ବିପ୍ଲବୀ ଭଗବତୀ ଚରଣ ପାଣିଗ୍ରାହୀ

ବିପ୍ଲବୀ ଭଗବତୀ ଚରଣ ପାଣିଗ୍ରାହୀ

ଠିକ୍ ଆଜିର ତାରିଖ, ଅକ୍ଟୋବର ମାସ ୨୩ ତାରିଖ,୧୯୪୩ ମସିହାରେ ମହାନ୍ ସ୍ଵାଧୀନତା ସଂଗ୍ରାମୀ, ସାମ୍ୟବାଦୀ ଚେତନାର ପ୍ରତିଭୂ ତଥା କମ୍ୟୁନିଷ୍ଟ ପାର୍ଟିର ପ୍ରତିଷ୍ଠାତା, ଓଡ଼ିଆ ଭାଷା ସାହିତ୍ୟ ଜଗତରେ “ପ୍ରଗତି ଯୁଗ”ର ବାର୍ତ୍ତାବହ, ଚାଷୀ ମୂଲିଆ ଗରିବ ଖଟିଖିଆ ମେହନତୀ ,ସର୍ବହରା, ଶ୍ରମିକ ଆନ୍ଦୋଳନ ତଥା ଗଡ଼ଜାତ ପ୍ରଜା ଆନ୍ଦୋଳନର ବେସାଲିସ୍ ବିଦ୍ରୋହୀ ସେନାନାୟକ, ଓଡ଼ିଆ ସାଂସ୍କୃତିକ ଜାଗରଣର ମହାନ୍ କାଣ୍ଡାରୀ ସାଥୀ ଭଗବତୀ ଚରଣ ପାଣିଗ୍ରାହୀ ଇହଲୀଳା ସମ୍ବରଣ କରିଥିଲେ । ଛାତ୍ର ଜୀବନରୁ ଶୋଷକ ବ୍ରିଟିଶ ଶାସନ ବ୍ୟବସ୍ଥା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ । ବିଶେଷ କରି ପାଟନା ବିଶ୍ଵ ବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିବା ସମୟରେ ରାଜନୈତିକ ଅର୍ଥନୀତି ( political Economy) ପଢ଼ିବା ସମୟରେ ସମାଜବାଦୀ ଅର୍ଥନୀତିଜ୍ଞ ଜ୍ଞାନ ଚାନ୍ଦ ଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ, ଠିକ୍ ସେହି ସମୟରେ ୧୯୩୧ , ମସିହା, ମାର୍ଚ୍ଚ ୨୩ ତାରିଖ ରେ ଭଗତ୍ ସିଂ, ଶୁକଦେବ ଓ ରାଜଗୁରୁ ଙ୍କୁ ପ୍ରାଣ ଦଣ୍ଡ ଘୋଷଣା ପରେ ତାଙ୍କ ବିଦ୍ରୋହୀ ଆତ୍ମା ଜାଗି ଉଠିଥିଲା । ୧୯୩୩ ରୁ ୧୯୪୩ , ମାତ୍ର ୧୦ ବର୍ଷ ର ଜୀବନ ଥିଲା ଘଟଣା ବହୁଳ, ଯାହା ବିଶ୍ଵ ଇତିହାସରେ ବିରଳ । ୧୯୩୪ରେ ଜୟ ପ୍ରକାଶ ନାରାୟଣଙ୍କ ଉପସ୍ଥିତି ରେ ନବକୃଷ୍ଣ ଚୌଧୁରୀ ଙ୍କ ଘରେ ସମାଜବାଦୀ କଙ୍ଗ୍ରେସ ଗଠନ କରାଇଥିଲେ, ଯାହାର ସଭାପତି ହୋଇଥିଲେ ପ୍ରାଣନାଥ ପଟ୍ଟନାୟକ ଓ ସେ ହୋଇଥିଲେ ସମ୍ପାଦକ , ସୁରେନ୍ଦ୍ର ନାଥ ଦ୍ବିବେଦୀ, ମୋହନ ଦାଶ, ନବକୃଷ୍ଣ ଚୌଧୁରୀ ହୋଇଥିଲେ କାର୍ଯ୍ୟକାରୀ କମିଟିର ସଦସ୍ୟ । ୧୯୩୬ ମସିହାରେ ପ୍ରାଣନାଥ, ଗୁରୁଚରଣ ଙ୍କ ସହ କୋଲକାତା ଯାଇ କମ୍ୟୁନିଷ୍ଟ ପାର୍ଟି ର ସଦସ୍ୟ ହୋଇଥିଲେ ଓ ଓଡ଼ିଶାରେ ପ୍ରତିଷ୍ଠା କରିଥିଲେ କମ୍ୟୁନିଷ୍ଟ ପାର୍ଟି । କାର୍ଲ ମାର୍କସ ଙ୍କ ” କମ୍ୟୁନିଷ୍ଟ ମାନିଫୋଷ୍ଟ” କୁ ଅନୁବାଦ କରି “ବୈଜ୍ଞାନିକ ସାମ୍ୟବାଦ” ନାମରେ ପ୍ରକାଶ କରାଇଥିଲେ । ପ୍ରାଣନାଥ ଙ୍କ ସହ ପୁରୀ ରେ ପ୍ରଥମ ଶ୍ରମିକ ଆନ୍ଦୋଳନ “ମାହାରୀ ଆନ୍ଦୋଳନ”ର ନେତୃତ୍ବ ନେଇଥିଲେ । ୧୯୩୫, ମସିହା, ନଭେମ୍ବର ୨୯ରୁ ଛ ଦିନିଆ ” ନବଯୁଗ ସାହିତ୍ୟ ସଂସଦ” ଅଧିବେଶନ ଆୟୋଜନ କରିଥିଲେ, ଯାହାର ବିବରଣୀ ପଣ୍ଡିତ ନୀଳକଣ୍ଠ ଦାସ ” ନବ ଭାରତ” ର ବିଶେଷ ସଂଖ୍ୟାରେ ରହିଛି ଓ ଯାହା ଓଡ଼ିଆ ସାରସ୍ଵତ ଭଣ୍ଡାରର ଅମୂଲ୍ୟ ରତ୍ନ । ୧୯୩୮, ଅକ୍ଟୋବର ୧୦ ତାରିଖ ରେ ବ୍ରହ୍ମଣୀ ନଦୀର ନୀଳକଣ୍ଠ ପୁର ଘାଟରେ ଗୁଳିକାଣ୍ଡରେ ସହିଦ୍ ବାଜି ରାଉତ,ନଟ, ଲକ୍ଷ୍ମଣ, ରଘୁ,ଗୁରୀ, ହୃଷୀକେଶ ଙ୍କ ଶବକୁ ଶଗଡ଼ ଗାଡ଼ି ରେ କଟକ ଆଣି ଯେଉଁ ପ୍ରତିବାଦ କରିଥିଲେ, ସେହି ଶୋକ ଯାତ୍ରାର ଜନସମାଗମ ଥିଲା ଅଦ୍ଭୁତପୂର୍ଵ । ୧୯୪୦, ଜୁଲାଇ ୧୧ ତାରିଖ ରେ ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଲୋଚନା ସଭା କରୁଥିବା ବେଳେ କମ୍ୟୁନିଷ୍ଟ ଷଡ଼ଯନ୍ତ୍ର ମାମଲାରେ ତାଙ୍କ ସହିତ ଗୁରୁଚରଣ ପଟ୍ଟନାୟକ, ବୈଦ୍ୟନାଥ ରଥ, ଅନନ୍ତ ପଟ୍ଟନାୟକ,ଶରତ ପଟ୍ଟନାୟକ, ବନମାଳୀ ଦାସ, ବିଜୟ ଦାସ ପ୍ରମୁଖ ଙ୍କୁ ବ୍ରିଟିଶ ଶାସନ ବନ୍ଦୀ କରାଇ କାରାରୁଦ୍ଧ କରିଥିଲେ । ଦୁଇ ବର୍ଷ କାରାଦଣ୍ଡ ଭୋଗି ଫେରି ପ୍ରାକୃତିକ ବିପର୍ଯ୍ୟସ୍ତ ଓଡ଼ିଶାର ଚାରିଆଡେ ବୁଲି ରିଲିଫ କମିଟି ଗଠନ କରି ସାହାଯ୍ୟ କରିବା ସମୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମାତ୍ର ୩୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଓଡ଼ିଶା ପାଇଁ ଯେଉଁ ଶୂନ୍ୟ ସ୍ଥାନ ସୃଷ୍ଟି କରିଥିଲା, ତାହା ଯୁଗ ଯୁଗ ପାଇଁ ପୂରଣ ହୋଇ ପାରିବ ନାହିଁ । ସେହି ଅକଳ୍ପନୀୟ ଅଜ୍ରାମରକନ୍ଦ କୀର୍ତ୍ତି ସ୍ରଷ୍ଟା ଙ୍କ ପବିତ୍ର ବିପ୍ଲବୀ ସ୍ମୃତି କୁ କୋଟି କୋଟି ଲାଲ୍ ସଲାମ୍ ।

ଆନ୍ତର୍ଜାତୀୟ ମାନସିକ ସ୍ଵାସ୍ଥ୍ୟ ଦିବସ

ଆନ୍ତର୍ଜାତୀୟ ମାନସିକ ସ୍ଵାସ୍ଥ୍ୟ ଦିବସ

ଆଜି ଆନ୍ତର୍ଜାତୀୟ ମାନସିକ ସ୍ଵାସ୍ଥ୍ୟ ଦିବସରେ ପ୍ରତ୍ୟେକ ଓଡ଼ିଆ , ବିଶେଷ କରି ମାତୃଭାଷା ପ୍ରାଣ ଓଡିଆମାନଙ୍କ ସ୍ମୃତିକୁ ଯାହାଙ୍କ କୃତି ଓ କୀର୍ତ୍ତି ଆଲୋଡିତ କରେ ,ସେ ହେଉଛନ୍ତି ଭାରତ ବର୍ଷର ମହାନ୍ ଭାଷାତତ୍ତ୍ଵ ବିଶାରଦ ତଥା ଭାରତ ସରକାରଙ୍କ ପ୍ରାକ୍ତନ ଭାଷା ବିଭାଗ ମୁଖ୍ୟ , ଗାଳ୍ପିକ ବିଜୟ ପ୍ରସାଦ ମହାପାତ୍ର , ଯାହାଙ୍କର ଶେଷ ଜୀବନ ବିତିଥିଲା କୋଲକାତାର ମାନସିକ ରୋଗ ଚିକିତ୍ସାଳୟ ( ହସ୍ପିଟାଲ)ରେ । ଆମ ଭଳି ଅଣସାହିତ୍ୟିକର ଜ୍ଞାତ ତଥ୍ୟ କୁହେ ଯେ ପ୍ରାୟ ୧୫ ଟି ରୁ ଉର୍ଦ୍ଧ୍ବ ଭାଷାଵିଷୟକ ପୁସ୍ତକ, ଅନେକ ଗଳ୍ପଗ୍ରନ୍ଥର ସ୍ରଷ୍ଟା ଭାଷାତ୍ମା ବିଜୟ ପ୍ରସାଦ ନିଜର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଥିଲେ ଏକାନ୍ତ ନିସ୍ପୃହ ।

ଓଡ଼ିଆ ଭାଷାର ପ୍ରାଚୀନତା ଓ ଐତିହ୍ୟକୁ ଉପଜିବ୍ୟ କରି ତାଙ୍କ ପ୍ରସ୍ତୁତ ତଥ୍ୟ ହିଁ ଆମ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦିଆଇଛି । ଏହି ମହାନ ସାରସ୍ଵତ ସାଧକଙ୍କ ଭାଷା ଗବେଷଣା ସମ୍ପର୍କିତ ବହୁତ ଇଂରାଜୀ ଓ ଓଡ଼ିଆ ପୁସ୍ତକ ଆମ ସାରସ୍ଵତ ଭଣ୍ଡାରର ଅମୂଲ୍ୟ ସମ୍ପଦ । ଓଡ଼ିଆ ଭାଷାର ସଙ୍କଟ ଓ ଭବିଷ୍ୟତ ନେଇ ତାଙ୍କର ବକ୍ତବ୍ୟ ଓ ଦିଗ୍ ଦର୍ଶନ ଆଜିର ସମୟରେ ଅତ୍ୟନ୍ତ ପ୍ରଣିଧାନଯୋଗ୍ୟ । ତାଙ୍କର ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଆଜି ଆନ୍ତର୍ଜାତୀୟ ମାନସିକ ସ୍ଵାସ୍ଥ୍ୟ ସୁରକ୍ଷା ଦିବସ । ମାନସିକ ବିକୃତି, ଆତ୍ମହତ୍ୟା ପ୍ରବଣତା ଆଦି ଭୟଙ୍କର ସମସ୍ୟା ସମାଜକୁ ଗ୍ରାସ କରିଚାଲିଛି । ପ୍ରତି ୪୦ ସେକେଣ୍ଡ ରେ ଜଣେ ଆତ୍ମହତ୍ୟା କରିଥିବା ସମ୍ପର୍କରେ ତଥ୍ୟ କୁହେ । ଅଦୃଶ୍ୟ ଓ ଅନାଲୋଚିତ ଭାବେ ଏହା କିଭଳି ବ୍ୟକ୍ତି ତଥା ସାମାଜିକ ଜନ ଜୀବନକୁ ଦୁର୍ବିସହ କରିଚାଲିଛି, ତାହାର ଶରଵ୍ୟ ହେଉଥିବା ବ୍ୟକ୍ତି ହିଁ ହାଡେ ହାଡେ ଅନୁଭବ କରୁଛି ।

ବ୍ୟକ୍ତିଗତ ଭାବେ ସାତ ବର୍ଷ ଧରି ଆମେ ଜଣେ ପାରାନୋଇଆ ରୋଗାକ୍ରାନ୍ତ, ମସ୍ତିଷ୍କ ବିକୃତି ବ୍ୟକ୍ତିର ଆକ୍ରମଣର ଶିକାର ହୋଇ ସ୍ଵକୀୟ ଅନୁଭୁତିରୁ ଏହାର ଗଭୀରତା ହୃଦୟଙ୍ଗମ କରିଥିବାରୁ ଆଜି ଦିବସ ର ଗୁରୁତ୍ଵ ଅନୁଭବ କରି ଉକ୍ତ ଉପସ୍ଥାପନ କରୁଛୁ । ଉକ୍ତ ବ୍ୟକ୍ତି ଏଭଳି ଏକ ଘୃଣିତ ଓ ଅଭାବନୀୟ ଅପରାଧ କରିଥିବା ସମ୍ପର୍କରେ ଆମେ ଜାଣିଯିବା ପରେ ସେ ଆଶଙ୍କା କରିଥିଲା ଯେ ତାହା ଆମେ କାଳେ ପ୍ରଘଟ କରିଦେବୁ, ତେଣୁ ସେ ଭୟଙ୍କର ଯୋଜନାବଦ୍ଧ ଭାବେ ଵୈ।ଦ୍ଧିକ ଆକ୍ରମଣ କରିବାକୁ ଯାଇ ଆକାଶରୁ ମିଥ୍ୟା ତୋଳି ଆଣି ଵୀଜାଣୁ ବଣ୍ଟନ କରି ଚାଲିଲା ,ଏବେ ମାତ୍ରା କ୍ରମଶଃ ହ୍ରାସ ପାଉଛି। ସ୍ବଳ୍ପ କେତେକ ଚୁଗୁଲୀ,ପରନିନ୍ଦାଶ୍ରବୀ,ଈର୍ଷାର ଈଶ୍ୱରଧର୍ମୀଙ୍କ ବ୍ୟତୀତ ଅନ୍ୟ କେହି ବିଶ୍ବାସ କଲେ ନାହିଁ । ଯେତେବେଳେ ତାଙ୍କ ମିଛ ପ୍ରଚାର ଧରା ପଡ଼ିଗଲା ସେତେବେଳେ ଆମ ଅଧ୍ୟାପିକା ପତ୍ନୀଙ୍କ ଚାକିରି ସମ୍ପର୍କିତ ତଥ୍ୟ ସୂଚନା ଅଧିକାର ଆଇନ ବଳରେ ମାଗି ମିଛ ପ୍ରଚାର କଲା । ପୁଅ କିଭଳି ବିଦେଶରେ ଚାକିରି ପାଇଲା, ଝିଅ କିଭଳି ଜାତୀୟ ଗବେଷଣାରେ ଚୟନ ହେଲା, ତାହାର ତଥ୍ୟ ମାଗି, ସେଥିରେ ବିଫଳ ହୋଇ ଗୁଡାଏ ବେନାମୀ ଅଭିଯୋଗ ( ପିଟିସନ) ପକାଇ ଚାଲିଲା ।

କେବଳ ନିଜର ଗାଡ଼ି ଚାଳକ ( ଡ୍ରାଇଭର) ଓ ଅତ୍ୟନ୍ତ ସରଳ ପ୍ରକୃତିର ସମୁଦି ବ୍ୟତୀତ କେହି ସାଥି ନ ଦେବାରୁ ପ୍ରତି ଦିନ ଆମକୁ ଗାଳିଗୁଲଜ କରିଚାଲିଲା । ସକଳ ପ୍ରକାର ଆକ୍ରମଣ ସତ୍ତ୍ୱେ ଆମେ ରୋଗାକ୍ରାନ୍ତ ବ୍ୟକ୍ତିର ଲକ୍ଷଣ ଜାଣିଥିବାରୁ କୈାଣସି ପ୍ରତିକ୍ରିୟା ପ୍ରକାଶ କରି ନାହୁଁ କି କରିବାର ନାହିଁ । କାରଣ କୈାଣସି ସମୟରେ ମଧ୍ୟ ତାଙ୍କର ସେ ସବୁ କଥା ପ୍ରକାଶ କରିଵୁ ନାହିଁ, ସେ ଯେତେ କ୍ଷତି କଲେ ମଧ୍ୟ, ଯେତେ ଉଖୁରେଇଲେ ବି, ଯେହେତୁ ତାହା ସମାଜରେ ଏକ ଖରାପ ପ୍ରଭାବ ପଡ଼ିବ ଓ କିଛି ନିରିହଙ୍କ ଜୀବନ ଦୁର୍ବିସହ ହୋଇଯିବ । ଆଜି ଦିବସ ରେ ପ୍ରାର୍ଥନା କରୁଛି , ପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣା ଓ ମୁଖପୁସ୍ତକର ସହୃଦୟ ଵନ୍ଧୁମାନଙ୍କ ଶୁଭେଚ୍ଛାରେ ସମ୍ପୃକ୍ତ ବ୍ୟକ୍ତି ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ।

ମୁକ୍ତି ଆନ୍ଦୋଳନର ସର୍ବ କନିଷ୍ଠ ସହିଦ୍ ସଂଗ୍ରାମୀ ‘ବାଜି ରାଉତ’

ମୁକ୍ତି ଆନ୍ଦୋଳନର ସର୍ବ କନିଷ୍ଠ ସହିଦ୍ ସଂଗ୍ରାମୀ ‘ବାଜି ରାଉତ’

ମୁକ୍ତି ଆନ୍ଦୋଳନର ସର୍ବ କନିଷ୍ଠ ସହିଦ୍ ସଂଗ୍ରାମୀ ‘ବାଜି ରାଉତ’ଙ୍କ ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମୃତ ,ଅମ୍ଲାନ , ଲୋହିତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଆମେ ଓଡ଼ିଆ ମାନେ ଗର୍ବିତ ଯେ ମୁକ୍ତି ଆନ୍ଦୋଳନର ପ୍ରଥମ ଶହୀଦ ଜୟୀ ରାଜଗୁରୁ, ପ୍ରଥମ ମହିଳା ସହୀଦ୍ ପରି ବେଓ୍ବା, ସର୍ବ କନିଷ୍ଠ ସହିଦ୍ ବାଜି ରାଉତ ଏବଂ ୧୮୧୭ର ପାଇକ ସଂଗ୍ରାମ ହିଁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ ।

ଅଛପା ସତ୍ୟ ଇତିହାସର ଗର୍ଭାନୁଶୀଳନ କଲେ ଜଣାଯାଏ ଯେ ପୂର୍ବଜ ଓଡ଼ିଆ ମାନେ ୪୧ ଟି କ୍ଷେତ୍ରରେ ବିଶ୍ବଗୁରୁ , ଅନେକ କ୍ଷେତ୍ରରେ ଜାତୀୟ ଗୁରୁ । ହଁ , ଏହା ସତ୍ୟ ଯେ ଆଜିର ଓଡ଼ିଶା ଓ ସାମ୍ପ୍ରତିକ ଓଡ଼ିଆ ଲୋକ ଚରିତ୍ର ସହିତ ସାମାଜିକ ଚିତ୍ର ଦେଖି,ପରଖି ମତାମତ ଦେବାକୁ ଚାହୁଁଥିବା ଅଣ ଓଡ଼ିଆ କ’ଣ , ମାଟି ମନସ୍କ , ଭାଷା ପ୍ରାଣ ଓଡ଼ିଆ ମଧ୍ୟ ଆମକୁ ମିଥ୍ୟାବାଦୀ, ଭାବପ୍ରବଣ, ମତଲବୀ ମଣିଷ ବିଶେଷଣରେ ସ୍ବତଃ ବିଭୂଷିତ କରିବାକୁ କୁଣ୍ଠିତ ହେବେନାହିଁ । କିଏ କାହିଁକି ବିଶ୍ବାସ କରିବ ଯେ ଏ ଜାତି ଦିନେ ବୀରଜାତି ଥିଲା ।

ଏ ଜାତିର ପଦନିକ୍ଷେପ ଦ୍ବାରା ବସୁନ୍ଧରା ଦିନେ କମ୍ପିତ ହେଉଥିଲା । ଏ ଜାତି ସମର ପ୍ରାଙ୍ଗଣରେ ଦିନେ ଅବଲୀଳାକ୍ରମେ ଅସ୍ତ୍ର ଚାଳନାରେ ନିପୁଣ ଥିଲେ । ଏ ଜାତି ଆପଣାର ମାଟିର ସାର୍ବଭୌମ ପାଇଁ ବା ସ୍ବାଧୀନତା ରକ୍ଷା ପାଇଁ ମସ୍ତକୋତ୍ତଳନ କରୁଥିଲା ।ଏ ଜାତିର ବିଜୟ ପତାକା ଦିନେ ଆକାଶମାର୍ଗରେ ଉଡ୍ଡୀୟାନ ହେଉଥିଲା ? ଆଜି ଦୀନ, ହୀନ,ନିର୍ବୀର୍ଯ୍ୟ,ଭୀରୁ ଓ ଦମ୍ଭ ସାହାସ୍ ବିଵର୍ଜିତ । ଆଜି ଓଡ଼ିଆ ଜାତି ବିଜାତି ଦ୍ବାରା ଅପମାନିତ, ଲଜ୍ଜିତ,ଲୁଣ୍ଠିତ, ପ୍ରପୀଡ଼ିତ, ଶୋଷିତ,ପଦଦଳିତ, ତା’ର ସୀମା ଭଗାରି ମାନଙ୍କ ଦ୍ବାରା ଅପହୃତ ।

ଦିନ ଥିଲା ଓଡ଼ିଆ ଜାତି ଅନ୍ୟ ଦ୍ବାରା ପ୍ରପୀଡ଼ିତ ଜାତିକୁ ଆପଣା କ୍ରୋଡରେ ନିଃଶଙ୍କ ଚିତ୍ତରେ ଆଶ୍ରୟ ପ୍ରଦାନ କରିଥିଲା । ବିଜେତା ମାନେ ଲେଖିଲେ ପରାଜିତର ଇତିହାସ । ଯାହା ଫଳରେ ଜୟୀ ରାଜଗୁରୁ, ବକ୍ସି, କୃତିବାସ ପାଟ୍ଟଶାଣୀ,ବୀର ସୁରେନ୍ଦ୍ର ସାଏ ଙ୍କ ଠାରୁ ମାଧବ ରାଉତରାୟ,ପିଣ୍ଡିକି ବାହୁବଳେନ୍ଦ୍ର ,ମାଧୋ ସିଂ,ଦିନା,ଲୋଚନ କନ୍ଧମାନେ ଭାରତ ଇତିହାସରେ ଯଥୋଚିତ ସ୍ଥାନ ପାଇଲେ ନାହିଁ । ଦେଶ ମୁକ୍ତି ଆନ୍ଦୋଳନର ସର୍ବକନିଷ୍ଠ ଶହୀଦ ଅକ୍ଟୋବର ୫ ତାରିଖ, ୧୯୨୬ ମସିହାରେ ଢେଙ୍କାନାଳ ଜିଲା ନୀଳକଣ୍ଠପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

ଇଂରେଜ ସରକାରଙ୍କ ରାଜତ୍ୱ କାଳରେ ଭାରତବର୍ଷରେ ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରିତରେ ଜର୍ଜରିତ ହେଉଥିଲେ । ସେତେବେଳେ ଇଂରେଜ ସରକାର ତାଙ୍କର ଶାସନ ପ୍ରଣାଳୀକୁ ସରଳ କରିବା ଉଦ୍ଦେଶ୍ୟରେ ସମଗ୍ର ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଗଡ଼ଜାତ ଅଞ୍ଚଳ ଭାବରେ ନାମିତ କରିଥିଲେ । ମୋଗଲବନ୍ଦୀ ଅଞ୍ଚଳଗୁଡ଼ିକରେ ଜମିଦାରମାନେ ଏବଂ ଗଡଜାତ ଅଞ୍ଚଳମାନଙ୍କରେ ରାଜାମାନେ ଶାସନ ନାମରେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ ।

ଏହି ଦୁଇ ଭାଗ ମଧ୍ୟରୁ ଗଡଜାତ ଅଞ୍ଚଳର ପ୍ରଜାମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡୁଥିଲା । ଗଡଜାତ ରାଜ୍ୟର ରାଜା ତଥା ପାରିଷଦବର୍ଗଙ୍କ ଯାବତୀୟ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ବେଠି, ବେଗାରି, ଯୋରଜବରଦସ୍ତ ଟିକସ ଅସୁଲ, ମନମୁଖିଶାସନ, ମିଥ୍ୟା ମୋକଦ୍ଦମା ପ୍ରଭୁତିରେ ଜର୍ଜରିତ ହେଉଥିଲେ ଗଡଜାତବାସୀ । ସମୟେ ସମୟେ ଗଡଜାତ ଅଞ୍ଚଳରେ ଏହି ଶୋଷଣ କଷଣରେ ଫଳସ୍ୱରୁପ ପୁଞ୍ଜୀଭୁତ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇ ବିସ୍ପୋରଣରରୁପ ଧାରଣ କରୁଥିଲା, କିନ୍ତୁ ଇଂରେଜ ସରକାର ତାହାକୁ କଳେବଳେ କୌଶଳେ ଦମନ କରୁଥିଲେ ।

ଏହିସବୁ ଗଡଜାତ ଆନ୍ଦୋଳନ ସେତେବେଳେ ସମଗ୍ର ଭାରତବର୍ଷରେ ଆଲୋଡନ ସୃଷ୍ଟି କରିଥିଲା । ୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ୱେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ । ସେ ପ୍ରଜାମଣ୍ଡଳର ସିପାହୀ ସାଜିଛନ୍ତି । ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳିଥିଲା । କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୁରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜ ମାନେ ଯେପରି ନଦୀ ପାର ନହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି କ୍ୟାମ୍ପକୁ ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାରି କରାଇବ । ଆଶଙ୍କାକୁ ସତ କରି ପୋଲିସ ମାନେ ପ୍ରଜା ମଣ୍ଡଳ ଆନ୍ଦୋଳନ ଦମନ କରିବାକୁ ଆସିଲେ । ମାତ୍ର ସେମାନଙ୍କ ଆଦେଶ ସତ୍ତ୍ୱେ ବାଜି ରାଉତ ଘାଟରୁ ଡ଼ଙ୍ଗା ଫିଟାଇଲେ ନାହିଁ ।

