କବିବର ରାଧାନାଥ ରାୟଙ୍କ ପବିତ୍ର ୧୭୮ ତମ ଜୟନ୍ତୀ

କବିବର ରାଧାନାଥ ରାୟଙ୍କ ପବିତ୍ର ୧୭୮ ତମ ଜୟନ୍ତୀ

ଆଜି ଚିର ବନ୍ଦନୀୟ, ପ୍ରାତଃ ସ୍ମରଣୀୟ କବିବର ରାଧାନାଥ ରାୟଙ୍କ ପବିତ୍ର ୧୭୮ ତମ ଜୟନ୍ତୀ ଅବସରରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ୧୯୦୮ ମସିହା, ଅପ୍ରେଲ ୧୭ତାରିଖ ରାତିରେ କଟକ ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଓଡ଼ିଆ ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ୧୮୬୯ ମସିହା ଠାରୁ ଏକ ନୂଆ ଅଧ୍ୟାୟ ର ସୂତ୍ରପାତ ହୋଇଥିଲା । କବିବର ରାଧାନାଥ ଏହି ସମୟରେ ସାରସ୍ଵତ ସାଧନା କରି ଓଡ଼ିଶା ର ନବ ଜାଗରଣ କୁ ଦୃଢିଭୂତ ଓ ତ୍ବରାନ୍ବିତ କରିଥିଲେ । ସେ ସେହି କାଳଖଣ୍ଡ ର କେବଳ ଧାରକ ଓ ବାହକ ନୁହନ୍ତି, ଅଧିକନ୍ତୁ ଅନ୍ୟତମ ନିର୍ମାତା ।

ଏହି ମହାନ ସାରସ୍ଵତ ସାଧକ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ସୋର ନିକଟବର୍ତ୍ତୀ କେଦାରପୁର ଗ୍ରାମରେ ୨୮ ସେପ୍ଟେମ୍ବର ୧୮୪୮ (ଆଶ୍ୱିନ ପନ୍ଦରଦିନ, ୧୭୭୧ ଶକାବ୍ଦ) ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ସୁନ୍ଦର ନାରାୟଣ ରାୟ ଓ ତାରିଣୀ ଦାସୀଙ୍କର ଜ୍ୟେଷ୍ଠ ସନ୍ତାନ ଥିଲେ । ସୁନ୍ଦର ନାରାୟଣ ଥିଲେ ଦକ୍ଷିଣ ଭାରତୀୟ କାୟସ୍ଥ ଓ ତାଙ୍କ ପୂର୍ବପୁରୁଷ ମେଦିନୀପୁର ଅନ୍ତର୍ଗତ ରାଧାନଗର ଗ୍ରାମରୁ ଆସିଥିଲେ । ତାଙ୍କର ବଂଶଗତ ଉପାଧି ଥିଲା ‘ଦେ’ ।

ସୁନ୍ଦର ନାରାୟଣ ବାଲେଶ୍ୱର କଲେକ୍ଟୋରେଟ୍‌ରେ ସଦର କାନୁନଗୋ ଥିଲେ । ଅତି ଶୈଶବରୁ ତାଙ୍କର ମାତୃ ବିୟୋଗ ଘଟିଥିଲା । ସେ ଶୈଶବରୁ ଅତ୍ୟନ୍ତ ରୋଗପ୍ରବଣ ଥିଲେ, ତେଣୁ ପାଠପଢ଼ା ତାଙ୍କର ବହୁ ସମୟ ରୋଗରେ ନଷ୍ଟ ହୋଇଥିଲା । ସେ ବାଲେଶ୍ୱର ଜିଲ୍ଲାସ୍କୁଲରୁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ, ସେ ସମୟରେ କଟକର ଉଚ୍ଚତର ଶିକ୍ଷା ନିମନ୍ତେ କଲେଜ୍ ନଥିବାରୁ, କଲିକତାକୁ ଏଫ୍. ଏ. ପଢ଼ିବାକୁ ଗଲେ । ସେଠାରେ ସ୍ୱାସ୍ଥ୍ୟହାନି ଘଟିବାରୁ ଉଚ୍ଚଶିକ୍ଷାକୁ ଜଳାଞ୍ଜଳି ଦେଇ ତାଙ୍କୁ ଶୀଘ୍ର ସେଠାରୁ ଫେରିଆସିବାକୁ ହେଲା ।

କିଛିଦିନ ପରେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ମାସିକ ୩ ଟଙ୍କା ବେତନରେ ତୃତୀୟ ଶିକ୍ଷକ ପଦରେ ନିୟୁକ୍ତ ହେଲେ । କଲେଜରେ ପଢ଼ିବା ସୁବିଧା ଆଉ ନଘଟିବାରୁ ସେ ନିଜ ଯତ୍ନରେ ଘରେ ପାଠ ପଢ଼ି ଏଫ୍.ଏ. ପାସ୍ କରିଥିଲେ ଓ ବି.ଏ. ପରୀକ୍ଷାରେ ସମସ୍ତ ପାଠ୍ୟ ନିଜ ଉଦ୍ୟମରେ ଘରେ ପଢ଼ିଥିଲେ । ତତ୍କାଳୀନ ବିଖ୍ୟାତ ପଣ୍ଡିତ ସଦାଶିବ ନନ୍ଦଙ୍କ ପାଖରେ ରାଧାନାଥ, ଫକୀରମୋହନଙ୍କ ସହିତ ସଂସ୍କୃତ କାବ୍ୟ ନାଟକାଦି ଅଧ୍ୟୟନ କରି ସେଥିରେ ପାଣ୍ଡିତ୍ୟ ଅର୍ଜ୍ଜନ କରିଥିଲେ । ବାଲେଶ୍ୱର ଜିଲ୍ଲା ସ୍କୁଲରେ ରାଧାନାଥ ୫ ବର୍ଷକାଳ ଚାକିରୀ କରିଥିଲେ ଓ ଏହି ସମୟରେ ରେମୁଣା ଗ୍ରାମର ଆଦିତ୍ୟ ବଂଶର ଚନ୍ଦ୍ରମୋହନ ଆଦିତ୍ୟଙ୍କ କନ୍ୟା ପରଶମଣିଙ୍କ ସହିତ ରାଧାନାଥଙ୍କ ବିବାହ ସମ୍ପନ୍ନ ହୋଇଥିଲା ।

ଏହା ପରେ ସେ ଦ୍ୱିତୀୟ ଶିକ୍ଷକ ପଦରେ ପୁରୀଜିଲ୍ଲା ସ୍କୁଲକୁ ବଦଳି ହେଲେ ଓ ସେଠାରେ ଭକ୍ତକବି ମଧୁସୂଦନ ରାଓ ତାଙ୍କର ଛାତ୍ର ଥିଲେ । ପୁରୀରୁ ସେବାଙ୍କୁଡ଼ାକୁ ବଦଳି ହେଲେ ଓ ସେଠାରୁ ୧୮୭୬ରେ ସ୍କୁଲ ବିଭାଗୀୟ ଡ଼େପୁଟି ଇନ୍ସପେକ୍ଟର୍ ପଦରେ ବାଲେଶ୍ୱର ଜିଲ୍ଲାକୁ ଫେରି ଆସିଲେ । ରାଧାନାଥ ତାଙ୍କ ସାହିତ୍ୟସେବାର ଓ ଉତ୍କଳର ଶିକ୍ଷା ବିସ୍ତାର ପ୍ରତି ସ୍ପୃହାର ପୁରସ୍କାରସ୍ୱରୂପ ଗଭର୍ଣ୍ଣମେଣ୍ଟ୍ ତାଙ୍କୁ ରାୟ ବାହାଦୁର ଉପାଧିରେ ଭୂଷିତ କରିଥିଲେ । ଗଡ଼ଜାତ ଭ୍ରମଣରୁ ଫେରି ଜ୍ୱର ରୋଗରେ ଆକ୍ରାନ୍ତ ହୋଇ ସେ ୧୯୦୮ ସାଲ ଅପ୍ରେଲ ମାସ ୧୭ ତାରିଖରେ ମୃତ୍ୟୁ ବରଣ କରିଥିଲେ ।
ରାଧାନାଥ ଓଡ଼ିଆ ଭାଷାରେ ଲେଖିବା ପୂର୍ବରୁ ବଙ୍ଗଳା ଭାଷାରେ କବିତା ଲେଖୁଥିଲେ । ବଙ୍ଗଳା ସାହିତ୍ୟିକ ଭୂଦେବ ମୁଖପାଧ୍ୟାୟ ଙ୍କ ପ୍ରରୋଚନାରେ ସେ ଓଡ଼ିଆ ଭାଷାରେ ଲେଖିବା ଆରମ୍ଭ କରିଥିଲେ । ସେ ସର୍ବଦା ମସିଣାରେ ବସି ଏକ ବାକ୍ସ ଉପରେ ଲେଖୁଥିଲେ । ଉତ୍କଳର ଦର୍ଶନୀୟ ହ୍ରଦ, ପୁଷ୍କରିଣୀ, ପର୍ବତ, ନିର୍ଝର, ନଦୀ, ବନ, ଗ୍ରାମ. ଉଦ୍ୟାନ, ବୃକ୍ଷ, ଲତା, ଆଦି ପ୍ରାକୃତିକ ଦୃଶ୍ୟ ଓ ଐତିହାସିକ ବିଷୟକୁ ସେ ଲିପିବଦ୍ଧ କରି ଯାଇଅଛନ୍ତି ।

ତାଙ୍କର ଖଣ୍ଡିଏ ଗଦ୍ୟ ଉପନ୍ୟାସ (ଇତାଲୀୟ ଯୁବା) ଓ ବିବେକୀ ନାମକ ପ୍ରବନ୍ଧ ଏବଂ କେତେଗୁଡ଼ିଏ ପାଠ୍ୟ ପୁସ୍ତକ ଛଡ଼ା ଆଉ ସବୁ ରଚନା ପଦ୍ୟ । ୧୮୭୩ରେ ପ୍ରକାଶିତ ବିବେକୀ ତାଙ୍କର ପ୍ରଥମ ଓଡ଼ିଆ ସୃଷ୍ଟି । ଅନେକ କାବ୍ୟ ସୃଷ୍ଟି ଯଥା କେଦାରଗୌରୀ (୧୮୮୫),ଚନ୍ଦ୍ରଭାଗା (୧୮୮୬), ନନ୍ଦିକେଶ୍ୱରୀ (୧୮୮୭),ଉଷା (୧୮୮୮),ପାର୍ବତୀ (୧୮୯୦)
ଚିଲିକା (୧୮୯୧),ମହାଯାତ୍ରା (୧୮୯୧-୯୨),ଦରବାର(୧୮୯୭) ଏବଂ କବିତା ସଙ୍କଳନ ମଧ୍ୟରେ ତୁଳସୀ ସ୍ତବକ (୧୮୯୪),
ଯଯାତିକେଶରୀ (୧୮୯୪),ଉର୍ବଶୀ (୧୮୯୫),ଦଶରଥ ବିୟୋଗ (୧୯୦୧),ଭାରତ ଗୀତିକା (୧୯୦୩),ଧବଳେଶ୍ୱର ସ୍ତୋତ୍ରମ(୧୯୦୩),ସାବିତ୍ରୀ ଚରିତ୍ର (୧୯୦୬)ତିନିବନ୍ଧୁ (୧୮୯୮)
ବନ୍ଦନା (୧୯୧୧),ନିବେଦନ (୧୯୧୧),ପ୍ରତାପରୁଦ୍ର (୧୯୧୧)


ଶ୍ମଶାନ ଦୃଶ୍ୟ (୧୯୦୪),ଏକାଗ୍ରତା। (୧୯୦୪)ଦୁର୍ଯ୍ୟେଧନ ର ରକ୍ତନଦୀ ସନ୍ତରଣ(୧୯୦୫) ଓଡ଼ିଆ ବାଣୀ ଭଣ୍ଡାରୀର ଅମୃତ ଅମ୍ଲାନ ପଣ୍ୟ । ରାଧାନାଥଙ୍କ ପ୍ରକୃଷ୍ଟ ଗଦ୍ୟ ରଚନାର ଶକ୍ତିଶାଳୀ ଉଦାହରଣ ହୋଉଛି “ବିବେକୀ”। କବିଙ୍କର ମୌଳିକ ଭାବ ଓ ଦାର୍ଶନିକ ଚିନ୍ତାଧାରା ଏହି ପ୍ରବନ୍ଧରେ ପ୍ରକାଶ ପାଇଛି।ଓଡ଼ିଆ ପ୍ରବନ୍ଧ ସାହିତ୍ୟଏହା ଏକ ଗୌରବମୟ ସୃଷ୍ଟି ଭାବରେ ପରିଚିତ । ରାଧାନାଥ ରାୟଙ୍କ ବ୍ୟକ୍ତିତ୍ୱର ସମ୍ପର୍କରେ ଏହା ଧାରଣା ପ୍ରଦାନ କରେ। ସେହିପରି କବିଵରଙ୍କର ‘ଇତାଲୀୟ ଯୁବା’ହେଉଛିଏକ ବିଦେଶୀ ଗଳ୍ପର ରୂପାନ୍ତର । ରାଧାନାଥ ରାୟଙ୍କ ଗଦ୍ୟ ରଚନା କ୍ଷେତ୍ରରେ ଏହା ଏକ ଅମଳିନ ସୃଷ୍ଟି ।

