ଅଦୃଶ୍ୟ, ଅନାଲୋଚିତ

————-
ବିଶ୍ବ ଇତିହାସକୁ ସଠିକ୍ ଭାବେ ଗର୍ଭାନୁଶୀଳନ କରି ତଥ୍ୟବନ୍ତ ହୋଇଥିବା ଯେକୌଣସି ଭାରତୀୟ  ଅଧୁନା  ଭାରତର ଗଣତନ୍ତ୍ରର ପବିତ୍ର ମନ୍ଦିର ” ସଂସଦ” ରେ ଓ ସଂସଦ ବାହାରେ ଯେଉଁ ସବୁ ନାଟକୀୟତା ,  ବିଶେଷ କରି ସମ୍ବିଧାନକୁ ଆଧାର କରି ହେଉ ଅବା ଆମ୍ବେଦକରଙ୍କୁ ଆଧାର କରି ହେଉ କିମ୍ବା ଆଦାନୀ, ଅମ୍ବାନୀଙ୍କୁ ଆଧାର କରି ଢଗ ଢମାଳି, ପ୍ରବଚନ, ତଥାକଥିତ ଆଦର୍ଶର ଉଦଘୋଷଣା ଭଳି ସୁଆଙ୍ଗ , ଦାବି,ପ୍ରତିବାଦ, ହିଂସାର ବାତାବରଣ ସୃଷ୍ଟି ହୋଇଛି ଏବଂ  ଗଣମାଧ୍ୟମ, ତାହା ମୁଦ୍ରିତ ହେଉ ଅବା ଦୃଶ୍ୟ ଶ୍ରାବ୍ୟ ଗଣମାଧ୍ୟମ,ଅବା ସାମାଜିକ ଗଣମାଧ୍ୟମ ସମୂହରେ ଆଲୋଚନା, ପର୍ଯ୍ୟାଲୋଚନା ହେଉଛି , ତାହା ସବୁ ଯେ କଣ୍ଢେଇ ଖେଳର ଅଦୃଶ୍ୟ ନିୟନ୍ତ୍ରକଙ୍କ କରାମତି , ତାହା ବୁଝି ବୁଝାଇବାରେ ଅସୁବିଧା ହେବ ନାହିଁ ।‌ କଣ୍ଢେଇ ଖେଳ ଖେଳାଉଥିବା ବ୍ୟକ୍ତିଟି ମଞ୍ଚା ଉପରେ ଅଦୃଶ୍ୟ ଭାବେ ବସି ସୁଆଙ୍ଗ  ବିଷୟ ଆଧାରରେ କଣ୍ଢେଇ ମାନଙ୍କୁ ନଚେଇ ଥାଏ ,  ଯିଏ ଉପଭୋକ୍ତା ଦର୍ଶକ ମାନଙ୍କ ପାଇଁ ଅଦୃଶ୍ୟ ଓ ଅନାଲୋଚିତ ।‌ ଅତଏବ   ସାମ୍ପ୍ରତିକ ସମୟରେ  କ୍ଷମତା ରାଜନୀତିରେ ପ୍ରତିଫଳିତ  ଏହି ଘଟଣା ସମୂହର ତୀକ୍ଷ୍ଣାନୁଶୀଳନ କରିବାକୁ ହେଲେ ୨୦୧୭ ରୁ ୨୦୨୧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ଫଙ୍କ କାର୍ଯ୍ୟକାଳ  ଠାରୁ ଗତକାଲି ପର୍ଯ୍ୟନ୍ତ ଘଟଣାକ୍ରମ ସହିତ ଇରାନର ଇତିହାସ, ମହମ୍ମଦ ମୋସେଦେଘଙ୍କର ୧୯୫୧ ରେ କ୍ଷମତାସୀନ , ମୃତ୍ୟୁ ପର୍ଯ୍ୟନ୍ତ ଗୃହବନ୍ ସମୟର ଇତିହାସକୁ ଉପଜିବ୍ୟ କରି ଆଲୋଚନା କଲେ ହିଁ ଅଦୃଶ୍ୟ ଶକ୍ତି ଓ ଅନାଲୋଚିତ ତଥ୍ୟାର୍ପଣ ସମ୍ଭବ ହୋଇପାରିବ । ଅତ୍ୟନ୍ତ  ବିଡମ୍ବନାର ବିଷୟ ଯେ ବିଶାଳ ଭାରତ ବର୍ଷର ଲକ୍ଷ ଲକ୍ଷ ସାମ୍ବାଦିକ, ବିଭିନ୍ନ ବର୍ଗର ଅନେକ ଗଣମାଧ୍ୟମ , ଅନେକ ଜ୍ଞାନବନ୍ତ, ତଥ୍ୟବନ୍ତ ବଳିଷ୍ଠ ବ୍ୟକ୍ତିତ୍ବ , ବୈଦେଶିକ ନୀତି ବିଶାରଦ , ବିଶିଷ୍ଟ କୂଟନୀତିଜ୍ଞ ମାନେ ଥିବା ସତ୍ତ୍ୱେ  ଏହି ଅଦୃଶ୍ୟ ଶକ୍ତି ଏବଂ ଅନାଲୋଚିତ ତଥ୍ୟ ସମୂହକୁ ସାର୍ବଜନୀନ କରୁନାହାନ୍ତି କାହିଁକି , ତାହାର କାରଣ ଜାଣିବାକୁ ଆମେ ଅକ୍ଷମ ବୋଲି ସ୍ବୀକାର କରୁ । ” ସୁବାର୍ତ୍ତା” ଏକ କ୍ଷୁଦ୍ର ଗଣମାଧ୍ୟମ , ତାହା ପୁଣି ଜଣେ ମାତ୍ର ନୀତି ନିଷ୍ଠ , ଗବେଷଣା ଧର୍ମା ବରିଷ୍ଠ ସାମ୍ବାଦିକ ସତ୍ୟ ଓରଫ୍ ସାକସେନାଙ୍କ ସତ୍ୟ ସପକ୍ଷବାଦୀ ମାନସିକତା ବିଜଡ଼ିତ ପ୍ରତିବଦ୍ଧତାଧର୍ମୀ ବ୍ୟକ୍ତିଙ୍କ ଐକାନ୍ତିକ ସହଯୋଗରେ ବୈଷୟିକ ବାର୍ତ୍ତା ପେଟିକାରେ ପ୍ରକାଶିତ , ଅର୍ଥାତ୍ ଅନ୍ ଲାଇନ ଡେଲି ନ୍ୟୁଜ ପେପର , ଏହା କେତେ ଜଣ ଭାରତୀୟଙ୍କ ପାଖରେ ପହଞ୍ଚିବ,  ଦୀର୍ଘ ଆଲେଖ୍ୟକୁ ଧୈର୍ଯ୍ୟ ଧରି କେତେ ଜଣ ପଢ଼ିବେ, ଯେତେ ଜଣ ପଢ଼ିବେ , ସେମାନଙ୍କ ମଧ୍ୟରୁ କେତେଜଣ ବୁଝିବେ  , ଏଥିରେ ଆମର ସନ୍ଦେହ ରହିବା ମଧ୍ୟ ସ୍ବାଭାବିକ । ପ୍ରଥମେ ଆସନ୍ତୁ ଆମେ ଇରାନର ଇତିହାସ ଜାଣିବା ସଂକ୍ଷେପରେ ପଢ଼ିବା ପରେ ଆମେରିକା ପ୍ରସଙ୍ଗ ଚର୍ଚ୍ଚା କରିବା । ୨୪୦୦ ବର୍ଷ ତଳେ ଡେରାୟସ୍‌ ଓ ପରେ ଜର୍‌କ୍ସିଜ୍‌ଙ୍କ ନେତୃତ୍ୱରେ ଇରାନୀ ସେନା ଗ୍ରୀସ୍‌ ଉପରେ ଆକ୍ରମଣ କରି ଏଥେନ୍ସକୁ ଧ୍ୱଂସ କରି ଦେଇଥିଲା। ସେତେବେଳେ ଇରାନୀ ସେନାରେ ବହୁସଂଖ୍ୟକ ଭଡ଼ାଟିଆ ଭାରତୀୟ ସୈନିକ ଥିଲେ ବୋଲି ଗ୍ରୀକ୍‌ ଇତିହାସକାର ହେରୋଡଟସ ଲେଖିଛନ୍ତି। ମାସିଡୋନିଆର ସମ୍ରାଟ୍‌ ଆଲେକ୍‌ଜାଣ୍ଡର ଇଜିପ୍ଟ, ଇରାନ, ଆଫ୍‌ଗାନିସ୍ତାନ ଓ ପଞ୍ଜାବ ପ୍ରଭୃତି ଦେଶ ଜୟ କରିଥିଲେ। ୩୩ ବର୍ଷ ବୟସରେ ଆଲେକ୍‌ଜାଣ୍ଡରଙ୍କ ମୃତ୍ୟୁ ହେବା ପରେ ତାଙ୍କ ସାମ୍ରାଜ୍ୟ ଭାଗ ଭାଗ ହୋଇ ତାଙ୍କ ସେନାପତିମାନଙ୍କ ଦ୍ୱାରା ଶାସିତ ହୋଇଥିଲା। ପଞ୍ଜାବଠାରୁ ତୁର୍କୀ ପର୍ଯ୍ୟନ୍ତ
