ମୋହନ ଭାଗବତଜୀଙ୍କୁ ଅଭିନନ୍ଦନ

ମୋହନ ଭାଗବତଜୀଙ୍କୁ ଅଭିନନ୍ଦନ

ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

ଆଜି ସେପ୍ଟେମ୍ବର ୧୧। ଏହି ଦିନ ଦୁଇଟି ବିପରୀତ ସ୍ମୃତିକୁ ମନେ ପକାଏ। ପ୍ରଥମଟି ହେଉଛି ୧୮୯୩ ମସିହାର, ଯେତେବେଳେ ସ୍ୱାମୀ ବିବେକାନନ୍ଦ ଚିକାଗୋର ବିଶ୍ୱ ଧର୍ମ ସମ୍ମିଳନୀରେ ତାଙ୍କର ପ୍ରତୀକାତ୍ମକ ଭାଷଣ ଦେଇଥିଲେ। ‘ଆମେରିକାର ଭଉଣୀ ଓ ଭାଇମାନେ…’ – ଏହି କିଛି ଶବ୍ଦରେ ସେ ପ୍ରେକ୍ଷାଳୟର ହଜାର ହଜାର ଶ୍ରୋତାଙ୍କ ହୃଦୟକୁ ଜିତି ଭାରତର ଆଧ୍ୟାତ୍ମିକ ଐତିହ୍ୟ ଏବଂ ବିଶ୍ୱ ଭ୍ରାତୃତ୍ୱର ସନ୍ଦେଶକୁ ବିଶ୍ୱ ସ୍ତରରେ ପରିଚିତ କରାଇଥିଲେ। ଦ୍ୱିତୀୟଟି ହେଉଛି ୯/୧୧ ଆତଙ୍କବାଦୀ ଆକ୍ରମଣ, ଯେତେବେଳେ ମୌଳବାଦ ଓ ଆତଙ୍କବାଦର ବିପଦ ଯୋଗୁଁ ଏହି ନୀତି ଆକ୍ରମଣର ଶିକାର ହୋଇଥିଲା।

ଆଜିର ଦିନଟି ଆଉ ଏକ ବିଶେଷ ସ୍ମୃତି ସହିତ ମଧ୍ୟ ଜଡ଼ିତ। ଏହା ହେଉଛି ଶ୍ରୀ ମୋହନ ଭାଗବତ ଜୀଙ୍କ ୭୫ତମ ଜନ୍ମଦିନ। ‘ବସୁଧୈବ କୁଟୁମ୍ବକମ୍’ର ଆଦର୍ଶରୁ ଅନୁପ୍ରାଣିତ ହୋଇ ସେ ସମାଜିକ ପରିବର୍ତ୍ତନ, ସଦ୍ଭାବ ଏବଂ ଭାଇଚାରାର ଭାବନାକୁ ମଜବୁତ କରିବା ପାଇଁ ସମଗ୍ର ଜୀବନକୁ ଉତ୍ସର୍ଗ କରିଛନ୍ତି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଜଡ଼ିତ ଲକ୍ଷ ଲକ୍ଷ ସଦସ୍ୟଙ୍କ ପାଇଁ ସେ ‘ପରମ ପୂଜ୍ୟ ସରସଂଘଚାଳକ’ ଭାବେ ସମ୍ମାନିତ। ତାଙ୍କ ୭୫ତମ ଜନ୍ମଦିନ, ଆକସ୍ମିକ ଭାବରେ ସେହି ବର୍ଷ ପଡୁଛି ଯେତେବେଳେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତା’ର ଶତବାର୍ଷିକୀ ପାଳନ କରୁଛି। ଏହି ଅବସରରେ ମୁଁ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି ଏବଂ ତାଙ୍କ ଦୀର୍ଘ, ସୁସ୍ଥ ଓ ସକ୍ରିୟ ଜୀବନ ପାଇଁ ପ୍ରାର୍ଥନା କରୁଛି।

ମୋହନ ଜୀଙ୍କ ପରିବାର ସହିତ ମୋର ସମ୍ପର୍କ ଗଭୀର। ମୁଁ ତାଙ୍କ ପିତା ସ୍ୱର୍ଗତ ମଧୁକରରାଓ ଭାଗବତ ଜୀଙ୍କ ସହିତ କାମ କରିବାର ସୌଭାଗ୍ୟ ପାଇଛି ଏବଂ ମୋର ପୁସ୍ତକ ‘ଜ୍ୟୋତିପୁଞ୍ଜ’ରେ ମଧ୍ୟ ତାଙ୍କର ଜୀବନ ଏବଂ କାର୍ଯ୍ୟ ବିସ୍ତୃତ ଭାବେ ଉଲ୍ଲେଖ କରିଛି। ଆଇନ ଜଗତରେ ତାଙ୍କର ଯୋଗଦାନ ସହିତ ରାଷ୍ଟ୍ର ନିର୍ମାଣ ପ୍ରତି ତାଙ୍କର ଉତ୍ସର୍ଗ ଅସାଧାରଣ। ସମଗ୍ର ଗୁଜରାଟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘକୁ ଶକ୍ତିଶାଳୀ କରିବାରେ ସେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରାଷ୍ଟ୍ର ପ୍ରତି ଏହି ଅଗାଧ ସମର୍ପଣ ତାଙ୍କ ପୁଅ ମୋହନରାଓଙ୍କୁ ମଧ୍ୟ ପ୍ରେରଣା ଦେଇଥିଲା, ଯାହା ତାଙ୍କୁ ଭାରତର ପୁନର୍ଜନ୍ମ ପାଇଁ ନିଷ୍ଠାପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ଅନୁପ୍ରାଣିତ କଲା। ଜଣେ ପରସମଣି ମଧୁକରରାଓ, ମୋହନରାଓଙ୍କ ମାଧ୍ୟମରେ ଆଉ ଏକ ପରସମଣିକୁ ପ୍ରସ୍ତୁତ କରିଥିଲେ।

ମୋହନ ଜୀ ୧୯୭୦ ଦଶକର ମଧ୍ୟଭାଗରେ ଆରଏସଏସର ଜଣେ ପ୍ରଚାରକ ହୋଇଥିଲେ। ‘ପ୍ରଚାରକ’ ଶବ୍ଦଟି ଶୁଣିବା ପରେ କେହି ଭୁଲରେ ଭାବିପାରନ୍ତି ଯେ, ଏହା ଏପରି ବ୍ୟକ୍ତିଙ୍କୁ ବୁଝାଏ ଯିଏ କେବଳ ପ୍ରଚାର କରନ୍ତି କିମ୍ବା ପ୍ରଚାର କରୁଛନ୍ତି। କିନ୍ତୁ, ଯେଉଁମାନେ ଆରଏସଏସର କାର୍ଯ୍ୟ ସହିତ ଉତ୍ତମ ରୂପେ ପରିଚିତ ସେମାନେ ଅବଶ୍ୟ ବୁଝନ୍ତି ଯେ, ପ୍ରଚାରକ ପରମ୍ପରା ସଂଗଠନର କାର୍ଯ୍ୟର ମୂଳଦୁଆରେ ରହିଛି। ଗତ ଶହେ ବର୍ଷ ଧରି ଦେଶପ୍ରେମ ଉତ୍ସାହରେ ଅନୁପ୍ରାଣିତ ହଜାର ହଜାର ଯୁବକ ‘ଭାରତ ପ୍ରଥମ’ର ଚିନ୍ତାଧାରା ଓ ଆଦର୍ଶକୁ ସାକାର କରିବା ନିମନ୍ତେ ନିଜର ଜୀବନ ଉତ୍ସର୍ଗ କରିବା ପାଇଁ ନିଜର ଘର ଏବଂ ପରିବାର ଛାଡ଼ିଛନ୍ତି।

ଆରଏସଏସରେ ତାଙ୍କର ପ୍ରାରମ୍ଭିକ ବର୍ଷଗୁଡ଼ିକ ଭାରତୀୟ ଇତିହାସର ଏକ ଅତ୍ୟନ୍ତ ଅନ୍ଧକାର ସମୟ ସହିତ ସମାନ ଭାବରେ ରହିଥିଲା। ଏହି ସେହି ସମୟ ଥିଲା ଯେତେବେଳେ ତତ୍କାଳୀନ କଂଗ୍ରେସ ସରକାର ଦ୍ୱାରା ଦେଶରେ କଠୋର ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା। ପ୍ରତ୍ୟେକ ବ୍ୟକ୍ତି ଯେଉଁମାନେ ଗଣତାନ୍ତ୍ରିକ ନୀତିକୁ ଆଦର କରୁଥିଲେ ଏବଂ ଭାରତକୁ ସମୃଦ୍ଧ କରିବାକୁ ଚାହୁଁଥିଲେ, ସେମାନଙ୍କ ପାଇଁ ଜରୁରୀକାଳୀନ ବିରୋଧୀ ଆନ୍ଦୋଳନକୁ ମଜବୁତ କରିବା ସ୍ୱାଭାବିକ ଥିଲା। ମୋହନ ଜୀ ଏବଂ ଅଗଣିତ ଆରଏସଏସ ସ୍ୱୟଂସେବକମାନେ ଏହା ହିଁ କରିଥିଲେ। ସେ ମହାରାଷ୍ଟ୍ରର ଗ୍ରାମୀଣ ଏବଂ ପଛୁଆ ଅଞ୍ଚଳ, ବିଶେଷକରି ବିଦର୍ଭରେ ବ୍ୟାପକ ଭାବରେ କାର୍ଯ୍ୟ କରିଥିଲେ। ଏହା ଗରିବ ଏବଂ ଦଳିତ ଲୋକଙ୍କ ଦ୍ୱାରା ସମ୍ମୁଖୀନ ହେଉଥିବା ଆହ୍ୱାନ ବିଷୟରେ ତାଙ୍କର ବୁଝାମଣାକୁ ଆକାର ପ୍ରଦାନ କରିଥିଲା।

ବର୍ଷ ବର୍ଷ ଧରି ଭାଗବତ ଜୀ ଆରଏସଏସରେ ବିଭିନ୍ନ ପଦବୀରେ ରହିଥିଲେ। ସେ ପ୍ରତ୍ୟେକ କର୍ତ୍ତବ୍ୟକୁ ଅତ୍ୟନ୍ତ ଦକ୍ଷତାର ସହିତ ସମ୍ପାଦନ କରିଥିଲେ। ୧୯୯୦ ଦଶକରେ ଅଖିଳ ଭାରତୀୟ ଶାରୀରିକ ବ୍ୟୟାମ ପ୍ରମୁଖର ମୁଖ୍ୟ ଭାବରେ, ମୋହନ ଜୀଙ୍କ ବର୍ଷଗୁଡ଼ିକୁ ଏବେ ବି ଅନେକ ସ୍ୱୟଂସେବକ ସ୍ମରଣ କରନ୍ତି। ଏହି ସମୟ ମଧ୍ୟରେ ସେ ବିହାରର ଅସଂଖ୍ୟ ଗ୍ରାମମାନଙ୍କରେ କାର୍ଯ୍ୟ କରି ସମୟ ବିତାଇଥିଲେ। ଏହି ଅଭିଜ୍ଞତା ତୃଣମୂଳ ସ୍ତରର ସମସ୍ୟାଗୁଡ଼ିକ ସହିତ ତାଙ୍କର ସମ୍ପର୍କକୁ ଆହୁରି ଗଭୀର କରିଥିଲା। ୨୦୦୦ ମସିହାରେ ସେ ସାଧାରଣ ସମ୍ପାଦକ ହୋଇଥିଲେ ଏବଂ ସେଥିରେ ମଧ୍ୟ ସେ ତାଙ୍କର ଅନନ୍ୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଥିଲେ। ଅନେକ ଜଟିଳ ପରିସ୍ଥିତିକୁ ସହଜ ଏବଂ ସଠିକତାର ସହିତ ପରିଚାଳନା କରୁଥିଲେ। ୨୦୦୯ ମସିହାରେ ସେ ସରସଂଘଚାଳକ ହୋଇଥିଲେ ଏବଂ ଅତ୍ୟନ୍ତ ଦକ୍ଷତାର ସହିତ କାମ କରିଚାଲିଥିଲେ।

ସରସଂଘଚାଳକ ହେବା ଏକ ସାଂଗଠନିକ ଦାୟିତ୍ୱ ଅପେକ୍ଷା ଅଧିକ। ଅସାଧାରଣ ବ୍ୟକ୍ତିବିଶେଷ ବ୍ୟକ୍ତିଗତ ତ୍ୟାଗ, ଉଦ୍ଦେଶ୍ୟର ସ୍ପଷ୍ଟତା ଏବଂ ମା’ ଭାରତୀଙ୍କ ପ୍ରତି ଅଟଳ ପ୍ରତିବଦ୍ଧତା ମାଧ୍ୟମରେ ଏହି ଭୂମିକାକୁ ପରିଭାଷିତ କରିଛନ୍ତି। ମୋହନ ଜୀ, ଦାୟିତ୍ୱର ବିଶାଳତାକୁ ପୂର୍ଣ୍ଣ ନ୍ୟାୟ ଦେବା ସହିତ, ଏଥିରେ ନିଜର ଶକ୍ତି, ବୌଦ୍ଧିକ ଗଭୀରତା ଏବଂ ସହାନୁଭୂତିଶୀଳ ନେତୃତ୍ୱକୁ ମଧ୍ୟ ଆଣିଥିଲେ, ଯାହା ରାଷ୍ଟ୍ର ସର୍ବୋପରି ନୀତି ଦ୍ୱାରା ଅନୁପ୍ରାଣିତ।

ମୁଁ ମୋହନ ଜୀଙ୍କ ବ୍ୟକ୍ତିତ୍ୱକୁ ଯେତିକି ନିକଟରୁ ଜାଣିଛି, ତାଙ୍କ କାର୍ଯ୍ୟଶୈଳୀର ମୂଳରେ ଥିବା ଦୁଇଟି ଗୁଣକୁ ମୁଁ ଚିହ୍ନଟ କରିପାରେ, ତାହା ହେଉଛି – ନିରନ୍ତରତା ଏବଂ ଅନୁକୂଳନ। ସେ ସଦାସର୍ବଦା ସଂଗଠନକୁ ସବୁଠୁ କଠିନ ପରିସ୍ଥିତି ମଧ୍ୟରେ ଅଗ୍ରସର କରାଇଛନ୍ତି, କିନ୍ତୁ ମୂଳ ବିଚାରଧାରା ସହ କେବେ ମଧ୍ୟ ସାଲିସ କରିନାହାନ୍ତି। ଅନୁରୂପ ଭାବରେ ସେ ସମାଜର ବିକଶିତ ଆବଶ୍ୟକତାକୁ ପୂରଣ କରୁଛନ୍ତି। ଯୁବପିଢ଼ି ସହିତ ତାଙ୍କର ସ୍ୱାଭାବିକ ଏବଂ ନିବିଡ଼ ସମ୍ପର୍କ, ସର୍ବଦା ନୂଆ ପିଢ଼ିକୁ ସଂଘ ପରିବାର ସହିତ ଯୋଡ଼ିବା ପ୍ରତି ତାଙ୍କର ପ୍ରଚେଷ୍ଟା, ଆଜିର ଗତିଶୀଳ ଏବଂ ଡିଜିଟାଲ୍ ବିଶ୍ୱରେ ଅଧିକ ଲାଭଦାୟକ ହୋଇଛି। ସାଧାରଣ ଆଲୋଚନା, ସମ୍ବାଦ ଓ ପାରସ୍ପରିକ କାର୍ଯ୍ୟରେ ସେ ଯେଭଳି ନିୟମିତ ଭାବେ ଯୋଡ଼ି ହୁଅନ୍ତି, ତାହା ତାଙ୍କୁ ସର୍ବଦା ପ୍ରେରଣାଦାୟୀ ନେତୃତ୍ୱ ଭାବରେ ପ୍ରତିଷ୍ଠିତ କରେ।

ସାମଗ୍ରିକ ଭାବରେ କହିବାକୁ ଗଲେ, ଭାଗବତ ଜୀଙ୍କ କାର୍ଯ୍ୟକାଳକୁ ଆରଏସଏସର ୧୦୦ ବର୍ଷର ଯାତ୍ରାରେ ସବୁଠାରୁ ପରିବର୍ତ୍ତନକାରୀ ଅବଧି ଭାବରେ ବିବେଚନା କରାଯିବ। ୟୁନିଫର୍ମ ପରିବର୍ତ୍ତନ ଠାରୁ ଆରମ୍ଭ କରି ଶିକ୍ଷା ବର୍ଗ (ପ୍ରଶିକ୍ଷଣ ଶିବିର)ରେ ସଂସ୍କାର ପର୍ଯ୍ୟନ୍ତ, ତାଙ୍କ ନେତୃତ୍ୱରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଛି।

ମୁଁ ବିଶେଷ ଭାବରେ କୋଭିଡ୍ ସମୟରେ ମୋହନ ଜୀଙ୍କ ପ୍ରୟାସକୁ ସ୍ମରଣ ରଖିଛି, ଯେତେବେଳେ ମାନବଜାତି ଜୀବଦ୍ଦଶାରେ ଥରେ ଦେଖାଦେଇଥିବା ଭୟଙ୍କର ମହାମାରୀ ସହିତ ଲଢ଼ୁଥିଲା। ସେହି ସମୟରେ, ପାରମ୍ପରିକ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କାର୍ଯ୍ୟକଳାପ ଜାରି ରଖିବା ସବୁଠୁ ବଡ଼ ଆହ୍ଵାନ ସାଜିଥିଲା। ମୋହନ ଜୀଙ୍କ ପରାମର୍ଶ ଥିଲା ଯେ, ପ୍ରଯୁକ୍ତିର ବ୍ୟବହାର ବୃଦ୍ଧି କରାଯାଉ। ବିଶ୍ୱସ୍ତରୀୟ ଆହ୍ଵାନ ପରିପ୍ରେକ୍ଷୀରେ, ସେ ସଂସ୍ଥାଗତ ଢାଞ୍ଚାର ବିକାଶ କରିବା ସହିତ ବିଶ୍ୱସ୍ତରୀୟ ଦୃଷ୍ଟିକାଣ ସହିତ ଜଡ଼ିତ ରହିଥିଲେ।

ସେହି ସମୟରେ, ସମସ୍ତ ସ୍ୱୟଂସେବକ ନିଜର ଏବଂ ଅନ୍ୟମାନଙ୍କର ସୁରକ୍ଷା ସୁନିଶ୍ଚିତ କରିବା ସହିତ ଦୁର୍ଦ୍ଦଶା ମଧ୍ୟରେ ଥିବା ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଯଥାସମ୍ଭବ ପ୍ରୟାସ କରିଥିଲେ। ଅନେକ ସ୍ଥାନରେ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା। ଆମେ ଆମର ଅନେକ ଶ୍ରମନିଷ୍ଠ ସ୍ୱୟଂସେବକଙ୍କୁ ମଧ୍ୟ ହରାଇଥିଲୁ, କିନ୍ତୁ ମୋହନ ଜୀଙ୍କ ପ୍ରେରଣା ଏପରି ଥିଲା ଯେ ସେମାନଙ୍କର ଦୃଢ଼ ନିଷ୍ପତ୍ତି କେବେ ବି ବିଚଳିତ ହୋଇନଥିଲା।

