – କ୍ରୟ, ସଂରକ୍ଷଣ, ପ୍ରକ୍ରିୟାକରଣକୁ ସୁଦୃଢ଼ କରିବା ଏବଂ କ୍ଷତି ହ୍ରାସ କରିବା।

ସମ୍ବଲପୁରରେ ସ୍ଥାପନା ହେବାକୁ ଥିବା ସିବିଜି ପ୍ଲାଣ୍ଟର ଅଗ୍ରଗତି ନେଇ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

ସମ୍ବଲପୁରରେ ସ୍ଥାପନା ହେବାକୁ ଥିବା ସିବିଜି ପ୍ଲାଣ୍ଟର ଅଗ୍ରଗତି ନେଇ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନା

ସମ୍ବଲପୁରରେ ଅଏଲ ଇଣ୍ଡିଆ ସହଯୋଗରେ ନିର୍ମାଣ ହେବାକୁ ଥିବା କମ୍ପ୍ରେସଡ୍ ବାୟୋ-ଗ୍ୟାସ୍ (ସିବିଜି) ପ୍ଲାଣ୍ଟ୍ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଟେଲିଫୋନ ଯୋଗେ ଅଏଲ ଇଣ୍ଡିଆ ଲିମିଟେଡର ସିଏମଡି, ସମ୍ବଲପୁର ଜିଲ୍ଲାପାଳ ଏବଂ ସମ୍ବଲପୁର ମହାନଗର ନିଗମର କମିଶନରଙ୍କ ସହ ନୂଆଦିଲ୍ଲୀରୁ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି ।

ସମ୍ବଲପୁର ସହରର ବର୍ଜ୍ୟବସ୍ତୁ ପରିଚାଳନାକୁ ସୁଦୃଢ଼ କରିବା ଏବଂ ସ୍ୱଚ୍ଛ ଉର୍ଜା ଉତ୍ପାଦନ ଲକ୍ଷ୍ୟରେ ସହଯୋଗରେ ଏହି ପ୍ଲାଣ୍ଟ ସ୍ଥାପନା ହେବ । ଏହି ପ୍ଲାଣ୍ଟ୍ ଦୈନିକ ୨୦୦ ଟନ୍ ଜୈବିକ ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରି ପ୍ରାୟ ୯ ଟନ୍ କମ୍ପ୍ରେସଡ୍ ବାୟୋ-ଗ୍ୟାସ୍ ଉତ୍ପାଦନ କରିବ । ଏହା ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବର୍ଜ୍ୟବସ୍ତୁରୁ ସମ୍ପଦ’ ଆହ୍ୱାନର ଏକ ସଫଳ ରୂପାୟନ । ଏହି ପଦକ୍ଷେପ କେବଳ ପରିବେଶକୁ ସ୍ୱଚ୍ଛ ରଖିବ ନାହିଁ ବରଂ ଓଡ଼ିଶା ସମେତ ଦେଶର ଉର୍ଜା ଆବଶ୍ୟକତାକୁ ପୂରଣ କରିବ ଏବଂ ସ୍ଥାନୀୟ ଅର୍ଥନୀତିକୁ ମଜଭୂତ କରିବା ସହ ନୂଆ ରୋଜଗାର ସୃଷ୍ଟି ହେବ । ପ୍ରକଳ୍ପ କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି।

ଆନ୍ତର୍ଜାତୀୟ ମାନସିକ ସ୍ଵାସ୍ଥ୍ୟ ଦିବସ

ଆନ୍ତର୍ଜାତୀୟ ମାନସିକ ସ୍ଵାସ୍ଥ୍ୟ ଦିବସ

ଆଜି ଆନ୍ତର୍ଜାତୀୟ ମାନସିକ ସ୍ଵାସ୍ଥ୍ୟ ଦିବସରେ ପ୍ରତ୍ୟେକ ଓଡ଼ିଆ , ବିଶେଷ କରି ମାତୃଭାଷା ପ୍ରାଣ ଓଡିଆମାନଙ୍କ ସ୍ମୃତିକୁ ଯାହାଙ୍କ କୃତି ଓ କୀର୍ତ୍ତି ଆଲୋଡିତ କରେ ,ସେ ହେଉଛନ୍ତି ଭାରତ ବର୍ଷର ମହାନ୍ ଭାଷାତତ୍ତ୍ଵ ବିଶାରଦ ତଥା ଭାରତ ସରକାରଙ୍କ ପ୍ରାକ୍ତନ ଭାଷା ବିଭାଗ ମୁଖ୍ୟ , ଗାଳ୍ପିକ ବିଜୟ ପ୍ରସାଦ ମହାପାତ୍ର , ଯାହାଙ୍କର ଶେଷ ଜୀବନ ବିତିଥିଲା କୋଲକାତାର ମାନସିକ ରୋଗ ଚିକିତ୍ସାଳୟ ( ହସ୍ପିଟାଲ)ରେ । ଆମ ଭଳି ଅଣସାହିତ୍ୟିକର ଜ୍ଞାତ ତଥ୍ୟ କୁହେ ଯେ ପ୍ରାୟ ୧୫ ଟି ରୁ ଉର୍ଦ୍ଧ୍ବ ଭାଷାଵିଷୟକ ପୁସ୍ତକ, ଅନେକ ଗଳ୍ପଗ୍ରନ୍ଥର ସ୍ରଷ୍ଟା ଭାଷାତ୍ମା ବିଜୟ ପ୍ରସାଦ ନିଜର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଥିଲେ ଏକାନ୍ତ ନିସ୍ପୃହ ।