ସବୁଠାରୁ ବଡ଼ଭାଗର ଶାସକ ଥିଲେ ସେଲ୍ୟୁକସ ନିକେଟର। ପାର୍ଥିଆନ୍‌ ଶାସକ ଆର୍ସାସେସ୍‌ଙ୍କ ସମୟରେ ଇରାନୀମାନେ ତାଙ୍କ ଦେଶକୁ ନିଜ ଅଧୀନକୁ ନେଇପାରିଥିଲେ। ସେମାନେ ଥିଲେ ଜୋରାଷ୍ଟ୍ରିଆନ। ପାର୍ଥିଆନ୍‌ମାନେ ଦ୍ୱିତୀୟ ବୃହତ୍‌ ପାଶ୍ଚାତ୍ୟ ଶକ୍ତି ରୋମ୍‌ ସହ ତିନି ଶତାବ୍ଦୀ ଧରି ଯୁଦ୍ଧ କରିଥିଲେ। ପରବର୍ତ୍ତୀ ଇରାନୀ ବିଜେତା ଥିଲେ ସାସାନିଆମାନେ ଯେଉଁମାନେ ସପ୍ତମ ଶତାବ୍ଦୀରେ ଆରବୀୟମାନଙ୍କ ଦ୍ୱାରା ପରାଜିତ ହେବା ପର୍ଯ୍ୟନ୍ତ ଇରାନକୁ ଶାସନ କରିଥିଲେ। ୪୦୦ ବର୍ଷ ତଳେ ଇରାନ ସାଫାଭିଡମାନଙ୍କ ଅଧୀନରେ ଶିଆରାଷ୍ଟ୍ର ହେଲା, ଯଦିଚ ଭାରତର ମୋଗଲ ସାମ୍ରାଜ୍ୟକୁ ଧ୍ୱଂସ କରିଥିବା ପ୍ରସିଦ୍ଧ ଶାସକ ନାଦିର ଶାହ ସୁନ୍ନି ଥିଲେ। ଆଧୁନିକ ଯୁଗରେ ଆମେରିକା ଇରାନୀ ରାଜନୀତିରେ ହସ୍ତକ୍ଷେପ କରିଆସୁଛି।  ଘଟଣାକ୍ରମେ ଆମେ ୧୯୫୧ ମସିହାକୁ ଯିବା । ଜଣେ ଅତୁଳନୀୟ ମାଟି ମନସ୍କ , ସମର୍ପିତ ଦେଶ ପ୍ରାଣ , ପ୍ରଚଣ୍ଡ ସ୍ଵାଭିମାନୀ ବ୍ୟକ୍ତି ମହମ୍ମଦ ମୋସାଦେଘ ଇରାନ ସଂସଦୀୟ ଦଳର ନେତା ନିର୍ବାଚିତ ହୋଇ ଶାସନ ମୁଖ୍ୟ ଭାବେ ଦାୟିତ୍ବ ନେବା ପରେ ଦେଖିଲେ ଯେ ବ୍ରିଟିଶ ଉପନିବେଶବାଦ ଶହଶହ ବର୍ଷ ଧରି ତାଙ୍କ ଦେଶର ଆର୍ଥିକ ମେରୁଦଣ୍ଡ କ୍ଷେତ୍ର ତୈଳ ବଜାରକୁ କରାୟତ କରିଆସିଛି ।  ତୈଳ ଉତ୍ପାଦନର ୮୪ ଭାଗର ସତ୍ତ୍ବାଧୀକାରୀ ବ୍ରିଟିଶ ଏବଂ ମାତ୍ର ୧୬ ଭାଗର ଅଧିକାରୀ ତାଙ୍କ ଦେଶ ଇରାନ । ଏହି ତଥ୍ୟ ଜାଣିବା ପରେ ଦେଶର ତୈଳ ସମ୍ପଦ ଉପରେ ବିଦେଶୀ ଶକ୍ତିର ପ୍ରାଧାନ୍ୟତା ତାଙ୍କ ପାଇଁ ହେଲା ଅସହ୍ୟ । ୧୯୫୧ ମସିହା, ମାର୍ଚ୍ଚ ୧୫ ତାରିଖରେ  ମୋସେଦେଘ ସଂସଦରେ ତୈଳ ଜାତୀୟ କରଣ ବିଧେୟକ ଆଗତ କଲେ , ଯାହା ସର୍ମସମ୍ମତି କ୍ରମେ ଗୃହୀତ ହୋଇଥିଲା ।   