ସାର୍ ହେନେରୀ ରିକେଟସ୍ ଓ ଆଜିର ଦିନ । ଠିକ୍ ୧୮୯ ବର୍ଷ ତଳେ, ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନର ୧୦୧ ବର୍ଷ ତଳେ, ୧୮୩୭ ମସିହା, ସେପ୍ଟେମ୍ବର ୨୨ ତାରିଖରେ ଇଷ୍ଟ ଇଣ୍ଡିଆ କମ୍ପାନୀ ସରକାରର ଆୟୁକ୍ତ ଅର୍ଥାତ୍ କମିଶନର ଓଡ଼ିଶାର ବାସ୍ତବ ସ୍ଥିତି ସମ୍ପର୍କରେ ଯେଉଁ ପତ୍ର ଲେଖିଥିଲେ, ତାହା ଏକ ଐତିହାସିକ ଦଲିଲ୍ ଏବଂ ଏଥିରେ ତାଙ୍କର ଓଡ଼ିଆପ୍ରୀତିର ପରିଚୟ ମିଳେ । ୧୮୩୭ ମସିହାରେ ଓଡ଼ିଶାରେ କମ୍ପାନୀ ସରକାରଙ୍କ ଦ୍ବାରା ଗୋଟିଏ ବିଦ୍ୟାଳୟ ବା ସ୍କୁଲ ପୁରୀ ଇଂରାଜୀ ବିଦ୍ୟାଳୟ ବା ପୁରୀ ଇଙ୍ଗିଲିସ୍ ସ୍କୁଲ ଥିବା ବେଳେ ମିଶନାରୀ ମାନେ କେତୋଟି ନିମ୍ନ ଶ୍ରେଣୀର ବିଦ୍ୟାଳୟ ଖୋଲିଥିଲେ । ଓଡ଼ିଶାର ତଦାନୀନ୍ତନ ଶିକ୍ଷା ର ଅନଗ୍ରସରତା ପର୍ଯ୍ୟବେକ୍ଷଣ କରି ଶିକ୍ଷା ପ୍ରସାର ଦିଗରେ ଅଧିକ ଅର୍ଥ ବ୍ୟୟ ପାଇଁ ଆୟୁକ୍ତ ବା କମିଶନର ରିକେଟସ୍ ଯେଉଁ ପତ୍ର ଲେଖିଥିଲେ, ସେଥିରେ ଶାସକର ଅପଶାସନ ହେତୁ ଓଡ଼ିଶାର ଅବନତି ର ଗତି ପରିସଂଖ୍ୟାନ ଚିତ୍ର ଦେଖିବାକୁ ମିଳେ । ଅଧିକାଂଶ ଶ୍ରଦ୍ଧେୟ ବନ୍ଧୁ ବର୍ଗଙ୍କ ପାଠକୀୟ ମାନସିକତା ଅବଧି ସମ୍ପର୍କରେ ସଚେତନ ଥିବାରୁ ଏହାର କେତେକାଂଶ ନିମ୍ନରେ ସେହି ଭାଷାରେ ଅବିକଳ ଭାବେ ଉପସ୍ଥାପନ କରୁଛୁ । ଆମେ ଭଲ ଭାବରେ ଅବଗତ ଅଛୁ ଯେ ଆମର ଦୀର୍ଘ ଉପସ୍ଥାପନର ପାଠକ ସଂଖ୍ୟା ଖୁବ୍ ସ୍ବଳ୍ପ ସତ୍ୟ ମାତ୍ର, ସେହିମାନେ ହିଁ ଆମର ପ୍ରେରଣା ପ୍ରଦାୟକ ।
” We owe this province a date which will be best paid by liberaly supporting the proposed school ( at Balasore ). At the conquest we found the orihas in a state of great degradation and to our shame,be it recorded, our policy was to perpetutate the degeneracy which prevailed among them.Mr Sterling says a striking proof of the estimation in which theri capacity has been ever held in the past, that in all ages and in all governments since the downfall of the orissan monarchy, the principal official employment throughout the province has been engrossed by foreigners.
We followed the example of the Afghans, Moguls and the Mahrattas for many years. Orihas were admitted only to the lowest situations : Bengalees held every office of emolument and trust in the province. The name of Wilkinson is familiar to the lips of the natives of this province as the most familiar of the natir appellatious,and richy he deserves theri esteemed gratitude, for he it was won first hazarded the experiment of placing Oriyahs in trust of difficulty and importance ” .
ବିଶ୍ବାସ ଓ ଗୁରୁତ୍ୱପୂର୍ଣ୍ଣ କର୍ମରେ ନିଯୁକ୍ତ ହେବାକୁ ହେଲେ ଓଡ଼ିଆମାନଙ୍କର ଶିକ୍ଷାଗତ ଯୋଗ୍ୟତା ଉନ୍ନତ ହେବା ଆବଶ୍ୟକ । ଶିକ୍ଷା ପ୍ରସାର ଦିଗରେ ଅଧିକ ଅର୍ଥ ବ୍ୟୟ ର ପ୍ରସ୍ତାବ ସରକାରୀ କଳରେ ନିଯୁକ୍ତି ପାଇଁ କେବଳ କରାଯାଇଥିଲା । ରିକେଟସ୍ ନିଜ ଜୀବନରେ ଯାହା କରିଥିଲେ ତାହା ପଢନ୍ତୁ
When I was appointed magistrate and collector of Balasore in 1828,I found all the native officers Bengalees. At the end of eight years I left enarly all offices filled by Orihas and right faithfully they served me.
