ଖୋର୍ଦ୍ଧା ଜିଲ୍ଲାପାଳ ତଥା ଆଇଏଏସ୍ ଅଧିକାରୀ ଅମ୍ରିତ ଋତୁରାଜଙ୍କ ରଚିତ ପ୍ରଥମ ଉପନ୍ୟାସ ‘ପାର୍ଶ୍ୱସ୍ରୋତ’ର ଉନ୍ମୋଚନ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ଅଡିଟୋରିୟମ ପରିସରରେ ଅନୁଷ୍ଠିତ ହୋଇଛି ।
ଶ୍ରୀ ଅମ୍ରିତ ଋତୁରାଜ ଜଣେ ଅଭିଜ୍ଞ ପ୍ରଶାସକ ଭାବେ ପରିଚିତ ହେଲେ ମଧ୍ୟ ସାହିତ୍ୟ କ୍ଷେତ୍ରରେ ତାଙ୍କର ପ୍ରତିଭା ଅନନ୍ୟ। ‘ପାର୍ଶ୍ୱସ୍ରୋତ’ ଉପନ୍ୟାସଟି କୁଟିଆ କନ୍ଧ ଜନଜାତିର ଜୀବନଶୈଲୀ, ସଂସ୍କୃତି, ପରମ୍ପରା ଓ ପ୍ରକୃତି ସହିତ ସମ୍ପର୍କକୁ ଅତ୍ୟନ୍ତ ସୁନ୍ଦର ଓ ପ୍ରାମାଣିକ ଭାବେ ଚିତ୍ରଣ କରିଛି। ଏହି ରଚନା ଆଧୁନିକ ସମାଜର ଚ୍ୟାଲେଞ୍ଜ ମଧ୍ୟରେ ଏହି ଜନଜାତିର ଅନନ୍ୟ ବିଶ୍ୱାସ ଓ ସାମାଜିକ ବ୍ୟବସ୍ଥାକୁ ଉଜାଗର କରିବା ସହ ଭାରତୀୟ ସାଂସ୍କୃତିକ ବିବିଧତା ଓ ଆଦିବାସୀ ସାହିତ୍ୟ ପ୍ରତି ଆଗ୍ରହ ବଢ଼ାଇବ ବୋଲି ଆଶା କରାଯାଉଛି। ଉପନ୍ୟାସଟି ମାତ୍ର ୨୨୪ ପୃଷ୍ଠାର ହୋଇଥିବା ବେଳେ ଏହା ଅଧ୍ୟୟନରେ ମନୋରଞ୍ଜନ ସହ ଶିକ୍ଷଣୀୟ ମୂଲ୍ୟ ଯୋଗାଇଦେବ।
ଏହି ଉନ୍ମୋଚନ କାର୍ଯ୍ୟକ୍ରମରେ ସାହିତ୍ୟକାର, ସାହିତ୍ୟପ୍ରେମୀ, ପ୍ରଶାସନିକ ଅଧିକାରୀ, ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଏବଂ ପାଠକମାନେ ଯୋଗଦାନ କରିବେ ବୋଲି ସୂଚନା ମିଳିଛି। ଏହା କେବଳ ଏକ ବହି ଉନ୍ମୋଚନ ନୁହେଁ, ବରଂ ଆଦିବାସୀ ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ।