ଏଥିରେ ବ୍ରିଟିଶ ଶାସନ ବ୍ୟବସ୍ଥା ପ୍ରତିବାଦ, ପ୍ରତିବନ୍ଧକ ଲଗାଇ ବ୍ୟର୍ଥ ହୋଇଥିଲା , କାରଣ ମୋସେଦେଘ ଥିଲେ ଅତ୍ୟନ୍ତ ଜନପ୍ରିୟ ନେତା । ବ୍ରିଟିଶର ସମସ୍ତ କୂଟନୀତି , ବିଭେଦ ରାଜନୀତି ବା ଡିଭାଇଡ ଆଣ୍ଡ ରୁଲ, ବ୍ୟାପକ ଅର୍ଥ ଖର୍ଚ୍ଚ ସତ୍ତ୍ୱେ ମୋସେଦେଘ ଙ୍କ ଶାସନକୁ ଦୋହଲାଇ ନ ପାରି ଆମେରିକାର ଶରଣ ପଶିଲା । ଆମେରିକା ପ୍ରଶାସନ ଏକ ମିଲିଅନ ଡଲାର  , ଯାହା ଇରାନର ମୁଦ୍ରା ରିଆଲରେ ପରିମାଣ ୪୨୫୦ ମିଲିୟନ ରିଅଲ ଥିଲା । ଏଥିରୁ ମୁଦ୍ରା ବିନିମୟ ମୂଲ୍ୟ ଆଧାରରେ ଅନୁମାନ କରିହେବ ଯେ  କେତେ ପରିମାଣରେ ବ୍ରିଟେନ ଲୁଟୁଥିଲା ଇରାନକୁ ।   ଆମେରିକାର ଗୁଇନ୍ଦା ସଂସ୍ଥା ସିଆଇଏ  ଇରାନର ଗଣମାଧ୍ୟମ , ସାମ୍ବାଦିକ , ଖବର କାଗଜର ସମ୍ପାଦକ , ସାଂସଦ , ବିଭିନ୍ନ ଗଣ ସଙ୍ଗଠନର ନେତାମାନଙ୍କୁ ବିପୁଳ ପରିମାଣର ଅର୍ଥ ଠାରୁ ବିଭିନ୍ନ ପ୍ରକାର ପ୍ରଲୋଭନରେ ବଶିଭୂତ କରି ମୋସେଦେଘଙ୍କ ଶାସନ ବ୍ୟବସ୍ଥାକୁ ଅସ୍ଥିରତା ଭିତରକୁ ଠେଲି ଦେବାରେ ସକ୍ଷମ ହେଲା । ସିଆଇଏର ଅର୍ଥବଳରେ ଇରାନର ବିଭିନ୍ନ ସଙ୍ଗଠନର ନେତାମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି ବିକ୍ଷୋଭ, ଧର୍ମଘଟ, ଶୋଭାଯାତ୍ରା, ସଂସଦ ଘେରାଉ କଲେ , ସେମାନଙ୍କୁ ସିଆଇଏ ଉତ୍କୋଚ ଖିଆ ଗଣମାଧ୍ୟମ ପ୍ରୋତ୍ସାହିତ କରୁଥିଲେ , ମିଥ୍ୟା ସମ୍ବାଦ ପରିବେଷଣ କରି ଜନାକ୍ରୋଶ ସୃଷ୍ଟି କରିବାରେ ସଫଳତା ପାଇଥିଲେ । ଅପରପକ୍ଷରେ ସିଆଇଏ ଶାହାଙ୍କୁ  ୨୧୦ ମିଲିୟନ ରିଅଲ ଉତ୍କୋଚ ଦେଇ ପ୍ରଭାବିତ କରିଥିଲେ  ।  ଭ୍ରଷ୍ଟ ସାଂସଦ ମାନେ ତାଙ୍କୁ କ୍ଷମତାଚ୍ୟୁତ କରିଦେବାର ସମ୍ଭାବନା ଦେଖି ମୋସେଦେଘ ସଂସଦକୁ ଭଙ୍ଗ କରିଦେଲେ । ଏହି ସମୟରେ ସିଆଇଏ ନିର୍ଦ୍ଦେଶରେ ଶାହା ତାଙ୍କର ସୈନିକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୋସେଦେଘଙ୍କୁ ଗିରଫ କରିବା ପାଇଁ ।  ୮୫ ବର୍ଷ ବୟସରେ ମୃତ୍ୟୁ ପର୍ଯ୍ୟନ୍ତ ମୋସେଦେଘ ଥିଲେ ଗୃହବନ୍ଦୀ । ଏହା ପରେ ତୈଳ ସମ୍ପଦ ର ସତ୍ତ୍ବାଧୀକାର ବଣ୍ଟନ କରାଯାଇଥିଲା , ଯେଉଁଥିରେ ସମଗ୍ର ତୈଳ ସମ୍ପଦର ୪୦ ଭାଗ ଆମେରିକାର, ୪୦ ଭାଗ ବ୍ରିଟେନର ଏବଂ ଅବଶିଷ୍ଟ ୨୦ ଭାଗ ଇରାନର ।  ୧୯୭୦ ମସିହାରେ ଆମେରିକା ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ ୧୯୫୩ ମସିହାରେ ଇରାନର ନିର୍ବାଚିତ ପ୍ରଧାନମନ୍ତ୍ରୀ ମୋସାଦେଘ ତୈଳଶିଳ୍ପର ଜାତୀୟକରଣ କରିବା ଯୋଗୁ ସିଆଇଏର କୂଟନୀତି ବଳରେ ଗାଦିଚ୍ୟୁତ ହୋଇଥିଲେ।  ସେହିପରି ଆମେରିକା ଇରାକର ଶାସକ ସଦ୍ଦାମ ହୁସେନଙ୍କୁ ସମର୍ଥନ କରି ଇରାକ-ଇରାନ ଯୁଦ୍ଧକୁ ଇନ୍ଧନ ଯୋଗାଇଥିଲା। ୧୯୭୯ରେ ଜିମ୍ମି କାର୍ଟର ଆମେରିକାର ରାଷ୍ଟ୍ରପତି ଥିବା ସମୟରେ ତେହେରାନସ୍ଥିତ ଆମେରିକୀୟ ଦୂତାବାସକୁ ଇରାନୀ ବିପ୍ଳବୀମାନେ କବ୍ଜା କରିନେଇଥିଲେ ଏବଂ ଦୂତାବାସର କର୍ମଚରୀମାନଙ୍କୁ ଅନେକ ସପ୍ତାହ ଧରି ପଣବନ୍ଦୀ କରି ରଖିଥିଲେ। ସେବେଠାରୁ ଇରାନ ସହ ଆମେରିକାର ତିକ୍ତତା ରହିଆସିଛି। ଆମେରିକାରେ ରହୁଥିବା ଇରାନୀମାନେ ପାକିସ୍ତାନୀ ଦୂତାବାସଠାରୁ ସେବା ପାଇ ଆସୁଥିଲେ। ଆଣବିକ କାର୍ଯ୍ୟକ୍ରମକୁ ନେଇ ଇରାନ ଆମେରିକାର ଓବାମା ପ୍ରଶାସନ ସହ ଏକ ରାଜିନାମା କରାଇନେଇ ପାରିଥିଲା। ଆଶା କରାଯାଉଥିଲା ଶେଷରେ ଏହି ଦୁଇ ଦେଶ ବନ୍ଧୁ ହୋଇଯିବେ।  ଚଳିତ ନିର୍ବାଚନରେ ପୁନଃ ଚାରି ବର୍ଷ ପରେ ଟ୍ରମ୍ଫ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହୋଇ ଆଗାମୀ ଜାନୁଆରୀ ୨୦ ରୁ ଶାସନ ବ୍ୟବସ୍ଥା ହାତକୁ ନେବେ । ବିଗତ ଦିନର ଇତିହାସ ଆଧାରରେ ବିଚାର କଲେ ସେମାନଙ୍କ ଆଶା ଯେ ଧୂଳିସାତ ହୋଇଯିବ , ଏଥିରେ ସାମାନ୍ୟ ସନ୍ଦେହର ଅବକାଶ ନାହିଁ । ଇରାନର ଜାତୀୟ ଧର୍ମ ହେଉଛି ଶିଆ ଇସ୍‌ଲାମ। ଶିଆ ଧର୍ମ ସ୍ବଭାବତଃ ଶାନ୍ତିବାଦୀ। ସେମାନଙ୍କ ବିଶ୍ୱାସ ଅନୁସାରେ ୮୬୯ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିବା ଦ୍ୱାଦଶ ଇମାମ ମହମ୍ମଦ ଅଲ ମହଦି ମରିନାହାନ୍ତି। ଆଲ୍ଲାଙ୍କ ଦ୍ୱାରା ସେ ଲୁକ୍କାୟିତ ହୋଇ ରହିଛନ୍ତି ଏବଂ ଯେକୌଣସି ସମୟରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ତାଙ୍କ ଫେରିବା ବାଟକୁ ଶିଆ ମୁସଲମାନମାନେ ଚାହିଁବସିଛନ୍ତି। ସେ ପର୍ଯ୍ୟନ୍ତ ସେମାନେ ବାହ୍ୟ ଦୁନିଆ ସହ ଯୁଦ୍ଧବିଗ୍ରହରେ ବ୍ୟାପୃତ ନ ହେବା ଏବଂ ନିଜ ଧର୍ମ ପାଳନ କରି ଶାନ୍ତିରେ ରହିବାକୁ ଚାହାନ୍ତି। ପାଠକମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡ଼ିତ ରହୁଥିବା କୌଣସି ପାକିସ୍ତାନୀ ବା କଶ୍ମୀରୀ ମୁସଲମାନ ଶିଆ ନୁହନ୍ତି। ଜୈଶ୍‌, ଲଶ୍କର, ହିଜ୍‌ବୁଲ ମୁଜାହିଦ୍ଦିନ, ଅଲ୍‌ ଉମର, ଅଲ୍‌ କାଏଦା, ଆଇଏସ୍‌ ପ୍ରଭୃତି ସମସ୍ତ ଆତଙ୍କବାଦୀ ଗୋଷ୍ଠୀ ହେଉଛନ୍ତି ସୁନ୍ନି ସମ୍ପ୍ରଦାୟର। ଜିହାଦୀ ଆତଙ୍କବାଦ ସହ ଶିଆମାନଙ୍କର କୌଣସି ସମ୍ପର୍କ ନାହିଁ। ତେବେ ଇସ୍ରାଏଲକୁ ବିରୋଧ କରୁଥିବା ସୁନ୍ନି ଗୋଷ୍ଠୀ ସହ ପାଲେଷ୍ଟିନୀୟମାନଙ୍କୁ ଇରାନ ସମର୍ଥନ କରିଆସୁଛି। ଏହି କାରଣରୁ ଆମେରିକା ଇରାନକୁ ଘୃଣା କରୁଛି। ଆମେରିକା ସହ ଇରାନର କୌଣସି ବିବାଦ ନାହିଁ। ଆମେରିକାର ମଧ୍ୟ ଇରାନକୁ ଘୃଣା କରିବାର କୌଣସି କାରଣ ନାହିଁ। କିନ୍ତୁ ଇରାନ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଇସ୍ରାଏଲ ଆମେରିକାକୁ ଉସ୍‌କେଇ ଆସୁଛି କାରଣ ଇରାନ ପାଲେଷ୍ଟାଇନର ମୁକ୍ତି ଆନ୍ଦୋଳନକୁ ସମର୍ଥନ କରୁଛି।
