ଆଲୋ ସଖି

ଆଲୋ ସଖି


-++
ବାକ୍ ସଂଯମତା, ବିଶେଷ କରି ଶାସନ, ପ୍ରଶାସନ ତଥା ସମାଜର ଗୁରୁତ୍ୱପୂର୍ଣ୍ଣ ସ୍ଥାନମାନଙ୍କରେ ଦାୟିତ୍ଵ ନିର୍ବାହ କରୁଥିବା ବ୍ୟକ୍ତିମାନଙ୍କ ବ୍ୟବହାରରେ ର‌ହିଵା ଏକାନ୍ତ ଆବଶ୍ୟକ । ସେଥିପାଇଁ କୁଳବୃଦ୍ଧ ଭାରତ ଗୌରବ  ମଧୁସୂଦନ କହିଯାଇଛନ୍ତି ” ଆଲୋ ସଖି ! ଆପଣା ମହତ ଆପେ ରଖି ” ।  ବିଶେଷ କରି କ୍ଷମତା ରାଜନୀତିରେ ଦଳୀୟ ସ୍ବାର୍ଥ ଏବଂ ସ୍ଵକୀୟ ସ୍ବାର୍ଥ ପାଇଁ ତଥାକଥିତ ନେତାମାନଙ୍କ ଅନିୟନ୍ତ୍ରିତ ଜିଭରୁ ନିର୍ଗତ ଭୟଙ୍କର ବିଷ ର ପ୍ରଭାବରେ ସ୍ଵାଧୀନୋତ୍ତର ଭାରତର ଆଦ୍ୟ ଅବଧିର ସମ୍ପ୍ରଦାୟିକ ଦଙ୍ଗାର ଲୋମହର୍ଷଣକାରୀ ରକ୍ତାକ୍ତ ଇତିହାସ ଠାରୁ ବିଗତ ୭୮ ବର୍ଷଧରି ଭାରତ ଜନନୀ ଯେଭଳି ଜିଭ ପ୍ରତିଫଳିତ ବିଷଜ୍ୱାଳାରେ ଜର୍ଜରିତା, ତାହାର ଇତିହାସ ଏତେ ବ୍ୟାପକ, ଏତେ ଘୃଣିତ ଯେ ତାହା ପ୍ରକାଶ କରିବା ପାଇଁ ଭାଷା ଅକୁଳାଣ । 

 ସର୍ବୋଚ୍ଚ ନ୍ୟାୟାଳୟ ବିଭିନ୍ନ ପ୍ରସଙ୍ଗ କୁ ନେଇ ଭ୍ରଷ୍ଟ ନେତା ଓ ଦଳୀୟ କର୍ମୀଙ୍କ ଜିଭ ନିଷ୍କୃତ ବିଷ ଜ୍ଜ୍ବାଳାରେ ଦେଶର ବାତାବରଣ କିଭଳି ଭୟଙ୍କର ଭାବରେ ପ୍ରଦୂଷିତ, ଶାସନ କଳର ଉଦାସୀନତା ସମ୍ପର୍କରେ କ୍ଷୋଭ ପ୍ରକାଶ କରି  ତତ୍ କାଳୀନ ମୁଖ୍ୟ ବିଚାରପତି ନ୍ୟାୟ ମୂର୍ତ୍ତି ୟୁୟୁ ଲଳିତ  ଯେଉଁ ଭାଷାରେ ନିନ୍ଦା କରିଥିଲେ , ତାହା  ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗତ ତିନି ବର୍ଷ ତଳେ , ଆଜିର ତାରିଖରେ ସାମାଜିକ ଗଣମାଧ୍ୟମ ମୁଖ ପୁସ୍ତକରେ ଆମେ ଉଲ୍ଲେଖ କରିଥିଲୁ ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଟୁଡୁଙ୍କ ବ୍ୟବହାର ନିଶ୍ଚିତ ଭାବରେ ନିନ୍ଦନୀୟ । ଓଡ଼ିଶା ପ୍ରଶାସନିକ ସେବା ସଂଘ ( ଓ ଏ ଏସ୍)ର ପ୍ରତିବାଦ ମଧ୍ୟ ଯଥାର୍ଥ । 

 ବ୍ୟକ୍ତିଗତ ଭାବେ ଆମେ ଏହି ପ୍ରତିବାଦକୁ ସମର୍ଥନ କରିଥିଲୁ । ଅପରପକ୍ଷରେ ଓଡିଶା ପ୍ରଶାସନିକ ସେବା ସଂଘର ସଭାପତି ଙ୍କୁ ମଧ୍ୟ ପ୍ରଶ୍ନ କରିଥିଲୁ । ଯେତେବେଳେ ଓଡ଼ିଶାର ସୀମା ଦଖଲ କରି ଚାଲିଥିବା ପଡୋଶୀ ଆନ୍ଧ୍ର ପ୍ରଦେଶର ଜଣେ ମନ୍ତ୍ରୀ ,  ଅନଧିକାର ଭାବେ ଓଡ଼ିଶା ମାଟିରେ ଅନୁପ୍ରବେଶ କରି ଓଡ଼ିଶାର ମାଟି ଉପରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଅସଭ୍ୟ ଭାଷାରେ କେବଳ ଗାଳିଗୁଲଜ ନୁହେଁ, ବନ୍ଧୁକରେ ଉଡେଇ ଦେବାକୁ ଧମକ ଦେଲେ,  ସେତେବେଳ ଠାରୁ ଆଜି ପର୍ଯ୍ୟନ୍ତ  ଓଡ଼ିଶା ପ୍ରଶାସନିକ ସେବା ସଂଘ କ’ଣ ପଦକ୍ଷେପ ଗ୍ରହଣ କରିଛି ? ଆନ୍ଧ୍ର ମନ୍ତ୍ରୀ ଓଡ଼ିଶାର ପ୍ରଶାସନିକ ଅଧିକାରୀ, ଆରକ୍ଷୀ ବାହିନୀଙ୍କ ଉପସ୍ଥିତିରେ, ସେମାନଙ୍କୁ ମାଧ୍ୟମ କରି ସମଗ୍ର ଓଡ଼ିଶାବାସୀଙ୍କୁ ତାତ୍ସଲ୍ୟ କରିବା ସହିତ ଆହ୍ବାନ ଦେବାର ଦୁଃସାହାସିକ ଆଚରଣ ପ୍ରଦର୍ଶନ କରୁଥିଲେ , ସେତେବେଳେ ଏମାନେ ମଥାପାତି ସହ୍ୟ କରିଥିଲେ । 

 ଏଭଳି ଭୟଙ୍କର ଅପମାନ ସତ୍ତ୍ୱେ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀ କିମ୍ବା  ଓଡ଼ିଶା ସରକାର ଅବା ଓଡ଼ିଶା ପ୍ରଶାସନିକ ସେବା ସଂଘ   ତରଫରୁ ଆନ୍ଧ୍ର ମନ୍ତ୍ରୀ ବିରୋଧରେ ପ୍ରଥମ ଅଭିଯୋଗ ଫର୍ଦ୍ଦ ଦାଖଲ କରାନଯିବାରୁ ଓଡ଼ିଶା ନାଗରିକ ମହାମଞ୍ଚ ତରଫରୁ ଗଜପତି ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ ଫର୍ଦ୍ଦ ଦାଖଲ ହେବା ସତ୍ତ୍ୱେ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାର କାରଣ କ’ଣ ? ଓଡ଼ିଶାର କୌଣସି ମନ୍ତ୍ରୀ ଯଦି ପଡୋଶୀ ରାଜ୍ୟରେ ଏଭଳି ଅପରାଧ କରିଥାନ୍ତେ , ତେବେ ସେ ରାଜ୍ୟର ସରକାର ନିରବ ରହିଥାନ୍ତେ କି ? ସଂଘ ସଭାପତି ଶ୍ରୀଯୁକ୍ତ ସାମଲ ଏହି ପ୍ରଶ୍ନ ର ଉତ୍ତର ଦେବେ କି ? ବିଗତ ତିନି  ବର୍ଷ ମଧ୍ୟରେ ସଂଘ ସଭାପତି ଉତ୍ତର ଦେବାକୁ ବୋଧେ ଉଚିତ ମଣି ନାହାନ୍ତି ।

ସେହିପରି ଓଡ଼ିଶାର ନବୀନ ପଟ୍ଟନାୟକ ସରକାରର ରାଜସ୍ବ ମନ୍ତ୍ରୀଙ୍କ ସହିତ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ନିଜ ନିଜର ଜିଭ ଉପରେ ସଂଯମତା ରକ୍ଷା ନକରି , ପବିତ୍ର ବିଧାନସଭାରେ ଯେଭଳି ବିଷ ଉଦଗାରିଥିଲେ, ତା’ର  ପ୍ରଭାବରେ ପଡୋଶୀ ଭଗାରି ଓଡ଼ିଶାର ମାଟି ଓ ଅମୂଲ୍ୟ ଖଣିଜ ସଂପଦ ଲୁଟିବାକୁ ଉତ୍ସାହିତ ହୋଇ ଏଭଳି ଚକ୍ରାନ୍ତିଆ ଯୋଜନା କରିଚାଲିଛି ,ଯାହାକୁ ସମ୍ମୁଖୀନ ହେବାକୁ ଲହୁ ଲୁହାଣ ହେବାକୁ ପଡ଼ିଥିଲା, ୨୦୨୩ ଅକ୍ଟୋବର ୧୬ ତାରିଖ ଦିନ ” ଚାଲ ଦେଓମାଳି, ଚାଲ କୋଟିଆ”   ଅଭିଯାନର ସଫଳତା ଆମେ ପାଇଲେ ।କେବଳ କୋଟିଆ ନୁହେଁ, ଓଡ଼ିଶାର ସମସ୍ତ ସୀମାବର୍ତ୍ତୀ ଅଞ୍ଚଳ ଏବେ ପଡୋଶୀ ଭଗାରି ରାଜ୍ୟ ମାନଙ୍କ ଦ୍ବାରା ଅପହୃତ । ସେଥିପାଇଁ ବର୍ତ୍ତମାନର ଆହ୍ବାନ ହୋଇଛି , “ପୂର୍ଣ୍ଣାଙ୍ଗ ଓଡିଶା ଗଠନ” ପାଇଁ ବ୍ୟାପକ ଗଣ ଆନ୍ଦୋଳନ ଗଢ଼ି ତୋଳିବା । ବିଜୟ ବାହୁଡ଼ା ଠାରୁ ମେଦିନୀପୁର ସମେତ ଷଢେ଼ଇକଳା, ଖରସୁଆଁ, ସିଂହଭୂମ, ଚକ୍ରଧରପୁର,ଚାଇଁବସା , ଜଗଦଲପୁର, ବସ୍ତର ଆଦି ଓଡ଼ିଆ ମାନଙ୍କ ଅଞ୍ଚଳକୁ ନେଇ ପୂର୍ଣ୍ଣାଙ୍ଗ ଓଡିଶା ଗଠନ ହିଁ ସମୟର ଆହ୍ବାନ ।

ଦୀର୍ଘବର୍ଷ ହେଲା ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦ ଲାଗି ରହିଛି। ପଶ୍ଚିମବଙ୍ଗ ବାଲି ମାଫିଆମାନେ ଓଡ଼ିଶା ସୀମାରୁ କୋଟି କୋଟି ଟଙ୍କାର ବାଲି ଚୋରାଚାଲାଣ କରି ମାଲେମାଲ ହେଉଛନ୍ତି। ବେଆଇନ ବାଲି ଉତ୍ତୋଳନ ଯୋଗୁ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ନଦୀକୂଳ ଗ୍ରାମ ବିଳାସପୁର, ଗୋପାଳପୁର, କୁଆଁରପୁର, ମାକିଡ଼ିଆ, ତୋଟାପଡ଼ା, ବେହେରାସାହି, ପ୍ରହରାଜପୁର, ଦକ୍ଷିଣ ପ୍ରହରାଜପୁର ଓ ମକରମପୁର ଗାଁ ପ୍ରତି ବିପଦ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଏନ୍‌ଜିଟିରେ ମାମଲା ଚାଲୁ ରହିଥିଲା ବେଳେ ଉଭୟ ରାଜ୍ୟକୁ କୋର୍ଟ ତାଗିଦ୍‌ କରିବା ସହ ଏହାର ସୀମା ନିର୍ଦ୍ଧାରଣ ଲାଗି ପରାମର୍ଶ ଦେଇଥିଲେ। ବର୍ତ୍ତମାନର ସରକାର ପବିତ୍ର ବିଧାନସଭାରେ ସ୍ବୀକାର କରିଛନ୍ତି ଯେ ଭୟଙ୍କର ସୀମା ବିବାଦରେ ଛନ୍ଦି ହେଉଛି ଓଡ଼ିଶା ।

 ପଡୋଶୀ ୪ ରାଜ୍ୟ ସହିତ ରାଜ୍ୟ ୧୪ଟି ଜିଲ୍ଲାର ଆନ୍ତଃ-ରାଜ୍ୟ ସୀମା ବିବାଦ ଲାଗି ରହିଛି । ଯାହାକୁ ନେଇ ଗୃହରେ ଉତ୍ତର ରଖିଥିଲେ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବିଧାୟକ ରମେଶ ବେହେରାଙ୍କ ପ୍ରଶ୍ନରେ ଉତ୍ତର ଦେଇ ମନ୍ତ୍ରୀ କହିଥିଲେ ଯେ, ଆନ୍ଧ୍ର ପ୍ରଦେଶ, ଛତିଶଗଡ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟ ସହ ଓଡ଼ିଶାର ୧୪ଟି ଜିଲ୍ଲାର ଆନ୍ତଃ ରାଜ୍ୟ ସୀମା ସଂଲଗ୍ନ ଅଛି । ଯାହାକୁ ନେଇ ବିବାଦ ଲାଗି ରହିଛି । ତେବେ କୋଟିଆ ଗ୍ରାମପୁଞ୍ଜକୁ ଛାଡିଦେଲେ ଅନ୍ୟ କେଉଁ ସ୍ଥାନରେ ବିବାଦ ସେତେ ବଡ ଧରଣର ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟୋକ୍ତି ରଖିବା ଜଣାଇ ଦେଉଛି ଯେ ସରକାରଙ୍କ ନିକଟରେ
ବାସ୍ତବ ତଥ୍ୟ ନାହିଁ ଅବା ସୀମା ସମ୍ପର୍କରେ ସରକାର ସଚେତନ ନୁହନ୍ତି ।

ଗତ ଅଧିବେଶନରେ ବିଜେଡି ବିଧାୟକ ରମେଶ ବେହେରା ଏନେଇ ଗୃହରେ ପ୍ରଶ୍ନ କରିଥିଲେ । ସେ ପଚାରିଥିଲେ ଯେ, ଆନ୍ତଃ ରାଜ୍ୟ ସୀମା ବିବାଦର ସମାଧାନ ଓ ଅନୁପ୍ରବେଶ ରୋକିବାକୁ ସରକାର କି କି ପଦକ୍ଷେପ ନେଉଛନ୍ତି ? ଆଉ କେଉଁ କେଉଁ ସୀମାନ୍ତ ରାଜ୍ୟ ସହ କେତୋଟି ବିବାଦ ରହିଛି? ଏହାର ଉତ୍ତର ଦେଇ ମନ୍ତ୍ରୀ ଏହି ସମ୍ପର୍କରେ ସୂଚନା ଦେଇଥିଲେ । ମନ୍ତ୍ରୀଙ୍କ ସୂଚନା ମୁତାବକ, କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ରପ୍ରଦେଶ ସହିତ ୧୯୬୮ ମସିହାରୁ ସୀମା ବିବାଦ ରହିଛି । ଏନେଇ ଓଡ଼ିଶା ସରକାର ଆନ୍ଧ୍ର ସରାକରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ମାମଲା ଦାୟର କରିଛନ୍ତି ।

ତେବେ ଏହି କେଶକୁ ଖାରଜ କରିବା ସହ ଆଲୋଚନା ମାଧ୍ୟମରେ ଏହାର ଫଇସଲା କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ବୋଲି ଗୃହରେ ଉତ୍ତର ରଖିଥିଲେ ମନ୍ତ୍ରୀ ।ଅନ୍ୟପଟେ ବିବାଦୀୟ କୋଟିଆ ଅଞ୍ଚଳର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ୧୦୮ କୋଟି ୫୩ ଲକ୍ଷ ୧୨ ହଜାର ୩୩୯ ଟଙ୍କା ଖର୍ଚ୍ଚ କରାଯାଇଛି । ପ୍ରତି ଗ୍ରାମକୁ ରାସ୍ତା, ବିଦ୍ୟାଳୟ ଗୃହ, ଆବାସିକ ଶ୍ରେଣୀ ଗୃହ, ଅଙ୍ଗନୱାଡି ଗୃହ, ମିଶନ ଶକ୍ତି ଗୃହ, ୧୦ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ବଜାର ପିଣ୍ଡି, ପୋଲିସ ଥାନା ନିର୍ମାଣ କରିବା ସଙ୍ଗେ ସଙ୍ଗେ ବିଦ୍ୟୁତ ସଂଯୋଗ ଓ ମୋବାଇଲ ଟାୱାର ସ୍ଥାପନ ସହ ଲୋକମାନଙ୍କ ପାଇଁ ଜୀବିକାର ମଧ୍ୟ ବ୍ୟବସ୍ଥା କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ ।  ସୀମା ସୁରକ୍ଷା ଅଭିଯାନର ଧାରାବାହିକ ଆନ୍ଦୋଳନ ଫଳରେ ଅନ୍ତତଃ ଏତିକି ମାତ୍ର ପଦକ୍ଷେପ ସରକାର ନେଇଛନ୍ତି । ବିଗତ ଦୁଇ ଦଶନ୍ଧି ଧରି ସୁବାର୍ତ୍ତାରେ ବିଭିନ୍ନ ଆଲେଖ୍ୟ ଆଲୋଚନା ଏବଂ ଅଗ୍ରଲେଖରେ ପ୍ରକାଶ ପାଇ ଆସୁଛି ଯେ ଓଡ଼ିଶାର ସୀମା,ଜଳ, ଜମି ଓ ଜଙ୍ଗଲକୁ ଉପଜିବ୍ୟ କରି ପଡୋଶୀ ଆନ୍ଧ୍ର, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଝାଡ଼ଖଣ୍ଡ ସହିତ ବିବାଦ ଲାଗି ରହିବା , ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥି ପ୍ରତି ଗୁରୁତ୍ବ ନଦେବା ଫଳରେ ଯେଉଁ ସ୍ଥିତି ସୃଷ୍ଟି ହୋଇ ଚାଲିଛି , ତାହା ଆଗାମୀ ଦିନରେ ଭୟଙ୍କର ନକରାତ୍ମକ ପ୍ରଭାବ ଏହି ପାଞ୍ଚ ରାଜ୍ୟ ଉପରେ ପଡିବା ଅବଧାରିତ ।

ଏଠାରେ ପ୍ରସଙ୍ଗ କ୍ରମେ ଉଲ୍ଲେଖଯୋଗ୍ୟ ଯେ ରାଜେନ୍ଦ୍ର ନାରାୟଣ ସିଂହଦେଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବାବେଳେ ୧୯୬୮ ମସିହାରେ ଆନ୍ଧ୍ର ସହିତ ଓଡ଼ିଶାର ସୀମା ବିବାଦ ଘେନି ଓଡ଼ିଶା ପକ୍ଷରୁ ସୁପ୍ରିମକୋର୍ଟରେ ଦୁଇଟି ମାମଲା ରୁଜୁ କରାଯାଇଥିଲା । ପଟ୍ଟାଙ୍ଗୀ ତହସିଲର କୋଟିଆ ସମେତ ୨୧ଟି ଗ୍ରାମପୁଞ୍ଜକୁ ନେଇ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ଅନ୍ୟଟି ଥିଲା ବୋରାମୁଥା ସମେତ ୧୩ଟି ଗ୍ରାମ ପ୍ରସଙ୍ଗ ଆଧାରିତ। ଏହି ମାମଲା ଦୁଇଟିରୁ ବୋରାମୁଥା ମାମଲାରେ ୨୦୧୦ ମସିହାରେ ଓଡ଼ିଶା ସରକାର ହାରିଥିବା ବେଳେ ଅନ୍ୟ ମାମଲାଟିକୁ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ବା ସୁପ୍ରିମକୋର୍ଟ ଖାରଜ କରିଦେଇ ଆପୋଷ ଆଲୋଚନା ମାଧ୍ୟମରେ ଫଇସଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହାର ପ୍ରମୁଖ କାରଣ ଓଡ଼ିଶା ସରକାର ମକଦ୍ଦମା କରି ଚୁପ ବସିଗଲେ । ଯାହା ଫଳରେ ଆନ୍ଧ୍ର ଯାହା ଚାହୁଁ ଥିଲା , ତାହା ହେଲା ଏବଂ ସେ ପର୍ଯ୍ୟନ୍ତ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ତାଙ୍କ ଆଦେଶରେ ଉଲ୍ଳେଖ କରିଥିଲେ ମଧ୍ୟ ବାରମ୍ବାର ଆନ୍ଧ୍ର ପକ୍ଷରୁ ତାହାର ଉଲ୍ଲଂଘନ କରାଯାଉଥିବାରୁ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଏକ ଅଦାଲତ ଅବମାନନା ମାମଲା ରୁଜୁ କରିବାର ଇତିମଧ୍ୟରେ ୪ବର୍ଷ ବର୍ଷ ବିତିଗଲାଣି । ଏହାଛଡ଼ା ୨୦୨୩ରେ ବି ଓଡ଼ିଶା ସରକାର ଅନ୍ୟ ଏକ ମୂଳ ମାମଲା ସୁପ୍ରିମକୋର୍ଟରେ ଦାଏର କରିଥିଲେ ,ଯାହା ଏଯାବତ୍‍ ବିଚାରାଧୀନ ରହିଛି ।

ସେହିପରି ଆନ୍ଧ୍ର ପ୍ରଦେଶ ସହିତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଅଞ୍ଚଳର ମାଣିକ ପାଟଣା, ଗଙ୍ଗା ବାଡ଼ ଆଦି ବିସ୍ତୃତ ଅଞ୍ଚଳ ଓ କାଶୀନଗର ତହସିଲ ଅନ୍ତର୍ଗତ କେତେକ ଗ୍ରାମକୁ ନେଇ ଆନ୍ଧ୍ର ପ୍ରାୟୋଜିତ ବିବାଦ ଦୀର୍ଘ ଦିନରୁ ଚାଲିଛି ।ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାର ଆଖିବୁଜା ବନ୍ଧ ନିର୍ମାଣ କରି ଓଡ଼ିଶାରେ ମହାନଦୀର ଜଳପ୍ରବାହକୁ ଏକ ପ୍ରକାର ସଂକୁଚିତ କରିଦେଇଥିବା ଘେନି ପ୍ରାୟ ୧୦ବର୍ଷ ହେବ ଟ୍ରିବ୍ୟୁନାଲ୍‍ରେ ମାମଲା ଗଡୁଛି । ଏହି ମାମଲା ପାଇଁ ଓଡ଼ିଶା ସରକାର ମଧ୍ୟ କୋଟିକୋଟି ଟଙ୍କା ଗରିବ ଲୋକଙ୍କ ରାଜକୋଷରୁ ଖର୍ଚ୍ଚ କଲେଣି ।

କିନ୍ତୁ ସମୟ ଗଡ଼ି ଚାଲୁଥିବା ସହିତ ମହାନଦୀର ତଳମୁଣ୍ଡ ଶୁଖିଲା ପଡୁଛି । ଏହି ସମସ୍ୟାର କେବେ ସମାଧାନ ହେବ ଏବଂ ପୁଣି ମହାନଦୀ ବକ୍ଷରେ ଜଳଧାରା ପ୍ରବାହିତ ହେବ ସେ ସଂକ୍ରାନ୍ତରେ କେହି ନିର୍ଦ୍ଦିଷ୍ଟ ଭାବେ କିଛି କହିପାରୁ ନାହାନ୍ତି । ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ତହସିଲ ଅନ୍ତର୍ଗତ ଝାରଗାଁ ଅଞ୍ଚଳରେ ଓଡ଼ିଶାର କେତେକ ଜମିକୁ ନେଇ ବି ଛତିଶଗଡ଼ ସହ ସୀମା ବିବାଦ ଲାଗି ରହିଛି । ସେହିପରି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଓ ସାରସକଣା ତହସିଲ ଅନ୍ତର୍ଗତ ୮ଟି ରାଜସ୍ୱ ଗ୍ରାମକୁ ନେଇ ପଶ୍ଚିମବଙ୍ଗ ସହିତ ସୀମା ବିବାଦ ଚାଲିଛି । ସେହିପରି ବାଲେଶ୍ୱର ଜିଲ୍ଲାର ଭୋଗରାଇ ତହସିଲ ଅନ୍ତର୍ଗତ ସାହବାଜପୁର ଗାଁ ଏବଂ ସୁବର୍ଣ୍ଣରେଖା ନଦୀ ଶଯ୍ୟା ପ୍ରସଂଗରେ ବି ପଶ୍ଚିମବଙ୍ଗ ସହ ଓଡ଼ିଶାର ସୀମା ବିବାଦ ଲାଗି ରହିଛି ।

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ତହସିଲ ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ଗ୍ରାମ ପୁରୁଷୋତ୍ତମପୁର ଓ ମୟୂରଭଞ୍ଜର ସାରସକଣା ତହସିଲ ଅନ୍ତର୍ଗତ ନୂଆଗାଁ ଓ ନେଡ଼ା ଗ୍ରାମକୁ ନେଇ ପଡ଼ୋଶୀ ଝାଡ଼ଖଣ୍ଡ ସହିତ ଓଡ଼ିଶାର ଆନ୍ତଃରାଜ୍ୟ ସୀମା ବିବାଦ ଗଡ଼ି ଆସୁଛି ।ତେବେ ସୀମାନ୍ତବର୍ତ୍ତୀ ଜିଲ୍ଲା ସୁନ୍ଦରଗଡ଼, ନବରଙ୍ଗପୁର, ଗଞ୍ଜାମ, ବରଗଡ଼, କଳାହାଣ୍ଡି, ନୂଆପଡ଼ା, ମାଲକାନଗିରି ଓ ରାୟଗଡ଼ା ସହିତ ପଡ଼ୋଶୀ ରାଜ୍ୟମାନଙ୍କର ସୀମା ବିବାଦ ଥିବା ସତ୍ତ୍ବେ ସରକାରଙ୍କ ନିକଟରେ ଖବର ନାହିଁ । ଆମେ ସୀମା ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ଭାବରେ ବାରମ୍ବାର ଓଡ଼ିଶାର ସୀମାନ୍ତ ଅଞ୍ଚଳ ବୁଲି , ସେଠାକାର ବାସିନ୍ଦାଙ୍କ ସହିତ ଆଲୋଚନା କରି , ବାସ୍ତବ ତଥ୍ୟ ସଂଗ୍ରହ କରି ଗତ ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ ଶହଶହ ପତ୍ର ମାଧ୍ୟମରେ ଜଣାଇଥିଲେ ମଧ୍ୟ ତାହା ଅଳିଆଗଦାର ପଣ୍ୟ ଅବା ଠୁଙ୍ଗା ଶିଳ୍ପର କଞ୍ଚା ମାଲ ଯେ ହୋଇଛି , ସେଥିରେ ଆମେ ଦୃଢ଼ ନିଶ୍ଚିତ ।

ହଁ , ଏହା ଅତ୍ୟନ୍ତ ଭାରି ହୃଦୟରେ ସ୍ବୀକାର କରୁଛୁ ଯେ ଯେଭଳି ବ୍ୟାପକ ଗଣ ଆନ୍ଦୋଳନ ସୃଷ୍ଟି କରିବା କଥା , ତାହା କରି ପାରିନାହୁଁ । ଏହାର ବହୁବିଧ କାରଣ ମଧ୍ୟରୁ ଆର୍ଥିକ ଅନଟନ ଏକ ପ୍ରମୁଖ କାରଣ । ଏହା ଆମର ଅନୁଭବର କଥା ଯେ ଏଭଳି ଜନସ୍ବାର୍ଥ, ଓଡ଼ିଶାର ସ୍ବାର୍ଥ ଆଧାରିତ ଆନ୍ଦୋଳନକୁ ସ୍ବତଃ କେହି କେବେ ଆର୍ଥିକ ସାହାଯ୍ୟ ସହଯୋଗ କରି ନଥାନ୍ତି । ନବୀନ ପଟ୍ଟନାୟକ ଏହି ସତ୍ୟ ଜାଣିଥିବାରୁ , ଆମେ କିଭଳି ସର୍ବଦା ଆର୍ଥିକ ଅନଟନରେ ରହିବୁ , ତା’ର ସମସ୍ତ ବ୍ୟବସ୍ଥା କରିଥିଲେ , ଯାହାର ଉଦାହରଣ ପ୍ରଚୁର । ସକଳ ପ୍ରତିକୂଳ ପରିସ୍ଥିତିରେ ଓ ସକଳପ୍ରକାର ପ୍ରତିବନ୍ଧକ ସତ୍ତ୍ୱେ ନିଃସଙ୍ଗ ପଦାତିକ ଭାବେ ଅଭିଯାନ ଅବ୍ୟାହତ ରହିଛି ।

ମହାଷ୍ଟମୀର ମହତ୍ତ୍ଵ ଓ ମହକ

ମହାଷ୍ଟମୀର ମହତ୍ତ୍ଵ ଓ ମହକ



ନବରାତ୍ରୀ ଦୂର୍ଗାପୂଜା ଉତ୍ସବର ଅଷ୍ଟମୀ ଦିନଟି ଦୂର୍ଗାଷ୍ଟମୀ ବା ମହାଷ୍ଟମୀ ଭାବେ କେଉଁ ଅନାଦି ଅନନ୍ତ କାଳରୁ  ଆମେ ଓଡିଆମାନେ ପାଳନ କରି ଆସୁଛନ୍ତି । ଏହାକୁ ମହାଷ୍ଟମୀ ଭାବେ ସମ୍ବୋଧିତ କରିବାର ବହୁବିଧ କାରଣ  ମଧ୍ୟ ଆମ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଦେବୀଙ୍କର ଅସ୍ତ୍ର ସବୁ ଏହି ଦିନ ପୂଜା କରାଯାଉଥିବାରୁ ଏହି ଦିବସକୁ ‘ଅସ୍ତ୍ର ପୂଜା’ ଦିବସ ମଧ୍ୟ କୁହାଯାଏ । ଅନେକ ସ୍ଥାନରେ ଅସ୍ତ୍ର ବ୍ୟବହାର କରି ସାମରିକ କଳା କୌଶଳ ପ୍ରଦର୍ଶନ କରୁଥିବାରୁ ଏହି ଦିବସକୁ ବୀର ଅଷ୍ଟମୀ ମଧ୍ୟ କୁହାଯାଏ ।