ଏହା ୧୮୭୩ମସିହାରେ ପ୍ରଥମେ ‘ଉତ୍କଳଦର୍ପଣ’ ପତ୍ରିକାରେ ପ୍ରକାଶ ପାଇଥିଲା ,ଓଡ଼ିଆ ଗଦ୍ୟ ସାହିତ୍ୟର ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା ସୃଷ୍ଟି ହୋଇଥିଲା। ଏହା ଏକ ପ୍ରେମ ମୂଳକ ଗଳ୍ପ , ଯେଉଁଥିରେ ଏକ ପାଶ୍ଚାତ୍ୟ ପ୍ରଣୟ କାହାଣୀ ରୂପ ପାଇଛି । ରାଧାନାଥ ରାୟଙ୍କ ପାଶ୍ଚାତ୍ୟ ସାହିତ୍ୟଦ୍ୱାରା ଅନୁପ୍ରାଣିତ ହୋଇ ଏହା ରଚନା କରିଥିଲେ ।ତାଙ୍କର ପାଶ୍ଚାତ୍ୟ ସାହିତ୍ୟ ପ୍ରୀତି ଏଥିରେ ସୁସ୍ପଷ୍ଟ । ସେହିପରି ରାଧାନାଥ ପ୍ରାଚ୍ୟ-ପାଶ୍ଚାତ୍ୟ ସମନ୍ୱୟମୂଳକ ଯେଉଁ ଛଅଗୋଟିକାବ୍ୟ ରଚନା କରିଥିଲେ, ତନ୍ମଧ୍ୟରୁ କେଦାରଗୌରୀ ହେଉଛି ଅନ୍ୟତମ ।ପ୍ରାଚ୍ୟ-ପାଶ୍ଚାତ୍ୟ ସାହିତ୍ୟର କଳାଗତ ସୁଷମାର ଏହା ମହିମାମଣ୍ଡିତ ହୋଇଅଛି ।

ରାଧାନାଥ ରାୟ ଗ୍ରୀକ କବି ଓଭିଡ଼ଙ୍କର ମେଟମରଫସିସ କାବ୍ୟର ଗୋଟିଏ ଗଳ୍ପ “The Legend Of Thisbe Of Babylon” ଅବଲମ୍ବନରେ ରଚିତ ସେକ୍ସପଅରଙ୍କ”Mid Summer Night’s Dream”ନାଟକ “Pvramus And Thisbe” ଅବଲମ୍ବନରେ ଏହା ରଚନା କରିଛନ୍ତି । ପାଶ୍ଚାତ୍ୟର କଥା ବସ୍ତୁକୁ ସେ ଓଡ଼ିଶାର କେଦାର ଗୌରୀଚରିତ୍ର ସହିତ ସାମିଲ କରି କାବ୍ୟିକ ସୌନ୍ଦର୍ଯ୍ୟ ପ୍ରତିପାଦନ କରିପାରିଛନ୍ତି । ଭୁବନେଶ୍ୱରର କେଦାରଗୌରୀ ଓ ଉପାଖ୍ୟାନ ଏଥିରେ ପ୍ରକାଶ ପାଇଛି । ଏହା ଏକ ଛୋଟକାବ୍ୟ ହେଲେ ମଧ୍ୟ ଏଥିରୁ ରାଧାନାଥ ରାୟଙ୍କ କବି ପ୍ରତିଭାର ଯଥାର୍ଥ ପରିଚୟ ମିଳିଥାଏ ।

ଭାରତ ବିକାଶ ପରିଷଦ ସେଣ୍ଟ୍ରାଲ ବ୍ରାଞ୍ଚ ଭୁବନେଶ୍ବର ପକ୍ଷରୁ  ଭବ୍ୟ କନ୍ୟା ପୂଜନ ଉତ୍ସବ

ଭାରତ ବିକାଶ ପରିଷଦ ସେଣ୍ଟ୍ରାଲ ବ୍ରାଞ୍ଚ ଭୁବନେଶ୍ବର ପକ୍ଷରୁ ଭବ୍ୟ କନ୍ୟା ପୂଜନ ଉତ୍ସବ

ଭାରତ ବିକାଶ ପରିଷଦ ଭୁବନେଶ୍ବର ସେଣ୍ଟ୍ରାଲ ବ୍ରାଞ୍ଚ ପକ୍ଷରୁ ଏକ ଭବ୍ୟ କନ୍ୟା ପୂଜନ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ୩୭ ଜଣ ଛୋଟ ଝିଅଙ୍କୁ ଦେବୀ ଦୁର୍ଗାଙ୍କ ରୂପେ ଝାରପଡ଼ାସ୍ଥିତ ଭାରତୀ ବିଦ୍ୟାମନ୍ଦିର ସ୍କୁଲରେ ପୂଜା କରାଯାଇଥିଲା। ଝିଅମାନଙ୍କୁ ସୁନ୍ଦର ଭାବେ ସଜାଇ ଫୁଲ, ଆଳତି ଓ ଭୋଗ ପ୍ରଦାନ କରାଯାଇଥିଲା। ସଦସ୍ୟମାନେ ଉତ୍ସାହର ସହ ଏହି ଧାର୍ମିକ ରୀତିନୀତିରେ ଅଂଶଗ୍ରହଣ କରିଥିଲେ। ଝିଅମାନେ କ୍ୟାସେଟର ସଙ୍ଗୀତରେ ମନୋଜ୍ଞ ନୃତ୍ୟ ପରିବେଷଣ କରି ସମସ୍ତଙ୍କ ମନ ଜିଣିଥିଲେ। ପ୍ରତ୍ୟେକ ଝିଅଙ୍କୁ ଆକର୍ଷଣୀୟ ଉପହାର ଦିଆଯାଇ ସମ୍ମାନିତ କରାଯାଇଥିଲା।

ଉତ୍ସବରେ ଶାଖା ଅଧ୍ୟକ୍ଷ ଡକ୍ଟର ରାଉତ, ଏମବିଏସ ସଂଯୋଜକ ଗୀତା ରାଉତ, ବରିଷ୍ଠ ସଦସ୍ୟା ସଙ୍ଗୀତା ଦାଶ, ପୂର୍ବତନ ଜାତୀୟ କାର୍ଯ୍ୟକାରୀ ସଦସ୍ୟ ଶ୍ରୀ ଏସ.ଏନ. ପଣ୍ଡା ଓ ଗୀତା ପଟ୍ଟନାୟକ ସମେତ ଅନେକ ମହିଳା ସଦସ୍ୟ ଉପସ୍ଥିତ ଥିଲେ। କନ୍ୟା ପୂଜନର ଗୁରୁତ୍ୱ ଓ ଝିଅମାନଙ୍କ ପ୍ରତି ସମ୍ମାନ ସମ୍ପର୍କରେ ସମସ୍ତଙ୍କୁ ବିସ୍ତୃତ ଭାବେ ବୁଝାଇ ଦିଆଯାଇଥିଲା। ଏହି ଉତ୍ସବ ଝିଅମାନଙ୍କୁ ଶକ୍ତି ଓ ପବିତ୍ରତାର ପ୍ରତୀକ ରୂପେ ଉପସ୍ଥାପନ କରି ସମାଜରେ ସ୍ତ୍ରୀ-ପୁରୁଷ ସମାନତାର ବାର୍ତ୍ତା ପ୍ରଚାର କରେ। ଏହା ଝିଅମାନଙ୍କୁ ସମ୍ମାନ, ସୁରକ୍ଷା ଓ ସମାନ ଅଧିକାର ପ୍ରଦାନର ଆହ୍ୱାନ ଦେଇଥାଏ।

ସ୍କୁଲର ଶିକ୍ଷକମାନଙ୍କ ସହଯୋଗ ଏହି କାର୍ଯ୍ୟକ୍ରମକୁ ଅତ୍ୟନ୍ତ ସଫଳ ଓ ଅର୍ଥପୂର୍ଣ୍ଣ କରିଥିଲା। ଏହି ଉତ୍ସବ ସମାଜରେ ଝିଅମାନଙ୍କ ପ୍ରତି ସଚେତନତା ଓ ସମ୍ମାନ ବୃଦ୍ଧି କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଛି। ଏହା ସମାଜକୁ ମହିଳା ଶକ୍ତିର ମହତ୍ତ୍ୱ ବୁଝାଇ ଏକ ସୁନ୍ଦର ଭବିଷ୍ୟତ ଗଠନରେ ସହାୟକ ହେବ।

ଅତିଥିମାନେ କହିଥିଲେ କନ୍ୟା ପୂଜନ ଏହା ଶିକ୍ଷା ଦିଏ ଯେ ଝିଅମାନେ ହେଉଛନ୍ତି ଶକ୍ତି ଓ ପବିତ୍ରତାର ପ୍ରତୀକ। ଏହା ସମାଜକୁ ଝିଅମାନଙ୍କୁ ସମ୍ମାନ, ସୁରକ୍ଷା ଓ ସମାନ ଅଧିକାର ଦେବାର ବାର୍ତ୍ତା ଦିଏ।

ହିନ୍ଦୁ ଧର୍ମରେ ଛୋଟ ଝିଅମାନଙ୍କୁ ଦେବୀ ଦୁର୍ଗାଙ୍କ ପବିତ୍ର ରୂପ ବୋଲି ମାନାଯାଏ। କନ୍ୟା ପୂଜନ ମାଧ୍ୟମରେ ସେମାନଙ୍କୁ ସମ୍ମାନ ଦିଆଯାଏ ଓ ଦେବୀଙ୍କ ଆଶୀର୍ବାଦ ପାଇଁ ପ୍ରାର୍ଥନା କରାଯାଏ। ଏହା ସମାଜରେ ଝିଅମାନଙ୍କ ଗୁରୁତ୍ୱ ଓ ସମ୍ମାନକୁ ମଧ୍ୟ ଦର୍ଶାଇଥାଏ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ପ୍ରକଳ୍ପ ଓଡ଼ିଶାର ସାମାଜିକ-ଆର୍ଥିକ ବିକାଶକୁ ନୂଆ ଗତି ଦେବ – ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ପ୍ରକଳ୍ପ ଓଡ଼ିଶାର ସାମାଜିକ-ଆର୍ଥିକ ବିକାଶକୁ ନୂଆ ଗତି ଦେବ – ଧର୍ମେନ୍ଦ୍ର ପ୍ରଧାନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସେବା ପର୍ବ -୨୦୨୫’ ଅବସରରେ ଝାରସୁଗୁଡ଼ାରେ ଯୁବ ସମାବେଶରେ ଯୋଗଦେଇ ଓଡ଼ିଶା ସମେତ ରାଷ୍ଟ୍ର ଉଦ୍ଦେଶ୍ୟରେ ପ୍ରାୟ ୬୦,୦୦୦ କୋଟି ମୂଲ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉନ୍ମୋଚନ କରିଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ, ଦକ୍ଷତା ବିକାଶ ଓ ଭିତ୍ତିଭୂମି କ୍ଷେତ୍ରରେ ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାର ଜନସାଧାରଣଙ୍କ ଆକାଂକ୍ଷାକୁ ପୂରଣ କରିବ । ଓଡ଼ିଶା ଏବଂ ଦେଶର ସାମାଜିକ-ଆର୍ଥିକ ବିକାଶରେ ନୂତନ ଗତି ଦେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ରୀବଂ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଆଜି ଆଇଆଇଟି ପାଟନାରୁ ଝାରସୁଗୁଡାରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ସେବା ପକ୍ଷ କାର୍ଯ୍ୟକ୍ରମରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇଥିଲେ । ଶିଳାନ୍ୟାସ ଓ ଶୁଭାରମ୍ଭ ହୋଇଥିବା ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶା ଏବଂ ଆମ ଦେଶର ବିକାଶ ପଥ ପାଇଁ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ୩,୦୦୦ କୋଟି ଟଙ୍କା ବ୍ୟୟରେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ, ବୁର୍ଲା ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ବ୍ରହ୍ମପୁରକୁ ବିଶ୍ୱସ୍ତରୀୟ ସୁପର ସ୍ପେଶାଲିଟି ଚିକିତ୍ସାଳୟରେ ରୂପାନ୍ତରଣ କରିବା ପାଇଁ ଘୋଷଣା ହୋଇଛି । ଏହି ପଦକ୍ଷେପ ହସ୍ପିଟାଲକୁ ଅତ୍ୟାଧୁନିକ ଚିକିତ୍ସା କେନ୍ଦ୍ରରେ ପରିଣତ କରିବା ସହ ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବ ।

ପ୍ରଧାନମନ୍ତ୍ରୀ ପ୍ରାୟ ୧୧,୦୦୦କୋଟି ଟଙ୍କା ନିବେଶରେ ଆଠଟି ଆଇଆଇଟି – ତିରୁପତି, ପଲକଡ଼, ଭିଲାଇ, ଜମ୍ମୁ, ଧାରୱାଡ, ଯୋଧପୁର, ପାଟନା ଏବଂ ଇନ୍ଦୋରର ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ସମ୍ପ୍ରସାରଣ ଆଗାମୀ ଚାରି ବର୍ଷ ମଧ୍ୟରେ ୧୦,୦୦୦ ନୂତନ ଛାତ୍ରଛାତ୍ରୀଙ୍କ ପାଇଁ କ୍ଷମତା ସୃଷ୍ଟି କରିବ । ଆଠଟି ଅତ୍ୟାଧୁନିକ ଗବେଷଣା ପାର୍କ ପ୍ରତିଷ୍ଠା କରିବ, ଯାହା ଦ୍ୱାରା ଭାରତର ନବସୃଜନ ଇକୋସିଷ୍ଟମ ସୁଦୃଢ଼ ହେବ ଏବଂ ଗବେଷଣା ଓ ବିକାଶକୁ ବଡ଼ ପ୍ରୋତ୍ସାହନ ମିଳିବ ।