ପୋଲିସର ଧମକ ଚମକ ସତ୍ତ୍ୱେ କିଛି ଲାଭ ନହେବାରୁ, ସେମାନେ ତାଙ୍କୁ ସେଇଠି ଗୁଳି କରି ହତ୍ୟା କଲେ । ବାଜି ରାଉତଙ୍କ ଚିତ୍କାରରେ ସେତେବେଳକୁ ଅନେକ ଲୋକ ଆସିଯାଇଥିଲେ । ସେମାନେ ଡଙ୍ଗା ବାନ୍ଧି ପକାଇ ରଖିଲେ । ପୋଲିସ ମାନେ ଆଉ କିଛି ନକରି ଛୁରୀରେ ଡଙ୍ଗା ଦଉଡି କାଟି ମଝି ନଈକୁ ଡଙ୍ଗା ବୋହିନେଲେ । ଡଙ୍ଗା ମଝି ନଈରେ ଥିବା ବେଳେ ସେମାନେ କୂଳରେ ଥିବା ଲୋକଙ୍କୁ ଗୁଳି ଚାଳନା କଲେ ।

ସେଇଠି ଟଳି ପଡିଲେ ନିଳକଣ୍ଠପୁର ଗାଁର ଆଉ କେତେ ଜଣ – ହୁରୁଷି, ରଘୁ, ଗୁର, ନଟ, ଲକ୍ଷ୍ମଣ ଓ ଫଗୁ । ଦେଶ ପାଇଁ ଛୁଆ ବଡ଼ ମିଶି ସାତ ଜଣ ସହୀଦ ହୋଇଗଲେ । ନିଳକଣ୍ଠପୁର ଗୁଳିକାଣ୍ଡର ପରଦିନ ଅର୍ଥାତ୍ ୧୯୩୮ ମସିହା ଅକ୍ଟୋବର ମାସ ୧୨ ତାରିଖ ଦିନ ଦେଶ ପାଇଁ ପ୍ରାଣବଳି ଦେଇଥିବା ସାତଜଣ ବୀରଙ୍କର ପାର୍ଥିବ ଶରୀରକୁ କଟକ ଆଣି ବିରାଟ ପଟୁଆରରେ ଖାନନଗର ମଶାଣିରେ ଗୋଟିଏ ଚିତାରେ ସେମାନଙ୍କୁ ଦାହ କରା ଯାଇଥିଲା । ଶହୀଦ ଙ୍କ ଲୋହିତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।

ପ୍ରାଣନାଥ ପଟ୍ଟନାୟକ ଙ୍କ ୫୫ତମ ଶ୍ରାଦ୍ଧ ଦିବସ

ପ୍ରାଣନାଥ ପଟ୍ଟନାୟକ ଙ୍କ ୫୫ତମ ଶ୍ରାଦ୍ଧ ଦିବସ

ଆଜି ମହାନ୍ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଶାରେ ସାମ୍ୟବାଦୀ ଆନ୍ଦୋଳନର ପ୍ରତିଷ୍ଠାତା , ଚାଷୀ ମୂଲିଆ ,ଗରିବ ଖଟିଖିଆ ସର୍ବହରା ମେହନତୀ ମଣିଷର ଚିର ସାଥୀ, ଵେସାଲିସ ବିଦ୍ରୋହୀ ଜନନେତା ସାହିତ୍ୟିକ, ସାମ୍ବାଦିକ,କୃଷକ ଆନ୍ଦୋଳନର ସମର୍ପିତ କାଣ୍ଡାରୀ, ପ୍ରାକ୍ତନ ବିଧାୟକ, ଖୋର୍ଦ୍ଧା ମହାବିଦ୍ୟାଳୟ, ଜଟଣୀ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା , ନିଜର ସମସ୍ତ ସୁଖ ସ୍ଵାଛନ୍ଦକୁ ଜଳାଞ୍ଜଳି ଦେଇ ଅପରର ଦୁଃଖରେ ଵିଗଳିତ ହୃଦୟର ଅକୁତ୍ରୁମ କରୁଣା ପ୍ରଦର୍ଶକ ପ୍ରାଣନାଥ ପଟ୍ଟନାୟକ ଙ୍କ ୫୫ତମ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କର ଲୋହିତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।

୧୯୦୫ ମସିହା, ନଭେମ୍ବର ୧୬ ତାରିଖରେ ପ୍ରତିଭା ପ୍ରସଵିନୀ କଣାସର ଡିମିରି ଗ୍ରାମରେ, ପିତା ମଦନ ମୋହନ ଓ ମାତା ଚିତ୍ରାଙ୍ଗଦାଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ବିପ୍ଲବୀ ପ୍ରାଣନାଥ । କଣାସ ପ୍ରାଥମିକ ବିଦ୍ୟାଳୟରୁ ବୃତ୍ତି ପାଇ ପୁରୀରେ ଅଧ୍ୟୟନ କରିବା ସମୟରେ ବିଶ୍ବମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସମ୍ପର୍କରେ ଆସିଥିଲେ । ରେଭେନ୍ସା ମହାବିଦ୍ୟାଳୟର ଛାତ୍ର ଥିବା ସମୟରେ ଏହି ଉଦ୍ଦାମ ଯୁବକ ଜାତୀୟତାବାଦ ଭାବନାରେ ଉଦବୁଦ୍ଧ ହୋଇଥିଲେ ।

୧୯୩୦ ମସିହାରେ ଠିକ୍ ଆଜିର ଦିନରେ ( ଦଶହରା) ବାଲେଶ୍ଵର ସହରର ଅଫିମ ଓ ମଦ ଦୋକାନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୧୯୩୨ ମସିହାରେ ପୁରୀ ମେହେନ୍ତର ସଂଘର ସଭାପତି ଭାବରେ ଆନ୍ଦୋଳନ ଓ ବିପ୍ଲବୀ ଗୁରୁଚରଣ ପଟ୍ଟନାୟକଙ୍କ ସହ ବିଦେଶୀ ବସ୍ତ୍ର ବର୍ଜନ ଆନ୍ଦୋଳନର ନେତୃତ୍ଵ ନେଇ ଗିରଫ ହୋଇଥିଲେ ଓ ଛ ମାସ କାରାବରଣ କରିଥିଲେ । ଜେଲରୁ ମୁକ୍ତ ହୋଇ ପାଠ ପଢିବା ପାଇଁ ଗଲେ କାଶୀ ବିଦ୍ୟାପୀଠ, ତାହାର ପ୍ରତିଷ୍ଠାତା ଥିଲେ ଆଚାର୍ଯ୍ୟ ନରେନ୍ଦ୍ର ଦେବ । ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ସହ ଘନିଷ୍ଠତା, ସହପାଠୀ ଲାଲ୍ ବାହାଦୁର ଶ୍ରୀବାସ୍ତବ( ଆଦର୍ଶ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀ)ଙ୍କ ସହ ଶାସ୍ତ୍ରୀ ଉପାଧି ଲାଭ କରି ଓଡ଼ିଶା ଫେରି ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ୧୯୩୩ରେ “ଓଡ଼ିଶା କଙ୍ଗ୍ରେସ ସାମ୍ୟବାଦୀ ସଂଘ ଗଠନ କଲେ , ନବକୃଷ୍ଣ ଚୌଧୁରୀ ହେଲେ ସମ୍ପାଦକ ।

୧୯୩୫ ରେ ସାଥୀ ଗୁରୁଚରଣ ପଟ୍ଟନାୟକ ଓ ଭଗବତୀ ଚରଣ ପାଣିଗ୍ରାହୀଙ୍କ ସହ ମିଶି ଓଡ଼ିଶାରେ ସାମ୍ୟବାଦୀ ଓ କମ୍ୟୁନିଷ୍ଟ ପାର୍ଟି ପ୍ରତିଷ୍ଠା କରିଥିଲେ । ସେ ପର୍ଯ୍ୟନ୍ତ ଅବିବାହିତ ଥିବା ପ୍ରାଣନାଥ ଙ୍କୁ ସେତେବେଳେର ବିପ୍ଲବୀ ଜାତୀୟ କବି କୃଷ୍ଣ ମୋହନ ପଟ୍ଟନାୟକ ନିଜର ଅଲିଅଳି କନ୍ୟା ମଞ୍ଜରୀ ଦେବୀଙ୍କ ସହିତ ବିବାହ କରାଇଥିଲେ । ସେତେବେଳେ ସେ ବିବାହର ଘଟଣା ଦୃଶ୍ୟ ଥିଲା ଅତି ଆଶ୍ଚର୍ଯ୍ୟଜନକ । ୧୯୩୫ ମସିହା, ଜୁନ ୨୮ ତାରିଖରେ ଜମିଦାର କୃଷ୍ଣ ମୋହନଙ୍କ ପ୍ରେରିତ ପାଲିଙ୍କି ସବାରି ଫେରାଇ ଦେଇ ନିଜେ ଲଣ୍ଠନ ଧରି ସମସ୍ତଙ୍କ ଅଗୋଚରରେ ଯାଇ ବେଦି ପାଖରେ ପହଞ୍ଚିଥିଲେ ।

୧୯୩୬ ରେ ଖୋର୍ଦ୍ଧା ଠାରେ ଏକ ବିଶାଳ କୃଷକ ସମାବେଶ ଆୟୋଜନ କରିଥିଲେ, ସମାଜ ଖବରକାଗଜ ତଥ୍ୟ କୁହେ ଯେ ତାଙ୍କ ଡାକରାରେ ୧୦ ହଜାର କୃଷକ ଯୋଗ ଦେଇଥିଲେ, ଯେଉଁ ଥିରେ ବିପ୍ଲବୀ ମୋହନ ଦାଶ, ନବକୃଷ୍ଣ ଚୌଧୁରୀ, ଯଦୁମଣି ମଙ୍ଗରାଜ, ରାଜକୃଷ୍ଣ ବୋଷ ପ୍ରଭୃତି ଭାଷଣ ଦେଇଥିଲେ । ୧୯୩୭ ମସିହାରେ ପ୍ରଥମ ବିଧାନ ସଭା ନିର୍ବାଚନରେ ମାତ୍ର ଆଠ ଟଙ୍କା ( ଲୋକଙ୍କ ଦାନ) ରେ ସେ ଜଣେ ପୁଞ୍ଜି ଐରାବତଙ୍କୁ ପରାସ୍ତ କରି ଆଜିର ଭୁବନେଶ୍ୱର, ଖୋର୍ଦ୍ଧା, ଜଟଣୀ, ବୋଲଗଡ଼, ବେଗୁନିଆ ଅଞ୍ଚଳକୁ ନେଇ ଗଠିତ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ବିଧାନ ସଭାରେ ପ୍ରତିନିଧିତ୍ଵ କରିଥିଲେ, ଯେତେବେଳେ କି ଟିକସ ଦେଉଥିବା ଲୋକମାନେ ହିଁ କେବଳ ଭୋଟର ଥିଲେ । ଏଠାରେ ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଯେ ପଣ୍ଡିତ ନେହେରୁଙ୍କ ପ୍ରଥମ ଓଡ଼ିଶା ଗସ୍ତ ଥିଲା ବିପ୍ଲବୀ ପ୍ରାଣନାଥଙ୍କ ପ୍ରାର୍ଥୀତ୍ବ ସପକ୍ଷରେ ନିର୍ବାଚନୀ ସଭା ।

୧୯୩୮ରେ ପ୍ରଜା ଆନ୍ଦୋଳନର ନେତୃତ୍ବ ନେଇଥିଲେ । ୧୯୩୯ ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଗିରଫ ହୋଇ ,୬ ବର୍ଷ କାରାଦଣ୍ଡ ବରଣ କରି, ୧୯୪୫ରେ ମୁକ୍ତିଲାଭ କରିଥିଲେ । ସମଗ୍ର ଜୀବନରେ ସେ ଦଶଥର କାରାବରଣ କରିଥିଲେ ଏବଂ ଜେଲ୍ ରେ ୪୫ ଦିନ ଆମରଣ ଅନଶନ କରିଥିଲେ ,ଯାହା ସମଗ୍ର ଭାରତର ମୁକ୍ତି ଆନ୍ଦୋଳନରେ ଏକ ଅଭୂଲା ଅଧ୍ୟାୟ ।୧୯୪୭ ମସିହାରେ କୃଷକ ଆନ୍ଦୋଳନର ନେତୃତ୍ବ ନେଉଥିବା ସମୟରେ ମଳିପଡା ମଠ ମହନ୍ତ ତାଙ୍କ ବିରୋଧରେ ଏକ ଲଙ୍ଗଳ ଚୋରି ଅଭିଯୋଗ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଐତିହାସିକ ସୀମା ଆନ୍ଦୋଳନରେ ସେ ନେତୃତ୍ବ ନେଇଥିଲେ । ଆଜି ସୀମା ଅଭିଯାନ ସମୟରେ ତାଙ୍କର ସ୍ମୃତି ଆମର ମାର୍ଗଦର୍ଶନ ର ଅମୂଲ୍ୟ ପଣ୍ୟ । ୧୯୫୭ ନିର୍ବାଚନରେ ପୁନଃ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ବିଧାନସଭାରେ କମ୍ୟୁନିଷ୍ଟ ବିଧାୟକ ଦଳର ନେତା ହୋଇଥିଲେ ।

୧୯୫୯ ମସିହାରେ କଣାସ ଅଞ୍ଚଳର ଦୁଇ ଜଣ ବ୍ୟକ୍ତି ଖୋର୍ଦ୍ଧା ଓ ନିରାକାରପୁରରେ ଦୁଇଟି ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ନିରାକାରପୁରରେ ଦେଶର କେବଳ ନୁହେଁ, ଏସିଆ ମହାଦେଶର ପ୍ରଥମ ଗ୍ରାମାଞ୍ଚଳ ବିଜ୍ଞାନ ମହାବିଦ୍ୟାଳୟ କ୍ଷେତ୍ରବାସୀ ରାଉତରାୟ ଓ ପ୍ରାଣନାଥ ପଟ୍ଟନାୟକ ଖୋର୍ଦ୍ଧାରେ ଖୋର୍ଦ୍ଧା କଳା ମହାବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ । ମୋତି ଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ କରିବା ପାଇଁ ସେ ସ୍ବପ୍ନ ଦେଖିଥିଲେ ଓ ମୋତିଲାଲ୍ ଙ୍କ ପୁତ୍ର ପ୍ରଧାନମନ୍ତ୍ରୀ ନେହେରୁଙ୍କ ସହ ଆଲୋଚନା କରି ସିଦ୍ଧାନ୍ତ ହୋଇଥିଲା । ମହତାଵୀ ଚକ୍ରାନ୍ତ ହୋଇଥିଲା ପ୍ରତିବନ୍ଧକ ।

ଐତିହାସିକ ପଟିଆ ବନ୍ଧ ଓ କାକୁଡିଆ ବନ୍ଧ ନିର୍ମାଣରେ ତାଙ୍କର ନେତୃତ୍ବର ଇତିହାସ ରୋମାଞ୍ଚିତ । ସାରସ୍ବତ ସାଧନାରେ ତାଙ୍କର ଅମ୍ଲାନ ଅବଦାନ “ଆସନ୍ତାକାଲିର ସାହିତ୍ୟ” ଠାରୁ କମ୍ୟୁନିଷ୍ଟ ଦଳର ମୁଖପତ୍ର “ନୂଆ ଦୁନିଆ”ର ସମ୍ପାଦନା, ସୋଭିଏତ ସଂଘ ଯାତ୍ରା ର ଇତିହାସ ମଧ୍ୟ ରୋମାଞ୍ଚକର ।୧୯୭୦ ମସିହା,ଆଜିର ଦିନରେ କଲିକତା ରେ ଚିକିତ୍ସା କରାଯାଉଥିବା ସମୟରେ ମୃତ୍ୟୁ ବରଣ କରିଥିଲେ । ସେହି ମହାନ୍ ସ୍ଵାଧୀନତା ସଂଗ୍ରାମୀ, ବିପ୍ଲବୀ ଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି । ଆଜି ସକାଳ ନଅ ଘଣ୍ଟା ସମୟରେ ବିପ୍ଲବୀ ପ୍ରାଣନାଥଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧାଵଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପୂଜ୍ୟପୂଜା ସଂସ୍କୃତି ପ୍ରାଣ ସଜ୍ଜନବର୍ଗ ଯୋଗ ଦେବାପାଇଁ ନମ୍ର ନିବେଦନ କରୁ । ସନ୍ଧ୍ୟା ୬ ଟା ସମୟରେ ଜୟଦେବ ଭବନ ପ୍ରେକ୍ଷାଳୟରେ ସ୍ମୃତି ଚାରଣ ସଭା ରେ ଯୋଗଦେବା ପାଇଁ ପୂଜ୍ୟ ପୂଜା ସଂସ୍କୃତି ପ୍ରାଣ ମାନଙ୍କୁ ନମ୍ର ନିବେଦନ କରୁ ।

ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ

ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ

ଆଜି ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ (୩ ଅକ୍ଟୋବର ୧୮୯୦ – ୮ ଜାନୁଆରୀ ୧୯୬୩) ମହାନ୍ ସ୍ଵାଧୀନତା ସଂଗ୍ରାମୀ, ପ୍ରବୀଣ ସାରସ୍ବତ ସାଧକ, କବି, ସାମ୍ବାଦିକ, ସମାଜସେବୀ, ସଂସ୍କାରକ, ଐତିହାସିକ ଓ ରାଜନୀତିଜ୍ଞ ଙ୍କ ୧୩୬ ତମ ପବିତ୍ର ଜୟନ୍ତୀ ଦିବସ । ବାଲେଶ୍ୱର ନିକଟସ୍ଥ ମଣିଖମ୍ବ ଗ୍ରାମର କ୍ଷେତ୍ରମୋହନ ସାହୁଙ୍କର ସେ ଏକମାତ୍ର ସନ୍ତାନ ଥିଲେ । ସ୍କୁଲ ଶିକ୍ଷା ପରେ ସେ ଏକାଧିକ ବିଷୟରେ ଏମ୍.ଏ. ଓ ଏଲ୍.ଏଲ୍.ବି. ପାସ କରିଥିଲେ ।

ପୁରୀର ଭିକ୍ଟୋରିଆ କ୍ଳବ ହୋଟେଲରେ ଜଣେ ପରିଚାଳକ ଭାବେ ସେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ଅଳ୍ପ କିଛି ଦିନ ପରେ ସେ ଚାକିରି ଛାଡି, ଶିକ୍ଷକତା କରିଥିଲେ । ସେ ତାଙ୍କର ଜନଜାତି ସମ୍ପର୍କୀୟ ଲେଖା ଯୋଗୁ ଖ୍ୟାତିପ୍ରାପ୍ତ ହୋଇଥିଲେ । ଜନଜାତିଙ୍କର ପୁରୁଷ ପୁରୁଷ ଧରି ଚଳିଆସୁଥିବା ମୂଖନିସୃତ କାହାଣୀରେ ସ୍ୱର୍ଗ, ନର୍କ, ସୃଷ୍ଟି ଓ ମୃତ୍ୟୁ ବିଷୟରେ ସେ ଲେଖିଚାଲିଥିଲେ ।

ଓଡ଼ିଶାର ଗ୍ରାମ୍ୟ ନାଚ ତଥା ସଙ୍ଗୀତ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ସହ ଓତଃପ୍ରୋତ ଭାବେ ଜଡ଼ିତ ଥିଲେ ଓ ତାହାର ଉନ୍ନତି ଓ ସ୍ଥାୟୀତ୍ୱ ନିମନ୍ତେ କାମ କରିଥିଲେ । ଓଡ଼ିଆ ଛଡା ହିନ୍ଦୀ, ବଙ୍ଗଳା ଓ ସଂସ୍କୃତରେ ମଧ୍ୟ ଲେଖା ଲେଖି କରୁଥିଲେ । ଗଳ୍ପ ମଧ୍ୟରେ ବୀଣା, ସୁଲତା, କଣ୍ଟ୍ରୋଲ ରୁମ୍, କବିତା ମଧ୍ୟରେ ପଶର ଓ ସାମାଜିକ ଗଳ୍ପ “ସ୍ପ୍ରିଙ୍ଗ ଅଫ୍ ଦି ସୋଲ୍ “ତାଙ୍କୁ ପ୍ରସିଦ୍ଧି ଆଣିଥିଲା ।

ଓଡ଼ିଆ ଖବରକାଗଜ ସହକାର ଓ ଇଂରାଜୀ ଖବରକାଗଜ ଷ୍ଟାର ଅଫ୍ ଉତ୍କଳରେ ଧାରାବାହିକ ଭାବେ ଆଲେଖ୍ୟ ପ୍ରକାଶ କରି ଜନସଚେତନତା ସୃଷ୍ଟି କରୁଥିଲେ । ଅସ୍ପୃଶ୍ୟପ୍ରଥା ଓ ମହିଳାମାନଙ୍କ ଦୁର୍ଗତି ବିରୁଦ୍ଧରେ ସେ ସମାଜ ସଂସ୍କାରକ ଭାବେ କାମ କରୁଥିଲେ ।ସେ ଓଡ଼ିଶା ବିଧାନ ସଭାକୁ ୧୯୪୭ ମସିହାରେ ନିର୍ବାଚିତ ହୋଇଥିଲେ ଓ ଭାରତର ସମ୍ବିଧାନ ପ୍ରଣୟନ ସଭା ( କନ୍‌ସ୍ଟିଚୁଏଣ୍ଟ ଆସେମ୍ଲି)ର ସେ ସଭ୍ୟ ଥିଲେ ।

ସେ ତାଙ୍କର ଅଗ୍ନିବର୍ଷୀ ସାରଗର୍ଭକ ଭାଷଣଦ୍ୱାରା ଭାରତର ସମ୍ବିଧାନର ଚିଠା ପ୍ରସ୍ତୁତ ବେଳେ ଯୁକ୍ତି କରି କହିଥିଲେ ଯେ ତାହା ବିପଦଜନକ ଓ ବିପରୀତଧର୍ମୀ ଥିଲା ଯାହାକୁ ବାହାର ନ କଲେ ଭାରତକୁ ଭବିଷ୍ୟତରେ ଖଣ୍ଡ ବିଖଣ୍ଡ କରିଦେବ ଓ ଏହି ଯୁକ୍ତିକୁ ବି. ଆର୍. ଆମ୍ବେଦକର ମଧ୍ୟ ମାନିଥିଲେ ସତ୍ୟ ମାତ୍ର ପରିବର୍ତ୍ତନ କରିନଥିଲେ ।

ମାନବ ସେବାକୁ ମାଧବ ସେବା ଭାବେ ବ୍ରତ ଗ୍ରହଣ କରି ସମଗ୍ର ଜୀବନ ଦୁଃଖ, ନିର୍ଯ୍ୟାତନା ରେ ବିତାଇ ଥିଲେ । ଛାତ୍ରାବସ୍ଥାରୁ ଜାତିପ୍ରଥା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ସମାଜ ସଂସ୍କାର କ୍ଷେତ୍ରରେ ବହୁ କାର୍ଯ୍ୟ କରିଥିଲେ । ପଇତାକୁ ଏପରି ବାଖ୍ୟା କରିଥିଲେ ଯେ : “ପଇତାର ଛଅ ଖିଅ, ଛଅଟି ଗୁଣର ପ୍ରତୀକ , ତାହା ହେଲା ଯଜନ, ଯାଜନ, ଅଧ୍ୟୟନ, ଅଧ୍ୟାପନା, ଦାନ ଓ ପ୍ରତିଗ୍ରାହ । ଯାହାର ଏହି ଗୁଣ ଥିବ, ସେ ପଇତା ପକେଇ ପାରିବ ।”

ସନ ୧୯୫୫ ମସିହାରେ ସାହିତ୍ୟ ଓ ଶିକ୍ଷା ବିଷୟରେ ତାଙ୍କର ଦାନ ନିମନ୍ତେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରାଯାଇଥିଲା । ଓଡ଼ିଶା ଇତିହାସ ଉପରେ ତାଙ୍କର କାମ ନିମନ୍ତେ ତାଙ୍କୁ ଇତିହାସ ରଥ କୁହାଯାଉଥିଲା । ସେ ଏସିଆଟିକ୍ ସୋସାଇଟିର ସଭ୍ୟ, ଓଡ଼ିଆ ସାହିତ୍ୟ ଏକାଡେମିର ସଭାପତି ଓ ସର୍ଭାଣ୍ଟ ଅଫ ଇଣ୍ଡିଆ ସୋସାଇଟିର ସଭ୍ୟ ଥିଲେ ।

କଟକରେ ତାଙ୍କ ନାମରେ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟ ସ୍ଥାପିତ ହୋଇଛି । ଏହି ମହାତ୍ମାଙ୍କ ଆଜି ପବିତ୍ର ଜୟନ୍ତୀ ଅବସରରେ ତାଙ୍କର ଅମ୍ଲାନ ଅମୃତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି , ବନ୍ଦେ ଉତ୍କଳଜନନୀ।

ଏହା କେଉଁ ଗଣିତ ପାଠ ? ଅଙ୍କ ଗଣନାରେ ତ୍ରୁଟି

ଏହା କେଉଁ ଗଣିତ ପାଠ ? ଅଙ୍କ ଗଣନାରେ ତ୍ରୁଟି

ଭାରତର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଭିନ୍ନ ଗଣମାଧ୍ୟମ ଗତକାଲି ଲେଖିଲେ ଶାସ୍ତ୍ରୀଙ୍କ ୧୨୧ ତମ ଓ ମହାତ୍ମାଗାନ୍ଧୀଙ୍କ ୧୫୬ ତମ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି । ଏହା କେଉଁ ଗଣିତ ପାଠ ?