କ୍ରମଶଃ
Author Archive: R P
ଶହୀଦ ସ୍ମୃତି ପ୍ରତି ଲୋହିତ ପ୍ରଣାମ
୮୩ ବର୍ଷ ତଳେ ଆଜିଦିନର ଇତିହାସ-
ବିଗତ ୪୫ ବର୍ଷ ଧରି ଆମେ ହଜାରରୁ ଉର୍ଦ୍ଧ୍ବ ଥର ଲେଖି ଓ କହି ଆସିଛୁ ଯେ ଓଡ଼ିଶାର ବା ଓଡ଼ିଆଙ୍କର ସଠିକ୍ ଇତିହାସ ଏଯାବତ୍ ଲେଖା ଯାଇପାରିଲା ନାହିଁ । ଏହାର କାରଣ ମଧ୍ୟ ଉଲ୍ଲେଖକରି କହିଆସିଛୁଯେ ” ବିଜେତା ଯେବେ ପରାଜିତର ଇତିହାସ ଲେଖେ, ତେବେ ସେ ନିଜକୁ ମହାନ୍ ବା ମହିମା ମଣ୍ଡିତ କରିଥାଏ ଓ ପରାଜିତ କୁ ନଗଣ୍ୟ ଅର୍ଥାତ୍ ମସିଲିପ୍ତ କରିଥାଏ” , ଏହା ଏକ ସ୍ବାଭାବିକ ପ୍ରକ୍ରିୟା,ଯାହା ଓଡ଼ିଶା ଇତିହାସ ରଚନା କ୍ଷେତ୍ରରେ ପ୍ରତିଫଳିତ ହୋଇଛି ।
ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ, ଏପରିକି ସ୍ଵାଧୀନୋତ୍ତର ଓଡ଼ିଶାରେ ଏଥିପ୍ରତି ଧ୍ୟାନ ଦିଆଗଲା ନାହିଁ । ଆମର ଇତିହାସ ଛାତ୍ର, ଅଧ୍ୟାପକ, ପ୍ରାଧ୍ୟାପକ, ଆଚାର୍ଯ୍ୟ,ପ୍ରାଚାର୍ଯ୍ୟ ବର୍ଗ ଓଡ଼ିଆ ବିଦ୍ଵେଷୀ ଙ୍କ ଦ୍ଵାରା ଲିଖିତ ଇତିହାସ କୁ ପଢି, ତାକୁ ” ଖଡା ବଡ଼ି,ଯୋଡ଼ି,ଶାଗ,ମୁଗ,ବଡ଼ି,ଥୋଡି,ଖଡା” ଲେଖି ଗବେଷକ ହୋଇ , ତଥାକଥିତ ପିଏଚଡ଼ି,ଡିଲିଟ୍ ପାଇ, ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ ରେ ପ୍ରଫେସର ବିଶେଷଣ ରେ ବିଭୂଷିତ ହୋଇ ସମାଜର ସମ୍ମାନ,ଧନ,ଏନଜିଓ ଧର୍ମୀ ପ୍ରତିଷ୍ଠାନ,ନ୍ୟାସ, ଅନୁଷ୍ଠାନ, ଇନଷ୍ଟିଚୁ୍ୟୁଟ, ରିସର୍ଚ୍ଚ ସଂଜ୍ଞା ଦେଇ ପ୍ରଚୁର ଅର୍ଥ ରୋଜଗାର କରି ମଉଜ କରିଆସୁଛନ୍ତି ।
ଓଡ଼ିଶାର ସଠିକ୍ ଇତିହାସ ଉପରେ ଗବେଷଣା କରି ପ୍ରାମାଣିକ ତଥ୍ୟ ସନ୍ନିବେଶିତ କରି ଇତିହାସ ସୃଷ୍ଟି କରାଗଲା ନାହିଁ । ଏହି ମିଥ୍ୟା ଇତିହାସ ପଢି ଜଣେ ଆମର ସମ୍ମାନାଷ୍ପଦ ବରିଷ୍ଠ ସାମ୍ବାଦିକ ଜୟଦେବ ଭବନ ସମ୍ମୁଖରେ ଏକ ଆଲୋଚନା ରେ ଆମକୁ ଠିକ୍ ଶହେ ବର୍ଷ ତଳେ ଜଣେ ବଙ୍ଗୀୟ ଐତିହାସିକ କହୁଥିବା ଭାଷାରେ କହିଲେ ତମେ ଏତେ ଓଡ଼ିଆ, ଓଡ଼ିଆ ହେଉଛ, ଓଡ଼ିଆ ଙ୍କ ର ଭାରତ ସ୍ବାଧୀନତା ସଂଗ୍ରାମ ରେ ଅବଦାନ କ’ଣ ? ତାଙ୍କ ତାତ୍ସଲ୍ୟ କୁ ତାଙ୍କ ସହିତ ସର୍ବଦା ବସାଉଠା କରୁଥିବା ଅନ୍ୟ ଜଣେ ବରିଷ୍ଠ ସାମ୍ବାଦିକ ମଧ୍ୟ ପାଳି ଧରି ତାତ୍ସଲ୍ୟର ଭାଷା ବ୍ୟବହାର କରିବାରୁ ଆମେ ଅନେକ ପ୍ରାମାଣିକ ତଥ୍ୟ ଉଲ୍ଲେଖ କରିବାରୁ ସେ ଦୁହେଁ କହିଲେ ” ଦେଖାଓ,କୋଉ ଇତିହାସ ରେ ଲେଖା ଯାଇଛି ? ” ।
ଇତିହାସ କେବେ ରାଜା, ମହାରାଜା, ରାଷ୍ଟ୍ର ମୁଖ୍ୟ ର ଜୟ, ପରାଜୟ ର ବିବରଣୀ ନୁହେଁ, ସାଧାରଣ ମଣିଷ ର ଜୀବନଚର୍ଯ୍ୟାର କ୍ରମାନ୍ୱୟରେ ସୂଚିତ ତଥ୍ୟ । ଇତି ଅର୍ଥ ଶେଷ ବା ଅତୀତ, ହାସ ଅର୍ଥ କଥା । ୧୯୨୫ ମସିହାରେ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଐକାନ୍ତିକ ଅନୁଗାମୀ, ସାଥୀ, ସହଯୋଗୀ , ମହାନ୍ ଐତିହାସିକ, ଗବେଷକ, ଜନାଦୃତ ଅଧିବକ୍ତା, ବିହାର- ଓଡ଼ିଶା ବିଧାନ ସଭାର ସଦସ୍ୟ ପ୍ରାତଃ ସ୍ମରଣୀୟ ଜଗବନ୍ଧୁ ସିଂହ ତାଙ୍କର ” ପ୍ରାଚୀନ ଉତ୍କଳ” ପୁସ୍ତକ ରେ ଶହଶହ ଉଦାହରଣୀୟ ତଥ୍ୟାର୍ପଣ କରି ଯାଇଛନ୍ତି ।
୮୩ ବର୍ଷ ତଳର,ଆଜିର ଇତିହାସ କୁ ଭାରତ ଇତିହାସ ଯଥୋଚିତ ଗୁରୁତ୍ୱ ଦେଇଛିକି ? ୧୯୪୨ ମସିହା ଭାରତଛାଡ ଆନ୍ଦୋଳନ , ମହାତ୍ମାଗାନ୍ଧୀ ଙ୍କ ” କର ବା ମର ” ଆହ୍ବାନ ରେ ଓଡ଼ିଶା ରେ ପ୍ରତିଧ୍ବନିତ ହୋଇଥିବା ଆନ୍ଦୋଳନ ର ଇତିହାସ ସଠିକ୍ ତଥ୍ୟ ସନ୍ନିବେଶିତ ହୋଇ ଭାରତ ଇତିହାସରେ ସ୍ଥାନିତ ହୋଇନାହିଁ ।
୮୩ ବର୍ଷ ତଳେ ଆଜିର ତାରିଖରେ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖ,୧୯୪୨ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଭଦ୍ରକ ଉପଖଣ୍ଡ ବା ସବ୍ ଡିଭିଜନ ର ଧାମନଗର ଥାନା ଅନ୍ତର୍ଗତ ଲୁଣିଆ ଗ୍ରାମ ର ଦୋଳପଡିଆ ର ଇତିହାସ ବା ଯୁବ ବିପ୍ଲବୀ ମୁରଲୀଧର ପଣ୍ଡା,ରାଜମୁକୁନ୍ଦପୁର ର ସଂଗ୍ରାମୀ ରାଧାଶ୍ୟାମ ରାୟମହାପାତ୍ରଙ୍କ ନେତୃତ୍ବରେ ହୋଇଥିବା ସଂଗ୍ରାମର ଇତିହାସ ଯଦି ପଢିଥାନ୍ତେ ତେବେ ବରିଷ୍ଠ ସାମ୍ବାଦିକ ଏଭଳି ତାତ୍ସଲ୍ୟ କରିନଥାନ୍ତେ ।
ଆଜିର ଦିନରେ ସେହି ଲୁଣିଆ ଗୁଳିକାଣ୍ଡ ରେ ୯ ଜଣ ସହୀଦ ସଂଗ୍ରାମୀ ଯଥା ନିଧି ମହାଳିକ, ଗୌରୀ ଜେନା,ନବ କିଶୋର ନାୟକ, ଶ୍ୟାମ ସୁନ୍ଦର ମହାଳିକ, କୃଷ୍ଣ ମହାଳିକ, ଗୋପୀନାଥ ଜେନା, ଚିନ୍ତାମଣି ଦାସ, ଶଙ୍କର ବେହେରା,ଅଗଣି ସାହୁ ଙ୍କ ଶହୀଦ ଦିବସ ରେ ସେମାନଙ୍କର ବଳିଦାନ କୁ ସ୍ମରଣ କରି, ସେମାନଙ୍କ ଲୋହିତ ଅମ୍ଲାନ ବୈପ୍ଳବିକ ସ୍ମୃତି ପ୍ରତି ଜଣାଉଛୁ କୋଟି କୋଟି ଲୋହିତ ପ୍ରଣାମ । କ୍ରମଶଃ