ଓଡ଼ିଆ ଭାଷାର ପ୍ରାଚୀନତା ଓ ଐତିହ୍ୟକୁ ଉପଜିବ୍ୟ କରି ତାଙ୍କ ପ୍ରସ୍ତୁତ ତଥ୍ୟ ହିଁ ଆମ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଇଛି । ଏହି ମହାନ ସାରସ୍ଵତ ସାଧକଙ୍କ ଭାଷା ଗବେଷଣା ସମ୍ପର୍କିତ ବହୁତ ଇଂରାଜୀ ଓ ଓଡ଼ିଆ ପୁସ୍ତକ ଆମ ସାରସ୍ଵତ ଭଣ୍ଡାରର ଅମୂଲ୍ୟ ସମ୍ପଦ । ଓଡ଼ିଆ ଭାଷାର ସଙ୍କଟ ଓ ଭବିଷ୍ୟତ ନେଇ ତାଙ୍କର ବକ୍ତବ୍ୟ ଓ ଦିଗ୍ ଦର୍ଶନ ଆଜିର ସମୟରେ ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ । ତାଙ୍କର ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଆଜି ଆନ୍ତର୍ଜାତୀୟ ମାନସିକ ସ୍ଵାସ୍ଥ୍ୟ ସୁରକ୍ଷା ଦିବସ । ମାନସିକ ବିକୃତି, ଆତ୍ମହତ୍ୟା ପ୍ରବଣତା ଆଦି ଭୟଙ୍କର ସମସ୍ୟା ସମାଜକୁ ଗ୍ରାସ କରିଚାଲିଛି । ପ୍ରତି ୪୦ ସେକେଣ୍ଡ ରେ ଜଣେ ଆତ୍ମହତ୍ୟା କରିଥିବା ସମ୍ପର୍କରେ ତଥ୍ୟ କୁହେ । ଅଦୃଶ୍ୟ ଓ ଅନାଲୋଚିତ ଭାବେ ଏହା କିଭଳି ବ୍ୟକ୍ତି ତଥା ସାମାଜିକ ଜନ ଜୀବନକୁ ଦୁର୍ବିସହ କରିଚାଲିଛି, ତାହାର ଶରଵ୍ୟ ହେଉଥିବା ବ୍ୟକ୍ତି ହିଁ ହାଡେ ହାଡେ ଅନୁଭବ କରୁଛି ।

ବ୍ୟକ୍ତିଗତ ଭାବେ ସାତ ବର୍ଷ ଧରି ଆମେ ଜଣେ ପାରାନୋଇଆ ରୋଗାକ୍ରାନ୍ତ, ମସ୍ତିଷ୍କ ବିକୃତି ବ୍ୟକ୍ତିର ଆକ୍ରମଣର ଶିକାର ହୋଇ ସ୍ଵକୀୟ ଅନୁଭୁତିରୁ ଏହାର ଗଭୀରତା ହୃଦୟଙ୍ଗମ କରିଥିବାରୁ ଆଜି ଦିବସ ର ଗୁରୁତ୍ଵ ଅନୁଭବ କରି ଉକ୍ତ ଉପସ୍ଥାପନ କରୁଛୁ । ଉକ୍ତ ବ୍ୟକ୍ତି ଏଭଳି ଏକ ଘୃଣିତ ଓ ଅଭାବନୀୟ ଅପରାଧ କରିଥିବା ସମ୍ପର୍କରେ ଆମେ ଜାଣିଯିବା ପରେ ସେ ଆଶଙ୍କା କରିଥିଲା ଯେ ତାହା ଆମେ କାଳେ ପ୍ରଘଟ କରିଦେବୁ, ତେଣୁ ସେ ଭୟଙ୍କର ଯୋଜନାବଦ୍ଧ ଭାବେ ଵୈ।ଦ୍ଧିକ ଆକ୍ରମଣ କରିବାକୁ ଯାଇ ଆକାଶରୁ ମିଥ୍ୟା ତୋଳି ଆଣି ଵୀଜାଣୁ ବଣ୍ଟନ କରି ଚାଲିଲା ,ଏବେ ମାତ୍ରା କ୍ରମଶଃ ହ୍ରାସ ପାଉଛି। ସ୍ବଳ୍ପ କେତେକ ଚୁଗୁଲୀ,ପରନିନ୍ଦାଶ୍ରବୀ,ଈର୍ଷାର ଈଶ୍ୱରଧର୍ମୀଙ୍କ ବ୍ୟତୀତ ଅନ୍ୟ କେହି ବିଶ୍ବାସ କଲେ ନାହିଁ । ଯେତେବେଳେ ତାଙ୍କ ମିଛ ପ୍ରଚାର ଧରା ପଡ଼ିଗଲା ସେତେବେଳେ ଆମ ଅଧ୍ୟାପିକା ପତ୍ନୀଙ୍କ ଚାକିରି ସମ୍ପର୍କିତ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ମାଗି ମିଛ ପ୍ରଚାର କଲା । ପୁଅ କିଭଳି ବିଦେଶରେ ଚାକିରି ପାଇଲା, ଝିଅ କିଭଳି ଜାତୀୟ ଗବେଷଣାରେ ଚୟନ ହେଲା, ତାହାର ତଥ୍ୟ ମାଗି, ସେଥିରେ ବିଫଳ ହୋଇ ଗୁଡାଏ ବେନାମୀ ଅଭିଯୋଗ ( ପିଟିସନ) ପକାଇ ଚାଲିଲା ।