ଭାରତର ଶିଆମାନେ ପୁଣି ବିଭିନ୍ନ ଭାଗରେ ବିଭକ୍ତ କିନ୍ତୁ ସେମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ଗୋଷ୍ଠୀ ହେଉଛି ଟ୍ବେଲ୍‌ଭର ଶିଆ। ସେମାନଙ୍କର ଇମାମମାନେ ଇରାକ ଓ ଇରାନରେ ରହୁଛନ୍ତି। ଭାରତର ଇରାନ ସହ ସଭ୍ୟତାର ସମ୍ପର୍କ ରହିଛି। ଆରବୀୟମାନେ ଉର୍ଦ୍ଦୁ ବୁଝନ୍ତି ନାହିଁ କିନ୍ତୁ ଇରାନୀମାନେ ବୁଝନ୍ତି। ଇରାନ ଭାରତର ବନ୍ଧୁରାଷ୍ଟ୍ର ହୋଇ ରହିଆସିଛି, ଏପରି କି ଭାଜପା ନେତୃତ୍ୱାଧୀନ ଶାସନରେ ମଧ୍ୟ। ଭାରତ ସେହି ସମ୍ପର୍କକୁ ଭାଙ୍ଗିବା ଭଳି କୌଣସି କାର୍ଯ୍ୟକରିବା ଉଚିତ ନୁହେଁ ବୋଲି ଆମର ଦୃଢ ମତ । ଅପରପକ୍ଷରେ  ଆସନ୍ତା ୨୦୨୫ , ଜାନୁଆରୀ ୨୦ ତାରିଖରେ ଆମେରିକାର ୪୭ ତମ ରାଷ୍ଟ୍ରପତି ଭାବେ ଶପଥଗ୍ରହଣ କରି ଶାସନ କ୍ଷମତା ହାତକୁ ନେବେ   ଡୋନାଲ୍ଡ ଟ୍ରମ୍ପ। ତେବେ ଶପଥ ପୂର୍ବରୁ ପୁଣି ଥରେ ସେ ଭାରତକୁ ଦେଖାଇଛନ୍ତି ନାଲି ଆଖି। ଭାରତ ଉପରେ ପାରସ୍ପରିକ ଟିକସ ଲାଗୁ କରିବାକୁ ଟ୍ରମ୍ପ ଧମକ ଦେଇଛନ୍ତି।ଆମେରିକୀୟ ଉତ୍ପାଦ ଉପରେ ଭାରତ ଯେତିକି ଟିକସ ଲାଗୁ କରିବ, ଆମେ ମଧ୍ୟ ଭାରତୀୟ ଉତ୍ପାଦ ଉପରେ ସମାନ ଟିକସ ଲାଗୁ କରିବୁ ବୋଲି ସେ କହିଛନ୍ତି। ଦୀର୍ଘ ଦିନ ଧରି କିଛି ଆମେରିକୀୟ ଉତ୍ପାଦ ଆମଦାନୀ ଉପରେ ଭାରତର ଉଚ୍ଚ ଶୁଳ୍କ ଲାଗୁ କରିବାକୁ ଟ୍ରମ୍ପ ବିରୋଧ କରିଆସୁଛନ୍ତି। ଏହାର ଉତ୍ତରରେ, ସେ ଏବେ ପାରସ୍ପରିକ ଶୁଳ୍କ ଲାଗୁ କରିବାକୁ ଚିନ୍ତା କରୁଛନ୍ତି।  ଗଣମାଧ୍ୟମକୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି, ଯଦି ସେମାନେ ଆମ ଉପରେ ଅଧିକ ଟ୍ୟାକ୍ସ ଲଗାଇବେ, ଆମେ ମଧ୍ୟ ସେମାନଙ୍କୁ ଉପରେ ଟ୍ୟାକ୍ସ ଲଗାଇବୁ। ଚାଇନା ସହିତ ସମ୍ଭାବ୍ୟ ବାଣିଜ୍ୟ ଚୁକ୍ତି ଉପରେ ଏକ ପ୍ରଶ୍ନର ଉତ୍ତର ଦେବାବେଳେ ସେ ଏହି ମନ୍ତବ୍ୟ ଦେଇଛନ୍ତି।