ନୂଆପଡ଼ା ବିଧାନସଭା ଆସନ ଉପନିର୍ବାଚନରେ ବିଜେପିର ଜିତିବାର ସମ୍ଭାବନା ବେଶୀ
ନୂଆପଡ଼ା ବିଧାନସଭା ଆସନରେ ଉପନିର୍ବାଚନ ହେବ । ବିଜେଡିର ବିଧାୟକ ଥିବା ରାଜେନ୍ଦ୍ର ଢ଼ୋଲକିଆ ଙ୍କ ମୃତ୍ୟୁ ପରେ ଏହି ନିର୍ବାଚନ 6 ମାସ ଭିତରେ କରିବାକୁ ପଡ଼ିବ । ଏହି ଆସନରେ ବିଜେପି, ବିଜେଡି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ହେବ ବୋଲି ଆଲୋଚନା ହେଉଛି । କିନ୍ତୁ ବିଜେପି ଏହି ଉପନିର୍ବାଚନ ଜିତିବା ସଂଭାବନା ଅଧିକ ରହିଛି । କାରଣ ସରକାରୀ ଦଳର ସଦସ୍ୟ ସଦାବେଳେ ଉପନିର୍ବାଚନରେ ବିଜୟୀ ହେବା ଦେଖାଯାଇଛି । ତେବେ ବିଜେଡି ଏହି ଆସନର ଢ଼ୋଲକିଆଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିବାର ସଂଭାବନା ଅଧିକ ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା, ବିଜେପିର ଲୋକପ୍ରିୟତା, ସୁଭଦ୍ରା ଯୋଜନା, ଚାଷୀଙ୍କୁ ଏମଏସପି, ଅନ୍ୟାନ୍ୟ ସରକାରୀ ଯୋଜନାର ଲାଭ ବିଜେପି ପ୍ରାର୍ଥୀଙ୍କୁ ଜିତାଇବାରେ ସହାୟକ ହୋଇପାରେ ।
2024 ବିଧାନସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବେ ଏହି ଆସନରୁ ରାଜେନ୍ଦ୍ର ଢୋଲକିଆ ଲଢି 61,822 ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପି ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ସେ 44,814 ଭୋଟ ପାଇ ତୃତୀୟ ସ୍ଥାନରେ ରହି ହାରି ଯାଇଥିଲେ । କିନ୍ତୁ ଏବେ ବିଜେପି କାହାକୁ ସେଠାରେ ପ୍ରାର୍ଥୀ କରିବ ତାକୁ ନେଇ ଦ୍ୱନ୍ଦରେ । ସେହିପରି କଂଗ୍ରେସ ପକ୍ଷରୁ 2024 ନିର୍ବାଚନରେ ଶରତ ପଟ୍ଟନାୟକ ପ୍ରାର୍ଥୀ ହୋଇଥିବା ବେଳେ ମାତ୍ର 15,501 ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ । ଘାସିରାମ ମାଝି ଏହି ଆସନରେ ଇଣ୍ଡିପେଣ୍ଡେଣ୍ଟ ପ୍ରାର୍ଥୀ ଭାବେ ଛିଡା ହୋଇ ଦିତୀୟ ସ୍ଥାନରେ ରହିଥିଲେ ।
2024 ନିର୍ବାଚନରେ ସେତେବେଳର ପିସିସି ସଭାପତି ଶରତ ପଟ୍ଟନାୟକ ନିଜେ ନୂଆପଡାରେ କଂଗ୍ରେସରୁ ଲଢ଼ି ହାରିଥିବାରୁ ତାଙ୍କୁ ଆଉଥରେ ଦଳ ଟିକେଟ ଦେବା ସଂଭାବନା କମ । କଂଗ୍ରେସରୁ ଟିକଟ ନ ପାଇ ଘାସିରାମ ମାଝୀ ନିର୍ଦ୍ଦଳୀୟ ଲଢ଼ି 50 ହଜାରରୁ ଅଧିକ ଭୋଟ ପାଇବା ସହ ଦ୍ଵିତୀୟରେ ରହିଥିବାରୁ ଦଳ ତାଙ୍କୁ ଟିକେଟ ଦେଇପାରେ। ଭକ୍ତ ଦାସ ସଭାପତି ହେବା ପରେ ଘାସିରାମ କଂଗ୍ରେସକୁ ଫେରିଛନ୍ତି। ଘାସିରାମଙ୍କ ଗତ ପ୍ରଦର୍ଶନ ଦେଖିଲେ କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରିବା ସମ୍ଭାବନା ଅଧିକ ।
ପିସିସି ସଭାପତି ଭକ୍ତ ଦାସ କହିଛନ୍ତି “ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପୁରା ପ୍ରସ୍ତୁତ ଅଛି । ଆମେ ଏହାକୁ ନେଇ ଆଲୋଚନା ବି କରିଛୁ । ଜଣେ ଭଲ ପ୍ରାର୍ଥୀ ଦେବ କଂଗ୍ରେସ । ଏବେ କଂଗ୍ରେସ ଦଳ ଚଳ ଚଞ୍ଚଳ ହୋଇଛି ।
୨୦୨୪ରେ ବିଜେପି ଓଡ଼ିଶାରେ ୭୮ଟି ଆସନ ଜିତି ସରକାର ଗଠନ କରିଛି। ଏହି ଉପନିର୍ବାଚନକୁ ମୋହନ ମାଝିଙ୍କ ସରକାରର ପ୍ରତି ଲୋକମାନଙ୍କର ଆକଳନର ପରୀକ୍ଷା ଭାବେ ଦେଖାଯାଉଛି, ଯାହା ବିଜେପିଙ୍କୁ ଲାଭ ଦେବାର ସଂଭାବନା ରହିଛି ।
ଓଡ଼ିଶାରେ ମୋଦୀଙ୍କ ବିପୁଳ ଲୋକପ୍ରିୟତା ରହିଛି, ଯାହା ପଶ୍ଚିମ ଓଡ଼ିଶାରେ ବିଜେପିଙ୍କୁ ଆହୁରି ମଜବୁତ କରିବ। ମୋଦିଙ୍କ ନାମରେ ବିଜେପି ପ୍ରାର୍ଥୀ ଏଠାରେ ବିଜୟୀ ହୋଇପାରନ୍ତି ।
୨୦୨୪ରେ ବିଜେଡି 10,881 ମାର୍ଜିନ ଭୋଟରେ ସ୍ବାଧୀନ ପ୍ରାର୍ଥୀଙ୍କଠାରୁ ଜିତିଥିଲା । ଏଥର କଂଗ୍ରେସରୁ ଠିଆ ହେବେ ଘାସୀରାମ ମାଝୀ । ଯାହାକି ବିଜେପିକୁ ସୁହାଇପାରେ ।
ନୂଆପଡ଼ା ପଶ୍ଚିମ ଓଡ଼ିଶାରେ ଥିବାରୁ ବିଜେପିର ସେଠାରେ ସ୍ଥିତି ଭଲ ରହିଛି । ଲୋକସଭା ଆସନରେ ବିଜେପି ବିପୁଳ ଭୋଟ ପାଇଛି । ଯାହା ଦଳକୁ ଭଲ ଫଳ ଦେବ । ନୂଆପଡ଼ାରେ ଆଦିବାସୀ ଓ କୃଷକମାନଙ୍କର ବଡ଼ ସଂଖ୍ୟା ରହିଛି। ଯେଉଁମାନେ ମୋଦିଙ୍କୁ ପସନ୍ଦ କରନ୍ତି । ବିଜେପିର କେନ୍ଦ୍ରୀୟ ଯୋଜନାଗୁଡ଼ିକ (ଯଥା PM-KISAN) ଏବଂ ରାଜ୍ୟ ସ୍ତରୀୟ ଯୋଜନା, ସୁଭଦ୍ରା ଯୋଜନାର ଲାଭ ବିଜେପିକୁ ମିଳିପାରେ ।