ଲାଲ ବାହାଦୂର ଶ୍ରୀବାସ୍ତବ (ଶାସ୍ତ୍ରୀ) ଙ୍କ ଜନ୍ମ ଅକ୍ଟୋବର ୨, ୧୯୦୪ । ସେହିପରି ମହାତ୍ମାଗାନ୍ଧୀଙ୍କ ଜନ୍ମ ମଧ୍ୟ ଅକ୍ଟୋବର ୨ ତାରିଖରେ ଏବଂ ମସିହା ହେଉଛି ୧୮୬୯ ।

୧୯୦୪ ମସିହାରେ ଜନ୍ମଲାଭ କରିଥିବା ଶାସ୍ତ୍ରୀ ବଞ୍ଚିଥିଲେ ତାଙ୍କୁ ୨୦୨୫, ଅକ୍ଟୋବର ୧ ତାରିଖ , ରାତି ୧୨ ଟା ପରେ ହୋଇଥାନ୍ତା କି ନାହିଁ ୧୨୬ ? ଅତଏବ ୧୨୬ ତମ ଜୟନ୍ତୀ । ହଁ, ହୋଇପାରିବ ୧୨୫ ତମ ପୂର୍ତ୍ତି ଜନ୍ମ ବାର୍ଷିକୀ । ଜନ୍ମ ରେ ଗୋଟିଏ ସଂଖ୍ୟା ମିଶାଣ, ମୃତ୍ୟୁରେ ଫେଡାଣ, ଏହାହିଁ ଗଣିତ । ଏହି ଆଧାରରେ ମହାତ୍ମାଗାନ୍ଧୀଙ୍କ ୧୫୭ ତମ ଜନ୍ମତିଥି ହେବା କଥା ।

ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ୨୦୧୭ ରେ ପାଳନ ସମୟରେ ଆମେ ପ୍ରଶ୍ନ କରିଥିଲୁ ଯେ ମାର୍ଚ୍ଚ ୫, ୧୯୧୬ ରେ ଜନ୍ମ ଗ୍ରହଣ କରିଥିବା ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଶତବାର୍ଷିକୀ ମାର୍ଚ୍ଚ ୫ ,୨୦୧୫ ରୁ ୨୦୧୬, ମାର୍ଚ୍ଚ ୪ ତାରିଖ ମଧ୍ୟରେ ପାଳନ କରାଯିବା କଥା । ସେତେବେଳେ କୁହାଗଲା , ଘୋଷଣା ତ ହୋଇସାରିଛି, ମଲା ଘୋଡ଼ା ର ଟାଙ୍କ ଗଣା କାହିଁକି ? ତର୍ଜମା ନ କରି ସିଧା ଫେଡି ଦେଇ ତଳିଆ କର୍ମଚାରୀ ଯାହା ନଥି ଦାଖଲ କରନ୍ତି, ତାହାକୁ ଗ୍ରହଣ କରି ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେବା ଅର୍ଥ ,ଭୁଲ ଉପରେ ଠିକ୍ ର ମୋହର ମାରିବା । ଶାସ୍ତ୍ର କୁହେ ସମାଜର ବଡ଼ବଡ଼ିଆ ମାନେ ଯାହା କରନ୍ତି, ତାହା ଲୋକେ କରିଥାନ୍ତି । ଠିକ୍ ଭାବେ ଶ୍ଲୋକ ଟି ମନେ ପଡୁନି , ବୋଧେ ଏୟା ଯେ ” ଯଦା ଯଦାଚରତି ଶ୍ରେଷ୍ଠଃ , ତଦାନୁଲୋକାନୁବର୍ତ୍ତତେ ” ।

ଏହି ନ୍ୟାୟ ରେ ଅନେକ ଜୟନ୍ତୀ ସଭାରେ ପ୍ରଦର୍ଶିତ ସୂଚନା ଲେଖନ ବା ବ୍ୟାନର ରେ ଭୁଲ୍ ଲେଖା ପ୍ରକାଶ ପାଇ ଆସୁଛି । ଅଧୁନା ସାମାଜିକ ବ୍ୟବସ୍ଥାରେ ଚଟପଟିଆ ସଂସ୍କୃତି ଗଭୀର ଭାବେ ପ୍ରଭାବ ବିସ୍ତାର କରି ଚାଲିଛି, ଯାହା କୁ ଇଂରାଜୀରେ କୁହାଯାଏ ଫାଷ୍ଟ ଫୁଡ୍ କଲଚର । ଗାଇ ପାଳ,ଘାସ,କୁଣ୍ଡା କୋଳଥ ଦିଅ, ଗୁହାଳ ସଫା କର, ଖିର ଦୁଅଁ , ଏତେ କଷ୍ଟ କାହିଁକି, ଓମଫେଡ ଅଛି । ସେହିପରି ସଂସ୍କୃତି ର ଇଂରାଜୀ ଅର୍ଥ କଲଚର ନୁହେଁ କି ବାର୍ଷିକ ଆୟ ବ୍ୟୟ ସାମ୍ଭାବ୍ୟ ଅଟକଳ ଅର୍ଥ ବଜେଟ ନୁହେଁ , ଏହିପରି ଅନେକ କୁନ୍ଥାଣ ଅନୁବାଦ ସମ୍ପର୍କରେ ଅନେକ ଆଲେଖ୍ୟ ଆଲୋଚନା କରି ଆସୁଥିଲେ ମଧ୍ୟ ତାହାର ସାମାନ୍ୟତମ ପ୍ରଭାବ ପଡିନାହିଁ , ଏହା ସତ୍ୟ ମାତ୍ର, ଆଗାମୀ ଦିନରେ ନିଶ୍ଚିତ ପଡିବ ।

୧୯୮୦ ମସିହାରେ ଆମେ ” ବନ୍ଦେ ଉତ୍କଳ ଜନନୀ” ସମ୍ବୋଧନ କରିଆସୁଥିବା ସମୟରେ ବହୁ ଥଟ୍ଟା ମଜା ର ସମ୍ମୁଖିନ ହୋଇଚୁ,ହୋଇଛୁ ମଧ୍ୟ ଲଜ୍ଜିତ । ୩୮ ବର୍ଷ ପରେ ତାହା ରାଜ୍ୟ ସଙ୍ଗୀତର ମାନ୍ୟତା ପାଇଛି । ସତ୍ୟ କୁ ଦିନେ ନା ଦିନେ ସମସ୍ତେ ଗ୍ରହଣ କରିବେ । ଭାରତ ଗୌରବ ମଧୁସୂଦନ ସ୍ବତନ୍ତ୍ର ଓଡିଶା ଦେଖି ନ ପାରିବା ଭଳି , ହୁଏତ ଆମ ଜୀବଦ୍ଦଶାରେ ହୋଇ ନପାରେ । ଶୁଭ ସକାଳରେ ମାର୍ମିକ ବେଦନା ବନ୍ଧୁ ମାନଙ୍କ ମଧ୍ୟରେ ବଣ୍ଟନ କରି ଆମେ ଟିକିଏ ହାଲୁକା ଅନୁଭବ କରୁଥିବା ବେଳେ ସକଳ ବନ୍ଧବର୍ଗଙ୍କ ସପରିବାର ବର୍ଗଙ୍କ ସକଳ ସୁମନାସ ପ୍ରାର୍ଥନାନ୍ତେ ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ।

ଦୁର୍ଗମଛେଦିନୀ, ଦୁର୍ଗତିନାଶିନୀ, ଶକ୍ତି ସ୍ୱରୂପିଣୀ ମାଆ

ଦୁର୍ଗମଛେଦିନୀ, ଦୁର୍ଗତିନାଶିନୀ, ଶକ୍ତି ସ୍ୱରୂପିଣୀ ମାଆ

କେଉଁ ଅନାଦି ଅନନ୍ତ କାଳରୁ ବିଶ୍ବାସ ରହି ଆସିଛି ଯେ
ଦୁର୍ଗମଛେଦିନୀ, ଦୁର୍ଗତିନାଶିନୀ, ଶକ୍ତି ସ୍ୱରୂପିଣୀ, ତ୍ରିଶୂଳଧାରିଣୀ, ବଳଦାୟିନୀ, ମହିଷମର୍ଦ୍ଦିନୀ, ଚଣ୍ଡମୁଣ୍ଡ ବିନାଶିନୀ ମା’ ଦୁର୍ଗା ହେଉଛନ୍ତି ସମସ୍ତ ଶକ୍ତିର ଅଧିଷ୍ଠାତ୍ରୀ ଦେବୀ । ଏହା ମଧ୍ୟ ବିଶ୍ଵାସ କରାଯାଏ ଯେ ମା’ ଦୁର୍ଗା ହେଉଛନ୍ତି ମୋକ୍ଷଦାତ୍ରୀ, ମଙ୍ଗଳମୟୀ । ମା’ ଦୁର୍ଗାଙ୍କୁ ଉପାସନା କଲେ ମଣିଷ ଧର୍ମ – ଅର୍ଥ – କାମ – ମୋକ୍ଷ ଚତୁର୍ବର୍ଗର ଫଳପ୍ରାପ୍ତି କରିଥାଏ । ଦୁର୍ଗାସାଧନାର ପ୍ରାପ୍ତିଫଳ ଅସୀମ ଏବଂ ଅନନ୍ତ । ଏକଦା ଦେବତାମାନେ ମାତାଦୁର୍ଗାଙ୍କୁ ଷୋଡଶ ଉପଚାରରେ ପୂଜା କଲେ । ଦେବତାମାନଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ଦୁର୍ଗତିନାଶିନୀ ଦୁର୍ଗା କହିଲେ – “ ହେ ଦେବଗଣ, ମୁଁ ତୁମ୍ଭମାନଙ୍କ ପୂଜାରେ ସନ୍ତୁଷ୍ଟ ।

ମୁଁ ତୁମ୍ଭମାନଙ୍କୁ ଏକ ଦୁର୍ଲଭବସ୍ତୁ ପ୍ରଦାନ କରିବି “ । ଦୁର୍ଗାଙ୍କ କଥା ଶୁଣି ଦେବତାମାନେ କହିଲେ – “ ହେ ମା’ ଦୁର୍ଗା ଆପଣ ଆମ୍ଭମାନଙ୍କର ଶତ୍ରୁ ମହିଷାସୁର, ଚଣ୍ଡମଣ୍ଡ ଓ ଶୁମ୍ଭନିଶୁମ୍ଭ ଆଦି ଦାନବମାନଙ୍କୁ ସଂହାର କରିଛନ୍ତି । ଆପଣ ଭକ୍ତମାନଙ୍କ ପାଇଁ କଳ୍ପବୃକ୍ଷ ଅଟନ୍ତି । ଆମ୍ଭେମାନେ ଆପଣଙ୍କର ଶରଣାପନ୍ନ । ଆପଣ ସଂକଟରେ ପଡ଼ିଥିବା ଭକ୍ତମାନଙ୍କୁ କିପରି ରକ୍ଷା କରନ୍ତି ସେହି କଥା ଆମ୍ଭ ନିକଟରେ ପ୍ରକାଶ କରନ୍ତୁ । ଦେବତାମାନଙ୍କର ପ୍ରାର୍ଥନା ଶୁଣି ଦୁର୍ଗାଦେବୀ କହିଲେ – ହେ ଦେବଗଣ, ମୁଁ ଯେଉଁ କଥା ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିବାକୁ ଯାଉଛି ତହ ଅତ୍ୟନ୍ତ ଦୁର୍ଲଭ ଅଟେ ।

ମୋର ବତିଶିଟି ନାମମାଳା ସମସ୍ତ ବିପଦକୁ ବିନାଶ କରି ଭକ୍ତର ସଂକଟମୋଚନ କରିଥାଏ । ତ୍ରିଭୁବନରେ ଏପରି ଦୁର୍ଲଭ ସ୍ତୁତି କିଛି ନାହିଁ  ,ଏହା ଖୁବ୍ ଗୋପନୀୟ । ଏହି ସ୍ତୁତି ହେଲା
“ଦୁର୍ଗା ଦୁର୍ଗାର୍ତ୍ତିଶମନୀ, ଦୁର୍ଗାପଦ୍ ବିନିବାରିଣୀ, ଦୁର୍ଗମଚ୍ଛେଦିନୀ, ଦୁର୍ଗସାଧିନୀ ଦୁର୍ଗନାଶିନୀ ,ଦୁର୍ଗତୋଦ୍ଧାରିଣୀ, ଦୁର୍ଗମଜ୍ଞାନନ୍ଦା ଦୁର୍ଗଦୈତ୍ୟ ଲୋକଦବାନଳା ,ଦୁର୍ଗମାଲୋକା ଦୁର୍ଗାମାତ୍ମ ସ୍ୱରୂପିଣୀ, ଦୁର୍ଗମାର୍ଗପ୍ରଦା ଦୁର୍ଗମବିଦ୍ୟା ଦୁର୍ଗମାଶ୍ରିତା ,ଦୁର୍ଗମଜ୍ଞାନ ସଂସ୍ଥାନା ଦୁର୍ଗମ ଧ୍ୟାନଭାସିନୀ, ଦୁର୍ଗମୋହା, ଦୁର୍ଗମଣା ଦୁର୍ଗମାର୍ଥସ୍ୱରୂପିଣୀ ,ଦୁର୍ଗମାସୁରସଂହନ୍ତୀ ଦୁର୍ଗମାୟୁଧ ଧାରିଣୀ, ଦୁର୍ଗମାଙ୍ଗୀ ଦୁର୍ଗମତା ଦୁର୍ଗମ୍ୟା ଦୁର୍ଗମେଶ୍ୱରୀ ,ଦୁର୍ଗଭୀମା, ଦୁର୍ଗଭାମା ଦୁର୍ଗଭା ଦୁର୍ଗଦାରିଣୀ, ନାମାବଳିମିମାଂଯସ୍ତୁ ଦୁର୍ଗାୟ ମମମାନବଃ ।” ସେହିପରି ମଧ୍ୟ ପ୍ରାର୍ଥନା କରାଯାଇ ଆସୁଛି”


ଅୟିଗିରି ନନ୍ଦିନୀ ନଂଦିତ ମେଦିନି ବିଶ୍ଵବିନୋଦିନି ନନ୍ଦିନୁତେ ।
ଗିରିବର ବିଂଧ୍ୟ ଶିରୋଧିନି ବାସିନି ବିଷ୍ଣୁବିଲାସିନି ବିଷ୍ଣୁନୁତେ ।।
ଭଗବତୀ ହେ ଶିତିକଣ୍ଠ କୁଟୁଂବିନି ଭୂରିକୁଟୁଂବିନି ଭୂରିକୃତେ
ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ
ସୁରବର ବର୍ଷିଣି ଦୁର୍ଦ୍ଧର ଧର୍ଷିଣି ଦୁର୍ମୁଖ ମର୍ଷିଣି ହର୍ଷରତେ ।
ତ୍ରିଭୁବନ ପୋଷିଣି ଶଂକର ତୋଷିଣି କିଳ୍ବିଷ ଶୋଷିଣି ଘୋଷରତେ ।

ଦନୁଜ ନିରୋଷିଣି ଦିତିସୁତ ରୋଷିଣି ଦୁର୍ମଦ ଶୋଷିଣି ସିନ୍ଧୁସୁତେ।

ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ ।

ଅୟି ଜଗଦଂବ ମଦଂବ କଦଂବ ବନପ୍ରିୟ ବାସିନି ହାସରତେ।

ଶିଖରିଶିରୋମଣି ତୁଙ୍ଗ ହିମାଲୟଶୃଂଗ ନିଜାଲୟ ମଧ୍ୟଗତେ ।

ମଧୁମଧୁରେ ମଧୁକୈଟଭ ଗଂଜିନି କୈଟଭଭଂଜିନି ରାସରତେ।

ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ ॥ ୩॥
ଅୟି ଶତଖଣ୍ଡ ବିଖଣ୍ଡିତ ରୁଣ୍ଡ ବିତୁଣ୍ଡିତ ଶୁଣ୍ଡ ଗଜାଧିପତେ।
ରିପୁଗଜ ଗଣ୍ଡ ବିଦାରଣ ଚଣ୍ଡ ପରାକ୍ରମ ଶୁଣ୍ଡ ମୃଗାଧିପତେ ।।
ନିଜ ଭୁଜଦଣ୍ଡ ନିପାତିତ ଖଣ୍ଡ ନିପାତିତ ମୁଣ୍ଡଭଟାଧିପତେ।
ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ
ଅୟି ରଣଦୁର୍ମଦ ଶତ୍ରୁ ବଧୋଦିତ ଦୁର୍ଧର ନିର୍ଜର ଶକ୍ତିଭୃତେ।
ଚତୁର ବିଚାର ଧୁରୀଣ ମହାଶିବ ଦୂତକୃତ ପ୍ରମଥାଧିପତେ ।।
ଦୁରିତ ଦୁରୀହ ଦୁରାଶୟ ଦୁର୍ମତି ଦାନବ ଦୂତ କୃତାଂତମତେ।
ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ
ଅୟି ଶରଣାଗତ ବୈରିବଧୂବର ବୀରବରାଭୟ ଦାୟକରେ।
ତ୍ରିଭୁବନ ମସ୍ତକ ଶୂଲବିରୋଧିଶିରୋ ଧିକୃତା ମଳ ଶୂଳକରେ ।।
ଦୁମି ଦୁମି ତାମର ଦୁଂଦୁଭି ନାଦମହୋ ମୁଖରୀକୃତ ତିଗ୍ମକରେ।
ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ
ଅୟିନିଜ ହୁଁକୃତି ମାତ୍ର ନିରାକୃତ ଧୂମ୍ର ବିଲୋଚନ ଧୂମ୍ରଶତେ।
ସମର ବିଶୋଷିତ ଶୋଣିତ ବୀଜସମୁଦ୍ଭବ ଶୋଣିତ ବୀଜରତେ
ଶିବଶିବ ଶୁଂଭନିଶୁଂଭ ମହାହବ ତର୍ପିତ ଭୂତ ପିଶାଚରତେ।
ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ
ଧନୁରନୁସଂଗ ରଣକ୍ଷଣସଂଗ ପରିସ୍ଫୁର ଦଂଗ ନଟତ୍କବକେ।
କନକ ପିଶଂଗ ପୃଷତ୍କନିଷଂଗ ରସଦ୍ଭଟଶୃଂଗ ହତାବଟୁକେ ।।
କୃତଚତୁରଙ୍ଗ ବଲକ୍ଷିତିରଙ୍ଗ ଘଟଦ୍ ବହୁରଙ୍ଗ ରଟଦ୍ ବଟୁକେ।
ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ
ସୁରଲଲନା ତତଥେୟିତ ଥେୟିତ ଥାଭିନୟୋତ୍ତର ନୃତ୍ୟରତେ।

ହାସବିଲାସ ହୁଳା ସମୟି ପ୍ରଣତାର୍ତଜନେଽମିତ ପ୍ରେମଭରେ ।

ଧିମିକିଟ ଧିକ୍କଟ ଧିକ୍କଟ ଧିମିଧ୍ଵନି ଘୋର ମୃଦଂଗ ନିନାଦରତେ।

ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ ।

ଜୟ ଜୟ ଜପ୍ୟ ଜୟେ ଜୟ ଶବ୍ଦ ପରସ୍ତୁତି ତତ୍ପର ବିଶ୍ଵନୁତେ।

ଝଣଝଣ ଝିଂଝିଂ ମିଝିଂକୃତ ନୂପୁର ସିଂଜିତ ମୋହିତ ଭୂତପତେ ।

ନଟିତନ ଟାର୍ଧ ନଟୀନଟ ନାୟକ ନାଟିତ ନାଟ୍ୟ ସୁଗାନରତେ।

ଜୟଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ
ଅୟି ସୁମନଃ ସୁମନଃ ସୁମନଃ ସୁମନଃ ସୁମନୋହର କାଂତିଯୁତେ।

ଶ୍ରିତ ରଜନୀ ରଜନୀ ରଜନୀ ରଜନୀ ରଜନୀକର ବକ୍ତ୍ରବୃତେ ।

ସୁନୟନ ବିଭ୍ରମ ରଭ୍ରମ ରଭ୍ରମ ରଭ୍ରମ ରଭ୍ରମ ରାଧିପତେ।

ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ ।

ସହିତ ମହାହବ ମଲ୍ଲ ମତଲ୍ଲିକ ମଲ୍ଲିତ ରଲ୍ଲକ ମଲ୍ଲରତେ।

ବିରଚିତ ବଲ୍ଲିକ ପଲ୍ଲିକ ମଲ୍ଲିକ ଝିଲ୍ଲିକ ଭିଲ୍ଲିକ ବର୍ଗବୃତେ ।

ସିତକୃତ ଫୁଲ୍ଲ ସମୁଲ୍ଲ ସିତାରୁଣ ତଲ୍ଲଜ ପଲ୍ଲବ ସଲ୍ଲଲିତେ।

ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ ।

ଅବିରଲଗଣ୍ଡ ଗଲନ୍ମଦ ମେଦୁର ମତ୍ତ ମତଙ୍ଗଜ ରାଜପତେ।

ତ୍ରିଭୁବନ ଭୂଷଣ ଭୂତ କଲାନିଧି ରୂପ ପୟୋନିଧି ରାଜସୁତେ ।

ଅୟି ସୁଦତୀ ଜନ ଲାଲସ ମାନସ ମୋହନ ମନ୍ମଥ ରାଜସୁତେ।

ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ ।

କମଳ ଦଳାମଳ କୋମଳ କାଂତିକଳା କଲିତାମଳ ଭାଳଲତେ।

ସକଳ ବିଳାସ କଳାନିଳ ଯକ୍ରମ କେଳି ଚଳତ୍କଳ ହଂସକୁଲେ ।

ଅଲିକୁଲ ସଙ୍କୁଲ କୁବଲୟ ମଣ୍ଡଲ ମୌଲି ମିଲଦ୍ ବକୁଲାଲିକୁଲେ।

ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ ।
କରମୁରଲୀ ରବ ବୀଜିତ କୂଜିତ ଲଜ୍ଜିତ କୋକିଳ ମଞ୍ଜୁମତେ।
ମିଲିତ ପୁଳିନ୍ଦ ମନୋହର ଗୁଞ୍ଜିତ ରଞ୍ଜିତ ଶୈଲ ନିକୁଞ୍ଜଗତେ।।
ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ ।
ଜୟ ଜୟ ହେ ମହିଷାସୁରମର୍ଦ୍ଦିନୀ ରମ୍ୟକପର୍ଦ୍ଦିନୀ ଶୈଳସୁତେ ।”