ଏହାବ୍ୟତୀତ ଆଇଆଇଟି ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଏବଂ ଇଏସଡିଏମ ପାର୍କ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନା ପ୍ରଶଂସନୀୟ ପଦକ୍ଷେପ । ଏହାଦ୍ୱାରା ଓଡ଼ିଶାରେ ସେମିକଣ୍ଡକ୍ଟର ଉତ୍ପାଦନ ବଢିବା ସହ ସେମିକଣ୍ଡକ୍ଟର କ୍ଷେତ୍ରରେ ଆନ୍ସିଲାରି ଇଣ୍ଡଷ୍ଟ୍ରିରେ ବ୍ୟାପକ ଅଭିବୃଦ୍ଧି ହେବ ଏବଂ ଓଡ଼ିଶାର ଅର୍ଥନୀତିକୁ ବଡ଼ ଗତି ମିଳିବ । ଭାରତବର୍ଷରେ ୪୨୦୦ କୋଟି ଟଙ୍କା ବ୍ୟୟରେ ମେରିଟ୍ ଯୋଜନା ମାଧ୍ୟମରେ ଇଞ୍ଜିନିୟରିଂ ଏବଂ ପଲିଟେକନିକ୍ ଶିକ୍ଷାନୁଷ୍ଠାନମାନଙ୍କର ଉନ୍ନତୀକରଣ ପ୍ରଶଂସନୀୟ ପଦକ୍ଷେପ । ଓଡ଼ିଶାରେ ଦକ୍ଷତା ବିକାଶକୁ ଆଗେଇ ନେବା ପାଇଁ ପ୍ରଧାନମନ୍ତ୍ରୀ ୧୯୭୯ କୋଟି ଟଙ୍କା ବ୍ୟୟରେ ସମ୍ବଲପୁର ଓ ବ୍ରହ୍ମପୁରରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନା ସହିତ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ଏଗ୍ରିଟେକ, ନବୀକରଣ ଉର୍ଜା, ରିଟେଲ, ମେରାଇନ ଏବଂ ଆତିଥେୟତା କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଉପରେ ପ୍ରାଧାନ୍ୟ ଦିଆଯିବ, ଯାହା ଦ୍ୱାରା ଆମର ଯୁବପିଢିମାନେ ଅଧିକ କୁଶଳୀ ହେବେ ଏବଂ ରୋଜଗାରର ନୂଆ ସୁଯୋଗ ତିଆରି ହେବ ।

ପ୍ରଧାନମନ୍ତ୍ରୀଙ୍କ କରକମଳରେ ଶିଳାନ୍ୟାସ ହୋଇଥିବା ସମ୍ବଲପୁର ସିଟି-ସରଲା ମଧ୍ୟରେ ୨୭୩ କୋଟି ଟଙ୍କାର ରେଳ ଫ୍ଲାଇଓଭର ଟ୍ରାଫିକ ଭିଡ଼କୁ ନିୟନ୍ତ୍ରଣ କରିବା ସହ ସମ୍ବଲପୁର ଏବଂ ଝାରସୁଗୁଡ଼ା ମଧ୍ୟରେ କୋଇଲା, ଖଣିଜ ପଦାର୍ଥ ଏବଂ ଶିଳ୍ପ ସାମଗ୍ରୀର ପରିବହନକୁ ସହଜ କରିବ । ବିଏସଏନଏଲ ଦ୍ୱାରା ସ୍ୱଦେଶୀ ୪ଜି(୫ଜି ପ୍ରସ୍ତୁତ)ନେଟଓ୍ୱାର୍କର ଶୁଭାରମ୍ଭ ଆମର ଟେଲିକମ କ୍ଷେତ୍ରକୁ ଅଧିକ ମଜଭୂତ୍ କରିବ । ୯୦ କୋଟି ଟଙ୍କା ବ୍ୟୟରେ ରାଜ୍ୟର ୧୩୦ଟି ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଓ୍ୱାଇ-ଫାଇ ସୁବିଧା ଦ୍ୱାରା ୨.୫ ଲକ୍ଷରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉପକୃତ ହେବେ । ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ଅଧୀନରେ ୫୦ ହଜାର ଘର ନିର୍ମାଣ ନିମନ୍ତେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପତ୍ର ବିତରଣ ହୋଇଛି । ଗରିବଙ୍କୁ ସମ୍ମାନର ସହ ପକ୍କା ଘର ଯୋଗାଇଦେବା ଦିଗରେ ଆମ ସରକାର ବଦ୍ଧ ପରିକର । ଶିଳାନ୍ୟାସ ଓ ଶୁଭାରମ୍ଭ ହୋଇଥିବା ସମସ୍ତ ପ୍ରକଳ୍ପ ଓଡ଼ିଶାର ଭବିଷ୍ୟତକୁ ସୁଦୃଢ଼ କରିବା ସହ ‘ସମୃଦ୍ଧ ଓଡ଼ିଶା’ ଓ ‘ବିକଶିତ ଓଡ଼ିଶା’ ଗଠନରେ ବେଶ୍ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ।

ଓଡ଼ିଶା ବିଧାନସଭାର ପ୍ରାକ୍ତନ ବାଚସ୍ପତି ଯୁଧିଷ୍ଠିର ଦାସ

ଓଡ଼ିଶା ବିଧାନସଭାର ପ୍ରାକ୍ତନ ବାଚସ୍ପତି ଯୁଧିଷ୍ଠିର ଦାସ

ବଞ୍ଚିଥିଲେ ଆଜି ସ୍ବାଧୀନତା ସଂଗ୍ରାମୀ ତଥା ବ୍ୟକ୍ତିଗତ ଭାବେ ଆମର ପରମ ସମ୍ମାନନୀୟ, ଆଚରଣ ଓ ଉଚ୍ଚାରଣସିଦ୍ଧ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରାଣ , ଓଡ଼ିଶା ବିଧାନସଭାର ପ୍ରାକ୍ତନ ବାଚସ୍ପତି ଯୁଧିଷ୍ଠିର ଦାସ ଶହେ ଦୁଇ ବର୍ଷ ଅତିକ୍ରମ କରି ଶହେ ତିନି ବର୍ଷରେ ପଦାର୍ପଣ କରିଥାନ୍ତେ । ସେହିପରି ଆଜି ମହାନ୍ ସ୍ବାଧୀନତା ସଂଗ୍ରାମୀ ଜୟକୃଷ୍ଣ ମିଶ୍ରଙ୍କ ଶ୍ରାଦ୍ଧ ଦିବସ ଏବଂ ଅନ୍ୟତମ ସ୍ବାଧୀନତା ସଂଗ୍ରାମୀ ନରସିଂହ ପ୍ରସାଦ ନନ୍ଦଙ୍କର ଆଜି ଜୟନ୍ତୀ । ପ୍ରତିଭା ପ୍ରସବିନୀ ଉତ୍କଳ ଜନନୀଙ୍କ ଏହି ସୁଯୋଗ୍ୟ ସନ୍ତାନ ମାନଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ବ୍ୟକ୍ତିଗତ ଭାବେ ଆମେ ବରେଣ୍ୟ ଯୁଧିଷ୍ଠିର ଦାସଙ୍କୁ ଯୁଝିଆନା ବୋଲି ସମ୍ବୋଧନ କରିଥାଉ । ୧୯୮୦ ରୁ ୨୦୧୪, ଦୀର୍ଘ ୩୪ ବର୍ଷର ଘନିଷ୍ଠ ସମ୍ପର୍କର ଇତିହାସ ବ୍ୟାପକ, ଅବିସ୍ମରଣୀୟ , ତାଙ୍କର ସ୍ମୃତି ଆମ ପାଇଁ ଅମ୍ଲାନ, ଅମୃତ । ୧୯୨୩ ମସିହା, ସେପ୍ଟେମ୍ବର ୨୫ ତାରିଖରେ ଅବିଭକ୍ତ କଟକ ଜିଲ୍ଲା, ଅଧୁନା ଜଗତସିଂହପୁର ଜିଲ୍ଲାର ରାହାଡିଙ୍ଗା ଗ୍ରାମରେ ବରେଣ୍ୟ ମଧୁସୂଦନ ଦାସ ଙ୍କ ପୁତ୍ର ଭାବରେ ଜନ୍ମ ଗ୍ରହଣ କରିଥିବା ଯୁଧିଷ୍ଠିର ଦାସ ଛାତ୍ର ଆନ୍ଦୋଳନର ନେତୃତ୍ଵ ନେଇଥିଲେ , ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଏବଂ ସ୍ବାଧୀନତା ପରେ ସମାଜସେବା ରେ ଯୋଗ ଦେଇ ସୋସିଆଲିଷ୍ଟିକ ପାର୍ଟିର ସଙ୍ଗଠକ ହୋଇଥିଲେ । ଆମେ ଜାଣିବାରେ ଜରୁରୀକାଳୀନ ପରିସ୍ଥିତି ସମୟରେ ୭ ମାସ କାରାବରଣ ବ୍ୟତୀତ ବିଭିନ୍ନ ଗଣ ଆନ୍ଦୋଳନରେ ସେ ଶତାଧିକ ଥର କାରାବରଣ କରିଥିଲେ । ରାଜନୈତିକ ଜୀବନରେ ସେ ରାଜ୍ୟର ଲୋକଦଳ ର ସଭାପତି , ପରବର୍ତ୍ତୀ ସମୟରେ ୧୯୮୯ ମସିହାରେ ନବ ଗଠିତ ( ଜନତା ପାର୍ଟି + ଲୋକଦଳ+ ଜନମୋର୍ଚ୍ଚା) ଜନତାଦଳର ଉପ ସଭାପତି ହୋଇଥିଲେ । ତାଙ୍କର ଅଗୋଚରରେ ସେ ହୋଇଥିଲେ ୧୯୯୦ ରେ କିଶନନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜନତାଦଳର ପ୍ରାର୍ଥୀ । ଏହି ପ୍ରାର୍ଥୀତ୍ବ ପୃଷ୍ଠଭୂମିରେ ରହିଛି ଏକ ଅନାଲୋଚିତ ଇତିହାସ । ଆମେ ଯେତେବେଳେ ପାନ ପାଇଁ ଓଡିଶା ନିବାସ ଛକ ଓଡ଼ିଆ ଦୋକାନରେ ଠିଆ ହୋଇଥିଲୁ , ସେତେବେଳେ ସେ ହଠାତ୍ ଆସି ପହଞ୍ଚିଲେ, ସେତେବେଳେ ଆମେ ତାଙ୍କୁ କହିଲୁ ଯେ ଆପଣ କିଶନନଗରରୁ ପ୍ରାର୍ଥୀ ହେଉଛନ୍ତି , ସେତେବେଳେ ସେ ଆମ ପିଠିକୁ ସ୍ନେହରେ ଗୋଟିଏ ବିଧା ମାରି କରିଥିଲେ , ତୁ କ’ଣ ସକାଳୁ ସକାଳୁ ଥଟ୍ଟା କରୁଛୁ ? ଏଇମିତିଆ କ’ଣ ଥଟ୍ଟା ମଜା କରାଯାଏ । ସେତେବେଳେ ସେ ଓଡ଼ିଶା ଜନତା ଦଳର ସଂସଦୀୟ କମିଟି ( ପାର୍ଲିଆମେଣ୍ଟାରୀ ବୋର୍ଡର) ର ସମସ୍ତ ନଥିପତ୍ର ଦାୟିତ୍ଵରେ ଥିଲେ । ଆମେ ତାଙ୍କୁ କହିଲୁ , ଚିତ୍ତ ଭାଇ ( ଚିତ୍ତରଞ୍ଜନ ମହାନ୍ତି) ଙ୍କ ଟିକେଟ କାଟିବାକୁ ଓ କେନ୍ଦ୍ରୀୟ ସଂସଦୀୟ କମିଟି ସଦସ୍ୟ ( ଦେବୀ ଲାଲ୍ ଙ୍କ ଅଧ୍ୟକ୍ଷତାରେ ଗଠିତ ସେଣ୍ଟ୍ରାଲ ପାର୍ଲିଆମେଣ୍ଟାରୀ ବୋର୍ଡ) ଅଜିତ ସିଂହ ଙ୍କ ସମର୍ଥନ ପାଇବା ପାଇଁ ବିଜୁ ବାବୁ ଯେଉଁ ଯୋଜନା କରିଛନ୍ତି , ସେହି ଆଧାରରେ ଆପଣ ପ୍ରାର୍ଥୀ ହେବେ । ସେ କହିଲେ ତୁ ତ ପାନୁଆ, ଗଞ୍ଜେଇ ଅଭ୍ୟାସ କେବେଠୁ କଲାଣୁ ? ସକାଳୁ ସକାଳୁ କୋଉ ଗଞ୍ଜେଇ ଖଟି ରୁ ଆସିଲୁ ? ହସିଦେଇ ବିଜୁ ବାବୁ ଙ୍କ ଡାକରା ପାଇ ଓଡ଼ିଶା ଭବନକୁ ପଳେଇଲେ । ଏହା ପରେ ଅଛି ଅନେକ ଅନାଲୋଚିତ ଇତିହାସ । ସେ ପ୍ରାର୍ଥୀ ହେଲେ ଓ ବିଜୟ ଲାଭ କଲେ, ପ୍ରଥମ ଥର ପାଇଁ ସେ ବିଧାନ ସଭା ଭିତରେ ପ୍ରବେଶ କଲେ , ସେ ଦିନ ଥିଲା ମାର୍ଚ୍ଚ ୯ ତାରିଖ, ୧୯୯୦, ଦଶମ ଓଡ଼ିଶା ବିଧାନ ସଭାର ମାନ୍ୟବର ବାଚସ୍ପତି ଭାବେ ଶପଥଗ୍ରହଣ କରିଥିଲେ , ୨୨ ମାର୍ଚ୍ଚ ,୧୯୯୫ ପର୍ଯ୍ୟନ୍ତ ସେ ଦୀର୍ଘ ପାଞ୍ଚ ବର୍ଷ ର କାର୍ଯ୍ୟକାଳ ରେ ଯେଭଳି ଭୂମିକା ନିର୍ବାହ କରିଥିଲେ, ତାହା ପୁଣି ବିଜୁ ବାବୁଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଭିତରେ, ତାହା ପରବର୍ତ୍ତୀ ସମୟରେ ବିଧାନ ସଭାର କାର୍ଯ୍ୟକ୍ରମ ର ଆହରଣୀୟ ଦର୍ଶନ । ୧୯୯୫ ରେ ସେ ପୁନଃ କିଶନ ନଗର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ତାଙ୍କର ସଚ୍ଚୋଟ ପଣିଆ ବା ନିର୍ମଳ ଭାବମୂର୍ତ୍ତି ଯେପରି ଅତୁଳନୀୟ, ଠିକ୍ ସେହିପରି ତାଙ୍କର ଓଡ଼ିଆ ଭାଷା ପ୍ରାଣ ବି ଅତୁଳନୀୟ । ଚିର କୁମାର ଯୁଝିଆନାଙ୍କ ସେହି କଲମ , ଯାହା ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀଙ୍କ ଭିନ୍ନ ଏକ ବିବାହ ସମାବେଶରେ ଅଧ୍ୟକ୍ଷତା କରୁଥିବା ସମୟରେ ତାଙ୍କ ପକେଟ୍ ରୁ ଥଟ୍ଟା ମଜା ରେ ଟାଣି ଆଣିଥିଲୁ , ସେହି କଲମ ଟି ପ୍ରତି ମୁହୂର୍ତ୍ତରେ ତାଙ୍କର ଅମୃତ ଅମ୍ଲାନ ସ୍ମୃତି କୁ ଉଜ୍ଜୀବିତ କରୁଛି । ବିଶ୍ବ ଓଡ଼ିଆ ସମ୍ମିଳନୀ ଦର୍ଶନ ପ୍ରଦାତା ଯୁଝିଆନା ଆମ ପାଇଁ ଚିର ସ୍ମରଣୀୟ, ବନ୍ଦନୀୟ । ସେହିପରି ଅନ୍ୟତମ ମହାନ୍ ଓଡିଆ ନରସିଂହ ପ୍ରସାଦ ନନ୍ଦ, ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଗ୍ରାମ ରେ ୧୯୨୭ ମସିହା, ସେପ୍ଟେମ୍ବର ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଭାରତ ଛାଡ଼ ଆନ୍ଦୋଳନରେ ରେଭେନ୍ସା ମହାବିଦ୍ୟାଳୟର ଛାତ୍ର ନେତା ଭାବେ ଯୋଗଦେଇଥିଲେ ଏବଂ ଗଡ଼ଜାତ ଆନ୍ଦୋଳନରେ ନେତୃତ୍ବ ନେଇଥିଲେ । ରାଜ୍ୟର ଜଣେ ଜନାଦୃତ ଅଧିବକ୍ତା ଭାବେ ପରିଚିତ ବରେଣ୍ୟ ନନ୍ଦ ୧୯୭୭ ମସିହାରେ କଙ୍ଗ୍ରେସ ଦଳ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ନିଜର ପ୍ରତିଭାର ପରିଚୟ ଦେଇଥିଲେ ।