ଚଳିତ ବର୍ଷ ଆରମ୍ଭରେ, ନାଗପୁରରେ ମାଧବ ନେତ୍ର ଚିକିତ୍ସାଳୟର ଉଦଘାଟନ ସମୟରେ, ମୁଁ ମତ ଦେଇଥିଲି ଯେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏକ ଅକ୍ଷୟବଟ ସଦୃଶ। ଏହା ଏକ ଅନନ୍ତ ବଟବୃକ୍ଷ ଯାହା ଆମ ଦେଶର ଜାତୀୟ ସଂସ୍କୃତି ଏବଂ ସାମୂହିକ ଚେତନାକୁ ଶକ୍ତି ପ୍ରଦାନ କରେ। ଏହି ଅକ୍ଷୟବଟର ମୂଳ ଗଭୀର ଏବଂ ଦୃଢ଼; କାରଣ ସେଗୁଡ଼ିକ ମୂଲ୍ୟବୋଧରେ ପରିପୂର୍ଣ୍ଣ। ମୋହନ ଭାଗବତ ଜୀ ଏହି ମୂଲ୍ୟବୋଧଗୁଡ଼ିକୁ ପୋଷଣ ଯୋଗାଇଛନ୍ତି ଏବଂ ଆଗକୁ ବଢ଼ାଇବା ପାଇଁ ଯେଉଁ ସମର୍ପଣ ସହିତ ନିଜକୁ ପ୍ରତିବଦ୍ଧ କରିଛନ୍ତି ତାହା ବାସ୍ତବରେ ପ୍ରେରଣାଦାୟକ।

ମୋହନ ଜୀଙ୍କ ବ୍ୟକ୍ତିତ୍ୱର ଅତ୍ୟନ୍ତ ପ୍ରଶଂସନୀୟ ଗୁଣ ହେଉଛି ତାଙ୍କର ମୃଦୁଭାଷୀ ସ୍ୱଭାବ। ସେ କେବଳ କହିବାରେ ନୁହେଁ, ଶୁଣିବାରେ ମଧ୍ୟ ଅସାଧାରଣ। ଏହି ଗୁଣ ଏକ ଗଭୀର ଦୃଷ୍ଟିକୋଣ ସୁନିଶ୍ଚିତ କରେ ଏବଂ ତାଙ୍କ ବ୍ୟକ୍ତିତ୍ୱ ଏବଂ ନେତୃତ୍ୱ ପାଇଁ ସମ୍ବେଦନଶୀଳତା ଏବଂ ମର୍ଯ୍ୟାଦାର ଭାବନା ମଧ୍ୟ ଜାଗ୍ରତ କରେ।

ଏଠାରେ, ମୁଁ ବିଭିନ୍ନ ଜନ ଆନ୍ଦୋଳନ ପ୍ରତି ତାଙ୍କର ସର୍ବଦା ଦେଖାଯାଇଥିବା ଆଗ୍ରହ ବିଷୟରେ ମଧ୍ୟ ଉଲ୍ଲେଖ କରିବାକୁ ଚାହୁଁଛି। ‘ସ୍ୱଚ୍ଛ ଭାରତ ମିଶନ’ ଠାରୁ ‘ବେଟି ବଚାଓ ବେଟି ପଢ଼ାଓ’ ପର୍ଯ୍ୟନ୍ତ, ମୋହନ ଜୀ ସର୍ବଦା ସମଗ୍ର ଆରଏସଏସ ପରିବାରକୁ ଏହି ଆନ୍ଦୋଳନଗୁଡ଼ିକ ମାଧ୍ୟମରେ ଶକ୍ତି ସଂଯୋଗ କରିବାକୁ ଅନୁରୋଧ କରିଥାଆନ୍ତି। ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମକୁ ଆହୁରି ଆଗକୁ ଆଗେଇ ନେବା ନିମନ୍ତେ, ମୋହନ ଜୀ ‘ପଞ୍ଚ ପରିବର୍ତ୍ତନ’ ପରାମର୍ଶ ଦେଇଛନ୍ତି, ଯେଉଁଥିରେ ସାମାଜିକ ସମନ୍ୱୟ, ପାରିବାରିକ ମୂଲ୍ୟବୋଧ, ପରିବେଶଗତ ସଚେତନତା, ଜାତୀୟ ସ୍ୱାଭିମାନ ଏବଂ ନାଗରିକ କର୍ତ୍ତବ୍ୟ ଅନ୍ତର୍ଭୁକ୍ତ। ଏହା ଜୀବନର ସମସ୍ତ କ୍ଷେତ୍ରର ଭାରତୀୟମାନଙ୍କୁ ପ୍ରେରଣା ଯୋଗାଇ ପାରିବ। ପ୍ରତ୍ୟେକ ସ୍ୱୟଂସେବକ ଏକ ଶକ୍ତିଶାଳୀ ଏବଂ ସମୃଦ୍ଧ ରାଷ୍ଟ୍ର ଗଢ଼ିବାର ସ୍ୱପ୍ନ ଦେଖନ୍ତି। ଏହି ସ୍ୱପ୍ନକୁ ସାକାର କରିବା ନିମନ୍ତେ, ସ୍ପଷ୍ଟ ଦୃଷ୍ଟିକୋଣ ଏବଂ ନିର୍ଣ୍ଣାୟକ କାର୍ଯ୍ୟ ଉଭୟ ଆବଶ୍ୟକ। ମୋହନ ଜୀ ଏହି ଦୁଇଟି ଗୁଣକୁ ବିପୁଳ ମାତ୍ରାରେ ପ୍ରତିପାଦନ କରନ୍ତି।

ଭାଗବତ ଜୀ ସଦାସର୍ବଦା ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଜଣେ ଦୃଢ଼ ଅନୁଗାମୀ, ଭାରତର ବିବିଧତା ଏବଂ ଆମ ଭୂମିର ଏକ ଅଂଶ ଥିବା ଅସଂଖ୍ୟ ଭିନ୍ନ ସଂସ୍କୃତି ଏବଂ ପରମ୍ପରାର ପାଳନରେ ଦୃଢ଼ ବିଶ୍ୱାସୀ।

ତାଙ୍କର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ବ୍ୟତୀତ, ମୋହନ ଜୀ ସର୍ବଦା ସଙ୍ଗୀତ ଏବଂ ଗୀତ ଗାଇବା ଭଳି ଆଗ୍ରହକୁ ଅନୁସରଣ କରିବା ପାଇଁ ସମୟ ପାଇଛନ୍ତି। ବହୁତ କମ୍ ଲୋକ ଜାଣନ୍ତି ଯେ, ସେ ବିଭିନ୍ନ ଭାରତୀୟ ବାଦ୍ୟଯନ୍ତ୍ରରେ ମଧ୍ୟ ପାରଙ୍ଗମ। ପାଠପଢ଼ା ପ୍ରତି ଆଗ୍ରହ, ତାଙ୍କର ଅନେକ ଭାଷଣ ଏବଂ ଆଲୋଚନାରେ ଦେଖାଯାଇପାରେ।

ଚଳିତ ବର୍ଷ, ଆଉ ମାତ୍ର ଅଳ୍ପ ଦିନ ପରେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତା’ର ୧୦୦ ବର୍ଷ ପୂରଣ କରିବାକୁ ଯାଉଛି। ଏହା ମଧ୍ୟ ଏକ ସୁଖଦ ସଂଯୋଗ ଯେ ଚଳିତ ବର୍ଷ, ବିଜୟା ଦଶମୀ, ଗାନ୍ଧୀ ଜୟନ୍ତୀ, ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ଏବଂ ଆରଏସଏସ ଶତବାର୍ଷିକୀ ପାଳନ ଗୋଟିଏ ଦିନରେ ହେଉଛି। ଏହା ଭାରତ ଏବଂ ବିଶ୍ୱରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହିତ ଜଡିତ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ହେବ। ମୋହନ ଜୀଙ୍କ ରୂପରେ ଆମର ଜଣେ ଅତ୍ୟନ୍ତ ଜ୍ଞାନୀ ଏବଂ ପରିଶ୍ରମୀ ସରସଂଘଚାଳକ ଅଛନ୍ତି, ଯିଏ ବର୍ତ୍ତମାନ ସମୟରେ ସଂଗଠନକୁ ପରିଚାଳନା କରୁଛନ୍ତି। ମୁଁ ଏହା କହି ଶେଷ କରିବି ଯେ, ମୋହନ ଜୀ ହେଉଛନ୍ତି ‘ବସୁଧୈବ କୁଟୁମ୍ବକମ’ର ଏକ ଜୀବନ୍ତ ଉଦାହରଣ, ଯାହା ଦର୍ଶାଏ ଯେ ଯେତେବେଳେ ଆମେ ସ୍ୱାର୍ଥର ସୀମାରୁ ଉପରକୁ ଉଠି ସମସ୍ତଙ୍କୁ ନିଜର ବୋଲି ବିବେଚନା କରୁ, ଏହା ସମାଜରେ ବିଶ୍ୱାସ, ଭ୍ରାତୃତ୍ୱ ଏବଂ ସମାନତାକୁ ଦୃଢ଼ କରେ। ମୁଁ ପୁଣି ଥରେ ମା’ ଭାରତୀଙ୍କ ସେବାରେ ମୋହନ ଜୀଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ କାମନା କରୁଛି।

ଭାରତ-ଆମେରିକା ସମ୍ପର୍କର ଦୃଢ଼ତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ

ଭାରତ-ଆମେରିକା ସମ୍ପର୍କର ଦୃଢ଼ତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି ଭାରତ-ଆମେରିକା ସମ୍ପର୍କର ଦୃଢ଼ତାକୁ ପୁଣି ଦୋହରାଇବା ସହ ଦୁଇ ରାଷ୍ଟ୍ର ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଉଭୟ ରାଷ୍ଟ୍ର ନିଜ ଲୋକମାନଙ୍କ ପାଇଁ ଏକ ଉଜ୍ଜ୍ୱଳ, ଅଧିକ ସମୃଦ୍ଧ ଭବିଷ୍ୟତ ସୁରକ୍ଷିତ କରିବାକୁ ଏକାଠି କାମ କରିବେ ।

ଆମେରିକା ରାଷ୍ଟ୍ରପତିଙ୍କର ଏକ୍ସରେ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;

“ଭାରତ ଏବଂ ଆମେରିକା ଘନିଷ୍ଠ ବନ୍ଧୁ ଏବଂ ସ୍ୱାଭାବିକ ଅଂଶୀଦାର । ମୁଁ ନିଶ୍ଚିତ ଯେ ଆମର ବାଣିଜ୍ୟ ଆଲୋଚନା ଭାରତ-ଆମେରିକା ସହଭାଗୀତାର ଅସୀମ ସମ୍ଭାବନାକୁ ଉନ୍ମୁକ୍ତ କରିବା ପାଇଁ ପଥ ପ୍ରଶସ୍ତ କରିବ । ଆମ ଟିମ୍‌ ଏହି ଆଲୋଚନାକୁ ଯଥାଶୀଘ୍ର ଶେଷ କରିବାକୁ କାର୍ଯ୍ୟ କରୁଛନ୍ତି । ମୁଁ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ କଥା ହେବାକୁ ଉତ୍ସାହିତ ଅଛି । ଆମେ ଉଭୟ ଦେଶର ଲୋକମାନଙ୍କ ପାଇଁ ଏକ ଉଜ୍ଜ୍ୱଳ, ଅଧିକ ସମୃଦ୍ଧ ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ଏକାଠି କାମ କରିବୁ।”

ୟୁଏଇରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କର ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ପୂରଣ ହେବ – ଧର୍ମେନ୍ଦ୍ର ପ୍ରଧାନ

ୟୁଏଇରେ ରହୁଥିବା ପ୍ରବାସୀ ଭାରତୀୟମାନଙ୍କର ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ପୂରଣ ହେବ – ଧର୍ମେନ୍ଦ୍ର ପ୍ରଧାନ

ଭାରତ ଓ ୟୁଏଇ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜଭୂତ୍ କରିବା ଲକ୍ଷ୍ୟରେ ଦୁଇଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇଆଇଟି ଦିଲ୍ଲୀ-ଆବୁଧାବୀ କ୍ୟାମ୍ପସ ପରିଦର୍ଶନ କରିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆବୁଧାବିରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଆଇଆଇଟି ଦିଲ୍ଲୀ ଆବୁଧାବି କ୍ୟାମ୍ପସର ସମସାମୟିକ ରୂପରେଖ ଏବଂ ଭବିଷ୍ୟତରେ ଥିବା ଯୋଜନା ଉପରେ ଏକ ପ୍ରେଜେନଷ୍ଟେସନ ଉପସ୍ଥାପନ କରାଯାଇଥିଲା । ସେଠାରେ ବିଦେଶରେ ପ୍ରଥମ ଥର ପାଇଁ ଏହି କ୍ୟାମ୍ପସ ପରିସରରେ ଅଟଳ ଇନକ୍ୟୁବେସନ୍ ସେଣ୍ଟର ଉଦଘାଟନ କରିବା ସଙ୍ଗେସଙ୍ଗେ ପିଏଚଡି ଏବଂ ବି.ଟେକ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କ୍ୟାମ୍ପସର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ସହିତ ଆଲୋଚନା କରିଥିଲେ । କ୍ୟାମ୍ପସର ବିକାଶ କାର୍ଯ୍ୟକୁ ପ୍ରଶଂସା କରିବା ସହ ସେ କହିଥିଲେ ଆବୁଧାବୀରେ ପ୍ରତିଷ୍ଠିତ ଏହି କ୍ୟାମ୍ପସ ଆଇଆଇଟି ଦିଲ୍ଲୀର ଐତିହ୍ୟକୁ ପ୍ରତିଫଳିତ କରିଛି । ଜ୍ଞାନ ଓ ଗବେଷଣା ସହ ଭାରତ ଓ ୟୁଏଇ ମଧ୍ୟରେ ଶିକ୍ଷା ସହଯୋଗୀର ଏକ ଲାଇଟହାଉସ ଭାବେ ଉଭା ହୋଇଛି । ଏହି ଅନୁଷ୍ଠାନକୁ ଆସିବା ଅତ୍ୟନ୍ତ ସନ୍ତୋଷର ବିଷୟ ।

ଶ୍ରୀ ପ୍ରଧାନ ଆବୁଧାବିର ଶିକ୍ଷା ଏବଂ ଜ୍ଞାନ ବିଭାଗ (ଏଡିଇକେ)ର ଅଧ୍ୟକ୍ଷା ସାରା ମୁସଲ୍ଲମଙ୍କ ସହ ଶିକ୍ଷାଗତ ପ୍ରାଥମିକତା ଉପରେ ଆଲୋଚନା କରିଛନ୍ତି । ଆବୁଧାବିରେ ଆଇଆଇଟି ଦିଲ୍ଲୀ କ୍ୟାମ୍ପସ ପ୍ରତିଷ୍ଠା ସହ ୟୁଏଇରେ ଭାରତୀୟ ପାଠ୍ୟକ୍ରମ ଅନୁସରଣ କରୁଥିବା ବିଦ୍ୟାଳୟଗୁଡ଼ିକୁ ପ୍ରଦାନ କରାଯାଉଥିବା ସହଯୋଗ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ବୈଠକ କାଳରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାରତୀୟ ବିଦ୍ୟାଳୟ ଗୁଡ଼ିକରେ ସ୍ଥାପିତ ଅଟଳ ଟିଙ୍କରିଂ ଲ୍ୟାବର ସଫଳତା ଉପରେ ମତ ରଖିଥିଲେ । ଏହାସହ ୟୁଏଇରେ ଥିବା ଭାରତୀୟ ସ୍କୁଲ ଗୁଡ଼ିକରେ ଅଟଳ ଇନୋଭେସନ ଲ୍ୟାବର କ୍ରିୟାନ୍ୱୟନ ଉପରେ ମଧ୍ୟ ସେ କହିଥିଲେ ।

ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ବ୍ୟାପକ କରିବା ସହ ପ୍ରବାସୀ ଭାରତୀୟମାନଙ୍କର ଶିକ୍ଷାଗତ ଆବଶ୍ୟକତା ପୂରଣ କରିବା ପାଇଁ ୟୁଏଇରେ ଅଧିକ ଭାରତୀୟ ପାଠ୍ୟକ୍ରମ-ଭିତ୍ତିକ ବିଦ୍ୟାଳୟ ଖୋଲିବା ଉପରେ ବିଚାରବିମର୍ଶ ହୋଇଥିଲା । ସ୍କୁଲ ସ୍ତରରୁ ହିଁ ଷ୍ଟୁଡେଣ୍ଟ୍ ଏକ୍ସଚେଞ୍ଜକୁ ପ୍ରୋତ୍ସାହନ କରାଯିବା ଉପରେ ବୈଠକରେ ଗୁରୁତ୍ୱାରୋପ ଦିଆଯାଇଥିଲା । ଭାରତ ଓ ୟୁଏଇ ମଧ୍ୟରେ ଗୁଣାତ୍ମକ ଶିକ୍ଷାଗତ ସହଯୋଗକୁ ମଜବୁତ କରିବା ଏବଂ ଆମ ଦ୍ୱିପାକ୍ଷିକ ସମ୍ପର୍କର ସବୁଠାରୁ ଦୃଢ଼ ସ୍ତମ୍ଭ ଭାବରେ ଶିକ୍ଷାକୁ ପ୍ରତିଷ୍ଠା କରିବା ଦିଗରେ ଏଡିଇକେର ଅଧ୍ୟକ୍ଷଙ୍କ କାର୍ଯ୍ୟକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଶିକ୍ଷା, ନବସୃଜନ ଏବଂ ଜ୍ଞାନ ଆଦାନପ୍ରଦାନରେ ସହଭାଗୀତାକୁ ଆଗକୁ ବଢ଼ାଇବା ଲକ୍ଷ୍ୟରେ ୟୁଏଇର ପ୍ରମୁଖ ନେତୃତ୍ୱ, ମନ୍ତ୍ରୀ, ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍ ଏବଂ ଭାରତ ଓ ୟୁଏଇ ଅନୁଷ୍ଠାନର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ମଧ୍ୟରେ ବୈଠକ

ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ମଧ୍ୟରେ ବୈଠକ

ଓଡ଼ିଶାରେ ରେଳ କ୍ଷେତ୍ରର ବିକାଶ, ନାଗରିକଙ୍କ ଯାତାୟତ ସହ ପରିବହନ ପଥକୁ ସୁଗମ କରିବା ତଥା ରେଳ ନେଟଓ୍ୱାର୍କକୁ ସୁଦୃଢ଼ କରିବା ଦିଗରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଓଡ଼ିଶାର ଦଳୀୟ ସାଂସଦମାନଙ୍କ ମଧ୍ୟରେ ସବିଶେଷ ଆଲୋଚନା ହୋଇଛି ।  

ଶ୍ରୀ ପ୍ରଧାନ ଆଲୋଚନା ପରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନାଗରିକଙ୍କ ଯାତାୟତ, ଶିଳ୍ପ ଏବଂ ଖଣିଜ କ୍ଷେତ୍ରର ବିକାଶ ସହ କୃଷି ଉତ୍ପାଦିତ ସାମଗ୍ରୀକୁ ଦେଶ ବଜାର ସହ ଯୋଡିବାରେ ରେଳ କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପୂର୍ବୋଦୟ କଳ୍ପନା’ରେ ଓଡ଼ିଶାକୁ ଅଗ୍ରାଧିକାର ଦେଇ ରେଳ ଭିତ୍ତିଭୂମି ସୁଦୃଢ କରିବା ପାଇଁ ଡବଲ ଇ଼ଞ୍ଜିନ ସରକାର ଗୁରୁତ୍ୱ ଦେଇଛନ୍ତି । ପୂର୍ବ ସରକାର ଅପେକ୍ଷା ମୋଦୀ ସରକାରରେ ବିଗତ ୧୧ ବର୍ଷରେ ଓଡ଼ିଶାକୁ ରେଳ ବଜେଟରେ ରେକର୍ଡସଂଖ୍ୟକ ଅର୍ଥ ମିଳୁଛି । କଂଗ୍ରେସ ଅମଳରେ ଓଡ଼ିଶାରୁ ବାର୍ଷିକ ଏକ ହଜାର କୋଟି ଟଙ୍କା ମିଳୁଥିଲା ବେଳେ ମୋଦୀ ସରକାରରେ ପ୍ରତି ବର୍ଷ ଓଡ଼ିଶା ପାଇଁ ରେଳ ବଜେଟରେ ବୃଦ୍ଧି ପରିଲକ୍ଷିତ ହୋଇଛି । ଓଡ଼ିଶାରେ ରେଳ ବିଭାଗ ପକ୍ଷରୁ ନୂଆ ରେଳଲାଇନ, ରେଳ ଲାଇନର ଦୋହରୀକରଣ, ତୃତୀୟ ଲାଇନ, ଚତୁର୍ଥ ଲାଇନ ପାଇଁ ପାଖାପାଖି ୯୦ ହଜାର କୋଟି ଟଙ୍କାର କାମ କ୍ରିୟାନ୍ୱୟନ ହେଉଥିବା ନେଇ ବିଭାଗୀୟ ମନ୍ତ୍ରୀ ଅବଗତ କରାଇଛନ୍ତି ।

ଆଜିର ବୈଠକରେ ଝାରସୁଗୁଡ଼ା- ବାରକୋଟ୍ ରେଳଲାଇନ, ଅନୁଗୋଳ-ତାଳଚେର ନୂଆ ରେଳଲାଇନ, ବରଗଡ଼ ରୋଡ-ନୂଆପଡ଼ା ରୋଡ- ରାୟପୁର ରେଳଲାଇନ, ତାଳଚେର-ବିମଳାଗଡ଼ ରେଳଲାଇନ, ବହୁପ୍ରତିକ୍ଷୀତ ଖୋର୍ଦ୍ଧା –ବଲାଙ୍ଗୀର ରେଳ ଲାଇନ, ସମ୍ବଲପୁର- ଜରପଡ଼ା ତୃତୀୟ ରେଳଲାଇନ ଓ ଚତୁର୍ଥଲାଇନର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଜରପଡାରୁ ତେନ୍ତୁଲୋଇ ମଧ୍ୟ ଦେଇ ବୁଢ଼ାପଙ୍କ ପର୍ଯ୍ୟନ୍ତ ଆଉଟର କୋଲ୍ କୋରିଡର କରିବାର କଳ୍ପନା ଉପରେ ଆଲୋଚନା ହୋଇଛି । ବିଶେଷ ଭାବରେ ରେଳଲାଇନର କାର୍ଯ୍ୟକୁ ଆଗେଇ ନେବାରେ ଉପୁଜିଥିବା ଜମିଗ୍ରହଣ ଓ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଛି ।

ବୈଠକରେ ଅନୁଗୋଳର ବଇଁଣ୍ଡାରୁ ଏକ ସଂଯୋଗ ଲାଇନ କିପରି ବଲାଙ୍ଗିର – ଖୋର୍ଦ୍ଧା ଲାଇନରେ ବୌଦ୍ଧ ପର୍ଯ୍ୟନ୍ତ ଯୋଡିହେବ, ତାହାର ମଧ୍ୟ କଳ୍ପନା କରାଯାଇଛି, ଯାହା ଏକ ସେତୁ ଭାବରେ କାମ କରିବ ।  ଦକ୍ଷିଣ ଓଡ଼ିଶାରେ ଭଞ୍ଜନଗର ଓ ଆସ୍କା ସବଡିଭିଜନ ରେଳ ଲାଇନରୁ ବଞ୍ଚିତ ଅଛନ୍ତି । ପ୍ରସ୍ତାବିତ ତାଳଚେର-ଗୋପାଳପୁର ରେଳଲାଇନ ଅନୁଗୋଳ, ଢେଙ୍କାନାଳ, କଟକ, ନୟାଗଡ଼ ଏବଂ ଗଞ୍ଜାମର ଆସ୍କା ଅଞ୍ଚଳକୁ ସଂଯୋଗ ହେଲେ ଓଡ଼ିଶାର ରେଳ ନେଟଓ୍ୱାର୍କ ସୁଦୃଢ଼ ହେବ । ଏହାବ୍ୟତୀତ କନ୍ଧମାଳର ଫୁଲବାଣୀ ପର୍ଯ୍ୟନ୍ତ ରେଳ ନେଟଓ୍ୱାର୍କ ସଂଯୋଗ କରିବା ଦିଗରେ ମଧ୍ୟ ସରକାର ଯୋଜନା ରଖିଛନ୍ତି, ଯେଉଁ ପ୍ରସଙ୍ଗରେ ବୈଠକରେ ବିଚାରବିମର୍ଶ ହୋଇଥିଲା ।  

 ସେ ଆହୁରି କହିଛନ୍ତି, ଓଡ଼ିଶାର କୋଇଲା ଉତ୍ପାଦନକାରୀ ଅଞ୍ଚଳ ଗୁଡ଼ିକରେ ନାଗରିକ ସୁବିଧା ଓ ରେଳ ପରିବହନକୁ ବିଶେଷ ଭାବରେ ପ୍ରାଧାନ୍ୟ ଦିଆଯାଉଛି । ଏହି ସବୁ ପଦକ୍ଷେପ ଦ୍ୱାରା ରେଳ ଲାଇନ କୋଇଲା ଉତ୍ପାଦନକାରୀ ଅଞ୍ଚଳରୁ ବନ୍ଦର ଅଞ୍ଚଳକୁ ଯୋଡିହେବ । ଏହା ଦ୍ୱାରା ମାଲ ପରିବହନ ସହଜ ହେବ ଏବଂ ଓଡ଼ିଶାର ଦ୍ରୁତ ଶିଳ୍ପାୟନର ବିକାଶରେ ସହାୟକ ହେବ । ରେଳ ଭିତ୍ତିଭୂମିକୁ ମଜଭୂତ୍ କରିବା ସହ ବିକଶିତ ଓଡ଼ିଶାର ଲକ୍ଷ୍ୟ ପୂରଣ କରିବ । ଓଡ଼ିଶାର ସାମାଜିକ, ଆର୍ଥିକ ଓ ପର୍ୟ୍ଭଟନ କ୍ଷେତ୍ରରେ ମଧ୍ୟ ପ୍ରଗତି ଘଟିବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।ହି ବୈଠକରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଆସ୍କା ସାଂସଦ ଅନୀତା ଶୁଭଦର୍ଶନୀ ଓ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

ଭାରତ ଓ ୟୁଏଇ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ହେବ ମଜଭୂତ୍ – ଧର୍ମେନ୍ଦ୍ର ପ୍ରଧାନ

ଭାରତ ଓ ୟୁଏଇ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ହେବ ମଜଭୂତ୍ – ଧର୍ମେନ୍ଦ୍ର ପ୍ରଧାନ

ଭାରତ ଓ ୟୁଏଇ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ମଜଭୂତ୍ କରିବା ତଥା ଶୈକ୍ଷିକ ଉତ୍କର୍ଷତା ଏବଂ ନବସୃଜନ ପରିସଂସ୍ଥାନ ପାଇଁ ରଣନୈତିକ ଭାଗିଦାରିତାକୁ ସୁଦୃଢ଼ କରିବା ଦିଗରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେପ୍ଟେମ୍ବର ୧୦ରୁ ୧୧ ତାରିଖ ପର୍ଯ୍ୟନ୍ତ ଦୁଇଦିନିଆ ୟୁଏଇ ଗସ୍ତରେ ଯାଉଛନ୍ତି ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଶିକ୍ଷା, ନବସୃଜନ ଏବଂ ଜ୍ଞାନ ଆଦାନପ୍ରଦାନରେ ସହଭାଗୀତାକୁ ଆଗକୁ ବଢ଼ାଇବା ଲକ୍ଷ୍ୟରେ ୟୁଏଇର ପ୍ରମୁଖ ନେତୃତ୍ୱ, ମନ୍ତ୍ରୀ, ନୀତି ନିର୍ଦ୍ଧାରକ, ଶିକ୍ଷାବିତ୍ ଏବଂ ଭାରତ ଓ ୟୁଏଇ ଅନୁଷ୍ଠାନର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିବେ । ଶ୍ରୀ ପ୍ରଧାନ ଗସ୍ତର ପ୍ରଥମ ଦିନରେ ଆବୁଧାବିର ଶିକ୍ଷା ଏବଂ ଜ୍ଞାନ ବିଭାଗ (ଏଡିଇକେ)ର ଅଧ୍ୟକ୍ଷା ସାରା ମୁସଲ୍ଲମଙ୍କ ସହ ଆଲୋଚନା କରିବେ । ଆଇଆଇଟି ଦିଲ୍ଲୀ-ଆବୁଧାବୀ କ୍ୟାମ୍ପସ ପରିଦର୍ଶନ କରିବା ସହ ସେଠାରେ ଅଟଳ ଇନକ୍ୟୁବେସନ୍ ସେଣ୍ଟର (ପ୍ରଥମ ବିଦେଶୀ କେନ୍ଦ୍ର) ଉଦଘାଟନ କରିବା ସଙ୍ଗେସଙ୍ଗେ ପିଏଚଡି ଏବଂ ବି.ଟେକ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହି ଅବସରରେ ଶ୍ରୀ ପ୍ରଧାନ କ୍ୟାମ୍ପସର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଆବୁଧାବିର ବାପ୍ସ ହିନ୍ଦୁ ମନ୍ଦିର ପରିଦର୍ଶନ କରିବା ସହ ସିମ୍ବିୟୋସିସ୍ ବିଶ୍ୱବିଦ୍ୟାଳୟ, ଦୁବାଇ କ୍ୟାମ୍ପସର ପ୍ରଥମ ବାର୍ଷିକଉତ୍ସବରେ ଯୋଗଦେବେ ।

ସେହିପରି ଗସ୍ତର ଅନ୍ତିମ ଦିନରେ ୟୁଏଇର ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅବଦୁଲ ରେହମାନ ଅଲ ଆୱାରଙ୍କ ସହିତ ଆଇଆଇଏମ, ଅହମ୍ମଦବାଦର ଦୁବାଇ କ୍ୟାମ୍ପସର ଉଦଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ । ଉଭୟ ମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଚାଲିଥିବା ଦ୍ୱିପାକ୍ଷିକ ସହଯୋଗ ବିଷୟରେ ବିସ୍ତୃତ ଆଲୋଚନା କରିବେ । ୟୁଏଇରେ ଭାରତୀୟ ଉଚ୍ଚ ଶିକ୍ଷାନୁଗୁଡ଼ିକର ଏକ ଗୋଲଟେବୁଲ ସମ୍ମିଳନୀରେ ମଧ୍ୟ ସେ ଯୋଗଦେବେ । ଏହାବ୍ୟତୀତ ଶ୍ରୀ ପ୍ରଧାନ କନସୁଲେଟରେ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଦୀନରେ ଗଛ ଲଗାଇବେ । ସେଠାରେ ଶିକ୍ଷକ ଦିବସ ପାଳନ ଅବସରରେ ସିବିଏସଇ ସ୍କୁଲର ପ୍ରିନ୍ସିପାଲଙ୍କ ସହିତ ଆଲୋଚନା କରିବେ ଏବଂ ୟୁଏଇରେ ଥିବା ଭାରତୀୟ ସ୍କୁଲଗୁଡ଼ିକରେ ଅଟଳ ଟିଙ୍କରିଂ ଲ୍ୟାବର ଶୁଭାରମ୍ଭ କରିବେ । ଶେଷରେ ଦୁବାଇରେ ବସବାସ କରୁଥିବା ଭାରତୀୟ ପ୍ରବାସୀମାନଙ୍କ ସହିତ ଆଲୋଚନା କରିବା ସହ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।

ସିପି ରାଧାକ୍ରିଷ୍ଣନ ହେଲେ ଉପରାଷ୍ଟ୍ରପତି

ସିପି ରାଧାକ୍ରିଷ୍ଣନ ହେଲେ ଉପରାଷ୍ଟ୍ରପତି

ମିଳିଲା 452 ଭୋଟ

ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ସିପି ରାଧାକ୍ରିଷ୍ଣନ । 452 ଭୋଟ ପାଇ ବିଜୟୀ ହୋଇଛନ୍ତି । ନୂଆ ଉପରାଷ୍ଟ୍ରପତିଙ୍କ ନାମ ଘୋଷଣା କରାଯାଇଛି । ଏନଡିଏର ପ୍ରାର୍ଥୀ ସିପି ରାଧାକୃଷ୍ଣନ  ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ପରାସ୍ତ କରିଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ୭୮୧ ଜଣ ଭୋଟର ଥିଲେ । 767 ଜଣ ସାଂସଦ ଭୋଟ ଦେଇଥିଲେ । ସେଥିରୁ 15 ଜଣ ସାଂସଦଙ୍କ ଭୋଟ ନାକଜ ହୋଇଥିଲା ।  ଲୋକସଭାର ୫୪୨ ଜଣ ସଦସ୍ୟ ଏବଂ ରାଜ୍ୟସଭାର ୨୩୯ ଜଣ ସଦସ୍ୟ ସେମାନଙ୍କର ଭୋଟ୍ ଦେବାପାଇଁ ସ୍ଥିର ହୋଇଥିଲା ।

ସିପି ରାଧାକ୍ରିଷ୍ଣନ, ଜନ୍ମ ୧୯୫୭ ମସିହା ଅକ୍ଟୋବର ୨୦ ତାରିଖରେ ତାମିଲନାଡୁର ତିରୁପୁର ଜିଲ୍ଲାରେ ହୋଇଥିଲା। ସିପି ରାଧାକ୍ରିଷ୍ଣନ ମାତ୍ର ୧୬ ବର୍ଷ ବୟସରେ, ଅର୍ଥାତ୍ ୧୯୭୩ ମସିହାରେ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ସାମିଲ ହୋଇଥିଲେ । ୧୯୭୪ରେ ସେ ଭାରତୀୟ ଜନସଂଘର ରାଜ୍ୟ କାର୍ଯ୍ୟକାରିଣୀ ସମିତିର ସଦସ୍ୟ ହୋଇଥିଲେ। ପରବର୍ତ୍ତୀ ସମୟରେ ଭାରତୀୟ ଜନତା ପାର୍ଟି (BJP) ସହିତ ଜଡିତ ହୋଇ ସେ ତାମିଲନାଡୁରେ ଦଳର ପ୍ରମୁଖ ନେତା ଭାବେ ଉଭା ହୋଇଥିଲେ। ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ସେ ବିଜେପି ତାମିଲନାଡୁର ରାଜ୍ୟ ସଭାପତି ଭାବେ କାର୍ଯ୍ୟ କରିଥିଲେ। ୨୦୨୦ରୁ ୨୦୨୨ ପର୍ଯ୍ୟନ୍ତ ସେ ବିଜେପି କେରଳର ସର୍ବଭାରତୀୟ ପ୍ରଭାରୀ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ।

ସେ କୋଏମ୍ବାଟୁର ଲୋକସଭା ଆସନରୁ ୧୯୯୮ ଓ ୧୯୯୯ରେ ବିଜେପି ଟିକେଟରେ ନିର୍ବାଚନ ଜିତି ଦୁଇଥର ସାଂସଦ ହୋଇଥିଲେ। ୧୯୯୮ରେ ସେ ୧.୫ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଏବଂ ୧୯୯୯ରେ ୫୫,୦୦୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ। ତେବେ, ୨୦୦୪, ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ସେ ପରାଜିତ ହୋଇଥିଲେ।

ସିପି ରାଧାକ୍ରିଷ୍ଣନ ବିଭିନ୍ନ ରାଜ୍ୟରେ ରାଜ୍ୟପାଳ ଭାବେ କାର୍ଯ୍ୟ କରିଛନ୍ତି। ୨୦୨୩ ଫେବୃଆରୀରୁ ୨୦୨୪ ଜୁଲାଇ ପର୍ଯ୍ୟନ୍ତ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ। ୨୦୨୪ ମାର୍ଚ୍ଚରୁ ଜୁଲାଇ ପର୍ଯ୍ୟନ୍ତ ସେ ତେଲେଙ୍ଗାନାର ରାଜ୍ୟପାଳ ଏବଂ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୨୪ ଜୁଲାଇ ୩୧ରେ ସେ ମହାରାଷ୍ଟ୍ରର ୨୪ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି।

୨୦୨୫ ଅଗଷ୍ଟ ୧୭ରେ, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ସିପି ରାଧାକ୍ରିଷ୍ଣନଙ୍କୁ ଭାରତର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା।

୨୦୧୯ ନିର୍ବାଚନ ସମୟରେ ଦାଖଲ କରାଯାଇଥିବା ସତ୍ୟପାଠ ଅନୁଯାୟୀ, ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୬୭.୧୧ କୋଟି ଟଙ୍କା।