ପ୍ରାୟ ସମସ୍ତ କ୍ଷେତ୍ରରେ ସେମାନେ ଆମ ଉପରେ ଅଧିକ ଟ୍ୟାକ୍ସ ଲଗାଉଛନ୍ତି। ଭାରତ ଯଦି ଆମ ଉପରେ ଭାରତ ୧୦୦ ପ୍ରତିଶତ ଟ୍ୟାକ୍ସ ଲାଗୁ କରିବ, ତେବେ ଆମେ ମଧ୍ୟ ତାକୁ ଛାଡ଼ିବୁ ନାହିଁ। ଆମେ ମଧ୍ୟ ତାଙ୍କ ଉପରେ ଏଥର ସମାନ ଟ୍ୟାକ୍ସ ଲଗାଇବୁ। କେତେକ ଆମେରିକୀୟ ଉତ୍ପାଦ ଉପରେ ଅଧିକ ଶୁଳ୍କ ଲାଗୁ କରୁଥିବା ଦେଶ ମଧ୍ୟରେ ଭାରତ ଏବଂ ବ୍ରାଜିଲ ଅଛନ୍ତି ବୋଲି ଟ୍ରମ୍ପ କହିଛନ୍ତି।ଟ୍ରମ୍ପଙ୍କ ଏଭଳି ନିଷ୍ପତ୍ତିକୁ କମର୍ସ ସକ୍ରେଟ୍ରି ହାଓ୍ୱର୍ଡ ଲୁଟନିକ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଟ୍ରମ୍ପ ସରକାରରେ ପ୍ରତିକ୍ରିୟା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେବ। ଆପଣ ଆମ ସହ ଯେପରି ବ୍ୟବହାର କରିବେ, ଆମେ ମଧ୍ୟ ଆପଣଙ୍କ ସହ ସେଭଳି ବ୍ୟବହାର କରିବୁ ବୋଲି ସେ ଭାରତକୁ ଇଙ୍ଗିତ କରି କରିଛନ୍ତି।ସେପଟେ ଭାରତକୁ ଏଭଳି ଧମକ ଦେବା ପରେ ଏହାକୁ ନେଇ ଜୋ ବାଇଡେନ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଆଭିମୁଖ୍ୟକୁ ଏକ ବଡ଼ ଭୁଲ ବୋଲି କହିଛନ୍ତି। ଟ୍ରମ୍ପ ଏହି ଦେଶରେ ଆମଦାନୀ ହୋଇଥିବା ସମସ୍ତ ସାମଗ୍ରୀ ଉପରେ ବ୍ୟାପକ ସର୍ବଭାରତୀୟ ଶୁଳ୍କ ଲାଗୁ କରିବାକୁ ସଂକଳ୍ପବଦ୍ଧ। ଏହି ଭୁଲ ଧାରଣା ସହିତ ଆମେରିକାର ଗ୍ରାହକ ଅପେକ୍ଷା ବିଦେଶୀ ଦେଶ ଶୁଳ୍କର ମୂଲ୍ୟ ବହନ କରିବେ ବୋଲି ସେ କହିଛନ୍ତି। ଏହି ସବୁକୁ ଏକତ୍ରିତ କରି ଯଦି ବିଚାର କରାଯାଏ , ତେବେ  ଶହଶହ ବର୍ଷ ଧରି ଭାରତକୁ ଲୁଟ୍ କରି ଆସିଥିବା ବିଦେଶୀ ଶକ୍ତି , ସେମାନେ ଆମେରିକା, ବ୍ରିଟେନ,ଋଷ, ଚାଇନା , ଯେ କେହି ହୁଅନ୍ତୁ  , ଏଭଳି ଅସ୍ଥିରତା ପୃଷ୍ଠଭୂମିରେ ସେମାନଙ୍କର ଅଦୃଶ୍ୟ, ଅନାଲୋଚିତ ଚକ୍ରାନ୍ତ ସମୂହ କୁ କ’ଣ ଅସ୍ବୀକାର କରା ଯାଇପାରେ ?

Posted in ସମ୍ପାଦକୀୟ.