କେବଳ ଓଡିଆ ନୁହନ୍ତି, ସାମଗ୍ରିକ ଭାବେ ଏହି ପବିତ୍ର ତିଥିଟି ହିନ୍ଦୁମାନଙ୍କର ଏକ ପବିତ୍ର ଦିବସ । ହିନ୍ଦୁମାନଙ୍କର ଦିନ ପଞ୍ଜିକା ବା କ୍ୟାଲେଣ୍ଡର ଅନୁସାରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ଅଷ୍ଟମୀ ତିଥିରେ ଏହି ଦିବସ ପାଳନ କରାଯାଇ ଆସୁଛି । କେତେକ ସ୍ଥାନରେ ବିଶ୍ୱାସ କରାଯାଏ ଯେ ମା’ ଦୂର୍ଗାଙ୍କର କପାଳରୁ ଦେବୀ ଚାମୁଣ୍ଡା ଏହି ଦିବସରେ ଜାତ ହୋଇ ମହିଷାସୁରର  ତିନି ସାଥି ଚଣ୍ଡ, ମୁଣ୍ଡ ଓ ରକ୍ତବୀଜ ଅସୁରଙ୍କୁ ମାରିଥିଲେ ।

ଚଉଷଠି ଯୋଗିନୀ ଓ ଅଷ୍ଟ ଶକ୍ତି ବା ଅଷ୍ଟ ମାତୃକା (ଦେବୀ ଦୁର୍ଗାଙ୍କର ଭୟାନକ ରୂପ) ପୂଜା ମଧ୍ୟ ଏହି ଦିନ କରାଯାଏ । ଭାରତର ବିଭିନ୍ନ ସ୍ଥାନରେ ଅଷ୍ଟଶକ୍ତିଙ୍କର ବିଭିନ୍ନ ପ୍ରକାରର ବର୍ଣ୍ଣନା କରାଯାଏ ସତ୍ୟ କିନ୍ତୁ, ସମସ୍ତ ଦେବୀ ଶକ୍ତିଙ୍କର ଅବତାର ରୂପେ ମାନ୍ୟତା ପାଇ ଆସୁଛନ୍ତି। ପୂଜା ପାଉଥିବା ଏହି ଅଷ୍ଟ ଶକ୍ତିଙ୍କର ନାମ ୟଥାକ୍ରମେ ବ୍ରାହ୍ମଣୀ, ମାହେଶ୍ୱରୀ, କୌମାରୀ, ବୈଷ୍ଣବୀ, ବରାହୀ, ନରସିଂହୀ, ଇନ୍ଦ୍ରାଣୀ ଓ ଚାମୁଣ୍ଡା । ଉତ୍ତର ଭାରତରେ ଏହି ପବିତ୍ର ତିଥିରେ କୁମାରୀମାନଙ୍କୁ ଘରକୁ ଡାକି ସମ୍ମାନ ଦେବା ପରମ୍ପରା ଆରମ୍ଭ ହୋଇଥିଲା ଏକ ଦୂର୍ଗାଷ୍ଟମୀ ଦିନ ।

ପାଞ୍ଚ ରୁ ସାତ ଜଣ କୁଆଁରୀ ଝିଅଙ୍କୁ ଘରକୁ ଡାକି ସମ୍ମାନ ଦିଆଯାଏ । ଏହାର ତାତ୍ପର୍ଯ୍ୟ ହେଲା, କନ୍ୟାମାନଙ୍କୁ ପୃଥିବୀରେ ମା’ ଦୂର୍ଗାଙ୍କର ଶକ୍ତି ବୋଲି ମନେ କରାଯାଏ । ସେହି ଝିଅମାନେ ଆସିଲେ ଘର ଭିତରକୁ ଆସିବା ପୂର୍ବରୁ ତାଙ୍କର ପାଦ ଧୋଇଦେଇ ଘରକୁ ସ୍ୱାଗତ କରାଯାଏ ଓ ତା’ପରେ ତାଙ୍କର ଆଳତି ଓ ପୂଜା କରାଯାଏ । ଏହା ପରେ ତାଙ୍କୁ ଖାଦ୍ୟ ଓ ମିଠା ଓ ଉପହାର ଦେଇ ଆପ୍ୟାୟିତ କରାଯାଇଥାଏ । କେଉଁ ଆବହମାନ କାଳରୁ ଜନ ବିଶ୍ବାସ ରହିଆସିଛି ଯେ ଦୂର୍ଗାପୂଜା ହେଉଛି  ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ ।

ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧା ଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ , ଜର୍ଜରିତ , ନିର୍ଯ୍ୟାତିତ , ଲଜ୍ଜିତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନ ହୋଇଥିଲେ,ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ ଏବଂ ଦେବୀ ଦୁର୍ଗା ପ୍ରକଟିତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଅସ୍ତ୍ରଶସ୍ତ୍ର ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ ।

ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ୱାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ପ୍ରଭୁ ଲୋକାଭିରାମ ଅଭିରାମ ଶ୍ରୀରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ୱିନରେ ଏହି ପୂଜା କରିଥିଲେ, ସେବେଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ୱିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ ।

ନବମୀର ପରବର୍ତ୍ତୀ ଦିନ ବିଜୟ ଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ,ଏହା ଦେବତାମାନଙ୍କ ଦ୍ୱାରା ମା ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଇଥାଏ ।  କୁହାଯାଇଛି  ଯେ ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ । ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ । ଯେଉଁ ମାଆ ବସୁନ୍ଧରା ଙ୍କ ପ୍ରଦତ୍ତ  ଶସ୍ୟ ଆହାର କରି ମାନବ ଜୀବିକା ନିର୍ବାହ କରେ, ସେହି ଧରିତ୍ରୀ ରାଣୀର ବୟଃପ୍ରାପ୍ତିରେ ଉତ୍‌ଫୁଲ୍ଲ ହୋଇ ଜନ-ମାନସ ବାସନ୍ତୀ ଦୁର୍ଗାଙ୍କ ପୂଜାର ଆୟୋଜନ କରେ, ମାତ୍ର ଏକ ସାର୍ବଜନୀନ ପୂଜା ରୂପେ ଶାରଦୀୟ ଦେବୀପୂଜା ହିଁ ଅଧିକ ଲୋକପ୍ରିୟତା ଅର୍ଜନ କରିଆସିଛି ।

ଏହି ଶାରଦୀୟ ପର୍ବ କେବଳ ଓଡ଼ିଶା ରେ ନୁହେଁ, ସମଗ୍ର ଭାରତର ପୁରପଲ୍ଲୀରେ ଦଶହରା ପର୍ବ ରୂପେ ପାଳନ କରାଯାଇ ଆସୁଛି । ଏହି ପର୍ବର ମୂଳ ଲକ୍ଷ୍ୟ ହେଉଛି ଦେବୀ ଉପାସନା । ଦୁର୍ଗାପୂଜା ପରି ଦଶହରା ପର୍ବ ମଧ୍ୟ ବର୍ଷକରେ ଦୁଇଥର ପାଳନ କରାଯାଏ । ଜ୍ୟେଷ୍ଠମାସ ଶୁକ୍ଳଦଶମୀ ହେଉଛି ଗଙ୍ଗାମାତାଙ୍କର ଜନ୍ମଦିବସ I ଏହିଦିନ ଗଙ୍ଗାପୂଜା କରି ଗଙ୍ଗାନଦୀରେ ସ୍ନାନ କଲେ ତ୍ରିବିଧ ପାପ ଖଣ୍ଡନ ହୁଏ ବୋଲି ଏହି ତିଥିକୁ ‘ଦଶହରା’ ବା ‘ଦଶବିଧ’ ପାପହରଣ ଦିବସ କୁହାଯାଏ ।

ଏହି ତିଥିଟି ଲୋକମୁଖରେ ‘ଗଙ୍ଗା ଦଶହରା’ ନାମରେ ପରିଚିତ I ଅନ୍ୟ ଦଶହରା ପର୍ବଟି ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳିତ ହୁଏ I ଏହି ଦୁର୍ଗାପୂଜାର ଶେଷ ଦିବସ । ଏହି ଦଶହରା ପର୍ବ ଭାରତରେ ସର୍ବଜନବିଦିତ ପର୍ବ । ତେଣୁ ‘ଦଶହରା’ କହିଲେ ସମସ୍ତେ ଆଶ୍ୱିନ ଶୁକ୍ଳ ଦଶମୀକୁ ହିଁ ବୁଝନ୍ତି । ଏହି ଦଶହରା ଦିବସରେ ରାମଚନ୍ଦ୍ର ମାତୃଶକ୍ତି ବନଦୁର୍ଗାଙ୍କୁ ସ୍ତୁତି କରି ରାବଣର ନିଧନ ଉଦ୍ଦେଶ୍ୟରେ ଲଙ୍କା ଅଭିମୁଖେ ବିଜୟଯାତ୍ରା କରିଥିବାରୁ ଏହି ତିଥିକୁ ‘ବିଜୟା ଦଶମୀ’ କୁହାଯାଏ । ପୁଣି ଏହି ଦିବସର ଅବ୍ୟବହିତ ପୂର୍ବରୁ ସିଂହବାହିନୀ ଆଦ୍ୟା ଶକ୍ତି ଦୁର୍ଗା ଦୁର୍ଦ୍ଦମନୀୟ ମହିଷାସୁରକୁ ବଧ କରି ଦେବତାମାନଙ୍କର ମଙ୍ଗଳ ବିଧାନ କରିଥିଲେ । ଦେବୀଙ୍କ ସହ ଦାନବମାନଙ୍କର ଯୁଦ୍ଧ କନ୍ୟାମାସ ବା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ଧରି ଚାଲିଥିଲା । ଶୁକ୍ଳ ଅଷ୍ଟମୀ ଓ ନବମୀ ତିଥିରେ ମହାମାରୁ ହୋଇଥିଲା ।

ମହିଷାସୁର ସମେତ ସମସ୍ତ ଅସୁର ବଂଶ ନିପାତ ହେଲେ । ମହାମାରୁ ନବମୀ ରାତିର ଅନ୍ଧକାର ସହ ତ୍ରୈଲୋକ୍ୟରୁ ଅମଙ୍ଗଳର ଛାୟା ଅପସରି ଗଲା, ଶୁକ୍ଳ ଦଶମୀରେ ସବୁପ୍ରକାର ଶୁଭକାର୍ଯ୍ୟର ଆରମ୍ଭ ହେଲା । ଏହିଦିନ ଜଗତର ଦୁଃଖ ହରଣ ହୋଇଥିବାରୁ ଏହା ‘ଦୁଃଖହା ଦଶମୀ’ ନାମରେ ଖ୍ୟାତି ଲାଭ କରିଅଛି ବୋଲି ଆଦିକବି ଶୂଦ୍ରମୁନି ସାରଳା ଦାସ ‘ଚଣ୍ଡୀପୁରାଣ’ରେ ଲେଖିଛନ୍ତି । ‘ଦୁଃଖହା ଦଶମୀ’ ଦିନ ମହାଦଶାରୁ ଉଦ୍ଧାର ପାଇ ଦେବତାମାନେ ମହାଶକ୍ତି ବ୍ରହ୍ମମୟୀ ଦୁର୍ଗତିନାଶିନୀ ଦୁର୍ଗାଙ୍କୁ ସ୍ତୁତି କରିଥିବାରୁ ଏହି ତିଥିରେ ଦୁର୍ଗାଙ୍କର ଆରାଧନା କରାଯାଏ ।ସ’ଦେବୀ ମାହାତ୍ମ୍ୟ’ ରେ ବର୍ଣ୍ଣିତ ଯେ ‘ଚଣ୍ଡୀ’ ଶୁଣି ରାଜ୍ୟଭ୍ରଷ୍ଟ ରାଜା ସୁରଥଙ୍କର ମୋହ ତୁଟିଯିବା ପରେ ସେ ଦୁର୍ଗାପୂଜାର ପରମ୍ପରା ସୃଷ୍ଟି କରିଥିଲେ । ଦେବୀସପୀଠଗୁଡ଼ିକରେ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ବ୍ୟାପୀ ପୂଜା ଅନୁଷ୍ଠିତ ହୁଏ ।

ଏହାକୁ ଷୋଳପୂଜା କୁହାଯାଏ । ଶୁକ୍ଳପକ୍ଷ ସପ୍ତମୀ ଦିନ ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପିତ ହୁଏ । ଅଷ୍ଟମୀଦିନ ମହାଷ୍ଟମୀ ପୂଜା ଓ ବଳିଦାନ କରାଯାଏ । ‘ବଳି’ ଶବ୍ଦର ଅର୍ଥ ହେଉଛି ଉପହାର । ଜଗତଜନନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଉପହାର ଦେବାକୁ ପଡେ । ତେଣୁ ଦେବୀପୂଜାରେ ବଳିଦାନର ବ୍ୟବସ୍ଥା ରହିଛି I ନବମୀ ଦିନ ରକ୍ତମୁଖା ଦେବୀଙ୍କୁ ଶାନ୍ତ କରିବା ପାଇଁ ଶାନ୍ତି ବୋଦା ପଡେ । ଦଶମୀ ଦିନ ମହା ସମାରୋହରେ ମୃଣ୍ମୟୀ ଦେବୀ ପ୍ରତିମା ଓ ଘଟ ବିସର୍ଜନ କରାଯାଏ I ପୁରୀଠାରେ ଦଶହରା ପରଦିନ ଦୁର୍ଗାଙ୍କର କ୍ରୋଧାନ୍ୱିତା ଶକ୍ତି ‘ଗୋସାଣୀ ଯାତ’ ଏବଂ ଏହି ତିଥିକୁ ଗୋସାଣୀ ଏକାଦଶୀ କୁହାଯାଏ I ଶାରଦୀୟ ଦୁର୍ଗାପୂଜାରେ ମହାସ୍ନାନ ବଳି ଏବଂ ହୋମର ବ୍ୟବସ୍ଥା ଥିବାରୁ ଏହାକୁ ‘ମହାପୂଜା’ ମଧ୍ୟ କୁହାଯାଏ ।

ବିବିଧ କାରଣରୁ ଦଶହରା ପର୍ବ ପାଳନ କରାଯାଉଥିବାରୁ ଏହା ଏକ ମହାନ ପାର୍ବଣରେ ପରିଣତ ହୋଇଛି । ଏହି ପର୍ବର ମହତ୍ତ୍ୱ ବିଷୟରେ ଦେବୀ ପୁରାଣରେ କୁହାଯାଇଛି ଯେ ଏହା ଏକ ମହାନ, ପବିତ୍ର ବ୍ରତ ଏବଂ ଏହି ବ୍ରତ ପାଳନ କଲେ ସିଦ୍ଧି ଲାଭ ହୁଏ ଓ ଶତ୍ରୁମାନେ ପରାଜିତ ହୁଅନ୍ତି I କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭର ପୂର୍ବରୁ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ବନଦୁର୍ଗାଙ୍କର ଆରାଧନା କରିବା ପାଇଁ ଉପଦେଶ ଦେଇଥିଲେ । ଇତିହାସ ପ୍ରସିଦ୍ଧ ଛତ୍ରପତି ଶିବାଜୀ ମଧ୍ୟ ମୋଗଲମାନଙ୍କ ସହ ଯୁଦ୍ଧ କରିବା ସମୟରେ ଦୁର୍ଗାଙ୍କର ଉପାସନା କରିଥିଲେ I ଦଶହରା ପର୍ବରେ ଦେବୀଙ୍କ ଶକ୍ତିର ପ୍ରତିଷ୍ଠା ପାଇଁ  ଖଣ୍ଡା ବା ଖଡ୍ଗ ପୂଜା କରାଯାଏ I

ଦଶହରା ଦିନ ଗୁରୁବାର ପଡ଼ିଲେ ଗୃହିଣୀମାନେ ପରିବାରର ମଙ୍ଗଳ ଲାଗି ସୁଦଶାବ୍ରତ ପାଳନ କରି ଗୃହଲକ୍ଷ୍ମୀଙ୍କ ପୂଜା କରନ୍ତି I ଭାଦ୍ରବ ମାସ ଶୁକ୍ଳ ଷଷ୍ଠୀଠାରୁ ଆରମ୍ଭ ହୋଇଥିବା ସୋମନାଥ ବ୍ରତର ଉଦଯାପନ ପର୍ବ ମଧ୍ୟ ଦଶହରା ତିଥିରେ ପାଳିତ ହୁଏ I ପରମ- ଈଶ୍ୱରୀ ଦେବୀ ଦୁର୍ଗା ବିଶ୍ୱର ସକଳ ବସ୍ତୁରେ ପରିବ୍ୟାପ୍ତ I ସେ ମହାବିଦ୍ୟା, ମହାମାୟା ,ମହାଯୋଗେଶ୍ୱରୀ । ତାଙ୍କର ‘କ୍ଷର’ ବା ଶେଷ ନଥିବାରୁ ସେ ‘ଅକ୍ଷରା’ I ‘ଦେବୀ ଭାଗବତ:ର ମତେ, ରାବଣର ନିଧନ ପାଇଁ ବ୍ରହ୍ମାଙ୍କ ପରାମର୍ଶ ମତେ ଶ୍ରୀରାମ ବସନ୍ତ କାଳରେ ଦେବୀପୂଜା କରିବାକୁ ଚାହିଁଲେ। କାରଣ, ଶରତକାଳ ଅକାଳ, ଆଷାଢ଼ ଶୁକ୍ଳ ଏକାଦଶୀ (ହରିଶୟନ ଏକାଦଶୀ)ଠାରୁ ହେମନ୍ତ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଦେବତାମାନେ ନିଦ୍ରା ଯାଆନ୍ତି ।

ବ୍ରହ୍ମାଙ୍କ ନିର୍ଦ୍ଦେଶ ମତେ ଶ୍ରୀରାମଚନ୍ଦ୍ର କନ୍ୟାରାଶିର ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଦେବୀଙ୍କ ଅକାଳ ବୋଧନ ନିମନ୍ତେ ପୂଜାର ଆୟୋଜନ କରିଥିଲେ । ଶ୍ରୀରାମ ଧ୍ୟାନ ବଳରେ, ଦେବୀ କୁମାରୀ ରୂପରେ ବେଲଗଛ ଶାଖାରେ ଶାୟିତ ଥିବା ଜାଣିପାରି, ସକାଳେ କଳ୍ପାରମ୍ଭ ଓ ସନ୍ଧ୍ୟାବେଳେ ବିଲ୍ୱବୃକ୍ଷମୂଳେ ଆରମ୍ଭ କଲେ ଦେବୀଙ୍କ୍  ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା ।ଏହାପରେ ସପ୍ତମୀ ତିଥିରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ । ସେତେବେଳେ ମଧ୍ୟ ଦେବୀ ସୁପ୍ତ ଅବସ୍ଥାରେ ଥିବାରୁ ଅଷ୍ଟମୀ ତିଥିରେ ଯୋଗିନୀଗଣଙ୍କୁ ଆହ୍ୱାନ କରି ଦେବୀଙ୍କୁ ପୁଣି ପୂଜା କଲେ । ଆଗତ ଯୋଗିନୀଗଣଙ୍କ କୋଳାହଳରେ ଦେବୀ କେବଳ କଡ଼ ଲେଉଟାଇ ପୁଣି ଶୋଇଲେ । ଏହା ପରେ ଅଷ୍ଟମୀର ଶେଷ ଓ ନବମୀର ଆରମ୍ଭ ବା ସନ୍ଧିକ୍ଷଣ ସମୟରେ ଶ୍ରୀରାମଚନ୍ଦ୍ର କଲେ ସନ୍ଧିପୂଜା ।

ଅଷ୍ଟମୀର ଚବିଶ ମିନଟ ଓ ନବମୀର ଚବିଶ ମିନଟ, ଏହିପରି ମୋଟ ଅଠଚାଳିଶ ମିନଟ ଧରି ଦେବୀ ଚାମୁଣ୍ଡାଙ୍କର ଏହି ବିଶେଷ ସନ୍ଧିପୂଜା କରିଥିଲେ । ଶ୍ରୀରାମ ଚାମୁଣ୍ଡାଙ୍କୁ ଆବାହନ କରି ଦେବୀ ଦୁର୍ଗାଙ୍କୁ ଉଠାଇବା ପାଇଁ ନିବେଦନ କଲେ । ଚାମୁଣ୍ଡାଙ୍କ ସହଯୋଗଫଳରେ ନବମୀ ତିଥିରେ ଦେବୀ ଦୁର୍ଗା ଜାଗ୍ରତ ହେଲେ । ଏତିକିବେଳେ ସେ ଦେବୀଙ୍କୁ କୁମାରୀ ରୂପରେ ଦର୍ଶନ କରି ଯୋଗିନୀମାନଙ୍କ ସହିତ ବିଶେଷ ପୂଜା କରି ଏକା ସାଙ୍ଗେ ଶହେ ଆଠ ନୀଳପଦ୍ମ ଅର୍ପଣ କରିଥିଲେ ।

ସେହି ଦିନଠାରୁ କୁମାରୀ ରୂପୀ ଦେବୀଙ୍କର ପୂଜାର ଆରମ୍ଭ ।  ଅତଏବ ଶରତକାଳୀନ ଦୁର୍ଗା ହେଉ ଅଥବା ବାସନ୍ତି ଦୁର୍ଗାପୂଜା, ଏଥିରେ ମୂର୍ତ୍ତି ସ୍ଥାପନ କରାଯାଇ ଜୀବନ୍ୟାସ କର୍ମ ସହ ପୂଜା ନିୟମ ପ୍ରଣୟନ ହେଉଥିଲେ ମଧ୍ୟ ଘଟ ସ୍ଥାପନ ଜନିତ ପୂଜା ଆବହମାନ କାଳରୁ ପ୍ରଚଳିତ । ବିଭିନ୍ନ ଭାବରେ ମୂର୍ତ୍ତିପୂଜାର ଆଦର ବଢିଥିଲେ ମଧ୍ୟ ମୂଳ ତତ୍ତ୍ୱକୁ ବାଦ ଦେବା ସମ୍ଭବ ହୋଇନାହିଁ । ବାସନ୍ତୀ ଦୁର୍ଗାପୂଜା ବିଶେଷ ଭାବେ ପାଳିତ ହୋଇ ନ ଥାଏ । ଅନ୍ୟପକ୍ଷରେ ଶରତକାଳୀନ ଦୁର୍ଗାପୂଜା ଏବେ ସାର୍ବଜନୀନ ପୂଜାର ସ୍ୱୀକୃତି ପାଇଛି, କିନ୍ତୁ ଉଭୟ ପୂଜା ଏବଂ ତା’ର ବିଧାନ ପ୍ରାୟତଃ ସମାନ ।

ଶରତକାଳୀନ ପୂଜା ଏବଂ ବାସନ୍ତୀପୂଜା ବ୍ୟତୀତ ଓଡ଼ିଶାର ଦକ୍ଷିଣ ଭାଗରେ ଅନ୍ୟ ଦିନରେ ମା’ଙ୍କର ସ୍ୱପ୍ନାଦେଶ ଅଥବା ଆଜ୍ଞାମାଳ ପରିପ୍ରେକ୍ଷୀରେ ବିଧିବ୍ୟବସ୍ଥା ଅନୁଯାୟୀ ମଧ୍ୟ ମା’ଙ୍କର ପୂଜା ଅର୍ଚ୍ଚନା କରାଯାଏ । ଏଠାରେ ମଧ୍ୟ ଘଟ ସ୍ଥାପନ ଏବଂ ଘଟପୂଜା ଦେଖିବାକୁ ମିଳେ I ଏପରିକି ଘଟକୁ ମୁଣ୍ଡରେ ଧରି ପରିକ୍ରମା କରାଯିବାର ବିଧି ରହିଛି । ମୃଣ୍ମୟ ମୂର୍ତ୍ତିପୂଜା ମାତ୍ର ଦୁଇଶହ ବର୍ଷ ଭିତରେ ଦେଖିବାକୁ ମିଳିଲା ବ୍ରିଟିଶ ଶାସକ ମାନଙ୍କ ପାଇଁ , ପ୍ରଥମେ କୋଲକାତା ରେ , କେତେକ ବଙ୍ଗୀୟ ତୈଳ ମର୍ଦ୍ଦନ କଳାକୁଶଳୀ ଜମିଦାର ଙ୍କ ଉଦ୍ୟମ ଫଳରେ  । ହଜାର ହଜାର ବର୍ଷ ଧରି ଆମର ପୀଠ ପୂଜା ଯୋଗୁଁ ଧାତୁ ନିର୍ମିତ ମୂର୍ତ୍ତି ଦେଖିବାକୁ ମିଳୁଥିଲା ବେଳେ ମାତ୍ର ୧୦୦ରୁ ୧୫୦ ବର୍ଷ ମଧ୍ୟରେ ମାଟି ନିର୍ମିତ ମୂର୍ତ୍ତିର ବ୍ୟାପକ ପ୍ରସାର ଘଟିଛି ।

କିନ୍ତୁ ପ୍ରାରମ୍ଭରୁ ପ୍ରଚଳିତ ଘଟପୂଜା ଏବେ ବି ଅନୁଷ୍ଠିତ ହେଉଛି । ଆମର ସଂସ୍କୃତି ଅନୁଯାୟୀ ବିଭିନ୍ନ ପୂଜା ପଞ୍ଚଭୂତ ଉପରେ ଆଧାରିତ । ତାହା ହେଉଛି କ୍ଷିତ୍, ଅପ୍, ତେଜ,ମରୁତ୍ ଏବଂ ବ୍ୟୋମ୍ । ମନୁଷ୍ୟ ପ୍ରଥମେ  କୃତଜ୍ଞତା ଆଧାରରେ ମାଟିକୁ ପୂଜା କଲା । କାରଣ ଏହି ମାଟି ତାକୁ ରହିବା ପାଇଁ ଆଶ୍ରୟ ଦେଲା ଏବଂ ସେହି ମାଟିରୁ ଉତ୍ପାଦିତ ଫଳ ଖାଇ ସେ ବଞ୍ଚିଲା । ସେହିପରି ଜଳ (ଅପ୍)କୁ ଜୀବନ ବୋଲି କହିଲା । ସେ ଜାଣିଥିଲା ଜଳ ବିନା ଜୀବନ ଅସମ୍ଭବ । ତେଣୁ ଭିନ୍ନ ଭିନ୍ନ ଜଳାଶୟ ବା ନଦୀକୂଳରେ ଗଢିଉଠିଲା ଜନବସତି । ପରବର୍ତ୍ତୀ ସମୟରେ କେତେକ ନଦୀ ତୀର୍ଥକ୍ଷେତ୍ର ରୂପେ ପରିଗଣିତ ହେଲେ ।

ତେଜର ମୂର୍ତ୍ତିମନ୍ତ ରୂପ ସୂର୍ଯ୍ୟଙ୍କୁ ଈଶ୍ୱର ଭାବେ ଗ୍ରହଣ କରାଗଲା । ଅବଶ୍ୟ ଅଗ୍ନିକୁ ଗ୍ରହଣ କଲା ଏହାପରେ । ପବନ (ମରୁତ) ଏବଂ ଆକାଶ (ବ୍ୟୋମ)କୁ ମଧ୍ୟ ନିଜର ପୂଜ୍ୟ ଭାବେ ସ୍ୱୀକୃତି ଦିଆଗଲା । ସମୟର ଧାରାରେ ଏହି ପଞ୍ଚଭୂତ ଯାହା ସହ ସମ୍ପର୍କିତ ସେମାନଙ୍କୁ ମଧ୍ୟ ଈଶ୍ୱରୀୟ ସତ୍ତାର ଅଂଶ ବା ଈଶ୍ୱର ଭାବେ ଗ୍ରହଣ କରାଯାଇଛି । ଯେପରି ବୃକ୍ଷକୁ ବୃକ୍ଷଦେବତା ଏବଂ ଶିଳା, ଧାତୁ ପ୍ରଭୃତି ପୂଜନୀୟ ହେଲେ । ଏହି ମହାପଞ୍ଚଭୂତମନଙ୍କ ଧର୍ମଗତ ସ୍ୱଭାବ ହେଲା- ଶବ୍ଦ, ସ୍ପର୍ଶ, ରୂପ, ରସ ଏବଂ ଗନ୍ଧ । ପୁନଃ ଏଗୁଡ଼ିକ ଆମର ପଞ୍ଚ ଇନ୍ଦ୍ରୀୟ ଅର୍ଥାତ୍ କର୍ଣ୍ଣ, ଚର୍ମ, ଚକ୍ଷୁ, ଜିହ୍ୱା ଓ ନାସା ଦ୍ୱାରା ଗୃହିତ ହୋଇଥାନ୍ତି ।

ବର୍ତ୍ତମାନ ଦେଖିବା ଏହି ଘଟରେ ଆମେ କେଉଁ କେଉଁ ଦେବତାଙ୍କୁ ଆବାହନ କରିଥାଉ । ଅବଶ୍ୟ ଜଳରେ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା, ସିନ୍ଧୁ ଏବଂ କାବେରୀର ପବିତ୍ର ଭାବଧାରାକୁ ସମ୍ମିଶ୍ରଣ କରାଯାଏ । ଗୋଟିଏ ଘଟ ମଧ୍ୟରେ ଅର୍ଥାତ ବିନ୍ଦୁ ମଧ୍ୟରେ ସିନ୍ଧୁର ପରିକଳ୍ପନା ହୋଇଥାଏ । ସେହିପରି ବିଘ୍ନ ବିନାଶକ ଗଣନାୟକ, ଜଳର ଦେବତା ବରୁଣ, ଇନ୍ଦ୍ର ଏବଂ ଦଶଦିଗପାଳ, ସୂର୍ଯ୍ୟଙ୍କ ସହ ନବଗ୍ରହ ଏବଂ ଗ୍ରାମଦେବତୀଙ୍କୁ ଆବାହନ କରି ଘଟରେ ସ୍ଥାପନା କରାଯାଇ ପୂଜା କରାଯାଏ । ଅନ୍ୟ ପକ୍ଷରେ ଘଟ ମୁଖରେ ଶିବ, କଣ୍ଠରେ ବିଷ୍ଣୁ, ତଳ ଭାଗରେ ବ୍ରହ୍ମା, ମଧ୍ୟଭାଗରେ ଅଷ୍ଟାଦଶ ମାତୃଗଣ, କୁକ୍ଷୀରେ ସପ୍ତସାଗର, ସପ୍ତଦ୍ୱୀପ ପୃଥିବୀ ଏବଂ ଉଦରରେ ସମସ୍ତ ତୀର୍ଥକୁ ସ୍ମରଣ କରି ପୂଜା କରାଯାଏ
ଶ୍ରୀରାମଚନ୍ଦ୍ର ରାବଣଙ୍କୁ ବଧ କରିବା ପାଇଁ ଶରତ କାଳରେ ଶ୍ରୀ ଶ୍ରୀ ଦୁର୍ଗାପୂଜା କରିଥିଲେ । ଏହାକୁ ‘ଅକାଳବୋଧନ’ କୁହାଯାଏ । କାରଣ ଶରତକାଳ ସୂର୍ଯ୍ୟ ଦକ୍ଷିଣାୟନ କରନ୍ତି । ଶ୍ରାବଣ ମାସରୁ ପୌଷମାସ ସୂର୍ଯ୍ୟଙ୍କ ଦକ୍ଷିଣାୟନ; ମାଘରୁ ଆଷାଢ଼ ସୂର୍ଯ୍ୟଙ୍କର ଉତ୍ତରାୟନ । ଦକ୍ଷିଣାୟନ ଦେବତାଙ୍କର ରାତ୍ରି । ତେଣୁ ଉତ୍ତରାୟନ ଦେବତାଙ୍କ ଆରାଧନାର ପ୍ରକୃଷ୍ଟ ସମୟ । ରାବଣ, ବ୍ରହ୍ମାଙ୍କ ବରରେ ଅପାରଶକ୍ତିର ଆଧିକାରୀ ହୋଇଥିବାରୁ ତାଙ୍କୁ ବଧ କରିବା ନିମନ୍ତେ ଦେବୀଙ୍କ କୃପା ଆବଶ୍ୟକ । ତେଣୁ ବ୍ରହ୍ମା ଶ୍ରୀରାମଚନ୍ଦ୍ରଙ୍କୁ ଶରତ କାଳରେ ଦେବୀଙ୍କ କଳ୍ପାରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ।