ସିପି ରାଧାକ୍ରିଷ୍ଣନ ଜଣେ ବହୁମୁଖୀ ବ୍ୟକ୍ତିତ୍ୱ, ଯିଏ ରାଜନୀତି, ବ୍ୟବସାୟ ଓ ସାମାଜିକ କାର୍ଯ୍ୟରେ ନିଜର ଛାପ ଛାଡିଛନ୍ତି। ତାଙ୍କର ଦୀର୍ଘ ରାଜନୈତିକ ଯାତ୍ରା, ବିଭିନ୍ନ ରାଜ୍ୟରେ ରାଜ୍ୟପାଳ ଭାବେ ଦାୟିତ୍ୱ ଏବଂ ଉପରାଷ୍ଟ୍ରପତି ଭାବେ ବିଜୟ ତାଙ୍କୁ ଭାରତୀୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱ ଭାବେ ପ୍ରତିଷ୍ଠିତ କରିଛି।

ଉପରାଷ୍ଟ୍ରପତି ନିର୍ବାଚନ: ଚାଲିଛି ମତଦାନ

ଉପରାଷ୍ଟ୍ରପତି ନିର୍ବାଚନ: ଚାଲିଛି ମତଦାନ

ଉପରାଷ୍ଟ୍ରପତି ପଦ ପାଇଁ ଆରମ୍ଭ ହେଲା ମତଦାନ। ପ୍ରଥମେ ସଂସଦ ଭବନରେ ପହଞ୍ଚି ମତଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଉପରାଷ୍ଟ୍ରପତି ପଦ‌ରୁ ଜଗଦୀପ ଧନଖଡ଼ ଇସ୍ତଫା ଦେବାର ପ୍ରାୟ ୨ ମାସ ପରେ ଆଜି ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏନ୍‌ଡିଏ ପକ୍ଷରୁ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ବି ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ହୋଇଛନ୍ତି।

ତେବେ ନିର୍ବାଚନ ସମୟରେ ଏନ୍‌ଡିଏ ପକ୍ଷରୁ କିରଣ ରିଜିଜୁ, ଶ୍ରୀକାନ୍ତ ସିନ୍ଦେ ଏବଂ ରାମମୋହନ ନାଇଡ଼ୁଙ୍କୁ ପୋଲିଂ ଏଜେଣ୍ଟ ରହିଛନ୍ତି। ସେହିଭଳି ବିରୋଧୀଙ୍କ ପକ୍ଷରୁ ନାସିର ହୁସେନ, ମାଣିକମ ‌ଟାଗୋର ଏବଂ ଶକ୍ତିସିଂହ ଗୋହିଲଙ୍କୁ ‌ପୋଲିଂ ଏଜେଣ୍ଟେ ଭାବେ କାର୍ଯ୍ୟ କରିବେ। ସବୁ ଭୋଟ ଯେଭଳି ବୈଧ ରହିବ ସେଥିପାଇଁ ଉଭୟ ପକ୍ଷରୁ ସାଂସଦମାନଙ୍କୁ ତାଲିମ ଓ ମକ୍‌ ପୋଲିଂ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ବିଜେଡି ଏବଂ ତେଲେଙ୍ଗାନାର ବିଆର୍‌ଏସ୍‌ ଭୋଟଦାନରୁ ବିରତ ରହି‌ବେ ବୋଲି ଘୋଷଣା କରିସାରିଛନ୍ତି।

ଭୋଟ୍ ଦେବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବ ଏବଂ ହିମାଚଳ ପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ ପାଇଁ ଯିବେ। ତେବେ ଆଜି ପୂର୍ବାହ୍ଣ ୧୦ଟାରେ ଭୋଟଦାନ ଆରମ୍ଭ ହୋଇଥିବା ବେଳେ ଏହି ପ୍ରକ୍ରିୟା ସନ୍ଧ୍ୟା ୫ଟାରେ ଶେଷ ହେବ। ସନ୍ଧ୍ୟା ୬ଟାରେ ଭୋଟ ଗଣତି ହେବ। ବିଜୟୀ ପ୍ରାର୍ଥୀ ଦେଶର ଚତୁର୍ଦ୍ଦଶ ଉପରାଷ୍ଟ୍ରପତି ହେବେ। ସେ ମଧ୍ୟ ରାଜ୍ୟସଭାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସାଂସଦମାନେ ‌ଗୋପନ ବାଲଟ୍‌ ଜରିଆରେ ଭୋଟ ଦେବେ। ଇଚ୍ଛା ଅନୁଯାୟୀ ଭୋଟ ଦେବାର ସ୍ବାଧୀନତା ସାଂସଦମାନଙ୍କର ରହିଥିଲେ ମଧ୍ୟ ସେମାନେ ସାଧାରଣତଃ ଦଳୀୟ ଆଧାରରେ ‌ମତଦାନ କରିଥାନ୍ତି। ‌ଗୋପନ ବାଲଟ୍ ଜରିଆ ଭୋଟ ହେଉଥିବାରୁ କ୍ରସ ଭୋଟିଂ ଆଶଙ୍କା ବି ରହିଛି।

ସଂଖ୍ୟାବଳ ଅନୁସାରେ, ଏନଡିଏ ପ୍ରାର୍ଥୀ ସି ପି ରାଧାକୃଷ୍ଣନଙ୍କର ବିଜୟୀ ହେବାର ସମ୍ଭାବନା ଅଧିକ, କାରଣ ସେମାନଙ୍କ ପାଖରେ ୪୩୩ ଭୋଟ ରହିଛି, ଯାହା ବହୁମତ (୩୯୧) ଠାରୁ ୪୨ ଅଧିକ।

ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭାଗ ନ ନେବା ଫଳରେ ରାଜ୍ୟରେ ରାଜନୀତି ଜୋର ଧରିଛି । ଏହାର କି ପ୍ରଭାବ ରାଜ୍ୟ ଓ ରାଷ୍ଟ୍ରୀୟ ରାଜନୀତିରେ ପଡ଼ିବ ତାହାକୁ ନେଇ ଚର୍ଚା ହେଉଛି । ବିଜେଡିର ବରିଷ୍ଠ ନେତ୍ରୀ ଶ୍ରମୟୀ ମିଶ୍ର ସାମାଜିକ ଗଣମାଧ୍ୟମରେ ‘ଧୃତରାଷ୍ଟ୍ର’ ଉପାଖ୍ୟାନ କହି ହଟଚମଟ ସୃଷ୍ଟି କରିଛନ୍ତି। ତେଣେ ମହାଭାରତର ‘ଶ୍ରୀକୃଷ୍ଣ’ ପ୍ରସଙ୍ଗକୁ ଲେଖି ଏହାର ପ୍ରତିବାଦ କରିଛନ୍ତି ଅନ୍ୟ ଏକ ଗୋଷ୍ଠୀ। ଏହା ବିଜେଡି ଭିତରେ ଥିବା ଆଭ୍ୟନ୍ତରୀଣ ବିବାଦକୁ ପଦାରେ ପକାଇଛି ବୋଲି କୁହାଗଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଘଟଣାକୁ ବିଜେଡିର ସାଧାରଣ କର୍ମୀମାନେ ମଧ୍ୟ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ତେବେ ନବୀନ ନିର୍ବାଚନରୁ ଦୂରରେ ରହି ମାଇଣ୍ଡ ଗେମ ଖେଳିଛନ୍ତି । ସମଦୂରତା ନୀତିରେ ବିଜେଡି କେତେବାଟ ଆଗକୁ ଯାଉଛି ଦେଖିବା କଥା ।

ଚନ୍ଦ୍ର ବଂଶରେ ଜାତ ଯଶୋବନ୍ତ

ଚନ୍ଦ୍ର ବଂଶରେ ଜାତ ଯଶୋବନ୍ତ

ବଡ଼ ମାୟାବୀ ଜୀବ ନୋହେ କାହାରି
——————————————
      ମହାତ୍ମା ଯଶୋବନ୍ତ ଦାସ

————-
ପାଶ୍ଚାତ୍ୟ ଭେଷଜ ବିଜ୍ଞାନୀ, ବୈଜ୍ଞାନିକ, ପଣ୍ଡିତ ମାନଙ୍କ ଶହଶହ ବର୍ଷ ପୂର୍ବରୁ ଓଡ଼ିଆ ସାଧକ ମାନେ ଯାହା ଯାହା ସବୁ ଦେଇ ଯାଇଛନ୍ତି, ତାହା ଅନାଲୋଚିତ, କାରଣ ଆମେ ଦାୟାଦମାନେ ବିଦେଶୀ ଶାସନରେ ଶହଶହ ବର୍ଷ ଗୋଲାମ ହୋଇ ସ୍ବାଭିମାନର ସଂଜ୍ଞା ଭୁଲି, ଯାହା ବିଦେଶୀ ତାହା ବହୁତ ଭଲ ବୋଲି ଗର୍ଵର ସହିତ କହିଥାଏ, ତାଙ୍କ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରାକୁ ସେମାନଙ୍କ ଅପେକ୍ଷା ଅଧିକ ଆନୁଗତ୍ୟ ପ୍ରକାଶ ପୂର୍ବକ ପାଳନ କରିଥାଏ । ତାହା ହିଁ ଲର୍ଡ ମ୍ୟାକନିଲ୍ କରିଯାଇଛନ୍ତି । ତିନି ବର୍ଷ ତଳେ , ଠିକ୍ ଏହି ସମୟରେ ରାତ୍ରି କାଳୀନ ଅବରୋଧ ( ନାଇଟ କର୍ଫ୍ୟୁ) ଲାଗି ନଥିଲେ ଏହାର ଭୟଙ୍କର ଗଭୀରତାକୁ ଦେଖି ପାରି ନଥାନ୍ତେ । ହଜାର ହଜାର ଉଦାହରଣୀୟ ତଥ୍ୟ ଥିଲା ବେଳେ ଆଜି ମହାପୁରୁଷ ଯଶୋବନ୍ତ ଦାସଙ୍କ ର ଗୋଟିଏ ସୃଷ୍ଟି , ଯାହା
୧୯୫୬ ମସିହାରେ ଟମ୍ ବ୍ରାଉନଙ୍କ ଦ୍ବାରା ଅଲ୍ଟ୍ରା ସାଉଣ୍ଡ ( ultrasound ) ଭାବେ ପ୍ରଥମେ ଭେଷଜ ବିଦ୍ୟାରେ ପ୍ରୟୋଗ (The first time ultrasound was used for clinical reasons was in 1956. It was used in Glasgow by an Obstetrician named Ian Donald and an engineer named Tom Brown. These two men developed the first prototype system for ultrasound,)ତାହା ଯେ ଛଅ ଶହ ବର୍ଷ ତଳୁ ଓଡ଼ିଆ ସନ୍ଥ କରିଯାଇଛନ୍ତି, ତାହାକୁ ଉପସ୍ଥାପନ କରି ତାଙ୍କର ଅମୃତ ଅମ୍ଲାନ ସ୍ମୃତି ପ୍ରତି କୋଟି କୋଟି ପ୍ରଣାମ ଜଣାଉଛି ,ବନ୍ଦେ ଉତ୍କଳ ଜନନୀ ।

ବଡ଼ ମାୟାବୀ ଜୀବ ନୋହେ କାହାରି
——————————————
      ମହାତ୍ମା ଯଶୋବନ୍ତ ଦାସ
             ——————
ବଡ଼ ମାୟାବୀ ଜୀବ ନୋହେ କାହାରି
  ଦିନେ ନ ଭଜୁ ରାମ କୃଷ୍ଣ ଶ୍ରୀହରି  ।।
 ଯେତେବେଳେ ମାତା ଗର୍ଭେ ହେଲୁ ସଞ୍ଚାର
ଅଣାକାର ଭୂମି ସେ ଯେ ନାହିଁ ଆକାର  ।
ପ୍ରଥମ ମାସେ ତୁ ଯେ ହେଲୁ ଧବଳ ବର୍ଣ୍ଣ
ଦ୍ବିତୀୟ ମାସେ ତୁ ଯେ     ଜଳେ ଯେସନେ ମୀନ
ତୃତୀୟ ମାସେ ତୁ ଯେ        ଶୂନ୍ୟେ ମେଳିଲୁ ଡାଳ
          ଚତୁର୍ଥେ ଅସ୍ଥି ଖଞ୍ଜା ତୋହରି   । ବଡ଼ …
    ପଞ୍ଚମେ ନାଭି କମଳ କଲା ଭିଆଣ
    ଷଷ୍ଠରେ ଵାସ୍ତରୀ ନାଡ଼ି ଖଞ୍ଜିଲା ଜାଣ।  
ସପ୍ତମେ ନାସା ଜିହ୍ୱା      ଆବର ମୁଖ କର୍ଣ୍ଣ
ଚକ୍ଷୁ ଭ୍ରୁଲତା କାମ        କମାଣରେ ନିର୍ମାଣ
ଗଙ୍ଗା ଯମୁନା ନଦୀ      ଵହଇ ଅନୁକ୍ଷଣ
     ଆପେ ମନକୁ କଲା ବିଚାରି   ।
 ଅଷ୍ଟମେ ଅଙ୍ଗୁଷ୍ଠି ହସ୍ତ ପାଦ ଖଞ୍ଜିଲା
    ନଵମାସେ ଚମଡାକୁ ଢାଙ୍କୁଣି ଦେଲା
ଦଶ ମାସରେ ଶେଷ     କଲା ହୋଇ ହରଷ
ସ୍ତୁତି ଯେ କଲୁ ତୁହି     ଭୋ ଦେବ ନନ୍ଦ ଶିଷ୍ୟ
ଯଦି ମର୍ତ୍ତ୍ୟମଣ୍ଡଳେ      ମୁହିଁ କରିବି ଵାସ
     ‌     ତୋ ନାମ ଗାଉଥିବି ସୁମରି।
 ଯେଉଁ ବିନ୍ଧାଣି ତୋତେ ଟି କଲା ନିର୍ମାଣ
      ସେହି ତୋ ଦେହେ ରହିଲା ଏହା ତୁ ଜାଣ,
ରଖିଣ ଦଶବାଟ          ଲଗାଇଲା କବାଟ
ସୁଷୁମନା ଦୁଆରେ         ରହିଲେ ନନ୍ଦ ଚାଟ
ଯେବେ ପାଇବୁ ଭେଟ    ମାୟା କୁ ତୁହି କାଟ
          ଗୁରୁ  ସେଵିଣ ଦେଖ ଶ୍ରୀହରି  । ବଡ଼ ମାୟାବୀ….
        ଜନମ ହୋଇ ପଡିଲୁ ମର୍ତ୍ତ୍ୟ ମଣ୍ଡଳ
       କୁଆଁ ବୋଲନ୍ତେଣ ସବୁ ଗଲା ପାଶୋର  ।
   ଅନ୍ତୁଡିଶାଳେ ରହି     ହରି ଭଜିଲୁ ନାହିଁ
   ପାଞ୍ଚ ଵରଷ ଗଲା     ବାଳ ଭାବରେ ବହି
   ଦଶ ଵରଷେ ଧୂଳି ଘର ଖେଳିଲୁ ତୁହି,
    ଵାର ବରଷେ ବସ୍ତ୍ର ପିନ୍ଧୁ ହରଷ ହୋଇ
            ‌      ତେବେ ନ ଵୋଲୁ ମୁଖେ ଶ୍ରୀହରି  । ବଡ଼…
ପାଠକ ମାନଙ୍କୁ ମହାତ୍ମା ଯଶୋବନ୍ତ ଦାସ ଙ୍କ ସହିତ ପରିଚୟ କରାଇବାକୁ ହେଲେ ଆମକୁ୫୩୪ ବର୍ଷ ତଳକୁ ଯିବାକୁ ହେବ ।

         ପନ୍ଦର ଵରଷେ ହେଲୁ ଅମରମତା
         କୋଡ଼ିଏ ଵରଷେ କଲୁ କାମିନୀ ଚିନ୍ତା ।

କାମିନୀ ସଙ୍ଗେ ରହି          ଦିନ ହରିଲୁ ତୁହି
ସେ ରୂପେ ଗଲା ତୋର      ଯୁବା ଵୟସ ବହି
ହରି କଥା କୁ ଦିନେ           ମନେ ନ କଲୁ ତୁହି
                  ହେଵୁ କେମନ୍ତେ ଏ ଭବୁ ପାରି     । ବଡ଼

      ବୃଦ୍ଧ ଵୟସ ଏବେ ହେଲା ତୋହରି
       ଅବଶ୍ୟ ଦେଖିବୁ ଥରେ ଶମନ ପୁରୀ,
କହଇ ଯଶୋବନ୍ତ      ଗୁରୁ ଙ୍କ ସେବା କର
ସେ ନାମ ଧରି ହୃଦେ    ଭବୁ ହୋଇବୁ ପାର
ପୂର୍ବ -ଜନ୍ମ କଳୁଷ ଚିତ୍ତ ରୁ ହେବ ଦୂର
          ‌  ବସିବୁ ବଇକୁଣ୍ଠ ଆବୋରି  । ବଡ଼ ମାୟାବୀ…

ମହାତ୍ମା ଯଶୋବନ୍ତ ଙ୍କ ସହିତ ଆଜିର ପିଢ଼ି ଙ୍କୁ ପରିଚୟ କରାଇବାକୁ ହେଲେ ଆମକୁ ୫୩୪ ବର୍ଷ ତଳକୁ ଫେରିବାକୁ ହେବ । ଅଚ୍ୟୁତାନନ୍ଦଙ୍କ ‘ଉଦୟ କାହାଣୀ’ ଅନୁସାରେ ଜଗନ୍ନାଥ ଦାସ ଓ ଯଶୋବନ୍ତ ଦାସ ଏକା ବର୍ଷରେ ଜନ୍ମଗ୍ରହଣ କରିଥିଲେ । ବଳରାମ ଦାସ ଏହି ଉଭୟଙ୍କଠୁଁ ଚାରିବର୍ଷ ବଡ଼ । ଏଣୁ ‘ଉଦୟ କାହାଣୀ’ ଅନୁସାରେ ଯଶୋବନ୍ତ ଖ୍ରୀଷ୍ଟାବ୍ଦ ୧୪୮୭ରେ ଜନ୍ମଗ୍ରହଣ କରିଥିଲେ ବୋଲି ଧରାଯାଏ । କଟକ ଜିଲ୍ଲା ଅନ୍ତର୍ଗତ ଜଗତସିଂହପୁର ନିକଟସ୍ଥ ଅଢ଼ଙ୍ଗଗଡ଼ ଅନ୍ତର୍ଗତ ନନ୍ଦୀଗ୍ରାମରେ ଯଶୋବନ୍ତ ଜନ୍ମଲାଭ କରିଥିଲେ । ତାଙ୍କ ପିତାଙ୍କ ନାମ ଜଗୁ ମଲ୍ଲିକ ଓ ମାତାଙ୍କ ନାମ ରେଖାଦେବୀ । ଯଶୋବନ୍ତ ଦାସ ନିଜ ବା ନିଜ ପରିବାର ବିଷୟରେ କୌଣସି ସନ୍ତୋଷଜନକ ପରିଚୟ ନିଜ ଗ୍ରନ୍ଥମାନଙ୍କରେ ଦେଇନାହାନ୍ତି ।
ଚନ୍ଦ୍ର ବଂଶରେ ଜାତ ଯଶୋବନ୍ତ ।
କ୍ଷତ୍ରିୟ କୁଳ ସେ କଲେ ପବିତ୍ର ।।
                      —ଅବତାର ମାଳିକା
ସେ ମହାନାୟକ ବା କ୍ଷତ୍ରିୟ ଥିଲେ ବୋଲି କେତେକଙ୍କ ମତ ରହିଛି । ଅନ୍ୟମତେ ସେ କୃଷକ ପରିବାରରେ ଜନ୍ମଲାଭ କରିଥିଲେ । ଯଶୋବନ୍ତଙ୍କ ପିତା ମାତା ବହୁତ ଧର୍ମ ପରାୟଣ ଥିଲେ । ଯଶୋବନ୍ତଙ୍କ ଉପରେ ସେମାନଙ୍କ ଗଭୀର ପ୍ରଭାବ ପଡ଼ିଥିଲା । ଏଣୁ ସେ ଧର୍ମ ପ୍ରତି ଆକୃଷ୍ଟ ହୋଇଥିଲେ ।ସୁଦର୍ଶନ ଦାସଙ୍କ ଲିଖିତ ‘ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା’ ନାମକ ଗ୍ରନ୍ଥରେ ଯଶୋବନ୍ତଙ୍କ ବାଲ୍ୟ ଜୀବନର ବର୍ଣ୍ଣନା ରହିଛି । ସୁଦର୍ଶନ ଦାସ ଯଶୋବନ୍ତଙ୍କ ନିଜ ଶିଷ୍ୟ ଥିଲେ । ଏହି ଗ୍ରନ୍ଥରେ ଯଶୋବନ୍ତଙ୍କ ବିଷୟରେ ବହୁ ବିସ୍ମୟକାରୀ କିମ୍ବଦନ୍ତୀ ରହିଛି ।ଯଶୋବନ୍ତଙ୍କ ପିତା ଜଣେ ଦରିଦ୍ର ବ୍ୟକ୍ତି ଥିଲେ । ଦାରିଦ୍ର୍ୟ ଯୋଗୁଁ ସେ ବାଧ୍ୟ ହୋଇ ଥରେ ଧାନ ଚୋରି କରିଥିଲେ । ଚୋରି କଲାବେଳେ ଅଢ଼ଙ୍ଗଗଡ଼ର ସାମନ୍ତରାଜା ରଘୁରାମ ଚ଼ମ୍ପପତି ରାୟ ତାଙ୍କୁ ଦେଖିଦେଇଥିଲେ । ରଘୁରାମ ଚୋରକୁ ଦଣ୍ଡ ଦିଆଯାଉ ବୋଲି ଆଜ୍ଞା କରିବାରୁ ଯଶୋବନ୍ତ ଜଗନ୍ନାଥଙ୍କୁ ଆକୁଳ ହୋଇ ବିନତି କଲେ । ଜଗନ୍ନାଥ ତାଙ୍କ ଡାକ ଶୁଣି ଯଶୋବନ୍ତଙ୍କ ଶରୀରରେ ପ୍ରକାଶିତ ହେଲେ । ଏହି ଦୃଶ୍ୟକୁ ରଘୁରାମ ହିଁ ଦେଖିପାରିଥିଲେ । ଏହା ଦେଖିଲାପରେ ରଘୁରାମ ଓ ତାଙ୍କ ସ୍ତ୍ରୀ ତିଳୋତ୍ତମା ଯଶୋବନ୍ତଙ୍କ ଶିଷ୍ୟ ହୋଇଗଲେ ।ଏହି କିମ୍ବଦନ୍ତୀ ଭଳି ଅନ୍ୟ ଏକ କଥା ମଧ୍ୟ ଶୁଣାଯାଏ ,
ବାରବର୍ଷ ବୟସରୁ ଯଶୋବନ୍ତ ସଂସାର ପ୍ରତି ଉଦାସୀନ ହୋଇପଡ଼ିଥିଲେ । ଏହା ପରେ ସେ ବହୁତ ବର୍ଷ ତୀର୍ଥ ପର୍ଯ୍ୟଟନରେ ଅତିବାହିତ କରିଥିଲେ । ସେ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେବା ପରେ ‘ଦାସ’ ଉପାଧି ଗ୍ରହଣ କରିଥିଲେ । କୁହାଯାଏ ଯେ ଯଶୋବନ୍ତ ଚୈତନ୍ୟ ଦେବଙ୍କ ସଂକୀର୍ତ୍ତନ ମଣ୍ଡଳୀଦ୍ୱାରା ପ୍ରଭାବିତ ହୋଇ ଖ୍ରୀଷ୍ଟାବ୍ଦ ୧୫୦୯ରେ ପୁରୀ ଆସିଥିଲେ । ସହଓଡ଼ିଶାରେ ଚୈତନ୍ୟ ଦେବଙ୍କ ଅବସ୍ଥାନ ସମୟରେ ଯଶୋବନ୍ତ ତାଙ୍କ ସଂସ୍ପର୍ଶରେ ଆସିଥିଲେ । ପୁରୀରେ ସେ ଦୀକ୍ଷା ନେଇଥିଲେ । ଦୀକ୍ଷା ନେଇ ନିଜ ଗ୍ରାମ ଅଢ଼ଙ୍ଗକୁ ଫେରିଆସିଥିଲେ ।ସେତେବେଳେ ଅଢ଼ଙ୍ଗଗଡ଼ର ସାମନ୍ତ ରାଜା ଥିଲେ ରଘୁରାମ ଚମ୍ପପତି ରାୟ । ରଘୁରାମଙ୍କ ଭଗିନୀ ଅଞ୍ଜନା ଦେବୀଙ୍କ ସହ ଯଶୋବନ୍ତଙ୍କ ବିବାହ ହୋଇଥିଲା । କେତେକଙ୍କ ମତରେ ସଂସାର ପ୍ରତି ଯଶୋବନ୍ତଙ୍କ ବୀତସ୍ପୃହତା ଦେଖି ତାଙ୍କ ବାପା ମା ତାଙ୍କୁ ବିବାହିତ କରିଥିଲେ । ରଘୁରାମ ଯଶୋବନ୍ତଙ୍କ ପାଇଁ ଗୋଟିଏ ସୁନ୍ଦର ମଠ ନିର୍ମାଣ କରି ମଠର ପରିଚାଳନା ନିମନ୍ତେ ବହୁ ସମ୍ପତ୍ତି ଖଞ୍ଜିଥିଲେ । ଏ ମଠ ବର୍ତ୍ତମାନ ସୁଦ୍ଧା ଯଶୋବନ୍ତ ଦାସଙ୍କ ଉତ୍ତରାଧିକାରୀମାନଙ୍କଦ୍ୱାରା ପରିଚାଳିତ ହୋଇ ଆସୁଛି ।କିମ୍ବଦନ୍ତୀ କୁହେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଯଶୋବନ୍ତ ଦାସଙ୍କର ୭୫୦ ଶିଷ୍ୟ ଥିଲେ ବୋଲି ଶୁଣାଯାଏ । ଯଶୋବନ୍ତ ଜଣେ ସିଦ୍ଧ ବୈଷ୍ଣବ ଥିଲେ । ଏଣୁ ଯଶୋବନ୍ତଙ୍କ ଜୀବନ ସମ୍ବନ୍ଧରେ ବହୁ କିମ୍ବଦନ୍ତୀ ଶୁଣାଯାଏ । ତନ୍ମଧ୍ୟରେ ବ୍ରହ୍ମରାକ୍ଷସ ଓ ବାବନାଭୂତ ପ୍ରସଙ୍ଗ କୁ ଉପଜିଵ୍ୟ କରି  ଜନଶ୍ରୁତିରୁ ଶୁଣାଯାଏ ଯେ ଥରେ ଯଶୋବନ୍ତ କେତେକ ଶିଷ୍ୟଙ୍କ ସହିତ ପୁରୀ ଅଭିମୁଖରେ ଯାତ୍ରା କରୁଥିଲେ । ପଥ ମଧ୍ୟରେ ଏକ ବ୍ରହ୍ମରାକ୍ଷସ ସହ ସେମାନଙ୍କ ଭେଟ ହେଲା । ବ୍ରହ୍ମରାକ୍ଷସ ତାହାର ପୈଶାଚିକୀ ଲୀଳା ସାଧନା କରିବାକୁ ଗଲାବେଳେ ଯଶୋବନ୍ତ ନିଜ ଯୋଗ ପ୍ରଭାବରେ ଆଶାବାଡ଼ିରେ ତାହାକୁ ପଥ ଦେଖାଇ ଆଗେ ଆଗେ ଚାଲିବାକୁ ଉପଦେଶ ଦେଲେ । ଏହା ପରେ ରାକ୍ଷସ ଆଉ କୌଣସି ଅତ୍ୟାଚାରର ପ୍ରଚେଷ୍ଟା ନ କରି ଶାନ୍ତ ଶିଷ୍ଟ ଭାବରେ ଚାଲିଲା । ବ୍ରହ୍ମରାକ୍ଷସ ଆସୁଥିବାର ଜାଣି ଜନସାଧାରଣ ଘର ଛାଡ଼ି ଚାରିଆଡ଼େ ଧାଇଁବାକୁ ଲାଗିଲେ । ଅଳ୍ପକାଳ ମଧ୍ୟରେ ଏ ଖବର ତତ୍କାଳୀନ ରାଜା ପ୍ରତାପରୁଦ୍ର ଦେବଙ୍କ ପାଖକୁ ପହଞ୍ଚିଲା । ରାଜା ଯଶୋବନ୍ତଙ୍କ ଦେଖି ବିସ୍ମିତ ହେଲେ ଓ ତାଙ୍କ ଅଭ୍ୟର୍ଥନା ଲାଗି ଅଠରନଳା ପାଖରେ ଆସିକି ନିଜେ ଘଟଣାଟିକୁ ଦେଖିଲେ । ଅଭର୍ଥନା ଶେଷରେ ଯଶୋବନ୍ତଙ୍କ ଅନୁରୋଧ କ୍ରମେ ରାଜା ରାକ୍ଷସଟିକୁ ଜଗନ୍ନାଥଙ୍କ ଗୁଣ୍ଡିଚା ବାଡ଼ିର ରକ୍ଷଣାବେକ୍ଷଣ ଭାର ପ୍ରଦାନ କଲେ । ସେହିଦିନଠାରୁ ସେ ରାକ୍ଷସଟି ସେଠାରେ ବାବନାଭୂତ ନାମ ଧାରଣ କରି ପୂଜା ପାଇ ଆସୁଅଛି ।ଧାନଶିଁଷାରୁ ‘ରାମ ରାମ’ ଶବ୍ଦ ସମ୍ପର୍କରେ   ଏକ କିମ୍ବଦନ୍ତୀ ରହିଛି ଯେ ଯଶୋବନ୍ତ କେତେକ କାଳ ରଘୁରାମଙ୍କ ଅଧୀନରେ ଗ୍ରାମ କଟୁଆଳ କାର୍ଯ୍ୟ ଗ୍ରହଣ କରିଥିଲେ । ସେହି ସମୟରେ ଥରେ ଦେଶରେ ଶସ୍ୟହାନି ଘଟି ଭୀଷଣ ଦୁର୍ଭିକ୍ଷ ହୋଇଥିଲା । ଏକଦା ତାଙ୍କର ସ୍ତ୍ରୀ ପାୟସାନ୍ନ ଭୋଜନ କରିବାକୁ ଇଚ୍ଛା କରିବାରୁ ଯଶୋବନ୍ତ ଗ୍ରାମବାସୀ ଜନୈକ କୃଷକର ଧାନ କିଆରୀରେ ପଶି ଧାନ ଚୋରି କଲେ । ପାଚିଲା ଧାନ ଛିଣ୍ଡାଇଲା ବେଳେ ସେ ଶୁଣିଲେ ଯେ ପ୍ରତ୍ୟେକ ଧାନଶିଁଷା ସତେ ଯେପରି ବିକଳରେ ‘ରାମ ରାମ’ ଡାକୁଅଛି । ସେହି ଶବ୍ଦରେ କୃଷକ ଜାଗ୍ରତ ହୋଇ ଯଶୋବନ୍ତଙ୍କୁ ଧରିଲା ଓ ରାଜକୀୟ ବିଚାରାଳୟକୁ ନେଲା । ସେଠାରେ ରାଜା ସମସ୍ତ ବୃତ୍ତାନ୍ତ ଶୁଣି ଯଶୋବନ୍ତଙ୍କୁ ଦୋଷୀ ବୋଲି ଗ୍ରହଣ କରି ଦୋଷ ଅନୁସାରେ ଦଣ୍ଡବିଧାନ କରିଥିଲେ ।
ସୁଦର୍ଶନ ଦାସଙ୍କ ରଚିତ ଗ୍ରନ୍ଥ ‘ଯଶୋବନ୍ତ ଦାସଙ୍କ ଚଉରାଶି ଆଜ୍ଞା’ରେ ଲିଖିତ ଅଛି ଯେ ଥରେ ଯବନ କବି ସାଲବେଗ ବୈଷ୍ଣବ ଦୀକ୍ଷିତ ହୋଇସାରିବା ପରେ ଯଶୋବନ୍ତଙ୍କ ଶକ୍ତି ବିଷୟରେ ଶୁଣିଲେ ଓ ତାଙ୍କୁ ପରୀକ୍ଷା କରିବା ପାଇଁ ଚାହିଁଲେ । ତାଙ୍କ ପରୀକ୍ଷାରେ ଯଶୋବନ୍ତ ଉତ୍ତୀର୍ଣ୍ଣ ହେବାରୁ ସେ ତାଙ୍କ ପାଦଧୂଳି ଗ୍ରହଣ କରିଥିଲେ । ଏହି ସାଲବେଗ ଗୌଡ଼ୀୟ ସାଲବେଗଙ୍କ ଠାରୁ ଅଲଗା ବୋଲି ପ୍ରତୀୟମାନ ହୁଏ, ଯେହେତୁ ଗୌଡ଼ୀୟ ସାଲବେଗ ସପ୍ତଦଶ ଶତାବ୍ଦୀର ଲୋକ ଥିଲେ ଓ ତାଙ୍କ ଗୁରୁଙ୍କ ନାମ ଶ୍ୟାମାନନ୍ଦ ଥିଲା ।
ଯଶୋବନ୍ତଙ୍କ ଦେହାବସାନ କେଉଁ ବର୍ଷରେ ହୋଇଥିଲେ ଏହା ଜାଣିବା ପାଇଁ କିଛି ଉପାଦାନ ମିଳୁନାହିଁ । ସେ ମାଘ ମାସ ଶୁକ୍ଳ ଷଷ୍ଠୀରେ ଇହଧାମ ତ୍ୟାଗ କରିଥିଲେ ବୋଲି ଜନଶ୍ରୁତିରେ ରହିଛି । ତାଙ୍କର ତିରୋଧାନ ଦିବସରେ ଅଢ଼ଙ୍ଗରେ ଗୋଟିଏ ବଡ଼ ମେଳା ଅନୁଷ୍ଠିତ ହୁଏ । ଯଶୋବନ୍ତଙ୍କ ରଚିତ ଭଜନଗୁଡ଼ିକ ବ୍ରହ୍ମଜ୍ଞାନମୂଳକ । ଏଗୁଡ଼ିକର ଭାଷା ସରଳ ହୋଇଥିବାରୁ ଏଗୁଡ଼ିକ ଓଡ଼ିଶାରେ ଗ୍ରାମେ ଗ୍ରାମେ ପ୍ରସିଦ୍ଧ ।
ଗୋବିନ୍ଦଚନ୍ଦ୍ର (ଉପାଖ୍ୟାନ) ଏକ କାଳଜୟୀ ସୃଷ୍ଟି ।
ଓଡ଼ିଆ ସାହିତ୍ୟରେ ଗାଥା କବିତା ଗୋଟିଏ ପ୍ରକାର କବିତା ଯେଉଁଥିରେ କୌଣସି ପୌରାଣିକ ଗାଥାକୁ ଗୀତିକବିତା ମାଧ୍ୟମରେ କୁହାଯାଏ । ଯଶୋବନ୍ତ ଦାସଙ୍କ ‘ଗୋବିନ୍ଦଚନ୍ଦ୍ର’ ଏହି ଶ୍ରେଣୀର ପ୍ରଥମ ରଚନା ବୋଲି କେତେଜଣଙ୍କ ମତ ରହିଛି । ଏହା ବଙ୍ଗଦେଶର ରାଜା ଗୋବିନ୍ଦଚନ୍ଦ୍ରଙ୍କ ଉପରେ ଆଧାରିତ । ଗୋବିନ୍ଦଚନ୍ଦ୍ରଙ୍କ ମାତା ମୁକୁତା ଦେଈ ହାଡ଼ିପାଙ୍କୁ ନିଜ ପୁତ୍ରର ଗୁରୁ କରାଇ ତାଙ୍କୁ ବ୍ରହ୍ମଜ୍ଞାନ ପ୍ରାପ୍ତି କରିବାକୁ ଉପଦେଶ ଦିଅନ୍ତି ଯଦ୍ୱାରା ତାଙ୍କ ଅକାଳମୃତ୍ୟୁ ଟଳିଯାଏ । ଯଶୋବନ୍ତଙ୍କ ପରେ ଏହି ବିଷୟରେ ଦୁଇଜଣ ଅଷ୍ଟାଦଶ ଶତାବ୍ଦୀର କବି ମଧ୍ୟ ରଚନା କରିଛନ୍ତି ।ସାହିତ୍ୟିକ ଦୃଷ୍ଟିକୋଣରୁ ଖୁବ ମୂଲ୍ୟବାନ ।ଏହା ଅନୁସରଣରେ ଟୀକାଗୋବିନ୍ଦ ଚନ୍ଦ୍ର ରଚିତ ।
ଶିବସ୍ୱରୋଦୟ,ଏହା ଏକ ଶୈବ ତାନ୍ତ୍ରିକ ଗ୍ରନ୍ଥର “ସ୍ୱରୋଦୟଲେଶ”ର ଅନୁବାଦ ଅଟେ ।ଶିବ ପାର୍ବତୀଙ୍କ କଥୋପକଥନ ଶୈଳୀରେ ରଚିତ । ମୂଳଗ୍ରନ୍ଥ ପରି ଏହା ମଧ୍ୟ ୨୧ ଅଧ୍ୟାୟ ବିଶିଷ୍ଟ ।ସମଗ୍ର ଗ୍ରନ୍ଥର ପଦସଂଖ୍ୟା ୪୭୫। ସ୍ୱରର ପ୍ରଶଂସା ,ନାଡିଜ୍ଞାନ,ନାଡିଚାଳନାର ଫଳାଫଳ ,ପ୍ରାଣାଦି ବାୟୁର ତତ୍ତ୍ୱ ନିରୂପଣ ,ସ୍ତ୍ରୀବଶୀକରଣ ଆଦି ଯୋଗସାଧନ ପ୍ରଣାଳୀ,ସ୍ୱରଜ୍ଞାନ ଆଦି ରଚିତ ।ଏଥିରେ ଶ୍ରୀକୃଷ୍ଣ ରାଧା ଓ ଅର୍ଜ୍ଜୁନଙ୍କୁ ଯୋଗମାର୍ଗ ବିଷୟରେ କହନ୍ତି । ପ୍ରେମ ଓ ଭକ୍ତିର ଏକ ସମନ୍ୱୟ । ବିଷୟବସ୍ତୁ ଆରମ୍ଭରେ ସୃଷ୍ଟିକ୍ରିୟା ବିବରଣୀ ପ୍ରଦତ୍ତ । ରାଧାକୃଷ୍ନଙ୍କ ଜନ୍ମ, ଯୁଗଳରୂପ, ନିତ୍ୟରାସ, ଜୀବ-ପରମ ବିହାର, ଶରୀର ମଧ୍ୟସ୍ଥ ସପ୍ତାବରଣତତ୍ତ୍ୱ, ଶ୍ରୀକ୍ଷେତ୍ର ମହିମା ଆଦି ବର୍ଣ୍ଣନା କରଯାଉଛି। ପାଞ୍ଚଟି ଅଧ୍ୟାୟରେ ସମାପ୍ତ ଓ ନବାକ୍ଷରୀ ବା ଗୁଜ୍ଜରୀ ବୃତ୍ତରେ ରଚିତ । ମହାତ୍ମା ଯଶୋବନ୍ତ ଙ୍କ ସୃଷ୍ଟି କୃତି ମଧ୍ୟରେ ଅଢ଼ଙ୍ଗ ଗଡ଼ମାଳିକା,ଆତ୍ମପରତେ ଗୀତା, ଚଉରାଅଶି ଆଜ୍ଞା,ପ୍ରେମଭକ୍ତି ବ୍ରହ୍ମଗୀତା ,ବଣଭୋଜି,ମନ୍ତ୍ରବୋଲି,ଯନ୍ତ୍ରବୋଲି,ଦିବ୍ୟଦେହୀ
ଲୋହି ଗୀତା,ଭବିଷ୍ୟ ମାଳିକା,ଶିବ ସ୍ୱରୋଦୟ (ସଂସ୍କୃତ ‘ସ୍ୱରୋଦ୍ୱୟଲେଶ’ ଶୀର୍ଷକ ଗ୍ରନ୍ଥର ବିଷୟବସ୍ତୁ ଅବଲମ୍ବନରେ)
ହେତୁ ଉଦୟ ଭାଗବତ,ଆଗତ ଭବିଷ୍ୟ,ଧାନଚୋରି,ବାଘଲୀଳା
ଭଜନ ସାର୍ ପ୍ରମୁଖ  ସୀମା ହୀନ ଜନାଦୃତ ସୃଷ୍ଟି ।
ଯଶୋବନ୍ତ ଅନେକ ବ୍ରହ୍ମଜ୍ଞାନମୂଳକ ଭଜନ ରଚନା କରିଛନ୍ତି । ତାଙ୍କ ରଚନା ଭିତରୁ ଶିବସ୍ୱରୋଦୟ, ପ୍ରେମଭକ୍ତି ବ୍ରହ୍ମଗୀତା, ଦିବ୍ୟଦେହୀ, ଲୋହୀ ଗୀତା, ଗୋବିନ୍ଦଚନ୍ଦ୍ର ଓ ଯନ୍ତ୍ରବୋଲି ବିଶେଷ ଜନାଦୃତ । ଏହି ରଚନାଗୁଡ଼ିକରେ ସେ ପିଣ୍ଡବ୍ରହ୍ମାଣ୍ଡ ତତ୍ତ୍ୱ ଓ ଶୂନ୍ୟବ୍ରହ୍ମଙ୍କ ବିଷୟରେ ଲେଖିଛନ୍ତି । ‘ଭବିଷ୍ୟ ମାଳିକା’ ନାମକ ରଚନାରେ ସେ ଭବିଷ୍ୟ କାଳରେ କିପରି ଅଘଟଣ ହେବ ତାହା ବିଷୟରେ ଲେଖିଛନ୍ତି । ‘ଯନ୍ତ୍ରବୋଲି’ରେ ସେ ଯନ୍ତ୍ର ଓ ଅକ୍ଷର ମାଧ୍ୟମରେ କିପରି ବ୍ରହ୍ମଙ୍କୁ ପ୍ରାପ୍ତ କରିହେବ ଲେଖିଛନ୍ତି । ଯଶୋବନ୍ତ ଶୂନ୍ୟବ୍ରହ୍ମଙ୍କ ଉପାସକ ହେଲେ ମଧ୍ୟ ଜଗନ୍ନାଥଙ୍କୁ ନିଜ ଇଷ୍ଟଦେବତା ଭାବେ ମାନୁଥିଲେ ।
କ୍ରମଶଃ

ଶୂନ୍ୟ ତତ୍ତ୍ଵ

ଶୂନ୍ୟ ତତ୍ତ୍ଵ

——
୧୯୮୦ ମସିହାରେ ଆମେ ନିଷ୍ପତ୍ତି ନେଇଥିଲୁ ଶୂନ ଉପରେ ଗବେଷଣା କରିବା ପାଇଁ । ସେତେବେଳେ ଆମର ପରମ ପୂଜ୍ୟ ଗୁରୁ ତଥା ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ଗଣିତ ଶାସ୍ତ୍ରର ବିଭାଗୀୟ ମୁଖ୍ୟ ଚିର ବନ୍ଦନୀୟ ଦେବକୀ ନନ୍ଦନ ମହାନ୍ତି ଆମକୁ ପରାମର୍ଶ ଦେଲେ ଯେ ପ୍ରଥମେ ହାବାର୍ଡ ବିଶ୍ବ ବିଦ୍ୟାଳୟର ପ୍ରାଚାର୍ଯ୍ୟ ( ପ୍ରଫେସର)କପ୍ଲାନ ଙ୍କ ଶୂନ ଉପରେ ” ଦି ନଥିଙ୍ଗ ଡ୍ୟାଟ୍ ଇଜ୍” ପୁସ୍ତକ ପଢିବାକୁ । ଆମେ କେବଳ ଏହି ବହି ଖଣ୍ଡିକ ପାଇଁ କଲିକତା ବହୁ କଷ୍ଟରେ ଯାଇ କିଣି ଆଣି ପଢିବା ସମୟରେ ସେଥିରୁ ଜାଣିଲୁ ଯେ ଗୌତମ ବୁଦ୍ଧ ଜଣେ ମହାନ ଗଣିତଜ୍ଞ ଥିଲେ ।

ଆମର ଆଗ୍ରହ ବଢ଼ିଲା , ଯାହା ସମ୍ପର୍କରେ ଆମେ କେବେ କୌଣସି ବହିରେ ପଢି ନଥିଲୁ । ପ୍ରାଚାର୍ଯ୍ୟ କପ୍ଲାନ ବୌଦ୍ଧ ଗ୍ରନ୍ଥ ” ଲଳିତ ବିସ୍ତର”କୁ ଅଧ୍ୟୟନ କରି ବୁଦ୍ଧଦେବଙ୍କ ବିବାହ ବିଷୟ କୁ ଉପଜୀବ୍ୟ କରି ଏକ ସୁନ୍ଦର ଆଖ୍ୟାୟିକା ଅବତାରଣା କରିଛନ୍ତି, ଯାହା ମଧ୍ୟ ଆମେ ପଢି ନଥିଲୁ । ମହାନ୍ତି ଗୁରୁଜୀଙ୍କ ପରାମର୍ଶ ପୂର୍ବରୁ ଆମର ଅନ୍ୟତମ ଗୁରୁ ପ୍ରାଚାର୍ଯ୍ୟ ଶୁକଦେବ ରଥ ଆମକୁ ମହାନ୍ ସ୍ଵାଧୀନତା ସଂଗ୍ରାମୀ ତଥା ଅନେକ କ୍ଷେତ୍ରରେ ପ୍ରଥମ ଓଡିଆ ମହିଳା ଚିର ବନ୍ଦନୀୟା ସରଳା ଦେବୀ ଙ୍କ ଦ୍ବାରା ୧୯୫୨ ମସିହାରେ ପ୍ରକାଶିତ ” ପଞ୍ଚସଖାଙ୍କ ଧର୍ମ ଓ ଶୂନ୍ୟ ସାହିତ୍ୟ” ପଢ଼ିବା ପାଇଁ ପରାମର୍ଶ ଦେଇଥିଲେ ।

ଆଜି ପରମ ପୂଜ୍ୟା ସରଳା ଦେବୀ ଖୁବ୍ ମନେ ପଡ଼ନ୍ତି, ଯେତେବେଳେ ନୂତନ ସଂସଦ ଭବନରେ ପ୍ରଥମ ସମ୍ବିଧାନ ସଂଶୋଧନ ଅର୍ଥାତ ୧୨୮ ତମ ସଂଶୋଧନ ବିଧେୟକ ” ନାରୀ ଶକ୍ତି ବନ୍ଦନ ଅଧିନିୟମ” ନିମ୍ନ ସଦନ ଅର୍ଥାତ୍ ଲୋକସଭାରେ ୪୫୪ ଜଣ ସାଂସଦ ଙ୍କ ସମର୍ଥନ ଓ ମାତ୍ର ୨ ଜଣ ସାଂସଦ ଙ୍କ ବିରୋଧ ସଂଖ୍ୟା ଆଧାରରେ ଗୃହୀତ ହେଲା । ଗତ ଅଗଷ୍ଟ ୧୯ ତାରିଖରେ ତାଙ୍କର ୧୨୦ ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାବଚନାର୍ପିତ ଉପସ୍ଥାପନ ରେ ବିସ୍ତୃତ ଭାବେ ଆଲୋଚନା କରିଥିଲୁ । ଶହେ ବର୍ଷ ତଳେ ସେ ଯାହା ଚିନ୍ତା ପ୍ରକଟ କରି କାର୍ଯ୍ୟାରମ୍ଭ କରିଥିଲେ, ତାହା ଆଜି ଫଳବତୀ ହୋଇଛି ।

ଓଡିଶା ବିଧାନସଭା ର ବାଚସ୍ପତି ଥିବା ସମୟରେ ଓଡିଆ ଭାଷାରେ ଗୃହ ପରିଚାଳନା କରିବା ସମୟରେ ନିଜର ବକ୍ତବ୍ୟ ରେ ଉଲ୍ଲେଖ କରିଥିବା ଭବିଷ୍ୟତ କଥନ ସତ୍ୟ ହେଲା । ତଥ୍ୟ ଜାଣିନଥିବା ଲୋକେ କହୁଛନ୍ତି ଓ ଲେଖିଛନ୍ତି ଯେ ପ୍ରମିଳା ମଲ୍ଲିକ ପ୍ରଥମ ମହିଳା ବାଚସ୍ପତି । ଛାଡ଼ନ୍ତୁ, ସେ ଦିଗକୁ ପରେ ଯିବା । ପ୍ରଥମେ ଗଣିତଜ୍ଞ ଗୌତମ ବୁଦ୍ଧ ଙ୍କୁ ପଢ଼ିବା । ତାଙ୍କୁ ପଢିଥିବାରୁ ହିଁ ଆମେ ଦୃଢ଼ତାର ସହିତ କହି ଆସୁଛୁ ଯେ ଗୌତମ ବୁଦ୍ଧ ଙ୍କ ଜନ୍ମ ଆଜିର ଭୁବନେଶ୍ଵର ର କପିଳେଶ୍ୱର, ସେତେବେଳେର କପିଳେଶ୍ୱର ଜନପଦ । ଆମେ ରାମାୟଣ ରେ ସୀତା ବିବାହ, ମହାଭାରତରେ ଦ୍ରୌପଦୀ ସ୍ଵୟମ୍ବର ପଢି ଆସିଥାଏ ।

ଶିବ ଧନୁ ଭଙ୍ଗ ଠାରୁ ଅର୍ଜୁନ ଙ୍କ ଲକ୍ଷ୍ୟଭେଦ ପଢିଆସୁଛେ । କେଉଁ ସର୍ତ୍ତ ପୂରଣ କରି ଗୌତମ ଗୋପା ଙ୍କୁ ବିବାହ କରିଥଲେ, ତାହା ଆମେ ପଢିନଥିଲୁ । କପ୍ଲାନ ଆମକୁ ଜଣାଇ ଦେଲେ । ଯେଉଁ ଯୁବକ କୁସ୍ତିବିଦ୍ୟା, ଧନୁର୍ବିଦ୍ୟା, ଦୌଡ଼,ସନ୍ତରଣ, ସାହିତ୍ୟ ଓ ଗଣିତରେ ପାରଦର୍ଶିତା ଦେଖାଇ ପାରିବେ, ସେହି ଯୁବକଙ୍କୁ ଗୋପା ବର ରୂପେ ବରଣ କରିବେ ବୋଲି ଥିଲା ସର୍ତ୍ତାବଳୀ । ସବୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଗୌତମ ଙ୍କୁ ଗଣିତ ପରୀକ୍ଷା ର ସମ୍ମୁଖୀନ ହେବାକୁ ପଡିଥିଲା ।

ତତ୍କାଳୀନ ଗଣିତ ବିଚାରକ ଅର୍ଜୁନ ପଣ୍ଡିତ ଗୌତମଙ୍କୁ କରିଥିଲେ ପ୍ରଥମ ପ୍ରଶ୍ନ ” କୋଟି ପରେ ଶହେ ଶହେ ଗୁଣ ବିଶିଷ୍ଟ ସଂଖ୍ୟା ଗୁଡ଼ିକର ନାମ କହିପାରିବେ ?
ଉତ୍ତରରେ ଗୌତମ କହିଥିଲେ ଗୁରୁଦେବ !
ଶହେ କୋଟି= ୧ ଅୟୁତ
ଶହେ ଅୟୁତ=ଏକ ନିୟୁତ
ଶହେ ନିୟୁତ=ଏକ କଙ୍କର
ଶହେ କଙ୍କର=ଏକ ଭିଭର
ଶହେ ଭିବର=ଏକ ଅଚୋବ୍ୟ
ଶହେ ଅଚୋବ୍ୟ= ଏକ ଭିଭାହ
ଶହେ ଭିଭାହ=ଏକ ଉତ୍ସଙ୍ଗ
ଶହେ ଉତ୍ସଙ୍ଗ=ଏକ ବହୁଳ
ଶହେ ବହୁଳ=ଏକ ନାଗଵଳ
ଶହେ ନାଗବଳ=ଏକ ତଇତଇଲମ୍ବ
(ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏକ ତିତିଲମ୍ଵ ହେଉଛି ଦଶର ସତେଇଶତମ ଘାତ)
ଉପସ୍ଥିତ ସଭାସଦ୍ ତାଳି ମାରି ଗୌତମ ଙ୍କ ପ୍ରଶଂସା କରିଥିଲେ। ଅର୍ଜୁନ ପଣ୍ଡିତେ କହିଥିଲେ ” ମୁଁ ନୁହେଁ, ଆପଣ ବିରାଟ ଗଣିତଜ୍ଞ ” । ଏହା ପରେ ଗୌତମ ନିଜର ବୃଦ୍ଧ ଆଙ୍ଗୁଠି ଓ ତର୍ଜ୍ଜନୀ ଆଙ୍ଗୁଠିର ଅଗ୍ରଭାଗ ଯୋଡ଼ି ଏକ ଶୂନ ଆକୃତି ର ମୁଦ୍ରା ଗୋପାଙ୍କୁ ଦେଖାଇ କହିଥିଲେ, ଆଗାମୀ ଦିନରେ ଏହା ସଂସାର କୁ ନିୟନ୍ତ୍ରଣ କରିବ ” ।

ରବର୍ଟ କପ୍ଲାନ ଲେଖିଛନ୍ତି ଯେ ବୁଦ୍ଧଦେବଙ୍କ ସମୟରେ ଦଶ ଭିତ୍ତିକ ସଂଖ୍ୟା ସୃଷ୍ଟି ହୋଇନଥିଲା । କାରଣ ବୈଦିକ ଦର୍ଶନରେ ଶୂନ୍ୟତା ଭରି ରହିଥିଲେ ମଧ୍ୟ ଗଣନା ବିଜ୍ଞାନ ରେ ଶୂନ ପ୍ରବେଶ କରିନଥିଲା । ଛଅ ଶହ ବର୍ଷ ତଳେ ସନ୍ଥ ପଞ୍ଚସଖା ତାହା ଉଲ୍ଲେଖ କରିଯାଇଛନ୍ତି , ଯାହା ବିଶ୍ବର ଅନ୍ୟ କେହି ଏସମ୍ପର୍କରେ ଉଲ୍ଲେଖ କରିନାହାନ୍ତି । ସନ୍ଥକବି ଅଚ୍ୟୁତାନନ୍ଦ ଦାସ ଙ୍କ ” ଶୂନ୍ୟ ସଂହିତା” ର ଏଯାବତ୍ ସଠିକ୍ ମୂଲ୍ୟାଙ୍କନ ହୋଇ ପାରିନାହିଁ ବୋଲି ଆମର ବ୍ୟକ୍ତିଗତ ମତ ।

ପଞ୍ଚସଖା ଙ୍କ ମଧ୍ୟରେ ବୟୋଜ୍ୟେଷ୍ଠ ସନ୍ଥ ବଳରାମ ଙ୍କ ବିରାଟ ଗୀତା ରେ ଅର୍ଜୁନ ଙ୍କ ମୁଖରେ ଶ୍ରୀକୃଷ୍ଣ ଙ୍କୁ ବୁଝାଇଛନ୍ତି – ” ତୋହର ରୂପରେଖ ନାହିଁ
ଶୂନ୍ୟ ପୁରୁଷ ଶୂନ୍ୟ ଦେହୀ
ବୋଇଲି ଶୂନ୍ୟ ତୋର ଦେହୀ
ଆବର ନାମ ଥିବ କାହିଁ ?
ଶୂନ୍ୟରେ ବ୍ରହ୍ମ ସିନା ଥାଇ
ସେଠାରେ ନାମ ଥିବ ରହି।।


ଅର୍ଥାତ୍ ତୁମର ଦେହ ନାହଁ,ତୁମେ ଶୂନ୍ୟରୂପୀ ଶୂନ୍ୟ ଶରୀର,ଯଦିଓ ତୁମେ ଶରୀର ଧାରୀ କିନ୍ତୁ ମୁଁ ତୁମକୁ ଶୂନ୍ୟରୂପୀ ବୋଲି ଜାଣିଛି ।ତୁମର ବହୁ ନାମ କାହୁଁ ଆସିଲା? ବିଶ୍ବ ଶୂନ୍ୟରେ ଅବସ୍ଥିତ, ସେଠାରେ ଶୂନ୍ୟନାମ ଛଡା ଆଉ କିଛି ନାହିଁ । ଏହି ଶୂନ୍ୟରୁ ଯାହା ଯେ ନାମ ଉତ୍ପତ୍ତି ହୋଇଛି ତାହା କେବଳ ଶବ୍ଦ ବା ନାଦ , ଏହାକୁ ନାଦବ୍ରହ୍ମ ବୋଲାଯାଏ । ସନ୍ଥ ବଳରାମ ଶୂନ୍ୟ ବ୍ରହ୍ମ ଙ୍କୁ ନିର୍ଗୁଣ ଏବଂ ସଗୁଣ ଭାବେ ବର୍ଣ୍ଣନା କରିଥିବାବେଳେ ଅତିବଡ଼ି ଜଗନ୍ନାଥ ଦାସ ତାଙ୍କର ” ତୁଳାଭିଣା ଗ୍ରନ୍ଥ ରେ ଲେଖିଛନ୍ତି –
“ସକଳ ମନ୍ତ୍ର ତୀର୍ଥ ଜ୍ଞାନ
ବୋଇଲେ ଶୂନ୍ୟ ଏ ପ୍ରମାଣ
ଏତେ କହିଲୁ ଗୋ ପାର୍ବତୀ
ଏ ସର୍ବେ ଶୂନ୍ୟରେ ଅଛନ୍ତି
ମହାଶୂନ୍ୟରୁ ଶୂନ୍ୟ ଜାତ
ସେ ଶୂନ୍ୟ ପ୍ରଣବ ସମ୍ଭୁତ
ପ୍ରଣବ ପରମକୁ କହି
ସକଳ ଶାସ୍ତ୍ର ସେ ବୋଲାଇ ।।”
ସନ୍ଥ ଅଚ୍ୟୁତାନନ୍ଦ ତାଙ୍କର ଶୂନ୍ୟ ସଂହିତା ରେ ଶୂନ୍ୟ ଦର୍ଶନ ତତ୍ତ୍ଵ ସମ୍ପର୍କରେ ଯାହା ଅବତାରଣା କରି ଯାଇଛନ୍ତି,ତାହା ହେଲା –
” ଭଲା ପଚାରିଲୁ ଗୁପତ ସନ୍ଧି
ଶୂନ୍ୟ ପୁରୁଷ ଶୂନ୍ୟ ପରେ ବନ୍ଦୀ
ଶୂନ୍ୟ ପୁରୁଷ ଉଦାସ ରେ ରହେ
ଶୂନ୍ୟ ପୁରୁଷ ସବୁ ମାୟା ଭ୍ୟାୟେ
ଶୂନ୍ୟ ପୁରୁଷ ଦୟାଳୁ ଅଟଇ
ଶୂନ୍ୟ ପୁରୁଷ ସର୍ବ ଘଟେ ରହି
ଶୂନ୍ୟ ପୁରୁଷ କରେ ନଟ ଘଟ
ଶୂନ୍ୟ ପୁରୁଷ ଜାଣେ ଛନ୍ଦ କୂଟ
ଶୂନ୍ୟ ପୁରୁଷ ଶୂନ୍ୟ ରେ ମାରି
ମାରି ଶୂନ୍ୟ ପୁଣି ଗତି କରି ।।”
ସନ୍ଥ ବଳରାମ ତାଙ୍କର ଗଣେଶ ବିଭୂତି ଟୀକା ରେ ଉଲ୍ଲେଖ କରିଯାଇଛନ୍ତି –
” ଅଣାକାର ରୂପଂ ଶୂନ୍ୟଂ ଶୂନ୍ୟ ମଧ୍ୟେ ନିରଞ୍ଜନଃ
ନିରାକାର ମଧ୍ୟେ ଜ୍ୟୋତିଃ ସ ଜ୍ୟୋତିଃ
ର୍ଭଗବାନମୟ ।।”
ବୌଦ୍ଧଧର୍ମରେ ଯେପରି ଭାବେ ପୂଜା ଉପାସନା ପଦ୍ଧତି ବର୍ଣ୍ଣିତ, ଅର୍ଥାତ୍ ଯେଉଁ ପୂଜା ପଦ୍ଧତି ଓ ମାର୍ଗ ବୌଦ୍ଧ ଧର୍ମର ଅଗ୍ନିରେ ଚିରନ୍ତନ ଭାବେ ପ୍ରଜ୍ଜ୍ଵଳିତ, ସେହି ପଦ୍ଧତିରେ ଈଶ୍ବର ଉପାସନା କରିବା ପାଇଁ ସନ୍ଥ ଅଚ୍ୟୁତାନନ୍ଦ କହି ଯାଇଛନ୍ତି । ସେ କହିଛନ୍ତି –
“ଚଉଦ ବ୍ରହ୍ମାଣ୍ଡ ଉପରେ ଅଛ ଶୂନ୍ୟଶୂନ୍ୟ ମହାଶୂନ୍ୟରେ ଗଛ
ନିରାକାର ଭଜି ମା’ଦୁର୍ଗା ଦେବୀ
ତେଣୁ ନିର୍ଲେପକୁ ଥାଆନ୍ତି ସେବି

ଅଦୃଶ୍ୟ, ଅନାଲୋଚିତ

ଅଦୃଶ୍ୟ, ଅନାଲୋଚିତ

————-
ବିଶ୍ବ ଇତିହାସକୁ ସଠିକ୍ ଭାବେ ଗର୍ଭାନୁଶୀଳନ କରି ତଥ୍ୟବନ୍ତ ହୋଇଥିବା ଯେକୌଣସି ଭାରତୀୟ  ଅଧୁନା  ଭାରତର ଗଣତନ୍ତ୍ରର ପବିତ୍ର ମନ୍ଦିର ” ସଂସଦ” ରେ ଓ ସଂସଦ ବାହାରେ ଯେଉଁ ସବୁ ନାଟକୀୟତା ,  ବିଶେଷ କରି ସମ୍ବିଧାନକୁ ଆଧାର କରି ହେଉ ଅବା ଆମ୍ବେଦକରଙ୍କୁ ଆଧାର କରି ହେଉ କିମ୍ବା ଆଦାନୀ, ଅମ୍ବାନୀଙ୍କୁ ଆଧାର କରି ଢଗ ଢମାଳି, ପ୍ରବଚନ, ତଥାକଥିତ ଆଦର୍ଶର ଉଦଘୋଷଣା ଭଳି ସୁଆଙ୍ଗ , ଦାବି,ପ୍ରତିବାଦ, ହିଂସାର ବାତାବରଣ ସୃଷ୍ଟି ହୋଇଛି ଏବଂ  ଗଣମାଧ୍ୟମ, ତାହା ମୁଦ୍ରିତ ହେଉ ଅବା ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମ,ଅବା ସାମାଜିକ ଗଣମାଧ୍ୟମ ସମୂହରେ ଆଲୋଚନା, ପର୍ଯ୍ୟାଲୋଚନା ହେଉଛି , ତାହା ସବୁ ଯେ କଣ୍ଢେଇ ଖେଳର ଅଦୃଶ୍ୟ ନିୟନ୍ତ୍ରକଙ୍କ କରାମତି , ତାହା ବୁଝି ବୁଝାଇବାରେ ଅସୁବିଧା ହେବ ନାହିଁ ।‌ କଣ୍ଢେଇ ଖେଳ ଖେଳାଉଥିବା ବ୍ୟକ୍ତିଟି ମଞ୍ଚା ଉପରେ ଅଦୃଶ୍ୟ ଭାବେ ବସି ସୁଆଙ୍ଗ  ବିଷୟ ଆଧାରରେ କଣ୍ଢେଇ ମାନଙ୍କୁ ନଚେଇ ଥାଏ ,  ଯିଏ ଉପଭୋକ୍ତା ଦର୍ଶକ ମାନଙ୍କ ପାଇଁ ଅଦୃଶ୍ୟ ଓ ଅନାଲୋଚିତ ।‌ ଅତଏବ   ସାମ୍ପ୍ରତିକ ସମୟରେ  କ୍ଷମତା ରାଜନୀତିରେ ପ୍ରତିଫଳିତ  ଏହି ଘଟଣା ସମୂହର ତୀକ୍ଷ୍ଣାନୁଶୀଳନ କରିବାକୁ ହେଲେ ୨୦୧୭ ରୁ ୨୦୨୧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ଫଙ୍କ କାର୍ଯ୍ୟକାଳ  ଠାରୁ ଗତକାଲି ପର୍ଯ୍ୟନ୍ତ ଘଟଣାକ୍ରମ ସହିତ ଇରାନର ଇତିହାସ, ମହମ୍ମଦ ମୋସେଦେଘଙ୍କର ୧୯୫୧ ରେ କ୍ଷମତାସୀନ , ମୃତ୍ୟୁ ପର୍ଯ୍ୟନ୍ତ ଗୃହବନ୍ ସମୟର ଇତିହାସକୁ ଉପଜିବ୍ୟ କରି ଆଲୋଚନା କଲେ ହିଁ ଅଦୃଶ୍ୟ ଶକ୍ତି ଓ ଅନାଲୋଚିତ ତଥ୍ୟାର୍ପଣ ସମ୍ଭବ ହୋଇପାରିବ । ଅତ୍ୟନ୍ତ  ବିଡମ୍ବନାର ବିଷୟ ଯେ ବିଶାଳ ଭାରତ ବର୍ଷର ଲକ୍ଷ ଲକ୍ଷ ସାମ୍ବାଦିକ, ବିଭିନ୍ନ ବର୍ଗର ଅନେକ ଗଣମାଧ୍ୟମ , ଅନେକ ଜ୍ଞାନବନ୍ତ, ତଥ୍ୟବନ୍ତ ବଳିଷ୍ଠ ବ୍ୟକ୍ତିତ୍ବ , ବୈଦେଶିକ ନୀତି ବିଶାରଦ , ବିଶିଷ୍ଟ କୂଟନୀତିଜ୍ଞ ମାନେ ଥିବା ସତ୍ତ୍ୱେ  ଏହି ଅଦୃଶ୍ୟ ଶକ୍ତି ଏବଂ ଅନାଲୋଚିତ ତଥ୍ୟ ସମୂହକୁ ସାର୍ବଜନୀନ କରୁନାହାନ୍ତି କାହିଁକି , ତାହାର କାରଣ ଜାଣିବାକୁ ଆମେ ଅକ୍ଷମ ବୋଲି ସ୍ବୀକାର କରୁ । ” ସୁବାର୍ତ୍ତା” ଏକ କ୍ଷୁଦ୍ର ଗଣମାଧ୍ୟମ , ତାହା ପୁଣି ଜଣେ ମାତ୍ର ନୀତି ନିଷ୍ଠ , ଗବେଷଣା ଧର୍ମା ବରିଷ୍ଠ ସାମ୍ବାଦିକ ସତ୍ୟ ଓରଫ୍ ସାକସେନାଙ୍କ ସତ୍ୟ ସପକ୍ଷବାଦୀ ମାନସିକତା ବିଜଡ଼ିତ ପ୍ରତିବଦ୍ଧତାଧର୍ମୀ ବ୍ୟକ୍ତିଙ୍କ ଐକାନ୍ତିକ ସହଯୋଗରେ ବୈଷୟିକ ବାର୍ତ୍ତା ପେଟିକାରେ ପ୍ରକାଶିତ , ଅର୍ଥାତ୍ ଅନ୍ ଲାଇନ ଡେଲି ନ୍ୟୁଜ ପେପର , ଏହା କେତେ ଜଣ ଭାରତୀୟଙ୍କ ପାଖରେ ପହଞ୍ଚିବ,  ଦୀର୍ଘ ଆଲେଖ୍ୟକୁ ଧୈର୍ଯ୍ୟ ଧରି କେତେ ଜଣ ପଢ଼ିବେ, ଯେତେ ଜଣ ପଢ଼ିବେ , ସେମାନଙ୍କ ମଧ୍ୟରୁ କେତେଜଣ ବୁଝିବେ  , ଏଥିରେ ଆମର ସନ୍ଦେହ ରହିବା ମଧ୍ୟ ସ୍ବାଭାବିକ । ପ୍ରଥମେ ଆସନ୍ତୁ ଆମେ ଇରାନର ଇତିହାସ ଜାଣିବା ସଂକ୍ଷେପରେ ପଢ଼ିବା ପରେ ଆମେରିକା ପ୍ରସଙ୍ଗ ଚର୍ଚ୍ଚା କରିବା । ୨୪୦୦ ବର୍ଷ ତଳେ ଡେରାୟସ୍‌ ଓ ପରେ ଜର୍‌କ୍ସିଜ୍‌ଙ୍କ ନେତୃତ୍ୱରେ ଇରାନୀ ସେନା ଗ୍ରୀସ୍‌ ଉପରେ ଆକ୍ରମଣ କରି ଏଥେନ୍ସକୁ ଧ୍ୱଂସ କରି ଦେଇଥିଲା। ସେତେବେଳେ ଇରାନୀ ସେନାରେ ବହୁସଂଖ୍ୟକ ଭଡ଼ାଟିଆ ଭାରତୀୟ ସୈନିକ ଥିଲେ ବୋଲି ଗ୍ରୀକ୍‌ ଇତିହାସକାର ହେରୋଡଟସ ଲେଖିଛନ୍ତି। ମାସିଡୋନିଆର ସମ୍ରାଟ୍‌ ଆଲେକ୍‌ଜାଣ୍ଡର ଇଜିପ୍ଟ, ଇରାନ, ଆଫ୍‌ଗାନିସ୍ତାନ ଓ ପଞ୍ଜାବ ପ୍ରଭୃତି ଦେଶ ଜୟ କରିଥିଲେ। ୩୩ ବର୍ଷ ବୟସରେ ଆଲେକ୍‌ଜାଣ୍ଡରଙ୍କ ମୃତ୍ୟୁ ହେବା ପରେ ତାଙ୍କ ସାମ୍ରାଜ୍ୟ ଭାଗ ଭାଗ ହୋଇ ତାଙ୍କ ସେନାପତିମାନଙ୍କ ଦ୍ୱାରା ଶାସିତ ହୋଇଥିଲା। ପଞ୍ଜାବଠାରୁ ତୁର୍କୀ ପର୍ଯ୍ୟନ୍ତ
ସବୁଠାରୁ ବଡ଼ଭାଗର ଶାସକ ଥିଲେ ସେଲ୍ୟୁକସ ନିକେଟର। ପାର୍ଥିଆନ୍‌ ଶାସକ ଆର୍ସାସେସ୍‌ଙ୍କ ସମୟରେ ଇରାନୀମାନେ ତାଙ୍କ ଦେଶକୁ ନିଜ ଅଧୀନକୁ ନେଇପାରିଥିଲେ। ସେମାନେ ଥିଲେ ଜୋରାଷ୍ଟ୍ରିଆନ। ପାର୍ଥିଆନ୍‌ମାନେ ଦ୍ୱିତୀୟ ବୃହତ୍‌ ପାଶ୍ଚାତ୍ୟ ଶକ୍ତି ରୋମ୍‌ ସହ ତିନି ଶତାବ୍ଦୀ ଧରି ଯୁଦ୍ଧ କରିଥିଲେ। ପରବର୍ତ୍ତୀ ଇରାନୀ ବିଜେତା ଥିଲେ ସାସାନିଆମାନେ ଯେଉଁମାନେ ସପ୍ତମ ଶତାବ୍ଦୀରେ ଆରବୀୟମାନଙ୍କ ଦ୍ୱାରା ପରାଜିତ ହେବା ପର୍ଯ୍ୟନ୍ତ ଇରାନକୁ ଶାସନ କରିଥିଲେ। ୪୦୦ ବର୍ଷ ତଳେ ଇରାନ ସାଫାଭିଡମାନଙ୍କ ଅଧୀନରେ ଶିଆରାଷ୍ଟ୍ର ହେଲା, ଯଦିଚ ଭାରତର ମୋଗଲ ସାମ୍ରାଜ୍ୟକୁ ଧ୍ୱଂସ କରିଥିବା ପ୍ରସିଦ୍ଧ ଶାସକ ନାଦିର ଶାହ ସୁନ୍ନି ଥିଲେ। ଆଧୁନିକ ଯୁଗରେ ଆମେରିକା ଇରାନୀ ରାଜନୀତିରେ ହସ୍ତକ୍ଷେପ କରିଆସୁଛି।  ଘଟଣାକ୍ରମେ ଆମେ ୧୯୫୧ ମସିହାକୁ ଯିବା । ଜଣେ ଅତୁଳନୀୟ ମାଟି ମନସ୍କ , ସମର୍ପିତ ଦେଶ ପ୍ରାଣ , ପ୍ରଚଣ୍ଡ ସ୍ଵାଭିମାନୀ ବ୍ୟକ୍ତି ମହମ୍ମଦ ମୋସାଦେଘ ଇରାନ ସଂସଦୀୟ ଦଳର ନେତା ନିର୍ବାଚିତ ହୋଇ ଶାସନ ମୁଖ୍ୟ ଭାବେ ଦାୟିତ୍ବ ନେବା ପରେ ଦେଖିଲେ ଯେ ବ୍ରିଟିଶ ଉପନିବେଶବାଦ ଶହଶହ ବର୍ଷ ଧରି ତାଙ୍କ ଦେଶର ଆର୍ଥିକ ମେରୁଦଣ୍ଡ କ୍ଷେତ୍ର ତୈଳ ବଜାରକୁ କରାୟତ କରିଆସିଛି ।  ତୈଳ ଉତ୍ପାଦନର ୮୪ ଭାଗର ସତ୍ତ୍ବାଧୀକାରୀ ବ୍ରିଟିଶ ଏବଂ ମାତ୍ର ୧୬ ଭାଗର ଅଧିକାରୀ ତାଙ୍କ ଦେଶ ଇରାନ । ଏହି ତଥ୍ୟ ଜାଣିବା ପରେ ଦେଶର ତୈଳ ସମ୍ପଦ ଉପରେ ବିଦେଶୀ ଶକ୍ତିର ପ୍ରାଧାନ୍ୟତା ତାଙ୍କ ପାଇଁ ହେଲା ଅସହ୍ୟ । ୧୯୫୧ ମସିହା, ମାର୍ଚ୍ଚ ୧୫ ତାରିଖରେ  ମୋସେଦେଘ ସଂସଦରେ ତୈଳ ଜାତୀୟ କରଣ ବିଧେୟକ ଆଗତ କଲେ , ଯାହା ସର୍ମସମ୍ମତି କ୍ରମେ ଗୃହୀତ ହୋଇଥିଲା ।   ଏଥିରେ ବ୍ରିଟିଶ ଶାସନ ବ୍ୟବସ୍ଥା ପ୍ରତିବାଦ, ପ୍ରତିବନ୍ଧକ ଲଗାଇ ବ୍ୟର୍ଥ ହୋଇଥିଲା , କାରଣ ମୋସେଦେଘ ଥିଲେ ଅତ୍ୟନ୍ତ ଜନପ୍ରିୟ ନେତା । ବ୍ରିଟିଶର ସମସ୍ତ କୂଟନୀତି , ବିଭେଦ ରାଜନୀତି ବା ଡିଭାଇଡ ଆଣ୍ଡ ରୁଲ, ବ୍ୟାପକ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ମୋସେଦେଘ ଙ୍କ ଶାସନକୁ ଦୋହଲାଇ ନ ପାରି ଆମେରିକାର ଶରଣ ପଶିଲା । ଆମେରିକା ପ୍ରଶାସନ ଏକ ମିଲିଅନ ଡଲାର  , ଯାହା ଇରାନର ମୁଦ୍ରା ରିଆଲରେ ପରିମାଣ ୪୨୫୦ ମିଲିୟନ ରିଅଲ ଥିଲା । ଏଥିରୁ ମୁଦ୍ରା ବିନିମୟ ମୂଲ୍ୟ ଆଧାରରେ ଅନୁମାନ କରିହେବ ଯେ  କେତେ ପରିମାଣରେ ବ୍ରିଟେନ ଲୁଟୁଥିଲା ଇରାନକୁ ।   ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ  ଇରାନର ଗଣମାଧ୍ୟମ , ସାମ୍ବାଦିକ , ଖବର କାଗଜର ସମ୍ପାଦକ , ସାଂସଦ , ବିଭିନ୍ନ ଗଣ ସଙ୍ଗଠନର ନେତାମାନଙ୍କୁ ବିପୁଳ ପରିମାଣର ଅର୍ଥ ଠାରୁ ବିଭିନ୍ନ ପ୍ରକାର ପ୍ରଲୋଭନରେ ବଶିଭୂତ କରି ମୋସେଦେଘଙ୍କ ଶାସନ ବ୍ୟବସ୍ଥାକୁ ଅସ୍ଥିରତା ଭିତରକୁ ଠେଲି ଦେବାରେ ସକ୍ଷମ ହେଲା । ସିଆଇଏର ଅର୍ଥବଳରେ ଇରାନର ବିଭିନ୍ନ ସଙ୍ଗଠନର ନେତାମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ବିକ୍ଷୋଭ, ଧର୍ମଘଟ, ଶୋଭାଯାତ୍ରା, ସଂସଦ ଘେରାଉ କଲେ , ସେମାନଙ୍କୁ ସିଆଇଏ ଉତ୍କୋଚ ଖିଆ ଗଣମାଧ୍ୟମ ପ୍ରୋତ୍ସାହିତ କରୁଥିଲେ , ମିଥ୍ୟା ସମ୍ବାଦ ପରିବେଷଣ କରି ଜନାକ୍ରୋଶ ସୃଷ୍ଟି କରିବାରେ ସଫଳତା ପାଇଥିଲେ । ଅପରପକ୍ଷରେ ସିଆଇଏ ଶାହାଙ୍କୁ  ୨୧୦ ମିଲିୟନ ରିଅଲ ଉତ୍କୋଚ ଦେଇ ପ୍ରଭାବିତ କରିଥିଲେ  ।  ଭ୍ରଷ୍ଟ ସାଂସଦ ମାନେ ତାଙ୍କୁ କ୍ଷମତାଚ୍ୟୁତ କରିଦେବାର ସମ୍ଭାବନା ଦେଖି ମୋସେଦେଘ ସଂସଦକୁ ଭଙ୍ଗ କରିଦେଲେ । ଏହି ସମୟରେ ସିଆଇଏ ନିର୍ଦ୍ଦେଶରେ ଶାହା ତାଙ୍କର ସୈନିକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୋସେଦେଘଙ୍କୁ ଗିରଫ କରିବା ପାଇଁ ।  ୮୫ ବର୍ଷ ବୟସରେ ମୃତ୍ୟୁ ପର୍ଯ୍ୟନ୍ତ ମୋସେଦେଘ ଥିଲେ ଗୃହବନ୍ଦୀ । ଏହା ପରେ ତୈଳ ସମ୍ପଦ ର ସତ୍ତ୍ବାଧୀକାର ବଣ୍ଟନ କରାଯାଇଥିଲା , ଯେଉଁଥିରେ ସମଗ୍ର ତୈଳ ସମ୍ପଦର ୪୦ ଭାଗ ଆମେରିକାର, ୪୦ ଭାଗ ବ୍ରିଟେନର ଏବଂ ଅବଶିଷ୍ଟ ୨୦ ଭାଗ ଇରାନର ।  ୧୯୭୦ ମସିହାରେ ଆମେରିକା ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ ୧୯୫୩ ମସିହାରେ ଇରାନର ନିର୍ବାଚିତ ପ୍ରଧାନମନ୍ତ୍ରୀ ମୋସାଦେଘ ତୈଳଶିଳ୍ପର ଜାତୀୟକରଣ କରିବା ଯୋଗୁ ସିଆଇଏର କୂଟନୀତି ବଳରେ ଗାଦିଚ୍ୟୁତ ହୋଇଥିଲେ।  ସେହିପରି ଆମେରିକା ଇରାକର ଶାସକ ସଦ୍ଦାମ ହୁସେନଙ୍କୁ ସମର୍ଥନ କରି ଇରାକ-ଇରାନ ଯୁଦ୍ଧକୁ ଇନ୍ଧନ ଯୋଗାଇଥିଲା। ୧୯୭୯ରେ ଜିମ୍ମି କାର୍ଟର ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ତେହେରାନସ୍ଥିତ ଆମେରିକୀୟ ଦୂତାବାସକୁ ଇରାନୀ ବିପ୍ଳବୀମାନେ କବ୍ଜା କରିନେଇଥିଲେ ଏବଂ ଦୂତାବାସର କର୍ମଚରୀମାନଙ୍କୁ ଅନେକ ସପ୍ତାହ ଧରି ପଣବନ୍ଦୀ କରି ରଖିଥିଲେ। ସେବେଠାରୁ ଇରାନ ସହ ଆମେରିକାର ତିକ୍ତତା ରହିଆସିଛି। ଆମେରିକାରେ ରହୁଥିବା ଇରାନୀମାନେ ପାକିସ୍ତାନୀ ଦୂତାବାସଠାରୁ ସେବା ପାଇ ଆସୁଥିଲେ। ଆଣବିକ କାର୍ଯ୍ୟକ୍ରମକୁ ନେଇ ଇରାନ ଆମେରିକାର ଓବାମା ପ୍ରଶାସନ ସହ ଏକ ରାଜିନାମା କରାଇନେଇ ପାରିଥିଲା। ଆଶା କରାଯାଉଥିଲା ଶେଷରେ ଏହି ଦୁଇ ଦେଶ ବନ୍ଧୁ ହୋଇଯିବେ।  ଚଳିତ ନିର୍ବାଚନରେ ପୁନଃ ଚାରି ବର୍ଷ ପରେ ଟ୍ରମ୍ଫ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୋଇ ଆଗାମୀ ଜାନୁଆରୀ ୨୦ ରୁ ଶାସନ ବ୍ୟବସ୍ଥା ହାତକୁ ନେବେ । ବିଗତ ଦିନର ଇତିହାସ ଆଧାରରେ ବିଚାର କଲେ ସେମାନଙ୍କ ଆଶା ଯେ ଧୂଳିସାତ ହୋଇଯିବ , ଏଥିରେ ସାମାନ୍ୟ ସନ୍ଦେହର ଅବକାଶ ନାହିଁ । ଇରାନର ଜାତୀୟ ଧର୍ମ ହେଉଛି ଶିଆ ଇସ୍‌ଲାମ। ଶିଆ ଧର୍ମ ସ୍ବଭାବତଃ ଶାନ୍ତିବାଦୀ। ସେମାନଙ୍କ ବିଶ୍ୱାସ ଅନୁସାରେ ୮୬୯ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିବା ଦ୍ୱାଦଶ ଇମାମ ମହମ୍ମଦ ଅଲ ମହଦି ମରିନାହାନ୍ତି। ଆଲ୍ଲାଙ୍କ ଦ୍ୱାରା ସେ ଲୁକ୍କାୟିତ ହୋଇ ରହିଛନ୍ତି ଏବଂ ଯେକୌଣସି ସମୟରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ତାଙ୍କ ଫେରିବା ବାଟକୁ ଶିଆ ମୁସଲମାନମାନେ ଚାହିଁବସିଛନ୍ତି। ସେ ପର୍ଯ୍ୟନ୍ତ ସେମାନେ ବାହ୍ୟ ଦୁନିଆ ସହ ଯୁଦ୍ଧବିଗ୍ରହରେ ବ୍ୟାପୃତ ନ ହେବା ଏବଂ ନିଜ ଧର୍ମ ପାଳନ କରି ଶାନ୍ତିରେ ରହିବାକୁ ଚାହାନ୍ତି। ପାଠକମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ରହୁଥିବା କୌଣସି ପାକିସ୍ତାନୀ ବା କଶ୍ମୀରୀ ମୁସଲମାନ ଶିଆ ନୁହନ୍ତି। ଜୈଶ୍‌, ଲଶ୍କର, ହିଜ୍‌ବୁଲ ମୁଜାହିଦ୍ଦିନ, ଅଲ୍‌ ଉମର, ଅଲ୍‌ କାଏଦା, ଆଇଏସ୍‌ ପ୍ରଭୃତି ସମସ୍ତ ଆତଙ୍କବାଦୀ ଗୋଷ୍ଠୀ ହେଉଛନ୍ତି ସୁନ୍ନି ସମ୍ପ୍ରଦାୟର। ଜିହାଦୀ ଆତଙ୍କବାଦ ସହ ଶିଆମାନଙ୍କର କୌଣସି ସମ୍ପର୍କ ନାହିଁ। ତେବେ ଇସ୍ରାଏଲକୁ ବିରୋଧ କରୁଥିବା ସୁନ୍ନି ଗୋଷ୍ଠୀ ସହ ପାଲେଷ୍ଟିନୀୟମାନଙ୍କୁ ଇରାନ ସମର୍ଥନ କରିଆସୁଛି। ଏହି କାରଣରୁ ଆମେରିକା ଇରାନକୁ ଘୃଣା କରୁଛି। ଆମେରିକା ସହ ଇରାନର କୌଣସି ବିବାଦ ନାହିଁ। ଆମେରିକାର ମଧ୍ୟ ଇରାନକୁ ଘୃଣା କରିବାର କୌଣସି କାରଣ ନାହିଁ। କିନ୍ତୁ ଇରାନ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଇସ୍ରାଏଲ ଆମେରିକାକୁ ଉସ୍‌କେଇ ଆସୁଛି କାରଣ ଇରାନ ପାଲେଷ୍ଟାଇନର ମୁକ୍ତି ଆନ୍ଦୋଳନକୁ ସମର୍ଥନ କରୁଛି।
ଭାରତର ଶିଆମାନେ ପୁଣି ବିଭିନ୍ନ ଭାଗରେ ବିଭକ୍ତ କିନ୍ତୁ ସେମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ଗୋଷ୍ଠୀ ହେଉଛି ଟ୍ବେଲ୍‌ଭର ଶିଆ। ସେମାନଙ୍କର ଇମାମମାନେ ଇରାକ ଓ ଇରାନରେ ରହୁଛନ୍ତି। ଭାରତର ଇରାନ ସହ ସଭ୍ୟତାର ସମ୍ପର୍କ ରହିଛି। ଆରବୀୟମାନେ ଉର୍ଦ୍ଦୁ ବୁଝନ୍ତି ନାହିଁ କିନ୍ତୁ ଇରାନୀମାନେ ବୁଝନ୍ତି। ଇରାନ ଭାରତର ବନ୍ଧୁରାଷ୍ଟ୍ର ହୋଇ ରହିଆସିଛି, ଏପରି କି ଭାଜପା ନେତୃତ୍ୱାଧୀନ ଶାସନରେ ମଧ୍ୟ। ଭାରତ ସେହି ସମ୍ପର୍କକୁ ଭାଙ୍ଗିବା ଭଳି କୌଣସି କାର୍ଯ୍ୟକରିବା ଉଚିତ ନୁହେଁ ବୋଲି ଆମର ଦୃଢ ମତ । ଅପରପକ୍ଷରେ  ଆସନ୍ତା ୨୦୨୫ , ଜାନୁଆରୀ ୨୦ ତାରିଖରେ ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ଶପଥଗ୍ରହଣ କରି ଶାସନ କ୍ଷମତା ହାତକୁ ନେବେ   ଡୋନାଲ୍ଡ ଟ୍ରମ୍ପ। ତେବେ ଶପଥ ପୂର୍ବରୁ ପୁଣି ଥରେ ସେ ଭାରତକୁ ଦେଖାଇଛନ୍ତି ନାଲି ଆଖି। ଭାରତ ଉପରେ ପାରସ୍ପରିକ ଟିକସ ଲାଗୁ କରିବାକୁ ଟ୍ରମ୍ପ ଧମକ ଦେଇଛନ୍ତି।ଆମେରିକୀୟ ଉତ୍ପାଦ ଉପରେ ଭାରତ ଯେତିକି ଟିକସ ଲାଗୁ କରିବ, ଆମେ ମଧ୍ୟ ଭାରତୀୟ ଉତ୍ପାଦ ଉପରେ ସମାନ ଟିକସ ଲାଗୁ କରିବୁ ବୋଲି ସେ କହିଛନ୍ତି। ଦୀର୍ଘ ଦିନ ଧରି କିଛି ଆମେରିକୀୟ ଉତ୍ପାଦ ଆମଦାନୀ ଉପରେ ଭାରତର ଉଚ୍ଚ ଶୁଳ୍କ ଲାଗୁ କରିବାକୁ ଟ୍ରମ୍ପ ବିରୋଧ କରିଆସୁଛନ୍ତି। ଏହାର ଉତ୍ତରରେ, ସେ ଏବେ ପାରସ୍ପରିକ ଶୁଳ୍କ ଲାଗୁ କରିବାକୁ ଚିନ୍ତା କରୁଛନ୍ତି।  ଗଣମାଧ୍ୟମକୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି, ଯଦି ସେମାନେ ଆମ ଉପରେ ଅଧିକ ଟ୍ୟାକ୍ସ ଲଗାଇବେ, ଆମେ ମଧ୍ୟ ସେମାନଙ୍କୁ ଉପରେ ଟ୍ୟାକ୍ସ ଲଗାଇବୁ। ଚାଇନା ସହିତ ସମ୍ଭାବ୍ୟ ବାଣିଜ୍ୟ ଚୁକ୍ତି ଉପରେ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ସେ ଏହି ମନ୍ତବ୍ୟ ଦେଇଛନ୍ତି।ପ୍ରାୟ ସମସ୍ତ କ୍ଷେତ୍ରରେ ସେମାନେ ଆମ ଉପରେ ଅଧିକ ଟ୍ୟାକ୍ସ ଲଗାଉଛନ୍ତି। ଭାରତ ଯଦି ଆମ ଉପରେ ଭାରତ ୧୦୦ ପ୍ରତିଶତ ଟ୍ୟାକ୍ସ ଲାଗୁ କରିବ, ତେବେ ଆମେ ମଧ୍ୟ ତାକୁ ଛାଡ଼ିବୁ ନାହିଁ। ଆମେ ମଧ୍ୟ ତାଙ୍କ ଉପରେ ଏଥର ସମାନ ଟ୍ୟାକ୍ସ ଲଗାଇବୁ। କେତେକ ଆମେରିକୀୟ ଉତ୍ପାଦ ଉପରେ ଅଧିକ ଶୁଳ୍କ ଲାଗୁ କରୁଥିବା ଦେଶ ମଧ୍ୟରେ ଭାରତ ଏବଂ ବ୍ରାଜିଲ ଅଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତିକୁ କମର୍ସ ସକ୍ରେଟ୍ରି ହାଓ୍ୱର୍ଡ ଲୁଟନିକ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଟ୍ରମ୍ପ ସରକାରରେ ପ୍ରତିକ୍ରିୟା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେବ। ଆପଣ ଆମ ସହ ଯେପରି ବ୍ୟବହାର କରିବେ, ଆମେ ମଧ୍ୟ ଆପଣଙ୍କ ସହ ସେଭଳି ବ୍ୟବହାର କରିବୁ ବୋଲି ସେ ଭାରତକୁ ଇଙ୍ଗିତ କରି କରିଛନ୍ତି।ସେପଟେ ଭାରତକୁ ଏଭଳି ଧମକ ଦେବା ପରେ ଏହାକୁ ନେଇ ଜୋ ବାଇଡେନ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଆଭିମୁଖ୍ୟକୁ ଏକ ବଡ଼ ଭୁଲ ବୋଲି କହିଛନ୍ତି। ଟ୍ରମ୍ପ ଏହି ଦେଶରେ ଆମଦାନୀ ହୋଇଥିବା ସମସ୍ତ ସାମଗ୍ରୀ ଉପରେ ବ୍ୟାପକ ସର୍ବଭାରତୀୟ ଶୁଳ୍କ ଲାଗୁ କରିବାକୁ ସଂକଳ୍ପବଦ୍ଧ। ଏହି ଭୁଲ ଧାରଣା ସହିତ ଆମେରିକାର ଗ୍ରାହକ ଅପେକ୍ଷା ବିଦେଶୀ ଦେଶ ଶୁଳ୍କର ମୂଲ୍ୟ ବହନ କରିବେ ବୋଲି ସେ କହିଛନ୍ତି। ଏହି ସବୁକୁ ଏକତ୍ରିତ କରି ଯଦି ବିଚାର କରାଯାଏ , ତେବେ  ଶହଶହ ବର୍ଷ ଧରି ଭାରତକୁ ଲୁଟ୍ କରି ଆସିଥିବା ବିଦେଶୀ ଶକ୍ତି , ସେମାନେ ଆମେରିକା, ବ୍ରିଟେନ,ଋଷ, ଚାଇନା , ଯେ କେହି ହୁଅନ୍ତୁ  , ଏଭଳି ଅସ୍ଥିରତା ପୃଷ୍ଠଭୂମିରେ ସେମାନଙ୍କର ଅଦୃଶ୍ୟ, ଅନାଲୋଚିତ ଚକ୍ରାନ୍ତ ସମୂହ କୁ କ’ଣ ଅସ୍ବୀକାର କରା ଯାଇପାରେ ?