କେବଳ ନିଜର ଗାଡ଼ି ଚାଳକ ( ଡ୍ରାଇଭର) ଓ ଅତ୍ୟନ୍ତ ସରଳ ପ୍ରକୃତିର ସମୁଦି ବ୍ୟତୀତ କେହି ସାଥି ନ ଦେବାରୁ ପ୍ରତି ଦିନ ଆମକୁ ଗାଳିଗୁଲଜ କରିଚାଲିଲା । ସକଳ ପ୍ରକାର ଆକ୍ରମଣ ସତ୍ତ୍ୱେ ଆମେ ରୋଗାକ୍ରାନ୍ତ ବ୍ୟକ୍ତିର ଲକ୍ଷଣ ଜାଣିଥିବାରୁ କୈାଣସି ପ୍ରତିକ୍ରିୟା ପ୍ରକାଶ କରି ନାହୁଁ କି କରିବାର ନାହିଁ । କାରଣ କୈାଣସି ସମୟରେ ମଧ୍ୟ ତାଙ୍କର ସେ ସବୁ କଥା ପ୍ରକାଶ କରିଵୁ ନାହିଁ, ସେ ଯେତେ କ୍ଷତି କଲେ ମଧ୍ୟ, ଯେତେ ଉଖୁରେଇଲେ ବି, ଯେହେତୁ ତାହା ସମାଜରେ ଏକ ଖରାପ ପ୍ରଭାବ ପଡ଼ିବ ଓ କିଛି ନିରିହଙ୍କ ଜୀବନ ଦୁର୍ବିସହ ହୋଇଯିବ । ଆଜି ଦିବସ ରେ ପ୍ରାର୍ଥନା କରୁଛି , ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଓ ମୁଖପୁସ୍ତକର ସହୃଦୟ ଵନ୍ଧୁମାନଙ୍କ ଶୁଭେଚ୍ଛାରେ ସମ୍ପୃକ୍ତ ବ୍ୟକ୍ତି ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ।

ପୋଲିସ ଏସ୍‌ଆଇ ପରୀକ୍ଷା ନିଯୁକ୍ତି ଜାଲିଆତି

ପୋଲିସ ଏସ୍‌ଆଇ ପରୀକ୍ଷା ନିଯୁକ୍ତି ଜାଲିଆତି

ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ଛାନଭିନ୍‌ ଚଳାଇଛି। ଏଥିରେ ବହୁ ବଡ଼ ଅଧିକାରୀ, ନେତା ଓ ପ୍ରଭାବଶାଳୀଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ଉଠୁଥିବାରୁ କ୍ରାଇମ୍‌ବ୍ରାଞ୍ଚ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ତେବେ ଏହି ମାମଲାରେ ବାଲେଶ୍ୱରରୁ ଷଷ୍ଠ ମଧ୍ୟସ୍ଥଙ୍କୁ କ୍ରାଇମବ୍ରାଞ୍ଚ ଉଠାଇ ଆଣିଛି। ସେ ହେଲେ ଚନ୍ଦନ ମଲ୍ଲିକ।

ବାଲେଶ୍ୱର ସଦର ବ୍ଲକ ଚାନ୍ଦିପୁର ଥାନା ରଣସାହି ପଞ୍ଚାୟତ ତପସ୍ବୀ ଗ୍ରାମସ୍ଥିତ ଘରୁ ଚନ୍ଦନଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ କାବୁ କରଛି। ତେବେ ତାଙ୍କୁ କ୍ରାଇମବ୍ରାଞ୍ଚ ମାରାଥନ୍‌ ଜେରା କରି ପ୍ରମାଣ ସଂଗ୍ରହ କରିବାରେ ଲାଗିଛି।

ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ନାବରା ଗ୍ରାମର (ପଞ୍ଚମ ମଧ୍ୟସ୍ଥ) ଅରବିନ୍ଦ ଦାସଙ୍କୁ କ୍ରାଇମବ୍ରାଞ୍ଚ ଟିମ୍‌ ଗିରଫ କରିଥିବା ବେଳେ ତାଙ୍କଠାରୁ ଚନ୍ଦନଙ୍କ ଲିଙ୍କ୍‌ ମିଳିଥିଲା। ଚନ୍ଦନ ଜାଲିଆତିର ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ପଞ୍ଚସଫ୍ଟ ସମେତ ବିଭିନ୍ନ ସଂସ୍ଥାର ମାଲିକ ଶଙ୍କର ପୃଷ୍ଟିଙ୍କର ଅନ୍ୟତମ ଘନିଷ୍ଠ ସହଯୋଗୀ ଥିଲେ ବୋଲି ସୂଚନା ମିଳିଛି।

ସେପଟେ ଶଙ୍କର ଏବଂ ତାଙ୍କ ସହଯୋଗୀ କଟକ ବାଙ୍କୀର ମୁନା ମହାନ୍ତି ଫେରାର ଥିବା ବେଳେ କ୍ରାଇମବ୍ରାଞ୍ଚ ଏଯାଏ ଉଭୟଙ୍କ ପତ୍ତା ପାଇପାରିନାହିଁ। ଭୁବନେଶ୍ୱର ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁରସ୍ଥିତ ପ୍ଲଟ୍‌ ନଂ.୩୨୦/୩୫୯୦ରେ ଥିବା ଅନ୍‌ଲାଇନ ପରୀକ୍ଷା କେନ୍ଦ୍ର (ଶ୍ରୀ ଲିଙ୍ଗରାଜ ଇନ୍‌ଫୋସୋଲ୍‌)ରେ କ୍ରାଇମବ୍ରାଞ୍ଚ ଟିମ୍‌ ରବିବାର ଚଢ଼ାଉ କରିଥିଲା। ଆଗକୁ ଅନ୍‌ଲାଇନ୍‌ ପରୀକ୍ଷା କେନ୍ଦ୍ରଗୁଡିକରେ କ୍ରାଇମବ୍ରାଞ୍ଚ ଚଢ଼ାଉ କରିବ ବୋଲି ତାଲିକା ପ୍ରସ୍ତୁତ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଏହି ମାମଲାରେ ୧୧୪ ପରୀକ୍ଷାର୍ଥୀ ଓ ୫ଜଣ ମଧ୍ୟସ୍ଥଙ୍କ ସମେତ ୧୧୯ ଗିରଫ ହୋଇ ଜେଲ୍‌ରେ ଅଛନ୍ତି।

ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି

ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି

ଶ୍ରୀମନ୍ଦିରରେ ଆରମ୍ଭ ହେଉଛି କାର୍ତ୍ତିକ ନୀତି। ହବିଷ୍ୟାଳି ତଥା କାର୍ତ୍ତିକ ବ୍ରତଧାରୀଙ୍କର ଶ୍ରୀମନ୍ଦିରରେ ଭିଡ଼ ଜମିବ। ତା’ ଛଡ଼ା ଶ୍ରୀମନ୍ଦିରରେ ନୀତି ମଧ୍ୟ ଅଧିକ ରହିବ। ଶ୍ରୀମନ୍ଦିରରେ ପବିତ୍ର କାର୍ତ୍ତିକ ନୀତି ଶନିବାର ଆରମ୍ଭ ହେଇଛି। ଆଜିଠାରୁ ମହାପ୍ରଭୁ ରାଧା ଦାମୋଦର ବେଶରେ ଦର୍ଶନ ଦେବେ। ଏହି ବେଶରେ ମହାପ୍ରଭୁଙ୍କ ନିକଟରେ ସ୍ବତନ୍ତ୍ର ବାଳଧୂପ ନୀତି ହୋଇଥାଏ।
ଆଜି ସିଂହଦ୍ୱାର ସମ୍ମୁଖରେ ଗୋଷାଣୀ ଏକାଠି ହେବେ ତେଣୁ ମଧ୍ୟାହ୍ନ ୧୨ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଏ ନେଇ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ମରିଚିକୋଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ରାତି ଯାଏ ୧୪୪ ଧାରା ଜାରି କରାଯାଇଛି। ପ୍ରତ୍ୟେକ ଗୋଷାଣୀ ପାଇଁ କେବଳ ୭ ଜଣଙ୍କୁ ଅନୁମତି ମିଳିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ହଜାର ବର୍ଷର କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖନ୍ତୁ: ମୁଖ୍ୟମନ୍ତ୍ରୀ

ହଜାର ବର୍ଷର କଟକ ସହରର ଗୌରବକୁ ଅକ୍ଷୁର୍ଣ୍ଣ ରଖନ୍ତୁ: ମୁଖ୍ୟମନ୍ତ୍ରୀ

କଟକରେ ଦେଖାଯାଇଥିବା ଗୋଷ୍ଠୀ ବିବାଦ ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସମସ୍ତଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ନିବେଦନ କରିଛନ୍ତି। 

ମୁଖ୍ୟମନ୍ତ୍ରୀ କହିଛନ୍ତି କଟକ ସହର ହେଉଛି ହଜାର ବର୍ଷର ସହର। ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର। କିନ୍ତୁ ଗତ କିଛି ଦିନ ଧରି କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରରେ ଶାନ୍ତି ଭଙ୍ଗ ହୋଇଛି ଏବଂ ସାଧାରଣ ଲୋକଙ୍କ ଜୀବନ ଯାତ୍ରାରେ ବ୍ୟାଘାତ ସୃଷ୍ଟି ହେଉଛି। ଏହିଭଳି ବିଶୃଙ୍ଖଳାକାରୀଙ୍କ ଉପରେ ସରକାରଙ୍କ ନଜର ରହିଛି ଏବଂ ସେମାନଙ୍କ ଉପରେ ଆଇନ୍ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ମୁକ୍ତି ଆନ୍ଦୋଳନର ସର୍ବ କନିଷ୍ଠ ସହିଦ୍ ସଂଗ୍ରାମୀ ‘ବାଜି ରାଉତ’

ମୁକ୍ତି ଆନ୍ଦୋଳନର ସର୍ବ କନିଷ୍ଠ ସହିଦ୍ ସଂଗ୍ରାମୀ ‘ବାଜି ରାଉତ’

ମୁକ୍ତି ଆନ୍ଦୋଳନର ସର୍ବ କନିଷ୍ଠ ସହିଦ୍ ସଂଗ୍ରାମୀ ‘ବାଜି ରାଉତ’ଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ,ଅମ୍ଲାନ , ଲୋହିତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଆମେ ଓଡ଼ିଆ ମାନେ ଗର୍ବିତ ଯେ ମୁକ୍ତି ଆନ୍ଦୋଳନର ପ୍ରଥମ ଶହୀଦ ଜୟୀ ରାଜଗୁରୁ, ପ୍ରଥମ ମହିଳା ସହୀଦ୍ ପରି ବେଓ୍ବା, ସର୍ବ କନିଷ୍ଠ ସହିଦ୍ ବାଜି ରାଉତ ଏବଂ ୧୮୧୭ର ପାଇକ ସଂଗ୍ରାମ ହିଁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ ।

ଅଛପା ସତ୍ୟ ଇତିହାସର ଗର୍ଭାନୁଶୀଳନ କଲେ ଜଣାଯାଏ ଯେ ପୂର୍ବଜ ଓଡ଼ିଆ ମାନେ ୪୧ ଟି କ୍ଷେତ୍ରରେ ବିଶ୍ବଗୁରୁ , ଅନେକ କ୍ଷେତ୍ରରେ ଜାତୀୟ ଗୁରୁ । ହଁ , ଏହା ସତ୍ୟ ଯେ ଆଜିର ଓଡ଼ିଶା ଓ ସାମ୍ପ୍ରତିକ ଓଡ଼ିଆ ଲୋକ ଚରିତ୍ର ସହିତ ସାମାଜିକ ଚିତ୍ର ଦେଖି,ପରଖି ମତାମତ ଦେବାକୁ ଚାହୁଁଥିବା ଅଣ ଓଡ଼ିଆ କ’ଣ , ମାଟି ମନସ୍କ , ଭାଷା ପ୍ରାଣ ଓଡ଼ିଆ ମଧ୍ୟ ଆମକୁ ମିଥ୍ୟାବାଦୀ, ଭାବପ୍ରବଣ, ମତଲବୀ ମଣିଷ ବିଶେଷଣରେ ସ୍ବତଃ ବିଭୂଷିତ କରିବାକୁ କୁଣ୍ଠିତ ହେବେନାହିଁ । କିଏ କାହିଁକି ବିଶ୍ବାସ କରିବ ଯେ ଏ ଜାତି ଦିନେ ବୀରଜାତି ଥିଲା ।