ଶ୍ରୀରାମଚନ୍ଦ୍ର ଦ୍ୱନ୍ଦ୍ୱରେ ପଡ଼ିଲେ , ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ନିର୍ଦ୍ଦେଶ ଓ ଦେବଦେବୀଙ୍କର ଦକ୍ଷିଣାୟନ , ଦେବୀ ଜାଗ୍ରତ ନା ନିଦ୍ରିତ ? ଦେବୀ ଏବେ ଆବିର୍ଭୂତ ହେବେ ତ ? ତେଣୁ ସେ ଧ୍ୟାନମଗ୍ନ ହୋଇ ଜାଣିପାରିଲେ ଦେବୀ ତ୍ରିଶାଖା ବିଲ୍ୱଦଳରେ ‘କୁମାରୀ’ କନ୍ୟା ରୂପେ ଶାୟିତ । ଏହି ଦୃଶ୍ୟ ଅବଲୋକନ କରି ବିଭୋର ହେଲେ ଶ୍ରୀରାମଚନ୍ଦ୍ର । ଦେବୀଙ୍କୁ ଜାଗ୍ରତ କରାଇବେ ।ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଷଷ୍ଠୀଦିନ ‘ବିଲ୍ୱାଧିବାସ’ କଲେ ଶ୍ରୀରାମଚନ୍ଦ୍ର । ଷଷ୍ଠୀପରେ ସପ୍ତମୀରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ ମଧ୍ୟ ଦେବୀଙ୍କର ନିଦ୍ରାଭଙ୍ଗ ହେଲାନି । ଅଷ୍ଟମୀରେ ଯୋଗିନୀମାନଙ୍କୁ ଡାକି ବିଶେଷ ପୂଜାକରିଲେ ଶ୍ରୀରାମ । ତେଣୁ ଅଷ୍ଟମୀର ଶେଷ ଦଣ୍ଡ ଓ ନବମୀର ପ୍ରଥମ ଦଣ୍ଡ(୨୪+୨୪=୪୮ମିନିଟ) ସନ୍ଧିକ୍ଷଣରେ ପୂଜା କଲେ । ଏହାକୁ ‘ସନ୍ଧିପୂଜା’ କୁହାଯାଏ । ଚାମୁଣ୍ଡା ଦେବୀଙ୍କ ସହାୟତାରେ ଶ୍ରୀରାମଚନ୍ଦ୍ର ଏହି ‘ସନ୍ଧିପୂଜା’ କରିଥିଲେ । ଏହି ପୂଜା ପରେ ଅର୍ଥାତ୍‌ ନବମୀ ଦିନ ଦେବୀ ଜାଗ୍ରତ ହେଲେ ଏବଂ ପୁନର୍ବାର ‘କୁମାରୀ’ ରୂପରେ ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ ଦେଲେ । 
ତେଣୁ ନବମୀ ଦିନ କୁମାରୀ ପୂଜାର ପ୍ରଚଳନ ଅଛି । କୁମାରୀ ସାକ୍ଷାତ ଯୋଗିନୀ, ପରମାଦେବୀ ପୁଣି ପରମପ୍ରକୃତି । ଶ୍ରୀ ଶ୍ରୀ ଚଣ୍ଡୀରେ ଉଲ୍ଲେଖ ଅଛି ‘ସ୍ତ୍ରୀୟା ସମସ୍ତା ସକଳ ଜଗତ ସୁ’ ଅର୍ଥାତ୍‌ ସମସ୍ତ ସ୍ତ୍ରୀ ଜାତି ବ୍ରହ୍ମମୟୀ, ମହାମାୟା ଜଗଜ୍ଜନନୀଙ୍କର ଏକ ଅଂଶ ବିଶେଷ । ପ୍ରତି ନାରୀ ଭଗବତୀଙ୍କ ଅଂଶ ହେଲେ ମଧ୍ୟ କୁମାରୀଙ୍କ ମଧ୍ୟରେ ଭଗବତ୍‌ ସତ୍ତା ବିଶେଷ ଭାବରେ ପ୍ରକାଶିତ । ତନ୍ତ୍ର ମତେ ଷୋହଳ ବର୍ଷ ପର୍ଯ୍ୟନ୍ତ ଅବିବାହିତା କନ୍ୟାଙ୍କୁ କୁମାରୀ କୁହାଯାଏ ।

ଯେତେ ଦିନ ପର୍ଯ୍ୟନ୍ତ କନ୍ୟା ଋତୁମତୀ ନ ହୁଅନ୍ତି ସେତେଦିନ ପର୍ଯ୍ୟନ୍ତ ‘କୁମାରୀ’ ତାହା କୁସୁମ ପରି ପବିତ୍ର । ତେଣୁ ସେତେଦିନ ପର୍ଯ୍ୟନ୍ତ କନ୍ୟା ଦେବସେବାରେ ନିବେଦିତ ହୋଇପାରିବେ । ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ କୁମାରୀ ରୂପରେ ଦର୍ଶନ କରିଥିଲେ ଏବଂ ପୂଜା କରିଥିଲେ ମଧ୍ୟ ।  ପରବର୍ତ୍ତୀକାଳରେ ଶ୍ରୀଶ୍ରୀ ରାମକୃଷ୍ଣ ଓ ତାଙ୍କର ଶିଷ୍ୟ ବିବେକାନନ୍ଦ ଏହାର ବହୁଳ ପ୍ରଚାର କରିଥିଲେ ଏବଂ ରାଣୀ ରାସମଣୀ ଦେବୀଙ୍କଦ୍ୱାରା କୁମାରୀ ପୂଜାକରାଇ ଏହାର ପ୍ରସାର ମଧ୍ୟ କରିଥିଲେ। କାରଣ କୁମାରୀଙ୍କ ମଧ୍ୟରେ ଭଗବତ୍‌ ସତ୍ତା ଅନୁଭବ କରିଥିଲେ ।

ଏଣୁ ଦୁର୍ଗାପୂଜାର ନବମୀ ରାତ୍ରିରେ କେତେକ ବ୍ରାହ୍ମଣ ବଂଶୀୟ ସାତରୁ ଆଠ ବର୍ଷର କନ୍ୟାକୁ ପାଦରେ ଅଳତା, ଆଖିରେ କଜ୍ଜଳ ଓ କପାଳରେ ଚନ୍ଦନ ଟିପା ଦେଇ ସୁନ୍ଦର ଭାବରେ ସଜାଇ ନୂତନ ଶାଢ଼ି ପରିଧାନ କରାଇ ବିଭିନ୍ନ ଉପଢ଼ୌକନ ଦେଇ ପୂଜା କରାଯାଏ । ଏହାକୁ ‘କୁଆଁରୀ ଲକ୍ଷ୍ମୀ’ ପୂଜା କୁହାଯାଏ । ଓଡ଼ିଶାର ସବୁ ପୂଜାମଣ୍ଡପରେ ନବମୀ ଦିନ କୁମାରୀ ପୂଜା କରା ନ ଗଲେ ମଧ୍ୟ କଟକ ଜିଲ୍ଲାର ପୁନଙ୍ଗ ଗ୍ରାମର ଘୋଷଘର ପୂଜାମଣ୍ଡପରେ ଆବାହମାନକାଳରୁ କୁମାରୀ ପୂଜା ହୋଇଆସୁଛି । କଥିତ ଅଛି, ଯେଉଁମାନେ ଏହି ପୂଜା ଦର୍ଶନ କରନ୍ତି, ସେମାନେ ଚତୁବର୍ଗ ଫଳ ପାଆନ୍ତି ।

କୁମାରୀ ପୂଜା ହେଉଛି ନାରୀଜାତି ପ୍ରତି ସମ୍ମାନ ପ୍ରଦର୍ଶନର ଏକ ପ୍ରକ୍ରିୟା ମାତ୍ର । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜନ୍ମାଷ୍ଟମୀ ଅବସରରେ ନଦୀରୁ ମାଟି ଉଦ୍ଧାର କରାଯାଏ,ଯାହା ଦଶହରାର ପ୍ରଥମ ବିଧି।ଏହା ପରେ କାରିଗରମାନେ ମୂର୍ତ୍ତି ଗଠନରେ ବ୍ୟସ୍ତ ରହନ୍ତି । ପବିତ୍ର ମହାଳୟା ଅବସରରେ ମା’ଙ୍କ ମୃଣ୍ମୟ ମୂର୍ତ୍ତିରେ ଖଡ଼ି ଚଢା ଯାଏ । ମହାଳୟା ଠାରୁ ପ୍ରକୃତ ଦୁର୍ଗାପୂଜା ଆରମ୍ଭ ହୁଏ । କାରଣ ଏହି ଦିନଠାରୁ ଦୁର୍ଗାପୂଜା ମଧ୍ୟରେ ୧୦ ଦିନ ସମୟ ରହିଥାଏ, ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି କୁହାଯାଇଛି । ପ୍ରକୃତ ପୂଜାବିଧି ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ ।

ଷଷ୍ଠୀ ତିଥିରେ ଅଧିବାସ, ବିଲ୍ୱ ବରଣ, ମା’ଙ୍କୁ ସ୍ୱାଗତ କରିବାକୁ ଯାଇ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ । ବେଲଗଛ ପାଖରେ ଏହି ପୂଜା ସମ୍ପନ୍ନ କରାଯାଏ । ଶେଷରେ ରାତ୍ରୀ କାଳରେ ଦେବୀ ପ୍ରତିମା ର ଚକ୍ଷୁରେ ରଙ୍ଗ ଦେଇ ଚକ୍ଷୁଦାନ ସମ୍ପନ୍ନ ହୁଏ ଓ ମନ୍ତ୍ର ଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯାଏ । ସପ୍ତମୀରେ ନବ ପତ୍ରିକା ପୂଜା କରାଯାଏ, ଯେଉଁ ଥିରେ କଦଳୀ, ସାରୁ, ମାଣସାରୁ, ହଳଦୀ, ଅଶୋକ, ଡାଳିମ୍ବ, ବେଲ, ଜୟନ୍ତି ଓ ଧାନ ଏହି ନଅ ଜାତି ପତ୍ର ଦ୍ୱାରା ଦୁର୍ଗାଙ୍କର ଗୋଟିଏ ମୁର୍ତ୍ତି ଗଠନ କରି ପୂଜା କରିବାର ବିଧି ।ଏହା ପରେ ମହାସ୍ନାନ ବିଧି ସମ୍ପନ୍ନ ହୁଏ ।

ଚଣ୍ଡିପାଠହୋମ ଯଜ୍ଞ,,ଦେବୀମାହାତ୍ମ୍ୟ (ମାର୍କଣ୍ଡେୟ ପୂରାଣାନ୍ତର୍ଗତ ଦୁର୍ଗାଙ୍କ ବିଷୟ ବର୍ଣ୍ଣନାତ୍ମକ ଗ୍ରନ୍ଥ) ଗ୍ରନ୍ଥର ଆବୃତ୍ତି ସହ ହୋମ ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥାଏ । ଅଷ୍ଟମୀରେ ହୁଏ ମା’ଙ୍କ ମୂଖ୍ୟ ସନ୍ଧିପୂଜା । ମହାଷ୍ଟମୀର ଶେଷ ଦଣ୍ଡ ଓ ମହାନବମୀର ଆଦ୍ୟ ଦଣ୍ଡର ମଧ୍ୟକାଳୀନ ସମୟକୁ ସନ୍ଧି ସମୟ କୁହାଯାଏ । ଶାରଦୀୟ ପୂଜା ଅର୍ଚ୍ଚନା ବିଧି ବିଧାନ ପୂର୍ବରୁ ଏବେ ମୂଳାଷ୍ଟମୀ ରୁ ଷୋଡ଼ଶ ଉପଚାରରେ ସମସ୍ତ ଶକ୍ତିପୀଠରେ ମାଁ ଶକ୍ତିମୟୀ ଙ୍କର ପୂଜା ଅର୍ଚ୍ଚନା ଉପାସନା ଆରମ୍ଭ ହୋଇ ଯାଇଛି। ଶ୍ରୀକ୍ଷେତ୍ରରେ ବିଭିନ୍ନ ଶକ୍ତିପୀଠ ରେ ପୂଜା ଚାଲିଛି ଏହା ସହ ବଡବାଡ ସାଆନ୍ତାଣୀ ମାଁ ବିମଳାଙ୍କ ପୀଠ ରେ ଶ୍ରୀମନ୍ଦିର ବେଢାରେ ଷୋଡ଼ଶ ପୂଜା ଆରମ୍ଭ ହୋଇ ଯାଇଛି।

ଏହି ସମୟରେ ମହିଳାମାନେ ମାଁ ବିମଳାଙ୍କ ମନ୍ଦିରରେ ପ୍ରବେଶ କରିବା ନିଷେଧ କରାଯାଇଛି।ପ୍ରାଚୀ ତଟିନୀ ରେ ବିରାଜିତ ମାଁ ମଙ୍ଗଳାଙ୍କ ଷୋଡ଼ଶ ପୂଜା ଅର୍ଚ୍ଚନା ବିଧି ବିଧାନ ସହ ଆରମ୍ଭ ହୋଇ ଯାଇଛି। ସେହିପରି ଶ୍ରୀକ୍ଷେତ୍ରରେ ବିରାଜ ମାନ ମାଁ ରାମଚଣ୍ଡୀ ଙ୍କ ସହ ଅନ୍ଯ ଅଷ୍ଟ ଶକ୍ତିପୀଠରେ ପୂଜା ଚାଲିଛି। ସମ୍ବଲପୁରରେ ମାଁ ସମଲେଶ୍ଵରୀ ଙ୍କ ପୀଠରେ ଏହି ଷୋଡ଼ଶ ପୂଜା ଅର୍ଚ୍ଚନା ସହ ବିଭିନ୍ନ ବେଶ ରେ ଦର୍ଶନ ଦେଉଛନ୍ତି।ସେହିପରି ଋଷିକୂଲ୍ୟା ତଟରେ କୁମାରୀ ପର୍ବତରେ ବିରାଜ ମାନ ବହୁତ ପୁରାଣ ବର୍ଣ୍ଣିତ ପ୍ରସିଦ୍ଧ ଶକ୍ତିପୀଠ ସ୍ତନପୀଠେଶ୍ୱରୀ ଯାଆଁଳା ଭଗ୍ନୀ ମାଁ ତାରାତାରିଣୀ ଙ୍କ ଷୋଡଶ ପୂଜା ଆରମ୍ଭ ପୂର୍ବରୁ ଶହ ଶହ କଳସରେ ଋଷିକୂଲ୍ୟା ତଟରେ ମନ୍ତ୍ରିତ ପାଣି ମହିଳାମାନେ ମୂଳାଷ୍ଟମୀ ପୂର୍ବରୁ ଏକହଜାର ପାହାଚରୁ ଗୋଟିଏ କମ୍ କୁ କଳସ ମୁଣ୍ଡ ରେ ଧରି ଚଢି ଚଢି ଯାଇଥିଲେ।    

ଉତ୍କଳ ଭୂମି ର  ପୁରୁଷୋତ୍ତମ ନିବାସିନୀ ଶ୍ରୀ ଶ୍ରୀ ବିମଳା ସାଆନ୍ତାଣୀ ଙ୍କ ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଅଛି। ମହାପ୍ରଭୁ ଙ୍କ ସକାଳ ଧୂପ ପରେ ଶ୍ରୀ ମହାପ୍ରସାଦ ଶ୍ରୀ ସାଆନ୍ତାଣୀ ଙ୍କ ଛାମୁକୁ ଯାଇ ପୁନଃ ଷୋଡ଼ଶ ଉପଚାର ପୂଜା ରେ ମା ଙ୍କୁ ସମର୍ପଣ ହୋଇଥାଏ। ଏହି ଷୋହଳ ଦିନ ଶ୍ରୀ ମନ୍ଦିର ରେ ମହା ମହାପ୍ରସାଦ ମିଳିଥାଏ। ପ୍ରତିଦିନ ମା କୁ ମହାପ୍ରସାଦ ସମର୍ପଣ ହୁଏ କିନ୍ତୁ ଏହି ଷୋଳପୂଜା ରେ ପୁନର୍ବାର ଷୋଡ଼ଶ ଉପଚାର ରେ ମହାପ୍ରସାଦ ସମର୍ପଣ ହେଉଥିବାରୁ ଏହା ମହା ମହାପ୍ରସାଦ ହୋଇଥାଏ। 

ଶ୍ରୀମନ୍ଦିରର ବଡବାଡ ସାଆନ୍ତାଣୀ ଶ୍ରୀ ପାଦ ପୀଠେଶ୍ଵରୀ ଦାରୁବ୍ରହ୍ମ ବିଳାସିନୀ ସଦା କୈବଲ୍ୟଲୋପିନୀ ,ଶ୍ରୀବଡ଼ଠାକୁର ପ୍ରାଣପ୍ରିୟା ଶ୍ରୀକ୍ଷେତ୍ର ରାଜେଶ୍ବରୀ ମା ଭଗବତୀ ବିମଳା ଙ୍କ ସତୀଙ୍କ ୫୧ ଶକ୍ତିପୀଠ ମଧ୍ଯରୁ ତନ୍ତ୍ରୋକ୍ତ ପ୍ରମୁଖ ଶକ୍ତିପୀଠ ୪ ହେଲେ,”ରାମେଶ୍ଵରୀ ସେତୁବନ୍ଧେ ବିମଳା ପୁରୁଷୋତ୍ତମେ ବିରଜା ଉଡ୍ର ଦେଶେ ଚ କାମାକ୍ଷା ନୀଳପର୍ବତେ “। ମା’ ବିମଳା ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ ଧାମର ସ୍ବୟଂ ପ୍ରତିଷ୍ଠିତା ଦେବୀ। ମା’ ଙ୍କ ମହିମା କି ବର୍ଣ୍ଣିବି ମୁଁହି ସେ ଯେ ଅବର୍ଣ୍ଣନୀୟ। ଆଦି ଶଙ୍କରାଚାର୍ଯ୍ୟ ଙ୍କ ମତରେ ସେ ପ୍ରତ୍ଯକ୍ଷ ମାହେଶ୍ୱରୀ।

ଶ୍ରୀମଦ୍ ଭାଗବତ ମହାପୁରାଣ ଅନୁଯାୟୀ ମା’ ପାର୍ବତୀ ପରଂବ୍ରହ୍ମ ଜନାର୍ଦ୍ଦନଙ୍କ ମହାପ୍ରସାଦ ପାଇବା ପାଇଁ ଅଭିଳଷିତ ଥିବାରୁ ତଥା ମହାପ୍ରସାଦ ସମସ୍ତ ପ୍ରାଣୀଙ୍କ ପାଇଁ ସୁଲଭ କରାଇବାକୁ ପ୍ରାର୍ଥନା କରିଥିବାରୁ ଜଗଜ୍ଜନନୀଙ୍କ ଏତାଦୃଶ ଭକ୍ତି ରେ ସନ୍ତୁଷ୍ଟ ହୋଇ ଜନାର୍ଦ୍ଦନ ମାୟାପତି ଦେବୀଙ୍କୁ ବର ପ୍ରଦାନ କରିଥିଲେ ଯେ ପୁରୁଷୋତ୍ତମ ଧାମରେ ଯେବେ ଜଗନ୍ନାଥ ଅଲୌକିକରୁ ଲୌକିକ ହେବେ ସେବେ ସେ କ୍ଷେତ୍ରରେ ମା’ ରହି ପ୍ରଥମ ମହାପ୍ରସାଦର ଅଗ୍ରଗ୍ରାହୀ ହେବେ। ସେହିଦିନ ଠାରୁ ଶ୍ରୀ ମହାପ୍ରଭୁ ଙ୍କ ମହାପ୍ରସାଦ ସର୍ବପ୍ରଥମେ ମା’ ବିମଳା ଙ୍କୁ  “କୈବଲ୍ୟ ଭିଜିନୀ ଦେବୀ ବିମଳା ଵିମଳଂପ୍ରଦା,ଗୃହଣାନ୍ତୁ ହରି କୈବଲ୍ୟ ସୃଷ୍ଟି ସ୍ଥିତାନ୍ୟ କାରିଣୀ”  ଏହି ମନ୍ତ୍ରରେ ମହାପ୍ରଭୁଙ୍କ ଥାଳିରେ ତୁଳସୀ କାଢ଼ି ବିଲ୍ବଦଳ ପକାଇ ସମର୍ପଣ କରାଯାଏ। କିନ୍ତୁ ଷୋଡ଼ଶ ପୂଜା ସମୟରେ ମହାପ୍ରଭୁଙ୍କ ମହାପ୍ରସାଦ ପୁନଃ ଦେବୀ ଙ୍କ ପାଖରେ ଷୋଡ଼ଶ ଉପଚାରରେ ଲାଗି କରାଯାଏ।
ମା’ ବିମଳାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା, ମା’ ବିମଳା ଶ୍ରୀମନ୍ଦିର ମଧ୍ୟରେ ଥିବା ଏକ ଶାକ୍ତ ବା କୌଳଭୈରବୀଙ୍କ ମନ୍ଦିର। ସୋମବଂଶୀ ରାଜତ୍ୱ ସମୟରେ ସମଗ୍ର ଓଡ଼ିଶାରେ ଶକ୍ତି ଉପାସନା ପ୍ରସିଦ୍ଧି ଲାଭ କରିଥିଲା। ଏହି ସମୟରେ ଓଡ଼ିଶା ତନ୍ତ୍ରର ପ୍ରମୁଖ ପୀଠ ଓଡ୍ଡୀୟାନ ଭାବେ ପରିଚିତ ହୋଇ ସାରିଥିଲା। ଐତିହାସିଙ୍କ ଅନୁସାରେ ବର୍ତ୍ତମାନର ବିମଳା ମନ୍ଦିର ସେହି ସମୟର। ଭାରତବର୍ଷରେ ସର୍ବତ୍ର ଶିବଦୁର୍ଗା ଉପାସିତ ହେଉଥିବା ବେଳେ ପୁରୁଷୋତ୍ତମ କ୍ଷେତ୍ର ରେ ବିମଳା ଓ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ଏହି ପରମ୍ପରା ଦେଖା ଯାଇଥାଏ।

ପ୍ରଥମ ଶକ୍ତି-ପୀଠ ମଧ୍ୟରୁ ପାଦଖଣ୍ଡ ଭାବରେ ବିବେଚନା କରାଯାଉଥିବାରୁ ଏହି ମନ୍ଦିର ପ୍ରସିଦ୍ଧ। ଦେବୀ ସତୀଙ୍କ ପାଦ ଏହି ସ୍ଥାନରେ ପଡିଛି। ଦେବୀ ବିମଳାଦେବୀ ଶକ୍ତିଙ୍କର ଏକ ଅହିଂସା ରୂପ। ତନ୍ତ୍ର ଆଧାର, ବ୍ରହ୍ମଯାମଳ ତନ୍ତ୍ର ଅନ୍ତର୍ଗତ ଆଦ୍ୟା ସ୍ତୋତ୍ର ଅନୁସାରେ “ରାମେଶ୍ୱରୀ ସେତୁବନ୍ଧେ, ବିମଳା ପୁରୁଷୋତ୍ତମେ, ବିରଜା ଓଡ୍ର ଦେଶେ ଚ କାମାଖ୍ୟା ନୀଳ ପର୍ବତେ” ଅର୍ଥାତ୍ ସେତୁବନ୍ଧରେ ଦେବୀ ରାମେଶ୍ୱରୀ, ପୁରୁଷୋତ୍ତମ କ୍ଷେତ୍ରରେ ବିମଳା, ଓଡ୍ର ଦେଶରେ ସେ ବିରଜା, ପୁନଶ୍ଚ ନୀଳପର୍ବତରେ କାମାଖ୍ୟା ରୂପରେ ବିଦିତା । ପୁନଶ୍ଚ ତନ୍ତ୍ର ଚୂଡାମଣି ଅନୁସାରେ ଉତ୍କଳ ଦେଶରେ ହିଁ ସତୀଙ୍କ ପାଦ ପତିତ ହୋଇଥିଲା।

ମା’ ବିମଳା ପାଦ ପୀଠେଶ୍ଵରୀ ଓ କେହି କେହି ଏହାକୁ ଶ୍ରୀପୀଠ, ଉଦ୍ଦିଷ୍ଟ ପୀଠ, ନାଭି ପୀଠ ବୋଲି ବର୍ଣ୍ଣନା କରିଛନ୍ତି। ମହାନିର୍ବାଣ ତନ୍ତ୍ର ଅନୁସାରେ ପୁରୀ ଶ୍ରୀମନ୍ଦିର ଭୈରବୀ ଚକ୍ରର ନକ୍ସା ଆଧାରରେ ନିର୍ମିତ। ଶ୍ରୀକ୍ଷେତ୍ରେଶ୍ଵରୀ ରାଜରାଜେଶ୍ଵରୀ ବିମଳା ମା’ ତାନ୍ତ୍ରିକ ପୀଠ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି। ଏକାନ୍ତ ଗୋପନୀୟ ସିଦ୍ଧ ତନ୍ତ୍ର ପୀଠ ଓ ଏଠାରେ “କୁଳୋଡ୍ଡୀଶ ତନ୍ତ୍ର” ର “ଗଙ୍ଗାୟାଂ ମଙ୍ଗଳାନାମ ବିମଳା ପୁରୁଷୋତ୍ତମ।” ଓ “ବିମଳା ଯତ୍ର ଭୈରବୀ; ଜଗନ୍ନାଥ ତତ୍ର ଭୈରବଃ” “ବିମଳା ସା ମହାଦେବୀ ଜଗନ୍ନାଥସ୍ତୁ ଭୈରବ।” ନିୟମ ଅନୁସାରେ ଜଗନ୍ନାଥ ଅଜୈକପାଦ ଭୈରବ, ବଳଭଦ୍ର ଅହିର୍ବୁଧ୍ନ୍ୟ ଶେଷଭୈରବ, ସୁଭଦ୍ରା ଭୁବନେଶ୍ୱରୀ, ମହାଲକ୍ଷ୍ମୀ କମଳାତ୍ମିକା, ସୁଦର୍ଶନ ଏକଲିଙ୍ଗ ଓ ବିମଳା କୌଳେଶ୍ୱରୀ ବା ମହାଭୈରବୀ ଅଟନ୍ତି। ନବମ ଶତାବ୍ଦୀ ବେଳକୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଦେବୀଙ୍କ ବିଗ୍ରହ (କଳା ମୁଗୁନି ପଥରରେ) ପ୍ରତିଷ୍ଠା ହୋଇଥିବାର କୁହାଯାଇଛି।

ଦେବୀ ଚତୁର୍ଭୁଜା, ତ୍ରିନେତ୍ରା, ୫ ଫୁଟ୍ଉଚ୍ଚତା ବିଶିଷ୍ଟ ବିଗ୍ରହ, ଗଳାରେ ମୁଣ୍ଡମାଳାଧାରିଣୀ ଏବଂ ଅଷ୍ଟଦଳ ପଦ୍ମ ଉପରେ ଦଣ୍ଡାୟମାନା। ସେ ଉପର ଦୁଇଟି ହସ୍ତରେ ନାଗପାଶ, ମତ୍ସ୍ୟକନ୍ୟା ଧାରଣ କରିଛନ୍ତି ଓ ନିମ୍ନ ହସ୍ତ ଦୁଇଟିରେ ଜପମାଳା, ମଦ୍ୟପାତ୍ର ଧାଋଣ କରିଛନ୍ତି। ଦେବୀଙ୍କ ଦକ୍ଷିଣ ଓ ବାମ ପାର୍ଶ୍ୱରେ ମାୟା ଓ ଛାୟା ଦେବୀ (ଦେବକନ୍ୟା ଓ ନାଗକନ୍ୟା) ଅବସ୍ଥିତା। ଏତଦ୍ ବ୍ୟତୀତ ମନ୍ଦିରରେ ସପ୍ତମାତୃକା, ଦଶମହା ବିଦ୍ୟା ଆଦି ପୂଜା ପାଉଛନ୍ତି। ବିମଳା ମା’ ପୂଜା ପାଉଥିବା ମନ୍ଦିରର ଉଚ୍ଚତା ୬୦ ଫୁଟ୍ ଓ ଏହା ୩ ଭାଗରେ ବିଭକ୍ତ। ମୁଖଶାଳା ବା ବିମାନ, ଜଗମୋହନ ବା ନାଟ ମଣ୍ଡପ। ଷୋଡ଼ଶ ମାତୃକା ଓ ଯୋଗିନୀଙ୍କର ୪୪ଟି ଚିତ୍ର ନାଟ ମଣ୍ଡପ କାନ୍ଥରେ ଚିତ୍ରିତ ହୋଇଛି । ଶାରଦୀୟ ଷୋଡଶ ଦିନାତ୍ମକ ପୂଜାରେ ଦୁର୍ଗା ମାଧବ ଏକତ୍ର ଭଦ୍ରାସନ ରେ ରୁନ୍ଧା ହୋଇଥାନ୍ତି ଏବଂ ବିମଳା ମନ୍ଦିରରେ ବିଜେ କରିଥାନ୍ତି।