ଅତଏବ ବିଶ୍ବାସ କରାଯାଇ ଆସୁଛି ଯେ ମା’ ଦୁର୍ଗାଙ୍କ ଏହି ଦୁର୍ଲଭ ସ୍ତୁତିକୁ ଯିଏ ଗାନ କରେ ତା‘ର ସମସ୍ତ ପ୍ରକାର ଭୟ ଓ ଦୁଃଖକଷ୍ଟ ବିନାଶ ହୁଏ । ମଣିଷ କୌଣସି ବିପଦରେ ପଡ଼ିଲେ ଏହି ସ୍ତୋତ୍ର ଜପ କଲାମାତ୍ରେ ତା‘ର ବିପଦ କଟିଯାଏ । ମଣିଷର ବିପଦ ସମୟରେ ଏହା ହେଉଛି ଭୟନାଶକ ସ୍ତୁତି । ଯେଉଁ ମଣିଷ ବିପଦରେ ପଡ଼ି ଦୁର୍ଗାଙ୍କର ଏହି ବତିଶିଟି ନାମକୁ ହଜାର ଥର, ଦଶହଜାର ଥର କିମ୍ବା ଏକଲକ୍ଷ ଥର ପାଠ କରେ ସେହି ମନୁଷ୍ୟର ନିଶ୍ଚିତ ଭାବରେ ସମସ୍ତ ବିପଦ ଲାଘବ ହୋଇଥାଏ । ମାତା ଦୁର୍ଗା ପୁନର୍ବାର ଦେବତାମାନଙ୍କୁ କହିଲେ – ହେ ଦେବଗଣ, ମଣିଷ ମାଟିରେ ମୋର ଅଷ୍ଟଭୁଜା ମୂର୍ତ୍ତି ନିର୍ମାଣ କରି ଆଠଗୋଟି ବାହୁରେ ଗଦା, ଖଡ୍ଗ, ତ୍ରିଶୂଳ, ବାଣ, ଧନୁ, ପଦ୍ମ, ଢାଲ ଏବଂ ମୁଦ୍ଗର ଧାରଣ କରାଇ ମୋତେ ପୂଜା କରିବ । ସେହି ମାଟିର ମୂର୍ତ୍ତିରେ ମୋର ତ୍ରିନେତ୍ର ଥିବ ଏବଂ ମସ୍ତକରେ ଚନ୍ଦ୍ରମା ଥିବ । ମୋତେ ରକ୍ତବର୍ଣ୍ଣର ବସ୍ତ୍ର ପରିଧାନ କରାଇବ । ମୋର ବାହନ ସିଂହ ଥିବ । ମୋର ଏହି ସ୍ୱରୂପ ମହିଷାସୁରକୁ ନିଧନ କରୁଥିବ । ଏହିପରି ମୂର୍ତ୍ତି ନିର୍ମାଣ କରି ମଣିଷ ମୋତେ ଉପାସନା କଲେ ତା‘ର ସମସ୍ତ ଭୟ ଦୂରହେବ । କିମ୍ବଦନ୍ତୀ ଅନୁସାରେ ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ । ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ । ଯେଉଁ ମା’ର ଶସ୍ୟ ଆହାର କରି ମାନବ ଜୀବିକା ନିର୍ବାହ କରେ, ସେହି ଧରିତ୍ରୀ ରାଣୀର ବୟଃପ୍ରାପ୍ତିରେ ଉତ୍‌ଫୁଲ୍ଲ ହୋଇ ଜନ-ମାନସ ବାସନ୍ତୀ ଦୁର୍ଗାଙ୍କ ପୂଜାର ଆୟୋଜନ କରେ, ମାତ୍ର ଏକ ସାର୍ବଜନୀନ ପୂଜା ରୂପେ ଶାରଦୀୟ ଦେବୀପୂଜା ହିଁ ଅଧିକ ଲୋକପ୍ରିୟତା ଅର୍ଜନ କରିଅଛି । ଏହି ଶାରଦୀୟ ପର୍ବ ଭାରତର ପୁରପଲ୍ଲୀରେ ଦଶହରା ପର୍ବରୂପେ ପାଳନ କରାଯାଏ । ଏହି ପର୍ବର ମୂଳ ଲକ୍ଷ୍ୟ ହେଉଛି ଦେବୀ ଉପାସନା । ଦୁର୍ଗାପୂଜା ପରି ଦଶହରା ପର୍ବ ମଧ୍ୟ ବର୍ଷକରେ ଦୁଇଥର ପାଳନ କରାଯାଏ । ଜ୍ୟେଷ୍ଠମାସ ଶୁକ୍ଳଦଶମୀ ହେଉଛି ଗଙ୍ଗାମାତାଙ୍କର ଜନ୍ମଦିବସ I ଏହିଦିନ ଗଙ୍ଗାପୂଜା କରି ଗଙ୍ଗାନଦୀରେ ସ୍ନାନ କଲେ ତ୍ରିବିଧ ପାପ ଖଣ୍ଡନ ହୁଏ ବୋଲି ଏହି ତିଥିକୁ ‘ଦଶହରା’ ବା ‘ଦଶବିଧ’ ପାପହରଣ ଦିବସ କୁହାଯାଏ । ଏହି ତିଥିଟି ଲୋକମୁଖରେ ‘ଗଙ୍ଗା ଦଶହରା’ ନାମରେ ପରିଚିତ I ଅନ୍ୟ ଦଶହରା ପର୍ବଟି ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳିତ ହୁଏ I ଏହି ଦୁର୍ଗାପୂଜାର ଶେଷ ଦିବସ । ଏହି ଦଶହରା ପର୍ବ ଭାରତରେ ସର୍ବଜନବିଦିତ ପର୍ବ । ତେଣୁ ‘ଦଶହରା’ କହିଲେ ସମସ୍ତେ ଆଶ୍ୱିନ ଶୁକ୍ଳ ଦଶମୀକୁ ହିଁ ବୁଝନ୍ତି । ଏହି ଦଶହରା ଦିବସରେ ରାମଚନ୍ଦ୍ର ମାତୃଶକ୍ତି ବନଦୁର୍ଗାଙ୍କୁ ସ୍ତୁତି କରି ରାବଣର ନିଧନ ଉଦ୍ଦେଶ୍ୟରେ ଲଙ୍କା ଅଭିମୁଖେ ବିଜୟଯାତ୍ରା କରିଥିବାରୁ ଏହି ତିଥିକୁ ‘ବିଜୟା ଦଶମୀ’ କୁହାଯାଏ । ପୁଣି ଏହି ଦିବସର ଅବ୍ୟବହିତ ପୂର୍ବରୁ ସିଂହବାହିନୀ ଆଦ୍ୟା ଶକ୍ତି ଦୁର୍ଗା ଦୁର୍ଦ୍ଦମନୀୟ ମହିଷାସୁରକୁ ବଧ କରି ଦେବତାମାନଙ୍କର ମଙ୍ଗଳ ବିଧାନ କରିଥିଲେ । ଦେବୀଙ୍କ ସହ ଦାନବମାନଙ୍କର ଯୁଦ୍ଧ କନ୍ୟାମାସ ବା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ଧରି ଚାଲିଥିଲା । ଶୁକ୍ଳ ଅଷ୍ଟମୀ ଓ ନବମୀ ତିଥିରେ ମହାମାରୁ ହୋଇଥିଲା । ମହିଷାସୁର ସମେତ ସମସ୍ତ ଅସୁର ବଂଶ ନିପାତ ହେଲେ । ମହାମାରୁ ନବମୀ ରାତିର ଅନ୍ଧକାର ସହ ତ୍ରୈଲୋକ୍ୟରୁ ଅମଙ୍ଗଳର ଛାୟା ଅପସରି ଗଲା, ଶୁକ୍ଳ ଦଶମୀରେ ସବୁପ୍ରକାର ଶୁଭକାର୍ଯ୍ୟର ଆରମ୍ଭ ହେଲା । ଏହିଦିନ ଜଗତର ଦୁଃଖ ହରଣ ହୋଇଥିବାରୁ ଏହା ‘ଦୁଃଖହା ଦଶମୀ’ ନାମରେ ଖ୍ୟାତି ଲାଭ କରିଅଛି ବୋଲି ଆଦିକବି ଶୂଦ୍ରମୁନି ସାରଳା ଦାସ ‘ଚଣ୍ଡୀପୁରାଣ’ରେ ଲେଖିଛନ୍ତି । ‘ଦୁଃଖହା ଦଶମୀ’ ଦିନ ମହାଦଶାରୁ ଉଦ୍ଧାର ପାଇ ଦେବତାମାନେ ମହାଶକ୍ତି ବ୍ରହ୍ମମୟୀ ଦୁର୍ଗତିନାଶିନୀ ଦୁର୍ଗାଙ୍କୁ ସ୍ତୁତି କରିଥିବାରୁ ଏହି ତିଥିରେ ଦୁର୍ଗାଙ୍କର ଆରାଧନା କରାଯାଏ ।ଦେବୀ ମାହାତ୍ମ୍ୟ’ ମତେ: ‘ଚଣ୍ଡୀ’ ଶୁଣି ରାଜ୍ୟଭ୍ରଷ୍ଟ ରାଜା ସୁରଥଙ୍କର ମୋହ ତୁଟିଯିବା ପରେ ସେ ଦୁର୍ଗାପୂଜାର ପରମ୍ପରା ସୃଷ୍ଟି କରିଥିଲେ । ଦେବୀପୀଠଗୁଡ଼ିକରେ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ବ୍ୟାପୀ ପୂଜା ଅନୁଷ୍ଠିତ ହୁଏ । ଏହାକୁ ଷୋଳପୂଜା କୁହାଯାଏ । ଶୁକ୍ଳପକ୍ଷ ସପ୍ତମୀ ଦିନ ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପିତ ହୁଏ । ଅଷ୍ଟମୀଦିନ ମହାଷ୍ଟମୀ ପୂଜା ଓ ବଳିଦାନ କରାଯାଏ । ‘ବଳି’ ଶବ୍ଦର ଅର୍ଥ ହେଉଛି ଉପହାର । ଜଗତଜନନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଉପହାର ଦେବାକୁ ପଡେ । ତେଣୁ ଦେବୀପୂଜାରେ ବଳିଦାନର ବ୍ୟବସ୍ଥା ରହିଛି I ନବମୀ ଦିନ ରକ୍ତମୁଖା ଦେବୀଙ୍କୁ ଶାନ୍ତ କରିବା ପାଇଁ ଶାନ୍ତି ବୋଦା ପଡେ । ଦଶମୀ ଦିନ ମହା ସମାରୋହରେ ମୃଣ୍ମୟୀ ଦେବୀ ପ୍ରତିମା ଓ ଘଟ ବିସର୍ଜନ କରାଯାଏ I ପୁରୀଠାରେ ଦଶହରା ପରଦିନ ଦୁର୍ଗାଙ୍କର କ୍ରୋଧାନ୍ୱିତା ଶକ୍ତି ‘ଗୋସାଣୀ ଯାତ’ ଏବଂ ଏହି ତିଥିକୁ ଗୋସାଣୀ ଏକାଦଶୀ କୁହାଯାଏ I ଶାରଦୀୟ ଦୁର୍ଗାପୂଜାରେ ମହାସ୍ନାନ ବଳି ଏବଂ ହୋମର ବ୍ୟବସ୍ଥା ଥିବାରୁ ଏହାକୁ ‘ମହାପୂଜା’ ମଧ୍ୟ କୁହାଯାଏ । ବିବିଧ କାରଣରୁ ଦଶହରା ପର୍ବ ପାଳନ କରାଯାଉଥିବାରୁ ଏହା ଏକ ମହାନ ପାର୍ବଣରେ ପରିଣତ ହୋଇଛି । ଏହି ପର୍ବର ମହତ୍ତ୍ୱ ବିଷୟରେ ଦେବୀ ପୁରାଣରେ କୁହାଯାଇଛି ଯେ ଏହା ଏକ ମହାନ, ପବିତ୍ର ବ୍ରତ ଏବଂ ଏହି ବ୍ରତ ପାଳନ କଲେ ସିଦ୍ଧି ଲାଭ ହୁଏ ଓ ଶତ୍ରୁମାନେ ପରାଜିତ ହୁଅନ୍ତି I କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭର ପୂର୍ବରୁ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ବନଦୁର୍ଗାଙ୍କର ଆରାଧନା କରିବା ପାଇଁ ଉପଦେଶ ଦେଇଥିଲେ । ଇତିହାସ ପ୍ରସିଦ୍ଧ ଛତ୍ରପତି ଶିବାଜୀ ମଧ୍ୟ ମୋଗଲମାନଙ୍କ ସହ ଯୁଦ୍ଧ କରିବା ସମୟରେ ଦୁର୍ଗାଙ୍କର ଉପାସନା କରିଥିଲେ I ଦଶହରା ପର୍ବରେ ଦେବୀଙ୍କ ଶକ୍ତିର ପ୍ରତିଷ୍ଠା ପାଇଁ ଖଡ୍ ଗ ପୂଜା କରାଯାଏ I ଦଶହରା ଦିନ ଗୁରୁବାର ପଡ଼ିଲେ ଗୃହିଣୀମାନେ ପରିବାରର ମଙ୍ଗଳ ଲାଗି ସୁଦଶାବ୍ରତ ପାଳନ କରି ଗୃହଲକ୍ଷ୍ମୀଙ୍କ ପୂଜା କରନ୍ତି I ଭାଦ୍ରବ ମାସ ଶୁକ୍ଳ ଷଷ୍ଠୀଠାରୁ ଆରମ୍ଭ ହୋଇଥିବା ସୋମନାଥ ବ୍ରତର ଉଦ୍ ଯାପନ ପର୍ବ ମଧ୍ୟ ଦଶହରା ତିଥିରେ ପାଳିତ ହୁଏ I ପରମ- ଈଶ୍ୱରୀ ଦେବୀ ଦୁର୍ଗା ବିଶ୍ୱର ସକଳ ବସ୍ତୁରେ ପରିବ୍ୟାପ୍ତ I ସେ ମହାବିଦ୍ୟା, ମହାମାୟା ମହାଯୋଗେଶ୍ୱରୀ । ତାଙ୍କର ‘କ୍ଷର’ ବା ଶେଷ ନଥିବାରୁ ସେ ‘ଅକ୍ଷରା’ I
ଦେବୀ ଭାଗବତର ମତେ, ରାବଣର ନିଧନ ପାଇଁ ବ୍ରହ୍ମାଙ୍କ ପରାମର୍ଶ ମତେ ଶ୍ରୀରାମ ବସନ୍ତ କାଳରେ ଦେବୀପୂଜା କରିବାକୁ ଚାହିଁଲେ। କାରଣ, ଶରତକାଳ ଅକାଳ, ଆଷାଢ଼ ଶୁକ୍ଳ ଏକାଦଶୀ (ହରିଶୟନ ଏକାଦଶୀ)ଠାରୁ ହେମନ୍ତ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଦେବତାମାନେ ନିଦ୍ରା ଯାଆନ୍ତି । ବ୍ରହ୍ମାଙ୍କ ନିର୍ଦ୍ଦେଶ ମତେ ଶ୍ରୀରାମଚନ୍ଦ୍ର କନ୍ୟାରାଶିର ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଦେବୀଙ୍କ ଅକାଳ ବୋଧନ ନିମନ୍ତେ ପୂଜାର ଆୟୋଜନ କରିଥିଲେ । ଶ୍ରୀରାମ ଧ୍ୟାନ ବଳରେ, ଦେବୀ କୁମାରୀ ରୂପରେ ବିଲ୍ୱବୃକ୍ଷ ଶାଖାରେ ଶାୟିତ ଥିବା ଜାଣିପାରି, ସକାଳେ କଳ୍ପାରମ୍ଭ ଓ ସନ୍ଧ୍ୟାବେଳେ ବିଲ୍ୱବୃକ୍ଷମୂଳେ ଆରମ୍ଭ କଲେ ଦେବୀଙ୍କ୍ ବୋଧନ । ଏହାପରେ ସପ୍ତମୀ ତିଥିରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ । ସେତେବେଳେ ମଧ୍ୟ ଦେବୀ ସୁପ୍ତ ଅବସ୍ଥାରେ ଥିବାରୁ ଅଷ୍ଟମୀ ତିଥିରେ ଯୋଗିନୀଗଣଙ୍କୁ ଆହ୍ୱାନ କରି ଦେବୀଙ୍କୁ ପୁଣି ପୂଜା କଲେ । ଆଗତ ଯୋଗିନୀଗଣଙ୍କ କୋଳାହଳରେ ଦେବୀ କେବଳ କଡ଼ ଲେଉଟାଇ ପୁଣି ଶୋଇଲେ । ଏହା ପରେ ଅଷ୍ଟମୀର ଶେଷ ଓ ନବମୀର ଆରମ୍ଭ ବା ସନ୍ଧିକ୍ଷଣ ସମୟରେ ଶ୍ରୀରାମଚନ୍ଦ୍ର କଲେ ସନ୍ଧିପୂଜା । ଅଷ୍ଟମୀର ଚବିଶ ମିନଟ ଓ ନବମୀର ଚବିଶ ମିନଟ, ଏହିପରି ମୋଟ ଅଠଚାଳିଶ ମିନଟ ଧରି ଦେବୀ ଚାମୁଣ୍ଡାଙ୍କର ଏହି ବିଶେଷ ସନ୍ଧିପୂଜା କରିଥିଲେ । ଶ୍ରୀରାମ ଚାମୁଣ୍ଡାଙ୍କୁ ଆବାହନ କରି ଦେବୀ ଦୁର୍ଗାଙ୍କୁ ଉଠାଇବା ପାଇଁ ନିବେଦନ କଲେ । ଚାମୁଣ୍ଡାଙ୍କ ସହଯୋଗ ଫଳରେ ନବମୀ ତିଥିରେ ଦେବୀ ଦୁର୍ଗା ଜାଗ୍ରତ ହେଲେ । ଏତିକିବେଳେ ସେ ଦେବୀଙ୍କୁ କୁମାରୀ ରୂପରେ ଦର୍ଶନ କରି ଯୋଗିନୀମାନଙ୍କ ସହିତ ବିଶେଷ ପୂଜା କରି ଏକାସାଙ୍ଗେ ଶହେଆଠ ନୀଳପଦ୍ମ ଅର୍ପଣ କରିଥିଲେ । ସେହି ଦିନଠାରୁ କୁମାରୀ ରୂପୀ ଦେବୀଙ୍କର ପୂଜାର ଆରମ୍ଭ ।ଶରତକାଳୀନ ଦୁର୍ଗା ହେଉ ଅଥବା ବାସନ୍ତି ଦୁର୍ଗାପୂଜା, ଏଥିରେ ମୂର୍ତ୍ତି ସ୍ଥାପନ କରାଯାଇ ଜୀବନ୍ୟାସ କର୍ମ ସହ ପୂଜା ନିୟମ ପ୍ରଣୟନ ହେଉଥିଲେ ମଧ୍ୟ ଘଟସ୍ଥାପନ ଜନିତ ପୂଜା ଆବହମାନ କାଳରୁ ପ୍ରଚଳିତ । ବିଭିନ୍ନ ଭାବରେ ମୂର୍ତ୍ତିପୂଜାର ଆଦର ବଢିଥିଲେ ମଧ୍ୟ ମୂଳ ତତ୍ତ୍ୱକୁ ବାଦ ଦେବା ସମ୍ଭବ ହୋଇନାହିଁ । ବାସନ୍ତୀ ଦୁର୍ଗାପୂଜା ବିଶେଷ ଭାବେ ପାଳିତ ହୋଇ ନ ଥାଏ । ଅନ୍ୟପକ୍ଷରେ ଶରତକାଳୀନ ଦୁର୍ଗାପୂଜା ଏବେ ସାର୍ବଜନୀନ ପୂଜାର ସ୍ୱୀକୃତି ପାଇଛି, କିନ୍ତୁ ଉଭୟ ପୂଜା ଏବଂ ତା’ର ବିଧାନ ପ୍ରାୟତଃ ସମାନ ।
ଶରତକାଳୀନ ପୂଜା ଏବଂ ବାସନ୍ତୀପୂଜା ବ୍ୟତୀତ ଦକ୍ଷିଣ ଓଡ଼ିଶାରେ ଅନ୍ୟ ଦିନରେ ମା’ଙ୍କର ସ୍ୱପ୍ନାଦେଶ ଅଥବା ଆଜ୍ଞାମାଳ ପରିପ୍ରେକ୍ଷୀରେ ବିଧିବ୍ୟବସ୍ଥା ଅନୁଯାୟୀ ମଧ୍ୟ ମା’ଙ୍କର ପୂଜା ଅର୍ଚ୍ଚନା କରାଯାଏ । ଏଠାରେ ମଧ୍ୟ ଘଟ ସ୍ଥାପନ ଏବଂ ଘଟପୂଜା ଦେଖିବାକୁ ମିଳେ I ଏପରିକି ଘଟକୁ ମୁଣ୍ଡରେ ଧରି ପରିକ୍ରମା କରାଯାଇଥାଏ ।ମୂର୍ତ୍ତିପୂଜା ମାତ୍ର ଦୁଇଶହ ବର୍ଷ ଭିତରେ ଦେଖିବାକୁ ମିଳିଲା । ତେବେ ପ୍ରଥମେ ଧାତୁ ନିର୍ମିତ ମୂର୍ତ୍ତି ଦେଖିବାକୁ ମିଳୁଥିଲା ବେଳେ ମାତ୍ର ୧୦୦ରୁ ୧୫୦ ବର୍ଷ ମଧ୍ୟରେ ମାଟି ନିର୍ମିତ ମୂର୍ତ୍ତିର ବ୍ୟାପକ ପ୍ରସାର ଘଟିଛି । କିନ୍ତୁ ପ୍ରାରମ୍ଭରୁ ପ୍ରଚଳିତ ଘଟପୂଜା ଏବେ ବି ଅନୁଷ୍ଠିତ ହେଉଛି । ଆମର ସଂସ୍କୃତି ଅନୁଯାୟୀ ବିଭିନ୍ନ ପୂଜା ପଞ୍ଚଭୂତ ଉପରେ ଆଧାରିତ । ତାହା ହେଉଛି କ୍ଷିତ୍, ଅପ୍, ମରୁତ୍ ଏବଂ ବ୍ୟୋମ୍ । ମନୁଷ୍ୟ ପ୍ରଥମେ ମାଟିକୁ ପୂଜାକଲା । କାରଣ ଏହି ମାଟି ତାକୁ ରହିବା ପାଇଁ ଆଶ୍ରୟ ଦେଲା ଏବଂ ସେହିମାଟିରୁ ଉତ୍ପାଦିତ ଫଳ ଖାଇ ସେ ବଞ୍ଚିଲା । ସେହିପରି ଜଳ (ଅପ୍)କୁ ଜୀବନ ବୋଲି କହିଲା । ସେ ଜାଣିଥିଲା ଜଳ ବିନା ଜୀବନ ଅସମ୍ଭବ । ତେଣୁ ଭିନ୍ନ ଭିନ୍ନ ଜଳାଶୟ ବା ନଦୀକୂଳରେ ଗଢିଉଠିଲା ଜନବସତି । ପରବର୍ତ୍ତୀ ସମୟରେ କେତେକ ନଦୀ ତୀର୍ଥକ୍ଷେତ୍ର ରୂପେ ପରିଗଣିତ ହେଲେ । ତେଜର ମୂର୍ତ୍ତିମନ୍ତ ରୂପ ସୂର୍ଯ୍ୟଙ୍କୁ ଈଶ୍ୱର ଭାବେ ଗ୍ରହଣ କରାଗଲା । ଅବଶ୍ୟ ଅଗ୍ନିକୁ ଗ୍ରହଣ କଲା ଏହାପରେ । ପବନ (ମରୁତ) ଏବଂ ଆକାଶ (ବ୍ୟୋମ)କୁ ମଧ୍ୟ ନିଜର ପୂଜ୍ୟ ଭାବେ ସ୍ୱୀକୃତି ଦିଆଗଲା । ସମୟର ଧାରାରେ ଏହି ପଞ୍ଚଭୂତ ଯାହା ସହ ସମ୍ପର୍କିତ ସେମାନଙ୍କୁ ମଧ୍ୟ ଈଶ୍ୱରୀୟ ସତ୍ତାର ଅଂଶ ବା ଈଶ୍ୱର ଭାବେ ଗ୍ରହଣ କରାଯାଇଛି । ଯେପରି ବୃକ୍ଷକୁ ବୃକ୍ଷଦେବତା ଏବଂ ଶିଳା, ଧାତୁ ପ୍ରଭୃତି ପୂଜନୀୟ ହେଲେ । ଏହି ମହାପଞ୍ଚଭୂତମନଙ୍କ ଧର୍ମଗତ ସ୍ୱଭାବ ହେଲା- ଶବ୍ଦ, ସ୍ପର୍ଶ, ରୂପ, ରସ ଏବଂ ଗନ୍ଧ । ପୁନଃ ଏଗୁଡ଼ିକ ଆମର ପଞ୍ଚଇନ୍ଦ୍ରୀୟ ଅର୍ଥାତ୍ କର୍ଣ୍ଣ, ଚର୍ମ, ଚକ୍ଷୁ, ଜିହ୍ୱା ଓ ନାସାଦ୍ୱାରା ଗୃହିତ ହୋଇଥାନ୍ତି ।ବର୍ତ୍ତମାନ ଦେଖିବା ଏହି ଘଟରେ ଆମେ କେଉଁ କେଉଁ ଦେବତାଙ୍କୁ ଆବାହନ କରିଥାଉ । ଅବଶ୍ୟ ଜଳରେ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା, ସିନ୍ଧୁ ଏବଂ କାବେରୀର ପବିତ୍ର ଭାବଧାରାକୁ ସମ୍ମିଶ୍ରଣ କରାଯାଏ । ଗୋଟିଏ ଘଟ ମଧ୍ୟରେ ଅର୍ଥାତ ବିନ୍ଦୁ ମଧ୍ୟରେ ସିନ୍ଧୁର ପରିକଳ୍ପନା ହୋଇଥାଏ । ସେହିପରି ବିଘ୍ନ ବିନାଶକ ଗଣନାୟକ, ଜଳର ଦେବତା ବରୁଣ, ଇନ୍ଦ୍ର ଏବଂ ଦଶଦିଗପାଳ, ସୂର୍ଯ୍ୟଙ୍କ ସହ ନବଗ୍ରହ ଏବଂ ଗ୍ରାମଦେବତୀଙ୍କୁ ଆବାହନ କରି ଘଟରେ ସ୍ଥାପନା କରାଯାଇ ପୂଜା କରାଯାଏ । ଅନ୍ୟ ପକ୍ଷରେ ଘଟ ମୁଖରେ ଶିବ, କଣ୍ଠରେ ବିଷ୍ଣୁ, ତଳ ଭାଗରେ ବ୍ରହ୍ମା, ମଧ୍ୟଭାଗରେ ଅଷ୍ଟାଦଶ ମାତୃଗଣ, କୁକ୍ଷୀରେ ସପ୍ତସାଗର, ସପ୍ତଦ୍ୱୀପ ପୃଥିବୀ ଏବଂ ଉଦରରେ ସମସ୍ତ ତୀର୍ଥକୁ ସ୍ମରଣ କରି ପୂଜା କରାଯାଏ ।