ଏ ଜାତିର ପଦନିକ୍ଷେପ ଦ୍ବାରା ବସୁନ୍ଧରା ଦିନେ କମ୍ପିତ ହେଉଥିଲା । ଏ ଜାତି ସମର ପ୍ରାଙ୍ଗଣରେ ଦିନେ ଅବଲୀଳାକ୍ରମେ ଅସ୍ତ୍ର ଚାଳନାରେ ନିପୁଣ ଥିଲେ । ଏ ଜାତି ଆପଣାର ମାଟିର ସାର୍ବଭୌମ ପାଇଁ ବା ସ୍ବାଧୀନତା ରକ୍ଷା ପାଇଁ ମସ୍ତକୋତ୍ତଳନ କରୁଥିଲା ।ଏ ଜାତିର ବିଜୟ ପତାକା ଦିନେ ଆକାଶମାର୍ଗରେ ଉଡ୍ଡୀୟାନ ହେଉଥିଲା ? ଆଜି ଦୀନ, ହୀନ,ନିର୍ବୀର୍ଯ୍ୟ,ଭୀରୁ ଓ ଦମ୍ଭ ସାହାସ୍ ବିଵର୍ଜିତ । ଆଜି ଓଡ଼ିଆ ଜାତି ବିଜାତି ଦ୍ବାରା ଅପମାନିତ, ଲଜ୍ଜିତ,ଲୁଣ୍ଠିତ, ପ୍ରପୀଡ଼ିତ, ଶୋଷିତ,ପଦଦଳିତ, ତା’ର ସୀମା ଭଗାରି ମାନଙ୍କ ଦ୍ବାରା ଅପହୃତ ।

ଦିନ ଥିଲା ଓଡ଼ିଆ ଜାତି ଅନ୍ୟ ଦ୍ବାରା ପ୍ରପୀଡ଼ିତ ଜାତିକୁ ଆପଣା କ୍ରୋଡରେ ନିଃଶଙ୍କ ଚିତ୍ତରେ ଆଶ୍ରୟ ପ୍ରଦାନ କରିଥିଲା । ବିଜେତା ମାନେ ଲେଖିଲେ ପରାଜିତର ଇତିହାସ । ଯାହା ଫଳରେ ଜୟୀ ରାଜଗୁରୁ, ବକ୍ସି, କୃତିବାସ ପାଟ୍ଟଶାଣୀ,ବୀର ସୁରେନ୍ଦ୍ର ସାଏ ଙ୍କ ଠାରୁ ମାଧବ ରାଉତରାୟ,ପିଣ୍ଡିକି ବାହୁବଳେନ୍ଦ୍ର ,ମାଧୋ ସିଂ,ଦିନା,ଲୋଚନ କନ୍ଧମାନେ ଭାରତ ଇତିହାସରେ ଯଥୋଚିତ ସ୍ଥାନ ପାଇଲେ ନାହିଁ । ଦେଶ ମୁକ୍ତି ଆନ୍ଦୋଳନର ସର୍ବକନିଷ୍ଠ ଶହୀଦ ଅକ୍ଟୋବର ୫ ତାରିଖ, ୧୯୨୬ ମସିହାରେ ଢେଙ୍କାନାଳ ଜିଲା ନୀଳକଣ୍ଠପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

ଇଂରେଜ ସରକାରଙ୍କ ରାଜତ୍ୱ କାଳରେ ଭାରତବର୍ଷରେ ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରିତରେ ଜର୍ଜରିତ ହେଉଥିଲେ । ସେତେବେଳେ ଇଂରେଜ ସରକାର ତାଙ୍କର ଶାସନ ପ୍ରଣାଳୀକୁ ସରଳ କରିବା ଉଦ୍ଦେଶ୍ୟରେ ସମଗ୍ର ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଗଡ଼ଜାତ ଅଞ୍ଚଳ ଭାବରେ ନାମିତ କରିଥିଲେ । ମୋଗଲବନ୍ଦୀ ଅଞ୍ଚଳଗୁଡ଼ିକରେ ଜମିଦାରମାନେ ଏବଂ ଗଡଜାତ ଅଞ୍ଚଳମାନଙ୍କରେ ରାଜାମାନେ ଶାସନ ନାମରେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ ।

ଏହି ଦୁଇ ଭାଗ ମଧ୍ୟରୁ ଗଡଜାତ ଅଞ୍ଚଳର ପ୍ରଜାମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡୁଥିଲା । ଗଡଜାତ ରାଜ୍ୟର ରାଜା ତଥା ପାରିଷଦବର୍ଗଙ୍କ ଯାବତୀୟ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ବେଠି, ବେଗାରି, ଯୋରଜବରଦସ୍ତ ଟିକସ ଅସୁଲ, ମନମୁଖିଶାସନ, ମିଥ୍ୟା ମୋକଦ୍ଦମା ପ୍ରଭୁତିରେ ଜର୍ଜରିତ ହେଉଥିଲେ ଗଡଜାତବାସୀ । ସମୟେ ସମୟେ ଗଡଜାତ ଅଞ୍ଚଳରେ ଏହି ଶୋଷଣ କଷଣରେ ଫଳସ୍ୱରୁପ ପୁଞ୍ଜୀଭୁତ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇ ବିସ୍ପୋରଣରରୁପ ଧାରଣ କରୁଥିଲା, କିନ୍ତୁ ଇଂରେଜ ସରକାର ତାହାକୁ କଳେବଳେ କୌଶଳେ ଦମନ କରୁଥିଲେ ।

ଏହିସବୁ ଗଡଜାତ ଆନ୍ଦୋଳନ ସେତେବେଳେ ସମଗ୍ର ଭାରତବର୍ଷରେ ଆଲୋଡନ ସୃଷ୍ଟି କରିଥିଲା । ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ୱେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ । ସେ ପ୍ରଜାମଣ୍ଡଳର ସିପାହୀ ସାଜିଛନ୍ତି । ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳିଥିଲା । କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୁରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜ ମାନେ ଯେପରି ନଦୀ ପାର ନହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି କ୍ୟାମ୍ପକୁ ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାରି କରାଇବ । ଆଶଙ୍କାକୁ ସତ କରି ପୋଲିସ ମାନେ ପ୍ରଜା ମଣ୍ଡଳ ଆନ୍ଦୋଳନ ଦମନ କରିବାକୁ ଆସିଲେ । ମାତ୍ର ସେମାନଙ୍କ ଆଦେଶ ସତ୍ତ୍ୱେ ବାଜି ରାଉତ ଘାଟରୁ ଡ଼ଙ୍ଗା ଫିଟାଇଲେ ନାହିଁ ।

ପୋଲିସର ଧମକ ଚମକ ସତ୍ତ୍ୱେ କିଛି ଲାଭ ନହେବାରୁ, ସେମାନେ ତାଙ୍କୁ ସେଇଠି ଗୁଳି କରି ହତ୍ୟା କଲେ । ବାଜି ରାଉତଙ୍କ ଚିତ୍କାରରେ ସେତେବେଳକୁ ଅନେକ ଲୋକ ଆସିଯାଇଥିଲେ । ସେମାନେ ଡଙ୍ଗା ବାନ୍ଧି ପକାଇ ରଖିଲେ । ପୋଲିସ ମାନେ ଆଉ କିଛି ନକରି ଛୁରୀରେ ଡଙ୍ଗା ଦଉଡି କାଟି ମଝି ନଈକୁ ଡଙ୍ଗା ବୋହିନେଲେ । ଡଙ୍ଗା ମଝି ନଈରେ ଥିବା ବେଳେ ସେମାନେ କୂଳରେ ଥିବା ଲୋକଙ୍କୁ ଗୁଳି ଚାଳନା କଲେ ।

ସେଇଠି ଟଳି ପଡିଲେ ନିଳକଣ୍ଠପୁର ଗାଁର ଆଉ କେତେ ଜଣ – ହୁରୁଷି, ରଘୁ, ଗୁର, ନଟ, ଲକ୍ଷ୍ମଣ ଓ ଫଗୁ । ଦେଶ ପାଇଁ ଛୁଆ ବଡ଼ ମିଶି ସାତ ଜଣ ସହୀଦ ହୋଇଗଲେ । ନିଳକଣ୍ଠପୁର ଗୁଳିକାଣ୍ଡର ପରଦିନ ଅର୍ଥାତ୍ ୧୯୩୮ ମସିହା ଅକ୍ଟୋବର ମାସ ୧୨ ତାରିଖ ଦିନ ଦେଶ ପାଇଁ ପ୍ରାଣବଳି ଦେଇଥିବା ସାତଜଣ ବୀରଙ୍କର ପାର୍ଥିବ ଶରୀରକୁ କଟକ ଆଣି ବିରାଟ ପଟୁଆରରେ ଖାନନଗର ମଶାଣିରେ ଗୋଟିଏ ଚିତାରେ ସେମାନଙ୍କୁ ଦାହ କରା ଯାଇଥିଲା । ଶହୀଦ ଙ୍କ ଲୋହିତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।

ପ୍ରାଣନାଥ ପଟ୍ଟନାୟକ ଙ୍କ ୫୫ତମ ଶ୍ରାଦ୍ଧ ଦିବସ

ପ୍ରାଣନାଥ ପଟ୍ଟନାୟକ ଙ୍କ ୫୫ତମ ଶ୍ରାଦ୍ଧ ଦିବସ

ଆଜି ମହାନ୍ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଶାରେ ସାମ୍ୟବାଦୀ ଆନ୍ଦୋଳନର ପ୍ରତିଷ୍ଠାତା , ଚାଷୀ ମୂଲିଆ ,ଗରିବ ଖଟିଖିଆ ସର୍ବହରା ମେହନତୀ ମଣିଷର ଚିର ସାଥୀ, ଵେସାଲିସ ବିଦ୍ରୋହୀ ଜନନେତା ସାହିତ୍ୟିକ, ସାମ୍ବାଦିକ,କୃଷକ ଆନ୍ଦୋଳନର ସମର୍ପିତ କାଣ୍ଡାରୀ, ପ୍ରାକ୍ତନ ବିଧାୟକ, ଖୋର୍ଦ୍ଧା ମହାବିଦ୍ୟାଳୟ, ଜଟଣୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା , ନିଜର ସମସ୍ତ ସୁଖ ସ୍ଵାଛନ୍ଦକୁ ଜଳାଞ୍ଜଳି ଦେଇ ଅପରର ଦୁଃଖରେ ଵିଗଳିତ ହୃଦୟର ଅକୁତ୍ରୁମ କରୁଣା ପ୍ରଦର୍ଶକ ପ୍ରାଣନାଥ ପଟ୍ଟନାୟକ ଙ୍କ ୫୫ତମ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ଲୋହିତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।

୧୯୦୫ ମସିହା, ନଭେମ୍ବର ୧୬ ତାରିଖରେ ପ୍ରତିଭା ପ୍ରସଵିନୀ କଣାସର ଡିମିରି ଗ୍ରାମରେ, ପିତା ମଦନ ମୋହନ ଓ ମାତା ଚିତ୍ରାଙ୍ଗଦାଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ବିପ୍ଲବୀ ପ୍ରାଣନାଥ । କଣାସ ପ୍ରାଥମିକ ବିଦ୍ୟାଳୟରୁ ବୃତ୍ତି ପାଇ ପୁରୀରେ ଅଧ୍ୟୟନ କରିବା ସମୟରେ ବିଶ୍ବମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମ୍ପର୍କରେ ଆସିଥିଲେ । ରେଭେନ୍ସା ମହାବିଦ୍ୟାଳୟର ଛାତ୍ର ଥିବା ସମୟରେ ଏହି ଉଦ୍ଦାମ ଯୁବକ ଜାତୀୟତାବାଦ ଭାବନାରେ ଉଦବୁଦ୍ଧ ହୋଇଥିଲେ ।

୧୯୩୦ ମସିହାରେ ଠିକ୍ ଆଜିର ଦିନରେ ( ଦଶହରା) ବାଲେଶ୍ଵର ସହରର ଅଫିମ ଓ ମଦ ଦୋକାନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୧୯୩୨ ମସିହାରେ ପୁରୀ ମେହେନ୍ତର ସଂଘର ସଭାପତି ଭାବରେ ଆନ୍ଦୋଳନ ଓ ବିପ୍ଲବୀ ଗୁରୁଚରଣ ପଟ୍ଟନାୟକଙ୍କ ସହ ବିଦେଶୀ ବସ୍ତ୍ର ବର୍ଜନ ଆନ୍ଦୋଳନର ନେତୃତ୍ଵ ନେଇ ଗିରଫ ହୋଇଥିଲେ ଓ ଛ ମାସ କାରାବରଣ କରିଥିଲେ । ଜେଲରୁ ମୁକ୍ତ ହୋଇ ପାଠ ପଢିବା ପାଇଁ ଗଲେ କାଶୀ ବିଦ୍ୟାପୀଠ, ତାହାର ପ୍ରତିଷ୍ଠାତା ଥିଲେ ଆଚାର୍ଯ୍ୟ ନରେନ୍ଦ୍ର ଦେବ । ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ସହ ଘନିଷ୍ଠତା, ସହପାଠୀ ଲାଲ୍ ବାହାଦୁର ଶ୍ରୀବାସ୍ତବ( ଆଦର୍ଶ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ)ଙ୍କ ସହ ଶାସ୍ତ୍ରୀ ଉପାଧି ଲାଭ କରି ଓଡ଼ିଶା ଫେରି ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ୧୯୩୩ରେ “ଓଡ଼ିଶା କଙ୍ଗ୍ରେସ ସାମ୍ୟବାଦୀ ସଂଘ ଗଠନ କଲେ , ନବକୃଷ୍ଣ ଚୌଧୁରୀ ହେଲେ ସମ୍ପାଦକ ।

୧୯୩୫ ରେ ସାଥୀ ଗୁରୁଚରଣ ପଟ୍ଟନାୟକ ଓ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସହ ମିଶି ଓଡ଼ିଶାରେ ସାମ୍ୟବାଦୀ ଓ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା କରିଥିଲେ । ସେ ପର୍ଯ୍ୟନ୍ତ ଅବିବାହିତ ଥିବା ପ୍ରାଣନାଥ ଙ୍କୁ ସେତେବେଳେର ବିପ୍ଲବୀ ଜାତୀୟ କବି କୃଷ୍ଣ ମୋହନ ପଟ୍ଟନାୟକ ନିଜର ଅଲିଅଳି କନ୍ୟା ମଞ୍ଜରୀ ଦେବୀଙ୍କ ସହିତ ବିବାହ କରାଇଥିଲେ । ସେତେବେଳେ ସେ ବିବାହର ଘଟଣା ଦୃଶ୍ୟ ଥିଲା ଅତି ଆଶ୍ଚର୍ଯ୍ୟଜନକ । ୧୯୩୫ ମସିହା, ଜୁନ ୨୮ ତାରିଖରେ ଜମିଦାର କୃଷ୍ଣ ମୋହନଙ୍କ ପ୍ରେରିତ ପାଲିଙ୍କି ସବାରି ଫେରାଇ ଦେଇ ନିଜେ ଲଣ୍ଠନ ଧରି ସମସ୍ତଙ୍କ ଅଗୋଚରରେ ଯାଇ ବେଦି ପାଖରେ ପହଞ୍ଚିଥିଲେ ।

୧୯୩୬ ରେ ଖୋର୍ଦ୍ଧା ଠାରେ ଏକ ବିଶାଳ କୃଷକ ସମାବେଶ ଆୟୋଜନ କରିଥିଲେ, ସମାଜ ଖବରକାଗଜ ତଥ୍ୟ କୁହେ ଯେ ତାଙ୍କ ଡାକରାରେ ୧୦ ହଜାର କୃଷକ ଯୋଗ ଦେଇଥିଲେ, ଯେଉଁ ଥିରେ ବିପ୍ଲବୀ ମୋହନ ଦାଶ, ନବକୃଷ୍ଣ ଚୌଧୁରୀ, ଯଦୁମଣି ମଙ୍ଗରାଜ, ରାଜକୃଷ୍ଣ ବୋଷ ପ୍ରଭୃତି ଭାଷଣ ଦେଇଥିଲେ । ୧୯୩୭ ମସିହାରେ ପ୍ରଥମ ବିଧାନ ସଭା ନିର୍ବାଚନରେ ମାତ୍ର ଆଠ ଟଙ୍କା ( ଲୋକଙ୍କ ଦାନ) ରେ ସେ ଜଣେ ପୁଞ୍ଜି ଐରାବତଙ୍କୁ ପରାସ୍ତ କରି ଆଜିର ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ, ବୋଲଗଡ଼, ବେଗୁନିଆ ଅଞ୍ଚଳକୁ ନେଇ ଗଠିତ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ବିଧାନ ସଭାରେ ପ୍ରତିନିଧିତ୍ଵ କରିଥିଲେ, ଯେତେବେଳେ କି ଟିକସ ଦେଉଥିବା ଲୋକମାନେ ହିଁ କେବଳ ଭୋଟର ଥିଲେ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ପଣ୍ଡିତ ନେହେରୁଙ୍କ ପ୍ରଥମ ଓଡ଼ିଶା ଗସ୍ତ ଥିଲା ବିପ୍ଲବୀ ପ୍ରାଣନାଥଙ୍କ ପ୍ରାର୍ଥୀତ୍ବ ସପକ୍ଷରେ ନିର୍ବାଚନୀ ସଭା ।

୧୯୩୮ରେ ପ୍ରଜା ଆନ୍ଦୋଳନର ନେତୃତ୍ବ ନେଇଥିଲେ । ୧୯୩୯ ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଗିରଫ ହୋଇ ,୬ ବର୍ଷ କାରାଦଣ୍ଡ ବରଣ କରି, ୧୯୪୫ରେ ମୁକ୍ତିଲାଭ କରିଥିଲେ । ସମଗ୍ର ଜୀବନରେ ସେ ଦଶଥର କାରାବରଣ କରିଥିଲେ ଏବଂ ଜେଲ୍ ରେ ୪୫ ଦିନ ଆମରଣ ଅନଶନ କରିଥିଲେ ,ଯାହା ସମଗ୍ର ଭାରତର ମୁକ୍ତି ଆନ୍ଦୋଳନରେ ଏକ ଅଭୂଲା ଅଧ୍ୟାୟ ।୧୯୪୭ ମସିହାରେ କୃଷକ ଆନ୍ଦୋଳନର ନେତୃତ୍ବ ନେଉଥିବା ସମୟରେ ମଳିପଡା ମଠ ମହନ୍ତ ତାଙ୍କ ବିରୋଧରେ ଏକ ଲଙ୍ଗଳ ଚୋରି ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଐତିହାସିକ ସୀମା ଆନ୍ଦୋଳନରେ ସେ ନେତୃତ୍ବ ନେଇଥିଲେ । ଆଜି ସୀମା ଅଭିଯାନ ସମୟରେ ତାଙ୍କର ସ୍ମୃତି ଆମର ମାର୍ଗଦର୍ଶନ ର ଅମୂଲ୍ୟ ପଣ୍ୟ । ୧୯୫୭ ନିର୍ବାଚନରେ ପୁନଃ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାନସଭାରେ କମ୍ୟୁନିଷ୍ଟ ବିଧାୟକ ଦଳର ନେତା ହୋଇଥିଲେ ।

୧୯୫୯ ମସିହାରେ କଣାସ ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ଖୋର୍ଦ୍ଧା ଓ ନିରାକାରପୁରରେ ଦୁଇଟି ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ନିରାକାରପୁରରେ ଦେଶର କେବଳ ନୁହେଁ, ଏସିଆ ମହାଦେଶର ପ୍ରଥମ ଗ୍ରାମାଞ୍ଚଳ ବିଜ୍ଞାନ ମହାବିଦ୍ୟାଳୟ କ୍ଷେତ୍ରବାସୀ ରାଉତରାୟ ଓ ପ୍ରାଣନାଥ ପଟ୍ଟନାୟକ ଖୋର୍ଦ୍ଧାରେ ଖୋର୍ଦ୍ଧା କଳା ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ମୋତି ଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ କରିବା ପାଇଁ ସେ ସ୍ବପ୍ନ ଦେଖିଥିଲେ ଓ ମୋତିଲାଲ୍ ଙ୍କ ପୁତ୍ର ପ୍ରଧାନମନ୍ତ୍ରୀ ନେହେରୁଙ୍କ ସହ ଆଲୋଚନା କରି ସିଦ୍ଧାନ୍ତ ହୋଇଥିଲା । ମହତାଵୀ ଚକ୍ରାନ୍ତ ହୋଇଥିଲା ପ୍ରତିବନ୍ଧକ ।

ଐତିହାସିକ ପଟିଆ ବନ୍ଧ ଓ କାକୁଡିଆ ବନ୍ଧ ନିର୍ମାଣରେ ତାଙ୍କର ନେତୃତ୍ବର ଇତିହାସ ରୋମାଞ୍ଚିତ । ସାରସ୍ବତ ସାଧନାରେ ତାଙ୍କର ଅମ୍ଲାନ ଅବଦାନ “ଆସନ୍ତାକାଲିର ସାହିତ୍ୟ” ଠାରୁ କମ୍ୟୁନିଷ୍ଟ ଦଳର ମୁଖପତ୍ର “ନୂଆ ଦୁନିଆ”ର ସମ୍ପାଦନା, ସୋଭିଏତ ସଂଘ ଯାତ୍ରା ର ଇତିହାସ ମଧ୍ୟ ରୋମାଞ୍ଚକର ।୧୯୭୦ ମସିହା,ଆଜିର ଦିନରେ କଲିକତା ରେ ଚିକିତ୍ସା କରାଯାଉଥିବା ସମୟରେ ମୃତ୍ୟୁ ବରଣ କରିଥିଲେ । ସେହି ମହାନ୍ ସ୍ଵାଧୀନତା ସଂଗ୍ରାମୀ, ବିପ୍ଲବୀ ଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଆଜି ସକାଳ ନଅ ଘଣ୍ଟା ସମୟରେ ବିପ୍ଲବୀ ପ୍ରାଣନାଥଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧାଵଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପୂଜ୍ୟପୂଜା ସଂସ୍କୃତି ପ୍ରାଣ ସଜ୍ଜନବର୍ଗ ଯୋଗ ଦେବାପାଇଁ ନମ୍ର ନିବେଦନ କରୁ । ସନ୍ଧ୍ୟା ୬ ଟା ସମୟରେ ଜୟଦେବ ଭବନ ପ୍ରେକ୍ଷାଳୟରେ ସ୍ମୃତି ଚାରଣ ସଭା ରେ ଯୋଗଦେବା ପାଇଁ ପୂଜ୍ୟ ପୂଜା ସଂସ୍କୃତି ପ୍ରାଣ ମାନଙ୍କୁ ନମ୍ର ନିବେଦନ କରୁ ।