ଶ୍ରୀ ଦୁର୍ଗା ମାଧବ ଉପାସନା ଓ ଯାତ୍ରାବିଧି ଆଶ୍ୱିନ କୃଷ୍ଣ ଅଷ୍ଟମୀରୁ ଆରମ୍ଭ ହୋଇ ଆଶ୍ୱିନ ଶୁକ୍ଳ ଦଶମୀ ତିଥିରେ ଅର୍ଥାତ ଦଶହରା ଦିନ ଶେଷ ହୋଇଥାଏ, ପ୍ରତିଦିନ ନାରାୟଣୀ ମନ୍ଦିରକୁ ଯାତ୍ରା କରିଥାନ୍ତି, ଏହାକୁ “ଶାକ୍ତଗୁଣ୍ଡିଚାଯାତ୍ରା” କୁହାଯାଏ। ଏହି ସମୟରେ ସପ୍ତମୀ, ଅଷ୍ଟମୀ, ନବମୀ ଅର୍ଦ୍ଧରାତ୍ରୀ ସମୟରେ ମହାନିଶା ପୂଜା ଅନୁଷ୍ଠିତ ହୋଇଥାଏ ଯେଉଁଥିରେ ଦେବୀଙ୍କ ପାର୍ଶ୍ୱରେ ଥିବା ନାଗକନ୍ୟା ଓ ଦେବକନ୍ୟା ତଥା ଚଉଷଠି ଯୋଗିନୀଙ୍କ ପାଇଁ ପଶୁପ୍ରୋକ୍ଷଣ ଅନୁଷ୍ଠିତ ହୋଇଥାଏ; ମା’ଙ୍କର ନାରାୟଣୀ ବେଶ, ବନଦୁର୍ଗା ବେଶ, ବଗଲା ବେଶ, ହରଚଣ୍ଡୀ ବେଶ, ମାତଙ୍ଗୀ ବେଶ, ରାଜରାଜେଶ୍ୱରୀ ବେଶ, ସିଂହବାହିନୀ ବେଶ, ଭୁବନେଶ୍ଵରୀ ବେଶ, ଉଗ୍ରତାରା ବେଶ, ଜୟଦୁର୍ଗା ବେଶ ଓ ଦଶହରାରେ ଅପରାଜିତା ବେଶ ଆଦି ଅନୁଷ୍ଠିତ ହୋଇଥାଏ।
⁠ଷୋଳ ପୂଜା ସମୟରେ ମା’ ବିମଳା କେତେକ ଅଧିକ ସୁବର୍ଣ୍ଣ ଅଳଙ୍କର ପରିଧାନ କରନ୍ତି। ତାହା ହେଲା.. ⁠କମରପଟି-୧, ଝୋବା କଣ୍ଠି-୪, ସୁଉକି ମାଳ (ରାମାଭିଷେକ ପଦକ ଥାଇ)-୧, ଚମ୍ପାକଢ଼ି ମାଳ (୫୭ କଢ଼ି ଥାଇ)-୧, କୁରୁଜାତକ ମାଳି-୧, ବଡ଼ମୁଣ୍ଡ ମାଳି (୪୦ଟି ମୁଣ୍ଡ ଥାଇ)-୧, ସାନମୁଣ୍ଡି ମାଳି (୨୭ଟି ମୁଣ୍ଡ ଥାଇ) -୧, ନୋଥ-୧, ଅଷ୍ଟରତ୍ନ ଗୁଣା-୧, ଦଣ୍ଡି-୧, ଉପଚାର-୧, ସେବତୀ ହାର (ଅଷ୍ଟରତ୍ନ ପଦକ ଥାଇ ୧୬ଟି ସେବତୀ) -୧, ପଦ୍ମହାର (୩୦, ୫୫, ୩୨, ୨୪ ଓ ୪ଟି ପଦ୍ମ ଥାଇ)- ୫ଟି ଓ ରୁପାର ଏକ ପଦ୍ମ ହାର (୪୦ଟି ପଦ୍ମ ଥାଇ)। ⁠ଷୋଳ ପୂଜାରେ ପିନ୍ଧୁଥିବା ବିଶେଷ ଅଳଙ୍କାର ବ୍ୟତୀତ ବର୍ଷସାରା ସଦା ସର୍ବଦା ଦେବୀଙ୍କ ଶ୍ରୀଅଙ୍ଗରେ ନିମ୍ନଲିଖିତ ସୁବର୍ଣ ଅଳଙ୍କାର ଶୋଭାପାଏ। କିରୀଟ, ନାକଫୁଲ, କାନଫୁଲ, ଅନନ୍ତ ବ୍ରତ, ବାଜୁ, କିଆ, ଚୁଡ଼ି, ତ୍ରିନେତ୍ର, ନେତ୍ର, ଚାପସରି, କଣ୍ଡିମାଳ, ହରିଡ଼ାକଣ୍ଠ ମାଳ (୩), ବଟଫଳ, ବକ୍ଷସ୍ତଳ ପଦ୍ମ, ହସ୍ତ ଓ ପଦର ମୁଦ୍ରିକା, ପଦର ନଖ ଇତ୍ୟାଦି।
ଅତିବଡ଼ି ଶ୍ରୀ ଜଗନ୍ନାଥ ଦାଶଙ୍କ ଶ୍ରୀମଦ୍ ଭାଗବତର ଦ୍ୱାଦଶ ସ୍କନ୍ଦ
“ନାରାୟଣ କଳା ରୂପିଣି, ଜ୍ଞାନ କ୍ରିୟା ଏ ଇଛା ତିନି
ବିମଳାଦି ନବ ଶକ୍ତିନୀ ,ଏ ମଧ୍ୟେ ରାମ ବିଳାସିନୀ”।
ଏହି ପାରମ୍ପରିକ ସରଣୀରେ ବିମଳାଙ୍କୁ ଜଗନ୍ନାଥଙ୍କ ମାୟାଶକ୍ତି, ବଳଭଦ୍ରଙ୍କର କ୍ରିୟାଶକ୍ତି ଓ ସୁଭଦ୍ରାଙ୍କର ଇଛା ଶକ୍ତି ବୋଲି ନିଆଯାଇ ଥାଏ। ସେ ହିସାବରେ ବିମଳା ରାମ ବିଳାସିନୀ ବା ବଳଭଦ୍ର ବଲ୍ଲଭା ଜ୍ଞାନରୂପା ବୋଲି କଥିତ ହୁଅନ୍ତି।
“ବଳଭଦ୍ର ପ୍ରିୟା ଦେବୀ ଚିଦ୍‌ଜ୍ଞାନ ବିମଳାତ୍ମିକା
ଶୁଦ୍ଧଜ୍ଞାନ ସ୍ୱରୁପାୟୈ ସର୍ବ ସମ୍ପତ୍ ପ୍ରଦାୟନୀ ॥”
ଷୋଳ ପୂଜାର ପରମ୍ପରା ଅନୁଯାଇ ବଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କର ପବିତ୍ର ଅଧରମାଳା ପଦକାଦି ବିମଳାଙ୍କୁ ଲାଗି ହୋଇଥାଏ, ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅଧରମାଳା ମହାଲକ୍ଷ୍ମୀଙ୍କୁ ଲାଗିହୁଏ, ଦୁର୍ଗାମାଧବ ପ୍ରଥମ ଦିନ ବିମଳା ମନ୍ଦିରକୁ ବିଜେ ହେବା ପୂର୍ବରୁ ବିମଳାଙ୍କ ପାଖରେ ସହସ୍ର କୁମ୍ଭାଭିଷେକ ପୂଜା ସରିଥାଏ। ପ୍ରଥମ ପୂଜା ପାଇଁ ସକାଳ ଧୂପ ଶେଷ ପରେ ବିମଳାଙ୍କ ଦେଉଳରେ ପରିଚ୍ଛା ଓ ପରିକରଣ ମାନେ ହୁକୁମମାନ ପାଠ କରନ୍ତି। ବ୍ରହ୍ମାବରଣ ନିମନ୍ତେ ବରୁଣ ପୂଜା ହୁଏ। ଆଚାର୍ଯ୍ୟ ବରଣ, ବ୍ରହ୍ମାବରଣ, ସ୍ୱସ୍ତିବାଚନ ଓ ଚଣ୍ଡୀବରଣ ହୁଏ। ସଂକଳ୍ପ ହୁଏ। ଠାକୁରାଣୀଙ୍କ ଛାମୁରେ ପାଣି ପଡ଼ି, ପାହାଡ଼ ପଡ଼ି ଭୋଗ ବଢ଼ାହୁଏ। ପାଳିଆ ସେବକ ପୂଜା ଠା’ କରେ। ପ୍ରଧାନୀ ପୂଜକଙ୍କୁ ଡକାଇ ପୂଜାରେ ବସାନ୍ତି।

ପୂଜା ଷୋଡ଼ଶ ଉପଚାରରେ ହୁଏ। କୋଠଭୋଗର ମହାପ୍ରସାଦ ପିଠା, ଥାଳି ଖେଚୁଡ଼ି ବିମଳାଙ୍କ ମଣୋହିରେ ବଢ଼ାଯାଏ। ଭୋଗ ପୂଜା ବେଳେ ଘଣ୍ଟ, କାହାଳୀ ବାଜେ, ଛତ୍ର ଧରାଯାଏ। ଆଗ କାଳରେ ଏହି ସମୟରେ ପରିଚ୍ଛା ପଟୁଆର କରୁଥିଲେ ଓ ଦେବଦାସୀ ନୃତ୍ୟ କରୁଥିଲେ। ତାହା ଏବେ ହେଉ ନାହିଁ।
ଟେରା ଫିଟିଲେ କର୍ପୂର ଆଳତି ଓ ୨୧ବତି ବନ୍ଦାପନା ହୁଏ। ସକାଳ ଧୂପ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚଣ୍ଡୀପାଠ ଓ ସହସ୍ର ନାମାଦି ପାଠ କରାଯାଏ। କିନ୍ତୁ ଏହି ପାଠ ମଧ୍ୟାହ୍ନ ଓ ରାତ୍ର ଧୂପ ମାନଙ୍କରେ ହୁଏ ନାହିଁ। ବିଧି ଅନୁସାରେ ଶ୍ରୀଜୀଉ ମାନଙ୍କର ମଧ୍ୟାହ୍ନ ଧୂପ ଓ ସଂଧ୍ୟା ଧୂପ ପରେ ବିମଳାଙ୍କର ମଧ୍ୟାହ୍ନ ଓ ସଂଧ୍ୟା ଧୂପ ହୁଏ। ଏହି ଧୂପ ମାନଙ୍କରେ ସକାଳ ଧୂପ ପରି ପ୍ରସାଦ ଓ ପିଷ୍ଟକାଦି ଦେବୀଙ୍କୁ ନୈବେଦ୍ୟ ରୂପେ ବଢ଼ାଯାଏ ଘଣ୍ଟ, କାହାଳୀ ଓ ଛତି ବ୍ୟବସ୍ଥା ପ୍ରତ୍ୟେକ ଧୂପ ପାଇଁ ଅଛି। ସପ୍ତମୀ ଦିନଠାରୁ ବିମଳାଙ୍କର ତ୍ରିଦିବସାତ୍ମକ ପୂଜା ପାଇଁ ପୃକ ସଂକଳ୍ପ କରାଯାଏ।

ଏଥିରେ ତର୍ପଣ ମାର୍ଜନାଦି ସହ ବଳି, ଜପ, ହୋମ ଆଦି ଯୋଗ କରାଯାଏ। ଏହି ତିନି ଦିନ ଅର୍ଥାତ ସପ୍ତମୀ, ଅଷ୍ଟମୀ ଓ ନବମୀ ନିଶାର୍ଦ୍ଧରେ ସଙ୍ଖୁଡ଼ି ଓ ଆମିଷ (ମାଛ) ଭୋଗର ବ୍ୟବସ୍ଥା ଅଛି। ଏହି ଭୋଗ ପ୍ରସ୍ତୁତି ପାଇଁ ବିମଳା ମନ୍ଦିର ଆଗରେ ଥିବା କୂପର ଦକ୍ଷିଣ ଦିଗରେ ଅସ୍ଥାୟୀ ପାକଶାଳା ନିର୍ମିତ ହୋଇଥାଏ। ବଡ଼ ଦେଉଳରେ ଶ୍ରୀଜୀଉମାନଙ୍କର ରାତ୍ର ପହୁଡ଼ ପରେ ଶ୍ରୀମନ୍ଦିର ବେଢ଼ା ଶୋଧ କରାଯାଏ। ପଶ୍ଚିମ ଦ୍ୱାର ବାଟେ ଦେବୀଙ୍କ ଭୋଗ ପ୍ରସ୍ତୁତି ନିମନ୍ତେ ବଳି ପାଇଁ ପଶୁ ଓ ମାଛ ଆଦି ଅଣାଯାଏ। ଏହି ତିନି ଦିନ ପ୍ରତ୍ୟେକ ରାତ୍ରରେ ଦୁଇଟି ଲେଖାଏଁ ମେଣ୍ଢା ବଳି ପଡ଼େ। ମାଛ ରନ୍ଧା ହୁଏ। ଛେଦ ବିମଳାଙ୍କ କୂପ ପାଖରେ ପଡ଼ିବା ପରେ ଠାକୁରାଣୀଙ୍କ ପୂଜକ ରକ୍ତ ସରାରେ ନେଇ ଠାକୁରାଣୀଙ୍କ ପାଖରେ ରଖେ। ଶଙ୍ଖୁଡି ଧୂପ ପାଣି ପଡ଼ିବା ପରେ ପଶ୍ଚିମ ଦ୍ୱାର ପର୍ଯ୍ୟନ୍ତ ନପାଣି ପଡ଼ି ଧୁଆଯାଏ। ବିମଳାଙ୍କ ପୂଜା (୧୬ ଦିନ) ଭିତରେ କୌଣସି ସ୍ତ୍ରୀ ଲୋକ ବିମଳା ମନ୍ଦିର ଭିତରକୁ ପ୍ରବେଶ ନିଷେଧ। ଦୈନନ୍ଦିନ ଭୋଗକୁ ଛାଡ଼ି ଦେଲେ ଷୋହଳ ପୂଜା ବେଳେ ବିମଳାଙ୍କ ପାଇଁ କେତେକ ଅଧିକ ଭୋଗ ହୁଏ। ଲୋକଙ୍କ ଖଞ୍ଜା ଅନୁଯାୟୀ ସଂଧ୍ୟା ଧୂପ ପରେ ବିମଳା ଠାକୁରାଣୀଙ୍କର ବିଭିନ୍ନ ଦେବୀ ବେଶ ହୁଏ। ତାହା ହେଲା- ବନଦୁର୍ଗା ବେଶ, ଭୁବନେଶ୍ୱରୀ ବେଶ, ନାରାୟଣୀ  ବେଶ, ବଗଳା ବେଶ, ଜୟଦୁର୍ଗ ବେଶ, ଉଗ୍ରତାରା ବେଶ, ମାତଙ୍ଗିନୀ ବେଶ, ଦଶଭୁଜା ବେଶ, ରାଜରାଜେଶ୍ବରୀ ବେଶ, ହରଚଣ୍ଡୀ ବେଶ ଓ ସିଂହ ବାହିନୀ ବେଶ।

“ଓଁ ଶ୍ରୀ କ୍ଷେତ୍ରେଶ୍ୱର୍ଯୈ ବିଦ୍ମହେ, ଦୁର୍ଗା ମାଧବାଭ୍ଯାଂ ଧୀମହୀ, ତନ୍ନୋ ବିମଳା ପ୍ରଚୋଦୟାତ୍”

ଓଡିଶାରେ ଶକ୍ତି ପୂଜାର ଆଧିକ୍ଯ ରହିଥିଲେ ହେଁ ପ୍ରଧାନତଃ ଆଠଟି ତନ୍ତ୍ର ପୀଠରେ ଶକ୍ତି ସ୍ବରୂପିଣୀ ଦେବୀ କେଉଁଠି କେଉଁଠି ଅଷ୍ଟଭୁଜା ତ କେଉଁଠି ଦ୍ବିଭୁଜା, କେଉଁଠି ପରମ ବୈଷ୍ଣବୀ, ନରମୁଣ୍ଡମାଳିନୀ ଓ କେଉଁଠି କାତ୍ୟାୟନୀ ରୂପେ ପୂଜିତା। ଉତ୍କଳୀୟ ଶକ୍ତିପୀଠ ଗୁଡ଼ିକ ମଧ୍ଯ ଜଗତେ ଖ୍ଯାତ। ଶ୍ରୀକ୍ଷେତ୍ରରେ ମା’ ବିମଳା, କାକଟପୁରରେ ମା’ ମଙ୍ଗଳା, ବାଣପୁରରେ ଭଗବତୀ, ଝଙ୍କଡରେ ଶାରଳା, ଯାଜପୁରରେ  ବିରଜା, ବାଙ୍କୀରେ ଚର୍ଚ୍ଚିକା, ସମ୍ବଲପୁରରେ ସମଲେଇ ଓ ତାଳଚେରରେ ହିଙ୍ଗୁଳା ଭାବେ ପୂଜା ପାଇ ଆସୁଛନ୍ତି। ପ୍ରତ୍ୟକ ମାଙ୍ଗଳିକ କାର୍ଯ୍ୟରେ ଦୁର୍ଗା ଓ ମାଧବଙ୍କର ସ୍ମରଣ କରାଯାଇଥାଏ।

ଏହାହିଁ ଉତ୍କଳର ସଂସ୍କୃତି ଓ ବିଶେଷତ୍ୱ।ଶାସ୍ତ୍ର ବିଧି ଅନୁସାରେ ଶାରଦୀୟ ଓ ବାସନ୍ତୀ ଦୁର୍ଗାପୂଜାରେ ଏହି ସନ୍ଧି କାଳ ହିଁ ଦେବୀଙ୍କୁ ବଳି ଦେବର ପ୍ରଶସ୍ତ ସମୟ । ଏହି ସମୟରେ ମା’ଙ୍କ ପାଖରେ ବଳି ଦିଆଯାଏ । ପୂର୍ବରୁ ଜୀବମାନଙ୍କୁ ବଳି ଦିଆଯାଉଥିଲା, ଆଜିକାଲି ଲାଉ, ପାଣିକଖାରୁ ଓ ବୋଇତି କଖାରୁ ବଳି ଦିଆଯାଉଛି । ଓଡ଼ିଶାରେ ଏହି ଦିନ ମହିଳାମାନେ ଶାଢ଼ୀ, ଚୁଡି ,ଶଙ୍ଖା ସିନ୍ଦୁର ଇତ୍ୟାଦି ଆଣି ମା’ଙ୍କ ପାଖରେ ଭୋଗ କରିସାରିବା ପରେ ନୂଆ ବସ୍ତ୍ର ପରିଧାନ କରିଥାନ୍ତି ।ନବମୀ ପୂଜାରେ ମା’ଙ୍କ ପୀଠରେ ମାଛ ଭୋଗ ହେଇଥାଏ।କଟକର ଅଲିଶାବଜାର, ଚାନ୍ଦିନୀ ଚୌକ ପ୍ରଭୃତି କେତେକ ପୂଜା କମିଟି ନବମୀ ପୂଜାରେ ବଡ଼ ଧରଣର ମାଛ ଭୋଗ କରିଥାନ୍ତି । ଦଶମୀରେ ଘଟ ବିସର୍ଜନ ଓ ଭସାଣି ।

ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା ଅପରାଜିତା ପୂଜା ଏହି ଦିବସର ସ୍ୱାତନ୍ତ୍ର୍ୟତା ବହନ କରେ । ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦା କଲା ଭଳି କାନ୍ଦ ବୋବାଳି ପକାଉଥିଲେ, ଏବେ ଆଉ ନାହିଁ । ଏହା ସହିତ ମହିଳାମାନେ ସିନ୍ଦୁର ଖେଳ ଖେଳିଥାନ୍ତି  । ଅନେକ ସ୍ଥାନରେ ସିନ୍ଦୁର ଖେଳ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଉଥିଲା, ଯାହା ଏବେ ବୋଧେ ଆଉ ହେଉନାହିଁ । ଏହି ଦିବସର ପ୍ରମୁଖ ଭୋଗ ଦହି ପଖାଳ । ପଖାଳ ସହିତ ଓଡ଼ିଆଙ୍କର ହଜାର ହଜାର ବର୍ଷ ର ସମ୍ପର୍କର ଏହାହିଁ ନିଦର୍ଶନ ।
ଅଧୁନା କର୍ପୁର ଉଡି ଯାଇଛି , କନା ନୁହେଁ, ଛିଣ୍ଡା କନା , ଯେଭଳି। ମୋଟର ଯାନ ମରାମତି କେନ୍ଦ୍ର ବା ଗ୍ୟାରେଜ ମାନଙ୍କରେ ମୋବିଲ ବୋଳା କଳା କୁତୁରା କନା ଭଳି ଦୃଶ୍ୟମାନ । ହଜିଲା ଅତୀତ କୁ ଖୋଜିବା ସମୟରେ ଯେଉଁ ମାର୍ମିକ ବେଦନା ଅନୁଭବ କରୁଛୁ, ତାହା ଭାଷାରେ ବର୍ଣନା କରିବା ପାଇଁ ଶବ୍ଦ ଅକୁଳାଣ । “ଦୁର୍ଗା ଦୁର୍ଗାର୍ତ୍ତିଶମନୀ, ଦୁର୍ଗାପଦ୍ ବିନିବାରିଣୀ, ଦୁର୍ଗମଚ୍ଛେଦିନୀ, ଦୁର୍ଗସାଧିନୀ ଦୁର୍ଗନାଶିନୀ ।।
ଦୁର୍ଗତୋଦ୍ଧାରିଣୀ,ଦୁର୍ଗମଜ୍ଞାନନ୍ଦା ଦୁର୍ଗଦୈତ୍ୟ ଲୋକଦବାନଳା ।।
ଦୁର୍ଗମାଲୋକା ଦୁର୍ଗାମାତ୍ମ ସ୍ୱରୂପିଣୀ, ଦୁର୍ଗମାର୍ଗପ୍ରଦା ଦୁର୍ଗମବିଦ୍ୟା ଦୁର୍ଗମାଶ୍ରିତା ।।
ଦୁର୍ଗମଜ୍ଞାନ ସଂସ୍ଥାନା ଦୁର୍ଗମ ଧ୍ୟାନଭାସିନୀ, ଦୁର୍ଗମୋହା, ଦୁର୍ଗମଣା ଦୁର୍ଗମାର୍ଥସ୍ୱରୂପିଣୀ ।।
ଦୁର୍ଗମାସୁରସଂହନ୍ତୀ ଦୁର୍ଗମାୟୁଧ ଧାରିଣୀ, ଦୁର୍ଗମାଙ୍ଗୀ ଦୁର୍ଗମତା ଦୁର୍ଗମ୍ୟା ଦୁର୍ଗମେଶ୍ୱରୀ ।।
ଦୁର୍ଗଭୀମା, ଦୁର୍ଗଭାମା ଦୁର୍ଗଭା ଦୁର୍ଗଦାରିଣୀ, ନାମାବଳିମିମାଂଯସ୍ତୁ ଦୁର୍ଗାୟ ମମମାନବଃ ।।”
ଦୁର୍ଗମଛେଦିନୀ, ଦୁର୍ଗତିନାଶିନୀ, ଶକ୍ତି ସ୍ୱରୂପିଣୀ, ତ୍ରିଶୂଳଧାରିଣୀ, ବଳଦାୟିନୀ, ମହିଷମର୍ଦ୍ଦିନୀ, ଚଣ୍ଡମୁଣ୍ଡ ବିନାଶିନୀ ,ମୋକ୍ଷଦାତ୍ରୀ ,ମଙ୍ଗଳମୟୀ ମା’ ଦୁର୍ଗାଙ୍କର ଅପାର କରୁଣା ଓ ଅସୀମ ଆଶୀର୍ବାଦରେ ‘ ସୁବାର୍ତ୍ତା’ ସକଳ ବର୍ଗର ପାଠକ ମାନଙ୍କର ସକଳ ସୁମନାସ ପ୍ରାର୍ଥନାନ୍ତେ ଜୟ ମାଆ ଦୁର୍ଗା ।

ପତଳା କାନିଆ

ପତଳା କାନିଆ

ନିଜେ ଭୋଗ ନାମରେ ଭଲ ଭଲ ଖାଦ୍ୟ ଖାଇବା ପାଇଁ  ନିର୍ଜୀବ  ଦେବାଦେବୀଙ୍କୁ ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ପରିବେଷଣ କରୁଥିବାବେଳେ ସଜୀବ ଦେବାଦେବୀ ପିତା ମାତାଙ୍କୁ  ଅବହେଳା, ଅଣଦେଖା କରିବା ଅବା ଜରା ନିବାସୀ କରାଇଦେବା ଅବା ଜରା ନିବାସକୁ ଠେଲି ଦେବା ,  ଏପରିକି ଦେବା ଦେବୀଙ୍କ ନିର୍ଜୀବ ବାହନ ଯଥା ମୂଷାକୁ ଲଡୁ , ସାପକୁ ଖିର, ଷଣ୍ଢ ,ବଳଦ,ଗାଈ ଆଦି ଙ୍କୁ ପୂଜା କରି ସଜୀବ ଗାଇ ଗୋରୁ ପ୍ରଭୃତି ପଶୁ ମାନଙ୍କ ଉପରେ ଅତ୍ୟାଚାର, ଏପରିକି ବିଷ ଦେଇ‌ ହତ୍ୟା, ଵାଡିଆବାଡି  କରାଯାଇ ଆସୁଥିବା ସମୟରେ ବିଗତ ଦୁଇ ଦଶନ୍ଧି ତଳେ କହିଥିଲୁ ” ପ୍ରତିମାରେ ନୁହେଁ ପ୍ରତି ମାଆରେ ଦୁର୍ଗତିନାଶିନୀଙ୍କୁ ଦେଖି ପୂଜା କରାଯିବା ଉଚିତ ।
।  ଠିକ୍ ସେହିଭଳି ଜୀବନ୍ତ ପ୍ରତିଭା ମାନଙ୍କୁ  ସକଳ ପ୍ରକାର ନିନ୍ଦା, ଅପମାନ ଲାଞ୍ଛନା,କୁତ୍ସା, ମିଥ୍ୟା ଅଭିଯୋଗ, ଭିତ୍ତିହୀନ ସମାଲୋଚନା, ଏପରିକି ଚକ୍ରାନ୍ତ ଆଧାରିତ ମସୀଲିପ୍ତ କରି ସେମାନଙ୍କୁ ପ୍ରତି ନିୟତ ମାନସିକ ନିର୍ଯ୍ୟାତନା ଦିଆ ଯାଉଥିବା ବେଳେ ସେମାନଙ୍କ ମୃତ୍ୟୁ ପରେ ଗତାନୁଗତିକ ଶ୍ରଦ୍ଧାବିବର୍ଜିତ ଶ୍ରାଦ୍ଧ ଅବା ସ୍ଵକୀୟ ପତିଆରା ସୃଷ୍ଟି ନିମନ୍ତେ ଜୟନ୍ତୀ ପାଳନ କରାଯାଏ ।  ଗୈାତମ ବୁଦ୍ଧ,ଯିଶୁ ଖ୍ରୀଷ୍ଟଙ୍କ ଠାରୁ ମହାତ୍ମା ଗାନ୍ଧୀ, ଭାରତ ଗୌରବଙ୍କ ଠାରୁ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁଙ୍କ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଉଦାହରଣ ସମୂହର ଜ୍ୱଳନ୍ତ ଦୃଷ୍ଟାନ୍ତ ଅଛି ।

ଏବେ ତ ଜଣେ ଅପରାଧୀର ଅଧିବକ୍ତା ତଥାକଥିତ ଜନ ପ୍ରତିନିଧି ସର୍ବୋଚ୍ଚ ପଞ୍ଚାୟତ କକ୍ଷରେ  ଏହାକୁ ଜାତୀୟ କରଣ କରାଇ କହିଥିଲେ ଯେ  ଓଡ଼ିଶା ରେ କଙ୍କଡା ଚରିତ୍ରର ପ୍ରାବଲ୍ୟ ସର୍ବତ୍ର ପ୍ରତିଫଳିତ ।  ବାସ୍ତବ କଥା ହେଉଛି ,  କରୋନା ଭଳି  ଅନ୍ୟ ଏକ ଅଦୃଶ୍ୟ ରୋଗରେ   ରୋଗାକ୍ରାନ୍ତ ଅନେକ ଲୋକ ।  ଅନ୍ୟର ଭଲ କାମର ପ୍ରଶଂସା କଲାବେଳେ କୈାଣସି ଅଦୃଶ୍ୟ ଶକ୍ତି ସେମାନଙ୍କ ଗଳାକୁ ଚିପିଦିଏ, ଅଥଚ କାହାର ନିନ୍ଦା କରିବା ସମୟରେ ସେହି ଅଦୃଶ୍ୟ ଶକ୍ତି କୁଆଡେ଼ ଗଳାକୁ ମେଲେଇ ଦିଏ । “ପ୍ରଶଂସା କାତର, ନିନ୍ଦା ପ୍ରବର” ରୋଗ ପାରାନୋଇଆ ରୋଗ ଠାରୁ ଭୟଙ୍କର ।

ଆମ ସମୟର ଜଣେ ପ୍ରାଜ୍ଞ ପ୍ରାଧ୍ୟାପକ, ପ୍ରବଚକ, ଆଲେଖ୍ୟ ସ୍ରଷ୍ଟା ଏକଦା ଜଣେ ବନ୍ଧୁଙ୍କ ପରିଚୟ ଦେବାକୁ ଯାଇ ଏକ ବାକ୍ୟ ବ୍ୟବହାର କରିଥିଲେ ” ନିଃସଙ୍କୋଚ ପ୍ରଶଂସା ଓ ଯଥୋଚିତ ନିନ୍ଦା”  ହିଁ ସମାଜର ଗ୍ରହଣୀୟ ଆଚାର ପଣ୍ୟ ହେବାକଥା, ମାତ୍ର ହୁଏନା କାହିଁକି ?  ରୋଗୀକୁ ନୁହେଁ ରୋଗ କୁ ଘୃଣା କର ବୋଲି ପ୍ରବଚନ ଦେଉଥିବା, ଗବେଷଣା ଧର୍ମୀ ପ୍ରବନ୍ଧ, ଆଲେଖ୍ୟ ସ୍ରଷ୍ଟା ପରମୁହୂର୍ତ୍ତରେ ସେହି ରୋଗାକ୍ରାନ୍ତର ପ୍ରଳାପକୁ ,ଅପର ପ୍ରତି ମିଥ୍ୟାରୋପକୁ ପରୀକ୍ଷା ନ କରି ଅନ୍ୟର ସାମାଜିକ ସମ୍ମାନକୁ କ୍ଷୁର୍ଣ୍ଣ କରିବାରେ ଅଯଥା ସମୟ ଅପଚୟ କରି ଆତ୍ମସନ୍ତୋଷ ପାଇବା ଏକ ସାମାଜିକ ବିଡ଼ମ୍ବନା ନୁହେଁ କି ?  ଆଚରଣ ଓ ଉଚ୍ଚାରଣ ମଧ୍ୟରେ ସମନ୍ବୟ ରକ୍ଷାକରି ଯେଉଁ କାର୍ଯ୍ୟ କରାଯାଏ ବା ଯେଉଁ କଥା କୁହାଯାଏ , ତାହା ଜନ ବିଶ୍ୱସନୀୟତା ଆହରଣ କରିଥାଏ । କଥା ରେ ଅଛି କହି ଦେଉଥାଏ ଅନ୍ୟକୁ, ବୁଦ୍ଧି ନ ଦିଶଇ ନିଜକୁ” ନ୍ୟାୟରେ କେତେକ ଆଜି ଅଭିଯୁକ୍ତ । ଏପରିକି  ”  ଡହରା ଡାକୁ ଡାକ ଛାଡୁଛି ,ଦେଖ ଦେଖ ଅଗ୍ରତେ ଧାଏଁ ଡକାୟତ ।

ବିପ୍ଲବୀ କବି ରବି ସିଂହ ଙ୍କ ଭାଷାରେ ” ଯାଦୁଆ ବିକୁଛି ଯାଦୁର ମଲମ,ମଦୁଆ ଧରିଛି ନିଶା ନିବାରଣ ବାନା ” ।  ଏଭଳି ରୋଗର ସଂକ୍ରମଣ କେବଳ ସମ୍ଭବପର ହେଉଛି ଅନ୍ୟ ମାନଙ୍କର ପ୍ରତିବାଦ ବିହୀନ  ତଥା ପର ନିନ୍ଦା ଶ୍ରବଣ ବ୍ୟାକୁଳତା , ସ୍ବାର୍ଥ ସର୍ବସ୍ବ ମାନସିକତା କାରଣ ରୁ । ଯିଏ ଅନ୍ୟ ର ଅନୁପସ୍ଥିତିରେ , କୌଣସି ପ୍ରାମାଣିକ ତଥ୍ୟ ବା ଭିତ୍ତି ନଥାଇ ତା ବିରୋଧ ରେ ନିନ୍ଦା, ଚୁଗୁଲୀ କରୁଛି , ସେହି ଲୋକ ପରବର୍ତ୍ତୀ ସମୟରେ ଅନ୍ୟ ନିକଟରେ ଯେ ପୂର୍ବୋକ୍ତ ବ୍ୟକ୍ତି ବିରୋଧରେ କହୁନଥିବ ବୋଲି ଭାବନାଟି ଯଦି ଆସୁଥାନ୍ତା ତେବେ ସମ୍ପୃକ୍ତଟି ଚୁଗୁଲୀ ପ୍ରବଣତାକୁ ବିରୋଧ କଲେ ଚୁଗୁଲୀ ଚରିତ୍ରଧାରୀ ଟି ନିରୁତ୍ସାହିତ ହୁଅନ୍ତା ।

ସ୍ବାଧୀନତା ସଂଗ୍ରାମୀ,ପ୍ରାତଃ ସ୍ମରଣୀୟ ସାରସ୍ଵତ ସାଧକ ତଥା ଜନନେତା ସୁରେନ୍ଦ୍ର ମହାନ୍ତି ଏହି ଚରିତ୍ରର ବ୍ୟକ୍ତି ମାନଙ୍କ ପାଇଁ ସଂଜ୍ଞା ଦେଇ ଯାଇଛନ୍ତି – “ପତଳା କାନିଆ” । ସମ୍ପ୍ରତି ଅବକ୍ଷୟୀ ଲୋକ ଚରିତ୍ର ପ୍ରଭାବରେ ପ୍ରଭାବିତ ସମାଜ ଏବେ ମାନବୀୟ ଅବୟବ ତ୍ୟାଗ କରି ଜାନ୍ତବ୍ୟ ଖୁଆଡମୟ ଅବୟବକୁ ଆପଣାଇ ଚାଲିଛି । ଯେପରି ଚିଡ଼ିଆଖାନାରେ ରହିଥାନ୍ତି ଭିନ୍ନ ଭିନ୍ନ ପ୍ରଜାତିର ଅସଂଖ୍ୟ ବଣୁଆ ଜୀବଜନ୍ତୁ ଆଉ ଏଇ ସମାଜରେ ଅଧୁନା ପରିଦୃଶ୍ୟ ହେଉଛନ୍ତି ଭିନ୍ନ ଭିନ୍ନ ଜାତି ଜାତିକା ମଣିଷ। ବାଘ ,ଭାଲୁ, ସିଂହ ଚିତା ପରି ଅତ୍ୟନ୍ତ ହିଂସ୍ର ମଣିଷ, ବିଲୁଆ ଶିଆଳ ପରି ଆବଶ୍ୟକତାଠୁ ଅଧିକ ଚତୁର ମଣିଷ ତ ଦେଖା ଯାଉଛନ୍ତି ହରିଣ ଠେକୁଆ ଭଳି ଅତ୍ୟନ୍ତ ନିରୀହ ମଣିଷ , ଅର୍ଥାତ୍ ଜାତି ଜାତିକା ମଣିଷ। କେତେ ରଙ୍ଗ, କେତେ ରୂପର ମଣିଷ , କେତେ ଚିତ୍ର, କେତେ ଚରିତ୍ରର ମଣିଷ, ସେଥିରେ ପୁଣି ପ୍ରତିଟି ମଣିଷର ଶକ୍ତି ସାମର୍ଥ୍ୟ, ଆଚାର ବ୍ୟବହାର ସଦାବେଳେ ରହିଥାଏ ଭିନ୍ନ ଭିନ୍ନ।

ସେମାନଙ୍କ ଜୀବନ ଯାପନର କଳା କୌଶଳ ମଧ୍ୟ ଭିନ୍ନ ଏବଂ ଭିନ୍ନ ପୁଣି ସେମାନଙ୍କ ଭାଷା ଆଉ ଭାବ , ଆଚରଣ ଓ ଉଚ୍ଚାରଣ। ଆଠ ଶହ କୋଟିର ମଣିଷ ସଂଜ୍ଞାଧାରୀ ଦୁନିଆରେ ଏତେ ଲୋକ ରହୁଛନ୍ତି ଯେତେବେଳେ, ସେମାନଙ୍କ ଖାଦ୍ୟ ପାନୀୟରେ ଭିନ୍ନତା ପରିଲକ୍ଷିତ ହେବା ଏକ ସ୍ୱାଭାବିକ ଓ ସାଧାରଣ କଥା। ସବୁଠୁ ବଡ଼ କଥା ହେଉଛି, ଅସୁମାରି ମଣିଷଙ୍କୁ ନେଇ ଗଢ଼ା ଏଇ ସମାଜର ଜନଜୀବନର ଚିତ୍ର, ଲୋକ ଚରିତ୍ର, ଲୋକମାନଙ୍କ ଚରିତ୍ର।

ଆମେ ଜାଣୁ ଯେ ପ୍ରତିଟି ମଣିଷର ଚରିତ୍ର ଭିନ୍ନ ଭିନ୍ନ। ଜଣକ ଚରିତ୍ର ଆଉ ଜଣକ ସହ କେବେହେଲେ ସଂପୂର୍ଣ୍ଣ ରୂପେ ସମାନ ହୋଇ ନଥାଏ। ହୁଏତ ଏହା କେବେ କେବେ କାହା କାହା ସହିତ କିଛି ମାତ୍ରାରେ ମେଳ ଖାଉଥିଲେ ହେଁ ଭିନ୍ନତା ଥାଏ କିନ୍ତୁ ସର୍ବାଧିକ। କାରଣ ଏଇ ଲୋକ ଚରିତ୍ର ହିଁ ଏମିତି, ଯାହା ସଦାବେଳେ ରହିଥାଏ ଅବୋଧ୍ୟ, ଅଗମ୍ୟ ତଥା ରହସ୍ୟାବୃତ। ତେଣୁ ଲୋକ ଚରିତ୍ରକୁ ଅନୁଧ୍ୟାନ ଏବଂ ଅନୁଶୀଳନ କରିବାର ସର୍ବାଧିକ ଆବଶ୍ୟକତା ରହିଥାଏ ସଦାବେଳେ, ସବୁଠାରେ।

ଏପରିକି ଲୋକ ଚରିତ୍ରକୁ ଗୁରୁତ୍ୱ ନଦେଇ କୌଣସି ବି କାର୍ଯ୍ୟ କରାଯିବା ଅର୍ଥ ହେଉଛି ସାମାଜିକ ବିଭ୍ରାଟକୁ ଦୁବ,ଅରୁଆ ଚାଉଳ, ଗୋଟି ଗୁଆ ଦେଇ ଆମନ୍ତ୍ରଣ କରିବା। ମାନବ ସମାଜରେ ତଥା ସାମାଜିକ ଜୀବନରେ ଏଇ ଲୋକ ଚରିତ୍ର କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଏଇଠୁ ଅନୁମେୟ। ଲୋକ ଚରିତ୍ରର ଆକ୍ଷରିକ ଅର୍ଥ ହେଉଛି ମାନବୀୟ ପ୍ରକୃତି ବା ସାଧାରଣ ଚରିତ୍ର। ଏଇ ଲୋକ ଚରିତ୍ର ହୁଏତ ହୋଇପାରେ ଭଲ ଅଥବା ମନ୍ଦ, ସର୍ଜନାତ୍ମକ ଅଥବା ବିଧ୍ୱଂସକାରୀ, କିନ୍ତୁ ତାହା ମଣିଷର ମୂଲ୍ୟାଙ୍କନ କରିବାରେ ଖୁବ୍‍ ସହାୟକ ହୋଇଥାଏ। ମଣିଷ ଚିହ୍ନିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ।

ଆମେ ଜାଣୁ ଯେ ଲୋକ ଚରିତ୍ରକୁ ସଦାସର୍ବଦା ନିୟନ୍ତ୍ରିତ କରିଥାଏ ତା’ର ମାନବୀୟ ପ୍ରକୃତି ଆଉ ପ୍ରବୃତ୍ତି, ବୁଦ୍ଧି ବୃତ୍ତି, ମନ ଆଉ ମନୀଷା। ତେଣୁ ଏହାକୁ ଉପଯୁକ୍ତ ମାର୍ଗରେ ସୁପରିଚାଳିତ କରି ପାରିଲେ, ମାନବ ସମାଜର ଅଶେଷ କଲ୍ୟାଣ ହେବା ନିଶ୍ଚିତ। ମାନବ ଜୀବନ ମଧ୍ୟ ହୋଇପାରିବ ସୁବ୍ୟବସ୍ଥିତ ତଥା ସମୁନ୍ନତ। ଜୈବିକ ଦୃଷ୍ଟିକୋଣରୁ ପ୍ରତିଟି ମଣିଷ ସମାନ ଦେଖା ଯାଉଥିଲେ ହେଁ, ତାଙ୍କ ଭିତରେ ରହିଥାଏ ଖୁବ୍‍ ପ୍ରଭେଦ। ସେମାନଙ୍କ ଭିତରେ ରହିଥାଏ ମଧ୍ୟ ଜଣା ଅଜଣା ଅସଂଖ୍ୟ ଜାତି ପ୍ରକୃତି ବା ଜେନେଟିକ୍‍ କରେକ୍ଟର୍‍, ଯାହା ଯୁଗ ଯୁଗ ଧରି ଗୋଟିଏ ପିଢ଼ିରୁ ଆଉ ଗୋଟିଏ ପିଢ଼ିକୁ ପରିବାହିତ ହୋଇ ଆସୁଛି ଗୁଣସୂତ୍ର ମାଧ୍ୟମରେ। ତା ସହିତ ମଣିଷ ଭିତରେ ରହିଥାଏ ଅଜସ୍ର ଧାର୍ମିକ ଆସ୍ଥା ଆଉ ବିଶ୍ୱାସ। ସେସବୁ ବହୁ ପରିମାଣରେ ଲୋକ ଚରିତ୍ରକୁ ପ୍ରଭାବିତ କରିଥାଏ ଅନେକ ସମୟରେ।
ଧନୀ ଗରିବ, ମୂର୍ଖ ପଣ୍ଡିତ, ଧାର୍ମିକ ଅଧାର୍ମିକ, ଗୃହସ୍ଥ ସନ୍ନ୍ୟାସୀ, ଏହିଭଳି ଅଗଣିତ ଲୋକଙ୍କ ସମାହାର ହେଉଛି ଏଇ ଦୁନିଅା। ସ୍ଥଳ ବିଶେଷରେ ଏହିସବୁ ପରିବେଶ ଏବଂ ପରିସ୍ଥିତି ଲୋକ ଚରିତ୍ରକୁ ନିୟନ୍ତ୍ରିତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ନିୟନ୍ତ୍ରିତ କରିଥାଏ ମଧ୍ୟ ତାର ଭାବ ଏବଂ ମନୋଭାବକୁ। ସ୍ୱଭାବତଃ ଧନୀ ମଣିଷଟିଏ ଅଧିକ ମାତ୍ରାରେ ସ୍ୱେଚ୍ଛାଚାରୀ ତଥା ଅହଂକାରୀ ହୋଇଥିବା ସ୍ଥଳେ ଗରିବ ଲୋକଟିଏ ହୋଇଥାଏ ଆବଶ୍ୟକତା ଠାରୁ ଅତ୍ୟନ୍ତ ସହିଷ୍ଣୁ।

ଇଚ୍ଛା ଥିଲେ ବି ଦରିଦ୍ର ମଣିଷଟିଏ କୌଣସି ପ୍ରକାରେ ବାଦ କି ପ୍ରତିବାଦ କରି ପାରେନାହିଁ। କାହିଁକି ନା ସବୁରି ମୂଳରେ ରହିଥାଏ ‘ଅନ୍ନ ଚିନ୍ତା ଚମତ୍କାର’। ଆପଣାର ନିୟତି ମନେକରି ସବୁତକ ଅନ୍ୟାୟ ଅତ୍ୟାଚାରକୁ ମଥାପାତି ସହିଯାଆନ୍ତି ଏମାନେ। ହେଲେ ବାରୁଦ ତଳର ନିଆଁ ପରି କୁହୁଳୁଥାଏ ସେଇ ଅସନ୍ତୋଷ। ଆଉ ଯେତେବେଳେ ସେଥିରେ ବିସ୍ଫୋରଣ ଘଟେ, ସେତେବେଳେ ତଥାକଥିତ ସଭ୍ୟ ସମାଜରେ ଧ୍ୱଂସ ଅନିବାର୍ଯ୍ୟ। ପଣ୍ଡିତ କି ଶିକ୍ଷିତ ମଣିଷଟିଏ ନିଜସ୍ୱ ବୁଦ୍ଧି ବିଚାରରେ କୌଣସି ବିଷୟକୁ ଅଧିକରୁ ଅଧିକ ପରିମାଣରେ ତର୍ଜମା କରି ପାରୁଥିବା ଅଥବା ତଉଲି ଦେଖୁଥିବା ବେଳେ ମୂର୍ଖ ଲୋକଟିଏ ହୁଣ୍ଡା ପରି ଆଖିବୁଜି ସବୁକଥାକୁ ଗ୍ରହଣ କରି ନେଇଥାଏ। ଆଗପଛ କିଛି ବି ବିଚାର ନକରି ପରକଥାରେ ପଡ଼ି ଆଗକୁ ଆଗକୁ ମାଡ଼ି ଚାଲିଥାଏ ମଧ୍ୟ।

ଏହା ଅବଶ୍ୟ ସତ ଯେ ଆମ ସମାଜରେ କିଛି ଓଲା ମଣିଷ ରହିଥିବା ବେଳେ ସଂଖ୍ୟାଧିକ ମଣିଷ ରହିଥାନ୍ତି ଅତିଶୟ ଶିକ୍ଷିତ ମୂର୍ଖ। ଏଇ ଓଲା କି ମୂର୍ଖ ଲୋକଟିଏକୁ ହୁଏତ ବୁଝେଇ ଦେଇହୁଏ କୌଣସି ନା କୌଣସି ପ୍ରକାରେ। ହେଲେ ଶିକ୍ଷିତ ମୂର୍ଖଙ୍କୁ?? ସେମାନଙ୍କୁ ବୁଝେଇବା ବାସ୍ତବରେ ଖୁବ୍‍ କଷ୍ଟକର।

ଏଇଠି ଆପଣମାନେ ହୁଏତ ମୋତେ ପ୍ରଶ୍ନ କରିପାରନ୍ତି “ଶିକ୍ଷିତ ତ ଶିକ୍ଷିତ, ମୂର୍ଖ ତ ମୂର୍ଖ, ଏଇ ଶିକ୍ଷିତ ମୂର୍ଖ ପୁଣି କ’ଣ ? କାହିଁକି ଏମିତି ବିଶେଷଣଟିଏ ଲଗେଇଲେ ଆପଣ ?” ଗତ ୨୦୦୫ ମସିହାରେ ” ସୁବାର୍ତ୍ତା” ର ଜୁନ ୧୪ ସଂଖ୍ୟାରେ ” ଶିକ୍ଷିତ ମୂର୍ଖ ଓ ମୂର୍ଖ ପଣ୍ଡିତ” ଶୀର୍ଷକରେ ପ୍ରକାଶ ପାଇବା ପରେ ଅନେକ ପାଠକ ଆମକୁ ଏଭଳି ପ୍ରଶ୍ନ କରିଥିଲେ ।
ଆଜ୍ଞା ଆପଣ ପ୍ରଜ୍ଞାଦୀପ୍ତ ପାଠକ ବର୍ଗ ! ମହାବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟରୁ ଯେନତେନ ପ୍ରକାରେଣ ଖଣ୍ଡେ ଉଚ୍ଚତର ଶିକ୍ଷା ପ୍ରମାଣପତ୍ର ଯୋଗାଡ଼ କରିଦେଲେ କେହି ଜଣେ କ’ଣ ଶିକ୍ଷିତ ହୋଇଯାଏ? ଆଉ ବିଦ୍ୟାଳୟ ଦ୍ୱାର ମାଡ଼ି ନଥିବା ଲୋକଟିକୁ ଆମେମାନେ ଆଖି ବୁଜି ମୂର୍ଖ ଅ‌ପଗଣ୍ଡ କହିପାରିବା କି? ଏଇ ଉଚ୍ଚତର ଶିକ୍ଷା ପ୍ରମାଣପତ୍ର ଖଣ୍ଡକ କେବେହେଲେ କାହାର ଜ୍ଞାନର ପରିମାପକ ହୋଇନପାରେ। ଯୋଉ ବିଦ୍ୟା ମଣିଷକୁ ସୁଚାରୁ ରୂପେ ଗଢ଼ି ପାରେ ନାହିଁ, ଜୀବନକୁ କରି ପାରେନାହିଁ ସୁସଂଗଠିତ, ଆଚାର ବ୍ୟବହାରକୁ କରି ପାରେନାହିଁ ପରିମାର୍ଜିତ, ସେଇଟା କି ଶିକ୍ଷା ? ଏଇ ତଥାକଥିତ ଶିକ୍ଷିତ ମୂର୍ଖମାନେ ଆମ ସମାଜରେ ସର୍ବତ୍ର ବିଚରଣ କରୁଛନ୍ତି ମାଳମାଳ ହୋଇ। ଏଇମାନେ ହିଁ ସାମାଜିକ ବିଭ୍ରାଟର ମୂଳ କାରଣ ଭାବେ ଉଭା ହେଉଛନ୍ତି ଆଜିକାଲି।

ସେଇଥି ପାଇଁ ତ କୁହା ଯାଇଛି “ଯସ୍ୟ ନାସ୍ତି ସ୍ୱୟଂ ପ୍ରଜ୍ଞା ପୁରାଣଃ କିଂ କରିଷ୍ୟତି? ଲୋଚନାଭ୍ୟାଂ ବିହୀନେନ ଦର୍ପଣଃ କିଂ କରିଷ୍ୟତି ?” । କେଉଁ ବିଶ୍ବବିଦ୍ୟାଳୟରୁ ସାମନ୍ତ ଚନ୍ଦ୍ରଶେଖର ବୈଜ୍ଞାନିକ ପ୍ରମାଣ ପତ୍ର ବା ଗବେଷକ ପ୍ରମାଣ ପତ୍ର ପାଇଥିଲେ ? ଜୀବନରେ ଚାଟଶାଳୀ ମାଟି ମାଡି ନଥିବା ସନ୍ଥକବି ଭୀମଭୋଇ ଙ୍କ ଠାରୁ ବିପ୍ଲବୀ କବି ରବି ସିଂହ , ସ୍ବାଧୀନତା ସଂଗ୍ରାମୀ ମନମୋହନ ଚୌଧୁରୀ ଙ୍କ ଠାରୁ ଆରମ୍ଭ କରି ମୁରାରୀ ମିଶ୍ର ମାନଙ୍କ ଉଦାହରଣୀୟ ତାଲିକା ଖୁବ ପ୍ରଲମ୍ବିତ ।

ମଣିଷଟିଏକୁ ଜ୍ଞାନୀ କି ଅଭିଜ୍ଞ କରାଏ ତା’ର ସ୍ୱାଧ୍ୟାୟ, ସାମାଜିକ ଜୀବନରେ ତା’ର ଅଭିଜ୍ଞତା, ଜ୍ଞାନ ଅର୍ଜନ ପାଇଁ ତା’ର ନିରନ୍ତର ପ୍ରୟାସ। ଜ୍ଞାନୀ ହେବା ପାଇଁ କେବଳ ପୁସ୍ତକଗତ ବିଦ୍ୟା ଯଥେଷ୍ଟ ନୁହେଁ। ଏଥିପାଇଁ ଲୋଡ଼ା ଆପଣାର ଅନ୍ତର୍ଦୃଷ୍ଟି, ଆତ୍ମଜ୍ଞାନ, ତା’ ସହିତ ଜାଗ୍ରତ କରିବାକୁ ହେବ ଆପଣାର ପ୍ରଜ୍ଞା, ତାକୁ ଆମେ ତୃତୀୟ ନୟନ ବି କହିପାରୁ। ସେସବୁ ପ୍ରତି ଦୃଷ୍ଟି ନଦେଇ ଏବେ ଆମେ ସମସ୍ତେ ଖାଲି ବଡ଼ବଡ଼ କଥା ହାଙ୍କିବାରେ ବ୍ୟସ୍ତ। “କୁହନ୍ତି ଯେଡ଼େ ନୁହନ୍ତି ତେଡ଼େ’’।

ପାଞ୍ଚ କରିଥିବେ କି ନାହିଁ ସନ୍ଦେହ, ହେଲେ ପଚାଶ କରିଛି ବୋଲି ଭାଷଣ ଝାଡ଼ୁଥିବେ ଅନର୍ଗଳ। ଏହା ହିଁ ଆଜିକାଲି ଆମ ଲୋକ ଚରିତ୍ରର ସବୁଠାରୁ ଗୋଟେ ବଡ଼ ଦୁର୍ବଳ ଦିଗ, ଯାହାକୁ ପାଥେୟ କରି ଲୋକଙ୍କୁ ଭଣ୍ଡିବା ପାଇଁ ନେତାଠୁ କର୍ମୀ ପର୍ଯ୍ୟନ୍ତ ସମସ୍ତେ ଭାଷଣ ଦେବାରେ ହୋଇ ପାରିଛନ୍ତି ଖୁବ୍‍ ଓସ୍ତାଦ୍‍। ସାମାଜିକ ଉନ୍ନତି ପ୍ରସଙ୍ଗରେ ଅନ୍ୟ କିଛି ଜାଣନ୍ତୁ କି ନଜାଣନ୍ତୁ କିଛି ଚିନ୍ତା ନାହିଁ, ଏଇ କାମଟି କିନ୍ତୁ ସେମାନଙ୍କୁ ବେଶ୍‍ ଭଲଭାବେ ଜଣା। ଏଇ ବିଦ୍ୟା ପ୍ରୟୋଗ କରି ସାଧାରଣ ଜନତାଙ୍କୁ ଭକୁଆ ବନେଇବାରେ ସେମାନେ ସର୍ବୋଚ୍ଚ ଡିଗ୍ରୀ ହାସଲ କରିଛନ୍ତି କହିଲେ ବି ଅତ୍ୟୁକ୍ତି ହେବନାହିଁ।

ଆମ ସମାଜରେ ଏବେ ପ୍ରତ୍ୟେକ କ୍ଷେତ୍ରରେ ସର୍ବଜ୍ଞ ପୁରୁଷମାନଙ୍କର ପ୍ରବଳ ଭିଡ଼। ପ୍ରତିଟି କଥାରେ, ଏପରିକି ପ୍ରତିଟି ଘଟଣାରେ ନାକ ଗଳେଇବା ହେଉଛି ଏମାନଙ୍କର ସବୁଠାରୁ ବଡ଼ ସଉକ୍‍। ଼ଏପରିକି ଯେଉଁ ବିଷୟବସ୍ତୁ ଉପରେ ତାଙ୍କର ଜ୍ଞାନଘର ଶୂନ, ସେଇ କ୍ଷେତ୍ରରେ ବି ସେମାନେ ଅଗ୍ରଣୀ ଭୂମିକା ନିର୍ବାହ କରିବାକୁ ଆଗେଇ ଆସନ୍ତି ନିଃଶଙ୍କୋଚରେ। ସେମାନଙ୍କୁ ଯେମିତିକି ଜୋତା ସିଲେଇଠୁ ଆରମ୍ଭ କରି ଚଣ୍ଡୀପାଠ ପର୍ଯ୍ୟନ୍ତ ସବୁ ଜ୍ଞାନ ଜଣା। ଏଇ ଯେମିତି, ନିଜେ କୋଉଠି କେବେ ଦିନେ ଡିସିମିଲେ ଜମିରେ ଚାଷବାସ କରିନଥିବେ ଅଥଚ ଆଗେଇ ଆସିବେ ଚାଷୀମାନଙ୍କ ନେତୃତ୍ୱ ନେବା ପାଇଁ।

ତାଙ୍କୁ ସାହିତ୍ୟର ‘ସ’ ଅକ୍ଷର ଜଣା ନଥିବ, ହେଲେ ଶୋଭା ବର୍ଦ୍ଧନ କରୁଥିବେ ସାହିତ୍ୟ ଅନୁଷ୍ଠାନର ସଭାପତି ପଦବୀରେ।ଅତି ସନ୍ତର୍ପଣରେ ସାଧାରଣ ମଣିଷମାନଙ୍କୁ ଆଖିବୁଜା ଲୁଟୁଥିବେ ଅଥଚ ନିଜକୁ ଜଣେ ସର୍ବଶ୍ରେଷ୍ଠ ସମାଜସେବୀ ଭାବେ ଉପସ୍ଥାପିତ କରୁଥିବେ ସର୍ବସାଧାରଣରେ। ଆଜିକାଲି ଶିକ୍ଷାଦୀକ୍ଷା, ଯୋଗ ପ୍ରାଣାୟାମ, ପ୍ରତିଟି କ୍ଷେତ୍ରରେ ନେତୃତ୍ୱ ନେବାକୁ ଆଗେଇ ଆସୁଛନ୍ତି ଏଇ ସବ୍‍ଜାନ୍‍ତା ଲୋକମାନେ। ଏଥିରେ ବ୍ୟକ୍ତି ବିଶେଷର କି ସମାଜର, କାହାର କି ଲାଭ ହେଉଛି, ତାହା ଅବଶ୍ୟ ବିଚାର୍ଯ୍ୟ। ମାଛିକୁ ଭଲଲାଗେ ପଚାଘା। ଘୁଷୁରିକୁ ଭଲଲାଗେ ପଙ୍କ କାଦୁଅ, ଅଳିଆ ଆବର୍ଜନା।

ଲାଙ୍ଗୁଡ଼ିଆ ପୋକମାନଙ୍କ ପାଇଁ ତ ଏକମାତ୍ର ସ୍ୱର୍ଗ ହେଉଛି ମଳମୂତ୍ର ପରିପୂର୍ଣ୍ଣ ନର୍ଦମା। ଯୁଗେଯୁଗେ ଦୁନିଅାରେ ଏମିତି କିଛିଲୋକ ରହି ଆସିଛନ୍ତି ଯେଉଁମାନେ ବାଟ ଚାଲୁଚାଲୁ କଣ୍ଟାବାଡ଼ରେ ଲୁଗା ଲଗାଇ କାହାରି ନା କାହାରି ସାଙ୍ଗରେ କଳି କରିବାକୁ ଖୁବ୍‍ ଭଲ ପାଆନ୍ତି। ଭଲ ପାଆନ୍ତି ମଧ୍ୟ ଅନ୍ୟର ସର୍ବନାଶ କରିବାକୁ। କାହିଁକି କେମିତି ଯେ ଗାଳିମନ୍ଦ କଳିଗୋଳରୁ ସେମାନଙ୍କୁ ମିଳିଥାଏ ସ୍ୱର୍ଗୀୟ ସୁଖ, ପରମ ଆନନ୍ଦ। ଯନ୍ତ୍ରଣାରେ ଛଟପଟ ହେଉଥିବା ମଣିଷଟିଏ ଦେଖିଲେ ସେମାନଙ୍କ ହୃଦୟକୁ ମିଳିଥାଏ ଅପୂର୍ବ ଶାନ୍ତି। ଅନ୍ୟାୟ ଅନୀତି, ହତ୍ୟା ବ୍ୟଭିଚାର ହେଉଛି ଏଇ ଶ୍ରେଣୀର ମଣିଷମାନଙ୍କର ପହିଲି ପସନ୍ଦ।

ନ୍ୟାୟ ଅନ୍ୟାୟ ଯେକୌଣସି ପନ୍ଥା ହେଉ, ସେଥିରେ ତାଙ୍କର କିଛି ଯାଏଆସେ ନାହିଁ, ତାଙ୍କୁ ଦରକାର ଧନ ସଂପଦ, କ୍ଷମତା, ପ୍ରତିପତ୍ତି ଆଉ ପଦମର୍ଯ୍ୟାଦା। ଭଲମନ୍ଦର ପାର୍ଥକ୍ୟ ଯେ ସେମାନେ ଜାଣି ପାରନ୍ତି ନାହିଁ ତାହା ନୁହେଁ, ସେମାନଙ୍କୁ ଗ୍ରାସିଥାଏ ଗୋଟେ ଅହେତୁକ ବଡ଼ଲୋକୀର ନିଶା। ଏଥି ଯୋଗୁଁ ତାଙ୍କ ଆଖିରେ ପଡ଼ିଥାଏ ସ୍ୱାର୍ଥର ପରଳ। ଯେଉଁଥି ପାଇଁ ଅନ୍ୟାୟ ମାର୍ଗରୁ ଓହରି ଆସିବାକୁ ସେମାନେ ଚାହାନ୍ତି ନାହିଁ କେବେହେଲେ। କେବଳ ସେତିକି ନୁହେଁ, ସେମାନେ ତାଙ୍କ ଜୀବନରେ କେବେହେଁ ହଜମ କରି ପାରନ୍ତି ନାହିଁ କାହାରି ସୁଖଶିରୀ। ଭଲଲୋକ କି ଭଲକାମ କିଛିହେଲେ ଦେଖାଯାଏ ନାହିଁ ସେମାନଙ୍କ ଆଖିକୁ।

ସତ କହିବାର କି ସତକୁ ସ୍ୱୀକାର କରିବାର ଦମ୍ଭ ମଧ୍ୟ ନଥାଏ ଏଇ ଲୋକମାନଙ୍କର। ତେଣୁ ମିଛକୁ ପ୍ରତିଷ୍ଠିତ କରିବା ପାଇଁ ବିତଣ୍ଡା ଯୁକ୍ତିର ସାହାଯ୍ୟ ନେଉଥାନ୍ତି ପ୍ରତିଟି କ୍ଷେତ୍ରରେ। ଆହୁରି ମଧ୍ୟ ସମସ୍ତେ କେବଳ ତାଙ୍କୁ ହିଁ ଗୁରୁତ୍ୱ ଦିଅନ୍ତୁ, ଦେଇ ଚାଲିଥାନ୍ତୁ ଏହା ହେଉଛି ସେମାନଙ୍କ ଏକମାତ୍ର ଅଭୀପ୍ସା। ସେମାନଙ୍କ ଦୃଷ୍ଟିରେ ତାଙ୍କ ମୁଖ ନିଃସ୍ରୁତ ବଚନ ହେଉଛି ପ୍ରଣବ ମନ୍ତ୍ର, ଭାଷା ହେଉଛି ବେଦବାକ୍ୟ, ଇଚ୍ଛା ହେଉଛି ଈଶ୍ୱରଙ୍କ ବାଣୀ। ଏଥିରେ ସାମାନ୍ୟତମ ବ୍ୟତିକ୍ରମକୁ ବି ସହ୍ୟ କରି ପାରନ୍ତି ନାହିଁ ସେମାନେ।

ଏପରିକି ନିଜର ପଦ ପ୍ରତିଷ୍ଠା ପାଇଁ ଯେକୌଣସି ନିମ୍ନ ସ୍ତରକୁ ଯିବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ ଏଇ ଅମଣିଷମାନେ।ଆମ ସମାଜରେ ଏମିତି କିଛିଲୋକ ରହିଥାନ୍ତି, ଯେଉଁମାନେ ନିଜକୁ ନିଜେ ମନେ କରନ୍ତି ଅତ୍ୟନ୍ତ ବିଜ୍ଞ। ତାଙ୍କ ଦୃଷ୍ଟିରେ କେବଳ ସେଇମାନେ ହିଁ ପଣ୍ଡିତ, ଆଉ ଦୁନିଆର ଅନ୍ୟ ସମସ୍ତେ ଅଜ୍ଞାନ, ମୂର୍ଖ ପାମର। ଏଇଠି ଆମକୁ ମନେରଖିବାକୁ ହେବ ଯେ ଯିଏ ନିଜକୁ ସର୍ବଶ୍ରେଷ୍ଠ ଜ୍ଞାନୀ ମନେକରେ, ସଂସାରରେ ତା’ଠୁ ବଡ଼ ମୂର୍ଖ ଆଉ କେହିନାହିଁ।

ଆଲୋଚ୍ୟ ପ୍ରସଙ୍ଗରେ ପୂର୍ବରୁ ମୁଁ କହିଛି ଏଇ ଦୁନିଆ ହେଉଛି ଏକ ଚିଡ଼ିଆଖାନା ଆଉ ପ୍ରତିଟି ମଣିଷ ହେଉଛନ୍ତି ଗୋଟିଏ ଗୋଟିଏ ମନୋରଞ୍ଜନକାରୀ ଜୀବ ମାତ୍ର। ସେମାନଙ୍କ ଚରିତ୍ର ଏବଂ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉପଯୁକ୍ତ ଭାବେ, ଯଥୋଚିତ ମାର୍ଗରେ ପରିଚାଳିତ କରିପାରିଲେ ଅବଶ୍ୟ ସୁରକ୍ଷିତ ରହିବ ଏଇ ସଂସାର ରୂପକ ଚିଡ଼ିଆଖାନା। ଦର୍ଶକମାନଙ୍କ ପାଇଁ ହୋଇପାରିବ ମଧ୍ୟ ଉପଭୋଗ୍ୟ ।

ରକ୍ତତୀର୍ଥ ଇରମ- ସ୍ଵାଧୀନତା ସଂଗ୍ରାମର ଏକ ଅଭୂଲା ଅଧ୍ୟାୟ

ରକ୍ତତୀର୍ଥ ଇରମ- ସ୍ଵାଧୀନତା ସଂଗ୍ରାମର ଏକ ଅଭୂଲା ଅଧ୍ୟାୟ

ମହାତ୍ମା ଗାନ୍ଧୀଙ୍କର ଭାରତ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇ ସ୍ୱାଧୀନତା ସଂଗ୍ରାମୀମାନେ ୧୯୪୨ ମସିହାରେ ସେପ୍ଟେମ୍ବର ୨୮ ତାରିଖ ଦିନ ଇରମଠାରେ ଥିବା ‘ମେଳା ଆମ୍ବ ଗଛ’ ମୂଳେ ଏକାଠି ହୋଇଥିଲେ । ସମ୍ପୁର୍ଣ ଅହିଂସ ଭାବରେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଧାରଣ କରୁଥିଲେ । ଏହି ସମୟରେ ଅଚାନକ ଭାବରେ ବାସୁଦେବପୁର ଥାନାର ଇଂରେଜ ପୁଲିସ ଡି.ଏସ.ପି. କୁଞ୍ଜବିହାରୀ ମହାନ୍ତିଙ୍କ ନେତୃତ୍ୱରେ ସେଠାରେ ପହଞ୍ଚି ସେମାନଙ୍କ ଉପରେ ଅତର୍କିତ ଭାବରେ ଗୁଳିଚାଳନା କରିଥିଲା ।

ଏହି ଘଟଣାଟି ସନ୍ଧ୍ୟା ସାଢ଼େ ଛଅ ଘଟିକା ସମୟରେ ଘଟିଥିଲା । ଚାରିଦିଗରୁ ଘେରା ହୋଇଥିବାରୁ ଏକତ୍ର ହୋଇଥିବା ଲୋକେ କେଉଁ ଆଡେ ଯାଇପାରିଲେ ନାହିଁ । ଘଟଣାସ୍ଥଳରେ ୨୮ ଜଣ ସ୍ୱାଧୀନତା ସଂଗ୍ରାମୀ ପ୍ରାଣ ହରାଇଥିଲେ ଓ ୬୦ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଆହତମାନଙ୍କ ମଧ୍ୟରୁ ଜଣେ ପରବର୍ତ୍ତୀ ସମୟରେ ପ୍ରାଣ ହରାଇଥିଲେ । ସମୁଦାୟ ମୃତ୍ୟୁ ସଂଖ୍ୟା ୨୯ ହୋଇଥିଲା ।

ଇଂରେଜ ପୁଲିସର କାର୍ଯ୍ୟାଳୟ ପାଢ଼ୀ ଆବାସର ଛାତ ଉପରୁ ବ୍ରିଟିଶ ପୁଲିସ ଗୁଳି ଚାଳନା କରିଥିଲା । ସେହି ପାଢ଼ୀ ଆବାସ ଏବେ ମଧ୍ୟ ସେଠାରେ ରହିଛି । ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପରି ବେୱା ଦେଶର ମୁକ୍ତି ଆନ୍ଦୋଳନର ପ୍ରଥମ ମହିଳା ଶହୀଦ , ଯାହାଙ୍କ ସଂଗ୍ରାମୀ ଇତିହାସ ସଠିକ୍ ଭାବେ ଆଲୋଚିତ ହୋଇନାହିଁ । ଛ ଦିନ ପୂର୍ବରୁ ୮୩ ବର୍ଷ ତଳେ ସେପ୍ଟେମ୍ବର ୨୨ ତାରିଖ, ୧୯୪୨ ରେ ସେହି ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଭଦ୍ରକ ଉପଖଣ୍ଡ ବା ସବ୍ ଡିଭିଜନ ର ଧାମନଗର ଥାନା ଅନ୍ତର୍ଗତ ଲୁଣିଆ ଗ୍ରାମ ର ଦୋଳପଡିଆ ର ଇତିହାସ ବା ଯୁବ ବିପ୍ଲବୀ ମୁରଲୀଧର ପଣ୍ଡା,ରାଜମୁକୁନ୍ଦପୁର ର ସଂଗ୍ରାମୀ ରାଧାଶ୍ୟାମ ରାୟମହାପାତ୍ରଙ୍କ ନେତୃତ୍ବରେ ହୋଇଥିବା ସଂଗ୍ରାମର ଇତିହାସ ଯଦି ପଢିଥାନ୍ତେ ତେବେ ବରିଷ୍ଠ ସାମ୍ବାଦିକ ଏଭଳି ତାତ୍ସଲ୍ୟ କରିନଥାନ୍ତେ ।

ଆଜିର ଦିନରେ ସେହି ଲୁଣିଆ ଗୁଳିକାଣ୍ଡ ରେ ୯ ଜଣ ସହୀଦ ସଂଗ୍ରାମୀ ଯଥା ନିଧି ମହାଳିକ, ଗୌରୀ ଜେନା,ନବ କିଶୋର ନାୟକ, ଶ୍ୟାମ ସୁନ୍ଦର ମହାଳିକ, କୃଷ୍ଣ ମହାଳିକ, ଗୋପୀନାଥ ଜେନା, ଚିନ୍ତାମଣି ଦାସ, ଶଙ୍କର ବେହେରା,ଅଗଣି ସାହୁ ଙ୍କ ଶହୀଦ ଦିବସ ରେ ସେମାନଙ୍କର ବଳିଦାନ କୁ ସ୍ମରଣ କରି, ସେମାନଙ୍କ ଲୋହିତ ଅମ୍ଲାନ ବୈପ୍ଳବିକ ସ୍ମୃତି ପ୍ରତି ଜଣାଉଛୁ କୋଟି କୋଟି ଲୋହିତ ପ୍ରଣାମ ।ପ୍ରାକୃତିକ ଗୋପନୀୟତା ଦୃଷ୍ଟିରୁ ଏହି ସ୍ଥାନଟିକୁ ପୁଲିସ ଓ ପ୍ରଶାସନର ପ୍ରବେଶ କଷ୍ଟ ଥିଲା ଏବଂ ଏହି ସ୍ଥାନଟି ସ୍ୱାଧୀନତା ସଂଗ୍ରାମୀମାନଙ୍କର ଚରାଭୂଇଁ ସାଜିଥିଲା ।

୧୯୨୦ ମସିହାରୁ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ ଆଦି ବହୁ ନେତାମାନେ ଏଠାକୁ ଆସି ଲୋକମାନଙ୍କୁ ମହାତ୍ମା ଗାନ୍ଧୀଙ୍କ ବାର୍ତା ଦେଉଥିଲେ ଓ ସ୍ୱାଧୀନତା ସଂଗ୍ରାମକୁ ତ୍ୱରାନ୍ୱୀତ କରାଉଥିଲେ । ଏଠାରେ ସ୍ୱାଧୀନତା-ଭିତ୍ତିକ କାବ୍ୟ ରଚନା କରିଥିବା କବି ବାଞ୍ଛାନିଧି ମହାନ୍ତି ଜନ୍ମଗ୍ରହଣ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ବ୍ରିଟିସ ଶାସନର ଅବସାନ କରିବା ଦିଗରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଅସହଯୋଗ ଆନ୍ଦୋଳନ ସମୟରେ ତାଙ୍କ ରଚିତ ସଙ୍ଗୀତ କଂଗ୍ରେସ ଭାବ ପ୍ରଚାର କରିବାରେ ବହୁତ ସାହାଯ୍ୟ କରିଥିଲା ।

୮୩ ବର୍ଷ ତଳେ ଯେଉଁ ବୀର ବିପ୍ଲବୀ ମାନେ ପ୍ରାଣବଳି ଦେଇଥିଲେ , ସେମାନେ ଯଥାକ୍ରମେ ବରେଣ୍ୟାପରି ବେୱା,ଇରମ, ବାସୁଦେବପୁର ,ଶହୀଦ ଗୋପାଳ ଚନ୍ଦ୍ର ଦାସ, ପଢୁଆଁ , ଶହୀଦ ବିଶ୍ୱନାଥ ଦାସ, ପଢୁଆଁ , ଶହୀଦ ବିଜୁଳି ଦାସ, ପଢୁଆଁ , ଶହୀଦ ହୃଷିକେଷ ବେହେରା, ପଢୁଆଁ , ଶହୀଦ ମଦନ ପଲାଇ, ପଢୁଆଁ , ଶହୀଦ ବଲ୍ଲଭ ବେହେରା, ପଢୁଆଁ , ଶହୀଦ ମାଘ ମାହାଳିକ, ପଢୁଆଁ , ଶହୀଦ ଭୁଆ ମାଝି, ପଢୁଆଁ , ଶହୀଦ କାଳୀ ମାଝି, ପଢୁଆଁ-କୁମାରପୁର , ଶହୀଦ ରାଧୁ ମାହାଳିକ, ପଢୁଆଁ- ମୂଳଡିହୀ , ଶହୀଦ ଧ୍ରୁବ ଚରଣ ଦେ, ପଢୁଆଁ , ଶହୀଦ ବାସୁଦେବ ସାହୁ, ପଢୁଆଁ , ଶହୀଦ ହରି ବେହେରା, ପଢୁଆଁ , ଶହୀଦ ଦିବାକର ପାଣିଗ୍ରାହୀ, ଗୁଡ, କେଶଗଡିଆ , ଶହୀଦ କୃଷ୍ଣଚନ୍ଦ୍ର ସ୍ୱାଇଁ, ପଢୁଆଁ-କୁମାରପୁର , ଶହୀଦ ଭବନ ରାଉତ, ପଢୁଆଁ- ନନ୍ଦପୁର , ଶହୀଦ ନିଧି ମାହାଳିକ, ପଢୁଆଁ , ଶହୀଦ ବୃନ୍ଦାବନ ପଣ୍ଡା, ପଢୁଆଁ , ଶହୀଦ

ଉପ ମଲ୍ଲିକ, ନୂଆ ଗାଁ , ଶହୀଦ କୃପାସିନ୍ଧୁ ବେହେରା, ଶଂଖାରୁ , ଶହୀଦ ରାମ ମାଝି, ପଢୁଆଁ-କୁମାରପୁର , ଶହୀଦ ମଣି ବେହେରା, ପଢୁଆଁ , ଶହୀଦ କତି ସାହୁ, ଈଶ୍ୱରପୁର , ଶହୀଦ

ରତ୍ନାକର ପାଣି, ସୁଦର୍ଶନପୁର , ଶହୀଦ ମଣି ପ୍ରଧାନ, ସୁଆଣ- ସୁଦର୍ଶନପୁର , ଶହୀଦ ପରି ଦାସ, ସୁଆଣ , ଶହୀଦ ଶଙ୍କର ମଲ୍ଲିକ, ଅଧୁଆଁ ଓ ଶହୀଦ ଗୋବିନ୍ଦ ରାଉତ, ଆର୍ତୁଗାଁ । ଶହୀଦ ଦିବସ ରେ ଉପରୋକ୍ତ ଶହୀଦ ବୀର ବଳିୟାର ମାନଙ୍କ ଲୋହିତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।

ଶହୀଦ ଭଗତ ସିଂହଙ୍କର ୧୧୯ ତମ ଜୟନ୍ତୀ

ଶହୀଦ ଭଗତ ସିଂହଙ୍କର ୧୧୯ ତମ ଜୟନ୍ତୀ

ଆଜି ଶହୀଦ ଭଗତ ସିଂହଙ୍କର ୧୧୯ ତମ ଜୟନ୍ତୀ ଅବସରରେ ତାଙ୍କର ବୈପ୍ଳବିକ ସ୍ମୃତି ପ୍ରତି କୋଟି କୋଟି ଲୋହିତ ପ୍ରଣାମ । ୧୯୦୭ ମସିହା, ସେପ୍ଟେମ୍ବର ୨୮ ତାରିଖ ( କେତେକ କୁହନ୍ତି ଅକ୍ଟୋବର,୧୯,୧୯୦୭)ରେ ପିତା କିଷନ ସିଂହ ଏବଂ ମାତା ବିଦ୍ୟାବତୀଙ୍କର ଔରସରୁ ସେମାନଙ୍କ ଦ୍ୱିତୀୟ ସନ୍ତାନ ଭାବେ ଜନ୍ମଗ୍ରହଣ କରିଥିଲେ ଏହି ବିପ୍ଲବୀ ବୀର । ତାଙ୍କର ଜନ୍ମ ବେଳେ ତାଙ୍କର ବାପା ରାଜନୈତକ କାରଣରୁ କାରାଗାରରେ ଥିଲେ । ଯେବେ ଭଗତ ସିଂହଙ୍କୁ ୧୩ ବର୍ଷ ହେଲା ସେ ତାଙ୍କର ପରିବାରର ସ୍ୱାଧୀନତା ସଂଗ୍ରାମରେ ସମ୍ପୃକ୍ତି ସମ୍ପର୍କରେ ଭଲଭାବରେ ଜ୍ଞାତ ହୋଇସାରିଥିଲେ ।

୧୯୧୯ ମସିହାରେ ତାଙ୍କୁ ଯେବେ ୧୨ ବର୍ଷ ବୟସ ହୋଇଥିଲା , ସେତେବେଳେ ଜାଲିଆନାୱାଲା ବାଗ୍ ହତ୍ୟାକାଣ୍ଡର କିଛି ଘଣ୍ଟା ପରେ ସେହି ଭୟଙ୍କର, ଲୋମହର୍ଷଣକାରୀ ଘଟଣା ସ୍ଥଳକୁ ଦେଖିବାକୁ ଯାଇଥିଲେ । ତାଙ୍କର ପିତା ସଂଗ୍ରାମୀ କିଷନଜୀ, ମହାତ୍ମା ଗାନ୍ଧୀଙ୍କର ସମର୍ଥକ ଥିଲେ । ଯେବେ ଗାନ୍ଧିଜୀ ସରକାରଙ୍କର ସଂସ୍ଥାଗୁଡ଼ିକୁ ଛାଡିବା ନିମିତ୍ତ ଡାକରା ଦେଇଥିଲେ ସେବେ ଭଗତ ସିଂହ ତାଙ୍କର ବିଦ୍ୟାଳୟ, ନ୍ୟାସନାଲ କଲେଜ ଅଫ ଲାହୋର (ଯେଉଁଠାରେ ସେ ଇଉରୋପରେ ହୋଇଥିବା ସଂଗ୍ରାମ ବିଷୟରେ ପଢୁଥିଲେ) ପରିତ୍ୟାଗ କରିଦେଇଥିଲେ ।

ସମୟାନୁକ୍ରମେ ସେ ଗାନ୍ଧୀଜୀଙ୍କର ଅହିଂସା ନୀତିରୁ ଓହରିଯାଇ ହିଂସା ଏବଂ ବନ୍ଧୁକ ମୁନରେ ହିଁ କେବଳ ରାଜନୈତିକ ସ୍ୱାଧୀନତା ମିଳିବ ବୋଲି ବିଶ୍ୱାସ ରଖିଥିଲେ , ସେତିକିବେଳେ , ଯେତେବେଳେ ଲାଲା ଲଜପତ ରାୟଙ୍କ ମୃତ୍ୟୁ ଏବଂ ସନ୍ଦର୍ଶଙ୍କୁ ହତ୍ୟା କରାଯାଇଥିଲା । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ୧୯୨୮ ମସିହାରେ ବ୍ରିଟିଶ ସରକାର ଭାରତରେ ହେଉଥିବା ରାଜନୈତିକ ବାତାବରଣର ଯାଞ୍ଚ ପରଖ କରିବା ନିମିତ୍ତ ସାଇମନ କମିଶନ ନାମକ ଏକ ଆୟୁକ୍ତ ଗଠନ କରି ଭାରତକୁ ପଠାଇଥିଲେ । କେତେକ ରାଜନୈତିକ ଦଳଗୁଡିକ ଏହି କମିଶନରେ କେହି ଭାରତୀୟ ନଥିବାରୁ ଏହାର ବହିଷ୍କାର କରିଥିଲେ । ଦେଶସାରା ଏହି କମିଶନର ପରିଭ୍ରମଣ ନିମିତ୍ତ ତୀବ୍ର ବିରୋଧ ଏବଂ ଆନ୍ଦୋଳନ କରାଯାଇଥିଲା ।

୩୦ ଅକ୍ଟୋବର ୧୯୨୮ରେ ଯେବେ ଏହି କମିଶନ ଲାହୋର ପରିଭ୍ରମଣରେ ଆସିଥିଲେ ଲାଲା ଲଜପତ ରାୟ ଏହା ବିରୁଦ୍ଧରେ ଏକ ଆନ୍ଦୋଳନ କରିଥିଲେ । ପୋଲିସ ଆନ୍ଦୋଳନକୁ ପ୍ରଶମିତ କରିବାକୁ ଚେଷ୍ଟା କରିଥିଲେ ଯାହାକି ପରେ ବଢିଯାଇ ହିଂସାର ରୂପ ଧାରଣ କରିଥିଲା । ଉପସ୍ଥିତ ବ୍ରିଟିଶ ଆରକ୍ଷୀ ଅଧିକ୍ଷକ (ପୋଲିସ ସୁପରିଟେଣ୍ଡେଣ୍ଟ )ଜେମ୍ସ ଏ. ସ୍କଟ ଲାଠି ଚାଳନାର ଆଦେଶ ଦେଇଥିଲେ, ଏବଂ ନିଜେ ଲାଲାଜୀଙ୍କୁ ଲାଠିରେ ମାରି ଗୁରୁତର ଆହତ କରିଦେଇଥିଲେ । ୧୭ ନଭେମ୍ବର ୧୯୨୮ରେ ଲାଲାଜୀ ଚିକିତ୍ସା ହେଉଥିବା ସମୟରେ କୁହାଗଲା ଯେ ସେ ହୃଦଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ ।

ମାତ୍ର ତାଙ୍କର ଚିକିତ୍ସା କରୁଥିବା ଡାକ୍ତରମାନେ କହିଲେକି ଆଘାତ ଯୋଗୁଁ ତାଙ୍କର ଶରୀରର ଅବସ୍ଥା ସଙ୍କଟାପର୍ଣ୍ଣ ହୋଇଥିଲା । ପରେ ଯେବେ ବ୍ରିଟିଶ ପାର୍ଲିଆମେଣ୍ଟରେ ଏହି ପ୍ରସଙ୍ଗଟିର ଆଲୋଚନା ପଡ଼ିଲା, ଏଥିରେ ବ୍ରିଟିଶ ସରକାରର କିଛି ହାତ ନାହିଁ କହି ଏହି ପ୍ରସଙ୍ଗଟି ଏଡ଼ାଇ ଦିଆଗଲା । ଭଗତ ସିଂହ ଲାଲାଜୀଙ୍କ ନେତୃତ୍ବ ରେ ଗଠିତ ସଙ୍ଗଠନ” ହିନ୍ଦୁସ୍ଥାନ ରିପବ୍ଲିକାନ ଆସୋସିଏସନ”ର ଜଣେ ପ୍ରମୁଖ ସଦସ୍ୟ ଥିଲେ ଏବଂ ବିଶ୍ୱାସ କରାଯାଏକି ଏହାର ନାମ ପରିବର୍ତ୍ତନରେ (ହିନ୍ଦୁସ୍ଥାନ ରିପବ୍ଲିକାନ ଆସୋସିଏସନର ନାମ ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ହୋଇଥିଲା) ।

ଏହି ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ଲାଲାଜୀଙ୍କର ବଳିଦାନର ପ୍ରତିଶୋଧ ନେବାକୁ ପ୍ରତିଜ୍ଞା ନେଲା । ଭଗତ ସିଂହ ଶିଭରାମ ରାଜଗୁରୁ, ଶୁଖଦେବ ଠାପର ଏବଂ ଚନ୍ଦ୍ରଶେଖର ଆଜାଦଙ୍କ ସହ ମିଶି ଜେମ୍ସ ଏ. ସ୍କଟଙ୍କୁ ମାରିବାର ଯୋଜନା ପ୍ରସ୍ତୁତ କଲେ । କିନ୍ତୁ ଭୁଲବଶତଃ ସ୍କଟଙ୍କ ସ୍ଥାନରେ ଜନ ପି. ସନ୍ଦର୍ଶ ନାମକ ଏକ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ ଅଫ ପୋଲିସଙ୍କୁ ମାରିଦେଲେ । ଏହି ହତ୍ୟା ପରେ ସମାଜର ବିଭିନ୍ନ ବର୍ଗରୁ ନିନ୍ଦା ହେଲା । ମହାତ୍ମା ଗାନ୍ଧୀ ଏହାର ତୀବ୍ର ନିନ୍ଦା କରିଥିଲେ ।ସନ୍ଦର୍ଶଙ୍କୁ ହତ୍ୟା କରିବା ପରେ ଦଳଟି ଡି.ଏ.ଭି. କଲେଜର ଗେଟ ଦେଇ ବାହାରକୁ ଖସିଗଲେ ।

ଚରଣ ସିଂହ, ଯିଏ ସେମାନଙ୍କର ପିଛା କରୁଥିଲେ, ଚନ୍ଦ୍ରଶେଖର ଆଜାଦଙ୍କର ଗୁଳିରେ ଗୁରୁତର ଆହତ ହୋଇଥିଲେ । ପୋଲିସ ସେମାନଙ୍କୁ ଧରିବା ନିମିତ୍ତ ଏକ ସଶସ୍ତ୍ର ସୈନ୍ୟ ଦଳ ଗଠନ କରିଥିଲା । ଶୁଖଦେବ, ଭଗବତୀ ଚରଣ ଭୋରାଙ୍କର (ହିନ୍ଦୁସ୍ଥାନ ସୋସିଆଲିଷ୍ଟ ରିପବ୍ଲିକାନ ଆସୋସିଏସନ ସଦସ୍ୟ ) ପତ୍ନୀ ଦୁର୍ଗାବତୀ ଦେବୀଙ୍କର ସାହାଯ୍ୟ ଲୋଡ଼ିଲେ । ସେମାନେ ପରଦିନ ଭୋରୁ ଭୋରୁ ଲାହୋରରୁ ବଥିଣ୍ଡା ଦେଇ ହାଓଡ଼ା ଯାଉଥିବା ଟ୍ରେନରେ ପଳେଇବାକୁ ନିଷ୍ପତି ନେଲେ ।ଭଗତ ସିଂହ ଏବଂ ରାଜଗୁରୁ ଉଭୟେ ଗୁଳିଭର୍ତ୍ତି ରିଭଲଭର ଧରି ପରଦିନ ସକାଳୁ ବାହାରିପଡିଲେ ।

ସିଂହ ତାଙ୍କର ଶିଖ ବାଳ ଏବଂ ଦାଢ଼ି କାଟି, ଏକ କଣୁଆ ହ୍ୟାଟ ସହ ପାଶ୍ଚାତ୍ୟ ବେଶଭୂଷାରେ ଥିଲେ, ସାଥିରେ ଦୁର୍ଗାବତୀ ଦେବୀ ତାଙ୍କର ଶୋଇଥିବା ଶିଶୁକୁ ଧରିଥିଲେ । ଉଭୟେ ନବ ବିବାହିତା ଦମ୍ପତି ଭଳି ଥିଲେ, ରାଜଗୁରୁ ତାଙ୍କର ଚାକର ଭଳି ବେଶରେ ସେମାନଙ୍କର ଜିନିଷପତ୍ର ବୋହିଥିଲେ । ସେମାନେ କାନପୁର ଯିବାକୁ ଥିବା ରେଳଗାଡ଼ିରେ ଚଢ଼ିଥିଲେ । କାନପୁରରେ ଓହ୍ଲାଇ ସେମାନେ ଲକ୍ଷ୍ନୋ ଯିବା ନିମିତ୍ତ ରେଳରେ ଯାଇଥିଲେ । କାରଣ ସି ଆଇ ଡି ହାଓଡ଼ାରେ ଲାହୋରରୁ ସିଧା ସେଠାକୁ ଯାଉଥିବା ରେଳଗାଡିରେ ଥିବା ଯାତ୍ରୀମାନଙ୍କର ଯାଞ୍ଚ ପରଖ କରୁଥାନ୍ତି ।

ଲକ୍ଷ୍ନୋରେ ରାଜଗୁରୁ ଅଲଗା ବାରଣାସୀ ଚାଲିଗଲେ, ଅନ୍ୟପକ୍ଷରେ ଏହି ନବ ଦମ୍ପତି ବେଶଭୁଷାଳି ଏବଂ ତାଙ୍କର ସନ୍ତାନ ହାଓଡ଼ା ଗଲେ । ସିଂହଙ୍କ ଛଡ଼ା ବାକି ସମସ୍ତେ କିଛି ଦିନପରେ ପୁଣି ଲାହୋର ଫେରିଗଲେ ।ଭଗତ ସିଂହଙ୍କର ଆଦର୍ଶ ଥିଲେ କର୍ତ୍ତାର ସିଂହ ସରାଭା, ଯିଏକି ଗର୍ଦାର ପାର୍ଟିର ପ୍ରତିଷ୍ଠାତା ଥିଲେ । ସେ ବିପ୍ଳବବାଦ ଏବଂ ସାମ୍ୟବାଦ ଆଡ଼କୁ ଆକୃଷ୍ଟ ଥିଲେ । ସେ ବହୁମାତ୍ରାରେ ପୁସ୍ତକ ପଢୁଥିଲେ । ସେ ହିନ୍ଦୁ-ମୁସଲମାନ ଭେଦଭାବ ଦେଖି ଧର୍ମ ଉପରେ ଆଙ୍ଗୁଠି ଉଠାଇଥିଲେ । ପରେ ସେ ନାସ୍ତିବାଦ ଉପରେ ବିଶ୍ୱାସ କରୁଥିଲେ । ସେ ବିଶ୍ୱାସ ରଖୁଥିଲେ କି ଗୋଟିଏ ମନୁଷ୍ୟ ବା ଲକ୍ଷ୍ୟ ଲକ୍ଷ୍ୟ ମନୁଷ୍ୟଙ୍କୁ ମାରିଦେବା ସହଜ କିନ୍ତୁ ଏକ ଚିନ୍ତାଧାରା ବା ବିଚାରକୁ ମାରିବା ଅସମ୍ଭବ ।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ ତମ ଜୟନ୍ତୀ

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ ତମ ଜୟନ୍ତୀ

ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ ତମ ଜୟନ୍ତୀ । ବହୁମୁଖି ପ୍ରତିଭାଧର ଦୀନଦୟାଲ ଉପାଧ୍ୟାୟ ୧୯୧୬ ମସିହା, ସେପ୍ଟେମ୍ବର ୨୫ ତାରିଖ ଦିନ ମଥୁରା ଅନ୍ତର୍ଗତ ନଗଳା ଚନ୍ଦ୍ରଭାନ ଗ୍ରାମରେ ଭଗବତୀ ପ୍ରସାଦ ଉପାଧ୍ୟାୟ ଙ୍କ ପୁତ୍ର ଭାବରେ ଜନ୍ମ ଗ୍ରହଣ କରିଥିଲେ ଏହି ଇତିହାସ ସିଦ୍ଧ ଦାର୍ଶନିକ, ଐତିହାସିକ, ଅର୍ଥଶାସ୍ତ୍ର ବିଶାରଦ, ସାମ୍ବାଦିକ, ରାଜନୀତିଜ୍ଞ ତଥା ଜନସଂଘର ଅନ୍ୟତମ ପ୍ରତିଷ୍ଠାତା , ମାର୍ଗଦର୍ଶକ । ଶୈଶବ ରେ ନିଜ ପିତା- ମାତା ଙ୍କୁ ହରାଇଥିବା ଦୀନଦୟାଲ ମାମୁଁ ମାଇଁ ଙ୍କ ଆଶୀର୍ବାଦ ଓ ପ୍ରୋତ୍ସାହନରେ ଶିକ୍ଷାଲାଭ କରିଥିଲେ । ୧୯୩୭ ମସିହାରେ କାନପୁରରେ ସ୍ନାତକ ଅଧ୍ୟୟନ କରୁଥିବା ସମୟରେ ନିଜର ସହପାଠୀ ବାବୁଜୀ ମହାଶବ୍ଦେଙ୍କ ସହିତ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରତିଷ୍ଠାତା କେଶବ ରାଓ ବଳିରାମ ହେଡଗେଓ୍ବାରଙ୍କ ସଂସ୍ପର୍ଶରେ ଆସି ତାଙ୍କ ଦ୍ବାରା ପ୍ରଭାବିତ ଓ ଅନୁପ୍ରାଣିତ ହୋଇଥିଲେ ଏବଂ ସଙ୍ଗଠନରେ ସାମିଲ ହୋଇ ତାଲିମ୍ ନେଇଥିଲେ । ୧୯୫୧ରେ ଶ୍ୟାମାପ୍ରସାଦ ମୁଖାର୍ଜୀ

” ଜନସଂଘ” ପ୍ରତିଷ୍ଠା କରିଥିବା ସମୟରେ ସେ ସେଥିରେ ଯୋଗଦେଇଥିଲେ ଏବଂ ଶ୍ୟାମାପ୍ରସାଦ ଙ୍କ ସନ୍ଦେହାତ୍ମକ ମୃତ୍ୟୁ ପରେ ଜନସଂଘର କାନପୁର ଅଧିବେଶନରେ ମହାସଚିବ ଭାବେ ମୃତ୍ୟୁ ପର୍ଯ୍ୟନ୍ତ ଦାୟିତ୍ଵରେ ରହିଥିଲେ ।୧୯୫୧ ରୁ ୧୯୬୮, ଫେବୃଆରୀ ୧୧ ଭିତରେ ତାଙ୍କର ଦୃଢ ନେତୃତ୍ବ, ପ୍ରଜ୍ଞା, ଦୂରଦୃଷ୍ଟି , ଅର୍ଥନୈତିକ ପ୍ରସ୍ତାବ ପ୍ରଭୃତିର ଇତିହାସ ବ୍ୟାପକ । ମାସିକ ପତ୍ରିକା ” ରାଷ୍ଟ୍ରଧର୍ମ” ର ସମ୍ପାଦନା କରିବା ଭିତରେ ତାଙ୍କର ଅଗ୍ରଲେଖ ଓ ଆଲେଖ୍ୟ ସମୂହ ଗୋଟିଏ ଗୋଟିଏ ଅମୂଲ୍ୟ ଦସ୍ତାବିଜ । ୨୦୧୪ ମସିହାରେ ନରେନ୍ଦ୍ର ଦାମୋଦର ଦାସ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଦିବସ କୁ ” ଜାତୀୟ ଅନ୍ତ୍ୟୋଦୟ ଦିବସ” ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ଅନ୍ତ୍ୟୋଦୟର ଅର୍ଥ ହେଉଛି , ଗରିବ ମାନଙ୍କ ଭିତରେ ଥିବା ସବୁଠୁ ଦୁର୍ବଳ , ନିର୍ଯ୍ୟାତିତ, ଅବହେଳିତ , ଦଳିତ ମାନଙ୍କ ଉତ୍ଥାନ , ସାମାଜିକ ନ୍ୟାୟ ପ୍ରଦାନ, ସେହି ମାନଙ୍କ କୌଶଳଭିତ୍ତିକ ବିକାଶ ସାଧନ ହିଁ ଏହି ଦିବସ ପାଳନ ର ଉଦ୍ଦେଶ୍ୟ ବୋଲି ଉଲ୍ଲେଖ ରହିଛି ।

ବିଶ୍ବ ସ୍ବପ୍ନ ଦିବସ

ବିଶ୍ବ ସ୍ବପ୍ନ ଦିବସ

ଆଜି ପାଳିତ ହୋଇଚାଲିଛି ତ୍ରୟୋଦଶତମ ବିଶ୍ବ ସ୍ବପ୍ନ ଦିବସ । ଏହି ଅବସରରେ ଯାହାଙ୍କର ସ୍ବପ୍ନ ସମ୍ପର୍କିତ ଦର୍ଶନ ଆମକୁ ଖୁବ୍ ପ୍ରଭାବିତ କରିଛି , ସେ ହେଉଛନ୍ତି ଅତିବଡ଼ି ସନ୍ଥ ଜଗନ୍ନାଥ ଦାସ ଓ ବହୁ ସୁବେଶଷଣର ଅଧିକାରୀ ତଥା ଭାରତର ଲୋକ ରାଷ୍ଟ୍ରପତି ଡଃ ଏ ପି ଜେ ଅବଦୁଲ କାଲାମ , ସେମାନଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି ପ୍ରଥମେ ଜଣାଉଛୁ କୋଟି ପ୍ରଣାମ ।

ସେହିପରି ଯାହାଙ୍କ ସୃଷ୍ଟି ଆମକୁ ସ୍ବପ୍ନ ର ପଣ୍ୟ “ମନ” ସମ୍ପର୍କରେ ଅଧିକ ଜ୍ଞାନବନ୍ତ ଓ ତଥ୍ୟବନ୍ତ କରିଛି , ସେ ହେଉଛନ୍ତି ପରମ ସମ୍ମାନନୀୟ ଭାଇନା ପ୍ରଶାନ୍ତ କୁମାର ଦାଶ ଓରଫ୍ ବିଶ୍ବମ୍ବର , ତାଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ତାଙ୍କର ଚଳଚଞ୍ଚଳ ଶତବିଶାସେ ବର୍ଷୀୟ ବୌଦ୍ଧିକ ଜୀବନ କାମନା କରୁଛୁ ।

୨୦୧୨ ମସିହାରେ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ପ୍ରଥମେ ବିଶ୍ବ ସ୍ବପ୍ନ ଦିବସ ପାଳନ କରାଯାଇଥିଲା । ଆମର ନିର୍ଦ୍ଧିଷ୍ଟ ମତ ଯେ ବିଶ୍ବର ଯେ କେହି ସ୍ବପ୍ନ ସମ୍ପର୍କରେ ଗବେଷଣା କରୁଥିବା ବିଶେଷଜ୍ଞ ଯେପର୍ଯ୍ୟନ୍ତ ଓଡ଼ିଶା ଆସି ,ଏଠାରେ ଗବେଷଣା କରିନାହାନ୍ତି, ସେ ପର୍ଯ୍ୟନ୍ତ ସେମାନଙ୍କ ଗବେଷଣା ସମ୍ପୂର୍ଣ୍ଣ ହୋଇପାରିବ ନାହିଁ ।

ଏହାର କାରଣ ହେଲା , ସ୍ବପ୍ନ ର ସଂଜ୍ଞା , ସ୍ବପ୍ନ ର ବର୍ଗୀକରଣ, ସ୍ବପ୍ନାଦେଶ ସମ୍ପର୍କିତ ଅନେକ ଉଦାହରଣୀୟ ତଥ୍ୟ ଆମର ଶାସ୍ତ୍ର,ପୁରାଣ , କିମ୍ବଦନ୍ତୀ ରେ ଯେପରି ଭରପୁର ରହିଛି , ସେହିପରି ସ୍ବପ୍ନର ଅନେକ ବର୍ଗୀକରଣ ମଧ୍ୟରୁ ଅଧୁରା ସ୍ବପ୍ନ ର ବିଶାଳତା, ପୂର୍ତ୍ତି ଅବଧିର ପ୍ରଲମ୍ବିତ ବାସ୍ତବ ତଥ୍ୟ ବିଶ୍ବର ଅନ୍ୟ କେଉଁଠାରେ ମିଳିବ ନାହିଁ, ଏଥିରେ ଆମେ ଦୃଢ ନିଶ୍ଚିତ । ଏ ସମ୍ପର୍କରେ ଆମେ ଆଜି ଏକ ଦୀର୍ଘ ଉପସ୍ଥାପନ କରିବାକୁ ଯାଉଛୁ , ଯଦିଓ ଭଲ ଭାବରେ ଅବଗତ ଯେ ଆମର ଅନେକ ବନ୍ଧୁ ତାହା ପଢ଼ିବେ ନାହିଁ , ସ୍ବଳ୍ପ ସଂଖ୍ୟକ ବନ୍ଧୁ ମାନେ ପଢ଼ିବେ ଏବଂ ତାହା ପରବର୍ତ୍ତୀ ପିଢ଼ି ଙ୍କ ଉଦ୍ଦେଶ୍ୟରେ ହେବ ଶ୍ରଦ୍ଧାର୍ପିତ । ସୁବାର୍ତ୍ତାର ୨୦୧୭ ମସିହା, ମାର୍ଚ୍ଚ ୬ ତାରିଖ ସଂଖ୍ୟାର ଅଗ୍ରଲେଖର ଶୀର୍ଷକ ଥିଲା ” ସ୍ବପ୍ନ” , ଯାହାର ନକଲ ନିମ୍ନ ଉପସ୍ଥାପନରେ ଦେଇଛୁ । ସେଥିରେ ଉଲ୍ଲେଖ କରିଥିଲୁ “ସ୍ବପ୍ନ” ହେଉଛି ଏକ ମଧୁର କଳ୍ପନା ।

କ୍ରମଶଃ

ମୋତେ ଯେତେ ମାଠିଵୁ ମାଠ……

ମୋତେ ଯେତେ ମାଠିଵୁ ମାଠ……

” ମହାକାଳ ଫଳ, ଉପର ଦିଶଇ କେଡେ ସୁନ୍ଦର,ଭିତରଟା ତା’ର ପୋଡ଼ା ଅଙ୍ଗାର” ,ଏହି ବହୁ ପୁରାତନ ଓ ବହୁଳ ବ୍ୟବହୃତ ଢଗଟିକୁ ପିଲାଦିନେ ଆମେ ଅନେକ ପ୍ରସଙ୍ଗରେ ଅବତରଣ କରିଆସିଥିଲୁ ସେତିକିବେଳେ , ଯେତେବେଳେ  କେତେକ ନିଜକୁ ଭିତରେ ଫମ୍ପା ଅର୍ଥାତ୍ ଅନ୍ତଃଶାରଶୂନ୍ୟ ଅନୁଭବ କରନ୍ତି , ଠିକ୍ “ମନ ଜାଣେ ପାପ,ମାଆ ଜଣେ ବାପ” ନ୍ୟାୟରେ ,ସେତେବେଳେ ସେହିମାନେ ହିଁ  ବାହାରଟାକୁ  ଚକଚକ୍ କରି ସଜାଇ ହୋଇ ଛଳନାର ଆଶ୍ରୟ ନେଉଥିବା ସମୟରେ । ଯେପରି  ଷାଠିଏ/ ସତୁରୀ ଦଶକରେ ଦିଲ୍ଲୀପ କୁମାରଙ୍କ ଭଳି ଅଭିନେତା ମାନେ ଅଙ୍ଗର ଭାଷାରେ ଜୀବନ୍ତ ଅଭିନୟ କରି ପ୍ରସିଦ୍ଧି ଲାଭ କରିଥିଲେ । ଆଖିରେ ଆଖିରେ ଯେଉଁ ଭାବ ସୃଷ୍ଟି ହେଉଥିଲା , ଏବେ ଶରୀର ପ୍ରଦର୍ଶନରେ ସେହି ଭାବ ଆଉ ସୃଷ୍ଟି ହେଉନାହିଁ । ଯେଉଁମାନେ ନିଜର ଅନ୍ତଃସ୍ଥଶକ୍ତି ସମ୍ପର୍କରେ ସ୍ବାଭାବିକ ଭାବେ ସଚେତନ, ସେମାନେ ସେହି ଶକ୍ତିର ଅଭିବୃଦ୍ଧି ନିମନ୍ତେ ନିରନ୍ତର ପ୍ରୟାସରତ ଥାଆନ୍ତି ଏବଂ ସେଥିରେ ସେମାନେ ଶାଶ୍ବତ ଆନନ୍ଦ ମଧ୍ୟ ଉପଲବ୍ଧି କରନ୍ତି । ଏଭଳି ଉପସ୍ଥାପନଟି  କାହିଁକି  ବୋଲି ଆପଣଙ୍କ  ଭିତରେ  ପ୍ରଶ୍ନଟି ଉଙ୍କି ମାରୁଥିବ , ମାରିବା ମଧ୍ୟ ସ୍ବାଭାବିକ ।  ଆମେ ପ୍ରାୟ ଖୁବ ନିକଟସ୍ଥ ସ୍ଥାନକୁ ଯିବା ସମୟରେ ସାଇକେଲରେ ଯାଇଥାଉ , ଅନ୍ୟ ସ୍ଥାନକୁ ସ୍କୁଟିରେ ଯାଇଥାଉ ଏବଂ ଯେଉଁ ସମୟରେ ଇନ୍ଧନ ପାଇଁ ଅର୍ଥ ବାଧକ ସାଜେ,ସେତେବେଳେ ମଧ୍ୟ ସାଇକେଲରେ ଯାଇଥାଉ । ଆମେ ପଞ୍ଚମ ଶ୍ରେଣୀରେ ପଢ଼ିବା ସମୟରେ ସାଇକେଲ ଚଲାଇବା ଶିଖିଥିଲୁ  , ଶଗଡଗୁଳାରେ ମାଙ୍କଡିଆ ( ମଙ୍କି) ଅଭ୍ୟାସ କରି , ଘରେ ଲୁଚିକରି । ନନା ( ପିତା) ୧୯୪୨ ମସିହାରେ ଗୋଟିଏ ବି. ଏସ. ଏ ( BSA, ଇଂରାଜୀ ମଡେଲ) ସାଇକେଲ ( ସେତେବେଳେ ଶୂନ ଗାଡି କୁହାଯାଉଥିଲା) କିଣିଥିଲେ । ଜେଜେ ମାଆ ରେବତୀ ଦେବୀଙ୍କ ଠାରୁ ଶୁଣିଥିଲୁ ଯେ ସେତେବେଳେ ଖଣ୍ଡମଣ୍ଡଳରୁ ଲୋକେ କୁଆଡେ ଏହି ଶୂନୁଗାଡି ଦେଖିବାକୁ ଆସିଥିଲେ । ସେ ଯାହାହେଉ ଉଦୁଉଦିଆ ଦ୍ୱିପ୍ରହରରେ ଲୁହା କଣ୍ଟାରେ ଚାବି ଖୋଲି ଶଗଡଗୁଳାରେ ମାଙ୍କଡିଆ ସାଇକେଲ ଚଲେଇ କେତେ ଯେ ଖଣ୍ଡିଆ ଖାବରା ହୋଇଛୁ ଓ ଅମରି ମାଡ ଖାଇ ପିଠିରେ କଳାଦାଗ ପଡ଼ିଥିଲା , ତା’ର ହିସାବ ନାହିଁ । ମହାବିଦ୍ୟାଳୟରେ ପାଦଦେବା ପରେ ବିଧିବଦ୍ଧ ଭାବେ ଆମେ ସେହି ସାଇକେଲର ମାଲିକାନା ସତ୍ତ୍ବ ପାଇଯାଇଥିଲୁ । ସାଇକେଲରେ ଓଡ଼ିଶା ବୁଲିଛୁ , ଏପରିକି ଅନେକ ଦିନ  ସାଇକେଲରେ ଗାଁ ରୁ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟକୁ ପଢିବାକୁ ଯାଇ ଅପରାହ୍ନ ୪ ଟାରେ ସେଠାରୁ ବାହାରି ରାତି ସାଢ଼େ ଆଠଟାରେ ଘରେ ପହଞ୍ଚି ପଖାଳ ଖାଇ ,ଜେଜେ ମାଆର ଗରମ ରସୁଣଫୁଟା ସୋରିଷ ତେଲ ଘଷାରେ ନିଘୋଡ଼ ନିଦରେ ଶୋଇ ଯାଇଛୁ । ଅତଏବ ସାଇକେଲ ଆମର ଅତ୍ୟନ୍ତ ପ୍ରିୟ ,ସେଥିପାଇଁ ତ ଆମେ ଯେତେବେଳେ ୧୯୮୪ ମସିହାରେ ପୁରୀ ସଂସଦୀୟ କ୍ଷେତ୍ର ( ପାର୍ଲିଆମେଣ୍ଟ କନସ୍ଟିଚ୍ୟୁଏନସି)ରେ ସ୍ବର୍ଗତ ବ୍ରଜ ମୋହନ ମହାନ୍ତି ଓ ସ୍ବର୍ଗତ ବାରିଷ୍ଟର ରଣଜୀତ ମହାନ୍ତି ଙ୍କ ସହିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲୁ ସେତେବେଳେ ଆମେ ନାମାଙ୍କନ ପତ୍ରରେ ତିନୋଟି ଚିହ୍ନ ଯଥା ସାଇକେଲ, ବହି ଓ ଧାନ କଳେଇ ମୁଣ୍ଡେଇ ଥିବା ଚାଷୀ ମଧ୍ୟରୁ ଗୋଟିଏ ସଙ୍କେତ ଦେବାପାଇଁ ଅନୁରୋଧ କରିଥିଲୁ , ଆମକୁ ମିଳିଥିଲା ସାଇକେଲ ଚିହ୍ନ । ଆମର ପିତୃବ୍ୟ, ଚିର ବନ୍ଦନୀୟ କକେଇ କୁସୁମ କବି ସ୍ବର୍ଗତ ଫକୀର ମୋହନ ଶତପଥୀ ଯେତେବେଳେ ବିଵାହ କଲେ ସେତେବେଳେ ତାଙ୍କ ଶ୍ବଶୁର ସ୍ବର୍ଗତ ଦିବାକର ରଥ ଗୋଟିଏ ହମ୍ବର ସାଇକେଲ, ଗୋଟିଏ ଆଙ୍ଗ୍ଲୋସୁଇଜ୍ ଘଣ୍ଟା ଓ ଗୋଟିଏ ମର୍ଫି ରେଡ଼ିଓ  ଉପହାର ଅବା ଅନ୍ୟ ଅର୍ଥରେ ଯୌତୁକ ଦେଇଥିଲେ ।  କକେଇ ସେହି ସାଇକେଲରେ କଣାସ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ସେବା ନିବୃତ ହେବା ପର୍ଯ୍ୟନ୍ତ ପ୍ରାୟ ପ୍ରତିଦିନ ,କିବା ଝଡି,କିବା ବର୍ଷାରେ ୨୪ କିଲୋମିଟର ଯିବା ଆସିବା କରୁଥିଲେ , ଏପରିକି ତାଙ୍କର ୮୨ ବର୍ଷରେ ମୃତ୍ୟୁ ପର୍ଯ୍ୟନ୍ତ ସେହି  ୫୬ ବର୍ଷୀୟ ସାଇକେଲରେ ଯିବା ଆସିବା କରୁଥିଲେ । ଆମ ପୁଅ  ସଂଘର୍ଷ ତ ଅନେକ ଥର ଭୁବନେଶ୍ୱରରୁ ପୁରୀ ସାଇକେଲରେ ଯାଇ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଅବଢା ଧରି ଆସିଛି, ଏପରିକି  ଅନେକ ଥର ସାଇକେଲରେ ଆମ ଗାଁ କୁ ୬୦ କିମି  ଯାଇଛି । ଏପରିକି ଭୁବନେଶ୍ବର ରୁ ବୁର୍ଲା ମଧ୍ୟ ଯାଇଥିଲା ।ଏ ସବୁ ପ୍ରସଙ୍ଗ ଅବତାରଣାର କାରଣ କ’ଣ ବୋଲି ଆପଣମାନଙ୍କ ମନରେ ପ୍ରଶ୍ନ ଉଠିବଣି, ଉଠିବା ମଧ୍ୟ ସ୍ବାଭାବିକ । କଥା ହେଲା ଯେ ଆଜି ସକାଳେ ଆମ ଗାଁ ପାଖର ଜଣେ ଆମ ସହିତ ମାଧ୍ୟମିକ ବିଦ୍ୟାଳୟ ପଢୁଥିବା ସମୟର ସହପାଠୀ ସାଙ୍ଗର ପୁଅ ଚଞ୍ଛା ପଇଡ ୫ ଟି, କିଛି ବାଇଗଣ, ଜହ୍ନି  ସହିତ ପରିବା ବ୍ୟାଗଟେ ଧରି ଘରେ ପହଞ୍ଚିଲା । ଆମେ ତାକୁ କହିଲୁ ଯେ ଏସବୁ କ’ଣ ପାଇଁ ଆଣିଲୁ ?  ସେ କହିଲା ଆପଣଙ୍କ ପାଖକୁ ଆସିବାକୁ ବାପା କହିଲେ ତ ବୋଉ କହିଲା କ’ଣ ଖାଲି ହାତରେ ଯିବୁ,ଏତକ ତୋ ମଉସା ପାଇଁ ନେଇଯା।  ବନ୍ଧୁଙ୍କ ହାତ ଲେଖା ଚିଠିଟି ସେ ଆମ ହାତକୁ ବଢାଇ ଦେଲା । ସେଥିରେ ଲେଖାଥିଲା ” ନେହେରୁ ଜାଣିବୁ , ପୁଅ  ଯାଉଛି , ତା ହାତରେ ଟଙ୍କା ପାଞ୍ଚ ହଜାର ପଠାଇବୁ ,  ତିନି ମାସ ପରେ ତୋତେ ଫେରାଇ ଦେବି । ପିଲା ଦିନର ଘନିଷ୍ଠ ସାଙ୍ଗ , ତା ଝିଅ ବାହାଘରକୁ ଆମେ ତିନି ଜଣ ସାଙ୍ଗ ଦଶ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଥିଲୁ । ସେ ଯେ ଆଉ ଫେରାଇବ ନାହିଁ , ଏଥିରେ ଆମେ ଦୃଢ ନିଶ୍ଚିତ ଥିଲୁ । ଅପରପକ୍ଷରେ ଆମର ଏକ ଅଭ୍ୟାସଗତ ଦୋଷ ଅଛି , ଯେତେ ଚେଷ୍ଟା ଓ ବାରମ୍ବାର ଶପଥଗ୍ରହଣ କଲେ ମଧ୍ୟ ସେହି ଦୋଷରୁ ଆମେ ମୁକ୍ତ ହୋଇପାରିନାହୁଁ । ସେହି ଦୋଷଟି ହେଲା ଆମେ କାହାକୁ ନା  କହିପାରିନାହୁଁ , ଯେଉଁଥିପାଇଁ ଆମେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛୁ, ପତ୍ନୀଙ୍କ ସମାଲୋଚନାର ଭାଷାରେ  ଲଜ୍ଜିତ ବି ବହୁବାର ହୋଇଛୁ ସତ୍ୟ ମାତ୍ର , ଠିକ୍ ସମୟରେ ପୂର୍ବରୁ କରିଥିବା ଶପଥ ଭୁଲି ପୁନର୍ବାର ସେହି ଭୁଲ୍ କରିଆସିଛୁ । ପତ୍ନୀ ସାମାନ୍ୟ ଅସୁସ୍ଥ ଥିବାରୁ ସେ ଔଷଧ ଖାଇ ଶୋଇଥିବା ସମୟରେ ଆମେ ଧିରକିନା ତାଙ୍କର ଆଲମିରା ଖୋଲି ୧୦ ଟି ପାଞ୍ଚଶହ ଟଙ୍କିଆ  ନୋଟ୍ ଆଣି ତାକୁ ଧରେଇ ଦେଲୁ । ଟଙ୍କା ପକେଟରେ ରଖି ସାରି ସେ କହିଲା ” ମଉସା ଆପଣଙ୍କ ଗାଡ଼ି ଟିକେ ଦିଅନ୍ତୁ, ମୁଁ ବାପୁଜୀ ନଗରରୁ ଗୋଟିଏ ସାଇକେଲ ପାର୍ଟ କିଣି ଆସିବି, ଏଇଠୁ ବସରେ ବସି ଗାଁ କୁ ଫେରିଯିବି । ଆମେ ତାକୁ କହିଲୁ ଆରେ ବାପା ତୁ ସାଇକେଲ ଚାବି ନେଇ ଯାଆ, ଯେତେବେଳେ ଆସିଲେ ଚଳିବ , ମୋତେ ହଠାତ୍ କୁଆଡେ ଯିବାକୁ ପଡିଲେ ଯାଇ ପାରୁନଥିବି, ମାଉସୀ ଦେହ ଖରାପ , ତୁ ସାଇକେଲ ନେଇ ଯାଆ । ସେ କହିଲା ମଉସା , ମୁଁ ସାଙ୍ଗେ ସାଙ୍ଗେ ଯିବି,ସାଙ୍ଗେ ସାଙ୍ଗେ ଫେରି ଆସିବି , ଆପଣ ମଟର ସାଇକେଲ ଚାବି ଟିକେ ଦିଅନ୍ତୁ । ସେହି ରୋଗ ପୁଣି ଦେଖାଦେଲା, ତାକୁ ଆଉ ମନା କରିପାରିଲୁ ନାହିଁ , ଚାବି ଦେଇ ଦେଲୁ । ସେ ଯିବା ପରେ ଆମେ  ଆମର କୁଅଭ୍ୟାସର ସାଥୀ ପାନ ଭାଙ୍ଗୁଥିବା ସମୟରେ ଅନେକ କଥା ମନକୁ ଆସିଲା ।ସାତ ଆଠ ବର୍ଷ ତଳେ ବୋଧେ ‘ ଟାଇମ୍ସ ଅଫ ଇଣ୍ଡିଆ ‘ଦୈନିକ ଖବରକାଗଜରେ ପ୍ରକାଶିତ ଏକ ସମ୍ବାଦର ସମୀକ୍ଷା କରି ସୁବାର୍ତ୍ତାରେ ଏକ ଆଲେଖ୍ୟ ପ୍ରକାଶ କରିଥିଲୁ । କିଭଳି କାଲିଫର୍ଣ୍ଣିଆସ୍ଥିତ ସିଲିକନ ଭ୍ୟାଲି ଅଞ୍ଚଳରେ , ଯେଉଁଠି ବହୁ ଖ୍ୟାତିସମ୍ପନ୍ନ କମ୍ପ୍ୟୁଟର ଓ ଇଲୋକର୍ଟ୍ରୋନିକସ୍ ଶିଳ୍ପ ପ୍ରତିଷ୍ଠାନ ରହିଛି , ଯେଉଁଥିରେ ଅନେକ ଉଚ୍ଚ ବୈଷୟିକ ଜ୍ଞାନ ବିଜ୍ଞାନ ବିଶେଷଜ୍ଞ ଉଚ୍ଚ ବେତନରେ କାର୍ଯ୍ୟରତ , ସମସ୍ତେ କାର୍ଯ୍ୟାଳୟକୁ  ସାଇକେଲରେ ଯିବା ଆସିବା କରିଥାନ୍ତି । ଭାରତରେ ଜନ୍ମିତ ଓ ଆମେରିକାର ନାଗରିକତ୍ବ ଗ୍ରହଣ କରିଥିବା କେମ୍ବ୍ରିଜ ବିଶ୍ବବିଦ୍ୟାଳୟ ପ୍ରଫେସର ସି ଭେଙ୍କଟ ରମଣ ରାମକୃଷ୍ଣନ ୨୦୦୯ ମସିହାରେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ବିଜେତା ହେବା ସମୟରେ ଗଣମାଧ୍ୟମରେ ବ୍ୟାପକ ଭାବେ ହୋଇଥିବା ଚର୍ଚ୍ଚା ଏବେବି ମନେ ପଡେ । ତାଙ୍କର ଖଣ୍ଡିଏ କାର ନଥିଲା , ପ୍ରତିଦିନ ସେ ବାସଭବନରୁ ବିଶ୍ବବିଦ୍ୟାଳୟର ଶ୍ରେଣୀ ପ୍ରକୋଷ୍ଠକୁ ଯିବା ଆସିବା ପାଇଁ ସାଇକେଲ ବ୍ୟବହାର କରୁଥିଲେ । ଅର୍ଥଶାସ୍ତ୍ର ବିଶାରଦ ତଥା ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ୍ ଙ୍କୁ ଶାନ୍ତି ନିକେତନରେ ସାଇକେଲରେ ଯିବା ଆସିବା କରୁଥିବା ସମସ୍ତେ ଲକ୍ଷ୍ୟ କରିଥିବେ । ଏବେବି ଅନେକ ରାଷ୍ଟ୍ର ନେତା, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ମାନେ ସାଇକେଲରେ  କାର୍ଯ୍ୟାଳୟ କୁ ଯିବା ଆସିବା କରୁଥିବା ସ୍ଥିର ଚିତ୍ର (ଫଟୋଚିତ୍ର) ଆମେ ଗଣମାଧ୍ୟମ ସୌଜନ୍ୟରୁ ଦେଖି ଥାଏ । ଆମେ ପାଠପଢୁଥିବା ସମୟରେ ଆମକୁ ଗଣିତ ସମ୍ମାନ ( ଅନର୍ସ) ପଢ଼ାଉଥିବା ଗଣିତ ଶାସ୍ତ୍ର ବିଶେଷଜ୍ଞ ଡଃ ଶୁକଦେବ ରଥ, ବିଭାଗୀୟ ମୁଖ୍ୟ ଦେବକୀ ନନ୍ଦନ ମହାନ୍ତିଙ୍କ ସମେତ ରସାୟନ ବିଜ୍ଞାନ ବିଭାଗୀୟ ମୁଖ୍ୟ ଡଃ ଫଣିଭୂଷଣ ଦାସ ପ୍ରଭୃତି ଅନେକ ପ୍ରାଧ୍ୟାପକ ମାନେ ସାଇକେଲରେ ଯିବା ଆସିବା କରୁଥିଲେ । ଏକଦା ତୈଳଦର ବୃଦ୍ଧି ପ୍ରତିବାଦରେ ବିଜୁ ଆଜ୍ଞା ମୁଖ୍ୟମନ୍ତ୍ରୀ ଥିବା ସମୟରେ ସାଇକେଲରେ ସେତେବେଳେ ର ସଚିବାଳୟ ,ଆଜିର ଲୋକ ସେବା ଭବନକୁ ଆସୁଥିବା ସ୍ଥିର ଚିତ୍ର (ଫଟୋଚିତ୍ର) ବହୁ ଚର୍ଚ୍ଚିତ ଥିଲା । ସେହି ବିଜୁ ଆଜ୍ଞା ଯେତେବେଳେ ମହାବିଦ୍ୟାଳୟ ଛାତ୍ର ଥିଲେ, ମାତ୍ର ୧୬ ବର୍ଷ ବୟସରେ ଦୁଇ ଜଣ ସହପାଠୀ ସାଙ୍ଗଙ୍କ ସାଙ୍ଗରେ  ସାଇକେଲରେ କଟକରୁ ପେଶଓ୍ବାର  ( ପାକିସ୍ତାନ) ପର୍ଯ୍ୟନ୍ତ ସୁଦୀର୍ଘ ବିପଦ ସଙ୍କୁଳ ପଥକୁ ସାହାସ୍ ର ସହିତ ଅତିକ୍ରମ କରିଥିଲେ । ସୁତରାଂ ସାଇକେଲ ଚଢିଲେ କୌଣସି ବ୍ୟକ୍ତି ନୀଚ୍ଚ ହୋଇଯାଏ ନାହିଁ କି ପ୍ରେଷ୍ଟିଜ ଲିକ୍ ହୋଇଯାଏ ନାହିଁ । ଠିକ୍ ସେହିପରି ମୂଲ୍ୟବାନ ଯାନ ଚଢିଲେ କୌଣସି ବ୍ୟକ୍ତି ଉଚ୍ଚ ହୋଇଯାଇନଥାଏ । ବ୍ୟକ୍ତିର ପ୍ରତିଭା ତା’ର ବ୍ୟକ୍ତିତ୍ବର ପରିମାପକ , ବଡ କୋଠା, ଦାମିକା ଗାଡ଼ି ବାହାର ଆକର୍ଷଣୀୟ ଯାନ୍ ନୁହେଁ କି ସାଇକେଲ ବ୍ୟକ୍ତିତ୍ବର ନ୍ୟୁନ ପ୍ରଦର୍ଶନର ପଣ୍ୟ ନୁହେଁ । ଆମେ ବିଗତ ସାତ ବର୍ଷ ଧରି ଜୁନ ମାସ ୩ ତାରିଖରେ ଜାତୀୟ ସାଇକେଲ ଦିବସ ପାଳନ ଅବସରରେ ସାଇକେଲର ଇତିହାସ ଉପରେ ଆଲୋକପାତ କରି ଆସୁଛୁ । ଅବିକଳ ଭାବେ ପୁନଃ ଉପସ୍ଥାପନ କରୁଛୁ ।
ପ୍ରଥମେ ଯେତେବେଳେ ସାଇକେଲଟି ନିର୍ମିତ ହେଲା ତାହା ଦେଖିବାକୁ ଆମ ପିଲାଦିନରେ ବିଦ୍ୟାଳୟକୁ ନେଇ ଯାଉଥିବା କଳାପଟା ବା  ଏକ ସ୍କେଟବୋର୍ଡ଼ ପରି ଦେଖାଯାଉଥିଲା । ୧୭୯୧ରେ ଫ୍ରାନ୍ସର ନାଗରିକ କୋମେଟ ମେଡେ ଡି ସିଭରାକ୍ ନିର୍ମାଣ କରିଥିଲେ ଏକ ଭିନ୍ନ ଧରଣର ସାଇକେଲ, ଏହାର ସିଟ୍ ବହୁତ ଉଚ୍ଚରେ ରହୁଥିଲା । ଏଥିରେ ପେଡ଼ାଲ ନଥିଲା; ଏହାକୁ ଲୋକମାନେ ନିଜଗୋଡରେ ଠେଲିଠେଲି ଚଳାଉଥିଲେ । ପ୍ରାୟ ୧୮୧୭ ମସିହା ବେଳକୁ ଜର୍ମାନୀର ବେରୋନ କାର୍ଲବାନ୍ ଡ୍ରେସ୍ ହ୍ୟାଣ୍ଡେଲ ରହିଥିବା ଏକ ସାଇକେଲ ନିର୍ମାଣ କରିଥିଲେ । ଏହାର ନାମ ଥିଲା “ଡ୍ରେସିନେ” । ଦୁଇଟି ସମାନ ଆକାରର କାଠ ଚକା, ବସିବା ପାଇଁ ଏକ ସିଟ ସହିତ ହ୍ୟାଣ୍ଡେଲ ରହିଥିଲା । ଗୋଡ଼ରେ ଠେଲି ଠେଲି ଚଳାଯାଉଥିବା ଏହି ସାଇକେଲଟି ସମ୍ପୁର୍ଣ୍ଣ ଭାବେ କାଠରେ ତିଆରି ହୋଇଥିବାରୁ ଲୋକମାନେ ‘କାଠଘୋଡା’ ବୋଲି କହୁଥିଲେ । ୧୮୧୮ରେ ପ୍ୟାରିସରେ ଆୟୋଜିତ ଏକ ପ୍ରଦର୍ଶନୀରେ ଲୋକମାନେ ଏହି ଅଦ୍ଭୁତ ସାଇକେଲକୁ ପ୍ରଥମ ଥର ଲାଗି ଦେଖିଥିଲେ, କିନ୍ତୁ ଏହା ଲୋକପ୍ରିୟତା ଅର୍ଜନ କରିପାରି ନଥିଲା । ୧୮୩୯ରେ ସାଇକେଲ ନିର୍ମାଣରେ ବହୁତ ପରିବର୍ତ୍ତନ ଆସିଥିଲା, କାରଣ ସ୍କଟଲାଣ୍ଡର ଜଣେ ଲୁହାର ସାଇକେଲର ଆଗ ଚକାରେ ଏକ ପେଡାଲ ଲଗାଇଥିଲେ । କ୍ରିକପ୍ୟାଟ୍ରିକ ମ୍ୟାକମିଲାନ ସାଇକେଲର ଆଗ ଚକାରେ ଏକ ପେଡାଲ ଲଗାଇ ପାହାଡ଼ ଚଢିପାରୁଥିଲେ । ଏହା ସେତେବେଳେ ପରିବହନ କ୍ଷେତ୍ରରେ ବ୍ୟବହୃତ କରାଯାଉଥିଲା । କିନ୍ତୁ ଏଥିରେ ବ୍ରେକ୍ ନଥିବାରୁ ଗଡାଣିଆ ସ୍ଥାନରେ ରୋକିବା ଅତ୍ୟନ୍ତ କଷ୍ଟକର ହେଉଥିଲା । ଏହି ସାଇକେଲକୁ ‘ଫାଷ୍ଟ ଫୁଟ’ ବୋଲି କୁହାଯାଉଥିଲା । ୧୮୪୫ରେ ଫ୍ରାନ୍ସର ନିକୋଲସ ସାଇକେଲର ବ୍ରେକ ଲଗାଇବା ସହ ଚକାଗୁଡିକୁ ଲୁହାରେ ନିର୍ମାଣ କରିଥିଲେ । ଏହି ସାଇକେଲ ଟି ଚାଲିବା ବେଳେ ମାତ୍ରାଧିକ ଶବ୍ଦ କରୁଥିଲା, ତେଣୁ ଲୋକ ମାନେ ଏହାକୁ ‘ବୋନ ସେକର’ ବୋଲି କହୁଥିଲେ । ଏହାପରେ ୧୮୬୫ରେ ପରବର୍ତ୍ତୀ ବିକଶିତ ସାଇକେଲ ନିର୍ମିତ ହୋଇଥିଲା । ଏଥିରେ ସାଇକେଲର ଆଗ ଚକରେ ସିଧାସଳଖ ଭାବେ ପେଡାଲ ଲଗାଯାଇଥିଲା । ୧୮୭୦ ମସିହାରେ  ପ୍ରଥମ ମେଟାଲ ସାଇକେଲ ଆବିଷ୍କୃତ ହୋଇଥିଲା । ଏଥିରେ ମଧ୍ୟ ପେଡାଲ ଆଗ ଚକରେ ଲାଗିଥିଲା । କିନ୍ତୁ ଏଥିରେ ବଡ଼ ଧରଣର କେତେକ ପରିବର୍ତ୍ତନ କରାଯାଇଥିଲା । ସାଇକେଲର ଆଗ ଚକଟି ପଛ ଚକ ଅପେକ୍ଷା ଅଧିକ ବଡ଼ ଥିଲା, କିନ୍ତୁ ଏହା ମନକୁ ମନ ବୁଲି ପାରୁନଥିଲା । ନିର୍ମାତାମାନଙ୍କର ଚିନ୍ତାଧାରା ଏହା ଥିଲା ଯେ, ସାଇକେଲର ଆଗ ଚକ ବଡ଼ ରହିଲେ ଅଳ୍ପ ପରିଶ୍ରମରେ ଅଧିକ ଦୂର ଯାତ୍ରା କରିହେବ । ଚକାଗୁଡିକରେ ରବର ଓ  ବୃତ୍ତାକାର ତାର ସଂଯୁକ୍ତ ଚକ ବା ସ୍ପୋକ ବ୍ୟବହାର କରାଯାଇଥିଲା  , ଯାହା ଫଳରେ ଏହା ପୂର୍ବପରି ଅଧିକ ଶବ୍ଦ କରୁନଥିଲା । ବିଭିନ୍ନ ନିର୍ମାତାମାନେ ସାଇକେଲକୁ ବିକଶିତ କରିବାକୁ ଯାଇ ଏହାର ଆଗ ଚକାକୁ ପ୍ରାୟ ୧.୫ମିଟର ପର୍ଯ୍ୟନ୍ତ ଉଚ୍ଚ କରିଥିଲେ । ୧୮୬୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଏହାର ଭିନ୍ନ ଭିନ୍ନ ନାମ ରହିଥିଲା । ଏହାପରେ ଲୋକମାନେ ଏହି ଗାଡିକୁ ବାଇସାଇକେଲ(ଦୁଇ ଚକିଆ ଯାନ) କହିବା ଆରମ୍ଭ କଲେ । ୧୮୬୯ରେ ପେନ୍ନୀ-ଫାରଥିଙ୍ଗ ବା ଉଚ୍ଚ ଚକା ଯାନ ନିର୍ମିତ ହୋଇଥିଲା । ବଡ଼ ଚକା ଫଳରେ ଏହା ଅଳ୍ପ ପରିଶ୍ରମରେ ଅଧିକ ବାଟ ଯାଉଥିଲା, କିନ୍ତୁ ଏଥିରେ ଅତ୍ୟଧିକ ଦୁର୍ଘଟଣା ମଧ୍ୟ ଘଟୁଥିଲା । ଏହାର କାରଣ ଥିଲା ଚାଳକ ଜଣକ ଭୂମିଠାରୁ ଅଧିକ ଉଚ୍ଚରେ ବସୁଥିଲା । ଆଗ ଚକର ଉଚ୍ଚତା ୧.୫ମିଟର ହୋଇଥିବା କାରଣରୁ ଯଦି ଆଗଚକା ହଠାତ୍ ବନ୍ଦ ହୋଇଗଲା ତେବେ ଚାଳକଙ୍କ ଗୋଡ ତଳକୁ ନ ପାଇବା କାରଣରୁ ଅଧିକାଂଶ ସମୟରେ ସେ ଆଗକୁ ପଡ଼ିଯାଉଥିଲେ । ୧୮୮୦ ମସିହାର ମଧ୍ୟ ଭାଗରେ ବ୍ରିଟିଶ୍ ସାଇକେଲ ନିର୍ମାତା ଜେମ୍ସ ଷ୍ଟେରଲୀ ଏକ ସାଇକେଲ ବିକଶିତ କରିଥିଲେ, ଯାହାର ନାମ ସେ ଦେଇଥିଲେ ‘ସୁରକ୍ଷିତ ବାଇ ସାଇକେଲ’ । ଅତ୍ୟାଧୁନିକ ସାଇକେଲ ପରି ଏହାର ଆଗ ଓ ପଛ ଚକା ସମାନ ଆକାରର ହୋଇଥିବା ବେଳେ ଦୁଇଚକର ମଝିରେ ରହିଥିଲା ପେଡାଲ ଏବଂ ନୂତନ କରି ବାହାରିଥିବା ଚେନ ଓ ସ୍ପକେଟ ଏହାର ପଛଚକାକୁ ଟାଣୁଥିଲା । ଏହି ସାଇକେଲଟି ଅନ୍ୟ ସାଇକେଲ ତୁଳନାରେ ଖୁବ୍ ହାଲକା ଥିଲା ଏବଂ ଜଣେ ଲୋକ ଏହାକୁ ଆରାମରେ ଅଳ୍ପ ବଳ  ବା ଶକ୍ତି ଖଟାଇ ଚଳାଇ ପାରୁଥିଲେ । ସେ ପର୍ଯ୍ୟନ୍ତ ସାଇକେଲର ଚକାରେ କେବଳ ରବର ଲଗାଯାଉଥିଲା । ଏହା ବ୍ୟତୀତ ସାଇକେଲଟି ଅଧିକ ଲମ୍ବା ନ ଥିବା ଓ ସ୍ପୋକ ବିହୀନ ହୋଇଥିବା କାରଣରୁ ଫାରଥିଙ୍ଗ ସାଇକେଲ ତୁଳନାରେ ଏହାକୁ ଚଳାଇବା ଅଧିକ କଷ୍ଟକର ଥିଲା । ଜଣେ ଇରିସ ନାଗରିକ ଡୁନଲୋପ ପ୍ରଥମେ ବାୟୁଚାଳିତ ଟାୟାର ଏହି ସାଇକେଲରେ ଲଗାଇଥିଲେ । ସେ ନିଜ ପୁତ୍ରକୁ ଏକ ଆରାମଦାୟକ ସାଇକେଲ ପ୍ରଦାନ କରିବାକୁ ଯାଇ ଏପରି କରିଥିଲେ । ଏହା ପରେ ପଛ ଚକାକୁ ଏପଟ ସେପଟ ବୁଲିବା ପରି ବିକଶିତ କରାଯିବା ପରେ ଚାଳକମାନେ ବିପଦମୁକ୍ତ ସାଇକେଲ ଚାଳନା କରିବାର ଅନୁଭବ ହାସଲ କରିଥିଲେ । ୧୮୯୦ମସିହାର ପରବର୍ତ୍ତୀ ସମୟରେ ବ୍ରେକ, ଗିୟର, ହାତରେ ନିୟନ୍ତ୍ରଣ କରିବା ଲାଗି ବ୍ରେକ କେବୁଲ ଆଦି ନିର୍ମିତ ହୋଇଥିଲା । ସାଇକେଲରେ ଏତେ ସବୁ ପରିବର୍ତ୍ତନ ହୋଇ ବି ଲୋକମାନଙ୍କ ନିକଟରେ ଏହା ବିଶେଷ ଆଦୃତ ହୋଇପାରିନଥିଲା । ସାଇକେଲ ସମାଜରେ ଦ୍ରୁତ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଥିଲା । ମହିଳାମାନେ ଆତ୍ମନିର୍ଭରଶୀଳ ଓ ଗତିଶୀଳ ହୋଇଥିବା ବେଳେ ଗରିବ ଲୋକମାନେ ଦୂରସ୍ଥାନକୁ କାର୍ଯ୍ୟ ଅନ୍ୱେଷଣରେ ଯାତ୍ରା କରୁଥିଲେ । ସମୟ ଗଡିବା ସହିତ ବିଭିନ୍ନ ସ୍ଥାନରେ ସାଇକେଲ କ୍ଳବ, ସାଇକେଲ ରେସିଂ ଓ ଟୁରିଂର ଆୟୋଜନ ହୋଇଥିଲା, ଯାହା ସାଇକେଲକୁ ଅଧିକ ଲୋକପ୍ରିୟ କରିଥିଲା । ସମୟ ସହ ତାଳ ଦେଇ ସାଇକେଲରେ ଅନେକ ପରିବର୍ତ୍ତନ ଆସିଛି । ରେସିଂ ସାଇକେଲର ସ୍ପିଡ୍ କୌଣସି ଇନ୍ଧନ ଚାଳିତ ଗାଡିଠାରୁ କମ୍ ନୁହେଁ । ଭାରତରେ ସ୍ୱାଧୀନତା ପରବର୍ତ୍ତୀ ସମୟରେ ସାଇକେଲର ବ୍ୟବହାର ଅଧିକ ବୃଦ୍ଧି ପାଇଥିଲା । ପରିବହନ କ୍ଷେତ୍ରରେ ସାଇକେଲ ହିଁ ଥିଲା ଏକମାତ୍ର ବାହନ ।