କ୍ରମଶଃ

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ ତମ ଜୟନ୍ତୀ

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ ତମ ଜୟନ୍ତୀ

ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ ତମ ଜୟନ୍ତୀ । ବହୁମୁଖି ପ୍ରତିଭାଧର ଦୀନଦୟାଲ ଉପାଧ୍ୟାୟ ୧୯୧୬ ମସିହା, ସେପ୍ଟେମ୍ବର ୨୫ ତାରିଖ ଦିନ ମଥୁରା ଅନ୍ତର୍ଗତ ନଗଳା ଚନ୍ଦ୍ରଭାନ ଗ୍ରାମରେ ଭଗବତୀ ପ୍ରସାଦ ଉପାଧ୍ୟାୟ ଙ୍କ ପୁତ୍ର ଭାବରେ ଜନ୍ମ ଗ୍ରହଣ କରିଥିଲେ ଏହି ଇତିହାସ ସିଦ୍ଧ ଦାର୍ଶନିକ, ଐତିହାସିକ, ଅର୍ଥଶାସ୍ତ୍ର ବିଶାରଦ, ସାମ୍ବାଦିକ, ରାଜନୀତିଜ୍ଞ ତଥା ଜନସଂଘର ଅନ୍ୟତମ ପ୍ରତିଷ୍ଠାତା , ମାର୍ଗଦର୍ଶକ । ଶୈଶବ ରେ ନିଜ ପିତା- ମାତା ଙ୍କୁ ହରାଇଥିବା ଦୀନଦୟାଲ ମାମୁଁ ମାଇଁ ଙ୍କ ଆଶୀର୍ବାଦ ଓ ପ୍ରୋତ୍ସାହନରେ ଶିକ୍ଷାଲାଭ କରିଥିଲେ । ୧୯୩୭ ମସିହାରେ କାନପୁରରେ ସ୍ନାତକ ଅଧ୍ୟୟନ କରୁଥିବା ସମୟରେ ନିଜର ସହପାଠୀ ବାବୁଜୀ ମହାଶବ୍ଦେଙ୍କ ସହିତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରତିଷ୍ଠାତା କେଶବ ରାଓ ବଳିରାମ ହେଡଗେଓ୍ବାରଙ୍କ ସଂସ୍ପର୍ଶରେ ଆସି ତାଙ୍କ ଦ୍ବାରା ପ୍ରଭାବିତ ଓ ଅନୁପ୍ରାଣିତ ହୋଇଥିଲେ ଏବଂ ସଙ୍ଗଠନରେ ସାମିଲ ହୋଇ ତାଲିମ୍ ନେଇଥିଲେ । ୧୯୫୧ରେ ଶ୍ୟାମାପ୍ରସାଦ ମୁଖାର୍ଜୀ

” ଜନସଂଘ” ପ୍ରତିଷ୍ଠା କରିଥିବା ସମୟରେ ସେ ସେଥିରେ ଯୋଗଦେଇଥିଲେ ଏବଂ ଶ୍ୟାମାପ୍ରସାଦ ଙ୍କ ସନ୍ଦେହାତ୍ମକ ମୃତ୍ୟୁ ପରେ ଜନସଂଘର କାନପୁର ଅଧିବେଶନରେ ମହାସଚିବ ଭାବେ ମୃତ୍ୟୁ ପର୍ଯ୍ୟନ୍ତ ଦାୟିତ୍ଵରେ ରହିଥିଲେ ।୧୯୫୧ ରୁ ୧୯୬୮, ଫେବୃଆରୀ ୧୧ ଭିତରେ ତାଙ୍କର ଦୃଢ ନେତୃତ୍ବ, ପ୍ରଜ୍ଞା, ଦୂରଦୃଷ୍ଟି , ଅର୍ଥନୈତିକ ପ୍ରସ୍ତାବ ପ୍ରଭୃତିର ଇତିହାସ ବ୍ୟାପକ । ମାସିକ ପତ୍ରିକା ” ରାଷ୍ଟ୍ରଧର୍ମ” ର ସମ୍ପାଦନା କରିବା ଭିତରେ ତାଙ୍କର ଅଗ୍ରଲେଖ ଓ ଆଲେଖ୍ୟ ସମୂହ ଗୋଟିଏ ଗୋଟିଏ ଅମୂଲ୍ୟ ଦସ୍ତାବିଜ । ୨୦୧୪ ମସିହାରେ ନରେନ୍ଦ୍ର ଦାମୋଦର ଦାସ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଦିବସ କୁ ” ଜାତୀୟ ଅନ୍ତ୍ୟୋଦୟ ଦିବସ” ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ଅନ୍ତ୍ୟୋଦୟର ଅର୍ଥ ହେଉଛି , ଗରିବ ମାନଙ୍କ ଭିତରେ ଥିବା ସବୁଠୁ ଦୁର୍ବଳ , ନିର୍ଯ୍ୟାତିତ, ଅବହେଳିତ , ଦଳିତ ମାନଙ୍କ ଉତ୍ଥାନ , ସାମାଜିକ ନ୍ୟାୟ ପ୍ରଦାନ, ସେହି ମାନଙ୍କ କୌଶଳଭିତ୍ତିକ ବିକାଶ ସାଧନ ହିଁ ଏହି ଦିବସ ପାଳନ ର ଉଦ୍ଦେଶ୍ୟ ବୋଲି ଉଲ୍ଲେଖ ରହିଛି ।

ବିଶ୍ବ ସ୍ବପ୍ନ ଦିବସ

ବିଶ୍ବ ସ୍ବପ୍ନ ଦିବସ

ଆଜି ପାଳିତ ହୋଇଚାଲିଛି ତ୍ରୟୋଦଶତମ ବିଶ୍ବ ସ୍ବପ୍ନ ଦିବସ । ଏହି ଅବସରରେ ଯାହାଙ୍କର ସ୍ବପ୍ନ ସମ୍ପର୍କିତ ଦର୍ଶନ ଆମକୁ ଖୁବ୍ ପ୍ରଭାବିତ କରିଛି , ସେ ହେଉଛନ୍ତି ଅତିବଡ଼ି ସନ୍ଥ ଜଗନ୍ନାଥ ଦାସ ଓ ବହୁ ସୁବେଶଷଣର ଅଧିକାରୀ ତଥା ଭାରତର ଲୋକ ରାଷ୍ଟ୍ରପତି ଡଃ ଏ ପି ଜେ ଅବଦୁଲ କାଲାମ , ସେମାନଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି ପ୍ରଥମେ ଜଣାଉଛୁ କୋଟି ପ୍ରଣାମ ।

ସେହିପରି ଯାହାଙ୍କ ସୃଷ୍ଟି ଆମକୁ ସ୍ବପ୍ନ ର ପଣ୍ୟ “ମନ” ସମ୍ପର୍କରେ ଅଧିକ ଜ୍ଞାନବନ୍ତ ଓ ତଥ୍ୟବନ୍ତ କରିଛି , ସେ ହେଉଛନ୍ତି ପରମ ସମ୍ମାନନୀୟ ଭାଇନା ପ୍ରଶାନ୍ତ କୁମାର ଦାଶ ଓରଫ୍ ବିଶ୍ବମ୍ବର , ତାଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ତାଙ୍କର ଚଳଚଞ୍ଚଳ ଶତବିଶାସେ ବର୍ଷୀୟ ବୌଦ୍ଧିକ ଜୀବନ କାମନା କରୁଛୁ ।

୨୦୧୨ ମସିହାରେ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ପ୍ରଥମେ ବିଶ୍ବ ସ୍ବପ୍ନ ଦିବସ ପାଳନ କରାଯାଇଥିଲା । ଆମର ନିର୍ଦ୍ଧିଷ୍ଟ ମତ ଯେ ବିଶ୍ବର ଯେ କେହି ସ୍ବପ୍ନ ସମ୍ପର୍କରେ ଗବେଷଣା କରୁଥିବା ବିଶେଷଜ୍ଞ ଯେପର୍ଯ୍ୟନ୍ତ ଓଡ଼ିଶା ଆସି ,ଏଠାରେ ଗବେଷଣା କରିନାହାନ୍ତି, ସେ ପର୍ଯ୍ୟନ୍ତ ସେମାନଙ୍କ ଗବେଷଣା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ ।

ଏହାର କାରଣ ହେଲା , ସ୍ବପ୍ନ ର ସଂଜ୍ଞା , ସ୍ବପ୍ନ ର ବର୍ଗୀକରଣ, ସ୍ବପ୍ନାଦେଶ ସମ୍ପର୍କିତ ଅନେକ ଉଦାହରଣୀୟ ତଥ୍ୟ ଆମର ଶାସ୍ତ୍ର,ପୁରାଣ , କିମ୍ବଦନ୍ତୀ ରେ ଯେପରି ଭରପୁର ରହିଛି , ସେହିପରି ସ୍ବପ୍ନର ଅନେକ ବର୍ଗୀକରଣ ମଧ୍ୟରୁ ଅଧୁରା ସ୍ବପ୍ନ ର ବିଶାଳତା, ପୂର୍ତ୍ତି ଅବଧିର ପ୍ରଲମ୍ବିତ ବାସ୍ତବ ତଥ୍ୟ ବିଶ୍ବର ଅନ୍ୟ କେଉଁଠାରେ ମିଳିବ ନାହିଁ, ଏଥିରେ ଆମେ ଦୃଢ ନିଶ୍ଚିତ । ଏ ସମ୍ପର୍କରେ ଆମେ ଆଜି ଏକ ଦୀର୍ଘ ଉପସ୍ଥାପନ କରିବାକୁ ଯାଉଛୁ , ଯଦିଓ ଭଲ ଭାବରେ ଅବଗତ ଯେ ଆମର ଅନେକ ବନ୍ଧୁ ତାହା ପଢ଼ିବେ ନାହିଁ , ସ୍ବଳ୍ପ ସଂଖ୍ୟକ ବନ୍ଧୁ ମାନେ ପଢ଼ିବେ ଏବଂ ତାହା ପରବର୍ତ୍ତୀ ପିଢ଼ି ଙ୍କ ଉଦ୍ଦେଶ୍ୟରେ ହେବ ଶ୍ରଦ୍ଧାର୍ପିତ । ସୁବାର୍ତ୍ତାର ୨୦୧୭ ମସିହା, ମାର୍ଚ୍ଚ ୬ ତାରିଖ ସଂଖ୍ୟାର ଅଗ୍ରଲେଖର ଶୀର୍ଷକ ଥିଲା ” ସ୍ବପ୍ନ” , ଯାହାର ନକଲ ନିମ୍ନ ଉପସ୍ଥାପନରେ ଦେଇଛୁ । ସେଥିରେ ଉଲ୍ଲେଖ କରିଥିଲୁ “ସ୍ବପ୍ନ” ହେଉଛି ଏକ ମଧୁର କଳ୍ପନା ।

କ୍ରମଶଃ

ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୫’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୫’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୫ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୧୫ ମିନିଟରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହେବାକୁ ଥିବା ‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୫’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।

‘ୱାର୍ଲ୍ଡ ଫୁଡ୍ ଇଣ୍ଡିଆ ୨୦୨୫’ ସଂସ୍କରଣ ୨୫ ରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର, ଖାଦ୍ୟ ସ୍ଥିରତା ଏବଂ ପୁଷ୍ଟିକର ତଥା ଜୈବିକ ଖାଦ୍ୟ ଉତ୍ପାଦନରେ ଭାରତର ଶକ୍ତି ପ୍ରଦର୍ଶନ କରିବ ।

ୱାର୍ଲ୍ଡ ଫୁଡ୍ ଇଣ୍ଡିଆରେ, ପ୍ରଧାନମନ୍ତ୍ରୀ ଫର୍ମାଲାଇଜେସନ୍ ଅଫ୍ ମାଇକ୍ରୋ ଫୁଡ୍ ପ୍ରୋସେସିଂ ଏଣ୍ଟରପ୍ରାଇଜେସ୍ (ପିଏମଏଫଏମଇ) ଯୋଜନା ଅଧୀନରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୨୫୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଛୋଟ ପ୍ରକଳ୍ପ ପାଇଁ ପ୍ରାୟ ୨୬,୦୦୦ ହିତାଧିକାରୀଙ୍କୁ ୭୭୦ କୋଟି ଟଙ୍କାରୁ ଅଧିକ ଋଣ ସଂଯୁକ୍ତ ସହାୟତା ପ୍ରଦାନ କରାଯିବ ।

ୱାର୍ଲ୍ଡ ଫୁଡ୍ ଇଣ୍ଡିଆରେ ସିଇଓ ରାଉଣ୍ଡଟେବଲ୍, ବୈଷୟିକ ଅଧିବେଶନ, ପ୍ରଦର୍ଶନୀ ଏବଂ ବି୨ବି (ବ୍ୟବସାୟ ରୁ ବ୍ୟବସାୟ), ବି୨ଜି (ବ୍ୟବସାୟ ରୁ ସରକାର), ଏବଂ ଜି୨ଜି (ସରକାର ରୁ ସରକାର) ବୈଠକ ସମେତ ଏକାଧିକ ବ୍ୟବସାୟିକ ବାର୍ତ୍ତାଳାପ ଅନ୍ତର୍ଭୁକ୍ତ ହେବ । ଏଥିରେ ୧୫୦ ଜଣ ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀଙ୍କ ସହିତ ଫ୍ରାନ୍ସ, ଜର୍ମାନୀ, ଇରାନ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଡେନମାର୍କ, ଇଟାଲୀ, ଥାଇଲାଣ୍ଡ, ଇଣ୍ଡୋନେସିଆ, ତାଇୱାନ, ବେଲଜିୟମ, ତାଞ୍ଜାନିଆ, ଇରିଟ୍ରିଆ, ସାଇପ୍ରସ୍, ଆଫଗାନିସ୍ତାନ, ଚୀନ୍ ଏବଂ ଆମେରିକା ସମେତ ୨୧ଟି ଦେଶ ମଧ୍ୟ ପ୍ରଦର୍ଶିତ ହେବେ ।

ଭାରତ ଏକ ବିଶ୍ୱ ଖାଦ୍ୟ ପ୍ରକ୍ରିୟାକରଣ ହବ୍, ଖାଦ୍ୟ ପ୍ରକ୍ରିୟାକରଣରେ ସ୍ଥିରତା ଏବଂ ନେଟ୍ ଜିରୋ, ଖାଦ୍ୟ ପ୍ରକ୍ରିୟାକରଣରେ ସୀମା, ଭାରତର ଗୃହପାଳିତ ପଶୁ ଖାଦ୍ୟ ଶିଳ୍ପ, ପୁଷ୍ଟିସାଧନ ଏବଂ ସ୍ୱାସ୍ଥ୍ୟ ପାଇଁ ପ୍ରକ୍ରିୟାକୃତ ଖାଦ୍ୟ, ଉଦ୍ଭିଦ-ଆଧାରିତ ଖାଦ୍ୟ, ନ୍ୟୁଟ୍ରାସ୍ୟୁଟିକାଲ୍ସ, ସ୍ୱତନ୍ତ୍ର ଖାଦ୍ୟ ଆଦି ବିଭିନ୍ନ ବିଷୟକୁ ନେଇ ଓ୍ବର୍ଲଡ ଫୁଡ୍‍ ଇଣ୍ଡିଆ ଏକାଧିକ ବିଷୟଗତ ଅଧିବେଶନ ଅନୁଷ୍ଠିତ ହେବ । ଏଥିରେ ୧୪ଟି ମଣ୍ଡପ ରହିବ, ପ୍ରତ୍ୟେକଟି ନିର୍ଦ୍ଦିଷ୍ଟ ବିଷୟବସ୍ତୁ ପାଇଁ ଉତ୍ସର୍ଗୀକୃତ ଏବଂ ପ୍ରାୟ ୧ ଲକ୍ଷ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ।

ପୂର୍ବତନ ଭାରତୀୟ କ୍ରିକେଟର କପିଲ ଦେବଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ପୂର୍ବତନ ଭାରତୀୟ କ୍ରିକେଟର କପିଲ ଦେବଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ମହାନ ଅଲରାଉଣ୍ଡର କପିଲ ଦେବ ଏବଂ ପ୍ରଫେସନାଲ ଗଲ୍ଫ ଟୋର୍ ଅଫ୍ ଇଣ୍ଡିଆ(ପିଜିଟିଆଇ)ର ସିଇଓ ଅମନଦୀପ ସିଂହ ଜୋହଲଙ୍କୁ ସାକ୍ଷାତ୍ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।

ଏହି ଅବସରରେ କ୍ରୀଡ଼ାଭିତ୍ତିକ ଶିକ୍ଷା, ଶାରୀରିକ ସୁସ୍ଥତା, ଖେଳ ପରମ୍ପରାକୁ ସୁଦୃଢ଼ କରିବା ଉପରେ ଚର୍ଚ୍ଚା ହୋଇଥିଲା । ନୂତନ ଜାତୀୟ ଶିକ୍ଷା ନୀତି ୨୦୨୦ କିପରି ବିଦ୍ୟାଳୟ ପାଠ୍ୟକ୍ରମରେ କ୍ରୀଡ଼ାକୁ ଏକ ଅଂଶ ଭାବରେ ସାମିଲ କରୁଛି, ସେନେଇ ସକରାତ୍ମକ ଆଲୋଚନା କରାଯାଇଥିଲା । ଏ ସମ୍ପର୍କରେ ଶ୍ରୀ ପ୍ରଧାନ କହିଛନ୍ତି, କ୍ରୀଡ଼ା କେବଳ ମନୋରଞ୍ଜନ ନୁହେଁ, ଏହା ଶିକ୍ଷା ଏବଂ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଖେଳ ମାଧ୍ୟମରେ ପିଲାମାନେ ଅନୁଶାସନ ଏବଂ ନେତୃତ୍ୱ ନେବା ଭଳି ଗୁଣ ଶିଖିପାରିବେ । ଆଜିର ବୈଠକରେ ଜାତୀୟ ଶିକ୍ଷା ନୀତି କ୍ରୀଡ଼ା-ସମନ୍ୱିତ ଶିକ୍ଷା ମାଧ୍ୟମରେ ସାମଗ୍ରିକ ବିକାଶକୁ କିପରି ପ୍ରୋତ୍ସାହିତ କରୁଛି, ସେ ସମ୍ପର୍କରେ ବିଶେଷ ଭାବେ ଆଲୋଚନା ହୋଇଥିଲା । ଏହି ନୀତି ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏକ ସୁନ୍ଦର ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରୁଛି ବୋଲି ସେ କହିଥିଲେ ।