ସବୁଠୁ ବଡ଼ କଥା ହେଲା ନବୀନ ପଟ୍ଟନାୟକଙ୍କ ଶାସନ ପରେ ବିଜେଡିରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି । ଯାହାକୁ ନେଇ ଦଳ ବ୍ୟାକ୍ ଫ୍ରୁଟରେ ରହିଛି । ନୂଆପଡ଼ାରେ ସାଧାରଣ ଲୋକ ଏବେ ବିଜେଡି ପ୍ରତି ଅସନ୍ତୋଷ ପ୍ରକାଶ କରୁଛନ୍ତି ଯାହା ବିଜେପିଙ୍କୁ ଲାଭ ଦେଇପାରେ।
ଓଡ଼ିଶାରେ କଂଗ୍ରେସର ସ୍ଥିତି ସେତେ ଭଲ ନାହିଁ । ଯାହର ଭୋଟ ଭାଗ ଭାଗ ହୋଇପାରେ । ରାଜ୍ୟ ସରକାରର ପଶ୍ଚିମ ଓଡ଼ିଶାରେ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଯାହର ଲାଭ ବିଜେପିକୁ ଯାଇପାରେ । ପଶ୍ଚିମ ଓଡ଼ିଶାରେ ରେଳପଥ, ସଡ଼କପଥ, ସ୍ୱାସ୍ଥ୍ୟ ଓ ଶିକ୍ଷା ଯୋଜନାଗୁଡ଼ିକ ନୂଆପଡ଼ାରେ ଲୋକମାନଙ୍କୁ ପ୍ରଭାବିତ କରିବ । ଯାହା ବିଜେପି ପ୍ରାର୍ଥୀଙ୍କୁ ଜିତାଇବାରେ ସହାୟକ ହୋଇପାରେ ।
ନୂଆପଡ଼ା ନିର୍ବାଚନ ମଣ୍ଡଳୀ ରେ 358 ଟି ବୁଥ୍ ଅଛି । ଭୋଟରଙ୍କ ସଂଖ୍ୟା 248256 ରହିଛି । ସେଥିମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା 122103, ମହିଳା 126132 ଏବଂ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା 21 । ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ 2025, 15 ଅକ୍ଟୋବର ଠାରୁ 29 ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ ।
ବର୍ତ୍ତମାନ ସୁଦ୍ଧା ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ କୌଣସି ତାରିଖ ଘୋଷଣା ହୋଇନାହିଁ । ଆସନ୍ତା ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ହେବା ନେଇ ଆଶା କରାଯାଉଥିବା ବେଳେ ସେହି ସମୟରେ ଉପନିର୍ବାଚନ ହୋଇପାରେ ବୋଲି ଆକଳନ କରାଯାଉଛି ।
ଅନ୍ୟପଟେ ଉପନିର୍ବାଚନକୁ ନେଇ କେହି ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ରାଜ୍ୟରେ ପ୍ରମୁଖ ତିନି ରାଜନୈତିକ ଦଳରେ ଏବେ ଚାଲିଛି ମାନସ ମନ୍ଥନ । କେଉଁ ଦଳ କାହାକୁ ପ୍ରାର୍ଥୀ ଭାବେ ଉପନିର୍ବାଚନ ଲଢିବାକୁ ମଇଦାନକୁ ଓହ୍ଲାଇବ ସେନେଇ ଚାଲିଛି ଅଙ୍କକଷା । ସରକାରରେ ଥିବା ବିଜେପି ପାଇଁ ଉପନିର୍ବାଚନ ଏକ ବଡ଼ ଚ୍ୟାଲେଞ୍ଜ । କାହିଁକିନା ବିଜେପି ସରକାରରେ ଏହା ପ୍ରଥମ ଉପନିର୍ବାଚନ ହେବାକୁ ଯାଉଛି ।
ସେପଟେ ବିରୋଧୀ ବିଜେଡି ପାଇଁ ବି ଏହି ଆସନ ସମ୍ମାନ ଜନକ । କାରଣ ଏହି ଆସନ ଗତ 15 ବର୍ଷ ହେବ ବିଜେଡି ନିଜ ଅଧିନରେ ରହିଥିଲା । ନୂଆପଡା ଆସନରେ ବିଜେଡି 2009, 2019 ଓ 2024ରେ ବିଜୟୀ ହୋଇଥିଲା । ତେବେ ବିଜେପି ସରକାରରେ ଥିବାରୁ ବିଜେଡି ପାଇଁ ଏଥର ସେତେ ସହଜ ହେବନାହିଁ । ପ୍ରଚାର, ପ୍ରସାରରେ ବିଜେପି ଆଗୁଆ ରହିଛି । ତେଣୁ ଉପନିର୍ବାଚନରେ ପୁଣି ନିଜ ଆସନରେ ବିଜୟୀ ହେବା ବିଜେଡି ପାଇଁ କଷ୍ଟକର ହୋଇପାରେ ।
ବିଜେପି, ବିଜେଡି, କଂଗ୍ରେସ ଏଥର କାହାକୁ ପ୍ରାର୍ଥୀ କରିବେ ତାହା ସବୁଠୁ ବଡ ପ୍ରଶ୍ନବାଚୀ । ବର୍ତ୍ତମାନର ସମୀକରଣ ଅନୁସାରେ ନୂଆପଡ଼ାରେ ବିଜେଡି ଟିକଟ ଢୋଲକିଆ ପରିବାରକୁ ମିଳିବାର ସମ୍ଭାବନା ଅଛି । ବିଧାୟକ ସବୁବେଳେ ନିଜ ପୁଅ ଜୟ ଢୋଲକିଆଙ୍କୁ ରାଜନୀତିରେ ଆଗକୁ ଛାଡ଼ୁଥିଲେ। ତେଣୁ ରାଜେନ୍ଦ୍ରଙ୍କ ପୁଅ ଜୟଙ୍କୁ ବିଜେଡି ପ୍ରାର୍ଥୀ କରିବା ସମ୍ଭାବନା ଅଧିକ। କାରଣ ତାଙ୍କୁ ସହାନୁଭୂତି ଭୋଟ ମିଳିପାରେ ।
2014ରେ ପ୍ରଥମ ଥର ପାଇଁ ବିଜେପି ନୂଆପଡା ବିଜୟୀ ହୋଇଥିଲା । ପୁଣି ଥରେ ବିଜୟର ସ୍ବାଦ ଚାଖିବାକୁ କୌଣସି ସୁଯୋଗକୁ ଦଳ ହାତଛଡା କରିବ ନାହିଁ । କାହିଁକିନା ବିଜେପି ସରାକରାରେ ଏହା ପ୍ରଥମ ଉପନିର୍ବାଚନ । ସେପଟେ ଉପ ନିର୍ବାଚନରେ ବିଜେପି ନିଶ୍ଚୟ ଜିତିବ ବୋଲି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଦୃଢୋକ୍ତି ପ୍ରକାଶ କରିଛନ୍ତି ।
କାଲିଠାରୁ GST ସଞ୍ଚୟ ଉତ୍ସବ:ଲାଗୁ ହେବ ନେକ୍ସଟ ଜେନରେସନ ଜିଏସଟି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଜିଏସଟି ସଞ୍ଚୟ ମହୋତ୍ସବ ସେପ୍ଟେମ୍ବର 22 ତାରିଖ ସୂର୍ଯ୍ୟୋଦୟ ସମୟରେ ଆରମ୍ଭ ହେବ । ଯାହା ସମସ୍ତ କ୍ଷେତ୍ରକୁ ଲାଭ ଦେବ। ସେ ଦେଶବାସୀଙ୍କ କଠିନ ପରିଶ୍ରମରେ ଉତ୍ପାଦିତ ହୋଇଥିବା ସାମଗ୍ରୀଗୁଡ଼ିକୁ କିଣିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ତାଙ୍କ 20 ମିନିଟର ଅଭିଭାଷଣରେ ଜିଏସଟି ସଂସ୍କାର, ଆତ୍ମନିର୍ଭରଶୀଳ ଭାରତ ଏବଂ ସ୍ୱଦେଶୀ ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ରାଜ୍ୟ ସରକାରଙ୍କୁ ସ୍ୱଦେଶୀ ଅଭିଯାନ ସହିତ ଉତ୍ପାଦନକୁ ତ୍ୱରାନ୍ୱିତ କରିବାକୁ ଏବଂ ନିବେଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ। କେନ୍ଦ୍ର ଏବଂ ରାଜ୍ୟ ସରକାର ଏକାଠି ଆଗକୁ ବଢ଼ିଲେ ହିଁ ସ୍ୱପ୍ନ ପୂରଣ ହେବ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ଏକ ୨୦ ମିନିଟର ଭିଡିଓ ସମ୍ବୋଧନ କରିଛନ୍ତି । ମୋଦି କହିଛନ୍ତି, କାଲିଠାରୁ ‘GST ସଞ୍ଚୟ ଉତ୍ସବ’ ଆରମ୍ଭ ହେବ । କମ୍ ଟ୍ୟାକ୍ସ, ଆତ୍ମନିର୍ଭର ଭାରତ, ସ୍ବେଦେଶୀର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଏହା ଦ୍ୱାରା ଦେଶର ଅର୍ଥନୀତିକୁ ମଜବୁତ୍ କରି ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରାଯାଇପାରିବ ।
ଆସନ୍ତାକାଲିଠୁ GST (ଗୁଡ଼ସ୍ ଆଣ୍ଡ୍ ସର୍ଭିସେସ୍ ଟ୍ୟାକ୍ସ) ନୀତିରେ ପରିବର୍ତ୍ତନ ହେବ ।ଏହାଦ୍ବାରା ସମସ୍ତେ ୧୦-୧୫% GST ସଞ୍ଚୟର ସୁବିଧା ପାଇପାରିବେ । ପ୍ରଧାନମନ୍ତ୍ରୀ କହିଛନ୍ତି, “ଆମେ ଦେଶର ପରିଶ୍ରମକୁ ସମ୍ମାନ ଦେଉଁଛୁ। ଏହା ଦ୍ୱାରା ଲକ୍ଷାଧିକ ଭାରତୀୟ ଶ୍ରମିକଙ୍କ ଜୀବନଧାରଣ ସୁଧୁରିବ । ଆମର ଗରିବ, ମଧ୍ୟବିତ୍ତ ବର୍ଗ, ଯୁବବର୍ଗ, ମହିଳା ସମସ୍ତଙ୍କ ମୁହଁ ମିଠା ହେବ । ସବୁ ପରିବାରର ଖୁସି ବଢ଼ିବ । ଦେଶର କୋଟି କୋଟି ପରିବାରକୁ ଏହି ଜିଏସଟି ସଂସ୍କାର ପାଇଁ ବଧାଇ ଜଣାଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ସ୍ୱଦେଶୀ ସାମଗ୍ରୀ ଦେଶର ସମୃଦ୍ଧିକୁ ଶକ୍ତି ଦେବ। ଆମେ ଯାହା ଉତ୍ପାଦନ କରୁ ତାହା ବିଶ୍ୱରେ ସର୍ବୋତ୍ତମ ହେବା ଉଚିତ, ଏବଂ ଆମର ଉତ୍ପାଦର ଗୁଣବତ୍ତା ଭାରତର ବିଶ୍ୱ ପ୍ରତିଷ୍ଠାକୁ ବୃଦ୍ଧି କରିବା ଉଚିତ। ଯେପରି ସ୍ୱଦେଶୀର ମନ୍ତ୍ର ଦେଶର ସ୍ୱାଧୀନତାକୁ ଶକ୍ତି ଦେଇଥିଲା, ସେହିପରି ସ୍ୱଦେଶୀ ଦେଶର ସମୃଦ୍ଧିକୁ ଶକ୍ତି ଦେବ। ଆମକୁ ଭାରତରେ ନିର୍ମିତ ଜିନିଷପତ୍ର କିଣିବାକୁ ପଡିବ।
ଆମକୁ ପ୍ରତ୍ୟେକ ଘରକୁ ସ୍ୱଦେଶୀର ପ୍ରତୀକ କରିବାକୁ ପଡିବ। ପ୍ରତ୍ୟେକ ଦୋକାନକୁ ସ୍ୱଦେଶୀରେ ସଜାଯିବା ଉଚିତ। ଗର୍ବର ସହିତ ଘୋଷଣା କରିବାକୁ ପଡିବ ଯେ ଏହା ସ୍ୱଦେଶୀ। ଗର୍ବର ସହିତ ଘୋଷଣା କରିବାକୁ ପଡିବ ଯେ ମୁଁ ସ୍ୱଦେଶୀ କିଣେ ଏବଂ ବିକେ। ଏହା ପ୍ରତ୍ୟେକ ଭାରତୀୟଙ୍କ ମନୋଭାବ ହେବା ଉଚିତ।
ଭବିଷ୍ୟତକୁ ଆଖିରେ ରଖି ଏହି ସଂଶୋଧନ କରାଯାଇଛି । କେବଳ ୫% ଓ ୧୮% ଟିକସ ବ୍ୟବସ୍ଥା ରଖି ଅନ୍ୟ ସ୍ଲାବ ଉଠିଛି । ବର୍ତ୍ତମାନ ୯୯ ପ୍ରତିଶତ ସାମଗ୍ରୀ ୫% ଟିକସ ପରିସରକୁ ଆସିଛି । ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ ମଧ୍ୟ କରାଯାଇଛି । GST ସଂସ୍କାରରୁ ଘର ନିର୍ମାଣ, ଗାଡ଼ି କିଣିବା, ବୁଲାବୁଲି ଖର୍ଚ୍ଚ କମିବ । ଛୋଟ ଛୋଟ ଦୋକାନୀ ମଧ୍ୟ ଏଥିରୁ ବେଶି ଉପକୃତ ହେବେ । ଆୟକର କମିବ । GST ସଂସ୍କାର ଦ୍ବାରା ସାଧାରଣ ବର୍ଗର ଲୋକେ ଅଢ଼େଇ ଲକ୍ଷ କୋଟି ଫାଇଦା ନେବେ । * ଲଘୁ ଓ କୁଟିର ଉଦ୍ୟୋଗକୁ ମଧ୍ୟ ଡବଲ ଫାଇଦା ହେବ ।
ଟେକ୍ସଟାଇଲ୍ , ବୟନଶିଳ୍ପ, ଇଲେକ୍ଟ୍ରୋନିକ୍ସ୍ , ମୋବାଇଲ୍, ଅଟୋମୋବାଇଲ୍ , ଦୁଇ ଚକିଆ ଗାଡି ସବୁ ଦାମ କରିବ ବୋଲି କହିଛନ୍ତି ମୋଦି । ବିଦେଶୀ ଅପେକ୍ଷା ସ୍ବେଦେଶୀ ସାମଗ୍ରୀ କିଣିବାକୁ ସେ ଆହ୍ବାନ ଦେଇଛନ୍ତି । ଏହା ଦ୍ୱାରା ଦେଶର GDPରେ ୨-୩% ଅଧିକ ବୃଦ୍ଧି ହେବାର ଆଶା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ମହାଳୟା ଶ୍ରାଦ୍ଧ
ଆଜି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ପବିତ୍ର ତଥା କୃତଜ୍ଞତା ଜ୍ଞାପନର ମହନୀୟ ତିଥି । ଆଜି “ମହାଳୟା ଶ୍ରାଦ୍ଧ”’ ବା ”’ସାମ୍ବତ୍ସରିକ ଶ୍ରାଦ୍ଧ”’ ଅବା ”’ପାର୍ବଣ ଶ୍ରାଦ୍ଧ”’ ଏବଂ ”’ମଉଳା ଶ୍ରାଦ୍ଧ”’ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଶ୍ଵିନ ମାସର ପ୍ରଥମ ପକ୍ଷ “ପିତୃ ପକ୍ଷ” ନାମରେ କେଉଁ ଅନାଦି ଅନନ୍ତ କାଳରୁ ଓଡ଼ିଆ ମାନେ ପାଳନ କରି ଆସୁଛନ୍ତି ।
ଏହି ପକ୍ଷର ଅମାବାସ୍ୟା “ମହାଳୟା ଅମାବାସ୍ୟା” ନାମରେ ପାଳିତ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ “ପିତୃପର୍ବ” ମଧ୍ୟ କୁହାଯାଏ । ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ । ସୂର୍ଯ୍ୟ କନ୍ୟା ରାଶିରେ ଥିବାବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା ।