ଶ୍ରୀରାମଚନ୍ଦ୍ର ରାବଣଙ୍କୁ ବଧ କରିବା ପାଇଁ ଶରତ କାଳରେ ଶ୍ରୀ ଶ୍ରୀ ଦୁର୍ଗାପୂଜା କରିଥିଲେ । ଏହାକୁ ‘ଅକାଳବୋଧନ’ କୁହାଯାଏ । କାରଣ ଶରତକାଳ ସୂର୍ଯ୍ୟ ଦକ୍ଷିଣାୟନ କରନ୍ତି । ଶ୍ରାବଣ ମାସରୁ ପୌଷମାସ ସୂର୍ଯ୍ୟଙ୍କ ଦକ୍ଷିଣାୟନ; ମାଘରୁ ଆଷାଢ଼ ସୂର୍ଯ୍ୟଙ୍କର ଉତ୍ତରାୟନ । ଦକ୍ଷିଣାୟନ ଦେବତାଙ୍କର ରାତ୍ରି । ତେଣୁ ଉତ୍ତରାୟନ ଦେବତାଙ୍କ ଆରାଧନାର ପ୍ରକୃଷ୍ଟ ସମୟ । ରାବଣ, ବ୍ରହ୍ମାଙ୍କ ବରରେ ଅପାରଶକ୍ତିର ଆଧିକାରୀ ହୋଇଥିବାରୁ ତାଙ୍କୁ ବଧ କରିବା ନିମନ୍ତେ ଦେବୀଙ୍କ କୃପା ଆବଶ୍ୟକ । ତେଣୁ ବ୍ରହ୍ମା ଶ୍ରୀରାମଚନ୍ଦ୍ରଙ୍କୁ ଶରତ କାଳରେ ଦେବୀଙ୍କ କଳ୍ପାରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ । ଶ୍ରୀରାମଚନ୍ଦ୍ର ଦ୍ୱନ୍ଦ୍ୱରେ ପଡ଼ିଲେ । ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ନିର୍ଦ୍ଦେଶ ଓ ଦେବଦେବୀଙ୍କର ଦକ୍ଷିଣାୟନ । ଦେବୀ ଜାଗ୍ରତ ନା ନିଦ୍ରିତ ? ଦେବୀ ଏବେ ଆବିର୍ଭୂତ ହେବେ ତ ? ତେଣୁ ସେ ଧ୍ୟାନମଗ୍ନ ହୋଇ ଜାଣିପାରିଲେ ଦେବୀ ତ୍ରିଶାଖା ବିଲ୍ୱଦଳରେ ‘କୁମାରୀ’ କନ୍ୟା ରୂପେ ଶାୟିତ । ଏହି ଦୃଶ୍ୟ ଅବଲୋକନ କରି ବିଭୋର ହେଲେ ଶ୍ରୀରାମଚନ୍ଦ୍ର । ଦେବୀଙ୍କୁ ଜାଗ୍ରତ କରାଇବେ ।ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଷଷ୍ଠୀଦିନ ‘ବିଲ୍ୱାଧିବାସ’ କଲେ ଶ୍ରୀରାମଚନ୍ଦ୍ର । ଷଷ୍ଠୀପରେ ସପ୍ତମୀରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ ମଧ୍ୟ ଦେବୀଙ୍କର ନିଦ୍ରାଭଙ୍ଗ ହେଲାନି । ଅଷ୍ଟମୀରେ ଯୋଗିନୀମାନଙ୍କୁ ଡାକି ବିଶେଷ ପୂଜାକରିଲେ ଶ୍ରୀରାମ । ତେଣୁ ଅଷ୍ଟମୀର ଶେଷ ଦଣ୍ଡ ଓ ନବମୀର ପ୍ରଥମ ଦଣ୍ଡ(୨୪+୨୪=୪୮ମିନିଟ) ସନ୍ଧିକ୍ଷଣରେ ପୂଜା କଲେ । ଏହାକୁ ‘ସନ୍ଧିପୂଜା’ କୁହାଯାଏ । ଚାମୁଣ୍ଡା ଦେବୀଙ୍କ ସହାୟତାରେ ଶ୍ରୀରାମଚନ୍ଦ୍ର ଏହି ‘ସନ୍ଧିପୂଜା’ କରିଥିଲେ । ଏହି ପୂଜା ପରେ ଅର୍ଥାତ୍‌ ନବମୀ ଦିନ ଦେବୀ ଜାଗ୍ରତ ହେଲେ ଏବଂ ପୁନର୍ବାର ‘କୁମାରୀ’ ରୂପରେ ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ ଦେଲେ । ତେଣୁ ନବମୀ ଦିନ କୁମାରୀ ପୂଜାର ପ୍ରଚଳନ ଅଛି । କୁମାରୀ ସାକ୍ଷାତ ଯୋଗିନୀ, ପରମାଦେବୀ ପୁଣି ପରମପ୍ରକୃତି । ଶ୍ରୀ ଶ୍ରୀ ଚଣ୍ଡୀରେ ଉଲ୍ଲେଖ ଅଛି ‘ସ୍ତ୍ରୀୟା ସମସ୍ତା ସକଳ ଜଗତ ସୁ’ ଅର୍ଥାତ୍‌ ସମସ୍ତ ସ୍ତ୍ରୀ ଜାତି ବ୍ରହ୍ମମୟୀ, ମହାମାୟା ଜଗଜ୍ଜନନୀଙ୍କର ଏକ ଅଂଶ ବିଶେଷ । ପ୍ରତି ନାରୀ ଭଗବତୀଙ୍କ ଅଂଶ ହେଲେ ମଧ୍ୟ କୁମାରୀଙ୍କ ମଧ୍ୟରେ ଭଗବତ୍‌ ସତ୍ତା ବିଶେଷ ଭାବରେ ପ୍ରକାଶିତ । ତନ୍ତ୍ରମତେ ଷୋହଳ ବର୍ଷ ପର୍ଯ୍ୟନ୍ତ ଅବିବାହିତା କନ୍ୟାଙ୍କୁ କୁମାରୀ କୁହାଯାଏ । ଯେତେଦିନ ପର୍ଯ୍ୟନ୍ତ କନ୍ୟା ଋତୁମତୀ ନ ହୁଅନ୍ତି ସେତେଦିନ ପର୍ଯ୍ୟନ୍ତ ‘କୁମାରୀ’ ତାହା କୁସୁମପରି ପବିତ୍ର । ତେଣୁ ସେତେଦିନ ପର୍ଯ୍ୟନ୍ତ କନ୍ୟା ଦେବସେବାରେ ନିବେଦିତ ହୋଇପାରିବେ । ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ କୁମାରୀ ରୂପରେ ଦର୍ଶନ କରିଥିଲେ ଏବଂ ପୂଜା କରିଥିଲେ ମଧ୍ୟ ପରବର୍ତ୍ତୀକାଳରେ ଶ୍ରୀଶ୍ରୀ ରାମକୃଷ୍ଣ ଓ ତାଙ୍କର ଶିଷ୍ୟ ବିବେକାନନ୍ଦ ଏହାର ବହୁଳ ପ୍ରଚାର କରିଥିଲେ ଏବଂ ରାଣୀ ରାସମଣୀ ଦେବୀଙ୍କଦ୍ୱାରା କୁମାରୀ ପୂଜାକରାଇ ଏହାର ପ୍ରସାର ମଧ୍ୟ କରିଥିଲେ। କାରଣ କୁମାରୀଙ୍କ ମଧ୍ୟରେ ଭଗବତ୍‌ ସତ୍ତା ଅନୁଭବ କରିଥିଲେ । ଏଣୁ ଦୁର୍ଗାପୂଜାର ନବମୀ ରାତ୍ରିରେ କେତେକ ବ୍ରାହ୍ମଣ ବଂଶୀୟ ସାତରୁ ଆଠ ବର୍ଷର କନ୍ୟାକୁ ପାଦରେ ଅଳତା, ଆଖିରେ କଜ୍ଜଳ ଓ କପାଳରେ ଚନ୍ଦନ ଟିପା ଦେଇ ସୁନ୍ଦର ଭାବରେ ସଜାଇ ନୂତନ ଶାଢ଼ି ପରିଧାନ କରାଇ ବିଭିନ୍ନ ଉପଢ଼ୌକନ ଦେଇ ପୂଜା କରାଯାଏ । ଏହାକୁ ‘କୁଆଁରୀ ଲକ୍ଷ୍ମୀ’ ପୂଜା କୁହାଯାଏ । ଓଡ଼ିଶାର ସବୁ ପୂଜାମଣ୍ଡପରେ ନବମୀ ଦିନ କୁମାରୀ ପୂଜା କରା ନ ଗଲେ ମଧ୍ୟ କଟକ ଜିଲ୍ଲାର ପୁନଙ୍ଗ ଗ୍ରାମର ଘୋଷଘର ପୂଜାମଣ୍ଡପରେ ଆବାହମାନକାଳରୁ କୁମାରୀ ପୂଜା ହୋଇଆସୁଛି । କଥିତ ଅଛି, ଯେଉଁମାନେ ଏହି ପୂଜା ଦର୍ଶନ କରନ୍ତି, ସେମାନେ ଚତୁବର୍ଗ ଫଳ ପାଆନ୍ତି । କୁମାରୀ ପୂଜା ହେଉଛି ନାରୀଜାତି ପ୍ରତି ସମ୍ମାନ ପ୍ରଦର୍ଶନର ଏକ ପ୍ରକ୍ରିୟା ମାତ୍ର । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜନ୍ମାଷ୍ଟମୀ ଅବସରରେ ନଦୀରୁ ମାଟି ଉଦ୍ଧାର କରାଯାଏ,ଯାହା ଦଶହରାର ପ୍ରଥମ ବିଧି।ଏହା ପରେ କାରିଗରମାନେ ମୂର୍ତ୍ତି ଗଠନରେ ବ୍ୟସ୍ତ ରହନ୍ତି । ପବିତ୍ର ମହାଳୟା ଅବସରରେ ମା’ଙ୍କ ମୃଣ୍ମୟ ମୂର୍ତ୍ତିରେ ଖଡ଼ି ଚଢାଯାଏ । ମହାଳୟାଠାରୁ ପ୍ରକୃତ ଦୁର୍ଗାପୂଜା ଆରମ୍ଭ ହୁଏ । କାରଣ ଏହି ଦିନଠାରୁ ଦୁର୍ଗାପୂଜା ମଧ୍ୟରେ ୧୦ ଦିନ ସମୟ ରହିଥାଏ, ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି କୁହାଯାଇଛି । ପ୍ରକୃତ ପୂଜାବିଧି ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ ।ଷଷ୍ଠୀ ତିଥିରେ ଅଧିବାସ, ବିଲ୍ୱବରଣ, ମା’ଙ୍କୁ ସ୍ୱାଗତ କରିବାକୁ ଯାଇ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ । ବେଲଗଛ ପାଖରେ ଏହି ପୂଜା ସମ୍ପନ୍ନ କରାଯାଏ । ଶେଷରେ ରାତ୍ରୀ କାଳରେ ଦେବୀ ପ୍ରତିମାର ଚକ୍ଷୁରେ ରଙ୍ଗ ଦେଇ ଚକ୍ଷୁଦାନ ସମ୍ପନ୍ନ ହୁଏ ଓ ମନ୍ତ୍ରଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯାଏ ।
ସପ୍ତମୀ ତିଥିରେ ନବପତ୍ରିକା ପୂଜା କରାଯାଏ, ଯେଉଁ ଥିରେ କଦଳୀ, ସାରୁ, ମାଣସାରୁ, ହଳଦୀ, ଅଶୋକ, ଡାଳିମ୍ବ, ବେଲ, ଜୟନ୍ତି ଓ ଧାନ ଏହି ନଅ ଜାତି ପତ୍ରଦ୍ୱାରା ଦୁର୍ଗାଙ୍କର ଗୋଟିଏ ମୁର୍ତ୍ତି ଗଠନ କରି ପୂଜା କରିବାର ବିଧି । ଏହା ପରେ ମହାସ୍ନାନ ବିଧି ସମ୍ପନ୍ନ ହୁଏ । ଚଣ୍ଡିପାଠହୋମ: ଦେବୀମାହାତ୍ମ୍ୟ (ମାର୍କଣ୍ଡେୟ ପୂରାଣାନ୍ତର୍ଗତ ଦୁର୍ଗାଙ୍କ ବିଷୟ ବର୍ଣ୍ଣନାତ୍ମକ ଗ୍ରନ୍ଥ) ଗ୍ରନ୍ଥର ଆବୃତ୍ତି ସହ ହୋମ ଓ ପୁଷ୍ପାଞ୍ଜଳୀ ପ୍ରଦାନ କରାଯାଏ । ଅଷ୍ଟମୀ , ଯାହା ମହାଷ୍ଟମୀ ଭାବେ ପରିଚିତ, ସେହି ତିଥିର ହୁଏ ମା’ଙ୍କ ମୂଖ୍ୟ ସନ୍ଧିପୂଜା । ମହାଷ୍ଟମୀର ଶେଷ ଦଣ୍ଡ ଓ ମହାନବମୀର ଆଦ୍ୟ ଦଣ୍ଡର ମଧ୍ୟକାଳୀନ ସମୟକୁ ସନ୍ଧି ସମୟ କୁହାଯାଏ । ଶାସ୍ତ୍ର ବିଧି ଅନୁସାରେ ଶାରଦୀୟ ଓ ବାସନ୍ତୀ ଦୁର୍ଗାପୂଜାରେ ଏହି ସନ୍ଧି କାଳହିଁ ଦେବୀଙ୍କୁ ବଳି ଦେବର ପ୍ରଶସ୍ତ ସମୟ । ଏହି ସମୟରେ ମା’ଙ୍କ ପାଖରେ ବଳି ଦିଆଯାଏ । ପୂର୍ବରୁ ଜୀବମାନଙ୍କୁ ବଳି ଦିଆଯାଉଥିଲା, ଆଜିକାଲି ଲାଉ, ପାଣିକଖାରୁ ଓ ବୋଇତିକଖାରୁ ବଳି ଦିଆଯାଉଛି । ଓଡ଼ିଶାରେ ଏହିଦିନ ମହିଳାମାନେ ଶାଢ଼ୀ, ଫେଣୀ ଇତ୍ୟାଦି ଆଣି ମା’ଙ୍କ ପାଖରେ ଭୋଗ କରିସାରିବା ପରେ ନୂଆ ବସ୍ତ୍ର ପରିଧାନ କରିଥାନ୍ତି । ନବମୀ ପୂଜାରେ ମା’ଙ୍କ ପୀଠରେ ମାଛ ଭୋଗ ହେଇଥାଏ।କଟକର ଅଲିଶାବଜାର, ଚାନ୍ଦିନୀ ଚୌକ ପ୍ରଭୃତି କେତେକ ପୂଜା କମିଟି ନବମୀ ପୂଜାରେ ବଡ଼ ଧରଣର ମାଛଭୋଗ କରିଥାନ୍ତି ।ଦଶମୀ ତିଥିରେ ବା ପବିତ୍ର ଦଶହରାରେ ଘଟ ବିସର୍ଜନ ଓ ଭସାଣି । ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା ଅପରାଜିତା ପୂଜା ଏହି ଦିବସର ସ୍ୱାତନ୍ତ୍ର । ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦା କଲା ଭଳି କାନ୍ଦବୋବାଳି କରୁଥିଲେ , ଯାହା ଏବେ ଆଉ ଦେଖିବାକୁ ମିଳେ ନାହିଁ । ବରଂ ଏହି ଅବସରରେ ମହିଳାମାନେ ସିନ୍ଦୁର ଖେଳ କରିଥାନ୍ତି । ଅନେକ ସ୍ଥାନରେ ସିନ୍ଦୁର ଖେଳ ପ୍ରତିଯୋଗିତା ହୁଏ । ଏହି ଦିବସର ପ୍ରମୁଖ ଭୋଗ ଦହି ପଖାଳ ।

ମହାଷ୍ଟମୀର ମହତ୍ତ୍ଵ ଓ ମହକ

ମହାଷ୍ଟମୀର ମହତ୍ତ୍ଵ ଓ ମହକ



ନବରାତ୍ରୀ ଦୂର୍ଗାପୂଜା ଉତ୍ସବର ଅଷ୍ଟମୀ ଦିନଟି ଦୂର୍ଗାଷ୍ଟମୀ ବା ମହାଷ୍ଟମୀ ଭାବେ କେଉଁ ଅନାଦି ଅନନ୍ତ କାଳରୁ  ଆମେ ଓଡିଆମାନେ ପାଳନ କରି ଆସୁଛନ୍ତି । ଏହାକୁ ମହାଷ୍ଟମୀ ଭାବେ ସମ୍ବୋଧିତ କରିବାର ବହୁବିଧ କାରଣ  ମଧ୍ୟ ଆମ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଦେବୀଙ୍କର ଅସ୍ତ୍ର ସବୁ ଏହି ଦିନ ପୂଜା କରାଯାଉଥିବାରୁ ଏହି ଦିବସକୁ ‘ଅସ୍ତ୍ର ପୂଜା’ ଦିବସ ମଧ୍ୟ କୁହାଯାଏ । ଅନେକ ସ୍ଥାନରେ ଅସ୍ତ୍ର ବ୍ୟବହାର କରି ସାମରିକ କଳା କୌଶଳ ପ୍ରଦର୍ଶନ କରୁଥିବାରୁ ଏହି ଦିବସକୁ ବୀର ଅଷ୍ଟମୀ ମଧ୍ୟ କୁହାଯାଏ ।

କେବଳ ଓଡିଆ ନୁହନ୍ତି, ସାମଗ୍ରିକ ଭାବେ ଏହି ପବିତ୍ର ତିଥିଟି ହିନ୍ଦୁମାନଙ୍କର ଏକ ପବିତ୍ର ଦିବସ । ହିନ୍ଦୁମାନଙ୍କର ଦିନ ପଞ୍ଜିକା ବା କ୍ୟାଲେଣ୍ଡର ଅନୁସାରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ଅଷ୍ଟମୀ ତିଥିରେ ଏହି ଦିବସ ପାଳନ କରାଯାଇ ଆସୁଛି । କେତେକ ସ୍ଥାନରେ ବିଶ୍ୱାସ କରାଯାଏ ଯେ ମା’ ଦୂର୍ଗାଙ୍କର କପାଳରୁ ଦେବୀ ଚାମୁଣ୍ଡା ଏହି ଦିବସରେ ଜାତ ହୋଇ ମହିଷାସୁରର  ତିନି ସାଥି ଚଣ୍ଡ, ମୁଣ୍ଡ ଓ ରକ୍ତବୀଜ ଅସୁରଙ୍କୁ ମାରିଥିଲେ ।

ଚଉଷଠି ଯୋଗିନୀ ଓ ଅଷ୍ଟ ଶକ୍ତି ବା ଅଷ୍ଟ ମାତୃକା (ଦେବୀ ଦୁର୍ଗାଙ୍କର ଭୟାନକ ରୂପ) ପୂଜା ମଧ୍ୟ ଏହି ଦିନ କରାଯାଏ । ଭାରତର ବିଭିନ୍ନ ସ୍ଥାନରେ ଅଷ୍ଟଶକ୍ତିଙ୍କର ବିଭିନ୍ନ ପ୍ରକାରର ବର୍ଣ୍ଣନା କରାଯାଏ ସତ୍ୟ କିନ୍ତୁ, ସମସ୍ତ ଦେବୀ ଶକ୍ତିଙ୍କର ଅବତାର ରୂପେ ମାନ୍ୟତା ପାଇ ଆସୁଛନ୍ତି। ପୂଜା ପାଉଥିବା ଏହି ଅଷ୍ଟ ଶକ୍ତିଙ୍କର ନାମ ୟଥାକ୍ରମେ ବ୍ରାହ୍ମଣୀ, ମାହେଶ୍ୱରୀ, କୌମାରୀ, ବୈଷ୍ଣବୀ, ବରାହୀ, ନରସିଂହୀ, ଇନ୍ଦ୍ରାଣୀ ଓ ଚାମୁଣ୍ଡା । ଉତ୍ତର ଭାରତରେ ଏହି ପବିତ୍ର ତିଥିରେ କୁମାରୀମାନଙ୍କୁ ଘରକୁ ଡାକି ସମ୍ମାନ ଦେବା ପରମ୍ପରା ଆରମ୍ଭ ହୋଇଥିଲା ଏକ ଦୂର୍ଗାଷ୍ଟମୀ ଦିନ ।

ପାଞ୍ଚ ରୁ ସାତ ଜଣ କୁଆଁରୀ ଝିଅଙ୍କୁ ଘରକୁ ଡାକି ସମ୍ମାନ ଦିଆଯାଏ । ଏହାର ତାତ୍ପର୍ଯ୍ୟ ହେଲା, କନ୍ୟାମାନଙ୍କୁ ପୃଥିବୀରେ ମା’ ଦୂର୍ଗାଙ୍କର ଶକ୍ତି ବୋଲି ମନେ କରାଯାଏ । ସେହି ଝିଅମାନେ ଆସିଲେ ଘର ଭିତରକୁ ଆସିବା ପୂର୍ବରୁ ତାଙ୍କର ପାଦ ଧୋଇଦେଇ ଘରକୁ ସ୍ୱାଗତ କରାଯାଏ ଓ ତା’ପରେ ତାଙ୍କର ଆଳତି ଓ ପୂଜା କରାଯାଏ । ଏହା ପରେ ତାଙ୍କୁ ଖାଦ୍ୟ ଓ ମିଠା ଓ ଉପହାର ଦେଇ ଆପ୍ୟାୟିତ କରାଯାଇଥାଏ । କେଉଁ ଆବହମାନ କାଳରୁ ଜନ ବିଶ୍ବାସ ରହିଆସିଛି ଯେ ଦୂର୍ଗାପୂଜା ହେଉଛି  ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ ।

ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି ମେଧା ଋଷିଙ୍କର ମାର୍ଗ ଦର୍ଶନରେ ମାତା ଦୁର୍ଗାଙ୍କୁ ସନ୍ତୁଷ୍ଟ କରି ତାଙ୍କ ଆଶୀର୍ବାଦରୁ ରାଜ୍ୟହୀନ ରାଜା ସୁରଥ ପୁନଃ ନିଜ ରାଜ୍ୟ ଫେରି ପାଇଥିଲେ ଓ ସମାଧି ବୈଶ୍ୟ ମଧ୍ୟ ନିଜର ଅଭିଳଷିତ ବର ଲାଭ କରି ପାରିଥିଲେ । ସମସ୍ତ ଦେବତା ଯେବେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ , ଜର୍ଜରିତ , ନିର୍ଯ୍ୟାତିତ , ଲଜ୍ଜିତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନ ହୋଇଥିଲେ,ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ ଏବଂ ଦେବୀ ଦୁର୍ଗା ପ୍ରକଟିତା ହେଲେ । ସମସ୍ତ ଦେବତା ନିଜ ନିଜ ଆୟୁଧ ଅସ୍ତ୍ରଶସ୍ତ୍ର ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ ।

ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ୱାରା ମହିଷାର ହୃଦୟ ବିଦ୍ଧ କଲେ, ଖଡ୍ଗଦ୍ୱାରା ଶିରଚ୍ଛେଦ କଲେ । ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ । ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ପ୍ରଭୁ ଲୋକାଭିରାମ ଅଭିରାମ ଶ୍ରୀରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ୱିନରେ ଏହି ପୂଜା କରିଥିଲେ, ସେବେଠାରୁ ଏହା ଉଭୟ ଚୈତ୍ର ବାସନ୍ତୀ ନବରାତ୍ର ଓ ଆଶ୍ୱିନ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ସମୟରେ ଦେବୀଙ୍କ ମହାପୂଜା ପ୍ରଚଳିତ ।

ନବମୀର ପରବର୍ତ୍ତୀ ଦିନ ବିଜୟ ଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ,ଏହା ଦେବତାମାନଙ୍କ ଦ୍ୱାରା ମା ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଇଥାଏ ।  କୁହାଯାଇଛି  ଯେ ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ । ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ । ଯେଉଁ ମାଆ ବସୁନ୍ଧରା ଙ୍କ ପ୍ରଦତ୍ତ  ଶସ୍ୟ ଆହାର କରି ମାନବ ଜୀବିକା ନିର୍ବାହ କରେ, ସେହି ଧରିତ୍ରୀ ରାଣୀର ବୟଃପ୍ରାପ୍ତିରେ ଉତ୍‌ଫୁଲ୍ଲ ହୋଇ ଜନ-ମାନସ ବାସନ୍ତୀ ଦୁର୍ଗାଙ୍କ ପୂଜାର ଆୟୋଜନ କରେ, ମାତ୍ର ଏକ ସାର୍ବଜନୀନ ପୂଜା ରୂପେ ଶାରଦୀୟ ଦେବୀପୂଜା ହିଁ ଅଧିକ ଲୋକପ୍ରିୟତା ଅର୍ଜନ କରିଆସିଛି ।

ଏହି ଶାରଦୀୟ ପର୍ବ କେବଳ ଓଡ଼ିଶା ରେ ନୁହେଁ, ସମଗ୍ର ଭାରତର ପୁରପଲ୍ଲୀରେ ଦଶହରା ପର୍ବ ରୂପେ ପାଳନ କରାଯାଇ ଆସୁଛି । ଏହି ପର୍ବର ମୂଳ ଲକ୍ଷ୍ୟ ହେଉଛି ଦେବୀ ଉପାସନା । ଦୁର୍ଗାପୂଜା ପରି ଦଶହରା ପର୍ବ ମଧ୍ୟ ବର୍ଷକରେ ଦୁଇଥର ପାଳନ କରାଯାଏ । ଜ୍ୟେଷ୍ଠମାସ ଶୁକ୍ଳଦଶମୀ ହେଉଛି ଗଙ୍ଗାମାତାଙ୍କର ଜନ୍ମଦିବସ I ଏହିଦିନ ଗଙ୍ଗାପୂଜା କରି ଗଙ୍ଗାନଦୀରେ ସ୍ନାନ କଲେ ତ୍ରିବିଧ ପାପ ଖଣ୍ଡନ ହୁଏ ବୋଲି ଏହି ତିଥିକୁ ‘ଦଶହରା’ ବା ‘ଦଶବିଧ’ ପାପହରଣ ଦିବସ କୁହାଯାଏ ।

ଏହି ତିଥିଟି ଲୋକମୁଖରେ ‘ଗଙ୍ଗା ଦଶହରା’ ନାମରେ ପରିଚିତ I ଅନ୍ୟ ଦଶହରା ପର୍ବଟି ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳିତ ହୁଏ I ଏହି ଦୁର୍ଗାପୂଜାର ଶେଷ ଦିବସ । ଏହି ଦଶହରା ପର୍ବ ଭାରତରେ ସର୍ବଜନବିଦିତ ପର୍ବ । ତେଣୁ ‘ଦଶହରା’ କହିଲେ ସମସ୍ତେ ଆଶ୍ୱିନ ଶୁକ୍ଳ ଦଶମୀକୁ ହିଁ ବୁଝନ୍ତି । ଏହି ଦଶହରା ଦିବସରେ ରାମଚନ୍ଦ୍ର ମାତୃଶକ୍ତି ବନଦୁର୍ଗାଙ୍କୁ ସ୍ତୁତି କରି ରାବଣର ନିଧନ ଉଦ୍ଦେଶ୍ୟରେ ଲଙ୍କା ଅଭିମୁଖେ ବିଜୟଯାତ୍ରା କରିଥିବାରୁ ଏହି ତିଥିକୁ ‘ବିଜୟା ଦଶମୀ’ କୁହାଯାଏ । ପୁଣି ଏହି ଦିବସର ଅବ୍ୟବହିତ ପୂର୍ବରୁ ସିଂହବାହିନୀ ଆଦ୍ୟା ଶକ୍ତି ଦୁର୍ଗା ଦୁର୍ଦ୍ଦମନୀୟ ମହିଷାସୁରକୁ ବଧ କରି ଦେବତାମାନଙ୍କର ମଙ୍ଗଳ ବିଧାନ କରିଥିଲେ । ଦେବୀଙ୍କ ସହ ଦାନବମାନଙ୍କର ଯୁଦ୍ଧ କନ୍ୟାମାସ ବା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ଧରି ଚାଲିଥିଲା । ଶୁକ୍ଳ ଅଷ୍ଟମୀ ଓ ନବମୀ ତିଥିରେ ମହାମାରୁ ହୋଇଥିଲା ।

ମହିଷାସୁର ସମେତ ସମସ୍ତ ଅସୁର ବଂଶ ନିପାତ ହେଲେ । ମହାମାରୁ ନବମୀ ରାତିର ଅନ୍ଧକାର ସହ ତ୍ରୈଲୋକ୍ୟରୁ ଅମଙ୍ଗଳର ଛାୟା ଅପସରି ଗଲା, ଶୁକ୍ଳ ଦଶମୀରେ ସବୁପ୍ରକାର ଶୁଭକାର୍ଯ୍ୟର ଆରମ୍ଭ ହେଲା । ଏହିଦିନ ଜଗତର ଦୁଃଖ ହରଣ ହୋଇଥିବାରୁ ଏହା ‘ଦୁଃଖହା ଦଶମୀ’ ନାମରେ ଖ୍ୟାତି ଲାଭ କରିଅଛି ବୋଲି ଆଦିକବି ଶୂଦ୍ରମୁନି ସାରଳା ଦାସ ‘ଚଣ୍ଡୀପୁରାଣ’ରେ ଲେଖିଛନ୍ତି । ‘ଦୁଃଖହା ଦଶମୀ’ ଦିନ ମହାଦଶାରୁ ଉଦ୍ଧାର ପାଇ ଦେବତାମାନେ ମହାଶକ୍ତି ବ୍ରହ୍ମମୟୀ ଦୁର୍ଗତିନାଶିନୀ ଦୁର୍ଗାଙ୍କୁ ସ୍ତୁତି କରିଥିବାରୁ ଏହି ତିଥିରେ ଦୁର୍ଗାଙ୍କର ଆରାଧନା କରାଯାଏ ।ସ’ଦେବୀ ମାହାତ୍ମ୍ୟ’ ରେ ବର୍ଣ୍ଣିତ ଯେ ‘ଚଣ୍ଡୀ’ ଶୁଣି ରାଜ୍ୟଭ୍ରଷ୍ଟ ରାଜା ସୁରଥଙ୍କର ମୋହ ତୁଟିଯିବା ପରେ ସେ ଦୁର୍ଗାପୂଜାର ପରମ୍ପରା ସୃଷ୍ଟି କରିଥିଲେ । ଦେବୀସପୀଠଗୁଡ଼ିକରେ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ବ୍ୟାପୀ ପୂଜା ଅନୁଷ୍ଠିତ ହୁଏ ।

ଏହାକୁ ଷୋଳପୂଜା କୁହାଯାଏ । ଶୁକ୍ଳପକ୍ଷ ସପ୍ତମୀ ଦିନ ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପିତ ହୁଏ । ଅଷ୍ଟମୀଦିନ ମହାଷ୍ଟମୀ ପୂଜା ଓ ବଳିଦାନ କରାଯାଏ । ‘ବଳି’ ଶବ୍ଦର ଅର୍ଥ ହେଉଛି ଉପହାର । ଜଗତଜନନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଉପହାର ଦେବାକୁ ପଡେ । ତେଣୁ ଦେବୀପୂଜାରେ ବଳିଦାନର ବ୍ୟବସ୍ଥା ରହିଛି I ନବମୀ ଦିନ ରକ୍ତମୁଖା ଦେବୀଙ୍କୁ ଶାନ୍ତ କରିବା ପାଇଁ ଶାନ୍ତି ବୋଦା ପଡେ । ଦଶମୀ ଦିନ ମହା ସମାରୋହରେ ମୃଣ୍ମୟୀ ଦେବୀ ପ୍ରତିମା ଓ ଘଟ ବିସର୍ଜନ କରାଯାଏ I ପୁରୀଠାରେ ଦଶହରା ପରଦିନ ଦୁର୍ଗାଙ୍କର କ୍ରୋଧାନ୍ୱିତା ଶକ୍ତି ‘ଗୋସାଣୀ ଯାତ’ ଏବଂ ଏହି ତିଥିକୁ ଗୋସାଣୀ ଏକାଦଶୀ କୁହାଯାଏ I ଶାରଦୀୟ ଦୁର୍ଗାପୂଜାରେ ମହାସ୍ନାନ ବଳି ଏବଂ ହୋମର ବ୍ୟବସ୍ଥା ଥିବାରୁ ଏହାକୁ ‘ମହାପୂଜା’ ମଧ୍ୟ କୁହାଯାଏ ।

ବିବିଧ କାରଣରୁ ଦଶହରା ପର୍ବ ପାଳନ କରାଯାଉଥିବାରୁ ଏହା ଏକ ମହାନ ପାର୍ବଣରେ ପରିଣତ ହୋଇଛି । ଏହି ପର୍ବର ମହତ୍ତ୍ୱ ବିଷୟରେ ଦେବୀ ପୁରାଣରେ କୁହାଯାଇଛି ଯେ ଏହା ଏକ ମହାନ, ପବିତ୍ର ବ୍ରତ ଏବଂ ଏହି ବ୍ରତ ପାଳନ କଲେ ସିଦ୍ଧି ଲାଭ ହୁଏ ଓ ଶତ୍ରୁମାନେ ପରାଜିତ ହୁଅନ୍ତି I କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭର ପୂର୍ବରୁ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ବନଦୁର୍ଗାଙ୍କର ଆରାଧନା କରିବା ପାଇଁ ଉପଦେଶ ଦେଇଥିଲେ । ଇତିହାସ ପ୍ରସିଦ୍ଧ ଛତ୍ରପତି ଶିବାଜୀ ମଧ୍ୟ ମୋଗଲମାନଙ୍କ ସହ ଯୁଦ୍ଧ କରିବା ସମୟରେ ଦୁର୍ଗାଙ୍କର ଉପାସନା କରିଥିଲେ I ଦଶହରା ପର୍ବରେ ଦେବୀଙ୍କ ଶକ୍ତିର ପ୍ରତିଷ୍ଠା ପାଇଁ  ଖଣ୍ଡା ବା ଖଡ୍ଗ ପୂଜା କରାଯାଏ I