ଶହୀଦ ସ୍ମୃତି ପ୍ରତି ଲୋହିତ ପ୍ରଣାମ

ଶହୀଦ ସ୍ମୃତି ପ୍ରତି ଲୋହିତ ପ୍ରଣାମ

୮୩ ବର୍ଷ ତଳେ ଆଜିଦିନର ଇତିହାସ-
ବିଗତ ୪୫ ବର୍ଷ ଧରି ଆମେ ହଜାରରୁ ଉର୍ଦ୍ଧ୍ବ ଥର ଲେଖି ଓ କହି ଆସିଛୁ ଯେ ଓଡ଼ିଶାର ବା ଓଡ଼ିଆଙ୍କର ସଠିକ୍ ଇତିହାସ ଏଯାବତ୍ ଲେଖା ଯାଇପାରିଲା ନାହିଁ । ଏହାର କାରଣ ମଧ୍ୟ ଉଲ୍ଲେଖକରି କହିଆସିଛୁଯେ ” ବିଜେତା ଯେବେ ପରାଜିତର ଇତିହାସ ଲେଖେ, ତେବେ ସେ ନିଜକୁ ମହାନ୍ ବା ମହିମା ମଣ୍ଡିତ କରିଥାଏ ଓ  ପରାଜିତ କୁ ନଗଣ୍ୟ ଅର୍ଥାତ୍ ମସିଲିପ୍ତ କରିଥାଏ” , ଏହା ଏକ ସ୍ବାଭାବିକ ପ୍ରକ୍ରିୟା,ଯାହା ଓଡ଼ିଶା ଇତିହାସ ରଚନା କ୍ଷେତ୍ରରେ ପ୍ରତିଫଳିତ ହୋଇଛି ।

ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପରେ, ଏପରିକି ସ୍ଵାଧୀନୋତ୍ତର ଓଡ଼ିଶାରେ ଏଥିପ୍ରତି ଧ୍ୟାନ ଦିଆଗଲା ନାହିଁ । ଆମର ଇତିହାସ ଛାତ୍ର, ଅଧ୍ୟାପକ, ପ୍ରାଧ୍ୟାପକ, ଆଚାର୍ଯ୍ୟ,ପ୍ରାଚାର୍ଯ୍ୟ ବର୍ଗ ଓଡ଼ିଆ ବିଦ୍ଵେଷୀ ଙ୍କ ଦ୍ଵାରା ଲିଖିତ ଇତିହାସ କୁ ପଢି, ତାକୁ ” ଖଡା ବଡ଼ି,ଯୋଡ଼ି,ଶାଗ,ମୁଗ,ବଡ଼ି,ଥୋଡି,ଖଡା” ଲେଖି ଗବେଷକ ହୋଇ , ତଥାକଥିତ ପିଏଚଡ଼ି,ଡିଲିଟ୍ ପାଇ, ମହାବିଦ୍ୟାଳୟ, ବିଶ୍ଵବିଦ୍ୟାଳୟ ରେ ପ୍ରଫେସର ବିଶେଷଣ ରେ ବିଭୂଷିତ ହୋଇ ସମାଜର ସମ୍ମାନ,ଧନ,ଏନଜିଓ ଧର୍ମୀ ପ୍ରତିଷ୍ଠାନ,ନ୍ୟାସ, ଅନୁଷ୍ଠାନ, ଇନଷ୍ଟିଚୁ୍ୟୁଟ, ରିସର୍ଚ୍ଚ ସଂଜ୍ଞା ଦେଇ ପ୍ରଚୁର ଅର୍ଥ ରୋଜଗାର କରି ମଉଜ କରିଆସୁଛନ୍ତି ।

ଓଡ଼ିଶାର ସଠିକ୍ ଇତିହାସ ଉପରେ ଗବେଷଣା କରି ପ୍ରାମାଣିକ ତଥ୍ୟ ସନ୍ନିବେଶିତ କରି ଇତିହାସ ସୃଷ୍ଟି କରାଗଲା ନାହିଁ । ଏହି ମିଥ୍ୟା ଇତିହାସ ପଢି ଜଣେ ଆମର ସମ୍ମାନାଷ୍ପଦ ବରିଷ୍ଠ ସାମ୍ବାଦିକ ଜୟଦେବ ଭବନ ସମ୍ମୁଖରେ ଏକ ଆଲୋଚନା ରେ ଆମକୁ ଠିକ୍ ଶହେ ବର୍ଷ ତଳେ ଜଣେ ବଙ୍ଗୀୟ ଐତିହାସିକ କହୁଥିବା ଭାଷାରେ କହିଲେ ତମେ ଏତେ ଓଡ଼ିଆ, ଓଡ଼ିଆ ହେଉଛ, ଓଡ଼ିଆ ଙ୍କ ର ଭାରତ ସ୍ବାଧୀନତା ସଂଗ୍ରାମ ରେ ଅବଦାନ କ’ଣ ? ତାଙ୍କ ତାତ୍ସଲ୍ୟ କୁ ତାଙ୍କ ସହିତ ସର୍ବଦା ବସାଉଠା କରୁଥିବା ଅନ୍ୟ ଜଣେ ବରିଷ୍ଠ ସାମ୍ବାଦିକ ମଧ୍ୟ ପାଳି ଧରି ତାତ୍ସଲ୍ୟର ଭାଷା ବ୍ୟବହାର କରିବାରୁ ଆମେ ଅନେକ ପ୍ରାମାଣିକ ତଥ୍ୟ ଉଲ୍ଲେଖ କରିବାରୁ ସେ ଦୁହେଁ କହିଲେ ” ଦେଖାଓ,କୋଉ ଇତିହାସ ରେ ଲେଖା ଯାଇଛି ? ” । 

  ଇତିହାସ କେବେ ରାଜା, ମହାରାଜା, ରାଷ୍ଟ୍ର ମୁଖ୍ୟ ର ଜୟ, ପରାଜୟ ର ବିବରଣୀ ନୁହେଁ, ସାଧାରଣ ମଣିଷ ର ଜୀବନଚର୍ଯ୍ୟାର କ୍ରମାନ୍ୱୟରେ ସୂଚିତ ତଥ୍ୟ । ଇତି ଅର୍ଥ ଶେଷ ବା ଅତୀତ, ହାସ ଅର୍ଥ କଥା ।  ୧୯୨୫ ମସିହାରେ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଐକାନ୍ତିକ ଅନୁଗାମୀ, ସାଥୀ, ସହଯୋଗୀ , ମହାନ୍ ଐତିହାସିକ, ଗବେଷକ, ଜନାଦୃତ ଅଧିବକ୍ତା, ବିହାର- ଓଡ଼ିଶା ବିଧାନ ସଭାର ସଦସ୍ୟ ପ୍ରାତଃ ସ୍ମରଣୀୟ ଜଗବନ୍ଧୁ ସିଂହ ତାଙ୍କର ” ପ୍ରାଚୀନ ଉତ୍କଳ” ପୁସ୍ତକ ରେ ଶହଶହ ଉଦାହରଣୀୟ ତଥ୍ୟାର୍ପଣ କରି ଯାଇଛନ୍ତି ।

୮୩ ବର୍ଷ ତଳର,ଆଜିର ଇତିହାସ କୁ ଭାରତ ଇତିହାସ ଯଥୋଚିତ ଗୁରୁତ୍ୱ ଦେଇଛିକି ?  ୧୯୪୨ ମସିହା ଭାରତଛାଡ ଆନ୍ଦୋଳନ , ମହାତ୍ମାଗାନ୍ଧୀ ଙ୍କ ” କର ବା ମର ” ଆହ୍ବାନ ରେ ଓଡ଼ିଶା ରେ ପ୍ରତିଧ୍ବନିତ ହୋଇଥିବା ଆନ୍ଦୋଳନ ର ଇତିହାସ ସଠିକ୍ ତଥ୍ୟ ସନ୍ନିବେଶିତ ହୋଇ ଭାରତ ଇତିହାସରେ ସ୍ଥାନିତ ହୋଇନାହିଁ ।

୮୩ ବର୍ଷ ତଳେ ଆଜିର ତାରିଖରେ ଅର୍ଥାତ୍ ସେପ୍ଟେମ୍ବର ୨୨ ତାରିଖ,୧୯୪୨  ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଭଦ୍ରକ ଉପଖଣ୍ଡ ବା ସବ୍ ଡିଭିଜନ ର ଧାମନଗର ଥାନା ଅନ୍ତର୍ଗତ ଲୁଣିଆ ଗ୍ରାମ ର ଦୋଳପଡିଆ ର ଇତିହାସ ବା ଯୁବ ବିପ୍ଲବୀ ମୁରଲୀଧର ପଣ୍ଡା,ରାଜମୁକୁନ୍ଦପୁର ର ସଂଗ୍ରାମୀ ରାଧାଶ୍ୟାମ ରାୟମହାପାତ୍ରଙ୍କ ନେତୃତ୍ବରେ ହୋଇଥିବା ସଂଗ୍ରାମର ଇତିହାସ ଯଦି ପଢିଥାନ୍ତେ ତେବେ ବରିଷ୍ଠ ସାମ୍ବାଦିକ ଏଭଳି ତାତ୍ସଲ୍ୟ କରିନଥାନ୍ତେ ।

ଆଜିର ଦିନରେ ସେହି ଲୁଣିଆ ଗୁଳିକାଣ୍ଡ ରେ ୯ ଜଣ ସହୀଦ ସଂଗ୍ରାମୀ ଯଥା ନିଧି ମହାଳିକ, ଗୌରୀ ଜେନା,ନବ କିଶୋର ନାୟକ, ଶ୍ୟାମ ସୁନ୍ଦର ମହାଳିକ, କୃଷ୍ଣ ମହାଳିକ, ଗୋପୀନାଥ ଜେନା, ଚିନ୍ତାମଣି ଦାସ, ଶଙ୍କର ବେହେରା,ଅଗଣି ସାହୁ ଙ୍କ ଶହୀଦ ଦିବସ ରେ ସେମାନଙ୍କର ବଳିଦାନ କୁ ସ୍ମରଣ କରି, ସେମାନଙ୍କ ଲୋହିତ ଅମ୍ଲାନ ବୈପ୍ଳବିକ ସ୍ମୃତି ପ୍ରତି ଜଣାଉଛୁ କୋଟି କୋଟି ଲୋହିତ ପ୍ରଣାମ । କ୍ରମଶଃ

ମହାଳୟା ଶ୍ରାଦ୍ଧ

ମହାଳୟା ଶ୍ରାଦ୍ଧ

ଆଜି ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ପବିତ୍ର ତଥା କୃତଜ୍ଞତା ଜ୍ଞାପନର ମହନୀୟ ତିଥି । ଆଜି “ମହାଳୟା ଶ୍ରାଦ୍ଧ”’ ବା ”’ସାମ୍ବତ୍ସରିକ ଶ୍ରାଦ୍ଧ”’ ଅବା ”’ପାର୍ବଣ ଶ୍ରାଦ୍ଧ”’ ଏବଂ ”’ମଉଳା ଶ୍ରାଦ୍ଧ”’ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଶ୍ଵିନ ମାସର ପ୍ରଥମ ପକ୍ଷ “ପିତୃ ପକ୍ଷ” ନାମରେ କେଉଁ ଅନାଦି ଅନନ୍ତ କାଳରୁ ଓଡ଼ିଆ ମାନେ ପାଳନ କରି ଆସୁଛନ୍ତି ।

ଏହି ପକ୍ଷର ଅମାବାସ୍ୟା “ମହାଳୟା ଅମାବାସ୍ୟା” ନାମରେ ପାଳିତ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ “ପିତୃପର୍ବ” ମଧ୍ୟ କୁହାଯାଏ । ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ । ସୂର୍ଯ୍ୟ କନ୍ୟା ରାଶିରେ ଥିବାବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା ।

ମହଳୟା ଶ୍ରାଦ୍ଧର ତର୍ପଣରେ ବ୍ରହ୍ମା, ବିଷ୍ଣୁ, ରୁଦ୍ର, ପ୍ରଜାପତି, ଅଚାର୍ଯ୍ୟ, ବେଦ, ଛନ୍ଦ, ଗନ୍ଧର୍ବଗଣ, ଦେବଗଣ, ପୁରୁଣାଚାର୍ଯ୍ୟ, ସମ୍ବତ୍ସର, ଶାବୟବ, ନାଗଗଣ, ଯକ୍ଷ, ଭକ୍ଷ, ପିଶାଚ, ବନସ୍ପତି, ଔଷଧ, ଭୂତଗ୍ରାମ, ଚତୁଷ୍ଟୟ ଏବଂ ପୃଥିବୀ ଇତ୍ୟାଦି କୋଡ଼ିଏ ଦେବଗଣଙ୍କୁ ଗୋଟିଏ ଥର ତର୍ପଣ; ସନତ, ସନନ୍ଦ, ସନତନ, କପିଳ, ଆସୁରୀ, ଡୋବୁ, ଏବଂ ପଞ୍ଚଶିଖ ଇତ୍ୟାଦି ସାତ ଋଷିଙ୍କୁ ଦୁଇ ଥର ତର୍ପଣ ଏବଂ ପିତୃପୁରୁଷଗଣଙ୍କୁ ତିନିଥର ତର୍ପଣରେ ଅପ୍ୟାୟିତ କରାଯାଏ । ପିତୃ ତର୍ପଣରେ ପିତାଙ୍କୁ ରୁଦ୍ର ରୂପେ, ପିତାମହଙ୍କୁ ବସୁରୂପେ ଓ ପ୍ରପିତାମହଙ୍କୁ ଆଦିତ୍ୟରୂପେ କଳ୍ପିତ କରାଯାଏ । ପିଣ୍ଡଦାତାଙ୍କ ଆଳୟରେ ସର୍ବଦେବ, ଋଷି, ଏବଂ ପିତୃପୁରୁଷଙ୍କ ଉପସ୍ଥିତ ହେତୁ ଏହାଙ୍କୁ ମହାଳୟା ଶ୍ରଦ୍ଧ କୁହାଯାଏ । ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା, ଏହି ୧୫ ଦିନ ମଧ୍ୟରେ ଜଣେ ଯେ କୌଣସି ଦିନ ଶ୍ରାଦ୍ଧ ଦେଇପାରେ, ଏଥିପାଇଁ ଏହାକୁ ପିତୃପକ୍ଷ କୁହଯାଏ ।

ମହାଳୟା ତିଥିରେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଭୁବନଠାରେ “ଦଶହରା ବଳଦ ଯାତ୍ରା”ର ଆରମ୍ଭ ହୋଇଥାଏ । ଏହି ଦିନ ସମ୍ବଲପୁରର ସମଲେଶ୍ୱରୀଙ୍କ “ଧବଳମୁଖୀ ବେଶ” ମଧ୍ୟ ହୋଇଥାଏ ।ହିନ୍ଦୁ ଧାର୍ମିକ ପରଂପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ ।

କିମ୍ବଦନ୍ତି କହେ, ମହାଦାନୀ କର୍ଣ୍ଣଙ୍କର ଦାତାପଣିଆର ପୁରସ୍କାର ସ୍ୱରୂପ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଥିଲା । ହେଲେ, ଖାଦ୍ୟ ଦିଆଯାଇ ନ ଥିଲା । କାରଣ, ଜୀବିତାବସ୍ଥାରେ ସେ କେବେ ଅନ୍ନଦାନ କରି ନ ଥିଲେ । ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସି ବ୍ରାହ୍ମଣ ତଥା ଗରିବ ମାନଙ୍କୁ ଅନ୍ନ ଦାନ ଦେଇଥିଲେ । ଯମପୁର ଫେରିବା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା । ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନ ଥିଲା ପିତୃ ପକ୍ଷ । ଶ୍ରୀମନ୍ଦିରର ବା ବଡ଼ ଦେଉଳର ବାଇଶି ପାହାଚରେ ପିଣ୍ଡଦାନ କର୍ମ କରାଯାଏ ।ଜଗନ୍ନାଥଙ୍କ ପରି ଦଶହରା ସମୟରେ ମା ସମଲେଶ୍ୱରୀଙ୍କ ବିଭିନ୍ନ ବେଶ ଅନୁଷ୍ଠିତ ହୁଏ । ଯାହା ମହାଳୟା ତିଥିରୁ ଧବଳମୁଖୀ ବେଶରୁ ଆରମ୍ଭ ହୁଏ । ଦେବୀଙ୍କ ଏହି ଅଲୌକିକ ବେଶକୁ ଦର୍ଶନ କଲେ ଗଙ୍ଗାସ୍ନାନର ଫଳ ମିଳେ ବୋଲି ବିଶ୍ୱାସ ରହିଛି । ଦଶହରା ମାସ ପିତୃପକ୍ଷରେ ପରଲୋକଗତ ପିତୃପୁରୁଷଙ୍କୁ ପିଣ୍ଡପ୍ରଦାନ ପରେ ଗଙ୍ଗାସ୍ନାନ ବିଧି ରହିଥିବାରୁ ପଶ୍ଚିମ ଓଡ଼ିଶାର ଲୋକେ ବିକଳ୍ପ ସଦୃଶ୍ଯ ଦେବୀ ସମଲେଶ୍ୱରୀଙ୍କ ଧବଳମୁଖୀବେଶ ଦର୍ଶନ କରିଥାଆନ୍ତି ।