ମୋତେ ଯେତେ ମାଠିଵୁ ମାଠ……

ମୋତେ ଯେତେ ମାଠିଵୁ ମାଠ……

” ମହାକାଳ ଫଳ, ଉପର ଦିଶଇ କେଡେ ସୁନ୍ଦର,ଭିତରଟା ତା’ର ପୋଡ଼ା ଅଙ୍ଗାର” ,ଏହି ବହୁ ପୁରାତନ ଓ ବହୁଳ ବ୍ୟବହୃତ ଢଗଟିକୁ ପିଲାଦିନେ ଆମେ ଅନେକ ପ୍ରସଙ୍ଗରେ ଅବତରଣ କରିଆସିଥିଲୁ ସେତିକିବେଳେ , ଯେତେବେଳେ  କେତେକ ନିଜକୁ ଭିତରେ ଫମ୍ପା ଅର୍ଥାତ୍ ଅନ୍ତଃଶାରଶୂନ୍ୟ ଅନୁଭବ କରନ୍ତି , ଠିକ୍ “ମନ ଜାଣେ ପାପ,ମାଆ ଜଣେ ବାପ” ନ୍ୟାୟରେ ,ସେତେବେଳେ ସେହିମାନେ ହିଁ  ବାହାରଟାକୁ  ଚକଚକ୍ କରି ସଜାଇ ହୋଇ ଛଳନାର ଆଶ୍ରୟ ନେଉଥିବା ସମୟରେ । ଯେପରି  ଷାଠିଏ/ ସତୁରୀ ଦଶକରେ ଦିଲ୍ଲୀପ କୁମାରଙ୍କ ଭଳି ଅଭିନେତା ମାନେ ଅଙ୍ଗର ଭାଷାରେ ଜୀବନ୍ତ ଅଭିନୟ କରି ପ୍ରସିଦ୍ଧି ଲାଭ କରିଥିଲେ । ଆଖିରେ ଆଖିରେ ଯେଉଁ ଭାବ ସୃଷ୍ଟି ହେଉଥିଲା , ଏବେ ଶରୀର ପ୍ରଦର୍ଶନରେ ସେହି ଭାବ ଆଉ ସୃଷ୍ଟି ହେଉନାହିଁ । ଯେଉଁମାନେ ନିଜର ଅନ୍ତଃସ୍ଥଶକ୍ତି ସମ୍ପର୍କରେ ସ୍ବାଭାବିକ ଭାବେ ସଚେତନ, ସେମାନେ ସେହି ଶକ୍ତିର ଅଭିବୃଦ୍ଧି ନିମନ୍ତେ ନିରନ୍ତର ପ୍ରୟାସରତ ଥାଆନ୍ତି ଏବଂ ସେଥିରେ ସେମାନେ ଶାଶ୍ବତ ଆନନ୍ଦ ମଧ୍ୟ ଉପଲବ୍ଧି କରନ୍ତି । ଏଭଳି ଉପସ୍ଥାପନଟି  କାହିଁକି  ବୋଲି ଆପଣଙ୍କ  ଭିତରେ  ପ୍ରଶ୍ନଟି ଉଙ୍କି ମାରୁଥିବ , ମାରିବା ମଧ୍ୟ ସ୍ବାଭାବିକ ।  ଆମେ ପ୍ରାୟ ଖୁବ ନିକଟସ୍ଥ ସ୍ଥାନକୁ ଯିବା ସମୟରେ ସାଇକେଲରେ ଯାଇଥାଉ , ଅନ୍ୟ ସ୍ଥାନକୁ ସ୍କୁଟିରେ ଯାଇଥାଉ ଏବଂ ଯେଉଁ ସମୟରେ ଇନ୍ଧନ ପାଇଁ ଅର୍ଥ ବାଧକ ସାଜେ,ସେତେବେଳେ ମଧ୍ୟ ସାଇକେଲରେ ଯାଇଥାଉ । ଆମେ ପଞ୍ଚମ ଶ୍ରେଣୀରେ ପଢ଼ିବା ସମୟରେ ସାଇକେଲ ଚଲାଇବା ଶିଖିଥିଲୁ  , ଶଗଡଗୁଳାରେ ମାଙ୍କଡିଆ ( ମଙ୍କି) ଅଭ୍ୟାସ କରି , ଘରେ ଲୁଚିକରି । ନନା ( ପିତା) ୧୯୪୨ ମସିହାରେ ଗୋଟିଏ ବି. ଏସ. ଏ ( BSA, ଇଂରାଜୀ ମଡେଲ) ସାଇକେଲ ( ସେତେବେଳେ ଶୂନ ଗାଡି କୁହାଯାଉଥିଲା) କିଣିଥିଲେ । ଜେଜେ ମାଆ ରେବତୀ ଦେବୀଙ୍କ ଠାରୁ ଶୁଣିଥିଲୁ ଯେ ସେତେବେଳେ ଖଣ୍ଡମଣ୍ଡଳରୁ ଲୋକେ କୁଆଡେ ଏହି ଶୂନୁଗାଡି ଦେଖିବାକୁ ଆସିଥିଲେ । ସେ ଯାହାହେଉ ଉଦୁଉଦିଆ ଦ୍ୱିପ୍ରହରରେ ଲୁହା କଣ୍ଟାରେ ଚାବି ଖୋଲି ଶଗଡଗୁଳାରେ ମାଙ୍କଡିଆ ସାଇକେଲ ଚଲେଇ କେତେ ଯେ ଖଣ୍ଡିଆ ଖାବରା ହୋଇଛୁ ଓ ଅମରି ମାଡ ଖାଇ ପିଠିରେ କଳାଦାଗ ପଡ଼ିଥିଲା , ତା’ର ହିସାବ ନାହିଁ । ମହାବିଦ୍ୟାଳୟରେ ପାଦଦେବା ପରେ ବିଧିବଦ୍ଧ ଭାବେ ଆମେ ସେହି ସାଇକେଲର ମାଲିକାନା ସତ୍ତ୍ବ ପାଇଯାଇଥିଲୁ । ସାଇକେଲରେ ଓଡ଼ିଶା ବୁଲିଛୁ , ଏପରିକି ଅନେକ ଦିନ  ସାଇକେଲରେ ଗାଁ ରୁ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ପଢିବାକୁ ଯାଇ ଅପରାହ୍ନ ୪ ଟାରେ ସେଠାରୁ ବାହାରି ରାତି ସାଢ଼େ ଆଠଟାରେ ଘରେ ପହଞ୍ଚି ପଖାଳ ଖାଇ ,ଜେଜେ ମାଆର ଗରମ ରସୁଣଫୁଟା ସୋରିଷ ତେଲ ଘଷାରେ ନିଘୋଡ଼ ନିଦରେ ଶୋଇ ଯାଇଛୁ । ଅତଏବ ସାଇକେଲ ଆମର ଅତ୍ୟନ୍ତ ପ୍ରିୟ ,ସେଥିପାଇଁ ତ ଆମେ ଯେତେବେଳେ ୧୯୮୪ ମସିହାରେ ପୁରୀ ସଂସଦୀୟ କ୍ଷେତ୍ର ( ପାର୍ଲିଆମେଣ୍ଟ କନସ୍ଟିଚ୍ୟୁଏନସି)ରେ ସ୍ବର୍ଗତ ବ୍ରଜ ମୋହନ ମହାନ୍ତି ଓ ସ୍ବର୍ଗତ ବାରିଷ୍ଟର ରଣଜୀତ ମହାନ୍ତି ଙ୍କ ସହିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲୁ ସେତେବେଳେ ଆମେ ନାମାଙ୍କନ ପତ୍ରରେ ତିନୋଟି ଚିହ୍ନ ଯଥା ସାଇକେଲ, ବହି ଓ ଧାନ କଳେଇ ମୁଣ୍ଡେଇ ଥିବା ଚାଷୀ ମଧ୍ୟରୁ ଗୋଟିଏ ସଙ୍କେତ ଦେବାପାଇଁ ଅନୁରୋଧ କରିଥିଲୁ , ଆମକୁ ମିଳିଥିଲା ସାଇକେଲ ଚିହ୍ନ । ଆମର ପିତୃବ୍ୟ, ଚିର ବନ୍ଦନୀୟ କକେଇ କୁସୁମ କବି ସ୍ବର୍ଗତ ଫକୀର ମୋହନ ଶତପଥୀ ଯେତେବେଳେ ବିଵାହ କଲେ ସେତେବେଳେ ତାଙ୍କ ଶ୍ବଶୁର ସ୍ବର୍ଗତ ଦିବାକର ରଥ ଗୋଟିଏ ହମ୍ବର ସାଇକେଲ, ଗୋଟିଏ ଆଙ୍ଗ୍ଲୋସୁଇଜ୍ ଘଣ୍ଟା ଓ ଗୋଟିଏ ମର୍ଫି ରେଡ଼ିଓ  ଉପହାର ଅବା ଅନ୍ୟ ଅର୍ଥରେ ଯୌତୁକ ଦେଇଥିଲେ ।  କକେଇ ସେହି ସାଇକେଲରେ କଣାସ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ସେବା ନିବୃତ ହେବା ପର୍ଯ୍ୟନ୍ତ ପ୍ରାୟ ପ୍ରତିଦିନ ,କିବା ଝଡି,କିବା ବର୍ଷାରେ ୨୪ କିଲୋମିଟର ଯିବା ଆସିବା କରୁଥିଲେ , ଏପରିକି ତାଙ୍କର ୮୨ ବର୍ଷରେ ମୃତ୍ୟୁ ପର୍ଯ୍ୟନ୍ତ ସେହି  ୫୬ ବର୍ଷୀୟ ସାଇକେଲରେ ଯିବା ଆସିବା କରୁଥିଲେ । ଆମ ପୁଅ  ସଂଘର୍ଷ ତ ଅନେକ ଥର ଭୁବନେଶ୍ୱରରୁ ପୁରୀ ସାଇକେଲରେ ଯାଇ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଅବଢା ଧରି ଆସିଛି, ଏପରିକି  ଅନେକ ଥର ସାଇକେଲରେ ଆମ ଗାଁ କୁ ୬୦ କିମି  ଯାଇଛି । ଏପରିକି ଭୁବନେଶ୍ବର ରୁ ବୁର୍ଲା ମଧ୍ୟ ଯାଇଥିଲା ।ଏ ସବୁ ପ୍ରସଙ୍ଗ ଅବତାରଣାର କାରଣ କ’ଣ ବୋଲି ଆପଣମାନଙ୍କ ମନରେ ପ୍ରଶ୍ନ ଉଠିବଣି, ଉଠିବା ମଧ୍ୟ ସ୍ବାଭାବିକ । କଥା ହେଲା ଯେ ଆଜି ସକାଳେ ଆମ ଗାଁ ପାଖର ଜଣେ ଆମ ସହିତ ମାଧ୍ୟମିକ ବିଦ୍ୟାଳୟ ପଢୁଥିବା ସମୟର ସହପାଠୀ ସାଙ୍ଗର ପୁଅ ଚଞ୍ଛା ପଇଡ ୫ ଟି, କିଛି ବାଇଗଣ, ଜହ୍ନି  ସହିତ ପରିବା ବ୍ୟାଗଟେ ଧରି ଘରେ ପହଞ୍ଚିଲା । ଆମେ ତାକୁ କହିଲୁ ଯେ ଏସବୁ କ’ଣ ପାଇଁ ଆଣିଲୁ ?  ସେ କହିଲା ଆପଣଙ୍କ ପାଖକୁ ଆସିବାକୁ ବାପା କହିଲେ ତ ବୋଉ କହିଲା କ’ଣ ଖାଲି ହାତରେ ଯିବୁ,ଏତକ ତୋ ମଉସା ପାଇଁ ନେଇଯା।  ବନ୍ଧୁଙ୍କ ହାତ ଲେଖା ଚିଠିଟି ସେ ଆମ ହାତକୁ ବଢାଇ ଦେଲା । ସେଥିରେ ଲେଖାଥିଲା ” ନେହେରୁ ଜାଣିବୁ , ପୁଅ  ଯାଉଛି , ତା ହାତରେ ଟଙ୍କା ପାଞ୍ଚ ହଜାର ପଠାଇବୁ ,  ତିନି ମାସ ପରେ ତୋତେ ଫେରାଇ ଦେବି । ପିଲା ଦିନର ଘନିଷ୍ଠ ସାଙ୍ଗ , ତା ଝିଅ ବାହାଘରକୁ ଆମେ ତିନି ଜଣ ସାଙ୍ଗ ଦଶ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଥିଲୁ । ସେ ଯେ ଆଉ ଫେରାଇବ ନାହିଁ , ଏଥିରେ ଆମେ ଦୃଢ ନିଶ୍ଚିତ ଥିଲୁ । ଅପରପକ୍ଷରେ ଆମର ଏକ ଅଭ୍ୟାସଗତ ଦୋଷ ଅଛି , ଯେତେ ଚେଷ୍ଟା ଓ ବାରମ୍ବାର ଶପଥଗ୍ରହଣ କଲେ ମଧ୍ୟ ସେହି ଦୋଷରୁ ଆମେ ମୁକ୍ତ ହୋଇପାରିନାହୁଁ । ସେହି ଦୋଷଟି ହେଲା ଆମେ କାହାକୁ ନା  କହିପାରିନାହୁଁ , ଯେଉଁଥିପାଇଁ ଆମେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛୁ, ପତ୍ନୀଙ୍କ ସମାଲୋଚନାର ଭାଷାରେ  ଲଜ୍ଜିତ ବି ବହୁବାର ହୋଇଛୁ ସତ୍ୟ ମାତ୍ର , ଠିକ୍ ସମୟରେ ପୂର୍ବରୁ କରିଥିବା ଶପଥ ଭୁଲି ପୁନର୍ବାର ସେହି ଭୁଲ୍ କରିଆସିଛୁ । ପତ୍ନୀ ସାମାନ୍ୟ ଅସୁସ୍ଥ ଥିବାରୁ ସେ ଔଷଧ ଖାଇ ଶୋଇଥିବା ସମୟରେ ଆମେ ଧିରକିନା ତାଙ୍କର ଆଲମିରା ଖୋଲି ୧୦ ଟି ପାଞ୍ଚଶହ ଟଙ୍କିଆ  ନୋଟ୍ ଆଣି ତାକୁ ଧରେଇ ଦେଲୁ । ଟଙ୍କା ପକେଟରେ ରଖି ସାରି ସେ କହିଲା ” ମଉସା ଆପଣଙ୍କ ଗାଡ଼ି ଟିକେ ଦିଅନ୍ତୁ, ମୁଁ ବାପୁଜୀ ନଗରରୁ ଗୋଟିଏ ସାଇକେଲ ପାର୍ଟ କିଣି ଆସିବି, ଏଇଠୁ ବସରେ ବସି ଗାଁ କୁ ଫେରିଯିବି । ଆମେ ତାକୁ କହିଲୁ ଆରେ ବାପା ତୁ ସାଇକେଲ ଚାବି ନେଇ ଯାଆ, ଯେତେବେଳେ ଆସିଲେ ଚଳିବ , ମୋତେ ହଠାତ୍ କୁଆଡେ ଯିବାକୁ ପଡିଲେ ଯାଇ ପାରୁନଥିବି, ମାଉସୀ ଦେହ ଖରାପ , ତୁ ସାଇକେଲ ନେଇ ଯାଆ । ସେ କହିଲା ମଉସା , ମୁଁ ସାଙ୍ଗେ ସାଙ୍ଗେ ଯିବି,ସାଙ୍ଗେ ସାଙ୍ଗେ ଫେରି ଆସିବି , ଆପଣ ମଟର ସାଇକେଲ ଚାବି ଟିକେ ଦିଅନ୍ତୁ । ସେହି ରୋଗ ପୁଣି ଦେଖାଦେଲା, ତାକୁ ଆଉ ମନା କରିପାରିଲୁ ନାହିଁ , ଚାବି ଦେଇ ଦେଲୁ । ସେ ଯିବା ପରେ ଆମେ  ଆମର କୁଅଭ୍ୟାସର ସାଥୀ ପାନ ଭାଙ୍ଗୁଥିବା ସମୟରେ ଅନେକ କଥା ମନକୁ ଆସିଲା ।