ଦଶହରା ଦିନ ଗୁରୁବାର ପଡ଼ିଲେ ଗୃହିଣୀମାନେ ପରିବାରର ମଙ୍ଗଳ ଲାଗି ସୁଦଶାବ୍ରତ ପାଳନ କରି ଗୃହଲକ୍ଷ୍ମୀଙ୍କ ପୂଜା କରନ୍ତି I ଭାଦ୍ରବ ମାସ ଶୁକ୍ଳ ଷଷ୍ଠୀଠାରୁ ଆରମ୍ଭ ହୋଇଥିବା ସୋମନାଥ ବ୍ରତର ଉଦଯାପନ ପର୍ବ ମଧ୍ୟ ଦଶହରା ତିଥିରେ ପାଳିତ ହୁଏ I ପରମ- ଈଶ୍ୱରୀ ଦେବୀ ଦୁର୍ଗା ବିଶ୍ୱର ସକଳ ବସ୍ତୁରେ ପରିବ୍ୟାପ୍ତ I ସେ ମହାବିଦ୍ୟା, ମହାମାୟା ,ମହାଯୋଗେଶ୍ୱରୀ । ତାଙ୍କର ‘କ୍ଷର’ ବା ଶେଷ ନଥିବାରୁ ସେ ‘ଅକ୍ଷରା’ I ‘ଦେବୀ ଭାଗବତ:ର ମତେ, ରାବଣର ନିଧନ ପାଇଁ ବ୍ରହ୍ମାଙ୍କ ପରାମର୍ଶ ମତେ ଶ୍ରୀରାମ ବସନ୍ତ କାଳରେ ଦେବୀପୂଜା କରିବାକୁ ଚାହିଁଲେ। କାରଣ, ଶରତକାଳ ଅକାଳ, ଆଷାଢ଼ ଶୁକ୍ଳ ଏକାଦଶୀ (ହରିଶୟନ ଏକାଦଶୀ)ଠାରୁ ହେମନ୍ତ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଦେବତାମାନେ ନିଦ୍ରା ଯାଆନ୍ତି ।

ବ୍ରହ୍ମାଙ୍କ ନିର୍ଦ୍ଦେଶ ମତେ ଶ୍ରୀରାମଚନ୍ଦ୍ର କନ୍ୟାରାଶିର ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଦେବୀଙ୍କ ଅକାଳ ବୋଧନ ନିମନ୍ତେ ପୂଜାର ଆୟୋଜନ କରିଥିଲେ । ଶ୍ରୀରାମ ଧ୍ୟାନ ବଳରେ, ଦେବୀ କୁମାରୀ ରୂପରେ ବେଲଗଛ ଶାଖାରେ ଶାୟିତ ଥିବା ଜାଣିପାରି, ସକାଳେ କଳ୍ପାରମ୍ଭ ଓ ସନ୍ଧ୍ୟାବେଳେ ବିଲ୍ୱବୃକ୍ଷମୂଳେ ଆରମ୍ଭ କଲେ ଦେବୀଙ୍କ୍  ଉଦ୍ଦେଶ୍ୟରେ ପୂଜାର୍ଚ୍ଚନା ।ଏହାପରେ ସପ୍ତମୀ ତିଥିରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ । ସେତେବେଳେ ମଧ୍ୟ ଦେବୀ ସୁପ୍ତ ଅବସ୍ଥାରେ ଥିବାରୁ ଅଷ୍ଟମୀ ତିଥିରେ ଯୋଗିନୀଗଣଙ୍କୁ ଆହ୍ୱାନ କରି ଦେବୀଙ୍କୁ ପୁଣି ପୂଜା କଲେ । ଆଗତ ଯୋଗିନୀଗଣଙ୍କ କୋଳାହଳରେ ଦେବୀ କେବଳ କଡ଼ ଲେଉଟାଇ ପୁଣି ଶୋଇଲେ । ଏହା ପରେ ଅଷ୍ଟମୀର ଶେଷ ଓ ନବମୀର ଆରମ୍ଭ ବା ସନ୍ଧିକ୍ଷଣ ସମୟରେ ଶ୍ରୀରାମଚନ୍ଦ୍ର କଲେ ସନ୍ଧିପୂଜା ।

ଅଷ୍ଟମୀର ଚବିଶ ମିନଟ ଓ ନବମୀର ଚବିଶ ମିନଟ, ଏହିପରି ମୋଟ ଅଠଚାଳିଶ ମିନଟ ଧରି ଦେବୀ ଚାମୁଣ୍ଡାଙ୍କର ଏହି ବିଶେଷ ସନ୍ଧିପୂଜା କରିଥିଲେ । ଶ୍ରୀରାମ ଚାମୁଣ୍ଡାଙ୍କୁ ଆବାହନ କରି ଦେବୀ ଦୁର୍ଗାଙ୍କୁ ଉଠାଇବା ପାଇଁ ନିବେଦନ କଲେ । ଚାମୁଣ୍ଡାଙ୍କ ସହଯୋଗଫଳରେ ନବମୀ ତିଥିରେ ଦେବୀ ଦୁର୍ଗା ଜାଗ୍ରତ ହେଲେ । ଏତିକିବେଳେ ସେ ଦେବୀଙ୍କୁ କୁମାରୀ ରୂପରେ ଦର୍ଶନ କରି ଯୋଗିନୀମାନଙ୍କ ସହିତ ବିଶେଷ ପୂଜା କରି ଏକା ସାଙ୍ଗେ ଶହେ ଆଠ ନୀଳପଦ୍ମ ଅର୍ପଣ କରିଥିଲେ ।

ସେହି ଦିନଠାରୁ କୁମାରୀ ରୂପୀ ଦେବୀଙ୍କର ପୂଜାର ଆରମ୍ଭ ।  ଅତଏବ ଶରତକାଳୀନ ଦୁର୍ଗା ହେଉ ଅଥବା ବାସନ୍ତି ଦୁର୍ଗାପୂଜା, ଏଥିରେ ମୂର୍ତ୍ତି ସ୍ଥାପନ କରାଯାଇ ଜୀବନ୍ୟାସ କର୍ମ ସହ ପୂଜା ନିୟମ ପ୍ରଣୟନ ହେଉଥିଲେ ମଧ୍ୟ ଘଟ ସ୍ଥାପନ ଜନିତ ପୂଜା ଆବହମାନ କାଳରୁ ପ୍ରଚଳିତ । ବିଭିନ୍ନ ଭାବରେ ମୂର୍ତ୍ତିପୂଜାର ଆଦର ବଢିଥିଲେ ମଧ୍ୟ ମୂଳ ତତ୍ତ୍ୱକୁ ବାଦ ଦେବା ସମ୍ଭବ ହୋଇନାହିଁ । ବାସନ୍ତୀ ଦୁର୍ଗାପୂଜା ବିଶେଷ ଭାବେ ପାଳିତ ହୋଇ ନ ଥାଏ । ଅନ୍ୟପକ୍ଷରେ ଶରତକାଳୀନ ଦୁର୍ଗାପୂଜା ଏବେ ସାର୍ବଜନୀନ ପୂଜାର ସ୍ୱୀକୃତି ପାଇଛି, କିନ୍ତୁ ଉଭୟ ପୂଜା ଏବଂ ତା’ର ବିଧାନ ପ୍ରାୟତଃ ସମାନ ।

ଶରତକାଳୀନ ପୂଜା ଏବଂ ବାସନ୍ତୀପୂଜା ବ୍ୟତୀତ ଓଡ଼ିଶାର ଦକ୍ଷିଣ ଭାଗରେ ଅନ୍ୟ ଦିନରେ ମା’ଙ୍କର ସ୍ୱପ୍ନାଦେଶ ଅଥବା ଆଜ୍ଞାମାଳ ପରିପ୍ରେକ୍ଷୀରେ ବିଧିବ୍ୟବସ୍ଥା ଅନୁଯାୟୀ ମଧ୍ୟ ମା’ଙ୍କର ପୂଜା ଅର୍ଚ୍ଚନା କରାଯାଏ । ଏଠାରେ ମଧ୍ୟ ଘଟ ସ୍ଥାପନ ଏବଂ ଘଟପୂଜା ଦେଖିବାକୁ ମିଳେ I ଏପରିକି ଘଟକୁ ମୁଣ୍ଡରେ ଧରି ପରିକ୍ରମା କରାଯିବାର ବିଧି ରହିଛି । ମୃଣ୍ମୟ ମୂର୍ତ୍ତିପୂଜା ମାତ୍ର ଦୁଇଶହ ବର୍ଷ ଭିତରେ ଦେଖିବାକୁ ମିଳିଲା ବ୍ରିଟିଶ ଶାସକ ମାନଙ୍କ ପାଇଁ , ପ୍ରଥମେ କୋଲକାତା ରେ , କେତେକ ବଙ୍ଗୀୟ ତୈଳ ମର୍ଦ୍ଦନ କଳାକୁଶଳୀ ଜମିଦାର ଙ୍କ ଉଦ୍ୟମ ଫଳରେ  । ହଜାର ହଜାର ବର୍ଷ ଧରି ଆମର ପୀଠ ପୂଜା ଯୋଗୁଁ ଧାତୁ ନିର୍ମିତ ମୂର୍ତ୍ତି ଦେଖିବାକୁ ମିଳୁଥିଲା ବେଳେ ମାତ୍ର ୧୦୦ରୁ ୧୫୦ ବର୍ଷ ମଧ୍ୟରେ ମାଟି ନିର୍ମିତ ମୂର୍ତ୍ତିର ବ୍ୟାପକ ପ୍ରସାର ଘଟିଛି ।

କିନ୍ତୁ ପ୍ରାରମ୍ଭରୁ ପ୍ରଚଳିତ ଘଟପୂଜା ଏବେ ବି ଅନୁଷ୍ଠିତ ହେଉଛି । ଆମର ସଂସ୍କୃତି ଅନୁଯାୟୀ ବିଭିନ୍ନ ପୂଜା ପଞ୍ଚଭୂତ ଉପରେ ଆଧାରିତ । ତାହା ହେଉଛି କ୍ଷିତ୍, ଅପ୍, ତେଜ,ମରୁତ୍ ଏବଂ ବ୍ୟୋମ୍ । ମନୁଷ୍ୟ ପ୍ରଥମେ  କୃତଜ୍ଞତା ଆଧାରରେ ମାଟିକୁ ପୂଜା କଲା । କାରଣ ଏହି ମାଟି ତାକୁ ରହିବା ପାଇଁ ଆଶ୍ରୟ ଦେଲା ଏବଂ ସେହି ମାଟିରୁ ଉତ୍ପାଦିତ ଫଳ ଖାଇ ସେ ବଞ୍ଚିଲା । ସେହିପରି ଜଳ (ଅପ୍)କୁ ଜୀବନ ବୋଲି କହିଲା । ସେ ଜାଣିଥିଲା ଜଳ ବିନା ଜୀବନ ଅସମ୍ଭବ । ତେଣୁ ଭିନ୍ନ ଭିନ୍ନ ଜଳାଶୟ ବା ନଦୀକୂଳରେ ଗଢିଉଠିଲା ଜନବସତି । ପରବର୍ତ୍ତୀ ସମୟରେ କେତେକ ନଦୀ ତୀର୍ଥକ୍ଷେତ୍ର ରୂପେ ପରିଗଣିତ ହେଲେ ।

ତେଜର ମୂର୍ତ୍ତିମନ୍ତ ରୂପ ସୂର୍ଯ୍ୟଙ୍କୁ ଈଶ୍ୱର ଭାବେ ଗ୍ରହଣ କରାଗଲା । ଅବଶ୍ୟ ଅଗ୍ନିକୁ ଗ୍ରହଣ କଲା ଏହାପରେ । ପବନ (ମରୁତ) ଏବଂ ଆକାଶ (ବ୍ୟୋମ)କୁ ମଧ୍ୟ ନିଜର ପୂଜ୍ୟ ଭାବେ ସ୍ୱୀକୃତି ଦିଆଗଲା । ସମୟର ଧାରାରେ ଏହି ପଞ୍ଚଭୂତ ଯାହା ସହ ସମ୍ପର୍କିତ ସେମାନଙ୍କୁ ମଧ୍ୟ ଈଶ୍ୱରୀୟ ସତ୍ତାର ଅଂଶ ବା ଈଶ୍ୱର ଭାବେ ଗ୍ରହଣ କରାଯାଇଛି । ଯେପରି ବୃକ୍ଷକୁ ବୃକ୍ଷଦେବତା ଏବଂ ଶିଳା, ଧାତୁ ପ୍ରଭୃତି ପୂଜନୀୟ ହେଲେ । ଏହି ମହାପଞ୍ଚଭୂତମନଙ୍କ ଧର୍ମଗତ ସ୍ୱଭାବ ହେଲା- ଶବ୍ଦ, ସ୍ପର୍ଶ, ରୂପ, ରସ ଏବଂ ଗନ୍ଧ । ପୁନଃ ଏଗୁଡ଼ିକ ଆମର ପଞ୍ଚ ଇନ୍ଦ୍ରୀୟ ଅର୍ଥାତ୍ କର୍ଣ୍ଣ, ଚର୍ମ, ଚକ୍ଷୁ, ଜିହ୍ୱା ଓ ନାସା ଦ୍ୱାରା ଗୃହିତ ହୋଇଥାନ୍ତି ।

ବର୍ତ୍ତମାନ ଦେଖିବା ଏହି ଘଟରେ ଆମେ କେଉଁ କେଉଁ ଦେବତାଙ୍କୁ ଆବାହନ କରିଥାଉ । ଅବଶ୍ୟ ଜଳରେ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା, ସିନ୍ଧୁ ଏବଂ କାବେରୀର ପବିତ୍ର ଭାବଧାରାକୁ ସମ୍ମିଶ୍ରଣ କରାଯାଏ । ଗୋଟିଏ ଘଟ ମଧ୍ୟରେ ଅର୍ଥାତ ବିନ୍ଦୁ ମଧ୍ୟରେ ସିନ୍ଧୁର ପରିକଳ୍ପନା ହୋଇଥାଏ । ସେହିପରି ବିଘ୍ନ ବିନାଶକ ଗଣନାୟକ, ଜଳର ଦେବତା ବରୁଣ, ଇନ୍ଦ୍ର ଏବଂ ଦଶଦିଗପାଳ, ସୂର୍ଯ୍ୟଙ୍କ ସହ ନବଗ୍ରହ ଏବଂ ଗ୍ରାମଦେବତୀଙ୍କୁ ଆବାହନ କରି ଘଟରେ ସ୍ଥାପନା କରାଯାଇ ପୂଜା କରାଯାଏ । ଅନ୍ୟ ପକ୍ଷରେ ଘଟ ମୁଖରେ ଶିବ, କଣ୍ଠରେ ବିଷ୍ଣୁ, ତଳ ଭାଗରେ ବ୍ରହ୍ମା, ମଧ୍ୟଭାଗରେ ଅଷ୍ଟାଦଶ ମାତୃଗଣ, କୁକ୍ଷୀରେ ସପ୍ତସାଗର, ସପ୍ତଦ୍ୱୀପ ପୃଥିବୀ ଏବଂ ଉଦରରେ ସମସ୍ତ ତୀର୍ଥକୁ ସ୍ମରଣ କରି ପୂଜା କରାଯାଏ
ଶ୍ରୀରାମଚନ୍ଦ୍ର ରାବଣଙ୍କୁ ବଧ କରିବା ପାଇଁ ଶରତ କାଳରେ ଶ୍ରୀ ଶ୍ରୀ ଦୁର୍ଗାପୂଜା କରିଥିଲେ । ଏହାକୁ ‘ଅକାଳବୋଧନ’ କୁହାଯାଏ । କାରଣ ଶରତକାଳ ସୂର୍ଯ୍ୟ ଦକ୍ଷିଣାୟନ କରନ୍ତି । ଶ୍ରାବଣ ମାସରୁ ପୌଷମାସ ସୂର୍ଯ୍ୟଙ୍କ ଦକ୍ଷିଣାୟନ; ମାଘରୁ ଆଷାଢ଼ ସୂର୍ଯ୍ୟଙ୍କର ଉତ୍ତରାୟନ । ଦକ୍ଷିଣାୟନ ଦେବତାଙ୍କର ରାତ୍ରି । ତେଣୁ ଉତ୍ତରାୟନ ଦେବତାଙ୍କ ଆରାଧନାର ପ୍ରକୃଷ୍ଟ ସମୟ । ରାବଣ, ବ୍ରହ୍ମାଙ୍କ ବରରେ ଅପାରଶକ୍ତିର ଆଧିକାରୀ ହୋଇଥିବାରୁ ତାଙ୍କୁ ବଧ କରିବା ନିମନ୍ତେ ଦେବୀଙ୍କ କୃପା ଆବଶ୍ୟକ । ତେଣୁ ବ୍ରହ୍ମା ଶ୍ରୀରାମଚନ୍ଦ୍ରଙ୍କୁ ଶରତ କାଳରେ ଦେବୀଙ୍କ କଳ୍ପାରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ।

ଶ୍ରୀରାମଚନ୍ଦ୍ର ଦ୍ୱନ୍ଦ୍ୱରେ ପଡ଼ିଲେ , ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ନିର୍ଦ୍ଦେଶ ଓ ଦେବଦେବୀଙ୍କର ଦକ୍ଷିଣାୟନ , ଦେବୀ ଜାଗ୍ରତ ନା ନିଦ୍ରିତ ? ଦେବୀ ଏବେ ଆବିର୍ଭୂତ ହେବେ ତ ? ତେଣୁ ସେ ଧ୍ୟାନମଗ୍ନ ହୋଇ ଜାଣିପାରିଲେ ଦେବୀ ତ୍ରିଶାଖା ବିଲ୍ୱଦଳରେ ‘କୁମାରୀ’ କନ୍ୟା ରୂପେ ଶାୟିତ । ଏହି ଦୃଶ୍ୟ ଅବଲୋକନ କରି ବିଭୋର ହେଲେ ଶ୍ରୀରାମଚନ୍ଦ୍ର । ଦେବୀଙ୍କୁ ଜାଗ୍ରତ କରାଇବେ ।ବ୍ରହ୍ମାଙ୍କ ନିର୍ଦ୍ଦେଶରେ ଷଷ୍ଠୀଦିନ ‘ବିଲ୍ୱାଧିବାସ’ କଲେ ଶ୍ରୀରାମଚନ୍ଦ୍ର । ଷଷ୍ଠୀପରେ ସପ୍ତମୀରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ ମଧ୍ୟ ଦେବୀଙ୍କର ନିଦ୍ରାଭଙ୍ଗ ହେଲାନି । ଅଷ୍ଟମୀରେ ଯୋଗିନୀମାନଙ୍କୁ ଡାକି ବିଶେଷ ପୂଜାକରିଲେ ଶ୍ରୀରାମ । ତେଣୁ ଅଷ୍ଟମୀର ଶେଷ ଦଣ୍ଡ ଓ ନବମୀର ପ୍ରଥମ ଦଣ୍ଡ(୨୪+୨୪=୪୮ମିନିଟ) ସନ୍ଧିକ୍ଷଣରେ ପୂଜା କଲେ । ଏହାକୁ ‘ସନ୍ଧିପୂଜା’ କୁହାଯାଏ । ଚାମୁଣ୍ଡା ଦେବୀଙ୍କ ସହାୟତାରେ ଶ୍ରୀରାମଚନ୍ଦ୍ର ଏହି ‘ସନ୍ଧିପୂଜା’ କରିଥିଲେ । ଏହି ପୂଜା ପରେ ଅର୍ଥାତ୍‌ ନବମୀ ଦିନ ଦେବୀ ଜାଗ୍ରତ ହେଲେ ଏବଂ ପୁନର୍ବାର ‘କୁମାରୀ’ ରୂପରେ ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ ଦେଲେ । 
ତେଣୁ ନବମୀ ଦିନ କୁମାରୀ ପୂଜାର ପ୍ରଚଳନ ଅଛି । କୁମାରୀ ସାକ୍ଷାତ ଯୋଗିନୀ, ପରମାଦେବୀ ପୁଣି ପରମପ୍ରକୃତି । ଶ୍ରୀ ଶ୍ରୀ ଚଣ୍ଡୀରେ ଉଲ୍ଲେଖ ଅଛି ‘ସ୍ତ୍ରୀୟା ସମସ୍ତା ସକଳ ଜଗତ ସୁ’ ଅର୍ଥାତ୍‌ ସମସ୍ତ ସ୍ତ୍ରୀ ଜାତି ବ୍ରହ୍ମମୟୀ, ମହାମାୟା ଜଗଜ୍ଜନନୀଙ୍କର ଏକ ଅଂଶ ବିଶେଷ । ପ୍ରତି ନାରୀ ଭଗବତୀଙ୍କ ଅଂଶ ହେଲେ ମଧ୍ୟ କୁମାରୀଙ୍କ ମଧ୍ୟରେ ଭଗବତ୍‌ ସତ୍ତା ବିଶେଷ ଭାବରେ ପ୍ରକାଶିତ । ତନ୍ତ୍ର ମତେ ଷୋହଳ ବର୍ଷ ପର୍ଯ୍ୟନ୍ତ ଅବିବାହିତା କନ୍ୟାଙ୍କୁ କୁମାରୀ କୁହାଯାଏ ।

ଯେତେ ଦିନ ପର୍ଯ୍ୟନ୍ତ କନ୍ୟା ଋତୁମତୀ ନ ହୁଅନ୍ତି ସେତେଦିନ ପର୍ଯ୍ୟନ୍ତ ‘କୁମାରୀ’ ତାହା କୁସୁମ ପରି ପବିତ୍ର । ତେଣୁ ସେତେଦିନ ପର୍ଯ୍ୟନ୍ତ କନ୍ୟା ଦେବସେବାରେ ନିବେଦିତ ହୋଇପାରିବେ । ତ୍ରେତୟା ଯୁଗରେ ଶ୍ରୀରାମଚନ୍ଦ୍ର ଦେବୀ ଦୁର୍ଗାଙ୍କୁ କୁମାରୀ ରୂପରେ ଦର୍ଶନ କରିଥିଲେ ଏବଂ ପୂଜା କରିଥିଲେ ମଧ୍ୟ ।  ପରବର୍ତ୍ତୀକାଳରେ ଶ୍ରୀଶ୍ରୀ ରାମକୃଷ୍ଣ ଓ ତାଙ୍କର ଶିଷ୍ୟ ବିବେକାନନ୍ଦ ଏହାର ବହୁଳ ପ୍ରଚାର କରିଥିଲେ ଏବଂ ରାଣୀ ରାସମଣୀ ଦେବୀଙ୍କଦ୍ୱାରା କୁମାରୀ ପୂଜାକରାଇ ଏହାର ପ୍ରସାର ମଧ୍ୟ କରିଥିଲେ। କାରଣ କୁମାରୀଙ୍କ ମଧ୍ୟରେ ଭଗବତ୍‌ ସତ୍ତା ଅନୁଭବ କରିଥିଲେ ।

ଏଣୁ ଦୁର୍ଗାପୂଜାର ନବମୀ ରାତ୍ରିରେ କେତେକ ବ୍ରାହ୍ମଣ ବଂଶୀୟ ସାତରୁ ଆଠ ବର୍ଷର କନ୍ୟାକୁ ପାଦରେ ଅଳତା, ଆଖିରେ କଜ୍ଜଳ ଓ କପାଳରେ ଚନ୍ଦନ ଟିପା ଦେଇ ସୁନ୍ଦର ଭାବରେ ସଜାଇ ନୂତନ ଶାଢ଼ି ପରିଧାନ କରାଇ ବିଭିନ୍ନ ଉପଢ଼ୌକନ ଦେଇ ପୂଜା କରାଯାଏ । ଏହାକୁ ‘କୁଆଁରୀ ଲକ୍ଷ୍ମୀ’ ପୂଜା କୁହାଯାଏ । ଓଡ଼ିଶାର ସବୁ ପୂଜାମଣ୍ଡପରେ ନବମୀ ଦିନ କୁମାରୀ ପୂଜା କରା ନ ଗଲେ ମଧ୍ୟ କଟକ ଜିଲ୍ଲାର ପୁନଙ୍ଗ ଗ୍ରାମର ଘୋଷଘର ପୂଜାମଣ୍ଡପରେ ଆବାହମାନକାଳରୁ କୁମାରୀ ପୂଜା ହୋଇଆସୁଛି । କଥିତ ଅଛି, ଯେଉଁମାନେ ଏହି ପୂଜା ଦର୍ଶନ କରନ୍ତି, ସେମାନେ ଚତୁବର୍ଗ ଫଳ ପାଆନ୍ତି ।

କୁମାରୀ ପୂଜା ହେଉଛି ନାରୀଜାତି ପ୍ରତି ସମ୍ମାନ ପ୍ରଦର୍ଶନର ଏକ ପ୍ରକ୍ରିୟା ମାତ୍ର । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଜନ୍ମାଷ୍ଟମୀ ଅବସରରେ ନଦୀରୁ ମାଟି ଉଦ୍ଧାର କରାଯାଏ,ଯାହା ଦଶହରାର ପ୍ରଥମ ବିଧି।ଏହା ପରେ କାରିଗରମାନେ ମୂର୍ତ୍ତି ଗଠନରେ ବ୍ୟସ୍ତ ରହନ୍ତି । ପବିତ୍ର ମହାଳୟା ଅବସରରେ ମା’ଙ୍କ ମୃଣ୍ମୟ ମୂର୍ତ୍ତିରେ ଖଡ଼ି ଚଢା ଯାଏ । ମହାଳୟା ଠାରୁ ପ୍ରକୃତ ଦୁର୍ଗାପୂଜା ଆରମ୍ଭ ହୁଏ । କାରଣ ଏହି ଦିନଠାରୁ ଦୁର୍ଗାପୂଜା ମଧ୍ୟରେ ୧୦ ଦିନ ସମୟ ରହିଥାଏ, ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି କୁହାଯାଇଛି । ପ୍ରକୃତ ପୂଜାବିଧି ଷଷ୍ଠୀଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ ।

ଷଷ୍ଠୀ ତିଥିରେ ଅଧିବାସ, ବିଲ୍ୱ ବରଣ, ମା’ଙ୍କୁ ସ୍ୱାଗତ କରିବାକୁ ଯାଇ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ । ବେଲଗଛ ପାଖରେ ଏହି ପୂଜା ସମ୍ପନ୍ନ କରାଯାଏ । ଶେଷରେ ରାତ୍ରୀ କାଳରେ ଦେବୀ ପ୍ରତିମା ର ଚକ୍ଷୁରେ ରଙ୍ଗ ଦେଇ ଚକ୍ଷୁଦାନ ସମ୍ପନ୍ନ ହୁଏ ଓ ମନ୍ତ୍ର ଦ୍ୱାରା ପ୍ରାଣ ପ୍ରତିଷ୍ଠା କରାଯାଏ । ସପ୍ତମୀରେ ନବ ପତ୍ରିକା ପୂଜା କରାଯାଏ, ଯେଉଁ ଥିରେ କଦଳୀ, ସାରୁ, ମାଣସାରୁ, ହଳଦୀ, ଅଶୋକ, ଡାଳିମ୍ବ, ବେଲ, ଜୟନ୍ତି ଓ ଧାନ ଏହି ନଅ ଜାତି ପତ୍ର ଦ୍ୱାରା ଦୁର୍ଗାଙ୍କର ଗୋଟିଏ ମୁର୍ତ୍ତି ଗଠନ କରି ପୂଜା କରିବାର ବିଧି ।ଏହା ପରେ ମହାସ୍ନାନ ବିଧି ସମ୍ପନ୍ନ ହୁଏ ।