ମହଳୟା ଶ୍ରାଦ୍ଧର ତର୍ପଣରେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ପ୍ରଜାପତି, ଅଚାର୍ଯ୍ୟ, ବେଦ, ଛନ୍ଦ, ଗନ୍ଧର୍ବଗଣ, ଦେବଗଣ, ପୁରୁଣାଚାର୍ଯ୍ୟ, ସମ୍ବତ୍ସର, ଶାବୟବ, ନାଗଗଣ, ଯକ୍ଷ, ଭକ୍ଷ, ପିଶାଚ, ବନସ୍ପତି, ଔଷଧ, ଭୂତଗ୍ରାମ, ଚତୁଷ୍ଟୟ ଏବଂ ପୃଥିବୀ ଇତ୍ୟାଦି କୋଡ଼ିଏ ଦେବଗଣଙ୍କୁ ଗୋଟିଏ ଥର ତର୍ପଣ; ସନତ, ସନନ୍ଦ, ସନତନ, କପିଳ, ଆସୁରୀ, ଡୋବୁ, ଏବଂ ପଞ୍ଚଶିଖ ଇତ୍ୟାଦି ସାତ ଋଷିଙ୍କୁ ଦୁଇ ଥର ତର୍ପଣ ଏବଂ ପିତୃପୁରୁଷଗଣଙ୍କୁ ତିନିଥର ତର୍ପଣରେ ଅପ୍ୟାୟିତ କରାଯାଏ । ପିତୃ ତର୍ପଣରେ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟରୂପେ କଳ୍ପିତ କରାଯାଏ । ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ, ଋଷି, ଏବଂ ପିତୃପୁରୁଷଙ୍କ ଉପସ୍ଥିତ ହେତୁ ଏହାଙ୍କୁ ମହାଳୟା ଶ୍ରଦ୍ଧ କୁହାଯାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା, ଏହି ୧୫ ଦିନ ମଧ୍ୟରେ ଜଣେ ଯେ କୌଣସି ଦିନ ଶ୍ରାଦ୍ଧ ଦେଇପାରେ, ଏଥିପାଇଁ ଏହାକୁ ପିତୃପକ୍ଷ କୁହଯାଏ ।

ମହାଳୟା ତିଥିରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନଠାରେ “ଦଶହରା ବଳଦ ଯାତ୍ରା”ର ଆରମ୍ଭ ହୋଇଥାଏ । ଏହି ଦିନ ସମ୍ବଲପୁରର ସମଲେଶ୍ୱରୀଙ୍କ “ଧବଳମୁଖୀ ବେଶ” ମଧ୍ୟ ହୋଇଥାଏ ।ହିନ୍ଦୁ ଧାର୍ମିକ ପରଂପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ ।
କିମ୍ବଦନ୍ତି କହେ, ମହାଦାନୀ କର୍ଣ୍ଣଙ୍କର ଦାତାପଣିଆର ପୁରସ୍କାର ସ୍ୱରୂପ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଥିଲା । ହେଲେ, ଖାଦ୍ୟ ଦିଆଯାଇ ନ ଥିଲା । କାରଣ, ଜୀବିତାବସ୍ଥାରେ ସେ କେବେ ଅନ୍ନଦାନ କରି ନ ଥିଲେ । ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସି ବ୍ରାହ୍ମଣ ତଥା ଗରିବ ମାନଙ୍କୁ ଅନ୍ନ ଦାନ ଦେଇଥିଲେ । ଯମପୁର ଫେରିବା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା । ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନ ଥିଲା ପିତୃ ପକ୍ଷ । ଶ୍ରୀମନ୍ଦିରର ବା ବଡ଼ ଦେଉଳର ବାଇଶି ପାହାଚରେ ପିଣ୍ଡଦାନ କର୍ମ କରାଯାଏ ।ଜଗନ୍ନାଥଙ୍କ ପରି ଦଶହରା ସମୟରେ ମା ସମଲେଶ୍ୱରୀଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହୁଏ । ଯାହା ମହାଳୟା ତିଥିରୁ ଧବଳମୁଖୀ ବେଶରୁ ଆରମ୍ଭ ହୁଏ । ଦେବୀଙ୍କ ଏହି ଅଲୌକିକ ବେଶକୁ ଦର୍ଶନ କଲେ ଗଙ୍ଗାସ୍ନାନର ଫଳ ମିଳେ ବୋଲି ବିଶ୍ୱାସ ରହିଛି । ଦଶହରା ମାସ ପିତୃପକ୍ଷରେ ପରଲୋକଗତ ପିତୃପୁରୁଷଙ୍କୁ ପିଣ୍ଡପ୍ରଦାନ ପରେ ଗଙ୍ଗାସ୍ନାନ ବିଧି ରହିଥିବାରୁ ପଶ୍ଚିମ ଓଡ଼ିଶାର ଲୋକେ ବିକଳ୍ପ ସଦୃଶ୍ଯ ଦେବୀ ସମଲେଶ୍ୱରୀଙ୍କ ଧବଳମୁଖୀବେଶ ଦର୍ଶନ କରିଥାଆନ୍ତି ।
‘ଦକ୍ଷିଣପଥ ସମ୍ମିଳନୀ’ ଯୁବ ଶକ୍ତି ଓ ବିଶ୍ୱ କଲ୍ୟାଣର ନୂଆ ଦିଗନ୍ତ – ଧର୍ମେନ୍ଦ୍ର ପ୍ରଧାନ
‘ଦକ୍ଷିଣପଥ ସମ୍ମିଳନୀ’ ଭାରତର ଆହ୍ୱାନ ଗୁଡ଼ିକର ସମାଧାନ ପାଇଁ ନୂତନ ଚିନ୍ତାଧାରା ବିକଶିତ କରିବ ଏବଂ ଆମର ଯୁବବର୍ଗଙ୍କୁ ବିଶ୍ୱ କଲ୍ୟାଣର ଉତପ୍ରେରକ ଭାବରେ ଉଭା କରାଇବ ବୋଲି ରବିବାର ଚେନ୍ନାଇ ସ୍ଥିତ ଆଇଆଇଟି ମାଡ୍ରାସରେ ଆୟୋଜିତ ‘ଥିଙ୍କ ଇଣ୍ଡିଆ ଦକ୍ଷିଣପଥ ସମ୍ମିଳନୀ – ୨୦୨୫’ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ତିନିଦିନିଆ ତାମିଲନାଡୁ ଗସ୍ତରେ ଥିବା ଶ୍ରୀ ପ୍ରଧାନ ଆଜି ଏହି ସମାରୋହରେ ଯୋଗଦେଇ ଜାତୀୟ ଶିକ୍ଷା ନୀତି ୨୦୨୦ର ଭବିଷ୍ୟତମୁଖୀ ଦିଗ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, ଜାତୀୟ ଶିକ୍ଷା ନୀତି ହେଉଛି ‘ବସୁଧୈବ କୁଟୁମ୍ବକମ୍’ର ଏକ ପ୍ରୟୋଗାତ୍ମକ ରୂପ । ଏହା ବିକଶିତ ଭାରତ ପାଇଁ ମାର୍ଗ ପ୍ରଶସ୍ତ କରୁଛି । ବିଶ୍ୱ କଲ୍ୟାଣ ନିଶ୍ଚିତ କରିବା ପାଇଁ ଏହାକୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିବା ଜରୁରୀ । ସେ ଆହୁରି କହିଛନ୍ତି ଯେ ଆମକୁ ସୁଯୋଗ ଗୁଡ଼ିକର ସଦୁପଯୋଗ କରି ଶିକ୍ଷାଗତ ଲକ୍ଷ୍ୟ ଏବଂ ଜାତୀୟ ପ୍ରାଥମିକତା ପୂରଣ କରିବା ଦିଗରେ ଅଧିକ ଦାୟିତ୍ୱ ନେବାକୁ ପଡ଼ିବ । ଥିଙ୍କ୍ ଇଣ୍ଡିଆ ଭଳି ଦେଶର ପ୍ରମୁଖ ଥିଙ୍କ-ଟ୍ୟାଙ୍କଗୁଡ଼ିକୁ ବିଶ୍ୱସ୍ତରୀୟ ଆଧିପତ୍ୟ ବଜାୟ ରଖିବାକୁ ହେବ । ଭାରତର ବୈଶ୍ୱିକ ଦାୟିତ୍ୱ ପୂରଣ କରିବା ପାଇଁ ନୂତନ ମଡେଲ ଏବଂ ଉପକରଣ ପ୍ରସ୍ତୁତ କରିବା ନିମନ୍ତେ ଥିବା ଚ୍ୟାଲେଞ୍ଜ୍ ଗୁଡିକୁ ସାମ୍ନା କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।
ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଆଇଆଇଟି ମାଡ୍ରାସ ଗବେଷଣା ପାର୍କରେ ଇନକ୍ୟୁବେସନ ସମର୍ଥନ ପାଇଥିବା ଯୁବ ଉଦ୍ଭାବକ ଏବଂ ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କରିଥିଲେ । ଜେଇଇ ପରୀକ୍ଷାରେ ସଫଳତା ପାଇଥିବା ତଥା କଳା କ୍ଷେତ୍ରରେ ଆଇଆଇଟି ମାଡ୍ରାସରେ ନାମ ଲେଖାଇଥିବା ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ‘ଆଇଆଇଟିଏମ ଫର ଅଲ୍’ କାର୍ଯ୍ୟକ୍ରମ ଅଧୀନରେ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ତାମିଲନାଡୁ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ସାକ୍ଷାତ୍ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ । ଇଣ୍ଡିଆ ସେଣ୍ଟର ଫର୍ ଲ୍ୟାବ୍ ଗ୍ରୋନ୍ ଡାଇମଣ୍ଡ, ଟେକ୍ନୋଲୋଜି ଡେଭଲପମେଣ୍ଟ ସେଣ୍ଟର ପରିଦର୍ଶନ କରିଥିଲେ । ସେ କହିଥିଲେ ଭାରତରେ ନବସୃଜନ ଏବଂ ଉଦ୍ୟମିତା ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ଆଇଆଇଟି ମାଡ୍ରାସ ଏକ ଅଗ୍ରଣୀ ଭୂମିକା ନେଇଛି । ବିଶେଷ ଭାବରେ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ପିଲାମାନଙ୍କୁ ସହଯୋଗ କରି ସେମାନଙ୍କ ଭବିଷ୍ୟତ ନିର୍ମାଣ କରିବାରେ ଅନୁଷ୍ଠାନର ଅବଦାନ ଅତୁଳନୀୟ ବୋଲି ସେ କହିଥିଲେ ।

ଏହାବ୍ୟତୀତ ଶ୍ରୀ ପ୍ରଧାନ ସେପ୍ଟେମ୍ବର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ତାମିଲନାଡୁ ଗସ୍ତକାଳରେ କଦାୟମ୍ ଗ୍ରାମରେ ମହାକବି ସୁବ୍ରମଣ୍ୟମ ଭାରତୀଙ୍କ ପତ୍ନୀ ଚେଲ୍ଲାମ୍ମା ଭାରତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ତେନକାଶୀ ସ୍ଥିତ ଜୋହୋ କର୍ପୋରେସନର ବିଭିନ୍ନ ଅନୁଷ୍ଠାନ ଗସ୍ତ କରିବା ସହ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ଜୋହୋ ସ୍କୁଲ ଅଫ୍ ଲର୍ଣ୍ଣିଂ, ଜୋହୋ ଦ୍ୱାରା ପରିଚାଳିତ ମେକାଟ୍ରୋନିକ୍ସ ଷ୍ଟାର୍ଟ-ଅପ୍ କାରୁଭି, କାଲୟୀବାଣୀ କାଲଓ୍ୱି ମୈୟମ ସ୍କୁଲ, ଥରୁଭାଇ କ୍ୟାମ୍ପସ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ । ସେ କହିଥିଲେ ଜୋହୋ କ୍ୟାମ୍ପସ ଆମର ଯୁବପିଢ଼ିଙ୍କୁ ଜୀବନବ୍ୟାପୀ ଶିକ୍ଷାରେ ନିୟୋଜିତ ହେବାକୁ ଉତ୍ସାହିତ କରୁଛି। ଡିଗ୍ରୀ ଅପେକ୍ଷା ଦକ୍ଷତା ଏବଂ କ୍ଷମତାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଅସହାୟ ଓ ଗ୍ରାମୀଣ ଛାତ୍ରଛାତ୍ରୀଙ୍କୁ ସଶକ୍ତ କରୁଛି । ସ୍କୁଲ ଗରିବ ଏବଂ ଅବହେଳିତ ପୃଷ୍ଠଭୂମିର ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାର ଜ୍ୱାଳା ପ୍ରଜ୍ଜ୍ୱଳିତ କରୁଛି ।

ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ପରଲୋକରେ ବିଜେପି ରାଜ୍ୟ ସଭାପତିଙ୍କ ଶୋକ ପ୍ରକାଶ
ଜଣାଶୁଣା ଆଦିବାସୀ ନେତା ତଥା ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ତାଙ୍କ ଆକସ୍ମିକ ଦେହାନ୍ତ ଖବର ଶୁଣି ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଭୀର ଶୋକବ୍ୟକ୍ତ କରିଛନ୍ତି।
ଶ୍ରୀ ସାମଲ କହିଛନ୍ତି ଯେ, ସ୍ୱର୍ଗତଃ ତିର୍କି କେବଳ ଜଣେ ଦକ୍ଷ ରାଜନୀତିଜ୍ଞ ନ ଥିଲେ ବରଂ ଜନଜାତି ସମୁଦାୟର ଅଧିକାର ଓ ସ୍ୱାର୍ଥ ସଂରକ୍ଷଣରେ ଏକ ଅଗ୍ରଣୀ ଯୋଦ୍ଧା ଥିଲେ। ସ୍ୱର୍ଗତଃ ତିର୍କିଙ୍କ ବିୟୋଗରେ ଓଡ଼ିଶାର ଆଦିବାସୀ ସମୁଦାୟ ଏକ ମହାନ ନେତାଙ୍କୁ ହରାଇଲେ ଏବଂ ରାଜନୀତି କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି ହେଲା। ଏହି ଦୁଃଖ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ, ଆତ୍ମୀୟସ୍ୱଜନଙ୍କୁ ଶ୍ରୀ ସାମଲ ଗଭୀର ସମବେଦନା ଜଣାଇଛନ୍ତି।
ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ବିୟୋଗରେ ବାଚସ୍ପତିଙ୍କ ଶୋକ ବିଧାନସଭା ପକ୍ଷରୁ ଗାର୍ଡ ଅଫ୍ ଅନର
ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ବିୟୋଗରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଗଭୀର ଶୋକପ୍ରକାଶ କରିଛନ୍ତି ।
ଏକ ଶୋକବାର୍ତ୍ତାରେ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଜର୍ଜ ତିର୍କି ଛାତ୍ରଜୀବନରୁ ନିଜର ସାଂଗଠନିକ ଦକ୍ଷତାର ପରିଚୟ ଦେଇଥିଲେ । ଅବିଭକ୍ତ ସୁନ୍ଦରଗଡ଼ ଜିଲ୍ଲା ସମେତ ଝାଡ଼ଖଣ୍ଡରେ ମଧ୍ୟ ତାଙ୍କର ବିଶେଷ ଲୋକପି୍ରୟତା ଥିଲା । ବୀରମିତ୍ରପୁର ବିଧାନସଭାରୁ ୪ ଥର ନିର୍ବାଚିତ ହେବା ତାଙ୍କ ଲୋକପି୍ରୟତାର ପରିଚୟ ଦିଏ । ଜନଜାତିଙ୍କ କଲ୍ୟାଣ ନିମନ୍ତେ ତାଙ୍କର ପ୍ରୟାସ ଓ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ । ବାଚସ୍ପତି ଶ୍ରୀମତୀ ପାଢ଼ୀ ଦିବଂଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ଆଜି ପୂର୍ବାହ୍ନ ୧୧ଟା ସମୟରେ ସ୍ୱର୍ଗତ ଜର୍ଜ ତିର୍କିଙ୍କ ମରଶରୀର ବିଧାନସଭା ପରିସରରେ ପହଞ୍ଚିବା ପରେ ବିଧାନସଭା ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା । ବିଧାନସଭା ପରିସରରେ ବାଚସ୍ପତି ଶ୍ରୀମତୀ ପାଢ଼ୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ବିଜେଡ଼ି ବିଧାୟକ ଦଳ ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ, ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ, ବିଧାୟକବୃନ୍ଦ, ପୂର୍ବତନ ମନ୍ତ୍ରୀ ଓ ବିଧାୟକଗଣ, ବିଧନାସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତଙ୍କ ସମେତ ବିଧାନସଭାର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ସ୍ୱର୍ଗତ ତିର୍କିଙ୍କ ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
୨୫ରୁ ଷଷ୍ଠ ଭାରତୀୟ ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବ
ଭୁବନେଶ୍ଵର ଫିଲ୍ମ ସୋସାଇଟି ତରଫରୁ ଷଷ୍ଠ ଭାରତୀୟ ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବ ଆସନ୍ତା ୨୫ ତାରିଖରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ। ୪ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବର୍ଲିନ, ସଣ୍ଡାନ୍ସ, ରଟରଡାମ, ଥିରୁଭାନନ୍ଥପୂରମ, ବୁସାନ ଓ ନ୍ୟୁୟର୍କରେ ଆୟୋଜିତ ବିଶ୍ଵର ପ୍ରସିଦ୍ଧ ଚଳଚ୍ଚିତ୍ର ଉତ୍ସବଗୁଡ଼ିକରେ ପ୍ରଶଂସା ସାଉଁଟିଥିବା ୪୦ଟି ବୃତ୍ତଚିତ୍ର ପ୍ରଦର୍ଶିତ ହେବ।
ଏହି ଉତ୍ସବରେ ୧୪ ଥର ଜାତୀୟ ପୁରସ୍କାର ବିଜେତା ପଦ୍ମଶ୍ରୀ ଗିରିଶ୍ କସରାଭଲ୍ଲିଙ୍କ ଡକ୍ୟୁମେଣ୍ଟାରୀ ଉପରେ ଏକ ବିଶେଷ ପୁନର୍ଦୃଷ୍ଟି ହେବ। ପଦ୍ମଶ୍ରୀ କସରାଭଲ୍ଲି ନିଜେ ଉତ୍ସବରେ ଉପସ୍ଥିତ ରହିବେ। ଅଡୁର ଗୋପାଳକୃଷ୍ଣନ, ଉ. ର. ଅନନ୍ତମୂର୍ତ୍ତି ଏବଂ ସଂଗୀତକାର ଭେଙ୍କଟେଶ୍ କୁମାରଙ୍କ ଉପରେ ତିନୋଟି ବୃତ୍ତଚିତ୍ର ପ୍ରଦର୍ଶନ କରାଯିବ।
ସୋମବାର ଯାଏଁ ଗୃହ ମୁଲତବୀ
ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନରେ ବି ଚାଲିପାରିଲାନି ଗୃହ। ସୋମବାର ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୀରମିତ୍ରପୁରର ଦିବ୍ୟଙ୍ଗତ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ । ଏହାକୁ ବିରୋଧୀ ବିଜେଡିର ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମା ଏବଂ ସିପିଏମ୍ ବିଧାୟକ ସମର୍ଥନ କରିଥିଲେ । ୧ ମିନିଟ୍ ନିରବ ପ୍ରାର୍ଥନା ପରେ ପ୍ରଶ୍ନକାଳ ଆରମ୍ଭ ହୋଇଥିଲା ।
ମାତ୍ର ପ୍ରଶ୍ନକାଳ ଚାଲିବା ପରେ ସାର ପ୍ରସଙ୍ଗ ଉଠାଇ ନାରାବାଜି କରିଥିଲେ ବିଜେଡି ବିଧାୟକ । ରାଜ୍ୟରେ ଚାଷୀମାନେ ପର୍ଯ୍ୟାପ୍ତ ପରିମାଣର ସାର ପାଉନଥିବାରୁ ଏହି ପ୍ରସଙ୍ଗକୁ ଦଳ ଏଥର ମୁଦ୍ଦା କରି ରାଜ୍ୟ ସରକାରଙ୍କୁ ଘେରିଥିଲା। ବାଚସ୍ପତିଙ୍କ ପୋଡିୟମ୍ ସମ୍ମୁଖରେ ହଟ୍ଟଗୋଳ କରିବାରୁ ବାଚସ୍ପତି ସୁରମା ପାଢୀ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନ ୪ଟାରେ ପୁର୍ନବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସାର ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ମାନେ ଗୃହ ମଝିକୁ ଆସି ହଟ୍ଟଗୋଳ କରିଥିଲେ। ଯାହାକୁ ନେଇ ବାଚସ୍ପତି ଗୃହକୁ ସୋମବାର ଯାଏଁ ମୁଲତବୀ ଘୋଷଣା କରିଛନ୍ତି।