ସାତ ଆଠ ବର୍ଷ ତଳେ ବୋଧେ ‘ ଟାଇମ୍ସ ଅଫ ଇଣ୍ଡିଆ ‘ଦୈନିକ ଖବରକାଗଜରେ ପ୍ରକାଶିତ ଏକ ସମ୍ବାଦର ସମୀକ୍ଷା କରି ସୁବାର୍ତ୍ତାରେ ଏକ ଆଲେଖ୍ୟ ପ୍ରକାଶ କରିଥିଲୁ । କିଭଳି କାଲିଫର୍ଣ୍ଣିଆସ୍ଥିତ ସିଲିକନ ଭ୍ୟାଲି ଅଞ୍ଚଳରେ , ଯେଉଁଠି ବହୁ ଖ୍ୟାତିସମ୍ପନ୍ନ କମ୍ପ୍ୟୁଟର ଓ ଇଲୋକର୍ଟ୍ରୋନିକସ୍ ଶିଳ୍ପ ପ୍ରତିଷ୍ଠାନ ରହିଛି , ଯେଉଁଥିରେ ଅନେକ ଉଚ୍ଚ ବୈଷୟିକ ଜ୍ଞାନ ବିଜ୍ଞାନ ବିଶେଷଜ୍ଞ ଉଚ୍ଚ ବେତନରେ କାର୍ଯ୍ୟରତ , ସମସ୍ତେ କାର୍ଯ୍ୟାଳୟକୁ  ସାଇକେଲରେ ଯିବା ଆସିବା କରିଥାନ୍ତି । ଭାରତରେ ଜନ୍ମିତ ଓ ଆମେରିକାର ନାଗରିକତ୍ବ ଗ୍ରହଣ କରିଥିବା କେମ୍ବ୍ରିଜ ବିଶ୍ବବିଦ୍ୟାଳୟ ପ୍ରଫେସର ସି ଭେଙ୍କଟ ରମଣ ରାମକୃଷ୍ଣନ ୨୦୦୯ ମସିହାରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ବିଜେତା ହେବା ସମୟରେ ଗଣମାଧ୍ୟମରେ ବ୍ୟାପକ ଭାବେ ହୋଇଥିବା ଚର୍ଚ୍ଚା ଏବେବି ମନେ ପଡେ । ତାଙ୍କର ଖଣ୍ଡିଏ କାର ନଥିଲା , ପ୍ରତିଦିନ ସେ ବାସଭବନରୁ ବିଶ୍ବବିଦ୍ୟାଳୟର ଶ୍ରେଣୀ ପ୍ରକୋଷ୍ଠକୁ ଯିବା ଆସିବା ପାଇଁ ସାଇକେଲ ବ୍ୟବହାର କରୁଥିଲେ । ଅର୍ଥଶାସ୍ତ୍ର ବିଶାରଦ ତଥା ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍ ଙ୍କୁ ଶାନ୍ତି ନିକେତନରେ ସାଇକେଲରେ ଯିବା ଆସିବା କରୁଥିବା ସମସ୍ତେ ଲକ୍ଷ୍ୟ କରିଥିବେ । ଏବେବି ଅନେକ ରାଷ୍ଟ୍ର ନେତା, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ମାନେ ସାଇକେଲରେ  କାର୍ଯ୍ୟାଳୟ କୁ ଯିବା ଆସିବା କରୁଥିବା ସ୍ଥିର ଚିତ୍ର (ଫଟୋଚିତ୍ର) ଆମେ ଗଣମାଧ୍ୟମ ସୌଜନ୍ୟରୁ ଦେଖି ଥାଏ । ଆମେ ପାଠପଢୁଥିବା ସମୟରେ ଆମକୁ ଗଣିତ ସମ୍ମାନ ( ଅନର୍ସ) ପଢ଼ାଉଥିବା ଗଣିତ ଶାସ୍ତ୍ର ବିଶେଷଜ୍ଞ ଡଃ ଶୁକଦେବ ରଥ, ବିଭାଗୀୟ ମୁଖ୍ୟ ଦେବକୀ ନନ୍ଦନ ମହାନ୍ତିଙ୍କ ସମେତ ରସାୟନ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡଃ ଫଣିଭୂଷଣ ଦାସ ପ୍ରଭୃତି ଅନେକ ପ୍ରାଧ୍ୟାପକ ମାନେ ସାଇକେଲରେ ଯିବା ଆସିବା କରୁଥିଲେ । ଏକଦା ତୈଳଦର ବୃଦ୍ଧି ପ୍ରତିବାଦରେ ବିଜୁ ଆଜ୍ଞା ମୁଖ୍ୟମନ୍ତ୍ରୀ ଥିବା ସମୟରେ ସାଇକେଲରେ ସେତେବେଳେ ର ସଚିବାଳୟ ,ଆଜିର ଲୋକ ସେବା ଭବନକୁ ଆସୁଥିବା ସ୍ଥିର ଚିତ୍ର (ଫଟୋଚିତ୍ର) ବହୁ ଚର୍ଚ୍ଚିତ ଥିଲା । ସେହି ବିଜୁ ଆଜ୍ଞା ଯେତେବେଳେ ମହାବିଦ୍ୟାଳୟ ଛାତ୍ର ଥିଲେ, ମାତ୍ର ୧୬ ବର୍ଷ ବୟସରେ ଦୁଇ ଜଣ ସହପାଠୀ ସାଙ୍ଗଙ୍କ ସାଙ୍ଗରେ  ସାଇକେଲରେ କଟକରୁ ପେଶଓ୍ବାର  ( ପାକିସ୍ତାନ) ପର୍ଯ୍ୟନ୍ତ ସୁଦୀର୍ଘ ବିପଦ ସଙ୍କୁଳ ପଥକୁ ସାହାସ୍ ର ସହିତ ଅତିକ୍ରମ କରିଥିଲେ । ସୁତରାଂ ସାଇକେଲ ଚଢିଲେ କୌଣସି ବ୍ୟକ୍ତି ନୀଚ୍ଚ ହୋଇଯାଏ ନାହିଁ କି ପ୍ରେଷ୍ଟିଜ ଲିକ୍ ହୋଇଯାଏ ନାହିଁ । ଠିକ୍ ସେହିପରି ମୂଲ୍ୟବାନ ଯାନ ଚଢିଲେ କୌଣସି ବ୍ୟକ୍ତି ଉଚ୍ଚ ହୋଇଯାଇନଥାଏ । ବ୍ୟକ୍ତିର ପ୍ରତିଭା ତା’ର ବ୍ୟକ୍ତିତ୍ବର ପରିମାପକ , ବଡ କୋଠା, ଦାମିକା ଗାଡ଼ି ବାହାର ଆକର୍ଷଣୀୟ ଯାନ୍ ନୁହେଁ କି ସାଇକେଲ ବ୍ୟକ୍ତିତ୍ବର ନ୍ୟୁନ ପ୍ରଦର୍ଶନର ପଣ୍ୟ ନୁହେଁ । ଆମେ ବିଗତ ସାତ ବର୍ଷ ଧରି ଜୁନ ମାସ ୩ ତାରିଖରେ ଜାତୀୟ ସାଇକେଲ ଦିବସ ପାଳନ ଅବସରରେ ସାଇକେଲର ଇତିହାସ ଉପରେ ଆଲୋକପାତ କରି ଆସୁଛୁ । ଅବିକଳ ଭାବେ ପୁନଃ ଉପସ୍ଥାପନ କରୁଛୁ ।
ପ୍ରଥମେ ଯେତେବେଳେ ସାଇକେଲଟି ନିର୍ମିତ ହେଲା ତାହା ଦେଖିବାକୁ ଆମ ପିଲାଦିନରେ ବିଦ୍ୟାଳୟକୁ ନେଇ ଯାଉଥିବା କଳାପଟା ବା  ଏକ ସ୍କେଟବୋର୍ଡ଼ ପରି ଦେଖାଯାଉଥିଲା । ୧୭୯୧ରେ ଫ୍ରାନ୍ସର ନାଗରିକ କୋମେଟ ମେଡେ ଡି ସିଭରାକ୍ ନିର୍ମାଣ କରିଥିଲେ ଏକ ଭିନ୍ନ ଧରଣର ସାଇକେଲ, ଏହାର ସିଟ୍ ବହୁତ ଉଚ୍ଚରେ ରହୁଥିଲା । ଏଥିରେ ପେଡ଼ାଲ ନଥିଲା; ଏହାକୁ ଲୋକମାନେ ନିଜଗୋଡରେ ଠେଲିଠେଲି ଚଳାଉଥିଲେ । ପ୍ରାୟ ୧୮୧୭ ମସିହା ବେଳକୁ ଜର୍ମାନୀର ବେରୋନ କାର୍ଲବାନ୍ ଡ୍ରେସ୍ ହ୍ୟାଣ୍ଡେଲ ରହିଥିବା ଏକ ସାଇକେଲ ନିର୍ମାଣ କରିଥିଲେ । ଏହାର ନାମ ଥିଲା “ଡ୍ରେସିନେ” । ଦୁଇଟି ସମାନ ଆକାରର କାଠ ଚକା, ବସିବା ପାଇଁ ଏକ ସିଟ ସହିତ ହ୍ୟାଣ୍ଡେଲ ରହିଥିଲା । ଗୋଡ଼ରେ ଠେଲି ଠେଲି ଚଳାଯାଉଥିବା ଏହି ସାଇକେଲଟି ସମ୍ପୁର୍ଣ୍ଣ ଭାବେ କାଠରେ ତିଆରି ହୋଇଥିବାରୁ ଲୋକମାନେ ‘କାଠଘୋଡା’ ବୋଲି କହୁଥିଲେ । ୧୮୧୮ରେ ପ୍ୟାରିସରେ ଆୟୋଜିତ ଏକ ପ୍ରଦର୍ଶନୀରେ ଲୋକମାନେ ଏହି ଅଦ୍ଭୁତ ସାଇକେଲକୁ ପ୍ରଥମ ଥର ଲାଗି ଦେଖିଥିଲେ, କିନ୍ତୁ ଏହା ଲୋକପ୍ରିୟତା ଅର୍ଜନ କରିପାରି ନଥିଲା । ୧୮୩୯ରେ ସାଇକେଲ ନିର୍ମାଣରେ ବହୁତ ପରିବର୍ତ୍ତନ ଆସିଥିଲା, କାରଣ ସ୍କଟଲାଣ୍ଡର ଜଣେ ଲୁହାର ସାଇକେଲର ଆଗ ଚକାରେ ଏକ ପେଡାଲ ଲଗାଇଥିଲେ । କ୍ରିକପ୍ୟାଟ୍ରିକ ମ୍ୟାକମିଲାନ ସାଇକେଲର ଆଗ ଚକାରେ ଏକ ପେଡାଲ ଲଗାଇ ପାହାଡ଼ ଚଢିପାରୁଥିଲେ । ଏହା ସେତେବେଳେ ପରିବହନ କ୍ଷେତ୍ରରେ ବ୍ୟବହୃତ କରାଯାଉଥିଲା । କିନ୍ତୁ ଏଥିରେ ବ୍ରେକ୍ ନଥିବାରୁ ଗଡାଣିଆ ସ୍ଥାନରେ ରୋକିବା ଅତ୍ୟନ୍ତ କଷ୍ଟକର ହେଉଥିଲା । ଏହି ସାଇକେଲକୁ ‘ଫାଷ୍ଟ ଫୁଟ’ ବୋଲି କୁହାଯାଉଥିଲା । ୧୮୪୫ରେ ଫ୍ରାନ୍ସର ନିକୋଲସ ସାଇକେଲର ବ୍ରେକ ଲଗାଇବା ସହ ଚକାଗୁଡିକୁ ଲୁହାରେ ନିର୍ମାଣ କରିଥିଲେ । ଏହି ସାଇକେଲ ଟି ଚାଲିବା ବେଳେ ମାତ୍ରାଧିକ ଶବ୍ଦ କରୁଥିଲା, ତେଣୁ ଲୋକ ମାନେ ଏହାକୁ ‘ବୋନ ସେକର’ ବୋଲି କହୁଥିଲେ । ଏହାପରେ ୧୮୬୫ରେ ପରବର୍ତ୍ତୀ ବିକଶିତ ସାଇକେଲ ନିର୍ମିତ ହୋଇଥିଲା । ଏଥିରେ ସାଇକେଲର ଆଗ ଚକରେ ସିଧାସଳଖ ଭାବେ ପେଡାଲ ଲଗାଯାଇଥିଲା । ୧୮୭୦ ମସିହାରେ  ପ୍ରଥମ ମେଟାଲ ସାଇକେଲ ଆବିଷ୍କୃତ ହୋଇଥିଲା । ଏଥିରେ ମଧ୍ୟ ପେଡାଲ ଆଗ ଚକରେ ଲାଗିଥିଲା । କିନ୍ତୁ ଏଥିରେ ବଡ଼ ଧରଣର କେତେକ ପରିବର୍ତ୍ତନ କରାଯାଇଥିଲା । ସାଇକେଲର ଆଗ ଚକଟି ପଛ ଚକ ଅପେକ୍ଷା ଅଧିକ ବଡ଼ ଥିଲା, କିନ୍ତୁ ଏହା ମନକୁ ମନ ବୁଲି ପାରୁନଥିଲା । ନିର୍ମାତାମାନଙ୍କର ଚିନ୍ତାଧାରା ଏହା ଥିଲା ଯେ, ସାଇକେଲର ଆଗ ଚକ ବଡ଼ ରହିଲେ ଅଳ୍ପ ପରିଶ୍ରମରେ ଅଧିକ ଦୂର ଯାତ୍ରା କରିହେବ । ଚକାଗୁଡିକରେ ରବର ଓ  ବୃତ୍ତାକାର ତାର ସଂଯୁକ୍ତ ଚକ ବା ସ୍ପୋକ ବ୍ୟବହାର କରାଯାଇଥିଲା  , ଯାହା ଫଳରେ ଏହା ପୂର୍ବପରି ଅଧିକ ଶବ୍ଦ କରୁନଥିଲା । ବିଭିନ୍ନ ନିର୍ମାତାମାନେ ସାଇକେଲକୁ ବିକଶିତ କରିବାକୁ ଯାଇ ଏହାର ଆଗ ଚକାକୁ ପ୍ରାୟ ୧.୫ମିଟର ପର୍ଯ୍ୟନ୍ତ ଉଚ୍ଚ କରିଥିଲେ । ୧୮୬୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଏହାର ଭିନ୍ନ ଭିନ୍ନ ନାମ ରହିଥିଲା । ଏହାପରେ ଲୋକମାନେ ଏହି ଗାଡିକୁ ବାଇସାଇକେଲ(ଦୁଇ ଚକିଆ ଯାନ) କହିବା ଆରମ୍ଭ କଲେ । ୧୮୬୯ରେ ପେନ୍ନୀ-ଫାରଥିଙ୍ଗ ବା ଉଚ୍ଚ ଚକା ଯାନ ନିର୍ମିତ ହୋଇଥିଲା । ବଡ଼ ଚକା ଫଳରେ ଏହା ଅଳ୍ପ ପରିଶ୍ରମରେ ଅଧିକ ବାଟ ଯାଉଥିଲା, କିନ୍ତୁ ଏଥିରେ ଅତ୍ୟଧିକ ଦୁର୍ଘଟଣା ମଧ୍ୟ ଘଟୁଥିଲା । ଏହାର କାରଣ ଥିଲା ଚାଳକ ଜଣକ ଭୂମିଠାରୁ ଅଧିକ ଉଚ୍ଚରେ ବସୁଥିଲା । ଆଗ ଚକର ଉଚ୍ଚତା ୧.୫ମିଟର ହୋଇଥିବା କାରଣରୁ ଯଦି ଆଗଚକା ହଠାତ୍ ବନ୍ଦ ହୋଇଗଲା ତେବେ ଚାଳକଙ୍କ ଗୋଡ ତଳକୁ ନ ପାଇବା କାରଣରୁ ଅଧିକାଂଶ ସମୟରେ ସେ ଆଗକୁ ପଡ଼ିଯାଉଥିଲେ । ୧୮୮୦ ମସିହାର ମଧ୍ୟ ଭାଗରେ ବ୍ରିଟିଶ୍ ସାଇକେଲ ନିର୍ମାତା ଜେମ୍ସ ଷ୍ଟେରଲୀ ଏକ ସାଇକେଲ ବିକଶିତ କରିଥିଲେ, ଯାହାର ନାମ ସେ ଦେଇଥିଲେ ‘ସୁରକ୍ଷିତ ବାଇ ସାଇକେଲ’ । ଅତ୍ୟାଧୁନିକ ସାଇକେଲ ପରି ଏହାର ଆଗ ଓ ପଛ ଚକା ସମାନ ଆକାରର ହୋଇଥିବା ବେଳେ ଦୁଇଚକର ମଝିରେ ରହିଥିଲା ପେଡାଲ ଏବଂ ନୂତନ କରି ବାହାରିଥିବା ଚେନ ଓ ସ୍ପକେଟ ଏହାର ପଛଚକାକୁ ଟାଣୁଥିଲା । ଏହି ସାଇକେଲଟି ଅନ୍ୟ ସାଇକେଲ ତୁଳନାରେ ଖୁବ୍ ହାଲକା ଥିଲା ଏବଂ ଜଣେ ଲୋକ ଏହାକୁ ଆରାମରେ ଅଳ୍ପ ବଳ  ବା ଶକ୍ତି ଖଟାଇ ଚଳାଇ ପାରୁଥିଲେ । ସେ ପର୍ଯ୍ୟନ୍ତ ସାଇକେଲର ଚକାରେ କେବଳ ରବର ଲଗାଯାଉଥିଲା । ଏହା ବ୍ୟତୀତ ସାଇକେଲଟି ଅଧିକ ଲମ୍ବା ନ ଥିବା ଓ ସ୍ପୋକ ବିହୀନ ହୋଇଥିବା କାରଣରୁ ଫାରଥିଙ୍ଗ ସାଇକେଲ ତୁଳନାରେ ଏହାକୁ ଚଳାଇବା ଅଧିକ କଷ୍ଟକର ଥିଲା । ଜଣେ ଇରିସ ନାଗରିକ ଡୁନଲୋପ ପ୍ରଥମେ ବାୟୁଚାଳିତ ଟାୟାର ଏହି ସାଇକେଲରେ ଲଗାଇଥିଲେ । ସେ ନିଜ ପୁତ୍ରକୁ ଏକ ଆରାମଦାୟକ ସାଇକେଲ ପ୍ରଦାନ କରିବାକୁ ଯାଇ ଏପରି କରିଥିଲେ । ଏହା ପରେ ପଛ ଚକାକୁ ଏପଟ ସେପଟ ବୁଲିବା ପରି ବିକଶିତ କରାଯିବା ପରେ ଚାଳକମାନେ ବିପଦମୁକ୍ତ ସାଇକେଲ ଚାଳନା କରିବାର ଅନୁଭବ ହାସଲ କରିଥିଲେ । ୧୮୯୦ମସିହାର ପରବର୍ତ୍ତୀ ସମୟରେ ବ୍ରେକ, ଗିୟର, ହାତରେ ନିୟନ୍ତ୍ରଣ କରିବା ଲାଗି ବ୍ରେକ କେବୁଲ ଆଦି ନିର୍ମିତ ହୋଇଥିଲା । ସାଇକେଲରେ ଏତେ ସବୁ ପରିବର୍ତ୍ତନ ହୋଇ ବି ଲୋକମାନଙ୍କ ନିକଟରେ ଏହା ବିଶେଷ ଆଦୃତ ହୋଇପାରିନଥିଲା । ସାଇକେଲ ସମାଜରେ ଦ୍ରୁତ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଥିଲା । ମହିଳାମାନେ ଆତ୍ମନିର୍ଭରଶୀଳ ଓ ଗତିଶୀଳ ହୋଇଥିବା ବେଳେ ଗରିବ ଲୋକମାନେ ଦୂରସ୍ଥାନକୁ କାର୍ଯ୍ୟ ଅନ୍ୱେଷଣରେ ଯାତ୍ରା କରୁଥିଲେ । ସମୟ ଗଡିବା ସହିତ ବିଭିନ୍ନ ସ୍ଥାନରେ ସାଇକେଲ କ୍ଳବ, ସାଇକେଲ ରେସିଂ ଓ ଟୁରିଂର ଆୟୋଜନ ହୋଇଥିଲା, ଯାହା ସାଇକେଲକୁ ଅଧିକ ଲୋକପ୍ରିୟ କରିଥିଲା । ସମୟ ସହ ତାଳ ଦେଇ ସାଇକେଲରେ ଅନେକ ପରିବର୍ତ୍ତନ ଆସିଛି । ରେସିଂ ସାଇକେଲର ସ୍ପିଡ୍ କୌଣସି ଇନ୍ଧନ ଚାଳିତ ଗାଡିଠାରୁ କମ୍ ନୁହେଁ । ଭାରତରେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ସାଇକେଲର ବ୍ୟବହାର ଅଧିକ ବୃଦ୍ଧି ପାଇଥିଲା । ପରିବହନ କ୍ଷେତ୍ରରେ ସାଇକେଲ ହିଁ ଥିଲା ଏକମାତ୍ର ବାହନ ।

ମା’ଙ୍କୁ ପୂଜାକଲେ ବୃଦ୍ଧାଶ୍ରମର ଆବଶ୍ୟକତା ରହିବ ନାହିଁ

ମା’ଙ୍କୁ ପୂଜାକଲେ ବୃଦ୍ଧାଶ୍ରମର ଆବଶ୍ୟକତା ରହିବ ନାହିଁ

ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ନବମାତୃକା ପୂଜା



ଭୁବନେଶ୍ୱର, ୨୨.୯ : ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ସଂସ୍କାରବାଦୀ ସଂଗଠନ ଆର୍ଯ୍ୟ ସମାଜ ପକ୍ଷରୁ ସୋମବାର ନବରାତ୍ରର ପ୍ରଥମ ଦିବସ ଆଶ୍ୱିନ ଶୁକ୍ଳ ପତିଦାର ପବିତ୍ର ତିଥିରେ ଚନ୍ଦ୍ରଶେଖରପୁର ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନଠାରେ ଆର୍ଯ୍ୟସମାଜ ଓଡ଼ିଶାର ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ମହାସମାରୋହରେ ପାଳିତ ହୋଯାଇଛି।


କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ କହିଲେ ଯେ, ମହର୍ଷି ଦୟାନନ୍ଦ ଭାରତବର୍ଷରେ ୧୫୦ ବର୍ଷ ତଳେ ମହିଳାମାନଙ୍କ ପାଇଁ ଯେଉଁ ସଂଗ୍ରାମର ସୂତ୍ରପାତ କରିଥିଲେ ଆଜି ମଧ୍ୟ ତାହାର ଆବଶ୍ୟକତା ରହିଛି। ସମାଜରେ ଆମେ ଯଦି ମା’ଙ୍କୁ ଠିକଣା ଭାବେ ମର୍ଯ୍ୟାଦା ଦେବା, ତେବେ ଆଉ ବୃଦ୍ଧାଶ୍ରମର ଆବଶ୍ୟକତା ରିହବ ନାହିଁ ବୋଲି ସେ କହିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଆର୍ଯ୍ୟ ସମାଜର ଏହି କାର୍ଯ୍ୟକ୍ରମକୁ ଭୂରୀ ଭୂରୀ ପ୍ରଶଂସା କରିବା ସହ ନୂତନ ଯୁବପିଢିଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବାକୁ ସେ ଆହ୍ୱାନ ଦେଇଥିଲେ।
ବିଶିଷ୍ଟ ବୈଦିକ ବିଦ୍ୱାନ ଣ୍ଡିତ ବୀରେନ୍ଦ୍ର କୁମାରଙ୍କ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମହୋତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଫେସର ଡଃ ପ୍ରଫୁଲ୍ଲ କୁମାର ମିଶ୍ର କହିଲେ ଯେ, ଭାରତବର୍ଷରେ ମାତୃପୂଜାର ଏକ ଗୌରବମୟ ଇତିହାସ ରହିଛି। “ମା” ସବୁବେଳେ ସମାଜରେ ଅଗ୍ରପୂଜ୍ୟା, ଏ ବାର୍ତ୍ତା ଦେବା ପାଇଁ ମାତୃପୂଜାର ସୃଷ୍ଟି। ସାଧାରଣ ଲୋକଙ୍କୁ ବୁଝିବା ପାଇଁ ମୂର୍ତ୍ତିପୂଜାକୁ ଅଳଙ୍କାରିକ କରାଯାଇଛି। କିନ୍ତୁ ମା’ କରୁଣାର ଅବତାର। ପୁଣି ଦୁଷ୍ଟ ସଂହାରର ଭୂମିକାରେ ଅବତୀର୍ଣ୍ଣ ହୋଇଥାନ୍ତି। ପ୍ରଫେସର ଡଃ ହରେକୃଷ୍ଣ ଶତଥୀ ମା’ଙ୍କୁ କଲ୍ୟାଣମୟୀ ଓ ଲୋକ କଲ୍ୟାଣ ପାଇଁ ସେ ଆବିର୍ଭୁତା ବୋଲି କହିଥିଲେ। କିନ୍ତୁ ଏହା ସତ୍ୟ ହୋଇଥିଲେ ମଧ୍ୟ ତା’ଭିତରେ ଏକ ଅନ୍ତର୍ନହିତ ଶକ୍ତି ଅଛି। ଏହାକୁ ଚେତାଇ ଦେବା ହିଁ ନବମାତୃକା ପୂଜା।
ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଆର୍ଯ୍ୟସମାଜର ଏହି ଅଭିନବ ପରିକଳ୍ପନାର ପ୍ରଶଂସା କରିବା ସହ ଉପସ୍ଥିତ କନ୍ୟାମାନଙ୍କୁ ଆଶୀର୍ବାଦ ଦେଇ ଭାରତୀୟ ସଂସ୍କୃତିର ମହନୀୟତା ଉପରେ ଜାଣିବା ପାଇଁ ପରାମର୍ଶ ଦେଇଥିଲେ।
ମୁଖ୍ୟବକ୍ତା ୍ରଗତିବାଦୀର ସମ୍ପାଦକ ବୀରୁପାକ୍ଷ ତ୍ରିପାଠୀ ସମାଜରେ ଦେଖା ଦେଇଥିବା ବିଲକ୍ଷଣ ଉପରେ ଆଲୋକପାତ କରିଥିଲେ। ଗୋଟିଏ ପଟେ ଆମେ ଧୁମ୍‌ଧାମରେ ମାତୃପୂଜା କରୁଛୁ, ଅନ୍ୟ ପଟେ ଆମେ କନ୍ୟା ଭ୍ରୁଣହତ୍ୟା କରୁଛେ। ଏଣୁ ଆଜି ସମୟ ଆସିଛି ମଣିଷ ସମାଜକୁ ସତର୍କ କରାଇବା ପାଇଁ ଆଜିର ଏହି ଅଭିନବ ମାତୃପୂଜା। ବିଶିଷ୍ଟ ବକ୍ତା ବାଗ୍ମୀ ପ୍ରଦ୍ୟୁମ୍ନ ଶତଥୀ ଓଡ଼ିଶାରେ ମାତୃପୂଜାର ଆଧାରଶୀଳା ସନ୍ଥ ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ ବୋଲି ସେ କହିବା ସହ ମହର୍ଷି ଦୟାନନ୍ଦ ୧୫୦ ବର୍ଷ ତଳେ ଯେଉଁ ସଂସ୍କାରବାଦୀ ଆନ୍ଦୋଳନର ସୂତ୍ରପାତ କରିଥିଲେ ଆଜି ତାର ସୁଫଳର ଏକ ନିଦର୍ଶନ ନବମାତୃକା ପୂଜା।
ଏହି ଅବସରରେ ପଣ୍ଡିତ ବିନୋଦ ବିହାରୀ ଦାସଙ୍କ ପୌରହିତ୍ୟରେ ବେଦଯଜ୍ଞ ଅନୁଷ୍ଠିତ ହୋଇଥିଲା। ବିଶିଷ୍ଟ ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ଓ ଡଃ ନିବେଦିତା ପଟ୍ଟନାୟକ ଜଜମାନ ଆସନ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ପାଲାଚାର୍ଯ୍ୟ ସୁରେନ୍ଦ୍ରନାଥ ଛୋଟରାୟ, ପାଲାଚାର୍ଯ୍ୟ ନାରାୟଣ ଶୁକ୍ଲ ଓ ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ଦେବୀସ୍ତୋତ୍ର ପାଠ କରିଥିଲେ। କରବର ଆର୍ଯ୍ୟ ସମାଜର ମା’ ସବିତା ଶୁକ୍ଲ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଚିତ୍ତରଞ୍ଜନ ପଣ୍ଡା ସ୍ୱାଗତ ଭାଷଣ ଓ ଜନ୍ମେଞ୍ଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମୁ ନଳିନୀକାନ୍ତ ରାଉତ, ବରୁଣରାଜ ଓ ଭବାନୀକାନ୍ତ ରାଉତ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବ ପ୍ରଶାସକ ସହଦେବ ଜୟସିଂ, ଧାରା ଶ୍ରୀରାଧା ଟ୍ରଷ୍ଟର ଅଧ୍ୟକ୍ଷ ଅମରେନ୍ଦ୍ର ମହାପାତ୍ର, ପ୍ରଫେସର ଡଃ ବୁଦ୍ଧଦେବ ମିଶ୍ର, ଡଃ ବିମୋଚପ୍ରଜ୍ଞା ତ୍ରିପାଠୀ, ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ସମ୍ପାଦକ ଦୁଷ୍ମନ୍ତ କୁମାର ସ୍ୱାଇଁ, ଡଃ ଆଲୋକ ରଥ, ସୀତାବଲ୍ଲଭ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ସମାଜର ବିଭିନ୍ନ ବର୍ଗର ୯ଜଣ ମା’ ସର୍ବଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ଟ୍ଟନାୟକ, କନକଲତା ବିଶ୍ୱାଳ, ପୁଷ୍ପରେଣୁ ଶତଥୀ, ରାଜଶ୍ରୀ ମହାପାତ୍ର, ଜ୍ୟୋତିର୍ମୟୀ ନାୟକ, ଅମ୍ବିକା ପ୍ରଧାନ, ଆରତୀ ଜ୍ଞାନେନ୍ଦ୍ର, ବିୟୋତପ୍ରଜ୍ଞା ତ୍ରିପାଠୀ ଓ ବିଚିତ୍ରା ରଥଙ୍କୁ ମହର୍ଷି ଡିଗ୍ରୀ ମହିଳା ମହାବିଦ୍ୟାଳୟର କନ୍ୟାମାନେ ପୂଜାର୍ଚ୍ଚନା କରିଥିଲେ।