ଚଣ୍ଡିପାଠହୋମ ଯଜ୍ଞ,,ଦେବୀମାହାତ୍ମ୍ୟ (ମାର୍କଣ୍ଡେୟ ପୂରାଣାନ୍ତର୍ଗତ ଦୁର୍ଗାଙ୍କ ବିଷୟ ବର୍ଣ୍ଣନାତ୍ମକ ଗ୍ରନ୍ଥ) ଗ୍ରନ୍ଥର ଆବୃତ୍ତି ସହ ହୋମ ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇଥାଏ । ଅଷ୍ଟମୀରେ ହୁଏ ମା’ଙ୍କ ମୂଖ୍ୟ ସନ୍ଧିପୂଜା । ମହାଷ୍ଟମୀର ଶେଷ ଦଣ୍ଡ ଓ ମହାନବମୀର ଆଦ୍ୟ ଦଣ୍ଡର ମଧ୍ୟକାଳୀନ ସମୟକୁ ସନ୍ଧି ସମୟ କୁହାଯାଏ । ଶାରଦୀୟ ପୂଜା ଅର୍ଚ୍ଚନା ବିଧି ବିଧାନ ପୂର୍ବରୁ ଏବେ ମୂଳାଷ୍ଟମୀ ରୁ ଷୋଡ଼ଶ ଉପଚାରରେ ସମସ୍ତ ଶକ୍ତିପୀଠରେ ମାଁ ଶକ୍ତିମୟୀ ଙ୍କର ପୂଜା ଅର୍ଚ୍ଚନା ଉପାସନା ଆରମ୍ଭ ହୋଇ ଯାଇଛି। ଶ୍ରୀକ୍ଷେତ୍ରରେ ବିଭିନ୍ନ ଶକ୍ତିପୀଠ ରେ ପୂଜା ଚାଲିଛି ଏହା ସହ ବଡବାଡ ସାଆନ୍ତାଣୀ ମାଁ ବିମଳାଙ୍କ ପୀଠ ରେ ଶ୍ରୀମନ୍ଦିର ବେଢାରେ ଷୋଡ଼ଶ ପୂଜା ଆରମ୍ଭ ହୋଇ ଯାଇଛି।

ଏହି ସମୟରେ ମହିଳାମାନେ ମାଁ ବିମଳାଙ୍କ ମନ୍ଦିରରେ ପ୍ରବେଶ କରିବା ନିଷେଧ କରାଯାଇଛି।ପ୍ରାଚୀ ତଟିନୀ ରେ ବିରାଜିତ ମାଁ ମଙ୍ଗଳାଙ୍କ ଷୋଡ଼ଶ ପୂଜା ଅର୍ଚ୍ଚନା ବିଧି ବିଧାନ ସହ ଆରମ୍ଭ ହୋଇ ଯାଇଛି। ସେହିପରି ଶ୍ରୀକ୍ଷେତ୍ରରେ ବିରାଜ ମାନ ମାଁ ରାମଚଣ୍ଡୀ ଙ୍କ ସହ ଅନ୍ଯ ଅଷ୍ଟ ଶକ୍ତିପୀଠରେ ପୂଜା ଚାଲିଛି। ସମ୍ବଲପୁରରେ ମାଁ ସମଲେଶ୍ଵରୀ ଙ୍କ ପୀଠରେ ଏହି ଷୋଡ଼ଶ ପୂଜା ଅର୍ଚ୍ଚନା ସହ ବିଭିନ୍ନ ବେଶ ରେ ଦର୍ଶନ ଦେଉଛନ୍ତି।ସେହିପରି ଋଷିକୂଲ୍ୟା ତଟରେ କୁମାରୀ ପର୍ବତରେ ବିରାଜ ମାନ ବହୁତ ପୁରାଣ ବର୍ଣ୍ଣିତ ପ୍ରସିଦ୍ଧ ଶକ୍ତିପୀଠ ସ୍ତନପୀଠେଶ୍ୱରୀ ଯାଆଁଳା ଭଗ୍ନୀ ମାଁ ତାରାତାରିଣୀ ଙ୍କ ଷୋଡଶ ପୂଜା ଆରମ୍ଭ ପୂର୍ବରୁ ଶହ ଶହ କଳସରେ ଋଷିକୂଲ୍ୟା ତଟରେ ମନ୍ତ୍ରିତ ପାଣି ମହିଳାମାନେ ମୂଳାଷ୍ଟମୀ ପୂର୍ବରୁ ଏକହଜାର ପାହାଚରୁ ଗୋଟିଏ କମ୍ କୁ କଳସ ମୁଣ୍ଡ ରେ ଧରି ଚଢି ଚଢି ଯାଇଥିଲେ।    

ଉତ୍କଳ ଭୂମି ର  ପୁରୁଷୋତ୍ତମ ନିବାସିନୀ ଶ୍ରୀ ଶ୍ରୀ ବିମଳା ସାଆନ୍ତାଣୀ ଙ୍କ ଶାରଦୀୟ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଅଛି। ମହାପ୍ରଭୁ ଙ୍କ ସକାଳ ଧୂପ ପରେ ଶ୍ରୀ ମହାପ୍ରସାଦ ଶ୍ରୀ ସାଆନ୍ତାଣୀ ଙ୍କ ଛାମୁକୁ ଯାଇ ପୁନଃ ଷୋଡ଼ଶ ଉପଚାର ପୂଜା ରେ ମା ଙ୍କୁ ସମର୍ପଣ ହୋଇଥାଏ। ଏହି ଷୋହଳ ଦିନ ଶ୍ରୀ ମନ୍ଦିର ରେ ମହା ମହାପ୍ରସାଦ ମିଳିଥାଏ। ପ୍ରତିଦିନ ମା କୁ ମହାପ୍ରସାଦ ସମର୍ପଣ ହୁଏ କିନ୍ତୁ ଏହି ଷୋଳପୂଜା ରେ ପୁନର୍ବାର ଷୋଡ଼ଶ ଉପଚାର ରେ ମହାପ୍ରସାଦ ସମର୍ପଣ ହେଉଥିବାରୁ ଏହା ମହା ମହାପ୍ରସାଦ ହୋଇଥାଏ। 

ଶ୍ରୀମନ୍ଦିରର ବଡବାଡ ସାଆନ୍ତାଣୀ ଶ୍ରୀ ପାଦ ପୀଠେଶ୍ଵରୀ ଦାରୁବ୍ରହ୍ମ ବିଳାସିନୀ ସଦା କୈବଲ୍ୟଲୋପିନୀ ,ଶ୍ରୀବଡ଼ଠାକୁର ପ୍ରାଣପ୍ରିୟା ଶ୍ରୀକ୍ଷେତ୍ର ରାଜେଶ୍ବରୀ ମା ଭଗବତୀ ବିମଳା ଙ୍କ ସତୀଙ୍କ ୫୧ ଶକ୍ତିପୀଠ ମଧ୍ଯରୁ ତନ୍ତ୍ରୋକ୍ତ ପ୍ରମୁଖ ଶକ୍ତିପୀଠ ୪ ହେଲେ,”ରାମେଶ୍ଵରୀ ସେତୁବନ୍ଧେ ବିମଳା ପୁରୁଷୋତ୍ତମେ ବିରଜା ଉଡ୍ର ଦେଶେ ଚ କାମାକ୍ଷା ନୀଳପର୍ବତେ “। ମା’ ବିମଳା ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥ ଧାମର ସ୍ବୟଂ ପ୍ରତିଷ୍ଠିତା ଦେବୀ। ମା’ ଙ୍କ ମହିମା କି ବର୍ଣ୍ଣିବି ମୁଁହି ସେ ଯେ ଅବର୍ଣ୍ଣନୀୟ। ଆଦି ଶଙ୍କରାଚାର୍ଯ୍ୟ ଙ୍କ ମତରେ ସେ ପ୍ରତ୍ଯକ୍ଷ ମାହେଶ୍ୱରୀ।

ଶ୍ରୀମଦ୍ ଭାଗବତ ମହାପୁରାଣ ଅନୁଯାୟୀ ମା’ ପାର୍ବତୀ ପରଂବ୍ରହ୍ମ ଜନାର୍ଦ୍ଦନଙ୍କ ମହାପ୍ରସାଦ ପାଇବା ପାଇଁ ଅଭିଳଷିତ ଥିବାରୁ ତଥା ମହାପ୍ରସାଦ ସମସ୍ତ ପ୍ରାଣୀଙ୍କ ପାଇଁ ସୁଲଭ କରାଇବାକୁ ପ୍ରାର୍ଥନା କରିଥିବାରୁ ଜଗଜ୍ଜନନୀଙ୍କ ଏତାଦୃଶ ଭକ୍ତି ରେ ସନ୍ତୁଷ୍ଟ ହୋଇ ଜନାର୍ଦ୍ଦନ ମାୟାପତି ଦେବୀଙ୍କୁ ବର ପ୍ରଦାନ କରିଥିଲେ ଯେ ପୁରୁଷୋତ୍ତମ ଧାମରେ ଯେବେ ଜଗନ୍ନାଥ ଅଲୌକିକରୁ ଲୌକିକ ହେବେ ସେବେ ସେ କ୍ଷେତ୍ରରେ ମା’ ରହି ପ୍ରଥମ ମହାପ୍ରସାଦର ଅଗ୍ରଗ୍ରାହୀ ହେବେ। ସେହିଦିନ ଠାରୁ ଶ୍ରୀ ମହାପ୍ରଭୁ ଙ୍କ ମହାପ୍ରସାଦ ସର୍ବପ୍ରଥମେ ମା’ ବିମଳା ଙ୍କୁ  “କୈବଲ୍ୟ ଭିଜିନୀ ଦେବୀ ବିମଳା ଵିମଳଂପ୍ରଦା,ଗୃହଣାନ୍ତୁ ହରି କୈବଲ୍ୟ ସୃଷ୍ଟି ସ୍ଥିତାନ୍ୟ କାରିଣୀ”  ଏହି ମନ୍ତ୍ରରେ ମହାପ୍ରଭୁଙ୍କ ଥାଳିରେ ତୁଳସୀ କାଢ଼ି ବିଲ୍ବଦଳ ପକାଇ ସମର୍ପଣ କରାଯାଏ। କିନ୍ତୁ ଷୋଡ଼ଶ ପୂଜା ସମୟରେ ମହାପ୍ରଭୁଙ୍କ ମହାପ୍ରସାଦ ପୁନଃ ଦେବୀ ଙ୍କ ପାଖରେ ଷୋଡ଼ଶ ଉପଚାରରେ ଲାଗି କରାଯାଏ।
ମା’ ବିମଳାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା, ମା’ ବିମଳା ଶ୍ରୀମନ୍ଦିର ମଧ୍ୟରେ ଥିବା ଏକ ଶାକ୍ତ ବା କୌଳଭୈରବୀଙ୍କ ମନ୍ଦିର। ସୋମବଂଶୀ ରାଜତ୍ୱ ସମୟରେ ସମଗ୍ର ଓଡ଼ିଶାରେ ଶକ୍ତି ଉପାସନା ପ୍ରସିଦ୍ଧି ଲାଭ କରିଥିଲା। ଏହି ସମୟରେ ଓଡ଼ିଶା ତନ୍ତ୍ରର ପ୍ରମୁଖ ପୀଠ ଓଡ୍ଡୀୟାନ ଭାବେ ପରିଚିତ ହୋଇ ସାରିଥିଲା। ଐତିହାସିଙ୍କ ଅନୁସାରେ ବର୍ତ୍ତମାନର ବିମଳା ମନ୍ଦିର ସେହି ସମୟର। ଭାରତବର୍ଷରେ ସର୍ବତ୍ର ଶିବଦୁର୍ଗା ଉପାସିତ ହେଉଥିବା ବେଳେ ପୁରୁଷୋତ୍ତମ କ୍ଷେତ୍ର ରେ ବିମଳା ଓ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ର କରି ଏହି ପରମ୍ପରା ଦେଖା ଯାଇଥାଏ।

ପ୍ରଥମ ଶକ୍ତି-ପୀଠ ମଧ୍ୟରୁ ପାଦଖଣ୍ଡ ଭାବରେ ବିବେଚନା କରାଯାଉଥିବାରୁ ଏହି ମନ୍ଦିର ପ୍ରସିଦ୍ଧ। ଦେବୀ ସତୀଙ୍କ ପାଦ ଏହି ସ୍ଥାନରେ ପଡିଛି। ଦେବୀ ବିମଳାଦେବୀ ଶକ୍ତିଙ୍କର ଏକ ଅହିଂସା ରୂପ। ତନ୍ତ୍ର ଆଧାର, ବ୍ରହ୍ମଯାମଳ ତନ୍ତ୍ର ଅନ୍ତର୍ଗତ ଆଦ୍ୟା ସ୍ତୋତ୍ର ଅନୁସାରେ “ରାମେଶ୍ୱରୀ ସେତୁବନ୍ଧେ, ବିମଳା ପୁରୁଷୋତ୍ତମେ, ବିରଜା ଓଡ୍ର ଦେଶେ ଚ କାମାଖ୍ୟା ନୀଳ ପର୍ବତେ” ଅର୍ଥାତ୍ ସେତୁବନ୍ଧରେ ଦେବୀ ରାମେଶ୍ୱରୀ, ପୁରୁଷୋତ୍ତମ କ୍ଷେତ୍ରରେ ବିମଳା, ଓଡ୍ର ଦେଶରେ ସେ ବିରଜା, ପୁନଶ୍ଚ ନୀଳପର୍ବତରେ କାମାଖ୍ୟା ରୂପରେ ବିଦିତା । ପୁନଶ୍ଚ ତନ୍ତ୍ର ଚୂଡାମଣି ଅନୁସାରେ ଉତ୍କଳ ଦେଶରେ ହିଁ ସତୀଙ୍କ ପାଦ ପତିତ ହୋଇଥିଲା।

ମା’ ବିମଳା ପାଦ ପୀଠେଶ୍ଵରୀ ଓ କେହି କେହି ଏହାକୁ ଶ୍ରୀପୀଠ, ଉଦ୍ଦିଷ୍ଟ ପୀଠ, ନାଭି ପୀଠ ବୋଲି ବର୍ଣ୍ଣନା କରିଛନ୍ତି। ମହାନିର୍ବାଣ ତନ୍ତ୍ର ଅନୁସାରେ ପୁରୀ ଶ୍ରୀମନ୍ଦିର ଭୈରବୀ ଚକ୍ରର ନକ୍ସା ଆଧାରରେ ନିର୍ମିତ। ଶ୍ରୀକ୍ଷେତ୍ରେଶ୍ଵରୀ ରାଜରାଜେଶ୍ଵରୀ ବିମଳା ମା’ ତାନ୍ତ୍ରିକ ପୀଠ ମଧ୍ୟରେ ଶ୍ରେଷ୍ଠ ଅଟନ୍ତି। ଏକାନ୍ତ ଗୋପନୀୟ ସିଦ୍ଧ ତନ୍ତ୍ର ପୀଠ ଓ ଏଠାରେ “କୁଳୋଡ୍ଡୀଶ ତନ୍ତ୍ର” ର “ଗଙ୍ଗାୟାଂ ମଙ୍ଗଳାନାମ ବିମଳା ପୁରୁଷୋତ୍ତମ।” ଓ “ବିମଳା ଯତ୍ର ଭୈରବୀ; ଜଗନ୍ନାଥ ତତ୍ର ଭୈରବଃ” “ବିମଳା ସା ମହାଦେବୀ ଜଗନ୍ନାଥସ୍ତୁ ଭୈରବ।” ନିୟମ ଅନୁସାରେ ଜଗନ୍ନାଥ ଅଜୈକପାଦ ଭୈରବ, ବଳଭଦ୍ର ଅହିର୍ବୁଧ୍ନ୍ୟ ଶେଷଭୈରବ, ସୁଭଦ୍ରା ଭୁବନେଶ୍ୱରୀ, ମହାଲକ୍ଷ୍ମୀ କମଳାତ୍ମିକା, ସୁଦର୍ଶନ ଏକଲିଙ୍ଗ ଓ ବିମଳା କୌଳେଶ୍ୱରୀ ବା ମହାଭୈରବୀ ଅଟନ୍ତି। ନବମ ଶତାବ୍ଦୀ ବେଳକୁ ଆଦି ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଦେବୀଙ୍କ ବିଗ୍ରହ (କଳା ମୁଗୁନି ପଥରରେ) ପ୍ରତିଷ୍ଠା ହୋଇଥିବାର କୁହାଯାଇଛି।

ଦେବୀ ଚତୁର୍ଭୁଜା, ତ୍ରିନେତ୍ରା, ୫ ଫୁଟ୍ଉଚ୍ଚତା ବିଶିଷ୍ଟ ବିଗ୍ରହ, ଗଳାରେ ମୁଣ୍ଡମାଳାଧାରିଣୀ ଏବଂ ଅଷ୍ଟଦଳ ପଦ୍ମ ଉପରେ ଦଣ୍ଡାୟମାନା। ସେ ଉପର ଦୁଇଟି ହସ୍ତରେ ନାଗପାଶ, ମତ୍ସ୍ୟକନ୍ୟା ଧାରଣ କରିଛନ୍ତି ଓ ନିମ୍ନ ହସ୍ତ ଦୁଇଟିରେ ଜପମାଳା, ମଦ୍ୟପାତ୍ର ଧାଋଣ କରିଛନ୍ତି। ଦେବୀଙ୍କ ଦକ୍ଷିଣ ଓ ବାମ ପାର୍ଶ୍ୱରେ ମାୟା ଓ ଛାୟା ଦେବୀ (ଦେବକନ୍ୟା ଓ ନାଗକନ୍ୟା) ଅବସ୍ଥିତା। ଏତଦ୍ ବ୍ୟତୀତ ମନ୍ଦିରରେ ସପ୍ତମାତୃକା, ଦଶମହା ବିଦ୍ୟା ଆଦି ପୂଜା ପାଉଛନ୍ତି। ବିମଳା ମା’ ପୂଜା ପାଉଥିବା ମନ୍ଦିରର ଉଚ୍ଚତା ୬୦ ଫୁଟ୍ ଓ ଏହା ୩ ଭାଗରେ ବିଭକ୍ତ। ମୁଖଶାଳା ବା ବିମାନ, ଜଗମୋହନ ବା ନାଟ ମଣ୍ଡପ। ଷୋଡ଼ଶ ମାତୃକା ଓ ଯୋଗିନୀଙ୍କର ୪୪ଟି ଚିତ୍ର ନାଟ ମଣ୍ଡପ କାନ୍ଥରେ ଚିତ୍ରିତ ହୋଇଛି । ଶାରଦୀୟ ଷୋଡଶ ଦିନାତ୍ମକ ପୂଜାରେ ଦୁର୍ଗା ମାଧବ ଏକତ୍ର ଭଦ୍ରାସନ ରେ ରୁନ୍ଧା ହୋଇଥାନ୍ତି ଏବଂ ବିମଳା ମନ୍ଦିରରେ ବିଜେ କରିଥାନ୍ତି।

ଶ୍ରୀ ଦୁର୍ଗା ମାଧବ ଉପାସନା ଓ ଯାତ୍ରାବିଧି ଆଶ୍ୱିନ କୃଷ୍ଣ ଅଷ୍ଟମୀରୁ ଆରମ୍ଭ ହୋଇ ଆଶ୍ୱିନ ଶୁକ୍ଳ ଦଶମୀ ତିଥିରେ ଅର୍ଥାତ ଦଶହରା ଦିନ ଶେଷ ହୋଇଥାଏ, ପ୍ରତିଦିନ ନାରାୟଣୀ ମନ୍ଦିରକୁ ଯାତ୍ରା କରିଥାନ୍ତି, ଏହାକୁ “ଶାକ୍ତଗୁଣ୍ଡିଚାଯାତ୍ରା” କୁହାଯାଏ। ଏହି ସମୟରେ ସପ୍ତମୀ, ଅଷ୍ଟମୀ, ନବମୀ ଅର୍ଦ୍ଧରାତ୍ରୀ ସମୟରେ ମହାନିଶା ପୂଜା ଅନୁଷ୍ଠିତ ହୋଇଥାଏ ଯେଉଁଥିରେ ଦେବୀଙ୍କ ପାର୍ଶ୍ୱରେ ଥିବା ନାଗକନ୍ୟା ଓ ଦେବକନ୍ୟା ତଥା ଚଉଷଠି ଯୋଗିନୀଙ୍କ ପାଇଁ ପଶୁପ୍ରୋକ୍ଷଣ ଅନୁଷ୍ଠିତ ହୋଇଥାଏ; ମା’ଙ୍କର ନାରାୟଣୀ ବେଶ, ବନଦୁର୍ଗା ବେଶ, ବଗଲା ବେଶ, ହରଚଣ୍ଡୀ ବେଶ, ମାତଙ୍ଗୀ ବେଶ, ରାଜରାଜେଶ୍ୱରୀ ବେଶ, ସିଂହବାହିନୀ ବେଶ, ଭୁବନେଶ୍ଵରୀ ବେଶ, ଉଗ୍ରତାରା ବେଶ, ଜୟଦୁର୍ଗା ବେଶ ଓ ଦଶହରାରେ ଅପରାଜିତା ବେଶ ଆଦି ଅନୁଷ୍ଠିତ ହୋଇଥାଏ।
⁠ଷୋଳ ପୂଜା ସମୟରେ ମା’ ବିମଳା କେତେକ ଅଧିକ ସୁବର୍ଣ୍ଣ ଅଳଙ୍କର ପରିଧାନ କରନ୍ତି। ତାହା ହେଲା.. ⁠କମରପଟି-୧, ଝୋବା କଣ୍ଠି-୪, ସୁଉକି ମାଳ (ରାମାଭିଷେକ ପଦକ ଥାଇ)-୧, ଚମ୍ପାକଢ଼ି ମାଳ (୫୭ କଢ଼ି ଥାଇ)-୧, କୁରୁଜାତକ ମାଳି-୧, ବଡ଼ମୁଣ୍ଡ ମାଳି (୪୦ଟି ମୁଣ୍ଡ ଥାଇ)-୧, ସାନମୁଣ୍ଡି ମାଳି (୨୭ଟି ମୁଣ୍ଡ ଥାଇ) -୧, ନୋଥ-୧, ଅଷ୍ଟରତ୍ନ ଗୁଣା-୧, ଦଣ୍ଡି-୧, ଉପଚାର-୧, ସେବତୀ ହାର (ଅଷ୍ଟରତ୍ନ ପଦକ ଥାଇ ୧୬ଟି ସେବତୀ) -୧, ପଦ୍ମହାର (୩୦, ୫୫, ୩୨, ୨୪ ଓ ୪ଟି ପଦ୍ମ ଥାଇ)- ୫ଟି ଓ ରୁପାର ଏକ ପଦ୍ମ ହାର (୪୦ଟି ପଦ୍ମ ଥାଇ)। ⁠ଷୋଳ ପୂଜାରେ ପିନ୍ଧୁଥିବା ବିଶେଷ ଅଳଙ୍କାର ବ୍ୟତୀତ ବର୍ଷସାରା ସଦା ସର୍ବଦା ଦେବୀଙ୍କ ଶ୍ରୀଅଙ୍ଗରେ ନିମ୍ନଲିଖିତ ସୁବର୍ଣ ଅଳଙ୍କାର ଶୋଭାପାଏ। କିରୀଟ, ନାକଫୁଲ, କାନଫୁଲ, ଅନନ୍ତ ବ୍ରତ, ବାଜୁ, କିଆ, ଚୁଡ଼ି, ତ୍ରିନେତ୍ର, ନେତ୍ର, ଚାପସରି, କଣ୍ଡିମାଳ, ହରିଡ଼ାକଣ୍ଠ ମାଳ (୩), ବଟଫଳ, ବକ୍ଷସ୍ତଳ ପଦ୍ମ, ହସ୍ତ ଓ ପଦର ମୁଦ୍ରିକା, ପଦର ନଖ ଇତ୍ୟାଦି।
ଅତିବଡ଼ି ଶ୍ରୀ ଜଗନ୍ନାଥ ଦାଶଙ୍କ ଶ୍ରୀମଦ୍ ଭାଗବତର ଦ୍ୱାଦଶ ସ୍କନ୍ଦ
“ନାରାୟଣ କଳା ରୂପିଣି, ଜ୍ଞାନ କ୍ରିୟା ଏ ଇଛା ତିନି
ବିମଳାଦି ନବ ଶକ୍ତିନୀ ,ଏ ମଧ୍ୟେ ରାମ ବିଳାସିନୀ”।
ଏହି ପାରମ୍ପରିକ ସରଣୀରେ ବିମଳାଙ୍କୁ ଜଗନ୍ନାଥଙ୍କ ମାୟାଶକ୍ତି, ବଳଭଦ୍ରଙ୍କର କ୍ରିୟାଶକ୍ତି ଓ ସୁଭଦ୍ରାଙ୍କର ଇଛା ଶକ୍ତି ବୋଲି ନିଆଯାଇ ଥାଏ। ସେ ହିସାବରେ ବିମଳା ରାମ ବିଳାସିନୀ ବା ବଳଭଦ୍ର ବଲ୍ଲଭା ଜ୍ଞାନରୂପା ବୋଲି କଥିତ ହୁଅନ୍ତି।
“ବଳଭଦ୍ର ପ୍ରିୟା ଦେବୀ ଚିଦ୍‌ଜ୍ଞାନ ବିମଳାତ୍ମିକା
ଶୁଦ୍ଧଜ୍ଞାନ ସ୍ୱରୁପାୟୈ ସର୍ବ ସମ୍ପତ୍ ପ୍ରଦାୟନୀ ॥”
ଷୋଳ ପୂଜାର ପରମ୍ପରା ଅନୁଯାଇ ବଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କର ପବିତ୍ର ଅଧରମାଳା ପଦକାଦି ବିମଳାଙ୍କୁ ଲାଗି ହୋଇଥାଏ, ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅଧରମାଳା ମହାଲକ୍ଷ୍ମୀଙ୍କୁ ଲାଗିହୁଏ, ଦୁର୍ଗାମାଧବ ପ୍ରଥମ ଦିନ ବିମଳା ମନ୍ଦିରକୁ ବିଜେ ହେବା ପୂର୍ବରୁ ବିମଳାଙ୍କ ପାଖରେ ସହସ୍ର କୁମ୍ଭାଭିଷେକ ପୂଜା ସରିଥାଏ। ପ୍ରଥମ ପୂଜା ପାଇଁ ସକାଳ ଧୂପ ଶେଷ ପରେ ବିମଳାଙ୍କ ଦେଉଳରେ ପରିଚ୍ଛା ଓ ପରିକରଣ ମାନେ ହୁକୁମମାନ ପାଠ କରନ୍ତି। ବ୍ରହ୍ମାବରଣ ନିମନ୍ତେ ବରୁଣ ପୂଜା ହୁଏ। ଆଚାର୍ଯ୍ୟ ବରଣ, ବ୍ରହ୍ମାବରଣ, ସ୍ୱସ୍ତିବାଚନ ଓ ଚଣ୍ଡୀବରଣ ହୁଏ। ସଂକଳ୍ପ ହୁଏ। ଠାକୁରାଣୀଙ୍କ ଛାମୁରେ ପାଣି ପଡ଼ି, ପାହାଡ଼ ପଡ଼ି ଭୋଗ ବଢ଼ାହୁଏ। ପାଳିଆ ସେବକ ପୂଜା ଠା’ କରେ। ପ୍ରଧାନୀ ପୂଜକଙ୍କୁ ଡକାଇ ପୂଜାରେ ବସାନ୍ତି।

ପୂଜା ଷୋଡ଼ଶ ଉପଚାରରେ ହୁଏ। କୋଠଭୋଗର ମହାପ୍ରସାଦ ପିଠା, ଥାଳି ଖେଚୁଡ଼ି ବିମଳାଙ୍କ ମଣୋହିରେ ବଢ଼ାଯାଏ। ଭୋଗ ପୂଜା ବେଳେ ଘଣ୍ଟ, କାହାଳୀ ବାଜେ, ଛତ୍ର ଧରାଯାଏ। ଆଗ କାଳରେ ଏହି ସମୟରେ ପରିଚ୍ଛା ପଟୁଆର କରୁଥିଲେ ଓ ଦେବଦାସୀ ନୃତ୍ୟ କରୁଥିଲେ। ତାହା ଏବେ ହେଉ ନାହିଁ।
ଟେରା ଫିଟିଲେ କର୍ପୂର ଆଳତି ଓ ୨୧ବତି ବନ୍ଦାପନା ହୁଏ। ସକାଳ ଧୂପ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚଣ୍ଡୀପାଠ ଓ ସହସ୍ର ନାମାଦି ପାଠ କରାଯାଏ। କିନ୍ତୁ ଏହି ପାଠ ମଧ୍ୟାହ୍ନ ଓ ରାତ୍ର ଧୂପ ମାନଙ୍କରେ ହୁଏ ନାହିଁ। ବିଧି ଅନୁସାରେ ଶ୍ରୀଜୀଉ ମାନଙ୍କର ମଧ୍ୟାହ୍ନ ଧୂପ ଓ ସଂଧ୍ୟା ଧୂପ ପରେ ବିମଳାଙ୍କର ମଧ୍ୟାହ୍ନ ଓ ସଂଧ୍ୟା ଧୂପ ହୁଏ। ଏହି ଧୂପ ମାନଙ୍କରେ ସକାଳ ଧୂପ ପରି ପ୍ରସାଦ ଓ ପିଷ୍ଟକାଦି ଦେବୀଙ୍କୁ ନୈବେଦ୍ୟ ରୂପେ ବଢ଼ାଯାଏ ଘଣ୍ଟ, କାହାଳୀ ଓ ଛତି ବ୍ୟବସ୍ଥା ପ୍ରତ୍ୟେକ ଧୂପ ପାଇଁ ଅଛି। ସପ୍ତମୀ ଦିନଠାରୁ ବିମଳାଙ୍କର ତ୍ରିଦିବସାତ୍ମକ ପୂଜା ପାଇଁ ପୃକ ସଂକଳ୍ପ କରାଯାଏ।

ଏଥିରେ ତର୍ପଣ ମାର୍ଜନାଦି ସହ ବଳି, ଜପ, ହୋମ ଆଦି ଯୋଗ କରାଯାଏ। ଏହି ତିନି ଦିନ ଅର୍ଥାତ ସପ୍ତମୀ, ଅଷ୍ଟମୀ ଓ ନବମୀ ନିଶାର୍ଦ୍ଧରେ ସଙ୍ଖୁଡ଼ି ଓ ଆମିଷ (ମାଛ) ଭୋଗର ବ୍ୟବସ୍ଥା ଅଛି। ଏହି ଭୋଗ ପ୍ରସ୍ତୁତି ପାଇଁ ବିମଳା ମନ୍ଦିର ଆଗରେ ଥିବା କୂପର ଦକ୍ଷିଣ ଦିଗରେ ଅସ୍ଥାୟୀ ପାକଶାଳା ନିର୍ମିତ ହୋଇଥାଏ। ବଡ଼ ଦେଉଳରେ ଶ୍ରୀଜୀଉମାନଙ୍କର ରାତ୍ର ପହୁଡ଼ ପରେ ଶ୍ରୀମନ୍ଦିର ବେଢ଼ା ଶୋଧ କରାଯାଏ। ପଶ୍ଚିମ ଦ୍ୱାର ବାଟେ ଦେବୀଙ୍କ ଭୋଗ ପ୍ରସ୍ତୁତି ନିମନ୍ତେ ବଳି ପାଇଁ ପଶୁ ଓ ମାଛ ଆଦି ଅଣାଯାଏ। ଏହି ତିନି ଦିନ ପ୍ରତ୍ୟେକ ରାତ୍ରରେ ଦୁଇଟି ଲେଖାଏଁ ମେଣ୍ଢା ବଳି ପଡ଼େ। ମାଛ ରନ୍ଧା ହୁଏ। ଛେଦ ବିମଳାଙ୍କ କୂପ ପାଖରେ ପଡ଼ିବା ପରେ ଠାକୁରାଣୀଙ୍କ ପୂଜକ ରକ୍ତ ସରାରେ ନେଇ ଠାକୁରାଣୀଙ୍କ ପାଖରେ ରଖେ। ଶଙ୍ଖୁଡି ଧୂପ ପାଣି ପଡ଼ିବା ପରେ ପଶ୍ଚିମ ଦ୍ୱାର ପର୍ଯ୍ୟନ୍ତ ନପାଣି ପଡ଼ି ଧୁଆଯାଏ। ବିମଳାଙ୍କ ପୂଜା (୧୬ ଦିନ) ଭିତରେ କୌଣସି ସ୍ତ୍ରୀ ଲୋକ ବିମଳା ମନ୍ଦିର ଭିତରକୁ ପ୍ରବେଶ ନିଷେଧ। ଦୈନନ୍ଦିନ ଭୋଗକୁ ଛାଡ଼ି ଦେଲେ ଷୋହଳ ପୂଜା ବେଳେ ବିମଳାଙ୍କ ପାଇଁ କେତେକ ଅଧିକ ଭୋଗ ହୁଏ। ଲୋକଙ୍କ ଖଞ୍ଜା ଅନୁଯାୟୀ ସଂଧ୍ୟା ଧୂପ ପରେ ବିମଳା ଠାକୁରାଣୀଙ୍କର ବିଭିନ୍ନ ଦେବୀ ବେଶ ହୁଏ। ତାହା ହେଲା- ବନଦୁର୍ଗା ବେଶ, ଭୁବନେଶ୍ୱରୀ ବେଶ, ନାରାୟଣୀ  ବେଶ, ବଗଳା ବେଶ, ଜୟଦୁର୍ଗ ବେଶ, ଉଗ୍ରତାରା ବେଶ, ମାତଙ୍ଗିନୀ ବେଶ, ଦଶଭୁଜା ବେଶ, ରାଜରାଜେଶ୍ବରୀ ବେଶ, ହରଚଣ୍ଡୀ ବେଶ ଓ ସିଂହ ବାହିନୀ ବେଶ।

“ଓଁ ଶ୍ରୀ କ୍ଷେତ୍ରେଶ୍ୱର୍ଯୈ ବିଦ୍ମହେ, ଦୁର୍ଗା ମାଧବାଭ୍ଯାଂ ଧୀମହୀ, ତନ୍ନୋ ବିମଳା ପ୍ରଚୋଦୟାତ୍”

ଓଡିଶାରେ ଶକ୍ତି ପୂଜାର ଆଧିକ୍ଯ ରହିଥିଲେ ହେଁ ପ୍ରଧାନତଃ ଆଠଟି ତନ୍ତ୍ର ପୀଠରେ ଶକ୍ତି ସ୍ବରୂପିଣୀ ଦେବୀ କେଉଁଠି କେଉଁଠି ଅଷ୍ଟଭୁଜା ତ କେଉଁଠି ଦ୍ବିଭୁଜା, କେଉଁଠି ପରମ ବୈଷ୍ଣବୀ, ନରମୁଣ୍ଡମାଳିନୀ ଓ କେଉଁଠି କାତ୍ୟାୟନୀ ରୂପେ ପୂଜିତା। ଉତ୍କଳୀୟ ଶକ୍ତିପୀଠ ଗୁଡ଼ିକ ମଧ୍ଯ ଜଗତେ ଖ୍ଯାତ। ଶ୍ରୀକ୍ଷେତ୍ରରେ ମା’ ବିମଳା, କାକଟପୁରରେ ମା’ ମଙ୍ଗଳା, ବାଣପୁରରେ ଭଗବତୀ, ଝଙ୍କଡରେ ଶାରଳା, ଯାଜପୁରରେ  ବିରଜା, ବାଙ୍କୀରେ ଚର୍ଚ୍ଚିକା, ସମ୍ବଲପୁରରେ ସମଲେଇ ଓ ତାଳଚେରରେ ହିଙ୍ଗୁଳା ଭାବେ ପୂଜା ପାଇ ଆସୁଛନ୍ତି। ପ୍ରତ୍ୟକ ମାଙ୍ଗଳିକ କାର୍ଯ୍ୟରେ ଦୁର୍ଗା ଓ ମାଧବଙ୍କର ସ୍ମରଣ କରାଯାଇଥାଏ।

ଏହାହିଁ ଉତ୍କଳର ସଂସ୍କୃତି ଓ ବିଶେଷତ୍ୱ।ଶାସ୍ତ୍ର ବିଧି ଅନୁସାରେ ଶାରଦୀୟ ଓ ବାସନ୍ତୀ ଦୁର୍ଗାପୂଜାରେ ଏହି ସନ୍ଧି କାଳ ହିଁ ଦେବୀଙ୍କୁ ବଳି ଦେବର ପ୍ରଶସ୍ତ ସମୟ । ଏହି ସମୟରେ ମା’ଙ୍କ ପାଖରେ ବଳି ଦିଆଯାଏ । ପୂର୍ବରୁ ଜୀବମାନଙ୍କୁ ବଳି ଦିଆଯାଉଥିଲା, ଆଜିକାଲି ଲାଉ, ପାଣିକଖାରୁ ଓ ବୋଇତି କଖାରୁ ବଳି ଦିଆଯାଉଛି । ଓଡ଼ିଶାରେ ଏହି ଦିନ ମହିଳାମାନେ ଶାଢ଼ୀ, ଚୁଡି ,ଶଙ୍ଖା ସିନ୍ଦୁର ଇତ୍ୟାଦି ଆଣି ମା’ଙ୍କ ପାଖରେ ଭୋଗ କରିସାରିବା ପରେ ନୂଆ ବସ୍ତ୍ର ପରିଧାନ କରିଥାନ୍ତି ।ନବମୀ ପୂଜାରେ ମା’ଙ୍କ ପୀଠରେ ମାଛ ଭୋଗ ହେଇଥାଏ।କଟକର ଅଲିଶାବଜାର, ଚାନ୍ଦିନୀ ଚୌକ ପ୍ରଭୃତି କେତେକ ପୂଜା କମିଟି ନବମୀ ପୂଜାରେ ବଡ଼ ଧରଣର ମାଛ ଭୋଗ କରିଥାନ୍ତି । ଦଶମୀରେ ଘଟ ବିସର୍ଜନ ଓ ଭସାଣି ।

ଦଶମୀ ପୂଜା ମା’ଙ୍କ ଅନ୍ତିମ ପୂଜାର୍ଚ୍ଚନା ଅପରାଜିତା ପୂଜା ଏହି ଦିବସର ସ୍ୱାତନ୍ତ୍ର୍ୟତା ବହନ କରେ । ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦା କଲା ଭଳି କାନ୍ଦ ବୋବାଳି ପକାଉଥିଲେ, ଏବେ ଆଉ ନାହିଁ । ଏହା ସହିତ ମହିଳାମାନେ ସିନ୍ଦୁର ଖେଳ ଖେଳିଥାନ୍ତି  । ଅନେକ ସ୍ଥାନରେ ସିନ୍ଦୁର ଖେଳ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଉଥିଲା, ଯାହା ଏବେ ବୋଧେ ଆଉ ହେଉନାହିଁ । ଏହି ଦିବସର ପ୍ରମୁଖ ଭୋଗ ଦହି ପଖାଳ । ପଖାଳ ସହିତ ଓଡ଼ିଆଙ୍କର ହଜାର ହଜାର ବର୍ଷ ର ସମ୍ପର୍କର ଏହାହିଁ ନିଦର୍ଶନ ।
ଅଧୁନା କର୍ପୁର ଉଡି ଯାଇଛି , କନା ନୁହେଁ, ଛିଣ୍ଡା କନା , ଯେଭଳି। ମୋଟର ଯାନ ମରାମତି କେନ୍ଦ୍ର ବା ଗ୍ୟାରେଜ ମାନଙ୍କରେ ମୋବିଲ ବୋଳା କଳା କୁତୁରା କନା ଭଳି ଦୃଶ୍ୟମାନ । ହଜିଲା ଅତୀତ କୁ ଖୋଜିବା ସମୟରେ ଯେଉଁ ମାର୍ମିକ ବେଦନା ଅନୁଭବ କରୁଛୁ, ତାହା ଭାଷାରେ ବର୍ଣନା କରିବା ପାଇଁ ଶବ୍ଦ ଅକୁଳାଣ । “ଦୁର୍ଗା ଦୁର୍ଗାର୍ତ୍ତିଶମନୀ, ଦୁର୍ଗାପଦ୍ ବିନିବାରିଣୀ, ଦୁର୍ଗମଚ୍ଛେଦିନୀ, ଦୁର୍ଗସାଧିନୀ ଦୁର୍ଗନାଶିନୀ ।।
ଦୁର୍ଗତୋଦ୍ଧାରିଣୀ,ଦୁର୍ଗମଜ୍ଞାନନ୍ଦା ଦୁର୍ଗଦୈତ୍ୟ ଲୋକଦବାନଳା ।।
ଦୁର୍ଗମାଲୋକା ଦୁର୍ଗାମାତ୍ମ ସ୍ୱରୂପିଣୀ, ଦୁର୍ଗମାର୍ଗପ୍ରଦା ଦୁର୍ଗମବିଦ୍ୟା ଦୁର୍ଗମାଶ୍ରିତା ।।
ଦୁର୍ଗମଜ୍ଞାନ ସଂସ୍ଥାନା ଦୁର୍ଗମ ଧ୍ୟାନଭାସିନୀ, ଦୁର୍ଗମୋହା, ଦୁର୍ଗମଣା ଦୁର୍ଗମାର୍ଥସ୍ୱରୂପିଣୀ ।।
ଦୁର୍ଗମାସୁରସଂହନ୍ତୀ ଦୁର୍ଗମାୟୁଧ ଧାରିଣୀ, ଦୁର୍ଗମାଙ୍ଗୀ ଦୁର୍ଗମତା ଦୁର୍ଗମ୍ୟା ଦୁର୍ଗମେଶ୍ୱରୀ ।।
ଦୁର୍ଗଭୀମା, ଦୁର୍ଗଭାମା ଦୁର୍ଗଭା ଦୁର୍ଗଦାରିଣୀ, ନାମାବଳିମିମାଂଯସ୍ତୁ ଦୁର୍ଗାୟ ମମମାନବଃ ।।”
ଦୁର୍ଗମଛେଦିନୀ, ଦୁର୍ଗତିନାଶିନୀ, ଶକ୍ତି ସ୍ୱରୂପିଣୀ, ତ୍ରିଶୂଳଧାରିଣୀ, ବଳଦାୟିନୀ, ମହିଷମର୍ଦ୍ଦିନୀ, ଚଣ୍ଡମୁଣ୍ଡ ବିନାଶିନୀ ,ମୋକ୍ଷଦାତ୍ରୀ ,ମଙ୍ଗଳମୟୀ ମା’ ଦୁର୍ଗାଙ୍କର ଅପାର କରୁଣା ଓ ଅସୀମ ଆଶୀର୍ବାଦରେ ‘ ସୁବାର୍ତ୍ତା’ ସକଳ ବର୍ଗର ପାଠକ ମାନଙ୍କର ସକଳ ସୁମନାସ ପ୍ରାର୍ଥନାନ୍ତେ ଜୟ ମାଆ ଦୁର୍ଗା ।

ରକ୍ତତୀର୍ଥ ଇରମ- ସ୍ଵାଧୀନତା ସଂଗ୍ରାମର ଏକ ଅଭୂଲା ଅଧ୍ୟାୟ

ରକ୍ତତୀର୍ଥ ଇରମ- ସ୍ଵାଧୀନତା ସଂଗ୍ରାମର ଏକ ଅଭୂଲା ଅଧ୍ୟାୟ

ମହାତ୍ମା ଗାନ୍ଧୀଙ୍କର ଭାରତ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇ ସ୍ୱାଧୀନତା ସଂଗ୍ରାମୀମାନେ ୧୯୪୨ ମସିହାରେ ସେପ୍ଟେମ୍ବର ୨୮ ତାରିଖ ଦିନ ଇରମଠାରେ ଥିବା ‘ମେଳା ଆମ୍ବ ଗଛ’ ମୂଳେ ଏକାଠି ହୋଇଥିଲେ । ସମ୍ପୁର୍ଣ ଅହିଂସ ଭାବରେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଧାରଣ କରୁଥିଲେ । ଏହି ସମୟରେ ଅଚାନକ ଭାବରେ ବାସୁଦେବପୁର ଥାନାର ଇଂରେଜ ପୁଲିସ ଡି.ଏସ.ପି. କୁଞ୍ଜବିହାରୀ ମହାନ୍ତିଙ୍କ ନେତୃତ୍ୱରେ ସେଠାରେ ପହଞ୍ଚି ସେମାନଙ୍କ ଉପରେ ଅତର୍କିତ ଭାବରେ ଗୁଳିଚାଳନା କରିଥିଲା ।

ଏହି ଘଟଣାଟି ସନ୍ଧ୍ୟା ସାଢ଼େ ଛଅ ଘଟିକା ସମୟରେ ଘଟିଥିଲା । ଚାରିଦିଗରୁ ଘେରା ହୋଇଥିବାରୁ ଏକତ୍ର ହୋଇଥିବା ଲୋକେ କେଉଁ ଆଡେ ଯାଇପାରିଲେ ନାହିଁ । ଘଟଣାସ୍ଥଳରେ ୨୮ ଜଣ ସ୍ୱାଧୀନତା ସଂଗ୍ରାମୀ ପ୍ରାଣ ହରାଇଥିଲେ ଓ ୬୦ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଆହତମାନଙ୍କ ମଧ୍ୟରୁ ଜଣେ ପରବର୍ତ୍ତୀ ସମୟରେ ପ୍ରାଣ ହରାଇଥିଲେ । ସମୁଦାୟ ମୃତ୍ୟୁ ସଂଖ୍ୟା ୨୯ ହୋଇଥିଲା ।

ଇଂରେଜ ପୁଲିସର କାର୍ଯ୍ୟାଳୟ ପାଢ଼ୀ ଆବାସର ଛାତ ଉପରୁ ବ୍ରିଟିଶ ପୁଲିସ ଗୁଳି ଚାଳନା କରିଥିଲା । ସେହି ପାଢ଼ୀ ଆବାସ ଏବେ ମଧ୍ୟ ସେଠାରେ ରହିଛି । ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ପରି ବେୱା ଦେଶର ମୁକ୍ତି ଆନ୍ଦୋଳନର ପ୍ରଥମ ମହିଳା ଶହୀଦ , ଯାହାଙ୍କ ସଂଗ୍ରାମୀ ଇତିହାସ ସଠିକ୍ ଭାବେ ଆଲୋଚିତ ହୋଇନାହିଁ । ଛ ଦିନ ପୂର୍ବରୁ ୮୩ ବର୍ଷ ତଳେ ସେପ୍ଟେମ୍ବର ୨୨ ତାରିଖ, ୧୯୪୨ ରେ ସେହି ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଭଦ୍ରକ ଉପଖଣ୍ଡ ବା ସବ୍ ଡିଭିଜନ ର ଧାମନଗର ଥାନା ଅନ୍ତର୍ଗତ ଲୁଣିଆ ଗ୍ରାମ ର ଦୋଳପଡିଆ ର ଇତିହାସ ବା ଯୁବ ବିପ୍ଲବୀ ମୁରଲୀଧର ପଣ୍ଡା,ରାଜମୁକୁନ୍ଦପୁର ର ସଂଗ୍ରାମୀ ରାଧାଶ୍ୟାମ ରାୟମହାପାତ୍ରଙ୍କ ନେତୃତ୍ବରେ ହୋଇଥିବା ସଂଗ୍ରାମର ଇତିହାସ ଯଦି ପଢିଥାନ୍ତେ ତେବେ ବରିଷ୍ଠ ସାମ୍ବାଦିକ ଏଭଳି ତାତ୍ସଲ୍ୟ କରିନଥାନ୍ତେ ।

ଆଜିର ଦିନରେ ସେହି ଲୁଣିଆ ଗୁଳିକାଣ୍ଡ ରେ ୯ ଜଣ ସହୀଦ ସଂଗ୍ରାମୀ ଯଥା ନିଧି ମହାଳିକ, ଗୌରୀ ଜେନା,ନବ କିଶୋର ନାୟକ, ଶ୍ୟାମ ସୁନ୍ଦର ମହାଳିକ, କୃଷ୍ଣ ମହାଳିକ, ଗୋପୀନାଥ ଜେନା, ଚିନ୍ତାମଣି ଦାସ, ଶଙ୍କର ବେହେରା,ଅଗଣି ସାହୁ ଙ୍କ ଶହୀଦ ଦିବସ ରେ ସେମାନଙ୍କର ବଳିଦାନ କୁ ସ୍ମରଣ କରି, ସେମାନଙ୍କ ଲୋହିତ ଅମ୍ଲାନ ବୈପ୍ଳବିକ ସ୍ମୃତି ପ୍ରତି ଜଣାଉଛୁ କୋଟି କୋଟି ଲୋହିତ ପ୍ରଣାମ ।ପ୍ରାକୃତିକ ଗୋପନୀୟତା ଦୃଷ୍ଟିରୁ ଏହି ସ୍ଥାନଟିକୁ ପୁଲିସ ଓ ପ୍ରଶାସନର ପ୍ରବେଶ କଷ୍ଟ ଥିଲା ଏବଂ ଏହି ସ୍ଥାନଟି ସ୍ୱାଧୀନତା ସଂଗ୍ରାମୀମାନଙ୍କର ଚରାଭୂଇଁ ସାଜିଥିଲା ।

୧୯୨୦ ମସିହାରୁ ବିଶ୍ବ ମଣି ପଣ୍ଡିତ ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ ଆଦି ବହୁ ନେତାମାନେ ଏଠାକୁ ଆସି ଲୋକମାନଙ୍କୁ ମହାତ୍ମା ଗାନ୍ଧୀଙ୍କ ବାର୍ତା ଦେଉଥିଲେ ଓ ସ୍ୱାଧୀନତା ସଂଗ୍ରାମକୁ ତ୍ୱରାନ୍ୱୀତ କରାଉଥିଲେ । ଏଠାରେ ସ୍ୱାଧୀନତା-ଭିତ୍ତିକ କାବ୍ୟ ରଚନା କରିଥିବା କବି ବାଞ୍ଛାନିଧି ମହାନ୍ତି ଜନ୍ମଗ୍ରହଣ କରିଥିଲେ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଓ ବ୍ରିଟିସ ଶାସନର ଅବସାନ କରିବା ଦିଗରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଅସହଯୋଗ ଆନ୍ଦୋଳନ ସମୟରେ ତାଙ୍କ ରଚିତ ସଙ୍ଗୀତ କଂଗ୍ରେସ ଭାବ ପ୍ରଚାର କରିବାରେ ବହୁତ ସାହାଯ୍ୟ କରିଥିଲା ।

୮୩ ବର୍ଷ ତଳେ ଯେଉଁ ବୀର ବିପ୍ଲବୀ ମାନେ ପ୍ରାଣବଳି ଦେଇଥିଲେ , ସେମାନେ ଯଥାକ୍ରମେ ବରେଣ୍ୟାପରି ବେୱା,ଇରମ, ବାସୁଦେବପୁର ,ଶହୀଦ ଗୋପାଳ ଚନ୍ଦ୍ର ଦାସ, ପଢୁଆଁ , ଶହୀଦ ବିଶ୍ୱନାଥ ଦାସ, ପଢୁଆଁ , ଶହୀଦ ବିଜୁଳି ଦାସ, ପଢୁଆଁ , ଶହୀଦ ହୃଷିକେଷ ବେହେରା, ପଢୁଆଁ , ଶହୀଦ ମଦନ ପଲାଇ, ପଢୁଆଁ , ଶହୀଦ ବଲ୍ଲଭ ବେହେରା, ପଢୁଆଁ , ଶହୀଦ ମାଘ ମାହାଳିକ, ପଢୁଆଁ , ଶହୀଦ ଭୁଆ ମାଝି, ପଢୁଆଁ , ଶହୀଦ କାଳୀ ମାଝି, ପଢୁଆଁ-କୁମାରପୁର , ଶହୀଦ ରାଧୁ ମାହାଳିକ, ପଢୁଆଁ- ମୂଳଡିହୀ , ଶହୀଦ ଧ୍ରୁବ ଚରଣ ଦେ, ପଢୁଆଁ , ଶହୀଦ ବାସୁଦେବ ସାହୁ, ପଢୁଆଁ , ଶହୀଦ ହରି ବେହେରା, ପଢୁଆଁ , ଶହୀଦ ଦିବାକର ପାଣିଗ୍ରାହୀ, ଗୁଡ, କେଶଗଡିଆ , ଶହୀଦ କୃଷ୍ଣଚନ୍ଦ୍ର ସ୍ୱାଇଁ, ପଢୁଆଁ-କୁମାରପୁର , ଶହୀଦ ଭବନ ରାଉତ, ପଢୁଆଁ- ନନ୍ଦପୁର , ଶହୀଦ ନିଧି ମାହାଳିକ, ପଢୁଆଁ , ଶହୀଦ ବୃନ୍ଦାବନ ପଣ୍ଡା, ପଢୁଆଁ , ଶହୀଦ

ଉପ ମଲ୍ଲିକ, ନୂଆ ଗାଁ , ଶହୀଦ କୃପାସିନ୍ଧୁ ବେହେରା, ଶଂଖାରୁ , ଶହୀଦ ରାମ ମାଝି, ପଢୁଆଁ-କୁମାରପୁର , ଶହୀଦ ମଣି ବେହେରା, ପଢୁଆଁ , ଶହୀଦ କତି ସାହୁ, ଈଶ୍ୱରପୁର , ଶହୀଦ

ରତ୍ନାକର ପାଣି, ସୁଦର୍ଶନପୁର , ଶହୀଦ ମଣି ପ୍ରଧାନ, ସୁଆଣ- ସୁଦର୍ଶନପୁର , ଶହୀଦ ପରି ଦାସ, ସୁଆଣ , ଶହୀଦ ଶଙ୍କର ମଲ୍ଲିକ, ଅଧୁଆଁ ଓ ଶହୀଦ ଗୋବିନ୍ଦ ରାଉତ, ଆର୍ତୁଗାଁ । ଶହୀଦ ଦିବସ ରେ ଉପରୋକ୍ତ ଶହୀଦ ବୀର ବଳିୟାର ମାନଙ୍କ ଲୋହିତ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛୁ ।